Unknown

 

 

 

 

 

 

 

 

 

ଗୋପାଳଚନ୍ଦ୍ର ପ୍ରହରାଜ

ଶ୍ରୀ ଗୌରାଙ୍ଗ ଚରଣ ଦାଶ

 

ସୂଚୀପତ୍ର

 

୧.

ଭଡ଼ାଗାଡ଼ିଖାନାର ନିଃସଙ୍ଗ ପଥିକ

୨.

ଭାଷାର ଭାଷ୍ୟକାର

୩.

ମୁଁ ଗୋପାଳପୁରିଆ

୪.

ଗୋପାଳପୁରିଆଙ୍କ ଫିସାଦି

୫.

ଅଳିଆ ଘାଣ୍ଟିଲେ ମଳିଆ

୬.

ପରିଶିଷ୍ଟ – (କ) ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲେଖାଗୁଡ଼ିକର ରଚନାକ୍ରମ

୭.

ପରିଶିଷ୍ଟ – (ଖ) ପ୍ରହରାଜଙ୍କ ଉଇଲ

୮.

ସହାୟକ ପୁସ୍ତକ ଓ ପତ୍ରପତ୍ରିକା

Image

 

ସଙ୍କେତ ସୂଚୀ

 

ଆ.ଘ.ହା.ଚା.

:

ଆମ ଘରର ହାଲ୍‍ଚାଲ୍‍

ଉ.କା.

:

ଉତ୍କଳ କାହାଣୀ

ଉ.ସା.

:

ଉତ୍କଳ ସାହିତ୍ୟ

ଓ.ମୁ.

:

ଓଡ଼ିଆ ମୁଲକ

ଢ.ଢ.ବ

:

ଢଗଢମାଳୀ ବଚନ

ଦୁ.ହା.

:

ଦୁନିଆର ହାଲ୍‍ଚାଲ୍

ଧା.ବ.ପୁଂ.ପାଂ.

:

ଧାରଣ ବନ୍ଧାର ପୁଞ୍ଜିପାଣ୍ଠି

ନ.ପାଂ.

:

ନନାଙ୍କ ପାଞ୍ଜି

ନ.ବ.

:

ନନାଙ୍କ ବସ୍ତାନୀ

ନ.ଭା.

:

ନବ ଭାରତ

ନି.ଖୁ.

:

ନିଆଁ ଖୁଣ୍ଟା

ପୂ.ଓ.ଭା.

:

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ବା.ନା.ବୁ.

:

ବାଈ ନାନୀଙ୍କ ବୁଜୁଳି

ବା.ନା.ଭ.ଗୀ.

:

ବାଈ ନାନୀଙ୍କ ଭଜନ ଗୀତ

ବା.ମ.ପାଂ.

:

ବାଈ ମହାନ୍ତି ପାଞ୍ଜି

ଭା.ଟୁ.ସଂ.

:

ଭାଗବତ ଟୁଙ୍ଗୀରେ ସଂଧ୍ୟା

ଭା.କୋ.ସ.

:

ଭାଷାକୋଷ ପାଇଁ ସଫର

ମି.ସା.ରୋ

:

ମିଆଁ ସାହେବଙ୍କ ରୋଜନାମଚା

ସ.ସ.

:

ସତ୍ୟ ସମାଚାର

ସ୍ୱ.ରା.ଯୋ.

:

ସ୍ୱପ୍ନରେ ରାଜଯୋଗ

Image

 

Unknown

ଭଡ଼ାଗାଡ଼ିଖାନାର ନିଃସଙ୍ଗ ପଥିକ

 

ଊନବିଂଶ ଶତାବ୍ଦୀ ଏକ ନୂଆ ଭାରତ ଗଠନର ପ୍ରସ୍ତୁତି କାଳ । ଏ ବିରାଟ ଭୂଖଣ୍ଡରେ ହଜାର ହଜାର ବର୍ଷ ଧରି ଯାହା ସମ୍ଭବ ହୋଇ ନ ଥିଲା, ତାହା ଏକ ନିର୍ଦ୍ଦିଷ୍ଟ ଆକାରର ଯେମିତି ଅପେକ୍ଷା ରଖିଥିଲା, ଆହ୍ୱାନ ମଧ୍ୟ କରୁଥିଲା । ପୁରାଣ, କାବ୍ୟରେ ଯେଉଁ ଭାରତର ଚିତ୍ର ସେମାନଙ୍କ ଚେତନାରେ ଚିଆଁ ଲଗେଇଦଉଥିଲା, ତାର ଅସଲ ରୂପ କେବଳ ସତେଜ ଥିଲା କଳ୍ପନା ଓ ସ୍ୱପ୍ନରେ । ରାଜନୀତିକ ଇତିହାସର ସ୍ୱୀକୃତ ପରିଧିରେ ତାର ଛାଇ ନ ଥିଲା । ଏଇ ବିରାଟ ଭୂଖଣ୍ଡ ହଜାର ହଜାର ଖଣ୍ତରେ ବିଭକ୍ତ ହୋଇଯାଇଥିଲା । ଖଣ୍ତାଧିପତିମାନେ କେହି କେହି ସତରେ, କେହି କେହି ମାଖୁନାଟାରେ ଖଣ୍ତାଗୁଡ଼ାକ ହଲାଉଥିଲେ । ହାତୀ, ଘୋଡ଼ା, ରଥ ଉପରେ ବସି ଖେଦି ଆସୁଥିଲେ ନିଜ ଚାରିପାଖରେ । ଆଉ କେତେକଙ୍କର ଦେହରୁ ପୁଳାଏ ପୁଳାଏ କାମୁଡ଼ି ପକୋଉଥିଲେ । ନିଜକୁ ରାଜା, ମହାରାଜା, ରାଜାଧିରାଜ, ଚକ୍ରବର୍ତ୍ତୀ, ରାଜଚକ୍ରବର୍ତ୍ତୀ, ପରମ ଚକ୍ରବର୍ତ୍ତୀ ପରି କେତେ କେତେ ଅତି-ଲମ୍ବ-ଲାଙ୍ଗୁଡ଼ରେ ଶୋଭାବନ୍ତ କରୁଥିଲେ । ରାଜତ୍ୱ କ୍ଷମତା ଅହଂକାର, ଭାଣ୍ତାମିର ପାଲା ଲାଗିଥିଲା ଏ ଦେଶରେ । ଈଶ୍ୱରଙ୍କ ପୁତ୍ର, ଅବତାର ଭାବରେ ସେମାନେ ସବୁକିଛି ଭଲକୁ ଭୋଗ କରୁଥିଲେ । ଭୋଗ କରିବାର ନିୟମଗୁଡ଼ାକ ବି ତିଆରି କରି ପକୋଉଥିଲେ । କେହି ବିରୋଧ କଲେ, ସେମାନଙ୍କର ଦେଖିଲା କାମ କରିଦଉଥିଲେ । ଅବଶିଷ୍ଟମାନଙ୍କୁ ମ୍ଳେଚ୍ଛ, ବଶମ୍ବଦ, ବିଶ୍ୱସ୍ତ, ଆଜ୍ଞାଧୀନ, ଚରଣସେବକ କରି ରଖିଥିଲେ । ଧର୍ମର ଅଫିମ ଖାଇ ଏବଂ ଖୁଆଇ, ବହୁ ବିଚିତ୍ର ରୀତିରେ ସେମାନଙ୍କର ସ୍ତୁତିଗାନ କରୁଥିଲେ, କରୋଉଥିଲେ । ଆପଣା ଆପଣାକୁ ସବୁର ଊର୍ଦ୍ଧ୍ୱରେ ବୋଲି ପ୍ରତିଷ୍ଠା କରୁଥିଲେ । ଅନ୍ୟର ଶରଣ ପଶୁଥିଲେ ବି, ବଡ଼େଇ କରିବାକୁ ପଛୋଉ ନ ଥିଲେ । ନିଜର ଭୂଖଣ୍ଡଟି ଗୋସ୍ପଦ ତୁଲ୍ୟ ହେଉ ବରଂ, ତୋଡ଼ ଦେଖେଇବାରେ ହେଳା କରୁ ନ ଥିଲେ । ଅଷ୍ଟାଦଶ, ଊନବିଂଶ ଶତାବ୍ଦୀବେଳକୁ ସମଗ୍ର ଭାରତବର୍ଷରେ ‘ମହତୀ ମହୀପତି’ମାନଙ୍କର ସଂଖ୍ୟା ଅସଂଖ୍ୟ ରୂପ ଧାରଣ କରିଥିଲା ।

 

ମାତ୍ର ପ୍ରବଳ ମହୀପତିମାନଙ୍କ ଅତି ଗୋଳ ଭିତରେ, ତଥାପି ଏଇ ବିରାଟ ଭୂଖଣ୍ଡରେ ସାଂସ୍କୃତିକ ଐକ୍ୟ ଅତୁଟ ରହିଥିଲା ଏବଂ ସନ୍ଥମାନଙ୍କ କାଳଜୟୀ ଅବବୋଧର ଧାରା ଏ ଜାତିର ଜୀବନନାଟିକୁ ବଞ୍ଚେଇ ରଖିଥିଲା । ମହୀପତିମାନଙ୍କଠାରୁ ଆରମ୍ଭ କରି ମ୍ଳେଚ୍ଛ ପର୍ଯ୍ୟନ୍ତ ସଭିଙ୍କ ଭିତରେ, କାଳ କାଳ ଧରି ତାହା ଜୀବନର ବେଦ ସଞ୍ଚାର କରୁଥିଲା ଏବଂ ବିଶେଷତଃ ଏଇ ବିଖଣ୍ତିତ ଓ କ୍ରମପର୍ଯ୍ୟୁଷିତ ଜୀବନଧାରା ଗୋଟାଏ ନୂତନ ତେଜରେ ଶାକ୍ତିଶାଳୀ ହେବାକୁ ଆରମ୍ଭ କଲା–ଅନ୍ୟ ଏକ ବିଦେଶୀ ଜାତିର କୋରଡ଼ା ମାଡ଼ରେ ଲହୁଲୁହାଣ ହେଲାପରେ । ବିଦେଶୀ ଇଂରେଜମାନଙ୍କର ଆବିର୍ଭାବ ଏ ଭୂଖଣ୍ତ ପାଇଁ ଆଉ ଏକ ନୂତନ ସ୍ୱପ୍ନକୁ ଜନ୍ମ ଦେଇଥିଲା । ଜାତୀୟତାବୋଧ ନାମକ ନୂଆ ଶବ୍ଦଟିଏ ଏ ବିଭେଦଗ୍ରସ୍ତ ମଣିଷମାନଙ୍କୁ ଯୋଡ଼ିଦେବାରେ ସାହାଯ୍ୟ କଲା । ସେମାନଙ୍କ ନିଶ୍ଚେତନ ହୃଦୟରେ ଜାଗୃତିର ଓଁକାର ଧ୍ୱନି ସୃଷ୍ଟିକଲା ।

 

କ୍ରମଶଃ ବହୁବିଖଣ୍ତିତ ଏକ-ସାଂସ୍କୃତିକ ଚେତନା-ଭୂମିର ଅଧିକାରୀମାନେ ଆପଣା ଆପଣାର ବିଭେଦର ଗୋଇଗୁଡ଼ାକୁ ନୁଚେଇ ପକେଇ ପୁରୁଣା ନୁଗାଗୁଡ଼ାକୁ ପାଣିକୁ ଫୋପାଡ଼ିଦେଇ ପରିଶୁଦ୍ଧ ବେଶରେ ଗୋଟିଏ ଛାମୁଣ୍ତିଆ ତଳେ ମେଳଣ କରିବାକୁ ଆସିଲେ । ଜାତୀୟ ସ୍ରୋତ ନାମକ ନୂଆ ଭାବଟିଏ ଜନ୍ମନେଲା ଆପଣା ଛାଏଁ । ହଜାର ହଜାର ବର୍ଷ ଧରି ପାସୋରି ପକେଇଥିବା ଆପଣାର ଅସ୍ତିତ୍ୱକୁ ଚିହ୍ନିବାକୁ ସେମାନେ ଆରମ୍ଭ କଲେ । ସାତ ସମୁଦ୍ର ତେର ନଈ ସେପାରିରୁ ଆସି ସେମାନଙ୍କ ଘରର ଢିଅ ଉପରେ ମାମଲତା କରୁଥିବା, ସେମାନଙ୍କୁ ଇଚ୍ଛାମତେ ନଚୋଉଥିବା, ଶୋଷଣ ଏବଂ ଶାସନ କରୁଥିବା ଇଂରେଜମାନଙ୍କର ବିରୋଧ କଲେ । ଘରୁ ବାହାରିଯିବା ପାଇଁ କହିଲେ ଏବଂ ଭଲରେ ବାହାରି ନ ଗଲେ, ଯିବାକୁ ବାଧ୍ୟ କରିବେ ବୋଲି ଧମକ ଦେଲେ ।

 

ଇଂରେଜମାନଙ୍କର ଏ ଭୂଖଣ୍ଡକୁ ଆସିବାର ଆବଶ୍ୟକତା ଥିଲା । ସେମାନେ ଆସି ନ ଥିଲେ ଏମାନେ ଏମିତି ହୋଇ ନ ଥାନ୍ତେ । ସେମାନେ ପରିବର୍ତ୍ତନର ଆଲୁଅ ଧରି ଏ ଭୂଇଁରେ ପାଦ ପକେଇଥିଲେ । ଅବଶ୍ୟ ସେମାନେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହିଁଥିଲେ, ତାହା ସେମାନଙ୍କର ଆବଶ୍ୟକତା ଅନୁରୂପ ଥିଲା । ମାତ୍ର ସେ ଆବଶ୍ୟକତା ଆମ ପାଇଁ ଆଶୀର୍ବାଦ ପରି କାମକଲା । ସେମାନଙ୍କ ଜାଲିଆତି ଘରଭଙ୍ଗା ନୀତି, ଛନ୍ଦକପଟ ସବୁକିଛି ଆମ ଅସ୍ଥିର ଜୀବନବୃକ୍ଷକୁ ସୁଦୃଢ଼ କଲା । ସେମାନେ ଆମ ଘର ଭିତରର ବିଭେଦର ବାଡ଼କୁ ମଜଭୁତ କରିବା ପାଇଁ ଚେଷ୍ଟା କରୁଥିଲେ । ଅଥଚ ବଡ଼ ଆଶ୍ଚର୍ଯ୍ୟଜନକ ଭାବରେ ସେ ବାଡ଼ ଭୂଇଁ ଉପରେ ନେପେଟେଇ ପଡ଼ୁଥିଲା, ଠାଏ ଠାଏ ଭୁଷୁଡ଼ି ପଡ଼ୁଥିଲା । ସେମାନେ ଅନ୍ୟମାନଙ୍କୁ ନାଲି ଆଖି ଦେଖେଇ ଦବେଇ ଦେବାକୁ ଚେଷ୍ଟା କରୁଥିଲେ, ମାତ୍ର ସେମାନଙ୍କ ଅନୁଶାସନ ଚେଇଁ ଉଠିବା ପାଇଁ ଅସଲ ‘‘ଦବେଇ’’ କାମ କରୁଥିଲା । ଭାରତୀୟମାନଙ୍କର ଅସଲ ନାଡ଼ି ଚିପି ଧରି ସେମାନେ ଅନେକଙ୍କୁ ଆପଣାର କରିନେବା ପାଇଁ ଫାଶ ବସେଇଥିଲେ । କ୍ରମଶଃ ଶୃଙ୍ଖଳିତ ଧାରାକୁ ବିଶୃଙ୍ଖଳ କରିବା ପାଇଁ ସ୍ୱାର୍ଥର ମଞ୍ଜି ପୋତୁଥିଲେ । ଅନେକ ସେ ଫାଶରେ ଧରା ଦେଉଥିଲେ । ଜୀବନକୁ ପ୍ରାଣଭରି ଉପଭୋଗ କରୁଥିଲେ, ମାତ୍ର ଯେତେ ଯାହା କଲେ ବି ସବୁକିଛି ପେଞ୍ଚ ଆପେ ଆପେ ଢିଲା ହୋଇଯାଉଥିଲା ବଡ଼ ରହସ୍ୟଜନକ ଭାବରେ । ଅନେକ କିଛି ବଦଳି ଯାଉଥିଲା ।

 

ଅବଶ୍ୟ ଗୋଟିଏ ସାଂସ୍କୃତିକ ଚେତନା ଭୂମିରେ ଚାଲିଥିବା ବଦଳପାଲାର ପ୍ରକ୍ରିୟାଟି ଏତେ ମାରାତ୍ମାକ ନୁହେଁ । ମାତ୍ର ଦୁଇଟି ଭିନ୍ନ ସାଂସ୍କୃତିକ ସ୍ରୋତର ମିଶ୍ରଣ କାଳର ତୋଡ଼ ବଡ଼ ଭୟଙ୍କର । ସ୍ରୋତର ବେଗକୁ ଚତୁର ଭାବରେ ନିୟନ୍ତ୍ରଣ କରି ନ ପାରିଲେ, ତାହା ଏକ ଦୟନୀୟ, ବିକଳ ପରିଣତିକୁ ଡାକିଆଣେ । ଭାଙ୍ଗଣ, ଗଢ଼ଣ ପ୍ରକ୍ରିୟାର କିଛି ବାଗବାଇଶ ରୁହେନା । ଗୋଟିଏ ଜାତି ଅନେକ କିଛି ପାଏ, ମାତ୍ର ଭିତରେ ଭିତରେ ଅନେକ କିଛି ହରେଇ ଦେଇଥାଏ । ଯୋଉ ଭଲତକ ଚାଲିଯାଏ, ତାହା ସହଜରେ ଫେରେନା । ମଣିଷ ତାକୁ ଝୁରି ହୁଏ, ବିଳାପ କରେ । କଳାର କରଣୀରେ ତାକୁ ରୂପ ଦିଏ । ନୂଆ ଧାରାଟି ତା ବାଟରେ ବଡ଼ ସତର୍କ ଭାବରେ ଆଗେଇ ଚାଲିଥାଏ । ଗତ ଶତାବ୍ଦୀରେ ଭାରତ ମାଟିରେ ଦୁଇଟି ଭିନ୍ନଧର୍ମୀ ସ୍ରୋତର ମହାମିଳନ ସଂଘଟନର ପର୍ବ । ଗୋଟିଏ ସମୃଦ୍ଧ ସ୍ରୋତ ବିଭିନ୍ନ କାରଣରୁ ସଂକୀର୍ଣ୍ଣ ଓ ଆବିଳ ହୋଇଯାଇଥିଲା-। ତାର ମହାନତା ସଂକୁଚିତ ହୋଇଆସିଥିଲା । ବହୁ କ୍ଷୁଦ୍ରରେ ବିଭକ୍ତ ତାର ରୂପ ବିକୃତ ହୋଇଯାଇଥିଲା ଏବଂ ଏ କୂଳବାସୀମାନେ ସେଇ ବିକୃତିରେ ପରମ ସୁକୃତ ମିଳେ ବୋଲି ନିଶ ଫୁଲେଇ କୁହାଟ ଛାଡ଼ୁଥିଲେ । ବିକୃତିକୁ ସଂସ୍କୃତିକୁ ଭାବରେ ସ୍ୱୀକୃତି ଦଉଥିଲେ ଏବଂ ଆରପଟରୁ ଆସିଥିବା ଧାରାଟି ଯେ ସଂପୂର୍ଣ୍ଣଭାବରେ ପରିଚ୍ଛନ୍ନ ଥିଲା, ତା ମଧ୍ୟ ନୁହେଁ । ସେଥିରେ ଆବିଳତା ଥିଲା, ମାତ୍ର ସେମାନଙ୍କ ଆବିଳତା ଏତେ ଅଧିକ ମାତ୍ରାରେ ପର୍ଯ୍ୟୁଷିତ ହୋଇ ଯାଇ ନ ଥିଲା । ସେଥିରେ ବେଗ ଥିଲା, ବୁଦ୍ଧି, ଜ୍ଞାନ ଓ ବିଚାରଶୀଳତାର ତେଜ ଥିଲା । ପଶ୍ଚିମ ଧାରାର ବେଗ, ପୂର୍ବର ଦୁଷିତ ପଙ୍କକୁ ଧୋଇ ଦେବାକୁ ଧାଇଁ ଆସିଲାବେଳେ, ସଚରାଚର ଯାହା ହୁଏ, ତାହାହିଁ ଘଟିଥିଲା ଏ ଭୂଇଁରେ । କେତେକ ଅନ୍ଧାରକଣ, ଅଙ୍ଗାରକୁ କାମୁଡ଼ି ଧଇଲେ । କେତେକ ଦୁଇଟି ଧାରାର ନିର୍ଯ୍ୟସକୁ ଗ୍ରହଣ କରିନେଲେ । କେତେକ କୌଣସି ଗୋଟାଏ କୂଳର ହୋଇ ନ ପାରି ସଙ୍କରତ୍ୱ ଲାଭ କଲେ ଏବଂ ଅବଶିଷ୍ଟମାନେ ମୁଣ୍ତରେ ହାତ ଦେଇ ବିଳାପ କରିବାରେ ଲାଗିଲେ । ଭାରତରେ ଧର୍ମ, ଶିକ୍ଷା, ସାହିତ୍ୟ, ରାଜନୀତି ଓ ସାମାଜିକ ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ଭଙ୍ଗାଗଢ଼ାର ଖେଳ ଚାଲିଲା । ଗୋପାଳ ପ୍ରହରାଜ ଏ ମାଟିରେ ଚାଲିଥିବା ଭଙ୍ଗାଗଢ଼ା ଖେଳର ଉତ୍କଣ୍ଠିତ ମୁହୂର୍ତ୍ତର ଦାୟାଦ । ତାଙ୍କ ସମକାଳର ମଣିଷମାନେ ହିଁ ଥିଲେ ଏହି ସଂଘର୍ଷ ଓ ସମୀକରଣ ପ୍ରକ୍ରିୟାର ନେତା ଓ ଅଭିନେତା ।

 

ନରସିଂହ ପ୍ରହରାଜଙ୍କ ସତରଗୋଟି ଝିଅ ପୁଅଙ୍କ ମଧ୍ୟରୁ ଗୋପାଳଚନ୍ଦ୍ର ପ୍ରହରାଜ ବଡ଼ ପୁଅ ଦ୍ୱିତୀୟ ସନ୍ତାନ । ସେମାନଙ୍କ ପୂର୍ବପୁରୁଷ ଥିଲେ ପୁରୀର ବୀରଗୋବିନ୍ଦପୁର ଶାସନ ଅନ୍ତର୍ଗତ କଣ୍ୱ ଶାଖାଧ୍ୟାୟୀ ହରିତାସଗୋତ୍ରୀ ପ୍ରବର ବ୍ରାହ୍ମଣ । ଅଷ୍ଟାଦଶ ଶତାବ୍ଦୀର ଶେଷ ପାଦରେ (୧୭୭୫-୧୮୦୦) ତାଙ୍କ ବଂଶର ପୂର୍ବପୁରୁଷ ସୁଦାମ ଆଚାର୍ଯ୍ୟ କଟକ ସିଦ୍ଧେଶ୍ୱରପୁରର ଶ୍ୟାମସୁନ୍ଦର ନନ୍ଦଙ୍କ ଘରଜୋଇଁଆ ହୋଇ ଆସିଥିଲେ । ସୁଦାମାଙ୍କ ପୁଅମାନଙ୍କ ମଧ୍ୟରୁ କିଣେଇ ଓ ଶ୍ରୀକର ସଂସ୍କୃତ ଓ ଫାର୍ଶୀରେ ବିଦ୍ୱାନ ଥିଲେ ଏବଂ ଶ୍ରୀକର ଗଜପତିଙ୍କଠାରୁ ପ୍ରହରାଜ ଉପାଧି ଲାଭ କରିଥିଲେ । ଶ୍ରୀକର ପ୍ରହରାଜେ ଥିଲେ କଟକର ଅନ୍ୟତମ ମୁକ୍ତ୍ୟାର । କୋଦିଣ୍ତା ପ୍ରଗଣାର ଜମିଦାର ଚୌଧୁରୀ କଟକରେ ଲାଟବନ୍ଦି ଦିନ ଇଂରେଜ ଶାସକଙ୍କ ପାଖରେ ରାଜସ୍ୱ ଦାଖଲ କରି ନ ପାରିବାରୁ ଶ୍ରୀକର ଆପଣାର ଭାଇ କିଣେଇଙ୍କ ନାଁରେ ପ୍ରଗଣାର କିଛି ଅଂଶ କିଣିନେଲେ ଏବଂ ଦୁଇ ଭାଇ ଆପଣା ଉଦ୍ୟମରେ ବାଖରାବାଦ ପ୍ରଗଣାରେ ମଧ୍ୟ କେତେକ ଜମିଦାରୀ କିଣିଥିଲେ । ଶ୍ରୀକରଙ୍କ ପୁତ୍ର ଭାଗୀରଥି ନିଃସନ୍ତାନ ଥିବାରୁ ନିଜର ସାନଭାଇ ଦାମୋଦରଙ୍କ ପୁଅ ନରସିଂହଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କଲେ । * ସମୟ କ୍ରମେ ଜମିଦାର ଆଚାର୍ଯ୍ୟ ବଂଶ ପୁଣି ଭାଗ ଭାଗ ହୋଇଯାଇଥିଲା । ଇଂରେଜମାନଙ୍କ କୁଟନୀତିରେ ସାମାଜିକ ବ୍ୟବସ୍ଥାର ମୂଲଦୁଆ ଦୋହଲି ଯାଉଥିଲା । ଗୋପାଳଚନ୍ଦ୍ର ପ୍ରହରାଜ (ତା ୨୭-୯-୧୮୭୪ରୁ ତା ୧୬-୫-୧୯୪୫) ମଧ୍ୟ ଭୂମିର ଭୟଙ୍କର ଦୋଳନ ଭିତରେ ନିଜର ମୂଳଟିକୁ ସୁଦୃଢ଼ ରଖିବା ପାଇଁ ସଂଗ୍ରାମ କରୁଥିଲେ ।

 

*

ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ (ସଂପାଦନା) ପ୍ରହରାଜ ପରିକ୍ରମା- ପୃଷ୍ଠା ୬୨-୬୮

 

ଇଂରେଜମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଥିଲା ଉଦ୍ଦେଶ୍ୟମୂଳକ । ନିଜର ଲାଭ ନ ଥିବା ଜାଗାରେ ସେମାନେ ବଣିଜ କରିବାକୁ ଆଦୌ ଗୋଡ଼ ବଢ଼ୋଉ ନ ଥିଲେ । ମାତ୍ର ସେମାନଙ୍କ ଲାଭରୁ ଫାଇଦା ଉଠୋଉଥିଲେ ଦେଶୀ ଲୋକମାନେ । ବିଶେଷତଃ ସେମାନଙ୍କ ଶିକ୍ଷାନୀତି ହିଁ ଭାରତୀୟମାନଙ୍କର ଆକ୍ଷି ଖୋଲିଦେବାରେ ବିଶେଷ ସହାୟକ ହେଲା ।

 

ଭାରତର ସାଧାରଣ ଜନତା ଭିତରେ ପାଠପଢ଼ା ପ୍ରତି ଏତେ ଆଦର ନ ଥିଲା । ପଢ଼ିବାର ଆବଶ୍ୟକତା ସେମାନେ ଅନୁଭବ କରୁ ନ ଥିଲେ । ଚାଷ, ବେପାରବଣିଜ, ହାତ କାମରେ ସେମାନଙ୍କ ପେଟ ପୂରିଯାଉଥିଲା । ଚାକିରି କରିବା କାହାର ଉଦ୍ଦେଶ୍ୟ ନ ଥିଲା । ଚାକିରି ମିଳୁଥିଲା ରାଜା କିମ୍ବା ଜମିଦାରଙ୍କ ଘରେ । ସେଠିକି ସବୁ ଜାତିର ଲୋକମାନଙ୍କର ଯାତାୟାତ ନ ଥିଲା । ମିଶାଣ, ଫେଡ଼ାଣ, ହରଣ, ଗୁଣନ, ସୁଧକକ୍ଷା, ନଳଭଙ୍ଗା, ଭାଗବତ, ରାସ, ଚଉତିଶା, ଛାନ୍ଦ, ଚଉପଦୀ, ଅମରକୋଷର ଗାନ ଭିତରେ ଅଧ୍ୟୟନ ସୀମାବଦ୍ଧ ଥିଲା । ଶିକ୍ଷାଦାନ ମାଟିବଂଶ ଅଭିଧାନ ଓ ବ୍ରାହ୍ମଣମାନଙ୍କର ଏକଚାରିଆ ବୃତ୍ତି ଥିଲା । ସବୁ ପାଟକର ଲୋକେ ଚାଟଶାଳୀର ଦୁଆରମୁହଁ ମାଡ଼ିବା ସମ୍ଭବ ନ ଥିଲା । ଜ୍ଞାନ ବିଜ୍ଞାନର ବିଭିନ୍ନ ବିଷୟଚର୍ଚ୍ଚାର ଅଧିକାରୀ ଥିଲେ ପଣ୍ତିତ ବ୍ରାହ୍ମଣ ସାମନ୍ତମାନେ । ଅବଧାନମାନଙ୍କର ଦୌରାତ୍ମ୍ୟରେ ପାଠପଢ଼ା ଯେ ଏକ ବ୍ୟୟସାପେକ୍ଷ ଓ ନିହାତି କ୍ଲେଶକର କାର୍ଯ୍ୟ, ଏମିତି ଏକ ଧାରଣା ସାଧାରଣ ଜନତାର ଅସ୍ଥିମଜ୍ଜାଗତ ହୋଇଯାଇଥିଲା ଏବଂ ବଞ୍ଚିବା ପାଇଁ ଅଧ୍ୟୟନର ଆବଶ୍ୟକତାକୁ ସେମାନେ ଆଦୌ ଗୃରୁତ୍ୱ ଦେଉ ନ ଥିଲେ । ନିଜ ଜାତିର ସମୃଦ୍ଧ ଅତୀତ ଜ୍ଞାନବିଜ୍ଞାନର ନବାଲୋକିତ ଦିଗକୁ ଆପଣା ବୁଦ୍ଧିରେ ନିରପେକ୍ଷ ଭାବରେ ଚର୍ଚ୍ଚା କରିବାର ମାନସିକତାରେ ସେମାନେ ନ ଥିଲେ । ଅଧିକନ୍ତୁ ଆପଣା ଜାତିର ମନୀଷୀ ଚିନ୍ତାନାୟକମାନଙ୍କର ସିଦ୍ଧାନ୍ତର ବିକୃତ ରୂପକୁହିଁ ଅନ୍ୟମାନଙ୍କ ଚେତନାରେ ଆଙ୍କି ଦିଆଯାଉଥିଲା । ଏ ଜାତିର ସମୃଦ୍ଧ ଜ୍ଞାନବିଜ୍ଞାନର ବ୍ୟବସ୍ଥାକୁ ସଂକୀର୍ଣ୍ଣ ବିଚାରଧାରାରେ ଆବିଳ କରି ଦିଆଯାଉଥିଲା । ଇଂରେଜମାନଙ୍କର ବୈଜ୍ଞାନିକ ଅଭିଦୃଷ୍ଟିହିଁ ଆଖି ଖୋଲି ଦେଇଥିଲା ଦେଶୀ-ପଣ୍ତିତମାନଙ୍କର । ନିଜର ସଂସ୍କୃତିକୁ ନୂଆ ଆଖିରେ ପରିଖିବାର ସେମାନେ ସୁଯୋଗ ପାଇଲେ ।

 

ଭାରତରେ ମିସନାରୀ ପାଦ୍ରୀମାନେ ହିଁ ପ୍ରଥମେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ । ଖ୍ରୀଷ୍ଟଧର୍ମ ପ୍ରଚାର ହିଁ ଥିଲା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ । ଏଥିପାଇଁ ସେମାନେ ସ୍କୁଲମାନ ପ୍ରତିଷ୍ଠା କଲେ; ଗଣିତ, ପଦାର୍ଥବିଦ୍ୟା ଆଦି ନୂଆ ନୂଆ ବିଷୟରେ ପାଠ୍ୟପୁସ୍ତକ ରଚନା କଲେ । ବାଇବେଲ, ଯୀଶୁଙ୍କ ବାଣୀ, ଦଶକୁମାର ଚରିତ, ପଞ୍ଚତନ୍ତ୍ର ପରି ସଂସ୍କୃତ ଗ୍ରନ୍ଥଗୁଡ଼ିକୁ ମଧ୍ୟ ଓଡ଼ିଆ ଭାଷାରେ ଅନୁବାଦ କଲେ । ଆପଣା ଦେଶର ପଦ୍ଧତି ଅନୁସାରେ ବ୍ୟାକରଣ, ଅଭିଧାନ ସଂକଳନ କଲେ । କମ୍ପାନୀ ସରକାର ଅବଶ୍ୟ ପ୍ରଥମେ ପାଦ୍ରୀମାନଙ୍କର କାର୍ଯ୍ୟକଳାପର ବିରୋଧ କରିଥିଲେ । ଏପରିକି ସେମାନଙ୍କ ଭାରତ ଆଗମନକୁ ମଧ୍ୟ ସୁନଜରରେ ଦେଖିପରୁ ନଥିଲା । ୧୯୭୯ ମସିହାରେ କେରୀ ଓ ଟମ୍‌ସାହେବଙ୍କୁ କଲିକତାର ସୁନ୍ଦରବନର ଅସ୍ୱାସ୍ଥାକର ପରିବେଶକୁ ପଠେଇଦେଇଥିଲେ ଧର୍ମ ପ୍ରଚାର ପାଇଁ । କାରଣ କୁସଂସ୍କାରାଚ୍ଛନ୍ନ ଭାରତୀୟମାନଙ୍କୁ ଅନ୍ୟ ଏକ ଧର୍ମର ଧକ୍‌କା ଦେଇ ରଗେଇବା ପାଇଁ ସେମାନେ ଚାହୁଁ ନ ଥିଲେ । ସାଧାରଣ ଲୋକ ଫିଡ଼ିକିଗଲେ ବ୍ୟବସାୟ ଯେ ମାନ୍ଦା ପଡ଼ିଯାଏ, ଏ କଥା ସେମାନଙ୍କୁ ଜଣାଥିଲା । ସେମାନେ ଜାଣିଥିଲେ ଶିକ୍ଷା ହିଁ ଲୋକମାନଙ୍କ ଆଖି ଖୋଲିଦିଏ, ଆଲୁଅ ଦେଖିବାପାଇଁ ସେମାନଙ୍କୁ ବ୍ୟାକୁଳ କରେ । ସେମାନେ ସିଆଣିଆ ହୋଇଯା’ନ୍ତି । ଅନ୍ୟମାନଙ୍କ ସିଆଣିଆମିକୁ ଜାଣିପକାନ୍ତି । ଚତୁରମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼େ । ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ସୁଖଭୋଗରେ ବାଧା ଆସେ । ସେଥିପାଇଁ ସଂଗ୍ରାମ କରିବାକୁ ପଡ଼େ । ପୃଥିବୀରେ ସବୁ ଶାସକ ସବୁକାଳରେ ଯାହା କରିଥାନ୍ତି, ଇଂରେଜମାନେ ସେଇ ଧାରାକୁ ସ୍ୱୀକାର କରି ନେବାପାଇଁ ଚେଷ୍ଟା କରିଥିଲେ । ମାତ୍ର ଅନ୍ୟ ଏକ ଭାଷା ଓ ଜାତିର ଲୋକଙ୍କୁ ଶାସନ କରିବାକୁ ହେଲେ ସାଧାରଣ ଜନତାର ଭାଷା ଜାଣିବାର ଯେ ଗୁରୁ ଆବଶ୍ୟକତା ରହିଛି, ଏ ସତ୍ୟକୁ ସେମାନେ ଫାଙ୍କିଦେବା ପାଇଁ ସାହସ କରୁ ନ ଥିଲେ । ଶିକ୍ଷାମାଧ୍ୟମରେ ହିଁ ସେମାନେ ଜନତାର ଭାଷା ଶିଖିବା ଏବଂ ନିଜ ଭାଷା ସେମାନଙ୍କୁ ଶିକ୍ଷାଦେବାକୁ ଆଦର୍ଶ ଭାବରେ ଗ୍ରହଣ କଲେ । ଶାସନକ୍ଷେତ୍ରରେ କିଛି ଦେଶୀ ଅଧସ୍ତନ କର୍ମଚାରୀ ତିଆରି କରିବାର ଆଦର୍ଶକୁ ମଧ୍ୟ ସେମାନେ ଅଗ୍ରାଧିକାର ଦେଲେ । ନାନା ପରୀକ୍ଷା ନିରୀକ୍ଷା ଓ ପରିବର୍ତ୍ତନର ଧାରା ଦେଇ ଇଂରେଜମାନଙ୍କର ଶିକ୍ଷାପ୍ରଣାଳୀ ଏ ମାଟିରେ ଜାଲ ବିଛେଇବାରେ ଲାଗିଲା । ଇଂରେଜମାନେ ଏ ଦେଶରୁ ଚାଲିଗଲାପରେ ମଧ୍ୟ ଭାରତୀୟମାନେ ଚିନ୍ତା ଓ ବିଚାରବୁଦ୍ଧିରେ ଯେ ସେମାନଙ୍କର ପ୍ରଭୁତ୍ୱକୁ ସ୍ୱୀକୃତି ଦେବେ, ମେକେଲଙ୍କ ପରି କେତେକ ଦୂରଦୃଷ୍ଟିସଂପନ୍ନ ଇଂରେଜ ମଧ୍ୟ ତାର ସୁଚିନ୍ତିତ ବୀଜବପନ କରିଥିଲେ ଭାରତ ମାଟିରେ । * ଓଡ଼ିଆମାନେ ଇଂରେଜୀ ତ ପଢ଼ିବେ ମାତ୍ର ଆପଣା ମାତୃଭାଷା ଭାବରେ ବଙ୍ଗଳା କି ଓଡ଼ିଆ ପଢ଼ିବେ, ତାକୁ କେନ୍ଦ୍ର କରି ମଧ୍ୟ ଯାବତୀୟ ପାଲା ଲାଗିଥିଲା ଏବଂ ପାଲାର ଗାଆଣ ଥିଲେ କେତେକ ଅସହିଷ୍ଣୁ, ସଂକୀର୍ଣ୍ଣ ବିଚାରଧାରାସର୍ବସ୍ୱ ବଙ୍ଗୀୟ । ପାଦ୍ରୀମାନଙ୍କର ତ୍ୟାଗ ଓ ବିଚାରଧାରା ଶାସକ ଓ ଜନତାର ସ୍ୱୀକୃତି ଲାଭ କଲା । ମାତ୍ର ଇଂରେଜ ଶିକ୍ଷାପ୍ରାପ୍ତ ନବଶିକ୍ଷିତ ଗୋଷ୍ଠୀର ଦଲାଲମାନେ, ଆପଣା ଆପଣାକୁ ଅମିତପରାକ୍ରମଶାଳୀ ବୋଲି ଘୋଷଣା କଲେ । ବିଦେଶୀ ଖୋଳ ପିନ୍ଧି, ତାମସା କରିବାକୁ ସଜ ହୋଇ ଆସିଲେ ସମାଜ ଭୂମିକୁ । ସ୍କୁଲ, କଲେଜ ତିଆରି ହେଲା । ନୂଆ ଭାବ ଓ ରୂପରେ ବିଦେଶୀ ଚଷମାରେ ଦେଶୀମାନେ ଅନ୍ୟମାନଙ୍କୁ ଭୁଆଁ ବୁଲେଇବାରେ ସୁଯୋଗ ପାଇଲେ । ଏଇ ସୁଯୋଗରେ ସିଆଣିଆମାନେ ସମ୍ରାଟ ହେବାପାଇଁ ଚକ୍ରାନ୍ତ ଆରମ୍ଭ କରିଦେଲେ । ଭୋଗଭୂମିକୁ ଡେଇଁପଡ଼ିଲେ । ଶିକ୍ଷାର ଆଦର୍ଶ ଚୁଲିକି ଗଲା । ସ୍ୱାର୍ଥର ଅନ୍ଧାରରେ ସେମାନେ ବୁଡ଼ି ରହିଲେ । ଇତିହାସ ନୂଆବେଶରେ ଆତ୍ମପ୍ରକାଶ କଲା । ମାତ୍ର ବିଦେଶୀ ଚଷମାଧାରୀ ତଥାପୀ କେତେକ ଦେଶୀ ଥିଲେ, ଯେଉଁମାନେ ଅସଲ ବିଦ୍ୟା ଓ ବୁଦ୍ଧିର ଥିଲେ ଅଧିକାରୀ । ଏ ଦୁଇଧାରାକୁ ମିଶେଇ ଦେଇ, ଭଲତକକୁ ଗ୍ରହଣ କରିବା ପାଇଁ ସିଦ୍ଧାନ୍ତ ନେଲେ । ସେମାନେ ହେଲେ ଆପଣା ଭାଷା, ସାହିତ୍ୟ, ସଂସ୍କୃତି ଓ ଜାତୀୟତାର ନୂତନ ବ୍ୟାଖ୍ୟାକାର । କ୍ରମଅନ୍ଧାରିତ ଓ ବିଷମିଶ୍ରିତ ବ୍ୟବସ୍ଥା ଭିତରୁ ଆଲୋକ ଓ ସତ୍ୟର ରୂପ ଉଦ୍‌ଘାଟନ ପାଇଁ ଯୁକ୍ତି, ବୁଦ୍ଧି ଓ ବିବେକର ଆଶ୍ରୟ ନେଲେ ଏବଂ ପ୍ରହରାଜଙ୍କ ପରି ସୂକ୍ଷ୍ମ ଅବବୋଧର ମଣିଷମାନେ ଏ ନୂତନ ଧାରା ଭିତରେ ଭଙ୍ଗୀ ଦେଖୋଉଥିବା ଭୂତାଣୁମାନଙ୍କୁ ଆବିଷ୍କାର କରିବା ପାଇଁ ସଚେତନ ପ୍ରୟାସ କରୁଥିଲେ ।

 

*

ଡଃ ନଟବର ସାମନ୍ତରାୟ- ଓଡ଼ିଆ ସାହିତ୍ୟର ଇତିହାସ- ପୃଷ୍ଠା- ୫୦।୫୧

 

ପୁରୁଣା ଖୋଳପା ଭାଙ୍ଗି, କେତେ ନୂଆ ନୂଆ ସ୍କୁଲ ତିଆରି ହେଲା । ଇଂରେଜୀ ପାଠ ପଢ଼ିଲେ ଖିରସ୍ତାନ ହୋଇଯିବାର ଭୟରେ ପ୍ରଥମେ ପ୍ରଥମେ ଲୋକେ ପିଲାମାନଙ୍କୁ ସ୍କୁଲକୁ ପଠୋଉ ନ ଥିଲେ । ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଛାତ୍ରବୃତ୍ତି ଖଞ୍ଜିଲେ, ଘର ତିଆରି କରିଦେଲେ, ସେମାନଙ୍କୁ ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କଲେ । ଶିକ୍ଷକମାନଙ୍କ ପାରିଶ୍ରମିକ ମଧ୍ୟ ନିର୍ଦ୍ଧାରଣ କଲେ । ପରୀକ୍ଷା ଫଳ ଉପରେ ସେମାନଙ୍କ ପଦୋନ୍ନତି ଓ ବେତନର ହାରକୁ ମଧ୍ୟ ଯୋଡ଼ିଦିଆଗଲା । * ଶିକ୍ଷାପ୍ରାପ୍ତ ଯୁବକମାନଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଗଲା । ଛାତ୍ର, ଶିକ୍ଷକ, ସାଧାରଣ ଜନତା ସମସ୍ତଙ୍କୁ ସରକାରଙ୍କ ପ୍ରତି ଆକୃଷ୍ଟ କରିବା ଥିଲା ଇଂରେଜମାନଙ୍କର ଲକ୍ଷ୍ୟ । କେବଳ ସେତିକି ନୁହେଁ, ସୁଦକ୍ଷ କର୍ମଚାରୀମାନଙ୍କୁ ଆକର୍ଷଣୀୟ ବେତନ, ଉପାଧି ଓ ଉପାୟନ ଦେବାପାଇଁ ନିୟମମାନ ପ୍ରଣୟନ କରାଗଲା । ସଚ୍ଚା ଅନୁଗତ ସୃଷ୍ଟି କରିବା ଥିଲା ଶାସକର ଲକ୍ଷ୍ୟ ଏବଂ ସମସ୍ତଙ୍କ କାର୍ଯ୍ୟଦକ୍ଷତାକୁ ପରିମାପନ ପାଇଁ ଥାକଥାକ କରି ବହୁଥାକବିଶିଷ୍ଟ କର୍ମଚାରୀ ମଧ୍ୟ ନିଯୁକ୍ତ କରାଗଲା । ମାତ୍ର ଥାକ ବଢ଼ିବା ସଙ୍ଗେ ସଙ୍ଗେ ଜାଲିଆତି ମଧ୍ୟ ବଢ଼ି ବଢ଼ି ଚାଲୁଥିଲା ।

 

*

ଚିନ୍ତାମଣି ମହାନ୍ତି – ଜୀବନ ପଞ୍ଜିକା – ପୃ ୯, ୧୧, ୧୩, ୨୯

*

ଫକୀର ମୋହନ ସେନାପତି – ଫକୀର ମୋହନ ଗ୍ରନ୍ଥାବଳୀ – ପୃ ୧୮-୩୨

 

ପ୍ରହରାଜଙ୍କ ବାପା ଗାଁରେ ସ୍କୁଲ ବସେଇଥିଲେ । ପ୍ରଥମେ ନିଜେ ଚଳୋଉଥିଲେ । ସଂପାଦକ ବି ଥିଲେ । ପରେ ସ୍କୁଲ ସରକାରୀ ଅନୁଦାନ ପାଇଲା । ପିଲାଏ ବୃତ୍ତି ବି ପାଇଲେ । ଗୋପାଳଚନ୍ଦ୍ର ସେଇଠି ପଢ଼ୁଥିଲେ ଏବଂ ପରେ ସ୍କୁଲର ଦାୟିତ୍ୱ ନେଲେ । କେତେ ମାନ୍ୟଗଣ୍ୟ ଦେଶୀ ସାହେବଙ୍କୁ ନେଇ ସ୍କୁଲ ଦେଖେଇଲେ । ମାତ୍ର ସମଗ୍ର ବ୍ୟବସ୍ଥା ଖଜୁରୀ ଗଛରେ ରୂପାନ୍ତରିତ ହୋଇଯାଇଥିଲା । ପରିଦର୍ଶକମାନଙ୍କ ସେବାକରି ବିଚରା ଶିକ୍ଷକମାନେ ଦରିଦ୍ର ହୋଇଯାଇଥିଲେ । ଋଣ କରି ଉପରିସ୍ଥ ହାକିମଙ୍କୁ ସନ୍ତୁଷ୍ଟ କରୁଥିଲେ । ଏଥିପାଇଁ ପରୋକ୍ଷ ଭାବରେ ସାଧାରଣ ଜନତାଙ୍କୁ ମଧ୍ୟ ପାରିତୋଷିକ ଦେବାକୁ ପଡ଼ୁଥିଲା (ଭା. ଟୁ. ସଂଧ୍ୟା) । ସ୍କୁଲ ଘର ନ ଥାଇ ବି ସ୍କୁଲ ଚାଲୁଥିଲା । ଦୁର୍ନୀତିଗ୍ରସ୍ତ ପ୍ରାଥମିକ ଶିକ୍ଷା ବିଭାଗ ଅସୁରୀମାୟା ଓ ପୈଶାଚିକ ନରକଙ୍କାଳରେ ପରିପୂର୍ଣ୍ଣ ହୋଇଯାଇଥିଲା । ‘‘ଶିକ୍ଷା ବିଭାଗର ପୀଠ ଦେବତା, କାଳ ଦେବତା, ପାର୍ଶ୍ୱଦେବତା, ଦିଗପାଳ ଓ ପାର୍ଶ୍ୱଦେବତାଙ୍କ ବାହନ, ପୀଠଦେବତାଙ୍କ ବାହନ ଏ ସମସ୍ତଙ୍କୁ ଷୋଡ଼ଶୋପଚାରେ ନିରାଜନା ନ କଲେ ଛାତ୍ର କି ଶିକ୍ଷକ କାହାରି ଅଭୀଷ୍ଟ ପୂର୍ଣ୍ଣ ହେଉ ନ ଥିଲା ।’’ ତଥାକଥିତ ସଭ୍ୟ, ଜମିଦାର, ସାମନ୍ତ ଶ୍ରେଣୀ ଲୋକ ଆନ୍ତରିକଭାବେ ଶିକ୍ଷାବିସ୍ତାର ଚାହୁଁ ନ ଥିଲେ । କାରଣ, ‘‘ନ ଥିଲା ଘରର ପିଲାମାନେ ପାଠପଢ଼ିଲେ ଚାକିରି କରିବେ । ସେମାନଙ୍କ ମୁହଁ ଉପରକୁ ହୋଇଯିବ । ଛୋଟଲୋକଗୁଡ଼ାଙ୍କର ଗଉଁ ବଢ଼ିଯିବ । କେହି କାହାରିକି ମାନିବେନି, ଖାତିର କରିବେନି । ଚାଷବାଷ, ଅନ୍ୟକାମ କରିବାକୁ ମଳୁରିଆ ମଧ୍ୟ ମିଳିବେନି ।’’ (ଦୁ. ହା- ପୃ ୫୮) ବୋଲି ସେମାନେ ଆତଙ୍କିତ ହୋଇପଡ଼ୁଥିଲେ । କିପରି ଉପାୟରେ ଶିକ୍ଷାର ପ୍ରସାର ରୋକାଯାଇପାରିବ– ସେଥିପାଇଁ ସେମାନେ ଅଧିକ ନିଘା ଦେଉଥିଲେ । ଶିକ୍ଷାପ୍ରସାର ନାଁରେ ଦେଶରେ ରୀତିମତ ପ୍ରହସନ ଚାଲିଥିଲା ।

 

ତଥାକଥିତ ଶିକ୍ଷିତମାନେ ଦି’ ଅକ୍ଷର ଇଂରାଜୀ ପାଠ ପଢ଼ିଦେଲେ ସେମାନେ ନିକକୁ କ’ଣ ନାଇଁ କ’ଣ ଭାବୁଥିଲେ । ଦେଶୀ ପାଠ, ଦେଶୀ ଭାଷା, ସାହିତ୍ୟ ଓ ଦେଶୀ ଲୋକଙ୍କ ରୀତିନୀତି ସବୁକିଛି ସେମାନଙ୍କୁ ଗନ୍ଧଉଥିଲା । ଏଗୁଡ଼ାକର ନାଁ ଶୁଣିଲେ ସେମାନଙ୍କ ପେଟ ଭିତରଟା ମନ୍ଥି ହୋଇଯାଉଥିଲା । ଅଇ ଉଠୋଉଥିଲା । ସବୁଠାରୁ ସେମାନଙ୍କୁ ବେଶି ନାସନା ଲାଗୁଥିଲା ସେମାନଙ୍କର ସଂସ୍କୃତି । ଆପଣାର ଲୋକେ ସେମାନଙ୍କ ଦୃଷ୍ଟିରେ ଥିଲେ ‘ରଷ୍ଟିକ୍‌’ । ଏପରିକି ନିଜ ବାପାମାଙ୍କୁ ସମ୍ମାନ ଦେବାପାଇଁ ସୁଦ୍ଧା ସେମାନେ ନାକ ଟେକୁଥିଲେ । ଦେଶୀ ସାହେବମାନଙ୍କ ତୁଣ୍ତରେ ଓଡ଼ିଆ ଭାଷା ପଶୁ ନ ଥିଲା । ପଦପଦକେ ଇଂରେଜୀ ପାକୁଳି କରୁଥିଲେ-। ସେ ଦେଶର ଭାଷା ସାହିତ୍ୟରୁ ଉଦାହରଣମାନ ଥୋଉଥିଲେ । ଉଭୟ ଛାତ୍ର, ଶିକ୍ଷକ ଏବଂ ଶିକ୍ଷିତଗୋଷ୍ଠୀ ଇଂରେଜୀ ଭାଷା ଓ ଚାଲିଚଳନରେ ହନୁକରଣପ୍ରିୟ ହୋଇପଡ଼ୁଥିଲେ । କୌଣସି କୂଳର ହେବାର ଯୋଗ୍ୟତା ସେମାନଙ୍କର ନ ଥିଲା । ଚେତନାରେ ବର୍ଣ୍ଣସଙ୍କର ହୋଇପଡ଼ୁଥିଲେ ଏବଂ ବଡ଼ ଅଲାଜୁକ ଭାବରେ ଆପଣା ଆପଣାର ସଙ୍କରତ୍ୱ ଘୋଷଣା କରୁଥିଲେ-। ପ୍ରହରାଜଙ୍କ ଭାଗବତ ଟୁଙ୍ଗୀର ମାଷ୍ଟର ମହାଶୟ ଓ ଦେଶୀ ହାକିମମାନେ ସଙ୍କରମାନଙ୍କର ଜଣେ ଜଣେ ସଫଳ ପ୍ରତିନିଧି ।

 

ପାଠ ପଢ଼ିବା ପାଇଁ ସହରକୁ ଗଲା ପରେ, ପାଠୁଆ ପିଲାମାନେ ନିଜ ନିଜକୁ ସାହେବ ଭାବରେ ଜ୍ଞାନ କରୁଥିଲେ । ସେମାନଙ୍କ ଭିତରେ କେତେକ ବୃତ୍ତିଧାରୀ ଓ ଅନ୍ୟମାନେ ଧନୀ, ସାମନ୍ତ, ଜମିଦାର ଓ ରାଜବଂଶୀୟ ଥିଲେ । ମାଦକଦ୍ରବ୍ୟ ସେବନ ଓ ଦାରୀଗୃହଯାତ୍ରା ସେମାନଙ୍କର ଫେସନରେ ପରିଣତ ହୋଇଯାଇଥିଲା । ଅର୍ଥର ଅଭାବ ନ ଥିଲା । ଏବଂ ଜୀବନକୁ ଉପଭୋଗ କରିବାର ଲଗାମହୀନ କ୍ଷେତ୍ର ଥିଲା ସହର । ପ୍ରହରାଜେ ବି ଏଇ ଫେସନର ଭକ୍ତ ଥିଲେ । ଥରେ ଫେସନର ସୁବେଶିତ ଘେର ଭିତରେ ପଶିଗଲା ପରେ, ମଣିଷ ସହଜରେ ସେଠୁ ମୁକୁଳି ଆସିପାରେନା । ତାକୁ ଝୁରିହୁଏ । ତାର ସେବା କରିବାକୁ ବ୍ୟାକୁଳ ହୁଏ । ଅବାଟକୁ ପ୍ରକୃତ ବାଟ ଭାବରେ ଗ୍ରହଣ କରିନିଏ । ନିଜର ସମୟ, ବୁଦ୍ଧି, ବିବେକ ସବୁ କିଛିକୁ ତାରି ଭିତରେ ସମର୍ପି ଦିଏ । ନିଶାଖୋର ଭକୁଆଙ୍କ ପରି ଅନିସା କରି ରହିଥାଏ । ଜୀବନଟା ଟେରିସର୍ବସ୍ୱ ହୋଇପଡ଼େ । ‘‘କିଏ ଆଲବର୍ଟ, ମେଣ୍ଢାମୁଣ୍ତିଆ, ଭାଲୁପିଠିଆ, ବାଘପେଟିଆ, ଘୁଷୁରିଲାଙ୍ଗୁଡ଼ିଆ, ଗଧପଛୁଆ ଭଙ୍ଗୀରେ ଟେରି ସଜାଡ଼ିବାରେ ବ୍ୟସ୍ତ ରୁହନ୍ତି ।’’ ବେଶ ପୋଷକର ପରିଚର୍ଯ୍ୟା କରୁ କରୁ ଜୀବନର ଅସଲ ଚର୍ଯା ଆଉ କୁଆଡ଼େ ଗାଧୋଇଯାଏ । (ନ. ବ. ଉ. ସା. ୧୯ଶ ଭାଗ ୬ଷ୍ଠ ୧୩୨୩ ପୃ ୨୩) ନିଜକୁ ବିଦେଶୀ କରିବାର ହାଉଆରେ ସେମାନେ ମାଟି ଛାଡ଼ି ଉପରେ ଉଡ଼ି ବୁଲୁଥାନ୍ତି । ସ୍କୁଲ କଲେଜ ମାଟି ମାଡ଼ିବା ପରେ ପ୍ରହରାଜେ ମଧ୍ୟ ସେମିତି ଉଡ଼ି ବୁଲୁଥିଲେ । ମାତ୍ର ଏଗାର ବର୍ଷ ବୟସରେ କଟକରେ ପଢ଼ିବାର ସେ ସୁଯୋଗ ପାଇଥିଲେ । ପିଲାଦିନର ଚୁଟି, ପେଣ୍ତିବାଳ କେତେବେଳେ କୋଉ ବେଶ ଧରୁଥିଲେ, ତାର କିଛି ଠିକଣା ନ ଥିଲା । କୋଟ୍‌, ପେଣ୍ଟ୍‌ ପିନ୍ଧ ସ୍କୁଲକୁ ଗଲାବେଳେ ଚଇତନ ଚୁଟିକୁ ଟୋପି ଭିତରେ ନୁଚେଇ ପକୋଉଥିଲେ । ବି. ଏ. ପାସ କଲାବେଳକୁ ପେଣ୍ତାବାଳ ଚୈତନ୍ୟ ଚୁରୁକିରେ ରୁପାନ୍ତରିତ ହୋଇଯାଇଥିଲା । (ପ୍ର. ପ. ପୃ. ୯୩) ମାତ୍ର ସେଦିନ ସେଇ ଫେସନବ୍ୟାଧୀରେ ସେ ମୃତ୍ୟୁପର୍ଯ୍ୟନ୍ତ ଘାରି ହେଉଥିଲେ । ସୁବେଶିତ, ସୁବାସିତ ରସିକ ବେଶରେ ସେ ବିହାର କରୁଥିଲେ ଏବଂ ଏ ବେଶଧାରଣ କରିବାର ସକଳ ଯୋଗ୍ୟତା ତାଙ୍କର ଥିଲା । ବଂଶର ଆଭିଜାତ୍ୟ, ପାଶ୍ଚାତ୍ୟ ଶିକ୍ଷା, ଦୀକ୍ଷା ଓ ଇଂରେଜମାନଙ୍କ ସୁନେତ୍ର ତୀର୍ଥରେ ଅବଗାହନ କରୁଥିବା ମଣିଷଟି ଭେକକୁ ବିସର୍ଜନ କରିଦେବାର ମାନସିକତାରେ ହିଁ ନ ଥିଲେ । ସାହେବୀ-ଫେସନର ସ୍ୱତନ୍ତ୍ର ବ୍ୟାଧିରେ ବୁଡ଼ି ରହିବା ଥିଲା ଶିକ୍ଷିତ ଗୋଷ୍ଠୀର ପରମ ଆଦର୍ଶ ।

 

ଆବରଣ ମଣିଷର ବ୍ୟକ୍ତିତ୍ୱ ଓ ପରିଚୟ ପ୍ରଚାରର ଗୋଟିଏ ମାଧ୍ୟମ । ବିଶିଷ୍ଟ ବୋଲାଉଥିବା ସାମାଜିକ ମଣିଷଟିଏ ନିଜର ଉଲଗ୍ନ ଦେହକୁ ନୁଚେଇବା ପାଇଁ, ସୁଦୃଶ୍ୟ ଆବରଣଟିର ଦେହ ଉପରେ ଢାଙ୍କି ଦେବାକୁ ବାଧ୍ୟ । ମାତ୍ର ଆବରଣ ଯେତେବେଳେ ମଣିଷକୁ ଗଳିପକାଏ, ସେ ମରିଯାଏ । ଆଧୁନିକ ଶିକ୍ଷା ମଣିଷକୁ ଆବରଣସର୍ବସ୍ୱ କରିଦେଲା । ତାରି ଭିତରେ ବୁଡ଼ିରହି ମଣିଷ ଜୀବନକୁ ପରିପୂର୍ଣ୍ଣ ଭାବରେ ଉପଭୋଗ କରିବାର ସୁଯୋଗ ପାଇଲା । ତାରି ମାଧ୍ୟମରେ ସେ ନିଜର ବଡ଼ତି ଘୋଷଣା କଲା । ଉଞ୍ଚା ପରିଚୟକୁ ସାବ୍ୟସ୍ତକଲା । ଶୃଙ୍ଖଳାର ସୀମା ଟପିଗଲା । ଯୋଉ ଲଙ୍ଗଳାକୁ ସେଇ ଲଙ୍ଗଳା ମଣିଷ ଭାବରେ ସେ ଠିଆହେଲା । ଆବରଣର ଖୋଳ ଭିତରେ ମଣିଷର ଅସଲ ରୂପକୁ ବାରିବା ଆଉ ସମ୍ଭବ ହୋଇପାରିଲା ନାହିଁ । ହାଟ ଗହଳି ଭିତରେ ଲୋକଙ୍କ ଭଲମନ୍ଦପଣିଆ ନିଖୋଜ ହୋଇଗଲା । ‘‘ସଭ୍ୟ ସମାଜରେ ଛାପ ଚିକ୍‌କଣ ହରିମନ୍ଦିର ଚିତାର କରାମତି ବେଶି, ପୋଷାକର ପରାକ୍ରମ ବେଶି-।’’ (ନ. ବ. ଉ. ସା. ୧୯ଶ, ୧୦ମ, ୧୩୨୩ ପୃ ୫୧୧) ‘‘ସଭ୍ୟମଣିଷମାନେ ଦେଶସେବା, ଜାତିର ଉନ୍ନତି, ସ୍ୱାର୍ଥତ୍ୟାଗ, ପ୍ରିନ୍‌ସ୍‍ପଲର ମର୍ଯ୍ୟାଦା ରକ୍ଷା, ବ୍ରହ୍ମଚର୍ଯ୍ୟ, ବୈରାଗ୍ୟ ଆଦି ନିମନ୍ତେ ଦାଣ୍ତରେ ହାଟରେ କିଳିକିଳା ରଡ଼ି ମାରିବାର ସୁଯୋଗ ପାଇଲେ । ଘର ଭିତରେ, ଅନ୍ଦର ମହଲରେ ଓ ଘରଆଡ଼େ ପହଞ୍ଚିଲାବେଳକୁ ସେଥିରୁ ପନ୍ଦରପଣ ଊଣେଇଶ ଗଣ୍ତା ତିନି ଅଣାର ଅସ୍ତିତ୍ୱ ହରେଇ ପକେଇଲେ-।’’ (ନ. ବ. ୧୯ଶ ଭାଗ ୬ଷ୍ଠ ୧୩୨୩, ପୃ ୨୩୨) ଶିକ୍ଷା ମଣିଷ ଭିତରର ଅଜ୍ଞାନ, ଅହଂକାର ଦୂର କରିବାର ମହୌଷଧି ପରିବର୍ତ୍ତେ, ତାର ପରିବର୍ତ୍ତନର ହେତୁ ହେଲା । ମଣିଷ ଦୁନିଆକୁ ଯେତିକି ଅଧିକ ଭାବରେ ଦେଖିବାର ସୁଯୋଗ ପାଇଲା, ତାର ଆକ୍ଷି ସେତିକି ବେଶି ଆତ୍ମ-କୈନ୍ଦ୍ରିକ ହୋଇଗଲା । ଶିକ୍ଷା ମନ୍ଦିର ବେଢ଼ାରୁ ମୁଲ୍ୟବୋଧର ମହାମନ୍ତ୍ରକୁ ବାସନ୍ଦ କରିଦିଆଗଲା । ବ୍ୟାବହାରିକୁ ଜୀବନରେ ସୁଖର ସୁନାମୁକୁଟ ପିନ୍ଧିବା ପାଇଁ ମଣିଷ କେଡ଼େ ବେଗରେ ପାହାଚଗୁଡ଼ାକୁ ଡେଇଁ ଡେଇଁ ଚାଲିଲା । ଆଉ ପଛକୁ ଫେରି ଚାହିଁଲା ନାହିଁ । ମାତ୍ର ତାର ଆତ୍ମା ସ୍ୱାର୍ଥ ଭୂତର କବରଖାନାରେ ବିଳାପ କରିବାରେ ଲାଗିଲା । ଐଶ୍ୱର୍ଯ୍ୟର ଭେଳିକି ଦେଖେଇ ଆଧୁନିକ ଶିକ୍ଷା ମଣିଷର ସ୍ୱାଧୀନତାକୁ ଅପହରଣ କରିନେଲା ।

 

ଚାଟଶାଳିର ଅବଧାନଙ୍କଠାରୁ ସମାଜ ଓ ପରିବାରରୁ ଆହରଣ କରୁଥିବା ନୈତିକ ଶିକ୍ଷା, ନୈତିକ ସାହସ, ଆତ୍ମସମ୍ମାନ, ନୈତିକ ବଳ, ସ୍ୱାର୍ଥତ୍ୟାଗ, ଜାତୀୟ ଉନ୍ନତି, ସ୍ୱଦେଶପ୍ରେମ ଲବଜଗୁଡ଼ାକ କେବଳ ପୋଷାକରେ ଶୋଭା ପାଇଲା । ହାଟ ବଜାର, ରାସ୍ତାଘାଟରେ ଶବ୍ଦଗୁଡ଼ାକୁ ଗାଇ ବଜେଇ ସେମାନେ ଛେଚଡ଼ା କରି ପକେଇଲେ । ସେମାନଙ୍କ ବୋଲିଗୁଡ଼ାକ ପୂରାପୂରି ଓକିଲିଆ ପାଲଟିଗଲା । ସାର୍ଟିଫିକେଟ୍‌, ବକ୍ତୃତା ଓ ସ୍ୱାର୍ଥସର୍ବସ୍ୱ ହୋଇପଡ଼ିଲା । ତା ସରହଦରୁ ଜୀବନକୁ ବାସନ୍ଦ କରିଦିଆଗଲା । ଜୀବନ ଓ ଜୀବିକା ନାଁରେ ଗୋଟାଏ ମଲା ବ୍ୟବସ୍ଥାକୁ ଏ ଜାତି ଗ୍ରହଣର କରିନେଲା । ଶିକ୍ଷା-ଆୟତନଗୁଡ଼ାକ ଗୋଲାମ ତିଆରି, କପଟାଚାରର କାରଖାନା ଓ ସିଆଣିଆମାନଙ୍କ ଆଖଡ଼ା ଘରରେ ରୂପାନ୍ତରିତ ହୋଇଗଲା । (ନ. ବ. ଉ, ସା. ୧୯ଶ ଭାଗ ୨ୟ ସଂ ୧୩୨୨ ପୃ ୯୨) ବିଦେଶୀ-ବେଶ-ବେଶିତ ଭଣ୍ତମାନେ ଖଟୁଲି ଉପରେ ବିଜେକରି ବାର ଜାତିର ବଳଦ ତିଆରି କରିବାରେ ଲାଗିଲେ ।

 

ଇଂରେଜମାନେ ଏ ଦେଶରେ ଯେଉଁ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଥିଲେ, ତାହା ସେମାନଙ୍କ ଉଦ୍ଦେଶ୍ୟ ଓ ଆବଶ୍ୟକତା ଅନୁକୂଳ ଥିଲା । ଗୁଡ଼ାଏ ନକଲି, ଛୋପରା ଦେଶୀ ସାହେବ ତିଆରି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସାହେବମାନଙ୍କ ନାଁ ପଛରେ ଦୀର୍ଘ, ଅତି ଦୀର୍ଘ ଉପାଧିର ଲାଙ୍ଗୁଡ଼ମାନ ଯୋଡ଼ି ଦେବାପାଇଁ ମଧ୍ୟ ସେମାନେ ଲୋଭ ଦେଖୋଉଥିଲେ । ଦେଶୀୟମାନଙ୍କୁ ଘାଏଲା କରିବା ପାଇଁ ସେମାନଙ୍କ ମଗଜକୁ ତେଜି ଦଉଥିଲେ । ଘାଏଲାମାନଙ୍କର ରକତ ମାଉଁସରେ ନିଜ ନିଜର ପେଟ ପୂରୋଉଥିଲେ । ସେମାନଙ୍କ କୂଟବୁଦ୍ଧିରେ ଦେଶୀ, ବଦମାସିଆଗୁଡ଼ାକ ଆପଣାଲୋକଙ୍କ ବାସିମଡ଼ା ଖାଇବାପାଇଁ ହମ ହମ ହେଉଥିଲେ । ଦେଶୀ, ସିଆଣିଆ, ଭେକ ଓ ପଦଲୋଭୀ କଳାସାହେବମାନେ ଥିଲେ ଗୋରା ସାହେବମାନଙ୍କଠାରୁ ଅଧିକ ପ୍ରତିପତ୍ତିଶାଳୀ ଓ ଭୟଙ୍କର । ଦେଶୀମାନଙ୍କର ଭିତରର କଥା ସେମାନଙ୍କୁ ହିଁ ଜଣାଥିଲା । ତେଣୁ ସେମାନେ ଶୋଷଣ ଅନୁକୁଳ ଅବସ୍ଥା ପ୍ରଣୟନ କଲେ । ତାର ରୂପାୟନ ପାଇଁ ଦୁନିଆଯାକର ଫନ୍ଦିଫିକର କଲେ । ଏମାନଙ୍କୁ ଥେଇ ଥେଇ କରି ନଚେଇଲେ । ଏ ନୂଆ ବେଶ ମଧ୍ୟ ସେମାନଙ୍କୁ ସୁହାଇଗଲା ।

 

ସାହେବୀ ବ୍ୟବସ୍ଥାର ସୁଅଭିତରେ ବଢ଼ୁଥିବା ତଥାପି କେତେକ ଚିନ୍ତାଶୀଳ ମଣିଷ ସକାଳରେ ବି ନିଜକୁ ଖୋଜିବା ଆରମ୍ଭ କରି ଦେଇଥିଲେ । ଇଂରେଜମାନଙ୍କର ଚତୁରତାକୁ ସେମାନେ ସମଝି ନେଇଥିଲେ । ଏ ଭୂଖଣ୍ଡର ଭବିଷ୍ୟତ ବଂଶଧରମାନଙ୍କୁ ଆପଣା ଭୂମିର ଆବଶ୍ୟକତା ଅନୁରୂପ ତିଆରି କରିବା ଏବଂ ସେମାନଙ୍କ ଚେତନାରେ ଏ ମାଟିର ମନ୍ତ୍ର ସଚ୍ଚାରଣ ପାଇଁ ଯୋଜନା ତିଆରି କଲେ । ମହାତ୍ମା ଗାନ୍ଧୀଙ୍କର ନୃତନ ଶିକ୍ଷାନୀତିର ଖସଡ଼ା ପ୍ରସ୍ତୁତି ପୂର୍ବରୁ ବାରିଷ୍ଟର ମଧୁସୂଦନ ଦାସ ଓଡ଼ିଶାରେ ତାର ପରୀକ୍ଷା ଆରମ୍ଭ କରି ଦେଇଥିଲେ । ଆମ ଦେଶରେ ପରିପୂର୍ଣ୍ଣ ଓ ସୁଲଭ କଞ୍ଚାମାଲର ମାଧ୍ୟମରେ ସାଧାରଣ ମଣିଷକୁ ସ୍ୱାବଲମ୍ବୀ କରିବା ପାଇଁ ୧୯୦୫ ମସିହାରେ କଟକରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ । ଶିଙ୍ଗ ଓ ରୁପାର ତାରକସୀ କାର୍ଯ୍ୟରେ ସୁଦକ୍ଷ କାରିଗରମାନଙ୍କୁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ, ସେମାନଙ୍କର ସକଳପ୍ରକାରର ଉନ୍ନତି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଓଡ଼ିଶାର ଶିଳ୍ପୀମାନଙ୍କର ନାଁ ବିଦେଶରେ ପ୍ରସାରିତ ହୋଇଥିଲା । କଳା ମାଧ୍ୟମରେ ବାହାରର ଲୋକେ ଓଡ଼ିଆମାନଙ୍କୁ ଜାଣିବାର ସୁଯୋଗ ପାଇଲେ । ବୈଷୟିକ ଶିକ୍ଷା ଉପରେ ସେ ଗୁରୁତ୍ୱ ଦେଲେ ଏବଂ ଯେ କୌଣସି ଶିକ୍ଷାର ମୂଳମନ୍ତ୍ର ଭାବରେ ‘ଜାତୀୟତାବୋଧ ଓ ନୀତିଶିକ୍ଷା’’କୁ ଆଦର୍ଶ ଭାବରେ ପରିଗ୍ରହଣ କଲେ । ଉତ୍କଳ ତାଙ୍କ ଚିନ୍ତା ଓ ଚେତନାର ହେଲା ପରୀକ୍ଷା ଭୂମି । * ବିଦେଶୀ ଶିକ୍ଷା ପ୍ରସାର ଏ ଜାତିର ଆବଶ୍ୟକତା ଅନୁକୂଳ ହେବା ଉପରେ ଗୁରୁତ୍ୱ ଦେଲେ । ଶିକ୍ଷା ସହିତ ଜୀବନ, ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ସମ୍ବନ୍ଧିତ କଲେ । ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟରେ ମଧ୍ୟ ତାର ପରୀକ୍ଷା ଚାଲିଲା । ମହାତ୍ମାଗାନ୍ଧୀଙ୍କ ମୌଳିକ ଶିକ୍ଷାନୀତି ଆଧାରରେ ପୂର୍ବର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଯୋଜନା କଲେ । ** ଶିକ୍ଷାନୁଷ୍ଠାନଗୁଡ଼ିକ ରାଷ୍ଟ୍ରୀୟ ନିୟନ୍ତ୍ରଣରେ ପରିଚାଳିତ ଶୃଙ୍ଖଳାବିହୀନ ବୈଦେଶିକ ଅନୁକରଣ ବୋଲି ଘୋଷଣା କଲେ । ଶିକ୍ଷାଦାନ ପାଇଁ ତାଲିମ କେନ୍ଦ୍ରର ରୂପାୟନ କଲେ । ତାଙ୍କର ଡାକରାରେ ଶହ ଶହ ଛାତ୍ର କଲେଜର ବାଡ଼ ଡେଇଁ ନୂତନ କେନ୍ଦ୍ରରେ ଆପଣା ଆପଣାକୁ ସାମିଲ କରିଦେଲେ । *** ଗୋପାଳ ପ୍ରହରାଜଙ୍କ ଶିକ୍ଷା ସଂକ୍ରାନ୍ତୀୟ ଅଭିଦୃଷ୍ଟି ଥିଲା ମଧୁବାବୁ, ମହାତ୍ମାଙ୍କ ଅନୁରୂପ । ‘‘ଏ ଦେଶର ଶିକ୍ଷିତ ଲୋକମାନେ ଉମେଦ୍ୱାରି ନ କରି ମହାଜନି ବ୍ୟବସାୟରେ ମନ ବଳେଇଲେ । ଦେଶର କେତେ ଉପକାର ହୁଅନ୍ତା x x x ଅଭିଭାବକମାନେ ନିଜ ବାଳକମାନଙ୍କର ଉଚ୍ଚ ଚାକିରିର ଆଦର୍ଶ ନ ରଖି ବାଣିଜ୍ୟ ଓ କୃଷି ଇତ୍ୟାଦିରେ ଆଦର୍ଶ ରଖୁଥିଲେ ଦେଶ ରତ୍ନପ୍ରସୁ ହୁଅନ୍ତା x x x କୃଷି ବ୍ୟବସାୟ, ବଣିଜରେ ମନୋନିବେଶ କଲେ ଦେଶ ସମୃଦ୍ଧ ହୁଅନ୍ତା’’ ବୋଲି ସେ ମନ୍ତବ୍ୟ ପ୍ରକାଶ କରିଥିଲେ । (ଭା. ଟୁ. ସଂ. -ପୃ ୨୮) ଚାକିରି ନ ପାଇଲେ ବିଳାପ କରୁଥିବା ବିଚରା ପିତାମାନଙ୍କୁ ସମାଲୋଚନା କରୁଥିଲେ । ଜାତି, ଧର୍ମ, ବର୍ଣ୍ଣ, ପାଟକ ନିର୍ବିଶେଷରେ ଯାହାର ଯେଉଁ କାର୍ଯ୍ୟ କରିବାର ଆନ୍ତରିକତା ଓ ଦକ୍ଷତା ଅଛି ସେ ତାହା କରିବା ଉଚିତ ବୋଲି ଦୃଢ଼ ମତ ଉପସ୍ଥାପନ କରିଥିଲେ । ବ୍ୟକ୍ତିର ବୃତ୍ତି ସହିତ ତାର ପ୍ରତିଭା ଓ ଦକ୍ଷତାର ସଂପର୍କ ରହିବା ଉଚିତ ବୋଲି ଯୁକ୍ତି ବାଢ଼ିଥିଲେ । ତାରକାସୀ କାର୍ଯ୍ୟରେ କଟକର ବଣିଆମାନଙ୍କୁ ଚିତାକାଟି ଦେଇଥିବା ଜେନୈକ ଜାତିଚ୍ୟୁତ ଯାଜପୁରୀ ବ୍ରାହ୍ମଣର ମଧ୍ୟ ଶତମୁଖ ପ୍ରଶଂସା କରିଥିଲେ । (ଭା. ଟ. ସଂ. ପୃ ୪୨)

 

*

ମଧୁବାବୁଙ୍କ ଗୀତ ଓ ବକ୍ତୃତା – ପୃ ୧୧, ୨୦, ୩୫

**

ଭିଟି ପାର୍ଟିଲି (ସଂପାଦିତ) ଷ୍ଟଡ଼ିଜ୍‍ ଅନ୍‍ ଗାନ୍ଧୀ – ପୃ ୧୭୮

***

ଗାନ୍ଧୀ ରଚନାବଳୀ – ପୃ. ୬୭

 

ପ୍ରହରାଜ ନାରୀମାନଙ୍କ ସମସ୍ୟା ପ୍ରତି ଥିଲେ ଅଧିକ ସମ୍ବେଦନଶୀଳ । ଶହ ଶହ ବର୍ଷ ଧରି ଏ ଦେଶରେ ନିର୍ଯ୍ୟାତିତା ନାରୀମାନଙ୍କର କରୁଣ ଜୀବନକାହାଣୀର କାରଣଗୁଡ଼ାକ ତାଙ୍କୁ ବେଶ୍‌ ଭଲ ଭାବରେ ଜଣାଥିଲା । ଓଡ଼ିଶା ମାଟିରେ ସେ ନାରୀମୁକ୍ତିର ସ୍ୱପ୍ନ ଦେଖୁଥିଲେ ଏବଂ ଶିକ୍ଷା ଯେ ସେମାନଙ୍କ ନବଜନ୍ମରେ ସହାୟକ ହୋଇପାରିବ ଏ ଦୃଢ଼ ବିଶ୍ୱାସ ତାଙ୍କର ଥିଲା । ମାତ୍ର ପୁରୁଷପ୍ରାଧାନ୍ୟ ପାରିବାରିକ ଓ ସାମାଜିକ ବ୍ୟବସ୍ଥା ଭିତରେ ନାରୀମାନେ ପଦାକୁ ଗୋଡ଼ କାଢ଼ିବା ସମ୍ଭବ ନ ଥିଲା । ଅନ୍ଧାରରେ ବୁଡ଼ିରହିବା ସେମାନଙ୍କର ଥିଲା କପାଳଲିଖନ । ମିସନାରୀ-ପାଦ୍ରୀମାନେ ଝିଅମାନଙ୍କୁ ସ୍କୁଲକୁ ଆଣିବା ପାଇଁ ଅନେକ ଚେଷ୍ଟା କରିଥିଲେ । ମାତ୍ର ସେମାନଙ୍କ ପ୍ରଚେଷ୍ଟା ସଫଳ ହୋଇଥିଲା ୧୮୭୦ ମସିହାପରେ । କେତେକ ଜମିଦାର, ରାଜା ଓ ଇଂରେଜଶାସକ ମଧ୍ୟ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେଲେ । ବାଲେଶ୍ୱର, କଟକ, ପାରଳାଖେମୁଣ୍ତି, ବୌଦ ପରି ଜାଗାରେ ସ୍କୁଲମାନ ଖୋଲିଲା । * ମାତ୍ର ଅପର ପ୍ରାଇମେରୀ ଡେଇଁ ହାଇସ୍କୁଲ ଯିବା ମଧ୍ୟ ସେମାନଙ୍କ ପକ୍ଷେ ଏତେ ସହଜରେ ସମ୍ଭବ ହେଉ ନ ଥିଲା । ୧୮୯୪ ମସିହାରେ ଝିଅମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିବା ପାଇଁ ଭଦ୍ରଖର ଜମିଦାର ପୁରସ୍କାର ଘୋଷଣା କଲେ । ୧୮୯୫ ମସିହାବେଳକୁ ଅବସ୍ଥାରେ ଉନ୍ନତି ହେଲା । ମହିଳାମାନେ ମେଡ଼ିକାଲ ସ୍କୁଲର ପରିସର ଭିତରେ ପ୍ରବେଶ ପାଇଁ ଆଗେଇ ଆସିଲେ ଏବଂ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କଲେ ମଧୁସୂଦନ ଦାସ, ବିଶ୍ୱନାଥ କର, ମଧୁସୂଦନ ରାଓ ପ୍ରଭୃତି କେତେକ ସଚେତନ ଯୁଗପୁରୁଷ-। ପରିବର୍ତ୍ତନର ଧାରାକୁ ସେମାନେ ପ୍ରଥମେ ସ୍ୱାଗତ କଲେ । ପ୍ରଥମ ତୋଡ଼କୁ ସମ୍ଭାଳିବାକୁ ଆଗେଇ ଆସିଲେ । ନିଜ ଝିଅମାନଙ୍କୁ ସ୍କୁଲ କଲେଜକୁ ପଠେଇଲେ । ରେବା ରାୟ, ସୁପ୍ରଭା କର, ନର୍ମଦା କର, ନିର୍ମଳା ଦାସ, ବସନ୍ତ କୁମାରୀ ଦେଈଙ୍କ ପରି ମହିଳାମାନେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କଲେ । ବନ୍ଧୁ ଅମ୍ବିକା ପ୍ରସାଦ ହାଜରାଙ୍କ ଦୁଇକନ୍ୟା ଶୈଳବାଳା ଓ ସୁଧାଂଶୁବାଳାଙ୍କୁ ଆପଣାର ଆତ୍ମୀୟାଭାବେ ଗ୍ରହଣ କରି ନେଇଥିବା ମଧୁସୂଦନ ଦାସ ସେମାନଙ୍କ ଶିକ୍ଷା ପାଇଁ ସକଳ ପ୍ରକାରର ବ୍ୟବସ୍ଥା କରିଥିଲେ । ସୁଧାଂଶୁବାଳାଙ୍କୁ ପ୍ରଥମ ଓକିଲ ଭାବରେ ଠିଆ କରେଇଥିଲେ । ପ୍ରଥମ ବିଶ୍ୱଯୁଦ୍ଧପରେ ଅବସ୍ଥା ବଦଳି ଯାଇଥିଲା । ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନରେ ମଧ୍ୟ ମହିଳାମାନେ ଭାଗନେଲେ । ରସମଣି ଦେଈ ଓ ସ୍ୱର୍ଣ୍ଣଲତା ଦେଈଙ୍କ ଉଦ୍ୟମରେ ୧୯୨୪ ମସିହାରେ ଉତ୍କଳମହିଳା ସମ୍ମିଳନୀ ମଧ୍ୟଶ ଗଠନ କରାଗଲା । ** ମାତ୍ର ଗ୍ରାମାଞ୍ଚଳରେ ମହିଳାମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଅନୁରାଗ ସେତେ ସନ୍ତୋଷଜନକ ନ ଥିଲା-

 

*

କେ. ସି ଜେନା ଦି ଆସେନ୍‌ଡ଼ାନସି ଅଫ୍‌ ଦି ବ୍ରିଟିଶ ରାଜ୍‌ ଇନ୍‍ ଓରିଶା ପୃ.୧୪।୧୫

**

ନିବେଦିତା ମହାନ୍ତି – ଓରିଆ ନ୍ୟାସନାଲିଜମ୍‌ ପୃ ୮୨/୮୩

 

ଶହ ଶହ ବର୍ଷ ଧରି ବିଦେଶୀ ଓ ଦେଶୀ ଅଧିପତି, ଜମିଦାର, ସାମନ୍ତ ଓ କେତେ କେତେ ବିଶିଷ୍ଟମାନଙ୍କ ଦ୍ୱାରା ବାରବାଟରେ ନିର୍ଯ୍ୟାତିତ ହୋଇ ଆସୁଥିବା ନାରୀମାନେ ପଦାକୁ ପାଦ ପକେଇବାର ସୁଯୋଗ ପାଉ ନ ଥିଲେ । ଦୁନିଆଯାକର କୁସଂସ୍କାର ଭିତରେ ସେମାନଙ୍କୁ ବୁଡ଼େଇ ରଖାଯାଇଥିଲା । ସେମାନଙ୍କର ନିରାପତ୍ତା ନ ଥିଲା । ପଦାକୁ ବାହାରିଲେ, ସେମାନଙ୍କର ବଂଶର ଆଭିଜାତ୍ୟ କାଳେ ରସାତଳକୁ ଚାଲିଯାଉଥିଲା । ସୂର୍ଯ୍ୟକିରଣ ପଡ଼ିଲେ ସତୀତ୍ୱ ଅପହୃତ ହୋଇଯାଏ ବୋଲି ଜରଦ୍‌ଗବ ପଣ୍ତିତମାନେ ଶ୍ଳୋକ ବି ରଚନା କରିଥିଲେ । ସେମାନଙ୍କୁ ରକ୍ଷଣଶୀଳତାର ଘୁମ ଭିତରେ ପୂରେଇ ମୁହଁରେ ମାଟି ଲେପି ଦିଆଯାଇଥିଲା । ତାରି ଭିତରେ ସେମାନଙ୍କ ଜୀବନକୁ ପରିସିଦ୍ଧ କରାଯାଉଥିଲା । ପରମ୍ପରାକ୍ରମେ ସମାଜ ଓ ପରିବାର ଭିତରେ ଯାବତୀୟ ନିର୍ଯ୍ୟାତନ, କଷଣ ଓ ଶୋଷଣର ଶିକାର ହେଉଥିଲେ ସେଇମାନେ । ସମାଜର ନ୍ୟାୟଦଣ୍ତରେ ସେମାନଙ୍କର ସବୁକିଛିର ପରିଶୀଳନ କରାଯାଉଥିଲା । ସେମାନେ ଯେ ପଦାକୁ ପରଦା ଖସେଇଦେଇ ଆସନ୍ତୁ, ଏ କଥା ଅସଲ ପଦାଧିକାରୀମାନେ ଆଦୌ ଚାହୁଁ ନ ଥିଲେ । ପରଦା ଖୋଲିଗଲେ କାଳେ ସେମାନଙ୍କର ଭୋଗୀ ଜୀବନର ସକଳ ରହସ୍ୟ ବଡ଼ ବିପଦଜନକଭାବେ ଧରାପଡ଼ିଯିବ ଏବଂ ସୁଖତକ ହାତମୁଠାରୁ ଖସିଯିବ, ଏଇ ଭୟରେ ସେମାନେ କାତର ହେଉଥିଲେ । ସେମାନଙ୍କ ଚାରିପାଖରେ ମଢ଼ୁଆଶଙ୍କୁଳିର ଗାର କାଟିଦେଇଥିଲେ ।

 

ବିଶେଷତଃ ବ୍ରାହ୍ମଣ ପଣ୍ତିତମାନେ ଥିଲେ ସ୍ତ୍ରୀଶିକ୍ଷାର ଘୋର ବିରୋଧୀ । ‘‘କୁଳ ଭୁଆଷୁଣୀମାନେ ପାଠ ପଢ଼ିଲେ ରନ୍ଧନ ଆଦି ଘରର ଯାବତୀୟ କାର୍ଯ୍ୟ କରିବା ପାଇଁ ପୁରୁଷମାନଙ୍କୁ କିଙ୍କରୀଭୂତ ହେବାକୁ ପଡ଼ିବ ଏବଂ ଶିକ୍ଷା ଯେ ସେମାନଙ୍କୁ ସ୍ୱେଚ୍ଛାଚାରିଣୀ, ମୁକ୍ତବିହାରିଣୀ, ମୁଖରା, ଅଶାଳୀନ କରିଦେବ ।’’ ଏ କଥା ସେମାନେ ଖୋଲାଖୋଲି ଭାବରେ ପ୍ରକାଶ କରୁଥିଲେ ଏବଂ ଅଭିସଂପାତ ବର୍ଷଣ କରୁଥିଲେ ଅତିଶୟ ସ୍ତ୍ରୈଣ, ନବ୍ୟଶିକ୍ଷିତ ଯୁବଦ୍ଧମାନଙ୍କ ଉପରେ । (ଭା. ଟୁ. ପୃ ୪୯/୫୦) ନାରୀମାନଙ୍କୁ ପିଞ୍ଜରାବଦ୍ଧ କରିରଖିବା ଥିଲା ସେମାନଙ୍କର ଆଦର୍ଶ । ତେଣୁ ଶାସ୍ତ୍ର ବେପାରୀମାନେ ଶଙ୍ଖ ବଜେଇ ନାରୀଶିକ୍ଷା ବ୍ୟବସ୍ଥାକୁ ଆମନ୍ତ୍ରଣ କରି ଆଣିବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ ।

 

ପ୍ରହରାଜଙ୍କ ଦୃଷ୍ଟିରେ ନାରୀ ବହୁରୂପା । ଘରଣୀମାନଙ୍କର ପ୍ରକାରଭେଦ କାଳରେ ସେ ସେମାନଙ୍କର ବହୁରୂପାତ୍ୱକୁ କେତେ ବାଗରେ ରୂପ ଦେଇଥିଲେ ।

 

(କ)

ତାଙ୍କ ପ୍ରଥମ ଶ୍ରେଣୀର ନାରୀ ଘରଣୀ ଚେତାଳ । ଏମାନେ ଘରର ଭିତର ଓ ବାହାର, ଅନ୍ତର୍ଜଗତ ଓ ବହିର୍ଜଗତକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ସର୍ବଦା ବ୍ୟସ୍ତ । ଏମାନେ ଗୃହର ଚଣ୍ତୀ । ଘରର ସବୁ କାର୍ଯ୍ୟର ଏମାନେ କାରଣ । ସେମାନଙ୍କ ଯଥେଚ୍ଛାଚାରର ରାଜତ୍ୱ ଅମୋଘ । ଏମାନଙ୍କର ହସ୍ତର ମୁଷ୍ଟି, ଯଷ୍ଟି ଚେପଟ, ବନ୍ଧନୀ ସଙ୍ଗେ ଗୃହର ପୁତ୍ରକନ୍ୟାମାନଙ୍କର ନିରବଚ୍ଛିନ୍ନ ସଂପର୍କ ଦିନକରେ ଏକୋଇଶ ଘଣ୍ଟା । ଏମାନେ ପିଲାମାନଙ୍କୁ ସବୁବେଳେ ଶାସନ କରୁଥିବେ । ବାହାର ଲୋକ ହାତ୍‌କିନା କହିଦେଲେ ପାଲା ଲଗେଇଦେବେ । ଗୃହର ସମସ୍ତେ ଅଧିଷ୍ଠାତ୍ରୀ ଦେବୀଙ୍କର କିଙ୍କର ।

(ଖ)

ଦ୍ୱିତୀୟ ଶ୍ରେଣୀର ନାରୀ ପଦ୍ମାବତୀ । ରୂପ ଲାବଣ୍ୟରେ ଜଗତ ଏମାନଙ୍କର ପାଦତଳେ ବିକା । ଏମାନଙ୍କ ପ୍ରସାଦରୁ ମୂକ ବାଚାଳ ହୁଏ, ପଙ୍ଗୁ ଗିରି ଲଙ୍ଘନ କରେ । ସାଧାରଣ ମନୁଷ୍ୟ ପାଚେରୀ ଡିଏଁ । ଦରପାଠୁଆ ପ୍ରଣୟ ଚିଟାଉ ଲେଖେ । ଏମାନଙ୍କଠାରେ ଈଶ୍ୱର ପ୍ରସନ୍ନ, ସମାଜ ପ୍ରସନ୍ନ, ସ୍ୱାମୀ ପ୍ରସନ୍ନ, ଯୁବକ ପ୍ରସନ୍ନ, ବୃଦ୍ଧ ପ୍ରସନ୍ନ । ଏମାନେ ଦୂରରୁ ଭାରି ଛାପଚିକ୍‍କଣ ଦେଖାଯାନ୍ତି । ସ୍ୱାମୀ ଏମାନଙ୍କ ପାଦତଳେ କିଙ୍କର । ଏମାନଙ୍କୁ ପାଇବା ବହୁ ଭାଗ୍ୟ । ଏମାନେ ସୁନା ଖଡ଼ିକା । ଏମାନେ ଭାଗ୍ୟକୁ ମିଳନ୍ତି । ସେମାନଙ୍କର ସୃଷ୍ଟି କବି, ସୌନ୍ଦର୍ଯ୍ୟଲିପ୍‌ସୁ, ରସିକ, ବାଡ଼ିଦୁଆର ଫିଟାଳିମାନଙ୍କ ପାଇଁ । ସେମାନେ ନ ଥିଲେ କବି ଜଗତରେ ଭୂମିକମ୍ପ ହୁଅନ୍ତା ।

(ଗ)

ସତୀ ନାରୀମାନେ କିନ୍ତୁ ସତରେ ହୀନିମାନୀ । ସଂସାର ତାର ଶତ୍ରୁ । କେହି ତା ଆଡ଼କୁ ଅନିଷା କରନ୍ତିନି । ସ୍ୱାମୀ ନିଜକୁ ଅଭାଗା ଭାବି ତାର ପାଦତଳେ ପଡ଼ିରହିଥାଏ । ଏମାନେ ସଦ୍‌ଗୁଣବତୀ । ଏମାନଙ୍କ ସ୍ୱାମୀମାନେ ହାଟବାହୁଡ଼ା ଦଦରା ପଦ୍ମାବତୀମାନଙ୍କୁ ଦେଖି ମୁରୁକିହସା ମାରନ୍ତି ।

(ଘ)

ଆଉ କେତକ ନାରୀ ଇଚ୍ଛାଗତପ୍ରାଣା, କଳହଗତପ୍ରାଣା, ପିତୃଗତପ୍ରାଣା, ଅପତ୍ୟଗତପ୍ରାଣା, ସୌନ୍ଦର୍ଯ୍ୟଗତପ୍ରାଣା, କର୍ତ୍ତବ୍ୟଗତପ୍ରାଣା, ପତିଗତପ୍ରାଣା, ପରଗତପ୍ରାଣା, ସ୍ନେହଗତପ୍ରାଣା, ସ୍ୱାର୍ଥଗତପ୍ରାଣା, ଜାମାତୃଗତପ୍ରାଣା, ଧର୍ମପୁତଗତପ୍ରାଣା ଏମିତି ଅନେକଙ୍କ ପ୍ରାଣ ଭିତରେ ଏମାନଙ୍କର ଗତାଗତ ।

(ଙ)

ମନୁଆମାନଙ୍କର ବିରକ୍ତ ହେବା ଗୋଟାଏ ଖୋଇ, ଅଭ୍ୟାସ । ନିନ୍ଦା ପ୍ରଶଂସା ଏମାନଙ୍କ ପାଇଁ ଗୋଟିଏ କଥା । ଏମାନଙ୍କୁ ଜାଣିଶୁଣି ସଜାଡ଼ିବାକୁ ଚେଷ୍ଟା କଲେ ସବୁକିଛି ବିଗିଡ଼ିଯାଏ । ଏମାନଙ୍କୁ କୁତୁକୁତୁ କଲେ ଚିଡ଼ି ଉଠନ୍ତି । ଚିଡ଼େଇଦେଲେ ପୁଲକିତ ହୁଅନ୍ତି-

(ଚ)

ସବୁଙ୍କୁ ସମାଳି ହେବ, କଳିହୁଡ଼ୀମାନଙ୍କୁ ପାରିବା କାଠିକର ପାଠ । ଚାଲିଲା ଶଗଡ଼ରେ ଏମାନେ ହାତ ପୂରେଇଲା ବାଲୀ । ଖୋଦ ଈଶ୍ୱର ମଧ୍ୟ ଏମାନଙ୍କ ଜବାବ ଦେବାକୁ ବାଧ୍ୟ-। ସଂସାର ଜୀବଜଗତ ଏମାନଙ୍କ ପାଦତଳେ । ଏମାନଙ୍କ ପାଖରେ ଜଗତ ଯୋଡ଼ହସ୍ତ ହେଇ ଚାଲିଲାବେଳେ ବାଘ ବି ଆଡ଼େଇଯାଏ ।

(ଛ)

ରସିକାମାନେ କିନ୍ତୁ ଜଗତ ମୋହିବାରେ ସୁଦକ୍ଷା, ସୁନିପୁଣା ସବୁଆଡ଼େ ଏମାନଙ୍କର ପ୍ରଶଂସାର ଗୀତ । ଏମାନେ ଚତୁରୀ । ଏମାନଙ୍କର ବିଚରା ସ୍ୱାମୀମାନେ ସାଧାରଣତଃ ବିକୃତମସ୍ତିଷ୍କ ହେବାଲାଗି ବାଧ୍ୟ ।

(ଜ)

କୁହୁକିନୀମାନେ ପ୍ରକୃତ ମୋହିନୀ । ବାଲିକାସୁଲଭ କୋମଲତା ଯୁବସୁଲଭ ରସିକତା, ପ୍ରୌଢ଼ାସୁଲଭ କର୍ତ୍ତୃତ୍ୱ, ବୃଦ୍ଧାସୁଲଭ ସଦ୍‌ଜ୍ଞାନରେ ଏମାନେ ପରିପୂର୍ଣ୍ଣା ।

(ଝ)

ଯେଉଁମାନେ ପ୍ରକୃତରେ ସ୍ନେହମୟୀ, ଯେଉଁମାନେ ସକଳଗତପ୍ରାଣା, ସେମାନଙ୍କର ଜନ୍ମ ଆତ୍ମହତ୍ୟା କରିବାପାଇଁ । ଦ୍ୱିତୀୟପକ୍ଷୀୟା ଏବଂ ଚତୁରୀମାନେ କେତେକ ଦୃଷ୍ଟିରୁ ସମଭାବାପନ୍ନା । ସମାଜରେ ଏମାନଙ୍କର ଜୟଜୟକାର । ମାତ୍ର ପ୍ରକୃତରେ ନିର୍ଯ୍ୟାତିତା ହୁଅନ୍ତି ଓଲମୀମାନେ । ମଥାରେ ସିନ୍ଦୁର, ହାତରେ ଶଙ୍ଖା ଏମାନଙ୍କର କାମ୍ୟ । ଦୁରାତ୍ମାମାନଙ୍କର ଅତ୍ୟାଚାର ଭୋଗିବାକୁ ଏମାନଙ୍କର ଜନ୍ମ । ତେଜସ୍ୱିନୀମାନେ ମୁହଁ ଭୁରୁଡ଼ିରେ ଓସ୍ତାତ୍‌ । ପଦପଦକେ ନିଆଁ ଖପରା, ପଦପଦକେ ଡରାଣ ହିଁ ଏମାନଙ୍କର ଅସ୍ତ୍ର । ଏମାନଙ୍କ ବ୍ୟତୀତ ଆହୁରି ଅନେକ ଥାନ୍ତି- ଯେଉଁମାନେ ଅଭିମାନ, ପ୍ରଣୟ, ଥଟ୍ଟା, ଗର୍ଜନ ସବୁଥିରେ ପାରିଲାପଣକୁ ସାବ୍ୟସ୍ତ କରନ୍ତି । କୁସୁମ ପରଶେ ପଟ ନିସ୍ତରିଲା ନ୍ୟାୟରେ ନିଜକୁ ବେଶ୍‌ ନିରାପଦରେ ଅନେକ ଯାଗାରେ ଥୋଇ ଦେଇପାରନ୍ତି । କୋଉଠି ପିତଳ, କୋଉଠି ସୁନା ହୋଇପାରନ୍ତି । ଯେଉଁମାନେ ଗରିବ, ସେମାନେ ଶୋଭା ପା’ନ୍ତି ସବୁରି ଶାଳୀ ତାଲିକାରେ । (ବା. ପା. ପୃ ୧୧୪-୧୨୪)

 

ନାରୀମାନଙ୍କ ଅପରୂପା ରୂପଚର୍ଯ୍ୟା ଭିତରେ ପ୍ରହରାଜ କିଛି ଅଲଗା ବିଭବ ଖୋଜିବାକୁ ଚେଷ୍ଟା କରିଥିଲେ । ସାଧାରଣ ପୁରୁଷର ଆଖିରେ ନାରୀର ଜୀବନଧାରାକୁ ସେ ବିଶ୍ଳେଷଣ କରିଥିଲେ । ପରାଧୀନ ଜାତିର ସାମାଜିକ ଓ ରାଜନୀତିକ ବ୍ୟବସ୍ଥା ଭିତରେ କୁଳଉଲଙ୍ଘିନୀମାନଙ୍କୁ କୁଳପାଳିକା କରି ରଖିବାର ସବୁତକ ଫିସାଦିରେ ସେଇ କୁଳାଙ୍ଗାରମାନେ ହିଁ ଓସ୍ତାତ୍‌ ଥିଲେ । ଯେଉଁମାନଙ୍କର ଜନ୍ମ କୁଳରକ୍ଷା ପାଇଁ, ସେମାନଙ୍କୁ ଭୂତେଇବାରେ ଯେ ପ୍ରକୃତରେ ପୁରୁଷାର୍ଥ ରହିଛି ଏ କଥାକୁ ସେଇମାନେ ହିଁ ନିଶ ଫୁଲେଇ, ବାଜାବଜେଇ ଘୋଷଣା କରୁଥିଲେ । ସେମାନଙ୍କୁ ଚରଣସେବିକା, କିଣାଦାସୀ, ଅନୁଗତା ସତୀ କରି ରଖିବାରେ ସୁ-ପୁରୁଷମାନଙ୍କର ଗୋଟାଏ ସ୍ୱତନ୍ତ୍ର ମର୍ଯ୍ୟାଦାବୋଧ ଥିଲା । ସେମାନେ ଅବଳାମାନଙ୍କୁ ସଖୀକଣ୍ଢେଇ କରି ନଚଉଥିଲେ । ମାଟିହାଣ୍ତି ବୋଲି କହୁଥିଲେ । ସେମାନଙ୍କ ଉପରେ ଅନ୍ୟମାନଙ୍କ ଚମଆଖି ପଡ଼ିଗଲେ ମାରା ହୋଇଯିବ ବୋଲି ନିୟମଗୁଡ଼ାକ ମଧ୍ୟ ତିଆରି କରିଥିଲେ । ପ୍ରଜନନ ପ୍ରକ୍ରିୟାର ଗର୍ବିତ ଯନ୍ତ୍ରୀଭାବରେ ସେମାନଙ୍କ ସୁଖବିଧାନ ପାଇଁ କେତେ ଅଳଙ୍କାର, ଚାଟୁବଚନମାନ ଯୋଗାଡ଼ କରି ରଖୁଥିଲେ । ସେଇ ଆପଣାରମାନଙ୍କୁ ଗୋଟାଏ ଘରଭିତରେ କୁଳପାଳିକାର ଗୌରବ ଦେଇ ଆର ଘରଟିରେ କେତେ ଗରିବ ମାଇପଙ୍କୁ ଉପଭୋଗ କରି ସୁଖ ପାଉଥିଲେ । ଶାଳୀଜ୍ଞାନରେ ରହସ୍ୟ କରୁଥିଲେ । ସେମାନଙ୍କୁ ନରକର କୂପ, କାମନାର ହୋମକୁଣ୍ତ, ପତନର ପିଚ୍ଛିଳ ପାବଚ୍ଛ ବୋଲି କହୁଥିଲେ । ସେମାନଙ୍କୁ ସୂର୍ଯ୍ୟଦର୍ଶନରୁ ବାସନ୍ଦ କରି ରଖୁଥିଲେ ।

 

ପୁରୁଷପୁଙ୍ଗବମାନଙ୍କର ଅଭିଯୋଗ ଥିଲା-‘‘ନାରୀମାନେ ପାଠ ପଢ଼ିଲେ ବ୍ୟୟ ବଢ଼ିବ, ଫେସନ ଆସିବ; ପିଲାମାନଙ୍କ ନିମନ୍ତେ ଧାଈ ନିଯୁକ୍ତ କରିବାକୁ ପଡ଼ିବ, ପଇସା ବାହାରକୁ ଚାଲିଯିବ, ପୁରୁଷମାନଙ୍କ ସମ୍ମାନରେ ଆଞ୍ଚ ଆସିବ, ଆଉଁସିଲା କୁକୁର ମୁହଁରେ ବୋକ ଦେଲାପରି ହେବ, ପୁରୁଷମାନଙ୍କର ସୁଖ ହ୍ରାସ ପାଇବ ଏବଂ ଏମାନଙ୍କର ଯଥେଚ୍ଛାଚାରରେ ବାଧା ଆସିବ, ପ୍ରଭୁତ୍ୱ ଊଣା ହେବ । ସଞ୍ଜ ହେଲେ ନାରୀମାନେ ଆଉ ବେଶ ହେବାକୁ ସମୟ ପାଇବେନି । ସେମାନଙ୍କର ସୌନ୍ଦର୍ଯ୍ୟ ବାସନା, କେଶବିନ୍ୟାସ, ରୂପଚର୍ଯ୍ୟା ଆଦି କିଛି ରହିବ ନାହିଁ । ଦେଶରେ ଲୋକମୁଖରେ ଯେତେଗୁଡ଼ିଏ ଗାଳି ଚଳିଆସୁଥିଲା, ସେ ସମସ୍ତ ଲୋପପାଇବ । ଗୀତିକାବ୍ୟଗୁଡ଼ାକର ଆଦର ଲୋପପାଇବ । ସଙ୍ଗୀତ ପିଲା ଆଉ ରହିବେନି । ଆଖଡ଼ା ପିଲାଏ ତିନିପାଞ୍ଜିରୁ ଯିବେ । ଗ୍ରାମ୍ୟଭାଷା ଓ ଘରର ଭିତର କଥା ଆଉ ଶୁଣିବାକୁ ମିଳିବନି । ସେମାନଙ୍କ ଭିତରୁ ଅନୁରାଗ ଲୋପପାଇବ । ସେମାନଙ୍କୁ ପିଞ୍ଜରାବଦ୍ଧ କରି ରଖିଲେ ଅନେକ ସୁଖ ମିଳେ । ସେମାନେ ଶିକ୍ଷିତା ହେଲେ ପୁରୁଷମାନଙ୍କର ନିର୍ବୋଧତା, ଦୁଷ୍ଟାମି ଓ ଭିତରର କଥାମାନ ଜାଣିଯିବେ । ଫଳରେ ସେମାନଙ୍କ ସୁଖ ଓ ଖ୍ୟାତି ଲୋପପାଇବ । ନାରୀମାନେ ଗାଡ଼ି ଘୋଡ଼ା ଚଢ଼ିଲେ ବେଶି ଟଙ୍କା ଖରଚ ହେବ । ଦେଶୀ ଲୋକମାନଙ୍କର ବେପାର ଏକରକମ ବୁଡ଼ିଯିବ । ଦିଅର-ଭାଉଜ, ନନା-ଦେଈ, ଶଳା-ଭାଉଜ, ଶାଳୀ-ଭିଣୋଇଙ୍କ ଭିତରେ ସୁମଧୁର ଥଟ୍ଟା ତାମସା, ପରିହାସ ସବୁ କିଛି ବିଗିଡ଼ିଯିବ । ରସିକତା ଶବ୍ଦକୁ ଅଭିଧାନରୁ ଉଡ଼େଇ ଦେବାକୁ ପଡ଼ିବ । ଘରକରଣା, ବାଦୀପାଲା ରହିବନି । ନାରୀମାନଙ୍କ ପ୍ରତି ବହୁଦିନରୁ ଚଳିଆସୁଥିବା ଗଜଗମନା ବିଶେଷଣ ଲୋପପାଇବ । ସେମାନେ ପୁରୁଷମାନଙ୍କୁ ଅନ୍ତଃପୁରର ପାଚକ କରିବେ । ନାରୀଜନୋଚିତ ଭୂଷଣ ଲାଜ, ଅଭିମାନ ଶବ୍ଦଗୁଡ଼ିକ ଆଉ ଚଳିବନି । ମାନ୍ୟଗଣ୍ୟ ସଂପର୍କ ଆଉ ରହିବନି । ସ୍ୱାଧୀନତା ନାଁରେ ସେମାନେ ଯାହା ନାଇଁ ତାହା କରିଯିବେ । ଆଠବରଷ ଦିନୁଁ ନିର୍ଜଳା ଏକାଦଶୀ ବ୍ରତ ଭୂମଣ୍ଡଳରୁ ଚିରଦିନ ପାଇଁ ବିଦାୟ ନେବ । ସେମାନେ ଭ୍ରୂଣାଶୟ ଯନ୍ତ୍ରଟିକୁ ବାହାରକରି ଜବରଦସ୍ତ ପୁରୁଷଙ୍କ ଦେହରେ ରୋପଣ କଲେ ପୁରୁଷଜଗତର ସର୍ବନାଶ ହେବ । ପ୍ରସବ ବେଦନା ସହି ନ ପାରି ସେମାନଙ୍କର କ’ଣ ନାଇଁ କଣ ହୋଇଯିବ । ତେଣୁ ନାରୀଶିକ୍ଷା ପ୍ରସାରିତ ହେଲେ, ସେମାନେ ଶିକ୍ଷିତ ହେଲେ ରାଜା, ହାକିମ, ବ୍ୟବସାୟୀ, ସମାଜ, ସାମ୍ରାଜ୍ୟ, ସଂସାର ସମସ୍ତଙ୍କର କ୍ଷତି ହେବ । ଦୁନିଆଟା ଏକାବେଳକେ ଉଜୁଡ଼ିଯିବ । ସଂସାର ମଝି ଦରିଆରେ ଡୁବିଯିବ ।’’ (ବା. ପାଂ. ୭-୧୪) ଏ ଦୁନିଆ ଯନ୍ତ୍ର ଥରେ ବିଗିଡ଼ିଗଲେ ତାକୁ ସଜାଡ଼ିବା ଏତେ ସହଜ ନୁହେଁ । ସମସ୍ତେ ତ୍ରାହି ତ୍ରାହି ବୋଲି ଡକା ପାରିବେ ।

 

ନିଜେ ବାବୁ, ପ୍ରଭୁ, ସ୍ୱାମୀ, ଭର୍ତ୍ତା ହେବାକୁ ହେଲେ ଅନ୍ୟମାନଙ୍କୁ ପାଦର ପାଣ୍ତୋଇ କରିବାକୁ ପଡ଼େ । ଏକାଙ୍ଗଚକ୍ରବର୍ତ୍ତୀ ହେବାକୁ ହେଲେ ଅନ୍ୟମାନଙ୍କୁ ଭିକାରୀ, ହାତପତା କରିବାକୁ ପଡ଼େ । ତଳିଆମାନଙ୍କର ବିଷଦାନ୍ତ ରହିଲେ ସେମାନେ ସୁଯୋଗ ଦେଖି ରୁଟ୍‌କିନା କାମୁଡ଼ି ପକେଇବେ । ପରିବାରରେ ସ୍ୱାମୀ, ପିତା, ଭର୍ତ୍ତାମାନେ ମୁକୁଟବିହୀନ ଏକାଙ୍ଗଚକ୍ରବର୍ତ୍ତୀ । ସେମାନେ ଅସଲ ମାଲିକ-ଶୋଷକ । କାର୍ଲମାର୍କସ୍‌ଙ୍କ ଭାଷାରେ ବୁର୍ଜୁଆ । ଗୁଡ଼ାଏ ନୀତିନିୟମର ଚାବୁକ ଧରି ସେମାନେ ଅଙ୍ଗନାମାନଙ୍କୁ ଶାସକ କରନ୍ତି । କୂଳ ଭିତରେ ସୀମାବଦ୍ଧ ରହିବାପାଇଁ ବନ୍ଧ ପକାନ୍ତି । ଉତ୍‌ଫଣୀ ହେଲେ ଅଣ୍ଟା ଭାଙ୍ଗି ଦିଅନ୍ତି । ତଥାପି ହିଡ଼ ଡେଇଁବାକୁ ଚେଷ୍ଟାକଲେ ଅସତୀ, ବିଟପୀ, ବ୍ୟଭିଚାରିଣୀ, ଦାରୀ, କଳଙ୍କିନୀ, ଡାଆଣୀ ପରି ଗୁଡ଼ାଏ ଅପବାଦର ଉପମାରେ ସେମାନଙ୍କୁ ସଜେଇ ଦିଅନ୍ତି । ନିଜେ ଯେତେ ଯାହା କଲେ, ସେଗୁଡ଼ାକ ତାଙ୍କର ଭୂଷଣ, ପୌରୁଷର ତେଜ ବୋଲି ଭୁରୁଡ଼ି ମାରନ୍ତି । ଷଣ୍ଢା ଟେକି ବାଟ ଚାଲନ୍ତି । ପରିବାରର ଭର୍ତ୍ତା, ସାମ୍ରାଜ୍ୟର କର୍ତ୍ତା, ଜଗତର ବିଧାତା ସମସ୍ତେ ଯେପରି ସେଇ ନିୟମର ଅଧୀନ । ପ୍ରହରାଜେ ବୁର୍ଜୁଆରୂପୀ ପୁରୁଷପୁଙ୍ଗବମାନଙ୍କର ନାରୀଭୋଗୀ ପ୍ରବୃତ୍ତିକୁ ‘‘ରାକ୍ଷସୀ ପ୍ରବୃତ୍ତି’’, ‘‘ଆସୁରିକ ସନ୍ତୋଷ’’, ‘‘ପୈଶାଚିକ ସୁଖ’’, ‘‘ପାଶବନିଷ୍ଠୁରତା’’, ପରି ଶବ୍ଦରେ ଛିଗୁଲୋଉଥିଲେ । ତଥାକଥିତ ଶିକ୍ଷିତମାନଙ୍କୁ ଅନ୍ଧ, ମୂକ, ବଧିର, ଅଜ୍ଞାନ, ଦୁରାଚାର ଆଦି ଶବ୍ଦରେ ଗାଳି ଦଉଥିଲେ । (ବା. ପାଂ. ପୃ ୧୪) ବିବେକ ଓ ବିଚାରବୁଦ୍ଧିର ତେଜର ଜୀବନଚର୍ଯାର ସମୀକ୍ଷା କରିବା ପାଇଁ ଆହ୍ୱାନ କରୁଥିଲେ ।

 

ଉତ୍କଳ ସମ୍ମିଳନୀ ମଣ୍ତପରେ କୁଳବୃଦ୍ଧ ମଧୁସୂଦନ ନାରୀଶିକ୍ଷା-ବିରୋଧୀ ଅଭିରୁଚିକୁ ସକଳ ସାମାଜିକ ସଂସ୍କାରର ହେତୁଭାବରେ ଘୋଷଣା କରିଥିଲେ । ୧୯୧୩ ମସିହା ପୁରୀ ଅଧିବେଶନରେ, ‘‘ସ୍ତ୍ରୀ ଜାତିର ଶିକ୍ଷାବିନା ଜାତିର ଉନ୍ନତି ସମ୍ଭବ ନୁହେଁ, । x x x ନଦୀସ୍ରୋତ ଯେ ପ୍ରକାର ନଦୀର ଉତ୍ପତ୍ତି ସ୍ଥାନରୁ ଉଚ୍ଚ ସ୍ଥାନକୁ ଉଠି ନ ପାରେ, ସେହି ପ୍ରକାର କୌଣସି ଜାତି ସେ ଜାତିର ମାତାମାନଙ୍କୁ ନୀଚ ଅବସ୍ଥାରେ ରଖି ଉନ୍ନତି ଅବସ୍ଥାକୁ ଉଠି ନ ପାରେ । x x x ଶିଶୁ ମାତା ନିକଟରୁ ଅନେକ ବିଷୟ ଶିକ୍ଷା କରେ ଏବଂ ସେ ଅବସ୍ଥାରେ ତାହା ଜାତିର ମୂଳଧନସ୍ୱରୂପ ଗ୍ରହଣ କରାଯାଏ । x x x ସ୍ତ୍ରୀମାନଙ୍କ ଶିକ୍ଷା ନ ହେଲେ ଏହା କଦାପି ସମ୍ଭବ ନୁହେଁ ।’’ ପୁରୁଷମାନଙ୍କ ଅପେକ୍ଷା ନାରୀଶିକ୍ଷାର ମହତ୍ତ୍ୱ ଅଧିକ । କାରଣ ନାରୀଟିଏ ଶିକ୍ଷିତା ହେଲେ ସେ ସାରା ପରିବାରକୁ ଶିକ୍ଷିତ କରିପାରେ ବୋଲି ଘେଷଣା କରିଥିଲେ । * ପ୍ରହରାଜଙ୍କ ସୃଷ୍ଟିଗୁଡ଼ିକରେ ମଧୁବାବୁଙ୍କ ବକ୍ତବ୍ୟର ସ୍ୱର ଶୁଣିବାକୁ ମିଳେ । ମାତ୍ର କେତେକ କ୍ଷେତ୍ରରେ ସେ ଆପଣାର ଗୁରୁଙ୍କୁ ମଧ୍ୟ ଅତିକ୍ରମ କରିଯାଇଥିଲେ । ବିଶେଷତଃ ‘‘ବାଇନାନୀଙ୍କ ବୁଜୁଳି’’ ଶୀର୍ଷକ ଲେଖାଗୁଡ଼ିକରେ ପ୍ରତିଫଳିତ ତାଙ୍କ ବିଚାରଧାରା ଓ ଦୃଷ୍ଟିକୋଣ ସେତେବେଳେ ଅନେକଙ୍କୁ ଚକିତ କରିଦେଇଥିଲା ।

 

*

ମଧୁବାବୁଙ୍କ ଗୀତ ଓ ବକ୍ତୃତା – ପୃ ୪୨-୪୫

 

ପ୍ରହରାଜଙ୍କ ଜୀବନ ହିଁ ଥିଲା ସେମିତି । ଆପଣାର ପରିଣୀତା ମୁକ୍ତାମଣିଙ୍କୁ ପାଠ ଦିଅକ୍ଷର ପଢ଼େଇବାକୁ ଚେଷ୍ଟା କରି ସେ କମ୍‌ ହୀନସ୍ଥା ହୋଇ ନ ଥିଲେ । କଟକରେ ପଢ଼ୁଥିଲାବେଳେ ତାଙ୍କପାଇଁ ଶଶୁର ଘରକୁ ବିଦେଇ ବାରିକ ହାତରେ ବହି, ସିଲଟ୍‌, କଲମ, ଖାତା ପଠେଇଥିଲେ ଏବଂ ବୋଉର ଆକ୍ଷିରେ ଧରାପଡ଼ିଯାଇଥିଲା । ବୋଉ ତାଙ୍କୁ ତାଗିଦା କରି କହିଥିଲେ, ‘‘ଗୋପାଳି ତୁ ତ ମତେ ବୋହୂ ପାଖକୁ ଜିନିଷ ପଠେଇବା କଥା କହିଥିଲେ ମୁଁ ବିଦେଇ ବାରିକ ହାତରେ ପଠେଇଥାନ୍ତି । ତୁ ଲୋକ ପଠେଇବାରୁ ରାହାଙ୍ଗାରେ ହାଟ ବସିଛି । ଯାହା ବୋହୂ ପାଖକୁ ପଠେଇବା କଥା, ଏଣିକି ମତେ କହିବୁ । ମୁଁ ପଠେଇଦେବି ।’’ (ପୃ ୧୧୬) ସେ ସୁନାପିଲାପରି ବୋଉର କଥାକୁହିଁ ମାନିନେଇଥିଲେ । ଆପଣାର ଶାଳୀ, ବାଳୁତ ବିଧବା ପୀତାମ୍ବରୀ ଦେବୀଙ୍କୁ ସାହିତ୍ୟ ଜଗତକୁ ପ୍ରବେଶ କରେଇଥିଲେ । କାହାଣୀ ଓ ଗୀତ ଲେଖେଇଥିଲେ । ଢଗଢମାଳି ବଚନ, ଭାଷାକୋଷ ସଂକଳନରେ ଅନୁବ୍ରତୀ କରିପାରିଥିଲେ । ଶାଳୀ ମଥାରେ ସହକର୍ମିଣୀର ମୁକୁଟ ବାନ୍ଧିଥିଲେ । ଦୁନିଆଯାକର ଅପନିନ୍ଦାକୁ ପାଣିର ଗାର ଭାବରେ ଗ୍ରହଣ କରି ନେଇଥିଲେ । ତାଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ଗରଳ ମିଶିଯାଇଥିଲା । ମାତ୍ର ସମୟ ଓ ସୁବିଧା ଦେଖି ଆପଣାର ବିଚରଣ ଭୂଇଁରେ ପୀତାମ୍ବରୀଙ୍କ ହାତ ଧରି ବିହାର କରିଥିଲେ-। ପ୍ରହରାଜଙ୍କ ‘‘ବାଈନାନୀଙ୍କ ବୁଜୁଳି’’ର ଅସଲ ନାନୀ ହିଁ ପୀତାମ୍ବରୀ ଦେବୀ । ବାଈନାନୀଙ୍କ ବେଶ ଧରି, ଅଣ୍ତିରିପୁଅ ଉଦ୍ଧବ, ପୁରୁଷପୁଙ୍ଗବମାନଙ୍କର ବେଶ ପୋଷକ ଖୋଲିଦେଇ ଦାଣ୍ତରେ ଠିଆକରେଇ ଦେଇଥିଲେ । ତାଙ୍କର ଏତେ ଟିକିଏ ବି ମୁଖଲଜ୍ଜା, ଉପ୍ରୋଧ ନ ଥିଲା ।

 

‘‘ବାଈନାନୀଙ୍କ ବୁଜୁଳି’’ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତା ନିର୍ଯ୍ୟାତିତା ନାରୀଜାତିର ତତଲା ନିଃଶ୍ୱାସର ଇସ୍ତାହାର । ‘‘ଏଗାରଟି ପୁଡ଼ା’’ରେ ସାମାଜିକ ବ୍ୟବସ୍ଥା ଏବଂ ବ୍ୟବସ୍ଥାଧିପତିମାନଙ୍କର ବିରୋଧରେ ହିଁ ବାଈନାନୀ ବିଷୋଦ୍‌ଗାର କରିଥିଲେ । ମାତ୍ର ସପ୍ତମଠାରୁ ଏକାଦଶ ପର୍ଯ୍ୟନ୍ତ ଚାରୋଟି ପୁଡ଼ାରେ ପ୍ରହରାଜେ ନାନୀଙ୍କ ମୁହଁରେ ଗୁଡ଼ାଏ ଗର୍ହିତ କଥା ଆଲୋଚନା କରିଥିଲେ । ସେ କଥାଗୁଡ଼ାକ ପଢ଼ିଲେ, ଶୁଣିଲେ ଏବଂ ଜାଣିଲେ କାଳେ ଦେହରେ ନିଆଁ ଲାଗିଯାଏ । ଭିତରେ କ’ଣ ନାଇଁ କ’ଣ ହୋଇଯାଏ । ମଣିଷ ଦେହର ତାତିକୁ ଶୀତଳେଇ ଦେବାପାଇଁ ଖୁଜୁବୁଜୁ ହୁଏ । ତାତି ଶୀତଳେଇ ନ ଗଲା ପର୍ଯ୍ୟନ୍ତ ସେ ବାତୁଳଙ୍କ ପରି ଖାଲି ପ୍ରଳାପ କରୁଥାଏ । ଦେହ ତାତିବା ଏବଂ ଶୀତଳେଇ ଯିବା, ଏ ଦୁଇ ଅନୁଭବର ଆରମ୍ଭ ଓ ଶେଷ ଭିତରେ ସେଇ ସେଇ କଥାଗୁଡ଼ାକ ଘଟିଯିବା ନିହାତି ଆବଶ୍ୟକ । ଗୀର୍ବାଣ ଭାଷାରେ ସେ ସମସ୍ତ କାଳେ ଦେହଧର୍ମ, ଜୀବଧର୍ମ । ଏ ଜଗତର ପ୍ରତ୍ୟେକ ଚରିତ୍ର କାଳେ ସେଇ ପ୍ରବୃତ୍ତିଦ୍ୱାରା ପରିଚାଳିତ । ସେଇ ଧର୍ମର ଅଧୀନ । ଆଉ ଅତି ସଭ୍ୟ ଓ ସଚେତନ ବୋଲେଇ ହଉଥିବା ମଣିଷମାନଙ୍କ ଭିତରେ ସେଇ ଧର୍ମରକ୍ଷା ପାଇଁ ଦୁନିଆଯାକର କଳିତକରାଳ, ହତ୍ୟା, ବିଭୀଷିକା, ଚୋରି, ଡକେଇତି, ଯୁଦ୍ଧ, ରାଜ୍ୟଜୟ, ପରାଜୟ ସବୁକିଛି । ମଣିଷ ଅନ୍ୟସବୁ କିଛିର ଆକର୍ଷଣକୁ ଏଡ଼ିଦେଇପାରେ, ମାତ୍ର ଦେହ ଏବଂ ଦେହ, ମନ ଓ ପ୍ରକୃତ୍ତିର ଶାସନକୁ ଅସ୍ୱୀକାର କରିବା ତା’ପକ୍ଷେ କାଳେ ସହଜ କି ସମ୍ଭବ ହୋଇପାରେନା । ଯତି ପରେ ଯତି, ମହାଯତି ହେଉ ବରଂ, ସେ ତୀର୍ଥରେ ବୁଡ଼ ନ ପକେଇଲେ ତାର ମୁକ୍ତି ମିଳେନା ।

 

ସବୁଠାରୁ ଆଶ୍ଚର୍ଯ୍ୟର କଥା- ସମଜାତୀୟ ଦୁଇ ବିଷମଲିଙ୍ଗୀଙ୍କ କେଳିସାଧନର ଚଉଷଠୀ ରୀତିର ଗହନ କଥାଗୁଡ଼ାକୁ କାବ୍ୟିକ ଶୈଳୀରେ ବର୍ଣ୍ଣନା କରିଥିଲେ ବ୍ରହ୍ମଚାରୀ ବାତ୍ସାୟନ-। ତାହା ପୁଣି ରଚିତ ହୋଇଥିଲା ସେହି ଗୀର୍ବାଣ ଭାଷାରେ । ଶହ ଶହ ବର୍ଷ ଧରି କବିମାନେ ସେଇ ଗ୍ରନ୍ଥକୁ ଗଳାର ମାଳି ଭାବରେ ବ୍ୟବହାର କରିଆସୁଥିଲେ । ଚିତ୍ର ଓ ଅକ୍ଷର କଳାରେ ସେ ଗହନ ବିଦ୍ୟାର ଫୁଲ ଫୁଟଉଥିଲେ । ସୁବାସ ବିତରଣ କରୁଥିଲେ । ରସିକ ସାମାଜିକମାନଙ୍କ ଚିତ୍ତକୁ ରୂପ ଓ ବାସର କାଉଁରି କାଠି ଧରି ଆପଣେଇ ନେଉଥିଲେ । ନୃତ୍ୟ ଓ ସଂଗୀତର ସେଇ ଆଦିରସର ରାସଲୀଳା ଚାଲୁଥିଲା । ଏବେ ମଧ୍ୟ ଚାଲୁଚି ଏବଂ ଚାଲୁଥିବ ଜୀବଜଗତ ଥିବା ପର୍ଯ୍ୟନ୍ତ-। ଅଥଚ ସେ ବିଦ୍ୟାଟାକୁ ଏମିତି ସେମିତି ଭାବରେ ଚର୍ଚ୍ଚା କରିବା କାଳେ ଭାରି ଗର୍ହିତ କାମ । ସେମିତି କଲେ ପାପ ଲାଗିଯାଏ । ଶୃଙ୍ଖଳା ଭାଙ୍ଗିଯାଏ । ତାର ଅସଲ ଚର୍ଚ୍ଚା ଚାଲେ ଅନ୍ଧାରଭିତରେ-। ସଂସାରରେ ଏଇ ପବିତ୍ରତମ ଧର୍ମକୁ ଗନ୍ଧିଆ ଭାବରେ ପରିଗଣନା କରାଯାଏ । ଏହା କାଳେ ଆତ୍ମବିଦ୍ୟା । ଏକଥା କେହି କାହାକୁ ଶିଖାଏନା । ସମୟ ଆସିଲେ, ଆପେ ଆପେ ତାହା କଅଁଳେ, ଫୁଲ ଫୁଟେ, କଷି ଧରେ ବଢ଼େ, ପାଚେ । ଏମିତି ଅନେକ କଥା ଘଟିଯାଏ । ଅନ୍ଧାରରେ ଖୁଜୁବୁଜୁ ହେବାର ଫଳସ୍ୱରୂପ ଗୋଟିକ ପରେ ଗୋଟିଏ ନୂଆ ନୂଆ ଫଳ ଏ ପୃଥିବୀକୁ ଆସନ୍ତି । ଅଳ୍ପ ଦିନ ଭିତରେ ବହୁ ଫଳଦାୟିନୀ ଯନ୍ତ୍ରଟି ବିକୃତ-ବୋଧ ଭିତରେ କାଳକାଟିବା ପାଇଁ ବାଧ୍ୟ ହୁଏ । ଦେହ ସୁଖ, ସମସ୍ୟା ସୁଅରେ ଭାସିଯାଏ । ଶାନ୍ତଜୀବନ, ଭୟଙ୍କର ଅସ୍ଥିର କୋଳାହଳ ଭିତରେ ବଞ୍ଚିବାପାଇଁ ବାଧ୍ୟ ହୁଏ । ଆବହମାନ କାଳରୁ ମଣିଷ ସଂସାରର ଏକ ପବିତ୍ରତମ କାର୍ଯ୍ୟକୁ ଅଶ୍ଳୀଳତମ, ଗୂହ୍ୟତମ । ଅଶିକ୍ଷଣୀୟ କାର୍ଯ୍ୟଭାବରେ ସୁମାରି କରି ଆସିଛି । x x x କେତେ ଯନ୍ତ୍ରଣା, ହଟହଟା, ମନସ୍ତାପ ଭୋଗ କରୁଛି, କେତେ ସୁନାର ସଂସାର ଚୂନା ହେଉଛି । ଅଥଚ ଆପଣାର ଅନୁଭବକୁ ବିଶ୍ଲେଷଣ କରି ତହିଁର କାରଣ ଓ ରହସ୍ୟ ଉଦ୍‌ଘାଟନ କରି, ଆପେ ଯାହା ଅସୁବିଧା ଓ ଯେଉଁ ଅଶାନ୍ତି ଭୋଗ କରି ଆପଣା ଜୀବନକୁ ଓ ଭାବୀ ବଂଶଧରଙ୍କ ଜୀବନକୁ କଣ୍ଟକମୟ କରିଅଛି, ସେ ଅନୁଭବକୁ ପର୍ଯ୍ୟାଲୋଚନା କରି ଆପେ ଜୀବନରେ ଯାହା ଶିକ୍ଷା ଲାଭ କଲା, ନିଜର ଉପକାରାର୍ଥେ ତହିଁର ପ୍ରତିକାର ଲୋଡ଼େ ନାହିଁ, ଅନ୍ୟମାନଙ୍କ ଉପକାରାର୍ଥେ ତାହା ମନୁଷ୍ୟ ବାହାରେ ପ୍ରକାଶ କରେ ନାହିଁ । ନାରୀ ତୁଣ୍ତରେ ସେ କଥା ଓ କାମଗୁଡ଼ାକ କାଳେ ଅକଥା ଓ ଅସଭ୍ୟ ହୋଇଯାଏ । (ବା. ନା. ବୁ. ୭ମ ପୁଡ଼ା ପୃ. ୨୯) ଫଳତଃ ଦେହଧର୍ମ ନାଁରେ ସମାଜରେ ଗୁଡ଼ାଏ ନୂଆ ନୂଆ ସମସ୍ୟା ସୃଷ୍ଟି ହୁଏ ।

 

ଶୃଙ୍ଖଳିତ ଯୌନଚର୍ଯ୍ୟାପାଇଁ, ଚର୍ଚ୍ଚାର ଯେ ଆବଶ୍ୟକତା ରହିଛି, ପ୍ରଥମେ ଓଡ଼ିଆ ସାହିତ୍ୟରେ ପ୍ରହରାଜ ବେଶ୍‌ ନିର୍ଭୀକ ଭାବରେ ସେସବୁ ବିଷୟରେ ଆଲୋକପାତ କରିଥିଲେ । ଡକ୍‌ଟର ମେରୀଷ୍ଟୋପ୍‌ସ୍‌ (ଡକ୍ଟର ମେରୀଷ୍ଟୋପ୍‌ସ୍‌)ଙ୍କ ‘‘ବୈବାହିକ ପ୍ରେମ’’ (ମ୍ୟାରେଡ଼୍‌ ଲଭ୍‍) ଗ୍ରନ୍ଥର ଅବଲମ୍ବନରେ ପ୍ରଜନନ ବିଜ୍ଞାନ (ସାଇନ୍‌ସ ଅଫ୍‌ ଏଜେରିଏକ୍‌) ସଂକ୍ରାନ୍ତରେ ଆପଣାର ବିଚାରଧାରାକୁ ପ୍ରକାଶ କରୁଥିଲେ ଏବଂ ପ୍ରଜନନ ବିଜ୍ଞାନ ସହିତ ମନୋବିଜ୍ଞାନ (ସାଇକୋଲୋଜି), ସ୍ୱାସ୍ଥ୍ୟ ବିଜ୍ଞାନ (ହାଇଜିନ୍‌), ଉଦ୍ଭିଦ ବିଜ୍ଞାନ (ବଟନି), ଶରୀର ବିଜ୍ଞାନ (ଫିଜିଓଲୋଜି) ଓ ଶରୀରଗଠନ ବିଜ୍ଞାନ (ଆନାଟୋମି)ର ଯେ ଗଭୀର ସଂପର୍କ ରହିଛି’’ ସେ କଥା ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ।

 

ସୁପ୍ରଜନନ ବିଦ୍ୟା ସଂକ୍ରାନ୍ତୀୟ ବିଜ୍ଞାନସମ୍ମତ ଚର୍ଚ୍ଚା ପ୍ରଥମେ ଆରମ୍ଭ ହୋଇଥିଲା ଇଂଲଣ୍ତରେ । ସାର୍‌ ଫ୍ରାନ୍‌ସିସ୍‌ ଗାଲଟନ୍‌, ଡବ୍ଳିଉ ସି. ସାଲବିଙ୍କ ପରି ପଣ୍ତିତମାନେ ଥିଲେ ଅଗ୍ରଣୀ ଗବେଷକ । ସନ୍ତାନ, ନାରୀ ଓ ପୁରୁଷଙ୍କ ଦୈହିକ ସୁଖଭୋଗର ଫଳ ନୁହନ୍ତି । ସେମାନେ ଭବିଷ୍ୟତରେ ବଂଶଧର ଏବଂ ଭବିଷ୍ୟତ ବଂଶଧରମାନଙ୍କୁ ମଣିଷପରି ମଣିଷ ଭାବରେ ଗଢ଼ିବାର ଦାୟିତ୍ୱ ବାପା’ମାଙ୍କର । ମା’ର ଜଠରରେ ଭ୍ରୁଣସଞ୍ଚାର ପରଠାରୁ ତାର ଶାରୀରିକ ଓ ମାନସିକ ଗଢ଼ଣପ୍ରକ୍ରିୟା ହିଁ ଆରମ୍ଭ ହୋଇଯାଇଥାଏ । ତେଣୁ ଗର୍ଭବତୀ ଓ ପ୍ରସ୍ତୁତି ମହିଳାଙ୍କର ମାନସିକ ଓ ଶାରୀରିକ ସୁସ୍ଥତା ଉପରେ ନିର୍ଭର କରେ ସନ୍ତାନର ଭବିଷ୍ୟତ ଏବଂ ସେମାନଙ୍କୁ ସୁଖରେ ରଖିବାର ସକଳ ଦାୟିତ୍ୱ ସମାଜର । କାରଣ ମାତୃତ୍ୱ ପୃଥିବୀର ସବୁଠାରୁ ମହତ୍‌ ଓ ପବିତ୍ରତମ ଉପଲବ୍‌ଧି । ବଂଶପରଂପରା, ପିତାମାତାଙ୍କର ପରିଶୁଦ୍ଧ ଓ ଆଦର୍ଶ ଜୀବନଧାରା ପ୍ରତିଫଳିତ ହୁଏ ପିଲାମାନଙ୍କ ଉପରେ । କଞ୍ଚା ମଣିଷ ପିଲା, ଶୈଶବରୁହିଁ ସେମାନଙ୍କଠାରୁ ଯାହାକିଛି ଶିଖିଥାଏ, ତାହା ପ୍ରୟୋଗ କରେ ଭବିଷ୍ୟତରେ । ସମାଜ ଓ ସମୟର ବିବର୍ତ୍ତିତ ଧାରାରେ କେହି କେହି ହୁଏତ ବେଳେବେଳେ ବାହାରୁଆ ହୋଇଯା’ନ୍ତି, ମାତ୍ର ପାରଂପରିକ ଓ ପାରିବାରିକ ଆଦର୍ଶବୋଧ ସେମାନଙ୍କ ମନର ଅବଚେତନ ଅବସ୍ଥାରେ ବି ତରଙ୍ଗାୟିତ ହେଉଥାଏ । ସେମାନଙ୍କ ଚେତନାକୁ ସେଇ ଧାରାରେ ପରିଚାଳିତ ହେବାକୁ ବାଧ୍ୟ କରୁଥାଏ । ସେ ଯୋଉ ଦିଗରେ ଗତି କରୁନା କାହିଁକି, ଆପଣା ପରଂପରା ଓ ଶିକ୍ଷାଦୀକ୍ଷାର ନାଭିକେନ୍ଦ୍ରକୁ ଫେରିଆସେ । ବାପା ମା’ ହିଁ ତାର ପ୍ରଥମ ମନ୍ତ୍ରଦାତା । ସେଇମାନଙ୍କ ମନ୍ତ୍ରର କାଉଁରୀକାଠି ହିଁ ତାକୁ ସାରା ଜୀବନ ନଚାଏ । କାଠିର ତେଜର ସେ ଧାରକ ଓ ବାହକ ହୁଏ । କାଠିର ଆକାର ଏବଂ ପ୍ରକାର ନିର୍ଭର କରେ ଗଢ଼ଣପ୍ରକ୍ରିୟାର ଯନ୍ତ୍ରୀମାନଙ୍କର ଶିକ୍ଷା, ଦୀକ୍ଷା ଓ ପରଂପରାର ମାନ ଉପରେ ।

 

ତେଣୁ ‘‘ଯୁବକ ଯୁବତୀମାନଙ୍କୁ ସେକ୍‌ସ ହାଇଜିନ୍‌ (ଯୌନସ୍ୱାସ୍ଥ୍ୟ) ସମ୍ବନ୍ଧରେ ଉପଯୁକ୍ତ ଶିକ୍ଷାଦେବା ପ୍ରଜନନ-ବିଜ୍ଞାନ-ଶିକ୍ଷାର ଗୋଟିଏ ପ୍ରଧାନ ଆନୁପୂର୍ବିକ ଅଙ୍ଗ । ପିତାମାତା, ବିଦ୍ୟାଗୁରୁ, ଚିକିତ୍ସକ ବା ବୈଦ୍ୟ ଓ ଧର୍ମଗୁରୁମାନେ ଯୁବକ ଯୁବତୀମାନଙ୍କୁ ଯୌନସ୍ୱାସ୍ଥ୍ୟ ସମ୍ବନ୍ଧରେ ଉପଯୁକ୍ତ ଶିକ୍ଷାଦେବା ନିମନ୍ତେ ସମାଜ ନିକଟରେ ଦାୟୀ । ବିବାହ ହେବାଦ୍ୱାରା ଯୁବକ ଓ ଯୁବତୀ କି କଠୋର ଦାୟିତ୍ୱ ଗ୍ରହଣ କରିବେ ଏବଂ ‘ସନ୍ତାନୋତ୍ପାଦନ’ରୂପ କର୍ତ୍ତବ୍ୟ କେଡ଼େ ଉଚ୍ଚ ଓ ପିବତ୍ର ତାହା ପୁତ୍ରକନ୍ୟାମାନେ ଗାର୍ହସ୍ଥ୍ୟ ଧର୍ମରେ ପ୍ରବେଶ କରିବା ପୂର୍ବରୁ ଯେପରି ହୃଦୟଙ୍ଗମ କରିପାରିବେ ସେଥିପ୍ରତି ପିତାମାତାମାନେ ଯତ୍ନନେବା ଉଚିତ । ଯୁବାବସ୍ଥାରେ ପଦାର୍ପଣ କରିବା ପୂର୍ବରୁ ଯୌବନର ଅବଶ୍ୟମ୍ଭାବୀ ଘଟଣା ଓ ଦାୟିତ୍ୱ, ଯୁକକର ଶାରରିକ ଓ ମାନସିକ ପରିବର୍ତ୍ତନ, ଯୌବନରେ ଯୁବକ ଓ ଯୁବତୀଙ୍କର କର୍ତ୍ତବ୍ୟ, ଆତ୍ମସଂଯମ ସମ୍ବନ୍ଧରେ ପିତାମାତା ପୁତ୍ରକନ୍ୟାମାନଙ୍କୁ କାର୍ଯ୍ୟ x x x ଗୁରୁମାନେ ବୈଜ୍ଞାନିକ ଶିକ୍ଷା x x x ଚିକିତ୍ସକ ଓ ଧର୍ମୁଗୁରୁମାନଙ୍କୁ ପରାମର୍ଶ ଓ ଉପଦେଶ ମାଧ୍ୟମରେ ଗଠନ କରିବାକୁ ଚେଷ୍ଟା କରିବା ଉଚିତ’’ବୋଲି ପ୍ରହରାଜ ମତବ୍ୟକ୍ତ କରିଥିଲେ । (ବା. ନା. ବୃ. ପୃ ୪୫.୪୬) ଯୁବକ ଯୁବତୀଙ୍କ ଭିତରେ ଦେହ ସୁଖଭୋଗ ପାଇଁ କାମନା ରହିବ । ଏହା ପାପ କି ଅନ୍ୟାୟ ନୁହେଁ । ଏହା ସ୍ୱାଭାବିକ ଓ ପ୍ରବୃତ୍ତିଚାଳିତ । ମାତ୍ର ଯେଉଁମାନଙ୍କ ପାଖରେ ଦେହସୁଖ ବଡ଼ ହେଇ ଦେଖାଦିଏ, ଯେଉଁମାନେ ଜୀବନରେ ଭାବୀ-ବଂଶଧରମାନଙ୍କର ଉଜ୍ଜ୍ୱଳ ସମ୍ଭାବନାକୁ ପାସୋରି ପକେଇ ନିଜର ସଂକୀର୍ଣ୍ଣ ବିଚାରଧାରାରେ ବାଟ ଚାଲନ୍ତି-ସେମାନେ ମଣିଷ ନୁହନ୍ତି, ମଣିଷରୂପୀ ପଶୁ । ଯୌନବିଜ୍ଞାନ ଶିକ୍ଷା ହିଁ ମଣିଷକୁ ବିକଳ ଭବିଷ୍ୟତରେ ଅନ୍ଧକାର ପରିବେଶରୁ ମୁକୁଳେଇ ଆଣେ । ନିଜକୁ, ଜଗତକୁ ଓ ଭବିଷ୍ୟତକୁ ଦେଖିବା ଓ ଗଢ଼ିବାର ସୁଯୋଗ ଆଣିଦିଏ । ଦୀର୍ଘ ପ୍ରାୟ ଷାଠିଏ ବରଷ ପୂର୍ବେ ୧୯୨୭ ମସିହାରେ ଗୋପାଳଚନ୍ଦ୍ର ପ୍ରହରାଜ ଯାହା କଳ୍ପନା କରିଥିଲେ, ବିଦେଶୀ ଚିନ୍ତାନାୟକମାନଙ୍କ ସ୍ୱରରେ ସ୍ୱର ମିଳେଇ ଯାହା କହିଥିଲେ, ତାହା ଆଜିବି ଓଡ଼ିଆମାନଙ୍କ କାନରେ ପଶିନି । ସେମାନଙ୍କ ଅବରୋଧରେ ତାହା ଏବେ ବି ତରଙ୍ଗ ସୃଷ୍ଟି କରିନି । ସେଦିନର ପ୍ରହସନ ଅଧିକରୁ ଅଧିକ ରୁଚିପୂର୍ଣ୍ଣ ରୀତିରେ ଅଭିନୀତ ହେଉଛି । ଯୌନବିଜ୍ଞାନକୁ ଏକ ଅଲାଜୁକ, ବେହିଆ ପାଠ ଭାବରେ ବୁଦ୍ଧିଜୀବୀମାନ ବିବେଚନା କରୁଛନ୍ତି । ସେ ଅମଡ଼ା, ଅପଢ଼ା, ତେଢ଼ା, ପାଠ ନାଁ ଶୁଣିଲେ ସେମାନଙ୍କ ନାହି ଡେଉଁଛି । ସବୁଠି ସେମାନଙ୍କ ଉପଭୋଗ-ଅଭିଯାନର କିଳିକିଳା ରଡ଼ି । ଏ ରଡ଼ି କାଳେ ଜାତିର ସତ୍ୟତା-ଶୃଙ୍ଗାରୋହଣ ମାଙ୍ଗଳିକ । ଏହା ଯେ ବିକଳାଙ୍ଗ ଭବିଷ୍ୟତ ବଂଶଧରମାନଙ୍କର ବିକଳ କୀର୍ତ୍ତନ, ଦୁରାରୋଗ୍ୟ ଶାରୀରିକ ଓ ମାନସିକ ସଂକେତ, ଏକଥା ସ୍ୱୀକାର କରିବା ପାଇଁ ନବ୍ୟ-ସମାଜର ଭାଗ୍ୟବିଧାତାମାନେ ପରାଙ୍‌ମୁଖ । ତେଣୁ ଦେଶ ଓ ଜାତି ଗଠନରେ ପ୍ରଜନନ-ବିଜ୍ଞାନ-ଅଧ୍ୟୟନର ଯେ ଗୁରୁ ଆବଶ୍ୟକତା ରହିଛି, ତାହା ବାଈନାନୀଙ୍କ ମୁହଁରେ ଗୋପାଳଚନ୍ଦ୍ର ପ୍ରହରାଜ ବେଶ୍‌ ନିର୍ଭୀକ ଭାବରେ ପ୍ରକାଶ କରିଥିଲେ ଏବଂ ଏହା ଥିଲା ତାଙ୍କ ସୁଚିନ୍ତିତ ବିଚାରଧାରା ସୂକ୍ଷ୍ମ ଅଭିବ୍ୟକ୍ତି ।

 

ଭାରତରେ ପରିବର୍ତ୍ତନର ଏଇ ନୂଆ ସ୍ରୋତକୁ ଭଗୀରଥଙ୍କ ପରି ଆହ୍ୱାନ କରିଥିଲେ ରାଜା ରାମମୋହନ ରାୟ । ଗୁଡ଼ାଏ କୁସଂସ୍କାର, ଅନ୍ଧବିଶ୍ୱାସର ତତଲା ତେଲ କଡ଼େଇରେ ତ୍ରାହିମାଂ ତ୍ରାହିମାଂ ବୋଲି ଚିତ୍କାର କରୁଥିବା ଭାରତୀୟମାନଙ୍କୁ ମୁକ୍ତ କରିବା ପାଇଁ ତପସ୍ୟା କଲେ-। ସଂସ୍କୃତିର ଆତ୍ମାକୁ ଚିହ୍ନିବାକୁ, ଅନୁଭବ କରିବାକୁ ସାଧନା କଲେ । ସଂସ୍କୃତ ଗ୍ରନ୍ଥଗୁଡ଼ିକର ପୃଷ୍ଠା ଆଡ଼େଇଲେ । ସୂର୍ଯ୍ୟର ଧର୍ମ ନେଇ ସେ ସମସ୍ତର ବିଶ୍ଳେଷଣ କଲେ । ସଂସ୍କୃତିର ପୋଷାଦାର ଭଡ଼ାଟିଆ ପଣ୍ଡିତ ଓ ମହନ୍ତମାନଙ୍କର ପ୍ରଦୂଷିତ ଅବବୋଧକୁ ସମାଲୋଚନା କଲେ । ପଥୁରିଆ ପାଲଟି ଆସୁଥିବା ପଙ୍କକୁ ପଦାକୁ କାଢ଼ି ଆଣିଲେ । ଯୁକ୍ତିର ତେଜରେ ଅନ୍ଧବିଶ୍ୱାସର ଆବିଳ ଜଳକୁ ପରିଷ୍କରଣ କରିବାକୁ ଚେଷ୍ଟା କଲେ । ସେମାନଙ୍କ ଗର୍ଜନ ତର୍ଜନ, ଫୁତ୍‌କାରକୁ ପ୍ରଜ୍ଞା ଓ ମୂଲ୍ୟବୋଧର ମହାମନ୍ତ୍ରରେ ନିଶ୍ଚେତନ କରିଦେଲେ । ସେଇମାନଙ୍କ ପେଟରାରୁ ଚନ୍ଦନଚର୍ଚ୍ଚିତ ପୋଥିଗୁଡ଼ିକୁ ଉଦ୍ଧାର କରି, ସେଇମାନଙ୍କର ମୁଖରେ ସେଗୁଡ଼ିକର ବ୍ୟାଖ୍ୟା କଲେ । ଇଂରାଜୀ, ସଂସ୍କୃତ ଭାଷାର ଗ୍ରନ୍ଥ ପ୍ରଣୟନ କଲେ, ଭାଷଣ ଦେଲେ । ତାଙ୍କ ଯୁକ୍ତିକୁ ଗ୍ରହଣ କରିବା ପାଇଁ ବଙ୍ଗ ପ୍ରଦେଶର ଦେବେନ୍ଦ୍ରନାଥ ଠାକୁର, ଦ୍ୱିଜେନ୍ଦ୍ରନାଥ ଠାକୁର, କେଶବ ଚନ୍ଦ୍ର ସେନ୍‌, ଶିବନାଥ ଶାସ୍ତ୍ରୀଙ୍କ ପରି ବିଦ୍ୱାନମାନେ ଆଗେଇ ଆସିଲେ । ସାଧାରଣ ଜନତା ଭିତରେ ଧର୍ମ, ସଂସ୍କୃତି, ଭାଷା ସାହିତ୍ୟ, ଜୀବନଯାତ୍ରାକୁ କେନ୍ଦ୍ରକରି ପୂରି ରହିଥିବା ଯାବତୀୟ ଆବର୍ଜନାକୁ ପରିସ୍କରଣ କରିବା ପାଇଁ ସେମାନେ ସଂକଳ୍ପବଦ୍ଧ ହେଲେ । ସଂସ୍କୃତିର ସଚେତନ ଭାଷ୍ୟକାର ସଂସ୍କାରକ ଭାବରେ ଜନତାଦ୍ୱାରା ସ୍ୱୀକୃତି ଲାଭ କଲେ । *

 

*

ବିନୟ ଗୋପାଳ ରାୟ – ରିଲିଜିଅସ୍‌ ମୁଭମେଣ୍ଟ୍‌ ଇନ୍‌ ମଡ଼ର୍ଣ୍ଣ ବେଙ୍ଗଲ୍‌ ପୃ ୫-୩୧

 

ନରବଳି, ସଂକୀର୍ଣ୍ଣ ଜାତିଆଣ ପ୍ରଥା, ବାଲ୍ୟବିଧବା, ସତୀଦାହ ପ୍ରଥା, ମଦ୍ୟପାନ, ପ୍ରବଣତା, ଭାଷା ଓ ସାହିତ୍ୟରେ ଅଶ୍ଳୀଳ ରୁଚିବୋଧ ଆଦି ବିଭିନ୍ନ ବ୍ୟବସ୍ଥା ବିରୋଧରେ ରାମମୋହନ ଏବଂ ତାଙ୍କ ସାର୍ଥକମାନେ ସାମୂହିକ ଭାବରେ ସ୍ୱର ଉତ୍ତୋଳନ କଲେ । ବ୍ରାହ୍ମଧର୍ମ ନାମକ ନୂଆ ଧର୍ମଟିଏ ମଧ୍ୟ ଜନ୍ମନେଲା । ବ୍ରହ୍ମବିଦ୍ୟାସମିତି ଇଣ୍ଡିଆନ ରିଫ୍‌ମ ଆସୋସିଏସନ, ବାମା ହିତୈଷିଣୀ ସଭାପରି ସଭାମାନ ଗଠିତ ହେଲା । ବିଷବୈରୀ, ସୁଲଭ ସମାଚାର, ତତ୍ତ୍ୱବୋଧନୀ (ବଙ୍ଗଳା), ଉତ୍କଳଶୁଭଙ୍କରୀ, ସେବକ, ସଂସ୍କାରକ (ଓଡ଼ିଆ) ଆଦି ପତ୍ରିକା, ଗାଲାଗୁଲି ଭାଷା, ମଦ ନା ଗରଲ, କଳିସଂହାର ଓ ବବ୍ରୁବାହନ ନାଟକ (ତ୍ରୈଲୋକ୍ୟ ନାଥ ସାନ୍ୟାଲ) ପରି ଲେଖାମାନ ପ୍ରକାଶ ପାଇଲା । ବ୍ରାହ୍ମଧର୍ମର ଧାରା ଫକୀରମୋହନ, ପ୍ୟାରୀମୋହନ, ଚତୁର୍ଭୁଜ ପଟ୍ଟନାୟକ, ମଧୁସୂଦନ ରାଓ, ବିଶ୍ୱନାଥ କରଙ୍କ ମାଧ୍ୟମରେ ଓଡ଼ିଶାରେ ମଧ୍ୟ ପ୍ରସାରିତ ହେଲା । ଭାରତର ବଡ଼ଲାଟ ଲର୍ଡ଼ ଉଇଲିୟମ୍‌ ବେଣ୍ଟିକ୍‌ ମଧ୍ୟ ତଥାକଥିତ ବିଦ୍ୱାନ ଓ ସଂସ୍କାରକମାନଙ୍କୁ ସାହାଯ୍ୟ କଲେ । ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ଆଇନ ପ୍ରଣୟନ କଲେ । ନାରୀମୁକ୍ତିର ନୂଆଧାରା ସମଗ୍ର ଭାରତରେ ବହୁ ଉପଧାରାରେ ବିଭକ୍ତ ହୋଇାଯାଇଥିଲା-। ପ୍ରହରାଜ ବେଶ୍‌ ଚତୁରତାର ସହ ସେ ଧାରାର ଗତିକୁ ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ସର୍ଜନାତ୍ମକ ରଚନା ମାଧ୍ୟମରେ ଆପଣାକୁ ପ୍ରକାଶ କରିବା ପାଇଁ ନିରାପଦ ଭୂମିଟିଏ ବି ଦଖଲ କରି ନେଇଥିଲେ । ନାରୀକୁ ବ୍ୟଭିଚାରିଣୀ ବେଶରେ ସଜୋଉଥିବା ପୁରୁଷମାନଙ୍କର ପୌରୁଷର ଦୁର୍ବଳ ଦିଗକୁ ନିର୍ଭୀକ ଭାବରେ ସମାଲୋଚନା କଲେ ।

 

ଜଗତର ସୃଷ୍ଟି, ସ୍ଥିତି, ପ୍ରଳୟର ହେତୁ ଏବଂ ମାତା, ଭଗିନୀ, ଜାୟା, ସେବାକାରିଣୀ, ବଂଶରକ୍ଷାକର୍ତ୍ତୀ ଭାବର ବହୁ ସମ୍ମାନର ଅଧିକାରିଣୀ ଓ ପୁରୁଷର ଅର୍ଦ୍ଧାଙ୍ଗିନୀ ରୂପରେ ବନ୍ଦିତା ନାରୀ ସାମାଜିକ ବ୍ୟବସ୍ଥା ଭିତରେ ଅବଳା, ଦୁର୍ବଳା, ଅବିଶ୍ୱାସୀ, କୁଳ-କଳିଙ୍କିନୀ, କୁଳଟା ସବୁକିଛି ହୋଇ ସାରିଥିଲା । କଥାକଥାକେ ପୁରୁଷମାନେ, ବିରୋଧୀ ଓ ବିପକ୍ଷମାନଙ୍କର ନିରୀହ ମାତା ଭଗିନୀ, ସ୍ତ୍ରୀ, କନ୍ୟାମାନଙ୍କର ଇଜ୍ଜତର ଶ୍ରାଦ୍ଧ ପକୋଉଥିଲେ । ସେମାନଙ୍କୁ ଦୁନିଆଯାକର ନାସନା ଗାଳି, ନିନ୍ଦାର ଅଧିକାରିଣୀ କରାଯାଉଥିଲା । ପୁରୁଷ ପୁଏ ଦୋଷ କରି ମାଇପି ଜାତିର ଉପରେ କଷି ଦେବାକୁ ପଛୋଉନଥିଲେ । (ବା.ନା.ବୁ.ପୃ.୫,୬,୭) ସେମାନଙ୍କ ଶରୀର, ମନ ଓ ଆତ୍ମା ଉପରେ ଅମଣିଷଙ୍କ ପରି ଅତ୍ୟାଚାର କରିବାକୁ ସୁଖ ମଣୁଥିଲେ । ଅଥଚ ସେଇମାନଙ୍କ ତ୍ୟାଗରେ ଗୋଟିଏ ସଭ୍ୟ, ସଂସ୍କୃତ ଜାତିର ମଞ୍ଜମାନ ତିଆରି ହୁଅନ୍ତି ବୋଲି ଶାସ୍ତ୍ରଜ୍ଞମାନେ ଗଦାଗଦା ପୋଥି ଲେଖିଥିଲେ । ସମାଜରେ ଶୃଙ୍ଖଳା, ଆଦର୍ଶ ନୀତିନିୟମଙ୍କୁ ଆଳ କରି ଯେଉଁ ଖୁମ୍ବମାନ ପୋତାଯାଏ, ସାମାଜିକ ବୋଲେଇ ହେଉଥିବ ବିଶିଷ୍ଟମ ସେ ଖୁମ୍ବର ଅନ୍ଧାର ପାଖରେ ତାର ବିପରୀତଧର୍ମୀ କାଣ୍ଡକାରଖାନମାନ ଭିଆନ୍ତି । ଖୁମ୍ବ କେବଳ ଦେଖିବା ଓ ଦେଖେଇବା ଲାଗି ପୋତାଯାଇଥାଏ । ଅସରଣିଆମାନଙ୍କୁ ଭୟ ଦେଖେଇ ତାକୁ ଛୁଇଁବା ପାଇଁ ବାଧ୍ୟ କରାଯାଏ । ସେଇମାନଙ୍କ ଉପରେ ପାପବୋଧର ପଚରା ମଳ ନେସି ଦିଆଯାଏ । ଖମ୍ବାରୋହୀମାନେ ଭିତରେ ଭିତରେ ଖାଲି ଭୋଗ କରୁଥାନ୍ତି, ପୁଲକିତ ହେଉଥାନ୍ତି । ନାରୀଜାତିକୁ କେନ୍ଦ୍ର କରି ସାମାଜିକ ବ୍ୟବସ୍ଥା ଭିତରେ ଠିକ୍‌ ତାହାହିଁ ହୋଉଥିଲା ନୀତିପ୍ରଣେତାମାନଙ୍କ ଦ୍ୱାରା । ମହାନ୍‌ ମୂଲ୍ୟବୋଧ ଭିତରେ ଦୁରାରୋଗ୍ୟ ବ୍ୟାଧିର ଉପସର୍ଗ ଭରିଯାଇଥିଲା । ତେଣୁ ଯୁକ୍ତି ଓ ବିବେକର ସମାର୍ଜନୀ ହାତରେ ଧରି ସଂସ୍କାରକମାନେ ଆବର୍ଜନାଗୁଡ଼ିକୁ ପରିଷ୍କାର କରିବାପାଇଁ ଆଗେଇ ଆସିଲେ ।

 

ରାଜା ରାମମୋହନ ଓ ଲର୍ଡ଼ ବେଣ୍ଟିକ୍‌ଙ୍କ ପରି ମନୀଷୀ ପ୍ରଥମେ ସତୀଦାହ (୧୮୨୯) ପରି ଆମାନୁଷକ ପ୍ରଥାର ବିରୋଧ କଲେ । ଏଥିପାଇଁ ନୀତି ଓ ଆଇନ୍‌ର ଆଶ୍ରୟ ନେଲେ । * ଅଶାସ୍ତ୍ରୀୟ ବ୍ୟଭିଚାରଗ୍ରସ୍ତ ଓ ସଂପତ୍ତିଲୋଭୀ ଦଲାଲମାନଙ୍କୁ କାରାଗାରରେ ସଢ଼ିବାର ସୁଯୋଗ ଦେବାପାଇଁ ବ୍ୟବସ୍ଥା କରାଗଲା । ଅବଶ୍ୟ ୧୮୨୯ ମସିହା ପରେ ଓଡ଼ିଶାରେ ସତୀଦାହ ପ୍ରହସନ ଏକରକମ ବନ୍ଦ ହୋଇଆସିଲା । ମାତ୍ର ବାଲ୍ୟବିବାହ ଓ ବାଲ୍ୟବିଧବାକୈନ୍ଦ୍ରିକ କୁପ୍ରଥାର ପ୍ରଭାବ ଉଣା ହେବାର ସମ୍ଭାବନା ଦେଖା ଦେଇନଥିଲା ।

 

*

ପି.ଇ. ରବର୍ଟ – ହିଷ୍ଟ୍ରି ଅଫ୍‌ ଇଣ୍ଡିଆ – ପୃ ୩୦୩ ।

 

ଖାଇସାରି ହାତଧୋଇ ଜାଣି ନ ଥିବା ସାତ ଆଠ ବର୍ଷର ଝିଅମାନଙ୍କୁ ‘‘କନିଆ ଦଶା, କର ତିରିଶା’’ ନ୍ୟାୟରେ ଦରବୁଢ଼ା ଓ ବୁଢ଼ାବରମାନଙ୍କ ହାତରେ ଛନ୍ଦି ଦିଆଯାଉଥିଲା । କନ୍ୟାସୁନାର ଲୋଭରେ ଏବଂ ଅବବାହିତ କନ୍ୟାକୁ ଆପଣା ଗୃହରେ ରଜୋବତୀ ହେବାର ଅପନିନ୍ଦା ନ ଲଭିବାର ଆଳରେ ବାଳୁତ ବିବାହର ଲୀଳା ଚାଲିଥିଲା । ସଂସାରର ସୁଖ-ସଚେତନ ନ ହେବା ପୂର୍ବରୁ ବିଚାରୀମାନଙ୍କୁ ଆଚାର, ବିଚାର, ଆଦର୍ଶର ଅର୍ଗଳି ଭିତରକୁ ଠେଲି ଦିଆଯାଉଥିଲା । ବିଧବା ହେବାପାଇଁ ଯେମିତି ସେମାନଙ୍କର ଜନ୍ମ । ସ୍ୱାଭାବିକ ଦେହଧର୍ମର ଆବେଦନକୁ ଅସ୍ୱୀକାର କରି ନ ପାରି ଯେଉଁମାନେ ମଙ୍ଗଟାଏ ଧରି ପକୋଉଥିଲେ, ସେମାନଙ୍କ ଚାରିପାଖରେ ଅପବାଦର ବାଜା ବାଜୁଥିଲା । ଅପବିତ୍ର ଅସତୀ ପରି କେତେ କେତେ ଅଳଂକାରରେ ସେମାନଙ୍କ ଅପାପଗ୍ରସ୍ତ ଦେହକୁ ପରିମଣ୍ଡନ କରାଯାଉଥିଲା । ବିଧି ଓ ଶୃଙ୍ଖଳା ବିରୋଧୀ ବେଶରେ ସେମାନଙ୍କୁ ସମାଜରୁ ବାସନ୍ଦ କରାଯାଉଥିଲା । ସେମାନଙ୍କୁ ବାରବିଳାସିନୀ, ବାରବଧୂ ବୋଲି ବୋଳଣା ଦିଆଯାଉଥିଲା । ସେମାନଙ୍କର ଦେହର ଗନ୍ଧ ପ୍ରସରି ଯାଉଥିବା ଇଲାକା, ରୌରବ ନରକରେ ରୂପାନ୍ତରିତ ହୋଇଯାଉଥିଲା । ଆଉ ସବୁଠୁ ମଜାର କଥା-ସେଇମାନଙ୍କର ମନ୍ଦିର ମୁହଁରୁ ପବିତ୍ରମାଟି ଚିମୁଟାଏ ନ ଆଣିଲେ ଦେବକାର୍ଯ୍ୟ କାଳେ ସମାହିତ ହୋଇପାରୁ ନ ଥିଲା, କାରଣ ଯେଉଁ ବୀରପୁଙ୍ଗବମାନେ ସେମାନଙ୍କ ବାରବଧୂତ୍ୱକୁ ବିଧିମତେ ବେଭାର ଓ ପରିପୋଷଣ କରୁଥିଲେ, ସେମାନଙ୍କ ଛତରା ଆତ୍ମାଗୁଡ଼ାକ କାଳେ ଥିଲା ଭାରି ପବିତ୍ର-। ପରହାଣ୍ଡିଭଙ୍ଗା ରସିକ ପୁରୁଷପୁଙ୍ଗବମାନେ ଥିଲେ ନିର୍ଦ୍ଦୋଷ । ତାହା ଥିଲା ସେମାନଙ୍କ ପୌରୁଷର ପରିଚୟ । ସେମାନେ ପିତ୍ତଳହାଣ୍ଡି । ଦେହରେ ବାଲି ପାଉଁଶ ପକେଇ, ପୋଖରୀର ସେମାନେ ଘସିମାଜି ହୋଇଆସୁଥିଲେ ଏବଂ ଯେଉଁ ଧବମୁଖଦର୍ଶନ-ବଞ୍ଚିତା ଓ ବିସ୍ମିତାମାନେ ନୂତନଧବ ଗ୍ରହଣ କରୁଥିଲେ, ସାଧବୀ ହେଉଥିଲେ, ଉଭୟଙ୍କୁ ନାକ ଘସିବାକୁ ପଡ଼ୁଥିଲା ସମାଜ ଆଗରେ । ଏପରିକି ଦେଶ ଛାଡ଼ିବାକୁ ସେମାନେ ବାଧ୍ୟ ହେଉଥିଲେ ।

 

*

ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ-ଉନବିଂଶ ଶତାବ୍ଦୀର ଓଡ଼ିଶା (୧ମ ଭାଗ) ପୃ ୪୫-୪୭

 

ପ୍ରହରାଜ ସମାଜର ସିଆଣିଆ ବଡ଼ପଣ୍ଡାମାନଙ୍କୁ ବଡ଼ ଚତୁର ଭାବରେ ଛିଗୁଲେଇଥିଲେ, ‘‘ସମସ୍ତେ ସଧବା ରହିଲା ନାରୀମାନଙ୍କ ଅଳଙ୍କାରବିଶେଷ ଯଥା ସୁନା, ରୂପା, କାଚ ଓ ଶାଢ଼ୀର ମୂଲ୍ୟ ବଢ଼ିଯିବ ଏବଂ ରସିକମାନେ ଅସୁବିଧାରେ ପଡ଼ିବେ । ଠାକୁର ସେବା ନିମନ୍ତେ ବଡ଼ ବଡ଼ ତୀର୍ଥରେ ମାତାଜୀ, ଦେବଦାସୀମାନଙ୍କର ଅଭାବ ପଡ଼ିବ ଓ ପୁରୁଷୋତ୍ତମ, ବୃନ୍ଦାବନ, ନବଦ୍ୱୀପ ଆଦି କ୍ଷେତ୍ରର ସମ୍ମାନ ମାଟି ହୋଇଯିବ । ବ୍ରତ ଉପବାସକାରିଣୀମାନଙ୍କ ଅଭାବ ପଡ଼ିବ ଓ ସମାଜର ଧର୍ମ ନଷ୍ଟ ହୋଇଯିବ । ସ୍ତ୍ରୀମାନେ କଳି କରିବାକୁ ଭୟ କରିବେନି । ବିଧବା ବିବାହ ହେଲେ ଭଣ୍ଡାରୁଣୀର ଆୟରେ ଧୂଳି ପଡ଼ିଯିବ । ବର୍ତ୍ତମାନ ସ୍ୱାମୀଙ୍କ ଅନ୍ତେ ଆଉ ଅରକ୍ଷିତ ହୋଇ ରହିବାର ଭୟ ଲୋପ ପାଇଲେ, ସେମାନେ ସ୍ୱାମୀମାନଙ୍କୁ ଦେବତା, ଇହକାଳ ପରକାଳର ମୁକ୍ତିଦାତାଭାବେ ସମ୍ମାନ ଦେଖେଇବା ପରିବର୍ତ୍ତେ ପଦାଘାତ କରିବେ । ଦେଶୀୟ ରାଜାମାନଙ୍କ ଅନ୍ତଃପୁରରେ ସୂପକାରୀମାନଙ୍କର ଅଭାବ ପଡ଼ିବ । କଲିକତାରେ ମା’ କାଳୀଙ୍କ ସେବାପୂଜା ବନ୍ଦ ହୋଇଯିବ । ଅନେକ ଗୁପ୍ତ ଔଷଧ ବ୍ୟବସାୟୀଙ୍କ ଆୟରେ ବାଧା ପଡ଼ିବ । ଯେଉଁମାନଙ୍କ କୁଳରେ ବାଲ୍ୟବିବାହ ପ୍ରଚଳିତ, ସେମାନଙ୍କର ଅନେକଗୁଡ଼ିଏ କନ୍ୟା ଅଭିଆଡ଼ୀ ହୋଇ ରହିବେ । ଲୋକେ ଅନୁଭବବିଶିଷ୍ଟା, ପ୍ରାପ୍ତବୟସ୍କାଙ୍କୁ ବିବାହ ହେବାର ସୁଯୋଗ ପାଇଲେ ଅନାଡ଼ୀ, ଅପ୍ରାପ୍ତ , ଧର୍ମ-ବନ୍ଧନ, ଅକାଟ୍ୟ, ଅଚ୍ଛେଦ୍ୟ, ଅଭେଦ୍ୟ. ଅଦାହ୍ୟ, ଅକ୍ଳେଦ୍ୟ, ଅଶୋଷ୍ୟ, ଅଶୋଚ୍ୟ-ଶୃଙ୍ଖଳ’’ ପରି ବିଶେଷ କଥନକୁ ଭାଣ୍ଡାମି ଭାବରେ ଗ୍ରହଣ କରିଥିଲେ । କେବଳ ସ୍ୱାମୀର ନୁହେଁ, ପରିବାରର ସକଳଙ୍କର ସେମାନେ ପରିଚାରିକା, ଦାସୀତୁଲ୍ୟା । ସମସ୍ତଙ୍କ ମାଡ଼ ସହିବାପାଇଁ ସେମାନଙ୍କ ଜନ୍ମ । ଯନ୍ତ୍ରଣାରେ ଆଉଟିପାଉଟି ହେବା ସେମାନଙ୍କର କପାଳଲିଖନ । ସେମାନେ ପରାଧୀନ । ବିବାହ ଚୁକ୍ତିଗତ ଦାସତ୍ୱ ଶୃଙ୍ଖଳ । ପୁରୁଷମାନେ ସେମାନଙ୍କୁ ସ୍ୱାଧୀନତା ନ ଦେବାର ପ୍ରଧାନ କାରଣ ସେମାନେ ସ୍ୱାଧୀନା ହେଲେ ଅସଲ ଆକ୍ଷିଦେଇ ଆପଣାର ସୁପୁରଷମାନଙ୍କର ଅସଲ ପରୁଷପଣିଆକୁ ଦେଖି ପକେଇଲେ, ବ୍ୟଭିଚାରଗୁଡ଼ାକ ପଦାରେ ପଡ଼ିଯିବ । (ବା. ନା. ବୁ. ପୃ ୨୧-୨୨) ତେଣୁ ପ୍ରହରାଜ ନାରୀସମାଜର ରାଜନୀତିକ, ସାମାଜିକ, ଆର୍ଥନୀତିକ ସ୍ୱାଧୀନତା ପକ୍ଷରେ ଯୁକ୍ତି କରିଥିଲେ ଏବଂ ସେଥିପାଇଁ ନ୍ୟାୟଳୟର ସାହାଯ୍ୟ ନେବାକୁ ଆଗେଇ ଯାଇଥିଲେ । ଆପଣା ପୋଥିପାଠକୁ ବାଇଗଣ କିଆରୀରେ ରୂପାନ୍ତରିତ କରିଥିଲେ । ଜଣେ ଆଇନଜୀବୀ ଭାବରେ ଯାହା ଯେମିତି କରିବାର କଥା, ତାର ବାଟ ତିଆରି କରୁଥିଲେ ।

 

ବିଶେଷତଃ ପିତ୍ରାଳୟ ଓ ଶ୍ୱଶୁରାଳୟର ସଂପତ୍ତିରେ ମହିଳାମାନଙ୍କର ଅଧିକାରକୁ କେନ୍ଦ୍ରକରି ପ୍ରହରାଜ କେତେକ ମୌଳିକ ପ୍ରଶ୍ନ ଉପସ୍ଥାପନ କରିଥିଲେ ବିଚାରାଳୟରେ । ‘‘କନ୍ୟାମାନେ ପୈତୃକ ସଂପତ୍ତିରୁ ଅଂଶ ପାଇବେ ନାହିଁ । ବୈଧବ୍ୟ ଯନ୍ତ୍ରଣା ଭୋଗୁଥିଲାବେଳେ ମଧ୍ୟ ଆପଣା ଘରେ ପରଝିଅ ହୋଇ କାଳ କାଟିବେ । ମୃତ ସ୍ୱାମୀଙ୍କର ଆଉ କେହି ନିକଟ ଉଆରସ (ପୁଅ, ଭାଇ, ପୁତୁରା ଇତ୍ୟାଦି) ନ ଥିଲେ, ସ୍ୱାମୀଙ୍କ ସଂପତ୍ତିର ଉଆରସ ହେଲେ ସୁଦ୍ଧା, ସଂପତ୍ତିର ଆୟ ଭୋଗ କରିପାରିବେ, ତାହା ବିକ୍ରି, ଖରିଦ, ବନ୍ଧକ ଆଦି କୌଣସି ପ୍ରକାରେ ହସ୍ତାନ୍ତର କରିପାରିବେ ନାହିଁ ।’’ ସ୍ତ୍ରୀର ସଂପତ୍ତିରେ ସ୍ୱାମୀଙ୍କର ପୂର୍ଣ୍ଣ ଅଧିକାର ରହିବ ଏବଂ ସେମାନଙ୍କର ଚରିତ୍ର ଦୋଷ ଘଟିଲା ମାତ୍ରକେ, ସେମାନେ ପତିତ, ତ୍ୟକ୍ତ, ବିଡ଼ମ୍ବିତ, ଲାଞ୍ଚିତ, କୁଳରୁ ଏବଂ ବଂଶରୁ ବିତାଡ଼ିତ ହେବାର ବ୍ୟବସ୍ଥାକୁ ମଧ୍ୟ ସେ ବିରୋଧ କରିଥିଲେ । ଏପରିକି ୧୮୫୬ ମସିହାରେ ସରକାରଙ୍କଦ୍ୱାରା ପ୍ରବର୍ତ୍ତିତ ହିନ୍ଦୁ ବିଧବା ପୁନର୍ବିବାହ ଆଇନକୁ ମଧ୍ୟ ସମାଲୋଚନା କରିଥିଲେ । ‘‘ବିଧବା ବିବାହ ଆଇନାନୁମୋଦିତ ହୋଇଥିଲେ ସୁଦ୍ଧା, ପୁନର୍ବିବାହିତା ସ୍ୱାମୀଙ୍କ ସଂପତ୍ତିର ଅଧିକାରିଣୀ ହୋଇପାରିବେ ନାହିଁ, ଏବଂ ବିବାହ କଲାମାତ୍ରେ ଯେ ସଂପତ୍ତିକୁ ତ୍ୟାଗ କରିବାକୁ ପଡ଼ିବ । ବିଧବାର ଚାରିତ୍ରିକ ସ୍ଖଳନ ପ୍ରମାଣିତ ହେଲେ ଯେ ସ୍ୱାମୀଙ୍କ ସଂପତ୍ତି ଭୋଗ କରିପାରିବ ନାହିଁ, ମାତ୍ର ତାହା ସଂପତ୍ତି ଭୋଗ କଲାପରେ ଯଦି ଏ ଦୋଷରେ ସୂଚନା ମିଳେ, ତେବେ ସେ ତାହା ଭୋଗ କରିପାରିବ ।’’ (ବା.ନା.ବୁ/ପୃ୨-୬) ସରକାରଙ୍କ ଏ ଆଇନ ବ୍ୟଭିଚାରର ବାଟ ସଫା କରିଦେଇଛି ବୋଲି ପ୍ରମାଣିତ କରିଥିଲେ ।

 

ଆପଣାର ସହକର୍ମିଣୀ, ବାଳୁତ ବିଧବା ପୀତାମ୍ବରୀ ଦେବୀ ଓରଫ ବାଈନାନୀଙ୍କୁ କୂଳରେ ଲଗେଇବା ପାଇଁ ପ୍ରହରାଜେ ଖୁବ୍‌ ଚେଷ୍ଟା କରିଥିଲେ । ପୀତାମ୍ବରୀଙ୍କ ଆତ୍ମୀୟମାନେ ସ୍ୱାମୀଙ୍କ ସଂପତ୍ତି ଭୋଗରୁ ତାଙ୍କୁ ବଞ୍ଚିତା କରିବା ପାଇଁ ସବୁ ପ୍ରକାରର ଚକ୍ରାନ୍ତ କରିଥିଲେ । ସେମାନେ ନ୍ୟାୟଳୟର ଆଶ୍ରୟ ନେଇଥିଲେ ଏବଂ ପ୍ରହରାଜେ ନାଲି କୋଠାରେ ବେଶ୍‌ ଚତୁର ଭାବରେ ସେମାନଙ୍କ କାନଧରି ବସ୍‌ଉଠ୍‍ କରେଇଲେ । ପୀତାମ୍ବରୀ ‘‘ବେୱା’’ ‘‘ଦେବୀ’’ ହୋଇଥିଲେ । ସ୍ୱାମୀଙ୍କ ସଂପତ୍ତିର ଉଆରସ ହୋଇଥିଲେ । ଗୋପାଳ ପ୍ରହରାଜ ଅସହାୟ ବାଲ୍ୟବିଧବାର ତତ୍ତ୍ୱାବଧାରକ ଭାବରେ ସ୍ୱୀକୃତି ପାଇଲେ । ପୀତାମ୍ବରୀ ଓ ପ୍ରହରାଜେ ସ୍ୱାମୀ ସ୍ତ୍ରୀ ପରି ଚଳୁଥିଲେ ସୁଦ୍ଧା ତାଙ୍କୁ ସେ ପତ୍ନୀ ଭାବରେ ଗ୍ରହଣ କରି ନ ଥିଲେ । ସୀମନ୍ତିନୀ ବେଶରେ ସଜେଇ ନ ଥିଲେ । ସରକାରୀ ନିୟମ ଓ ସାମାଜିକ ପ୍ରତିଷ୍ଠାର ଆଳରେ ବୋଧହୁଏ ସେ ତାହା କରିପାରି ନ ଥିଲେ । ନିଜ ଉପରେ, ପୀତମ୍ବରୀଙ୍କ ଚରିତ୍ର ଉପରେ ପବିତ୍ର ଗଙ୍ଗାଜଳ ସିଞ୍ଚନକଳାରେ ସଫଳତା ଲାଭ କରିଥିଲେ । ମାତ୍ର ‘‘ପାଶବ ଶକ୍ତି ବଳରେ ନାରୀମାନଙ୍କୁ ପରିଚାରିକା, ପଦସେବିକା, କ୍ରୀଡ଼ା ପୁତ୍ତଳିକା, ସନ୍ତାନୋତ୍ପାଦିକ ପାକଶାଳିକା, ଅନ୍ତଃକାଳିକା, ବହିର୍ଦ୍ୱାରିକା, ଚରଣସଂଚାଳିକା, ତୈଳମର୍ଦ୍ଦିକା, ଇନ୍ଧନକର୍ତ୍ତିକା, ଜଳୋତ୍ତୋଳିକା, ଭାରବାହିବା’’ (ବା.ନା.ବୁ.ପୃ ୩) ନିଗୃହୀତା, ବନ୍ଦିନୀ ଓ କଳଙ୍କିନୀ କରିଥିବା ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା ଭିତରୁ ମୁକ୍ତ କରିବାପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ. ରାଷ୍ଟ୍ରର ସକଳ ବ୍ୟବସ୍ଥାରେ ପୁରୁଷମାନଙ୍କ ସମଧର୍ମୀ କରିବାପାଇଁ ଯେଉଁ ଯୁକ୍ତି କରୁଥିଲେ, ତାହା ତାଙ୍କ ଜୀବଦ୍ଦଶାରେ ସଫଳତାର ସୀମା ଛୁଇଁ ଛୁଇଁ ଆସୁଥିଲା । ସାରଦା ଆଇନ ପ୍ରବର୍ତ୍ତିତ ହେଲା ୧୯୩୬ ମସିହାରେ ଏବଂ ତାର କିଛିବର୍ଷ ପରେ ମହିଳାମାନେବି ରାଜନୀତିକ ସ୍ୱାଧୀନତା ଲାଭ କଲେ । ଦାସତ୍ୱ, ପରାଧୀନତାର ଅନ୍ଧକାରଭିତରୁ ନାରୀସମାଜ ମୁକ୍ତିର ଆଲୋକ ଆଡ଼କୁ ଆଗେଇ ଆସୁଥିଲା । ପ୍ରହରାଜ ଓଡ଼ିଶା ମାଟିରେ ସେ ଆଲୋକର ଥିଲେ ସଂବାହକ ଏବଂ ନାରୀଶିକ୍ଷା ସମାଜିକ ବ୍ୟବସ୍ଥା ଭିତରେ ଥିବା ସକଳ କଳୁଷକୁ ଦୂର କରିଦେଇ ପାରିବ ବୋଲି ଆଶାପୋଷଣ କରିଥିଲେ । (ନ.ବ.ଉ.ସର. ୧୯ ଶ ୭ମ-୧୩୨ ୩ ପୃ ୩୧୫) ।

 

ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଭାରତୀୟମାନଙ୍କ ଘର ଭିତରେ ଅନ୍ଧବିଶ୍ୱାସ, କୁସଂସ୍କାର, ସଂକୀର୍ଣ୍ଣ ବିଚାରଧାରାର ଅନ୍ଧାର ଦୂରେଇ ଦେବାରେ ଅନେକଭାବରେ ସହାୟକ ହୋଇଥିଲା ସତ, ମାତ୍ର ସେମାନଙ୍କ ଚେତନାରେ ସେ ଅନ୍ଧାର ଆହୁରି ଅଧିକରୁ ଅଧିକ ଜମାଟ ବାନ୍ଧି ଆସୁଥିଲା । ସେମାନଙ୍କ ବାହାର ଆଖିଗୁଡ଼ାକ ନୂଆପବନରେ ଖୋଲି ହେଇଯାଉଥିଲା । ମାତ୍ର ଭିତର ଆଖିଗୁଡ଼ାକ ବଡ଼ ଦୟନୀୟଭାବେ ଆତ୍ମସ୍ୱାର୍ଥ, ଅହଂକାରର ବଳିକାଠରେ ଲାଖି ରହୁଥିଲା । ସେମାନେ ନିଜର ଟୁବିଗଡ଼ିଆଟିକୁ ହିଁ ମହାସମୁଦ୍ର ରୂପରେ ଗ୍ରହଣ କରିନେଇଥିଲେ । ଆଉ କାହା ଉପରେ ଅମୃତ ବରଷିବାକୁ ବିମୁଖତା ପ୍ରକାଶ କରୁଥିଲେ । ମୂଲ୍ୟବୋଧ, ଆଦର୍ଶ, ନୈତିକତା, ପାରସ୍ପରିକ ସଂପର୍କବୋଧ, ଏ ଶବ୍ଦଗୁଡ଼ାକ ସେମାନଙ୍କ ନିକଟରେ ମୂଲ୍ୟହୀନ ହେଇପଡ଼ିଲା । ସେମାନେ କଥାକଥାକେ ସମ୍ଭ୍ରାନ୍ତ ଶବ୍ଦଗୁଡ଼ିକ ଉଚ୍ଚାରଣଦ୍ୱାରା ସ୍ୱର୍ଗୀୟଭାବର ବ୍ୟବସାୟ ଆରମ୍ଭ କରିଦେଲେ । କେତେଭଙ୍ଗୀରେ ଛଇଛଟକ ଦେଖେଇଲେ । ଯେଉଁ ଜାତି ଭାବର କିଣାବିକା କରେ ସେ ଜାତି ହୁଏ, ଭାରତ, ଓଡ଼ିଶାରେ ତାହାହିଁ ହେଲା । ମଦନଭୂଷୁଣ୍ଡାମାନେ ପ୍ରମତ୍ତ ନୃତ୍ୟ କରିବାରେ ଲାଗିଲେ । ସଂସ୍କୃତିରେ ଯାହା ଥିଲା ପ୍ରହରାଜେ ତାକୁ ଅନୁଭବ କରିଥିଲେ । ଯାହା ଆସିଲା ତାକୁ ବି ଦେଖିଥିଲେ । ଏ ଉଭୟ ଭିତରେ ଯାହାସବୁ ଗ୍ରହିତବ୍ୟ, ସେତକକୁ ଆନ୍ତରିକତାର ସହିତ ଗ୍ରହଣ କରିନେଲେ । ସେଦିନ ପାଶ୍ଚାତ୍ୟଶିକ୍ଷାରେ ବଳୀୟାନ ନାଗରିକମାନଙ୍କ ଦ୍ୱାରା ଦେଶ କ’ଣ ନାଇ କ’ଣ ହୋଇଯିବ ବୋଲି ସେ କଳ୍ପନା କରିଥିଲେ । ତାଙ୍କ କଳ୍ପନା ସଉଧର ପଥରସବୁ ବଡ଼ ଆଶ୍ଚର୍ଯ୍ୟଜନକ ଭାବରେ, ପ୍ରତି ମୁହୂର୍ତ୍ତରେ ଖଣ୍ଡଖଣ୍ଡ ହୋଇ ଖସି ପଡ଼ୁଥିଲା । ସେ କେବଳ ଚାହିଁ ରହିଥିଲେ-ଭାଙ୍ଗିଯାଉଥିବାର ଦୟନୀୟ ଦୃଶ୍ୟର ଯନ୍ତ୍ରଣାକୁ ଅନୁଭବ କରୁଥିଲେ, ବିଳାପ କରୁଥିଲେ ।

 

ସବୁ କଥା ବଦଳୁଛି । ବଦଳିବ । ବଦଳିବାର ସ୍ରୋତକୁ କେହି ଇଚ୍ଛାକରି ବାନ୍ଧିରଖି ପାରେ ନାହିଁ । ତାର ଗତିରୋଧ କରିବାକୁ ଚେଷ୍ଟା କଲା ସେ ଡେଇଁପଡ଼େ । ମାତ୍ର ସ୍ରୋତରେ ଭାସିଯିବାହିଁ ସବୁଠାରୁ ବଡ଼ ବିପଦ । ତାର ତୋଡ଼ ସହି, ଅନକୂଳ ଓ ପ୍ରତିକୂଳ ଗତିରେ ବିଚରଣ କରି ବଞ୍ଚିବାହିଁ, ଅସଲ ବଞ୍ଚିବା । ସମସ୍ତଙ୍କଦ୍ୱାରା ଏହା ସମ୍ଭବ ହୁଏନା । ସ୍ରୋତର ଅନୁକୂଳ ଗତିକୁ ହିଁ ଅଧିକ ଲୋକ ସମ୍ମାନ ଦିଅନ୍ତି । ଆଦରି ନିଅନ୍ତି । ସେହିମାନେ ହିଁ ସବୁ ସମସ୍ୟାସୃଷ୍ଟିର କାରଣ । ବାଡ଼ ଓପାଡ଼ିବାରେ ସେମାନଙ୍କର ଆନନ୍ଦ । ପୋତିବା କଳା ସେମାନଙ୍କୁ ଜଣାନଥାଏ । ଆଧୁନିକ ସଭ୍ୟତାର ଗତିରେ ବିଭଳିତ ଆଧୁନିକୀମାନେ ବାଡ଼ଗୁଡ଼ାକ ଓପାଡ଼ି ପଦା କରିଦେବାର ଅନ୍ଧ ଆଦର୍ଶ ନେଇ ପାଦ ପକେଇଲେ । ତାର ଭିତରେ ପ୍ରଚଣ୍ଡ ପୌରୁଷର ତେଜ ଅଛି ବୋଲି ଅନୁଭବ କଲେ । ନୂଆ କିଛି ସର୍ଜନା କରିବା ଶକ୍ତି ସେମାନଙ୍କର ଲୋପ ପାଇଲା । ପ୍ରଗତି ନାଁରେ ଯାବତୀୟ ଦୁର୍ଗତୀକୁ ସେମାନେ ଆବାହାନ କରିଆଣିଲେ ଘର ଢିଅ ଉପରକୁ । ସେଇଠି ଅତି ଗତିର ତାମସା ଚାଲିଲା । ଅସଲ ଗତିକୁ ମାଟିତଳେ ପୋତି ପକେଇ ତାରି ଉପରେ ଖେମଟା ନାଚର ଭେଳିକି ଦେଖେଇଲେ । ଇଂରେଜ ସଭ୍ୟତାର ସ୍ରୋତ ଏ ମାଟି ଉପରେ ତାହାହିଁ କଲା । ତାର ପାଶବିକ ଗତି ବେଗରେ ଏ ମାଟିକୁ ସମୁଦ୍ରରେ ଶେଷ କରିଦେବା ପାଇଁ ସୁବୁପ୍ରକାରର ବାଜିଗରି ଦେଖେଇଲେ । ତାର ଦୌରାତ୍ମ୍ୟରେ ଉର୍ବର ମସ୍ତିଷ୍କଧାରୀମାନେ ବର୍ବରରେ ରୂପାନ୍ତରିତ ହୋଇଗଲେ । ପ୍ରହରାଜଙ୍କ ଭାଷାରେ ‘‘ନବ୍ୟସଭ୍ୟତା ମାଘମାସର କୁହୁଡ଼ି ପରି ଚଞ୍ଚଳ ମାଡ଼ିଆସିଲା । (ବା ପାଂ ୬ଷ୍ଠ ବିଡ଼ା) ସେଠୁ ମୂକୁଳିବାର ସମସ୍ତ ସମ୍ଭାବନା ଯେମିତି ମଉଳି ଆସୁଥିଲା ।’’

 

ଏ କୁହୁଡ଼ିର ପ୍ରଥମ ଶିକାର ହେଲେ ନୂଆ କରି ଇସ୍କୁଲ ଓ କଲେଜ ମାଡ଼ୁଥିବା ପାଠୁଆମାନେ । ଇଂରାଜୀ ଦି ଅକ୍ଷର ପଢ଼ି ସେମାନେ ନିଜକୁ କ’ଣ ନାଇଁ କ’ଣ ବୋଲି ଭାବି ମନେ ମନେ ସାହେବ ହେଇଗଲେ । କଳାଚମ ରାତି ପାହିଲାବେଳକୁ ଧଳା ହେଇଗଲା । ନୂଆ ଡାଆଣୀଙ୍କ ପରି ପଡ଼ିଆ, ରାସ୍ତା କଡ଼ରେ ଶୁଖିଲା, କଞ୍ଚା ଆଦି ଯେତେପ୍ରକାର ମଳ ଥିଲା, ସବୁକୁ ପେଟ ଭିତରା ଠୁଳ କରିପକେଇଲେ । ଆକାଶକୁ ହାତମୁଠାରେ ଧରିପକେଇବାର ସମ୍ଭାବନାରେ ନିଜକୁ ଗର୍ଭିଣୀ ବୋଲି ହୁଂକାର ଛାଡ଼ିଲେ । ନିଜକୁ ଥରେ ନିରକୁଂଶ ବୋଲି ଗ୍ରହଣ କରିନେଲା ପରେ ମଣିଷ ଯୋଉ ତାମସା କରେ, ଏ ଦେଶରେ ସେଇ ସବୁହିଁ ଆରମ୍ଭ ହୋଇଗଲା । ଜୀବନକୁ ଉପଭୋଗ କରିବାର ବିଭବ ଯେତେବେଳେ ପରିପୂର୍ଣ୍ଣ ଭାବରେ ହାତପାହାନ୍ତାରେ ମିଳିଯାଏ, ମଣିଷ ଆପଣାକୁ ଭୋଗ୍ୟ, ଯୋଗ୍ୟ ବୋଲି ଗ୍ରହଣ କରିନିଏ । ସେ ଏକାବେଳକେ ସେଇ ସମୁଦ୍ରଟି ଭିତରେ ଡୁବମାରେ । ନୂଆ ଡାହାଣୀମାନେ ତାହାହିଁ କଲେ ଏ କାମକୁ ଅସଲ ପୁରୁଷାର୍ଥ ଭାବରେ ଗ୍ରହଣ କଲେ ।

 

ଆଧୁନିକମାନଙ୍କର ପ୍ରଥମ କାମ ହେଲା ପଞ୍ଚ‘ମ’କାର ସାଧନା । ମଦମତ୍ତ ହେବାର ମୋଦକ ନ ପଡ଼ିଲେ-ସେମାନଙ୍କ ଦେହ ଚଳିବା ସମ୍ଭବ ହେଲାନି । ସେମାନେ ଗର୍ବର ସହିତ ତାଙ୍କରି ବନ୍ଦନା କଲେ । କହିଲେ, ହେ ପରାପର ମୋଦକ ଦେବ, ଯେ ତୁମ୍ଭର ଭକ୍ତ ନୁହେଁ. ମନୁଷ୍ୟ ନୁହେଁ, ହେ ଭକ୍ତ ବାଞ୍ଛାବିଧାୟକ କଳ୍ପତରୁ, ତୁମ୍ଭ ଭକ୍ତର ଅସାଧ୍ୟ କିଛି ନାହିଁ । ମୂକଂ କରୋତି ବାଚାଳ, ଫଙ୍ଗୁ ଲଙ୍ଘୟତେ ଗିରିଂ, ଯତ୍‌କୃପାତ୍‌ ମହଂବଳେ ପରମାନନ୍ଦ ମୋଦକଂ । x x x ଭାଗବତପ୍ରଣେତା ମାଦକ ଲେଖିବାକୁ ଯାଇଁ ମାଧବ ଲେଖି ପକେଇଥିଲେ । (ଛାପାଖାନା ଥିଲେ ତାହା ହୋଇନଥାନ୍ତା) ତାଳପତ୍ରରେ ଲେଖୁ ଲେଖୁ ଗଞ୍ଜେଇନିଶାରେ ଭୋଳ ବ୍ୟାସଦେବ ମାତ୍ରା ଛାଡ଼ିଯାଇ ‘ଦ’ର ଉପରଭାଗ ‘ଓ’ କାର ଆଙ୍କୁଶୀଟି ଛାଡ଼ିଯାଇ ମାଦକରୁ ମାଧବ କହିଦେଇ ଚାଲିଗଲେ ଏବଂ ତାହା ଋଷିବାକ୍ୟ ହୋଇ ନଜିର ରହିଗଲା । (ଭା.ଟୁ. ସଂ-ପୃ ୭୫) x x x ସନ୍ତାପହାରୀ ଦେବଦେବ x x x ଅପୂର୍ବ ଲକ୍ଷ୍ମୀ (ଅଲକ୍ଷ୍ମୀ) ତୁମ୍ଭର ଅଙ୍କଲଗ୍ନା ମାଧବ ଯେପରି ରମ୍ୟ ହର୍ମ୍ୟରେ ପରିଣତ କରିପାର । x x x କବିତାଦେବୀ ତୁମ୍ଭର ଆଶ୍ରିତା । x x x ତୁମ୍ଭର ବାନା ଧରିଲେ ଲୋକର ସଜ୍ଞାନ ଆସେ, ସ୍ଥାନାସ୍ଥାନ, ପାତ୍ରାପାତ୍ର, ବାକ୍ୟାବାକ୍ୟ, ଜ୍ଞାନାଜ୍ଞାନ, ବିବେକାବିବେକ କୌଣସି ପ୍ରଭେଦ ରହେନାହିଁ । ଯାହା କଠୋର ତପସ୍ୟା କରୁଥିବା ଋଷିମାନେ ପାଇନାହାନ୍ତି, ତାହା ସହଜରେ ମିଳିଯାଏ । x x x ତୁମ୍ଭର ଏକ ହୁଂକାରରେ ଜାହଜ ବୁଡ଼ିଯାଇପାରେ । ବ୍ରହ୍ମାଣ୍ଡ ଉଡ଼ିଯାଇପାରେ । ତୁମ୍ଭର ସହାୟ ରାଜା, ତୁମ୍ଭର ଭକ୍ତ ମୁଁ ଓ ସୁନ୍ଦରୀ ପୂଜକମାନେ ( ଭା.ଟୁ.ସଂ, -ପୃ ୬୨) ନାଲି ପାଣି ଟିକେ ପେଟରେ ନ ପଡ଼ିଲେ ଚଉଦଭୁବନ ଦର୍ଶନ-ସୁଖରୁ ମଣିଷ ବଞ୍ଚିତ ହୁଏ । ରଙ୍ଗପାଣି, ସଙ୍ଗୀତ, ନୃତ୍ୟ, କିବତା ରଚନାରେ ମନକୁ ଆସକ୍ତ କରେ । ସେଥିରୁ ଟିକିଏ ପଡ଼ିଗଲେ, କବିତା କାଳେ ନଈ ବଢ଼ି ପରି ମାଡ଼ିଆସେ ।’’ (ବା.ମ.ପାଂ-ପୃ ୫୬)

 

ଦେଶର ସଭ୍ୟତାର ସୀମା କାଳେ ମଦ ଦୋକାନର ସଂଖ୍ୟା ଉପରେ ନିର୍ଭରଶୀଳ । ଜାତି ଯେତିକି ସଭ୍ୟ ହୁଏ, ମଦ ଦୋକାନ ସେତକି ବେଶି ହୁଏ । ‘‘ମଦ ଦୋକାନର ଉତ୍ତୋରତ୍ତର ଶ୍ରୀବୃଦ୍ଧି ଜୀତୀୟ ସଭ୍ୟତାର ହେଉଛି ପରିମାପକ । x x x ବଡ଼ଲୋକ ଘରର ପଇସାଗୁଡ଼ାକ ଖେଳେଇବାର ସହଜ ଉପାୟ ହେଉଛି ମଦଦୋକାନ । ମଦ୍ୟ ବିକ୍ରୀରୁ ସଂଗୃହୀତ ଅର୍ଥ ଗରିବମାନଙ୍କର ପେଟରେ ପଡ଼େ । x x x ଫ୍ରାନ୍‌ସ, ବିଲାତ. ମାର୍କିନ ଦେଶର ଗରିବମାନଙ୍କୁ ଏହାଦ୍ୱାରା ସାହାଯ୍ୟ କରାଯାଏ । x x x ବିଲାତ ସବୁଦେଶଠାରୁ ସଭ୍ୟ କାରଣ ସେଠାରେ ମଦ୍ୟପାୟୀମାନଙ୍କର ସଂଖ୍ୟା ବେଶି ।’’(ବା.ପାଂ -ପ ଅ ୫୫) ସେଇ ଇସ୍କୁଲିଆ ପାଠ ହିଁ ନବମୁକୁଳିତ କଳିତୁଲ୍ୟ କଳାବନ୍ତମାନଙ୍କୁ ସବୁକିଛି ଶିଖେଇଲା । ‘‘ମଦମାଂସ ଖାଇବା, ଦେବତା ବ୍ରାହ୍ମଣଙ୍କର ଅମର୍ଯ୍ୟାଦା କରିବା, ବାପାଙ୍କୁ ଗୋଇଠା ମାରିବା, ନିଶଦାଢ଼ି ରଖିବା, ଜନ୍ମକଲା ମା’କୁ ଗୋଇଠା ମାରି ମାଇପକୁ ମୁଣ୍ଡ ଉପରେ ବସେଇବା, ସଭାସମିତିରେ ଦେଶମାତୃକାର ପୂଜା କରିବା ପାଇଁ ବନ୍ଦନା ଗାନ କରିବା’’ ପରି ଗହନତତ୍ତ୍ୱ ସେମାନଙ୍କ ଚେତନାରେ ବେଦମନ୍ତ୍ର ପରି ସଞ୍ଚରିଗଲା । (ବା.ମା. ପାଂ- ପୃ ୫୧)

 

ଜାତିକୁ ସୁସଭ୍ୟ କରିବା ପାଇଁ ସଂକଳ୍ପ ନେଇଥିବା ସଭ୍ୟମାନେ ସଂପାୟୀ ହେବାପାଇଁ ପାନଶାଳା ଏବଂ ପାନ-ପରିଚାରିଣୀମାନଙ୍କର ଦ୍ୱାରସ୍ଥ ହେଲେ । ଗୋଟିଏ ‘ମ’ର ନିରାଜନା କଲେ କାଳେ ଜୀବନର ପୂର୍ଣ୍ଣତା ଆସେନା । ଆଉ ଜଣେ କଳାପ୍ରବୀଣାର କରପଲ୍ଲବରୁ ତାହା ପରିଗ୍ରହଣ କଲେ, ଶୀର୍ଷାରୋହଣ କାଳେ ସମ୍ଭବ ହୋଇଥାଏ । କଳାପ୍ରବୀଣାମାନେ ହିଁ କାଳେ କାଳେ ବାତୁଳୀ-। ପ୍ରେମ ରସାତୁଳୀ । ସେମାନଙ୍କ ଛଟକ-ଘର ଭିତରେ ଅଣନିଶ୍ୱାସୀ ହୋଇପଡ଼ୁଥିବା ପ୍ରଜନନବତୀମାନଙ୍କ ଦ୍ୱାରା ସମ୍ଭବ ନୁହେଁ । ‘‘ଘରଣୀମାନେ କାମ-କଳା-କୁଶଳା ନୁହନ୍ତି ।’’ ସେମାନେ ରତି-ରୀତି-ଜ୍ଞାନ ବିବର୍ଜିତା । କାଠ ପିତୁଳୀ । ଯେତେ ଚିପୁଡ଼ିଲେ ରସ ନିଗିଡ଼େନି । ଖାଲି ମାଖୁନା ଚିପୁଡ଼ାଟା ଯାହା ସାର ହୁଏ । (ଭା.ଟୂ. ସଂ, ପୃ ୧୮) ସହରର ଉତ୍ତାପହାରିଣୀ ବାଈମାନଙ୍କର ଲୀଳା-ବିଳାସ ତ ସବୁଠାରୁ ସରସ । ପ୍ରାସାଦ ଉପରୁ ସେମାନଙ୍କର ସଲୋକ ଆମନ୍ତ୍ରଣର ଅସ୍ୱୀକାର କରୁଥିବା ପୁରୁଷ, ପୁରୁଷ ନୁହେଁ, ଅନ୍ୟ କିଛି । ସେଠି ଆଲୁଅର ଝାଡ଼ ଜଳେ-। ପାଉଁଜର ଝମଝମ ନାଦ, କିଙ୍କିଣୀର କିଣିକିଣି ସଂଗୀତରେ କାମକଳାକୁଶଳାମାନେ କେତେ କଳାର ମେଖଳା ସୃଷ୍ଟି କରନ୍ତି । ତପସ୍ୟା କରି ନ ଥିଲେ କଳାବତୀ ହେବାର ଗୌରବ କାଳେ କାହା ଭାଗ୍ୟରେ ଆସେନା । ପୁରୁଷ ପୁଅ କାଳେ ରାଜା ଭାବରେ ବିଭଳିତ ହୋଇପାରେନା, କଳା-ଧର୍ମୀମାନଙ୍କ ତୀର୍ଥରେ ଜୀବନ ବସର୍ଜି ଦେଇଥିବା ପୁରୁଷମାନଙ୍କ ହାତମୁଠାରେ ବ୍ରହ୍ମାଣ୍ଡର ରାଜତ୍ୱ ବନ୍ଦୀ ହୋଇଯାଏ । ଜୀବନ-ଅନୁରାଗିଣୀ ବାଈଶ୍ୱରୀମାନଙ୍କୁ ରାଣୀ କରିବା ସେମାନଙ୍କ ଲାବଣ୍ୟ ଯଉବନରୁ ଅମୃତପାନ କରି ରାଜାଧିରାଜ ହେବାର ସୌଭାଗ ଲାଭ କରିବାହିଁ ପରମପୁରୁଷାର୍ଥ । ‘‘ଏ ଜୀବନଟା କେବଳ ବାଈମୟ । ଉପରେ, ଭିତରେ, ତଳେ ସବୁଆଡ଼େ ବାଈମାନଙ୍କର ମେଳା । ବାଈମାନଙ୍କର ଚଉଷଠୀ ଖେଳା, ଲୀଳା ।’’ (ଭା. ଟୁ. ସଂ- ପୃ ୧୦୭) ମାଦକଦେବଙ୍କ ସୁପ୍ରସନ୍ନ ଭାବହିଁ ମୋଦବତୀମାନଙ୍କ ମନ ଉପରେ ନିର୍ଭର କରେ । ଆଧୁନିକ ଶିକ୍ଷା ଓ ସଭ୍ୟତା ମାଦକ ଓ ମୋଦବତୀମାନଙ୍କର ପ୍ରସନ ଭାବ ବ୍ୟତିରେକେ ଯେପରି ମୂଲ୍ୟହୀନ, ଅସାର ।

 

ପ୍ରେମରସ ସହିତ ଅହିଫେନ ଓ ଗଞ୍ଜା ପ୍ରୀତିରେ ସମାହିତ ଧର୍ମପଣ୍ଡାମାନଙ୍କ ଭାଡ଼ୁଆମିକୁ ମଧ୍ୟ ପ୍ରହରାଜେ କଟୁ ସମାଲୋଚନା କରିଥିଲେ । ବଡ଼ ଚତୁର ଭାବରେ ଦେବ ଦେବ ମହାଦେବ ଓ ଗଣମାନଙ୍କ ଆଚାର ସହିତ ଗଞ୍ଜା-ବିଚାରକୁ ଯୋଡ଼ି ଦିଆଯାଇଥିଲା । ସେତକ ନ ପଡ଼ିଲେ ଈଶ୍ୱରଙ୍କର କାଳେ ଜ୍ଞାନୋଦୟ ହେଉ ନ ଥିଲା । ଶେଷକୁ ତ୍ରିଦେବ-ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରୀତିର ଭୋଗ ଭାବରେ ପତି ଓ ଗଞ୍ଜା ହିଁ ଲାଗି କରିବାର ବିଧି ଖଞ୍ଚି ଦିଆଗଲା । ତାଙ୍କ ପାଖରେ ସେଥିରୁ ଭରିଏ ଭୋଗ ନ ଲଗେଇଲେ, ଖାସ୍‌ ସେବାକାରୀ ଭକ୍ତମାନେ ଖପା ହୋଇପଡ଼ୁଥିଲେ । ବିଚରା ବିଚାରୀମାନଙ୍କର ମନସ୍କାମନା ପୂର୍ଣ୍ଣ ନ କରିବାକୁ ଆଶୁତୋଷଙ୍କୁ ଧମକ ଦେଉଥିଲେ । ‘‘ବୈଷ୍ଣବ ବାବାଜୀମାନେ ଖଞ୍ଜା ଖର୍ଚ୍ଚ ୧୫ ଟଙ୍କା ନ ପାଇଲେ ଜମିଦାରଙ୍କ ଘରୁ ପ୍ରସାଦ ନ ପାଇ ବାହାରି ଯାଉଥିଲେ, ଅଭିଶାପ ଦେବେ ବୋଲି ଧମକ ଦଉଥିଲେ ।’’ (ଭା.ଟୁ. ସଂ-ପୃ ୬୦) ମାତୃରୂପିଣୀ ଶକ୍ତିମାନଙ୍କର ତୁଷ୍ଟିନିମିତ୍ତି ମଦ୍ୟ ମାଂସ ସମର୍ପଣ କରାଯାଉଥିଲା । ଜାତିର ବଡ଼ପଣ୍ଡାଠାରୁ ସାନପଣ୍ଡା, ଧନୀଠାରୁ ଦରିଦ୍ରଯାଏ ସବୁଲୋକ ଅନ୍ଧବିଶ୍ୱାସର ସ୍ରୋତରେ ଭାସି ଚାଲିଥିଲେ । ଚତୁରମାନେ ଫାଇଦା ଉଠୋଉଥିଲେ । ନିରୀହମାନଙ୍କର ଗୋଡ଼ ଖସିଯାଉଥିଲା ତଳକୁ ତଳକୁ । ଗୋଡ଼ ଖସିବା ଯେମିତି ସେମାନଙ୍କର ଜୀବନର ଧର୍ମ । ଜୀବନଅନ୍ୱେଷୀ ଶିକ୍ଷିତମାନେ ହିଁ ପ୍ରକୃତ ବିତଣ୍ଡା । ‘‘ସେମାନେ ସ୍ୱମତ ପ୍ରଖ୍ୟାପକ, ଆତ୍ମମଣ୍ୟ ଓ ଅହଂଭାବର ପ୍ରତୀକ ।’’ (ବା, ପାଂ, ପୃ ୬୦) ପ୍ରହରାଜଙ୍କ ଭାଷାରେ ସେମାନେ କେବଳ ବେତ୍ତା ନୁହନ୍ତି । ‘ଆୟତନରେ ଅଳ୍ପ ବେଶି ପ୍ରଭେଦ ଥିଲେ ସୁଦ୍ଧା ସେମାନେ ବେତ୍ତା, ଟୋକେଇ, ଚାଉଳଧୂଆ, ଆଇଁଷଧୂଆ, କୁଲା, ଚାଲୁଣୀ, ଭୋଗେଇ, ପାଛିଆ, ଚାଙ୍ଗୁଡ଼ି, ତାଟ, ଡାଲା, ଗୁହାଳପୋଛା ଶ୍ରେଣୀର-।’’ (ବା.ପାଂ.ପୃ ୬୪) ଜୀବନର ମୂଲ୍ୟବାନ ଚାରିପାଞ୍ଚବର୍ଷ କଠୋର ପରିଶ୍ରମ କରି ପ୍ରାଣମୂର୍ଚ୍ଛା ପରୀକ୍ଷାପ୍ରଥାର ଅନ୍ଧାର ଘର ଭିତରକୁ ମାତ୍ର କୋତୋଟି ଘଣ୍ଟା ଟେକା ଫୋପାଡ଼ି ସାମାନେ ଗଡ଼ ଜୟ କରିଥିବାର ପ୍ରମାଣପତ୍ର ହାସଲ କରନ୍ତି । (ବା.ପାଂ. ପୃ ୬୪) ମୁଣ୍ଡରେ ବିଜୟୀର ମୁକୁଟ ବାନ୍ଧି ପାଟକନା ଶୋଭିତ ଖଟୁଲୀଗୁଡ଼ାକ ମଣ୍ଡନ କରନ୍ତି । ତେଣୁ ଷୋଡ଼ଶୋପଚାରରେ ନିରାଜିତ ହେବାପାଇଁ ସେମାନେ ଯୋଗ୍ୟ ।

 

ମାତ୍ର ଉପଚାରସର୍ବସ୍ୱ ନିରାଜନା ପଦ୍ଧତି ଭିତରେ ଦିଅଙ୍କ ଜାଗିରଦାର ଏବଂ ଜାଗିରଦାତାମାନେ ଯେ ସବୁ ତାମ୍‌ସା ଭିଆଣରେ ମୂଳ ଥିଲେ, ତାହା ପ୍ରହରାଜଙ୍କ ଚତୁର ଆକ୍ଷିରୁ ଖସିଯାଇ ନ ଥିଲା । ଉତ୍କଳର ବଡ଼ଠାକୁରଙ୍କ ବଡ଼ଭୋଗବିଳାସୀ ମଣ୍ଡାଖିଆ ପଣ୍ଡାମାନଙ୍କର ଉତ୍ପାତ ଥିଲା ସବୁଠାରୁ ଭୟଙ୍କର । ସେମାନେ ଉତ୍କଳାଧିପତି ଜଗନ୍ନାଥଙ୍କ ସେବାପୂଜାର ପ୍ରଥମ କାନତରାଟି । ସେମାନଙ୍କ ମାଡ଼ଗାଳି, ଜଗନ୍ନାଥଙ୍କ ମାଡ଼ିଗାଳି ସହ ସମାନ । ସେମାନଙ୍କୁ ତୁଷ୍ଟ କଲେ ସେ ତୁଷ୍ଟ ହୁଅନ୍ତି । ସେମାନଙ୍କୁ ରଗେଇଲେ-ସେ ରାଗିଯା’ନ୍ତି । ଆଉ କିଛି ବୋଲି କିଛି ମିଳେନା । ପରମାର୍ଥ ପ୍ରାପ୍ତି ହାତଛଡ଼ା ହୋଇଯାଏ । ମରିଚପାଣି ଟେଳା ଗୋଟିଏ ନ ପଡ଼ିଲେ ମଧ୍ୟସ୍ଥିମାନା କାଳେ ତୁଷ୍ଟ ହୁଅନ୍ତି ନାହିଁ । ଏହା ସାଧାରଣ ପାଣି ନୁହେଁ । ମରିଚ, ପତି, ନାଗକେଶ୍ୱର, ଲବଙ୍ଗ, ଜାଇଫୁଲ ଅବସ୍ଥା ଅନୁପାତରେ ଅନ୍ୟ ବିଶେଷ ଉପାଦାନରେ ତାହା ପରିସିଦ୍ଧ । ‘‘ସେ ପାଣି ଦେବଭୋଗ୍ୟ ।’’ (ବା.ମା ପାଂ, ପୃ ୭) ପଣ୍ଡାଠାରୁ ମଠର ମହନ୍ତଙ୍କଯାଏ ସମସ୍ତେ ସେଇ ପାଣିପ୍ରୀତିରେ ବଶୀଭୂତ । ସେଥିରୁ ଟୋପେ ପେଟରେ ପଡ଼ିଗଲେ ଚଉଦଭୁବନ ଦୁଶେ । ମାଳ ମାଳ ବ୍ରହ୍ମାଣ୍ଡ ପାଦର ମେଖଳର ପରି ବେଢ଼ିଯା’ନ୍ତି । ପାଣି ସାଙ୍ଗକୁ ଚୂଡ଼ାଘଷା ଓ କଦଳୀଚକଟା ପଡ଼ିଗଲେ- ଜୀବନରେ ଆଉ ଅପ୍ରାପ୍ତିବୋଧର ଦୁଃଖ ସେମାନଙ୍କୁ ବାତୁଳ କରେନା । ପୂର୍ଣ୍ଣତା ଆପେ ଆପେ ଚାଲିଆସେ । ସେ ସବୁ ବିଭବ କୋଉ ଗଳି, ଉପଗଳି, ମହାଗଳି ଭିତରେ କୋଉ କୋଉ ସନ୍ଧି ବାଟଦେଇ ଆସିବ, ତାର ବ୍ୟବସ୍ଥାପକ ମଧ୍ୟ ସେଇମାନେ । ‘‘ଯେତେଦିନଯାଏ ହିନ୍ଦୁ ଧର୍ମ, ଜଗନ୍ନାଥ ଦେଉଳ, ମୁକ୍ତି ମଣ୍ଡପ ବିଦ୍ୟାମାନ ଥିବ, ସେତେଦିନ ପର୍ଯ୍ୟନ୍ତ ପୁରୀର ଶାସନ ବ୍ରାହ୍ମଣମାନେ ନିର୍ଜନତା, ନିରନ୍ନତା ହେତୁ କଷ୍ଠଭୋଗରୁ ବଞ୍ଚିତ ହେବେ’’ବୋଲି ପ୍ରହରାଜ ବଡ଼ ନିର୍ଭୀକ ଭାବରେ କହିପକେଇଥିଲେ । ଶ୍ରୀକ୍ଷେତ୍ରର ମହାତ୍ମା ବର୍ଣ୍ଣନା କାଳରେ ପୀଠାଧୀଶଙ୍କ ଗୁମାସ୍ତା, ମହାଫିସାଦିଆ, ଦେହଲାଗି ସେବାକାରୀ ଓ କାରିଣୀମାନଙ୍କ ଦୌରାତ୍ମ୍ୟକୁ ବଡ଼ ଦାଣ୍ଡରେ ଉଭାରତି ବେଶରେ ଠିଆ କରେଇ ଦେଇଥିଲେ । (ବା. ପାଂ. ପୃ ୮୭)

 

ଶିରୀକ୍ଷେତରରେ ମଦ, ଗଞ୍ଜା, ନାଚୁଣୀ, ଗାୟେଣୀମାନଙ୍କର ଅବାଧ ବିହାର । ଶିରୀମନ୍ଦିର କାଳେ ସଭ୍ୟଜଗତର ଭୋଜନାଳୟ । ସେଠି ଜାତି ବିଚାର ନାହିଁ । ମାତ୍ର ସଫା ଆଉ ଧୂଳିଆ ମଣିଷଙ୍କ ପାଇଁ ଅଲଗା ଅଲଗା ଜାଗାର ବ୍ୟବସ୍ଥା କରାଯାଇଥାଏ । ସେଠି ଛାମୁଙ୍କ ଅମୃତଣଣୋହୀ ମାର୍କାମରା । ଧୂଳିଆମାନେ କାଳା ଖଣ୍ଡିତତପସ୍ୟା ଫଳରେ ଶ୍ରୀକ୍ଷେତ୍ରରେ ଜନ୍ମ ହୁଅନ୍ତି ଏବଂ ତପସ୍ୟା ପୂରିଗଲେ ସେମାନେ ପର ଜନ୍ମରେ ଜନ୍ମ ହୁଅନ୍ତି ନାହିଁ । (ଦୁ.ହା. ପୃ ୧୩୫) ସେ ପଞ୍ଚୁକୋଶୀ ତୀର୍ଥରେ ଯାହା କଲେ କାଳେ ପାତକ ଲାଗେନା । ଭାରି ସହଜରେ ମୁକ୍ତି ମିଳିଯାଏ । ତାର ସୀମା ଛୁଉଁଣୁ ନ ଛୁଉଁଣୁ ଯମଦୂତମାନେ ମୁହିଁ ଆମ୍ବିଳେଇ, ନାଙ୍ଗୁଡ଼ି ଯାକ ପଛୁଆ ପଛୁଆ ଖସି ପଳେଇଯା’ନ୍ତି । କାରଣ ତାହା ବିଷ୍ଣୁତୀର୍ଥ । ସେଠି ଜାତି ଅଜାତି କିଛି ନାହିଁ । ଥରେ ବୈଷ୍ଣବ ବାନା ତଳେ ମୁଣ୍ଡ ଗୁଞ୍ଜିଦେଲେ ଚେତନାର ପୁରାପୁରି ଗୋଲ ହୋଇଯାଏ । ମଢ଼ୁଆ ଭିତରେ ବିଚରା ବିଚାରୀମାନେ ମୁଣ୍ଡିତ ବେଶରେ ଦେହକିଳି ଦିଅନ୍ତି, ମହନ୍ତମାନଙ୍କ ସେବାକାରୀ ଓ କାରିଣୀ ହୁଅନ୍ତି । ସେଠି ମାତାଜୀ ଥାନ୍ତି । ବାବାଜୀ ବି ଥାଆନ୍ତି । ଅହର୍ନିଶ, ଅଷ୍ଟପ୍ରହରୀ ବାଜା ବି ବାଜୁଥାଏ । ବାଜା ଶବଦରେ ବୁଡ଼ି ରହିଲେ, ବାଂଚ୍ଛିତ ବିଭବର ଅଭାବ ରୁହେନା । ମଠଗୁଡ଼ାକରେ ହିଁ ଗଦୀୟାନମାନେ ଶୋଭା ପାଉଥାନ୍ତି । ଖଟୁଲୀମାନଙ୍କର ଶିରପାଧାରୀମାନେ ବିଜେ କରିଥାନ୍ତି । ସେମାନେ ବି ଚନ୍ଦନଚର୍ଚ୍ଚିତ ହୁଅନ୍ତି । ସୁବେଶିତ ହୁଅନ୍ତି । ଫୁଲ ଶେଯରେ, ସେବାକାରିଣୀମାନଙ୍କ ସୁବାସିତ ବ୍ୟଜନର ସୁଶୀତଳ ପବନରେ ବିମୋହିତ ହୁଅନ୍ତି । ନୂଆ ନଆ ଗାୟେଣୀଙ୍କ ଗହଣରେ ସେମାନଙ୍କର ବି ପହୁଡ଼ ପଡ଼େ । ସେମାନେ କ୍ଷେତ୍ରାଧୀପତିଙ୍କର ଉପାଧିପତି । ତାଙ୍କ ପ୍ରତିନିଧି । ସେମାନେ ତାଙ୍କରି ଖାସ୍‌ ଜୀବନ୍ତ ପ୍ରତୀକ । ସେମାନଙ୍କର ସନ୍ତୁଷ୍ଟି ଉପରେ, ତାର ଫଳଦାନର ମାତ୍ରା ନିର୍ଭର କରେ । ମହନ୍ତମାନେ ବି ସେବକ, ମାତାଜୀମାନେ ସେବିକା । ଯାତ୍ରୀଯାତ୍ରୀଣୀମାନେ ବି ସେବକ ସେବିକା । ସେଠି କେବଳ ସବୁକିଛି ଦେଇ ସେବା କରିବାକୁ ପଡ଼େ । ଦେବାକୁ ଅମଙ୍ଗ ହେଲେ, କିନ୍ତୁ ମଣିଲେ, କିଛି ବୋଲି କିଛି ମିଳେନା । କରୁଣା କଣା ମାରା ହୋଇଯାଏ । ଏତେ ଟିକିଏ ତର୍କ କଲେ, ଫୁଟାଣି ଦେଖେଇଲେ ଭାଣ୍ଡକଯାକ ପୀୟୁଷ ବିଷ ହୋଇଯାଏ । ସେଠି ସବୁ ମଣ୍ଡଳାକାର । ଗୋଲ । ବ୍ରହ୍ମାଣ୍ଡ ଭାଣ୍ଡରେ ସବୁ ସମାନ । ସମାନ ଭାବରେ ବିଚାର ନ କଲେ, ସବୁ ସରିଯାଏ । ବେତ ପାହାର ଖାଇ, ମୁହିଁ ଆମ୍ବିଳେଇ ଗନ୍ଧିଆ ମୁହଁରେ ଫେରିବାକୁ ହୁଏ ।

 

ହିନ୍ଦୁ ଧର୍ମ ଭିତରେ ଥାକ ଥାକ ହେଇ ତେତିଶକୋଟି ଦେବତାଙ୍କ ଆତଯାତ । ‘ଠା’ କୁ ‘ଠା’ ସେମାନଙ୍କର କୋଟିସଂଖ୍ୟକ ଗାଦି । ସେମାନଙ୍କଠାରୁ ଆହୁରି ଅଧିକ ସେମାନଙ୍କର ଖାସ୍‌ ସେବାକାରୀ ଓ କାରିଣୀ । ତା’ଠାରୁ ଆହୁରି ଅଧିକ ସେମାନଙ୍କୁ ପରିତୁଷ୍ଟ କରିବାର ପଦ୍ଧତି । ଏସବୁ ପଦ୍ଧତି ପୁଣି ପରସ୍ପରଠାରୁ ଅଲଗା । କିଏ ଅଲଣା ଖାଏ, ଲୁଣିଆ ଖାଏ, କିଏ ଆଦୌ ଖାଏନା । କିଏ କଞ୍ଚା, କିଏ ସିଝା; କିଏ ଦରସିଝାରେ ପରିତୁଷ୍ଟ ହୁଏ । କିଏ ଶ୍ୱେତାମ୍ବର, କିଏ ପୁରା ଦିଗମ୍ବର ତ କିଏ ପାଟପତନୀ ଅଷ୍ଟଐଶ୍ୱର୍ଯ୍ୟରେ ବିମଣ୍ଡିତ । ଆଉ ଘଡ଼ିକୁ ଘଡ଼ି ନୂଆ ନୂଆ ବେଶରେ ସୁଶୋଭିତ । କିଏ ନାରୀକୁ ଦେଖିଲେ ଦୋଉଡ଼ି ପଳାଏ, ଆଉ କିଏ ତାର ଲଙ୍ଗଳା ନାଚଗୀତ, ହାତ ଆଉଁସା ନ ପାଇଲେ ଭାରି ଖପା ହୁଏ, ତାର ନିଦ ହୁଏନା । ଶାସ୍ତ୍ରକାରମାନେ ବି କାହାକୁ ଭୁଲ ବୋଲି କହିନାହାନ୍ତି । ସବୁ ଠିକ୍‌ବୋଲି ବାଜି ମାରି ପ୍ରମାଣ କରିଛନ୍ତି । ବିରୋଧୀମାନଙ୍କ ମୁହଁରେ ଗଡ଼ୁମାରିଛନ୍ତି । ଧର୍ମରେ ମୋଦକ ଶୁଙ୍ଘେଇ ଯାହାକୁ ଯୋଉ ରୂପରେ ନଚେଇବା କଥା, ତାହା କରିଛନ୍ତି । ଦୁନିଆଯାକର ପାପ କରି ସକାଳୁ ଗାଧୋଇ ଶିବ ଦ୍ୱାଦଶ ନାମ, ସୂର୍ଯ୍ୟସ୍ତବ, ବିଷ୍ଣୁ ସହସ୍ରନାମ ଜପ, ଧର୍ମର ପକ୍‌କା ସଡ଼କ । ଧର୍ମର ଗୋଟାଏ ଗୋଟାଏ ମହୋଷଧି ପ୍ରାୟଶ୍ଚିତ, ପଞ୍ଚଗବ୍ୟ, ବ୍ରାହ୍ମଣଭୋଜନ ଦାନ । ପଞ୍ଚଗବ୍ୟ ପିଇଦେଲେ ଦେହର ମଇଳାଯାକ ପରିସ୍କାର ହୋଇଯାଏ । ଏ ‘ଡାବ’ର କାଟୁ ଭାରି ବେଶି । ସେଠି ଗୋଟାଏ ଜାଗାରେ ମଦ ପିଇବାକୁ ମନା କରାଯାଏ, ଆଉ ଗୋଟାଏ ଜାଗାରେ ପେଟ ଫଟେଇ ପିଇବାକୁ ମଧ୍ୟ ବାଧ୍ୟ କରାଯାଏ । ‘‘ସବୁ ଅସମ୍ଭବ ସମ୍ଭବ ହୁଏ, ସମ୍ଭବକୁ ଅସମ୍ଭବ ବୋଲି ପ୍ରମାଣ କରିଦିଆଯାଏ । ସବୁକିଛି ହାଉଆରେ ଚାଲୁଥାଏ । (ବୁ ହା- ପୃ ୧୦୬) ସବୁଠି ଗୋଲକତ୍ୱକୁ ପ୍ରମାଣ କରିବା ପାଇଁ ବୁଦ୍ଧିର ନିର୍ବୋଧ କସରତ୍‌ର ପାଇଁ ପଡ଼ିଥାଏ ।

 

କେବଳ ହିନ୍ଦୁ ଧର୍ମ ନୁହେଁ ଜଗତରେ ପ୍ରତ୍ୟେକ ଧର୍ମ ଭେଳିକି ଆଧାରିତ । ସବୁଠି ଗଦିୟାନମାନଙ୍କର ଦୌରାତ୍ମ୍ୟ । ସବୁଠି ପୁରୀ, ମଦିନା, ଜେରୁଜେଲମ୍‌ର ମହତ୍ତ୍ୱ ଓ ଗୁଣଗାନ୍‌ । ଏ ସକଳ ଭାଣ୍ଡାମି ସରଳ ମଣିଷର ବିଶ୍ୱାସବୋଧର ମାଟି ଉପରେ ହିଁ ପ୍ରତିଷ୍ଠିତ ଏବଂ ଏ ବିଶ୍ୱାସର ମାଟି ବେପାରୀମାନଙ୍କ କୂଟ ବୁଦ୍ଧିରେ ନିୟନ୍ତ୍ରିତ । ଖ୍ରୀଷ୍ଟବାଣୀ-ବିହାରୀମାନଙ୍କ ଭିତରେ ବି ହଜାରେ ପାଲା । ଆଲ୍ଲା ପଦବିହାରୀମାନଙ୍କ ଭିତରେ ବି ତତୋଽଧିକ । ଜଗତର ମୂଢ଼ମାନେ ଭେଳିକିରେ ହିଁ ମାତିଥାନ୍ତି । ସମସ୍ତେ କେବଳ ଅନ୍ଧାର ଘର ଭିତରକୁ ଟେକା ଫୋପାଡ଼ୁଥାନ୍ତି । ମକ୍‌କା, ଜେରୁଜେଲମ୍‌, ପୁରୁଷୋତ୍ତମ ସବୁ ଖାଲି ବାହାରର ଆବରଣ । ସମସ୍ତଙ୍କ ଦେହ ଯେ ସେଇ ଗୋଟିଏ ରାସାୟନିକ, ମୌଳିକ ଉପାଦାନରେ ସୁଗଠିତ, ଏକଥା ସେମାନେ ପାସୋରି ପକାନ୍ତି । କିଏ ଜରିଦାର ପାଟ, କିଏ ଚିରାକନା, କିଏ ହ୍ୟାଟ୍‌ କୋର୍ଟ କିଏ ଆଉ କ’ଣ ପିନ୍ଧି ସେଠିକି ବାହାରେ-। ନିଜର ଏଇ ବାହାରଟାକୁ ସବୁଠାରୁ ବଢ଼ିଆ, ଖାସା ମାଲ ବୋଲି କହନ୍ତି । ଅସଲ ବଢ଼ିଆକୁ ଧାରୁଆ ଆକ୍ଷି ନେଇ ପରଖିବାର ମନ ସେମାନଙ୍କର ନ ଥାଏ । (ମି.ସା, ରୋ-ପ୍ରହରାଜ ବିଚିତ୍ରା-ପୃ ୯) ପ୍ରହରାଜେ ଧର୍ମର ଅଫିମଖୋର ମଣିଷମାନଙ୍କୁ ଦେଖିଥିଲେ, ଚିହ୍ନିଥିଲେ । ଧରମ ବେପାରୀମାନଙ୍କୁ ଚିଡ଼ୋଉଥିଲେ । ସେମାନଙ୍କ ଭିତରେ ତମସା କରୁଥିବା ‘ମ’କାର ପ୍ରବୃତ୍ତିର ଅନ୍ତନାଡ଼ୀକୁ ପଦାକୁ ଓଟାରି ଆଣିଥିଲେ । ଏ କାଣ୍ଡ କାରଖାନା ଭିତରେ ମୁଣ୍ଡ ପୁରେଇବା ପୂର୍ବରୁ ନିଜ ଦେହକୁ ବିଧି ଅନୁସାରେ କିଳି ଦେଇଥିଲେ ।

 

ଦେହ କିଳି ନ ଜାଣିଲେ, ଆଉ କାହାକିୁ ଗାଳି ଦେବା କାଳେ ସହଜ ନୁହେଁ । ଆଧୁନିକ ମଣିଷମାନେ ଦେହକିଳା କଳାରେ ସୁଚତୁର । ସେମାନେ ଗାଳିଦେବାକୁ ଦେହ କିଳି ନ ଥାନ୍ତି । କିଳିକିଳା ରଡ଼ି ଛାଡ଼ି ସବୁ କିଛି ଭୋଗ କରିବା ପାଇଁ ସେମାନେ କିଳାଣି ବିଦ୍ୟା ସାଧନ କରିଥାନ୍ତି । କୋଉଠି ପୂଜାରେ ବସିବା ପୂର୍ବରୁ ଆସନ ଶୁଦ୍ଧି, ଆତ୍ମାଶୁଦ୍ଧି କରିବାକୁ ପଡ଼େ । ‘‘ଅଙ୍ଗନ୍ୟାସ କରନ୍ୟାସ, ହୁଂଫଟ୍‌ ସ୍ୱାହା’’ ନ କଲେ କିଛି ହୋଇ ପାରେନା । ଏ ଗାର ସବୁ ଡେଇଁଲାପରେ ତାଙ୍କ ଉପରେ ଆକ୍ଷି ପକେଇବାକୁ ହୁଏ । ଠାକୁରାଣୀ ଏବଂ ଠାକୁର ମନ୍ଦିରର କେତେକ ଆଖାଡ଼ୁଆଗଣଙ୍କୁ ମାଜଣା କରିବାକୁ ହେଲେ, ଦେହର ଦ୍ୱାର, ଗବାକ୍ଷଗୁଡ଼ାକୁ ପବନ ନିରୋଧିଲା ପରି ନିବୁଜ କରିସାରିଲା ପରେ ବି ସାହସ କୁଳାଏନା । ତାଙ୍କୁ ରୁଷ୍ଟ କରିବା ପାଇଁ ମାଲୁଣୀ ନିଯୁକ୍ତି କରିବାକୁ ପଡ଼େ । ସେମାନେ ଦେବତାଙ୍କର କାଳିସୀ । ବିନା କାଳିସୀରେ ଦେବତା ଉଭା ହୁଅନ୍ତିନି (ଆ.ଘ.ହା. ୟ ୨୫) କାଳିସୀ ମାଧ୍ୟମ ଦେଇ ଆପଣା ଇଚ୍ଛାକୁ ସାବସ୍ତ୍ୟ କରିବା ସହଜ ହୁଏ । ଭେଳିକି ଦେଖେଇ ଅନ୍ୟମାନଙ୍କୁ ଭଣ୍ଡେଇବା, ଚିତା କାଟିବାର ସୁଯୋଗ ମିଳେ ।

 

ମନ୍ଦିର ଭିତରେ, ଗଛମୂଳେ, ଖଟୁଲୀ ଓ ଆସ୍ଥାନ ଉପରେ ବିଜେ କରିଥିବା ଦେବତା ଓ ଦେବୀମାନଙ୍କ ପରିତୁଷ୍ଟି ପାଇଁ ବଂଶାନୁକ୍ରମେ ପରିପାଳିତ ପଣ୍ଡା, ପୂଜାହାରୀ, ମାଳୀ, ମାଲୁଣିମାନେ ତ ରହିଲେ । ମାତ୍ର ଇଂରଜମାନେ ଦେଶରେ ଆଉଗୁଡ଼ାଏ ନୂଆ ନୂଆ ମନ୍ଦିର ତିଆରି କଲେ । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ନ୍ୟାୟ, ପ୍ରଶାସନ ପରି ନୂଆ ନାଁ ଗୁଡ଼ାକରେ ମନ୍ଦିରର ନାମକରଣ କଲେ । ମନ୍ଦିରର ଉଚ୍ଚା ଖଟୁଲୀରେ ବଡ଼ ଦିଅଁଙ୍କୁ ଏବଂ ତଳକୁ ତଳ ଥାକ ଥାକ କରି କେତେ ବଡ଼ ମଝିଆଁ, ସାନ ମଝିଆଁ, ସାନ, ସବାସାନ କରି ଗୁଡ଼ାଏ ପାର୍ଶ୍ୱଦେବତାଙ୍କୁ ବି ବସେଇଦେଲେ । ସେମାନଙ୍କ ଦୁଆରମୁହଁ ଜଗିବା ପାଇଁ ଦ୍ୱାରପାଳ ବି ନିଯୁକ୍ତ କଲେ । ଏ ଦିଅଁମାନଙ୍କୁ ଚଳେଇବା ପାଇଁ ସବା ବଡ଼ ଦିଅଁକୁ ଆଉ ଗୋଟାଏ ଜାଗାରେ ସବୁଠୁ ଉଚ୍ଚାଖଟୁଲୀରେ ବସେଇଦେଲେ । ସେମାନଙ୍କ ହାତରେ ଅବାଗିଆ, ମୂର୍ଖ, ଚାଲବାଜ, ଦଗାଦିଆ, ଧପ୍‌ପାବାଜ, ତେଢ଼ା, ସବୁପ୍ରକାରର ଦେଶୀମଣିଷମାନଙ୍କୁ ନିୟନ୍ତ୍ରଣ କରିବାର ଅଧିକାର ଦଣ୍ଡ ଧରେଇଦେଲେ । ପ୍ରଥମେ ପ୍ରଥମେ ଉଚ୍ଚାଯାଗାଗୁଡ଼ାକରେ ଚୋଖାମାନେ ରହୁଥିଲେ । ଶ୍ୱେତଚର୍ମ ସାହେବମାନଙ୍କର ଜନ୍ମ କାଳେ ସାନମାନଙ୍କୁ ଇଚ୍ଛା ଅନୁସାରେ ଚଳେଇବା ପାଇଁ । ପରେ ପରେ ଉଚ୍ଚାଖଟୁଲୀଗୁଡ଼ାକରେ ଦେଶୀ, କଳାମୁଣ୍ଡିଆ ସାହେବମାନଙ୍କୁ ବସେଇଲେ । ପ୍ରଧାନ, ଅନୁ, ଉପମାନଙ୍କର ବୁଦ୍ଧି, ବ୍ୟକ୍ତିତ୍ୱ, ଯୋଗ୍ୟତାକୁ ମାପିଚୁପି ଆସନଗୁଡ଼ାକର ନାଁ ଦେଲେ ଗାର ଭିତରେ; ନିୟମାନୁସାରେ ବିହାର କରିବା ଲାଗି ତାଗିଦା କରି ଦେଲେ । ନିୟମରେ ଖିଲାପ କଲେ ସେମାନଙ୍କୁ ଦେବତାଦ୍ରୋହୀ ଭାବରେ ଦଣ୍ଡ ମିଳିବ ବୋଲି ନିର୍ଦ୍ଦେଶ ଦେଲେ । ନୂଆ ଦେବତାମାନେ ସାମ୍ରାଜ୍ୟର ସବୁଆଡ଼େ, ଜଳ, ସ୍ଥଳ, ଆକାଶରେ ପ୍ରଗଣା, ଥାନା, ସବ୍‌ଡ଼ିଭିଜନ, ଜିଲା, ରାଜଧାନୀ ପରି ଜାଗାମାନଙ୍କରେ ମହାମହିମ୍ନଙ୍କ ସିଂହଲାଞ୍ଛିତ ପତାକା ଧରି ବୀରଦର୍ପରେ ଖେଳେଇ ହୋଇଗଲେ । ମହାମହିମ୍ନଙ୍କ ‘ହାଇନେସ୍‌’ର ମିସଲ ତଳେ ଅତି ଆଜ୍ଞାଧୀନ ଭୃତ୍ୟ (ମୋଷ୍ଟ ଓବିଡିଏଣ୍ଟ ସରଭାଣ୍ଟ୍‌) ରୂପରେ ଯୋଡ଼ହସ୍ତ, ନତମସ୍ତକରେ ଠିଆହୋଇ କେତେ ଭଙ୍ଗୀରେ ତାଙ୍କ ବନ୍ଦନା ଗାନ କରିବା ଲାଗିଲେ । ତାଙ୍କରି ପଦାରବିନ୍ଦରେ ଧ୍ୟାନ କରି ଶ୍ରୀମୁଖ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଭିକ୍ଷା କଲେ । ଆଦେଶ ପାଇଲାମାତ୍ରେ ଖେଦି ଆସିଥିଲେ ଆପଣା ଆପଣାର ସ୍ୱୀକୃତ ଇଲାକାକୁ । ସେମାନେ ମନ୍ଦିର ବା ଗଛ ମୂଳରେ କାଠ, ପଥର ଦେବତା ନ ହୋଇ, ଅଧମମାନଙ୍କ ଦ୍ୱାରା ଜୀବନ୍ତ ଦେବତା ଭାବରେ ପୂଜିତ ହେଲେ ।

 

ଅସଲ ଦେହଧାରୀ ଦେବତାମାନଙ୍କର ନିରାଜନା ପାଇଁ ପୁରୁଣାକାଳିଆ ଉପକରଣ, ଉପଚାରଗୁଡ଼ାକାର ଆଉ ଆବଶ୍ୟକ ହେଲାନି । ରମ୍ଭା, ନାରିକେଳ, ଗୁବାକ, ଉଆ ଚାଉଳର ପାତ୍ର ପୂରଣ କଲା ଅଙ୍ଗୁର, କିସ୍‌ମିସ୍‌, ପେସ୍ତା । ଅଗୁରୁ ଝୁଣା ପାତ୍ରରେ ଏସେନ୍‍ସ ଶିଶିର ଠିପି ଖୋଲାଗଲା । ବିହାର ପାଇଁ ରଥ ସ୍ଥାନରେ ମଟର, ମନୋରଞ୍ଜନ ପାଇଁ ଗିନି ଢୋଲକ, ମର୍ଦ୍ଦଳ ସ୍ଥାନରେ ବୀଣା, ପିଆନୋ, ହାରମୋନିୟମର ଲୋଡ଼ା ପଡ଼ିଲା । ମଦମତ୍ତ ବିନୋଦନ ପାଇଁ ହରରଙ୍ଗୀ ବୋତଲ ଏବଂ ପରତୋଷିକା ଭାବରେ ଅନାଘ୍ରାତ, ସଦ୍ୟସ୍ନାତା ଅନୁପମମାନଙ୍କୁ ଅଙ୍ଗଲାଗି କରାଗଲା । ଅଲଗା ଅଲଗା ରୀତିରେ ମନ୍ତ୍ରରେ, ରୁଚି ଅନୁସାରେ ସେମାନଙ୍କର ନିରାଜନା କରାଗଲା । ସେଇମାନଙ୍କ ସୁପ୍ରସନ୍ନ ଭାବ ଉପରେ ସେବାକାରୀମାନଙ୍କ ସିଦ୍ଧତ୍ୱ ପ୍ରାପ୍ତି ହିଁ ନିର୍ଭର କଲା । ଖାସ ଚରଣ ସେବକ ଭକ୍ତମାନଙ୍କ ଦ୍ୱାରା ନୂଆ ନୂଆ ପୂଜା ପଦ୍ଧତିମାନ ରଚନା କରାଗଲା । ପଦ୍ଧତି ଟପି କିଏ କେତେ ଆଗକୁ କିପରି ଭାବରେ ମାଡ଼ିଯାଇ ପାରିବ ସେଥିପାଇଁ ପ୍ରତିଯୋଗିତା ବି ଚାଲିଲା । ତାଳୁ ଫଟାଫଟି, ଗୋଡ଼ ଟଣାଟଣି, ଖୂନ୍ଦା, ମୁଥ ମରାମରି ପରି ଲଢ଼େଇ ପାଲାକୁ ଅଣପୁରୁଷା, ଗନ୍ଧିଆ, ବିକଳିଆମାନଙ୍କ ଅଲାଜୁକ, ନିର୍ବୋଧ ରୀତି ବୋଲି ଅଲିଖିତ ଘୋଷଣାମାନ ବିତରଣ କରି ଦିଆଗଲା । ଏଥିପାଇଁ କେତେ ଗଳି, ଉପଗଳି, ଅନୁଗଳିଗୁଡ଼ାଏ ବିତରଣ କରି ଦିଆଗଲା । ଦିଅଁ ପରିତୁଷ୍ଟ ପାଇଁ ଗଳି ଭିତରେ, ସୁଚତୁର ଭାବରେ, କେତେ ବେଶରେ କେତ ଢଙ୍ଗରେ ସେମାନେ ବିହାର କରିବାରେ ଲାଗିଲେ । ସେମାନଙ୍କ ବିହାର ଭୂମିର ମେଧ ହେଲେ ନିର୍ବୋଧ ଗଧ ଓ ଗଧୀଗୁଡ଼ାକ । ଏମାନଙ୍କ ବିଟପୀ ଦେହ ଉପରେ ଖୋଳପା ପିନ୍ଧେଇ ଦିଆଗଲା । ସତୀମାନଙ୍କ ‘‘ତ୍ୱ’’ ଟିକକକୁ ଅପହରଣ କରିବା ପାଇଁ ଏମାନେ ଭୀଷ୍ମ ପ୍ରତିଜ୍ଞା କଲେ । ସାତ କଥାରେ ସତୀଗୁଡ଼ାକ ବି ଭୂଆଁ ବୁଲିଗଲେ । ଛିଣ୍ଡାନୁଗା ପିନ୍ଧି, ନୁଣ ପଖାଳ ଖାଇ, ଭଙ୍ଗା ଘରେ, ଗଛତଳେ ଶୋଇ ଦେହକୁ କଷ୍ଟ ଦେବାକୁ ସେମାନେ ଆଉ ଉଚିତ ମଣିଲେନି । ଅତର ମାରି ସେମାନେ ବି ମନ୍ଦିର ବୁଲି ବାହାରିଲେ । ଦିଅଁ ନିରାଜନା ପାଇଁ ମନ୍ଦିରମାଳିନୀ ଦେଶରେ କେତେ ନୂଆ ନୂଆ ମନ୍ଦିର ତିଆରି ହେଲା । ନୂଆ ପୁରୁଣାର ମେଳା ଲାଗିଲା । ନୂଆ ଉପଚାରମାନଙ୍କର ବେପାର ଚାଲିଲା । ବାଜାବଜା ବଜାରୀମାନଙ୍କର ଅଲାଜୁକ ବେଉସାରେ ସାରା ଦେଶରେ ଜାରଜମାନଙ୍କର ବଂଶବୃଦ୍ଧି ଘଟିଲା । ସତୀମାନଙ୍କର ସତୀତ୍ୱ ବଜାରର, ବିପଣୀଗୁଡ଼ାକରେ ଶୋଭା ପାଇଲା । ଭର୍ତ୍ତାମାନଙ୍କ ଘୋର ରଡ଼ିରେ ଦେଶ ଦୁନିଆ ଗହ ଗହ ଡାକିଲା । ଭେଳିକି ପାଲାର ଗାଆଣ, ପାଳିଆ ହେଲେ ନୂଆ ପାଠୁଆମାନେ । ସେମାନେ ହେଲେ ନୂଆ ସଭ୍ୟତାର ମଙ୍ଗୁଳିଆ ।

 

ଆଧୁନିକ ସଭ୍ୟତା, ହାକିମ ଅଧ୍ୟୁଷିତ ସଭ୍ୟତା । ସେମାନେ ବହୁଲିଙ୍ଗୀ, ବହୁଛାଲୀ, ବହୁଶିଙ୍ଗୀ ଓ ବହୁତୁଣ୍ଡ ବିଶିଷ୍ଟ । ପ୍ରହରାଜଙ୍କ ଭାଷାରେ ‘‘ସେମାନେ ତିନି ଶ୍ରେଣୀର । ଏକଶିଙ୍ଗିକିଆମାନେ ସାଧା କାମୁଡ଼ା, ପଛ କାମୁଡ଼ା, ଅଗାଡ଼ିପଛାଡ଼ି ନାତୁଆ, ଏକାଗୋଠିଆ, ଦୁଇଶିଙ୍ଗିଆମାନେ ଉଭୟ କାମୁଡ଼ା ଓ ନାତୁଆ, ତିନିଶିଙ୍ଗିଆମାନେ କେବଳ କାମୁଡ଼ା ଦଣ୍ଡର ଅଧିକାରୀ । ତିନିସିଙ୍ଗିଆ ଓ ଦୁଇସିଙ୍ଗିଆଙ୍କର ସିଦ୍ଧାନ୍ତ ବିରୋଧରେ କେବଳ ଏକଶିଙ୍ଗିଆଙ୍କ ନିକଟରେ ଅପିଲ କରାଯାଇପାରିବ । ହାକିମ ପ୍ରାର୍ଥୀ ହେବା ପୂର୍ବରୁ ସେମାନେ ନିଜନିଜର ସାଧୁତା ଓ ନିସ୍ୱାର୍ଥପରତା ସଂକ୍ରାନ୍ତୀୟ ସାର୍ଟିଫିକେଟ୍‌ମାନ ଦଳପତି କିମ୍ବା ଦଳପତ୍ନୀଙ୍କଠାରୁ ହାସଲ କରିଥିବେ ଏବଂ ପରୀକ୍ଷିତ ହେଲାପରେ ସେମାନେ ଗାଦିନାସୀନ ହେଇପାରିବେ । ପ୍ରଥମ ନିର୍ଦ୍ଧିଷ୍ଟ ବାଟ ଦେଇ ଆସି ନ ଥିଲେ, ପରେ କେତେ ବାଟ ଦେଇ ସେମାନଙ୍କୁ ଆସନ ନିକଟରେ ବିଜେ କରିବାକୁ ହୁଏ । ଯେଉଁ ଯେଉଁ ଜନ୍ତୁଙ୍କର ଅନ୍ୟ ଜନ୍ତୁ ପ୍ରତି ଅଦଉତି ସାଧିବାର, କାମୁଡ଼ିବାର, ଅନିଷ୍ଟ କରିବାର, ନାତ ମାରିବାର, ଏକଗୋଡ଼ିକିଆ କରିବାର କ୍ଷମତା ଆଇନ ଅନୁସାରେ ଅଛି । ସେ ଫଳାହାରୀ, ଜଳାହାରୀ, ନାଳାହାରୀ, ମଳାହାରୀ, ଅନାହାରୀ ହେଲେ ସୁଦ୍ଧା ହାକିମ ପଦବାଚ୍ୟ ହେବେ । ନାତୁଆ ଘୋଡ଼ା, ତମ୍ପସାପ, ବାୟା ବିଲୁଆ, କାମୁଡ଼ା କୁତୀ, ଛୁଆ ବିରାଡ଼ି, ଗୋଧିସାପ, ଏକଦନ୍ତା ବାର୍‌ହା ପରି ଆଚରଣ କରିବାକୁ ପଡ଼ିବ । ତଳିଆମାନଙ୍କୁ ଗଧିଆ ବିରାଡ଼ି, ଧଣ୍ଡ ଭାବରେ ହିଁ ବିବେଚନା କରିବାକୁ ପଡ଼ିବ ।’’ (ଦୁ.ହା-ପୃ ୨୩୧-୧୩) କଥାକଥାକେ ମୁହଁ ଭୁରୁଡ଼ିରେ ଅନ୍ୟମାନଙ୍କୁ ଭୁରୁଡ଼େଇ ପାରିବା କଳାରେ ଦକ୍ଷତା ଦେଖେଇବାକୁ ପଡ଼ିବ । ସେ ବିଦ୍ୟାବୁଦ୍ଧି, ତୋଷାମଦିରେ ଜଗତଜିତା ଗୁଣର ଅଧିକାରୀ ବୋଲି ନତଜାନୁ ହୋଇ ତାଙ୍କ ପାଦତଳେ ବନ୍ଦନା କରିବାକୁ ପଡ଼ିବ ।

 

ପ୍ରହରାଜେ ଗୁଣ ଓ ରୂପ ଅନୁସାରେ ହାକିମମାନଙ୍କୁ ଆହୁରି ଦଶଜାତିରେ ବିଭକ୍ତ କରିଥିଲେ ।

 

(୧)

ସିଂହଜାତୀୟମାନେ ଉଚ୍ଚମନା, କ୍ଷମତାଶାଳୀ । ଏମାନେ ଅଧୀନକୁ ପଛଆଡ଼ୁ ମାରନ୍ତିନି । କ୍ଷମତା ଓ ବଳର ଅପବ୍ୟବହାର କରନ୍ତିନ ।

Unknown

(୨)

ବ୍ୟାଘ୍ରମାନେ ନିହାତି ଅଖାଡ଼ୁଆ ସ୍ୱଭାବର । ରାଗିଗଲ ଏମାନେ ଆଗପଛ ସବୁଆଡ଼କୁ ସମାନ ଭାବନ୍ତି । ଭୋକ ନ ଥିଲେ ବି ସୁବିଧା ପାଇଲେ ପ୍ରକୃତି ଛାଡ଼ି ନ ପାରି କେତେଟାଙ୍କ ତଣ୍ଟି ଚିପିଦିଅନ୍ତି । ମଡ଼ା ଛୁଅନ୍ତି ନାହିଁ ।

(୩)

ବରାହ ଜାତୀୟମାନେ ପରାକ୍ରମଶାଳୀ ପ୍ରତିହିଂସା ପରାୟଣ । ଏମାନେ ଏକୁଟିଆ ସବୁକିଛି ଖାଇ ପାରନ୍ତି । ଏମାନେ ସୁବିଧାବାଦୀ, ନିଷ୍କରୁଣ ।

(୪)

ମହିଷ ଜାତୀୟମାନେ ମାଂସାସୀ ନୁହଁନ୍ତି । ଏମାନେ ଦଳ ଭିତରେ ଥାନ୍ତି । ଶତ୍ରୁକୁ ଉପଯୁକ୍ତ ଶିକ୍ଷା ଦିଅନ୍ତି । ଏମାନେ କି କର୍କଶ, ଭୟାନକ ! ପରାକ୍ରମଶାଳୀ ସିଂହ ଓ ବ୍ୟାଘ୍ରମାନେ ମଧ୍ୟ ଏମାନଙ୍କ କବଳକୁ ପଶି ପାରନ୍ତିନି ।

(୫)

ଗୋଜାତୀୟମାନେ ଉପକାରୀ ନିରୀହା, ସେମାନେ ସ୍ନେହୀ । ନିଜେ ଉପାସର ଦୁଃଖ ସହି ଅନ୍ୟମାନଙ୍କର ସୁଖ ପାଇଁ ଜୀବନ ଦିଅନ୍ତି । ଏମାନେ ନ ଥିଲେ ହାକିମମାନଙ୍କ ସଂସାର ଉଜୁଡ଼ିଯା’ନ୍ତା ।

(୬)

କ୍ଷୁଦ୍ରକାୟ କୁକରମାଙ୍କର ଜୀବନ, ମୁନିବର ସୁଖ ନିମନ୍ତେ ଉତ୍ସଗୀକୃତ । ଏମାନେ ନିମକହାରାମି କରନ୍ତି ନାହିଁ । ଗୋଟିଏ ଜାଗାରେ ଏକାଧିକଙ୍କ ଆଖଡ଼ା ଜମିଲେ, ଆଉ କେହି ଶାନ୍ତିରେ ରହିପାରନ୍ତିନି ।

(୭)

ବିଲାତୀ ଜାତୀୟ ଅଶ୍ୱମାନଙ୍କ ପାଇଁ ଅଧିକ ଖରଚ ହୁଏ, ମାତ୍ର ଏମାନଙ୍କର କାମ କମ୍‌ । ପ୍ରଭୁମାନେ ମଧ୍ୟ ପାଟକନାରେ ଏମାନଙ୍କର ଅଙ୍ଗସେବା କରନ୍ତି ଏବଂ ଜଳଖିଆ ଘୋଡ଼ାମାନଙ୍କର ଜନ୍ମ ଗାଡ଼ି ଟାଣିବା ପାଇଁ । ଚାରି ପଇସାର ଖାଇ ଚାରିଆଣର କାମ କରନ୍ତି । ବୟସ ହେଇଗଲେ, ସନ୍ତରାବଣର ଦଳ ଖାଇବାପାଇଁ ଏମାନଙ୍କୁ ପଠେଇ ଦିଆଯାଏ ।

(୮)

ଗଧଜାତୀୟମାନେ ସମସ୍ତଙ୍କର ଗୋଡ଼ଘଷା ପଥର । ଏମାନ ଭାର ବାହକ । ମାତ୍ର ଅକଳିଆ ଅବସ୍ଥାରେ ପ୍ରଭୁମାନେ ମଧ୍ୟ ଏମାନଙ୍କର ପାଦ ଧରନ୍ତି ।

(୯)

ସର୍ପମାନଙ୍କ ମଧ୍ୟରେ ଅଧିକାଂଶ ବିଷଧର । ଏମାନେ ଅନିଷ୍ଟ ପରାୟଣ, ଧୂଳି ଧୂସରିତ । ପଦ୍ମତୋଳା, ଗାରୁଡ଼ି ବିଦ୍ୟାରେ ଏମାନେ ବଶ । ଏମାନେ ସମସ୍ତଙ୍କର ଘୃଣା ଓ ଭୟର ପାତ୍ର ।

(୧୦)

ସମାଜର ସବୁଠାରୁ ଅଧିକ ସଂଖ୍ୟକ ହାକିମ ମଶକ ଜାତୀୟ । ଏମାନଙ୍କ ଉତ୍ପତ୍ତି ନର୍ଦ୍ଦମାରୁ, ଅଳ୍ପ ପରମାୟୁବିଶିଷ୍ଟ । କାମୁଡ଼ିବା ପୂର୍ବରୁ ଗୁଣୁ ଗୁଣୁ ହୁଅନ୍ତି, ଧୂଆଁଦେଲେ କୋଉଠି ନୁଚିଯାନ୍ତି । ଧୂଆଁ ସରିଗଲେ ପୁଣି ପଦାକୁ ବାହାର ଆସନ୍ତି । ଅଳ୍ପ ବିଷଧାରୀ ହେଲେ ସୁଦ୍ଧା ଏମାନେ ଅନିଷ୍ଟ କରନ୍ତି, ବିରକ୍ତି ବି କରନ୍ତି ।

 

ହାକିମଙ୍କ ଦଶବିଧ ଅବତାର ବ୍ୟତୀତ ପ୍ରହରାଜେ ଶୃଗାଳ, ବାନ୍ଦର, ମୂଷିକ, ମେଷ, କଙ୍ଗାରୁ, ଉଷ୍ଟ୍ର, ଭେକ. ଶୂକର ପରି ବହୁରୂପରେ ସେମାନଙ୍କର ପରିକଳ୍ପନା କରିଥିଲେ । (ଦୁ.ହା- ପୃ ୧୫-୧୭) ସଭ୍ୟ ଦେଶରେ ସୁଶୋଭିତ ମଣିଷ ଓ ପଶୁମାନଙ୍କ ଭିତରେ ପ୍ରବୃତ୍ତି ଓ ପ୍ରକୃତିଗତ ସାମ୍ୟ ପ୍ରତିପାଦନ କରିବାହିଁ ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ସେ ସିଂହ ହୁଅନ୍ତୁ ବା ମଶକ ହୁଅନ୍ତୁ, ବଳିବର୍ଦ୍ଧ, ଛାଗଳ ଓ ମେଷ-ରୂପୀ ମଣିଷମାନଙ୍କୁ ପରିଚାଳନା କରିବାକୁ ସେମାନଙ୍କର ଜନ୍ମ । ସାତଟଙ୍କା ଦରମା ପାଉଥିବା କନିଷ୍ଟବଳ (କନେଷ୍ଟବଳ) ବାବୁଙ୍କୁ ଗ୍ରାମବାସୀଏ ଡରନ୍ତି । ସମସ୍ତେ ଜମାଦର ବୋଲି ଡାକନ୍ତି । ଅନୁସରଣିଆ ଗାଁର ତିନିଜଣଙ୍କ ନାଁ ଦାରୋଗାବାବୁଙ୍କ ପାଖରେ ସୁପାରିଶ କରି ଦଫାଦାର ଚାକିରିରେ ମୁଜରିର କରିପାରିବାର ଯୋଗ୍ୟତାରେ ସେ ଅଧିକାରୀ । ଗ୍ରାମର ଜମିଦାରଙ୍କ ସାଙ୍ଗରେ ତାଙ୍କର ଚିରନ୍ତନ ବିବାଦ । ଖାସ୍‌ ତାଙ୍କୁ ଜବତ୍‌ କରିବା ପାଇଁ ତାଙ୍କର ଏ ନୂଆ ବେଶ । ଜମିଦାରଙ୍କର ବି ତାଙ୍କୁ ପ୍ରାଣର ଭୟ । ମୁନ୍‌ସୀସାହେବ ପୁଣି ଏତେ ଧାର୍ମିକ ଯେ, ଜମାଦାର ବାବୁଙ୍କ ବ୍ୟତୀତ ଆଉ କେହି ସୁନା ମୁଣ୍ଡାଏ ଦେଲେ ସେ ଗ୍ରହଣ କରନ୍ତିନି । ଜମାଦାର ତାଙ୍କର ଆପଣାର ଲୋକ । ଗାଁରେ ସେ ମାନୀ, ଧନୀ, ଗୁଣୀ, କଳାମୋଦୀ, ବିଦ୍ୱାନ ସବୁକିଛି । ମୂଢ଼, ଗଜମାନଙ୍କୁ ଶିକ୍ଷିତ କରେଇବାରେ ଓ ସେମାନଙ୍କ ନ୍ୟାଯ୍ୟ ଦାବିକୁ ପୂରଣ କରିବା କଳାରେ ସେ ପ୍ରବୀଣ । ଆଧୁନିକ ଶିକ୍ଷା, ସଂସ୍କୃତିର ସେ ସଂବାହକ । ଗାଁର ସବୁ କାମରେ ସେ ଆଗ । ପୂଜା ପାର୍ବଣ, ନାଚଗୀତ, ଥିଏଟର ସବୁକାମରେ ସେ । ତାଙ୍କରି ଖାତିରରେ ସହରର ନାଚବାଲି ବାଇମାନେ କେବଳ ଗାଁକୁ ଆସନ୍ତି । ତାଙ୍କ ଘରେ ଅତିଥି ହୁଅନ୍ତି । ମାଷ୍ଟରବାବୁ ବିନା ବେତନରେ ତାଙ୍କର ପୁତ୍ର କନ୍ୟାଙ୍କୁ ଶିକ୍ଷିତ କରାନ୍ତି-। ସେମାନେ ବୃତ୍ତି ନ ପାଇଲେ ବିଚରା ମାଷ୍ଟରଙ୍କର ଦରମା କଟିଯାଏ । ବୃତ୍ତି ହାତଛଡ଼ା ହେଇଯିବାର ଭୟ ଥାଏ । ସେହି ଗ୍ରାମର ହର୍ତ୍ତାକର୍ତ୍ତର ସବୁକିଛି । (ଭା.ଟୁ. ସଂ-ପୃ ୧୮)

 

ହାକିମ ଶିଢ଼ିର ଆଉ ଗୋଟାଏ ଫଳି କିରାଣି । ସେମାନେ ଚୂରକିଚୁଟି, ଚଟିଯୋତା ଶୋଭିତ । ସ୍ତ୍ରୀ ସ୍ୱାଧିନତାର ପକ୍ଷପାତୀ । କେତେକେତେ ଗୁଣର ଅଧିକାରୀ । ବର୍ଷରେ ଦଶହରା, ବଡ଼ଦିନ ଛୁଟିରେ ଗାଁକୁ ଆସନ୍ତି । ଗାଁର କିଛି ଲୋକଙ୍କୁ ନିଜ ସିରସ୍ତାରେ ପିଆଦା ଚାକିରିରେ ବି ରଖେଇ ଦେଇପାରନ୍ତି । (ଭା. ଟୁ. ସଂ- ପୃ ୧୩) ସେମାନେ ସମ୍ଭ୍ରାନ୍ତ, ସମ୍ମାନସ୍ପଦ, ନୀତିବାନ୍‌ । ଉପର ଫଳାଗୁଡ଼ାକର ସଞ୍ଚାଳକ । ତେଣୁ ଅସାଧାରଣ । ସେମାନଙ୍କର ଗଉଁ ହିଁ ସବୁଠାରୁ ଅଧିକ । ସେମାନ ସାହେବଙ୍କ ତଳ ହେଲେବି ସାହେବ ହାକିମ । ସମାଜର ଅସଲ ନିୟନ୍ତ୍ରକ । (ଦୁ. ହା. ପୃ ୧୬୭) ଆପଣାର ନୀଳବର୍ଣ୍ଣ ବେଶ ଦେଖି ପୁଲକିତ ଗୁଡ଼ିଏ ମାଟିଆ ଶୃଗାଳ ।

 

ହାକିମମାନଙ୍କର ଅଦଉତି ଜମିଦାର, ମହାଜନଙ୍କ ଉପରେ । ଜମିଦାରମାନେ ପୁଣି ଆପଣା ଜ୍ଞାନରେ ଗରୀୟାନ, ଧନରେ ବଳବାନ । ସେମାନେ ପ୍ରବୀଣ, ପରମାର୍ଥୀ ଦୀକ୍ଷାଧାରୀ । ସେମାନେ କାହାରି ସାଙ୍ଗରେ ମିଶନ୍ତିନି । ଉଆସରେ ଅଧୀକାଂଶ ସମୟ କଟାନ୍ତି । ‘‘କେବଳ ମାଲିମକଦ୍ଦମା ପଡ଼ିଲେ ସହରକୁ ଯା’ନ୍ତି । ଗାଁରେ ସମସ୍ତେ କହନ୍ତି ବାବୁ ଯୋଡ଼ି (jury) ରେ ବସନ୍ତି । x x x ସିରସ୍ତାରେ ତାଳପତ୍ର ବଦଳରେ କାଗଜ ଚଳେଇବାରେ ସେ ବିରୋଧୀ । x x x ପୋଲିସଙ୍କ ପ୍ରତାପ ଯୋଗୁଁ ସେମାନଙ୍କ କ୍ଷମତା ଓ ଆୟରେ ଊଣା ପଡ଼ିଯାଏ । ଦି’ବେଳା ଭାଙ୍ଗ କିମ୍ଭା ଗଞ୍ଜା ବା ଆପୁ ନ ହେଲେ ଦେହ କ’ଣ ହୋଇଯାଏ । ସରକାରୀ ମାଲଗୁଜାରୀ ବାବଦକୁ କରଜର ଭାର ବଢ଼ି ବଢ଼ି ଚାଲେ । ସେମାନେ ମଫସଲରେ ବାଘ । କଚେରୀ ନାଁ ଶୁଣିଲେ ଘର ଭିତରେ ପଶନ୍ତି । ଚାକରବାକରଙ୍କଦ୍ୱାରା କାମ ଚଳେଇ ନିଅନ୍ତି । କଚେରୀ ସେମାନଙ୍କ ପାଇଁ ଯେମିତି କଂସେଇ ଖାନା । ଇଂରାଜୀରେ ନାଁ ଦସ୍ତଖତ କରିବା ପାଇଁ ବାରମ୍ବାର ମାଷ୍ଟର ରଖି ମଧ୍ୟ ସମ୍ଭବ ହୋଇପାରେନା । ହାକିମ ପ୍ରୀତ୍ୟାର୍ଥେ ସେମାନଙ୍କ କଥାକୁ ପାଣିରେ ପକେଇବାକୁ ସାହସ କରିପାରନ୍ତି ନାହିଁ ।’’ (ଭା.ଟୁ.ସଂ) ମାତ୍ର ଯେତେହେଲେବି ସେମାନେ ସହଜରେ ତୁଷ୍ଟ ହୁଅନ୍ତି ନାହିଁ । ସବୁ ଦେଇ ଦେଇ ସେମାନଙ୍କଠାରୁ ‘‘ଲାଭସ୍ୱରୂପ ପାଆନ୍ତି ଧକ୍‌କା ଆଉ ଧମକ ।’’ (ବା. ପା. ପୃ ୫) ଅଥଚ ଦିନେ ଜିମଦାରମାନେ ଥିଲେ ପ୍ରଜାମାନଙ୍କର ମା ବାପା । ପ୍ରଜାମାନଙ୍କୁ ଆପଣାର ପୁଅ ଝିଅଙ୍କ ପରି ପ୍ରତିପାଳନ କରୁଥିଲେ । ସେମାନଙ୍କର ହାନିଲାଭ, ସୁଖଦୁଃଖରେ ଭାଗିଦାର ହେଉଥିଲେ । ଇଂରେଜମାନଙ୍କ ଶାସନରେ ସବୁକିଛି ଓଲଟପାଲଟ ହୋଇଗଲା । କର ଭାରରେ ସେମାନେ ନଇଁଗଲେ । ଋଣ ଉପରେ ଋଣ କରିବାରେ ଲାଗିଲେ । ପୋଇଲି ଓ ରକ୍ଷିତା ରଖିବା ପରି ଅନେକ ଅନେକ କୁକର୍ମରେ ସେମାନେ ବୁଡ଼ିରହିଲେ । ପ୍ରଜାପାଳନ ନ ହୋଇ ସେମାନଙ୍କ ପାଇଁ କଣ୍ଟକ ହେଲେ । ଇଂରେଜ ସରକାରଙ୍କ ସୂର୍ଯ୍ୟାସ୍ତ ଆଇନ (୧୭୯୩ ଖ୍ରୀଷ୍ଟାବ୍ଦ) ମଧ୍ୟ ସେମାନଙ୍କ ପାଇଁ କାଳ ହେଲା । ବଙ୍ଗାଳୀ ଓ ଅନ୍ୟ ଜାତିର ଲୋକେ ଓଡ଼ିଶାର ଜମିଦାରୀଗୁଡ଼ିକ କିଣିନେଲେ । ସ୍ୱାର୍ଥସର୍ବସ୍ୱ ଟାଉଟରମାନେ ମଧ୍ୟ ପାଖରେ ଥାଇ ଜମିଦାରଙ୍କ ତୋଟି କାଟିଲେ । ସେପଟରୁ ଆସିଥିବା ନୂଆ ଜମିଦାରମାନେ ଲୋକଙ୍କ ଉପରେ କର ଉପରେ କର ବସେଇ, ସେମାନଙ୍କୁ ଶୋଷଣ କରିବାରେ ଲାଗିଲେ । ପ୍ରଜାଙ୍କ ପେଟ ଚିହ୍ନିବା ସେମାନଙ୍କର ଆଦର୍ଶ ନ ଥିଲା-। ବିଳାସ ସେମାନଙ୍କ ଜୀବନର ଅଙ୍ଗ ହୋଇ ପଡ଼ିଲା । ଓଡ଼ିଶାର ସମୃଦ୍ଧ ସାମାଜିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲା । ସଂଚିତ ଓ ଉପାର୍ଜିତ ଅସରପିଗୁଡ଼ାକ ବାଏଁ ବାଏଁ ଉଡ଼ିଯାଉଥିଲା । ଉଆସର ମାଟି, ଗୋଡ଼ି, ଇଟା ପଥର, ଛଣକୁଟା ଖସି ପଡ଼ୁଥିଲା ଭୂଇଁ ଉପରେ । ସେ ପଟର ବେପାରୀମାନେ ଏବଂ ମାଟି ଉପରେ ଘର କରିଥିବା ନୂଆ ସଭ୍ୟତାର ସରକାରୀ ମୋହରମରା ସାହେବମାନେ ପରସ୍ପର ସହିତ ହାତମିଳେଇ, ତା ଉପରେ ଅତ୍ୟାଚାର କରିବାରେ ଲାଗିଲେ । ପ୍ରଗତି ନାଁରେ ଚାଲିଥିବା ଦୁର୍ଗତିର ରାସଲୀଳାରେ ରାଜା ବେଶରେ ବାହାରିଲେ । ପାରମ୍ପରିକ ମୂଲ୍ୟବୋଧ ଅସାର ହୋଇପଡ଼ିଲା । ଗୋପଳ ପ୍ରହରାଜଙ୍କ ବାପା ଏବଂ ଜେଜେବାପା ମଧ୍ୟ ଅପସଂସ୍କୃତିର ରାଜତ୍ୱରେ ଅଣନିଶ୍ୱାସୀ ହୋଇପଡ଼ୁଥିଲେ । ନଅଙ୍କ ଦୁର୍ଭିକ୍ଷ କାଳରେ ତାଙ୍କ ଜେଜେବାପା ଭାଗିରଥୀ ଅନ୍ୟ ଜମିଦାରମାନଙ୍କ ପରି ଅର୍ଥ ସଞ୍ଚୟ ନ କରି, ପ୍ରଜାମାନଙ୍କ କଙ୍କାଳରେ ଜୀବନ ସଞ୍ଚାର କରିବାପାଇଁ ମରେଇ ଖୋଲି ଦେଇଥିଲେ । ନରସିଂହ, ବାପାଙ୍କୁ ହିଁ ଆଦର୍ଶ ଭାବରେ ଗ୍ରହଣ କରିଥିଲେ । ପ୍ରଜାଙ୍କ ମେଳରେ ତାଙ୍କ ସମୟ କଟୁଥିଲା । ଉଆସରେ ଦୁଃଖୀରଂକୀଙ୍କର ମେଲଣ ହେଉଥିଲା । ସେ ସେମାନଙ୍କ ପେଟ ଚିହ୍ନୁଥିଲେ । ନିଜର ବ୍ୟକ୍ତିତ୍ୱକୁ ଜାହିର କରୁଥିଲେ । ମାତ୍ର ପରଂପରାର ବୋଧଦ୍ରୁମକୁ ଯେତେ ଶକ୍ତ ଭାବରେ ଧରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା, ତାଙ୍କ ହାତ କ୍ରମଶଃ ଶୀଥିଳ ହୋଇ ଆସୁଥିଲା । ଗୋପାଳପ୍ରହରାଜଙ୍କ କାଳକୁ ସେ ଶୀଥିଳ ହାତ ଅଧିକ ଶୀତଳେଇ ଯାଇଥିଲା । ନୂଆ ସଭ୍ୟତାର ତୋଡ଼ରେ ବଡ଼ ଅସହାୟ ଭାବରେ କୁଟାଖିଅଟିଏ ପରି ସେ ଭାସିଯାଉଥିଲେ । ତାର ଗତିରୋଧ କରିବାକୁ ଚେଷ୍ଟା କରି ବଫଳ ହେଉଥିଲେ । ଛୋଟବଡ଼ କରି ପ୍ରାୟ ସବୁ ଜମିଦାର ସମଦୁଃଖରେ ଭାଙ୍ଗିପଡ଼ୁଥିଲେ; କାତର ହେଉଥିଲେ । କ୍ଷମତା ଜାହିର କରିବାର ଚତୁର କଳା, କାଳର ଗତିରେ ଚୂନା ହୋଇଯାଉଥିଲା । ସେମାନଙ୍କ ନାଲି ଆକ୍ଷିର ତେଜ ଓ ପିଠି ଆଉଁସାର ଗଦ, ସବୁକିଛି ଅକାମୀ ହୋଇପଡ଼ୁଥିଲା ।

 

ଏହି ନୂଆଧାରା ଭିତରେ ସାହୁ ଉପାଧିଧାରୀ ମହାଜନମାନଙ୍କର ଟାପୁଗୁଡ଼ାକ କ୍ରମଶଃ ବଢ଼ି ବଢ଼ି ଚାଲିଥିଲା । ସେମାନେ ବେପାରୀ ସଭ୍ୟତା ଭିତରେ ଏକାକାର ହୋଇଯିବାର ସୁଯୋଗ ପାଇଲେ । ଜମିଦାରମାନେ ବି ସେମାନଙ୍କର ଦ୍ୱାରସ୍ଥ ହେଲେ । ସୁନା, ରୂପା ଗହଣା ଗାଣ୍ଠି ଜମି ସବୁକିଛି ସେମାନଙ୍କ ପାଖରେ ବନ୍ଧା ପକେଇ କାଜ ପରେ କରଜ କଲେ । ଋଣ ଭାର ସମାଳି ନ ପାରି ଜମିଦାରୀ ବି ଉଜୁଡ଼ି ଯାଉଥିଲା । କାରଣ ‘‘ନିର୍ମାଲ୍ୟଛୁଇଁ ସେମାନେ ଶପଥ କରୁଥିଲେ, ବିନା ବନ୍ଧକରେ ଗୁରୁଗୋସେଇଁ କି କଉଡ଼ିଟିଏ ଋଣ ନ ଦେବା ପାଇଁ ।’’ (ଭା. ଟୁ, ସଂ-ପୃ ୬. ୨୧, ୧୭) ଲାଭ ପାଇଁ ବଣିଜ କରୁଥିବା ମଣିଷମାନଙ୍କୁ ବହୁ ଲାଭର ବାଟ ଦେଖେଇଥିଲେ ହାକିମମାନେ । ସାହୁ ବୃତ୍ତି ଭିତରକୁ ମହାନ୍ତି, ମୁଦୁଲି, ଦାସମାନେ ବି ଆସିଲେ । ନୂଆ ନୂଆ ଚକରକିଆ, ରଙ୍ଗବେରଙ୍ଗର ବିଦେଶୀ ଜିନିଷ ସହର ବାଟ ଦେଇ ଗାଁ ଗୁଡ଼ାକୁ ବି ଆସିଲା । ଲୋକେ ରଙ୍ଗ ଦେଖି ବିଭଳିତ ହୋଇଗଲେ । ସେପଟର ପକ୍‌କା ବେପାରୀମାନେ, ଦେଶୀ ବେପାରୀମାନଙ୍କ ଜାଲ ଭିତରେ ଏ ଦେଶର ନିରୀହମାଛମାନଙ୍କୁ ବଡ଼ ସହଜରେ ପୂରେଇ ଦେଲେ । ବଣିଜ ଭିତରେ ଦେଶୀୟ ନୀତିନୟମ, ଆଚାର ବିଚାର ଲୋପପାଇଲା । ଲୋକଙ୍କ ଖୋସଣୀ ପେଟରାଗୁଡ଼ାକ ଖାଲି ହେବାରେ ଲାଗିଲା । ପତଙ୍ଗ ପରି ବିକଳ ହୋଇ ସେମାନେ ବିଦେଶୀ ଆଲୁଅ ଭିତରକୁ ଡେଇଁପଡ଼ିଲେ । ବିଦେଶୀ-ଦେଶୀ ସାହେବମାନଙ୍କ ଖାଲି ଭାତ ଥାଳି ପାଖରେ ବିବିଧ ବ୍ୟଞ୍ଜନ ରୂପରେ ଶୋଭାପାଇଲେ । ରାତାରାତି ଏ ଦେଶ କେବଳ ବେପାରୀମାନଙ୍କ ବିହାରଭୂମିରେ ପରିଣତ ହୋଇଗଲା ।

 

ଇଂରେଜ ଶାସନ କାଳରେ ଉଭୟ ଗଡ଼ଜାତ ଓ ମୋଗଲବନ୍ଦୀର ରାଜାମାନଙ୍କର ମଧ୍ୟ କିଛି ନିଜତ୍ୱ ନ ଥିଲା । ସରକାରଙ୍କୁ ସେମାନେ କର ଦେଉଥିଲେ । ଅବଶ୍ୟ ରାଜ୍ୟର ନିରାପତ୍ତା ରକ୍ଷାଥିଲା ଗୋରା ସରକାରଙ୍କର ଦାୟିତ୍ୱ । ରାଜଧାନୀରେ ସରକାରଙ୍କ ଏଜେଣ୍ଟ ଓ ଦେଓ୍ୱାନ ରହୁଥିଲେ ରାଜାଙ୍କ ଆନୁଗତ୍ୟକୁ ଆକଳନ ପାଇଁ । ରାଜାମାନେ ଟିକିଏ ତେଢ଼ିଆମି କଲେ, ସେମାନଙ୍କୁ ଗାଦିରୁ ତଳକୁ ଓହ୍ଲେଇ ଦିଆଯାଉଥିଲା । କୋଉଠୁ କୋଉଠୁ ସଂପର୍କୀୟମାନଙ୍କୁ ଡାକିଆଣି ମୁଣ୍ଡରେ ମୁକୁଟ ପିନ୍ଧେଇ ଦିଆଯାଉଥିଲା । ତେଣୁ ପ୍ରକାଶ୍ୟରେ ବା ପରୋକ୍ଷରେ ଇଂରେଜମାନଙ୍କର ବିରୋଧ କରିବାକୁ ସେମାନେ ସାହସ କରିପାରୁ ନ ଥିଲେ । ମାତ୍ର ରୀତିମତ ବୀର୍ଯ୍ୟହୀନ କରି ଦିଆଯାଇଥିଲେ ବି, ପ୍ରଜାମାନଙ୍କ ଉପରେ ଆଧିପତ୍ୟ ଜାହିର କରିବାକୁ ସେମାନେ କୁଣ୍ଠା ପ୍ରକାଶ କରୁ ନ ଥିଲେ । ସେମାନଙ୍କ କ୍ରୋଧର ତାତି ପ୍ରଜାମାନଙ୍କ ଦେହରେ ମରୁଥିଲା । ବିଭିନ୍ନ ବାଟରେ, ସେମାନଙ୍କୁ ଶୋଷଣ କରୁଥିଲେ । କରଭାରରେ ପ୍ରଜାମାନେ କଙ୍କାଳ ସାର ହୋଇପଡ଼ୁଥିଲେ । ଈଶ୍ୱରପୁତ୍ର ରାଜାମାନଙ୍କ ବିଳାସ ପାଇଁ ନିଜ ନିଜର ସବୁକିଛି ଦେଇସାରିଲାପରେ ମଧ୍ୟ, ଯାତନାରୁ ମୁକ୍ତି ମିଳୁ ନ ଥିଲା । ଗଡ଼ଜାତର ଅନ୍ଧାରୀ ମୁଲକରେ ସୁଶାସନ ନାଁରେ ସୁଆଙ୍ଗ ଚାଲିଥିଲା ।

 

ପ୍ରହରାଜେ ବି ଏ ସୁଆଙ୍ଗକୁ ଦେଖୁଥିଲେ । ରାଜାମାନଙ୍କର ଅମନୁଷ୍ୟତାକୁ ପଦାରେ ପକେଇବାପାଇଁ କଲମ ଚଳୋଉଥିଲେ । ଗଡ଼ଜାତିଆ ରାଜାମାନଙ୍କୁ ଛାଗଳ, ବରାହ, ଶ୍ୱାନ, ବୃଷଭ, ବ୍ୟାଘ୍ର- ଗୋତ୍ରିୟା ରୂପରେ ଚିତ୍ରଣ କରିଥିଲେ । ‘‘ମଣିଷ ଗଡ଼ଜାତରେ ଜନ୍ମ ହେଲେ ବି ଗଡ଼ଜାତରେ ପାଦ ପକେଇଲେ ପଶୁଶ୍ରେଣୀଭୁକ୍ତ ଓ ପଶୁପ୍ରବୃତ୍ତିର ହୋଇଯାଏ’’ ବୋଲି ଉଲ୍ଲେଖ କରିଥିଲେ । (ଦୁ.ହା.ପୃ ୧୧୩) ମୁହଁର ରୂପ ଓ ଗୁଣ ଅନୁସାରେ ସେମାନଙ୍କୁ ‘ଗଧ, ଗାଈ, ତୋବଡ଼ା, ବାଆଁରା, ଅପାନ, ପୋଡ଼ା, ବିରୁଡ଼ି, ପିମ୍ପୁଡ଼ି, ରକତ, ଆମ୍ବୁଲ, ସଳିତା, ଘଡ଼ି, ଜଳଜଳା, ପଲମ, ପିହାଣ, ଛୁଞ୍ଚି, ଗୋ, ଗଧ, ଛତା, ମନ୍ତ୍ରୀ, ସନ୍ତ୍ରୀ, ହେଟା, ବାନ୍ଦର, ବାଘ, ଧନୁ, ଦରପୋଡ଼ା, ଭାଲୁ, ଛଉକା, ଭଙ୍ଗ, ସିଂହ, କୋକି, ପଟା, ବୋତଲ, ଶିଶି, ଟେରୀ, ଟିକ, ଗମ୍ଭୀରା, ଗାତ, ଭାଲିଆ, ବିଛୁଆତି, ଚଷମା, ଦାଢ଼ିଆ, ମିଛୁଆ, ଥାକୁଲା, ଲାଜକୋଳି, କୁଆ, କୋଇଲି, ଶାଗୁଣା, ଚାଳ, ପାଳତୁଣ୍ଟା, ବସନ୍ତ, ବରୁଣ, ଶଗଡ଼ଦଣ୍ଡା, ଚେମିଣି, ଗୋଧି, ବେଙ୍ଗ, ହିହୁଡ଼ି, ଓଲୁଅ, ବଙ୍କା, କଖାରୁ, କଦଳୀ, ସାରୁମୁହାଁ’’ ଉପାଧିରେ ନାମିତ କରିଥିଲେ ଏବଂ ସେମାନଙ୍କର ସ୍ୱଚ୍ଛନ୍ଦ ବିହାର ଓ ପ୍ରୀତିପାଇଁ ‘‘ରାଜବାଟୀ, ମହାରାଜାବାଟୀ, ଜମିଦାରବାଟୀ, ସାଆନ୍ତବାଟୀ, ଅନ୍ତରବାଟୀ, ପ୍ରତ୍ୟୟରବାଟୀ, ପାଟରାଣୀବାଟୀ, ମହାରାଣୀବାଟୀ, ବାବାଜୀବାଟୀ, ମାତାଜୀବାଟୀ, ମହନ୍ତବାଟୀ, ଶେଠବାଟୀ, ସାହୁକାରବାଟୀ, ମହାଜନବାଟୀ, ମହାଦେଈବାଟୀ’’ ପରି ଯେତେବେଳେ ବାଟୀର ବ୍ୟବସ୍ଥା ଥାଏ ସମସ୍ତର ମଧ୍ୟ ବର୍ଣ୍ଣନା କରିଥିଲେ । ଆ. ବ. ଫ- (ବା.ନା.ବୁ-ପୃ ୫୩) ରାଜାମାନଙ୍କର ‘‘କାଠି ଲାଗି, ଶୂଳେଇ ବିଜେ ଲାଗି, ଚୁରୁଟ ଲାଗି, ପନିଅର ଲାଗି, ଫୁଲୁରି ଲାଗି, ଦିହ ଲାଗି’’ ପରି ବିଭିନ୍ନ ଲାଗିପାଇଁ ବିଳାସର ଯେଉଁ ବିଚିତ୍ରବିଧିମାନଙ୍କର ବ୍ୟବସ୍ଥା କରାଯାଇଥିଲା, ସେ ସମସ୍ତଙ୍କୁ ବ୍ୟଙ୍ଗ କରିଥିଲେ ଏବଂ ବିଶେଷତଃ ରାଜଦର୍ଶନ ପ୍ରୀତ୍ୟର୍ଥୀମାନଙ୍କର ବାୟବୀୟ ଅବସ୍ଥା ସଂକ୍ରାନ୍ତରେ ବର୍ଣ୍ଣନା କଲାବେଳେ ତାଙ୍କ କଲମ ଯେମିତି ବିଳାପ କରୁଥିଲେ ।

 

‘‘ସ୍ୱପ୍ନରେ ରାଜଯୋଗ’’ ଶୀର୍ଷକ ଆଲୋଚନାଗୁଡ଼ିକରେ ପ୍ରହରାଜେ ରାଜାମାନଙ୍କର ଔଦ୍ଧତ୍ୟ ଓ ଅମନୁଷ୍ୟତାକୁ ବଡ଼ କଟୂଭାଷାରେ ସମାଲୋଚନା କରିଥିଲେ । ଢେଙ୍କାନାଳ ରାଜାଙ୍କର ଅନ୍ଧାରୀ ଶାସନର ମଧ୍ୟ ସେ ଶିକାର ହୋଇଥିଲେ । ଶୁଣାଯାଏ ଭାଷାକୋଷ ପାଇଁ ଅର୍ଥ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେ ଢେଙ୍କାନାଳର ରାଜାସାହେବ (ତତ୍‌କାଳୀନ)ଙ୍କ ଦ୍ୱାରସ୍ଥ ହୋଇଥିଲେ । ପେଟ ତ ପୂରିଲାନି, ରାଜା ମଟର ଗାଡ଼ିରେ ନେଇ ତାଙ୍କୁ ଘନ ଜଙ୍ଗଲ ଭିତରେ ଛାଡ଼ିଦେଇ ଆସିଥିଲେ । ବିଚରା ପ୍ରହରାଜେ ସାରା ରାତି ଗଛ ଉପରେ ବସି, ତା ପରଦିନ କିଛି ଆଦିବାସୀଙ୍କ ସାହାଯ୍ୟରେ ନିଜ ଅଞ୍ଚଳର ସୀମା ଛୁଇଁବାକୁ କ୍ଷମ ହୋଇଥିଲେ । ରାଜପ୍ରୀତିରୁ ବଞ୍ଚିଯାଇଥିବାରୁ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ଏବଂ ନବଭାରତ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇଲା ‘‘ସ୍ୱପ୍ନରେ ରାଜଯୋଗ’’ ଶୀର୍ଷକ ଆଲୋଚନା ।

 

ଢେଙ୍କାନାଳରୂପୀ ଆଲୁଅ ମୂଲକରେ ରାଜା ଥିଲେ ଅପାନମୁହାଁ । ମୁହଁରେ ପାଳବିଣ୍ଡା ଦେଇ ରାଜାଙ୍କ ମିସଲର ଡାହାଣ ପାଖରେ ବସିଥାନ୍ତି ସାନଭାଇ । ପାଳ ବିଣ୍ଡାରେ ସ୍ପ୍ରିଂର କଳଲାଗିଥାଏ ଏବଂ କଳର ସୂତା ଥାଏ ରାଜାଙ୍କ ହାତରେ । କୌଣସି ବିଷୟରେ ମନ୍ତ୍ରୀଙ୍କଠାରୁ ଉପଦେଶ ଲୋଡ଼ାହେଲେ, ରାଜା ଠାରଠୁରାରେ ପ୍ରଶ୍ନ କରନ୍ତି, ସ୍ପ୍ରିକୁ ଜୋରରେ ଟାଣି ଦିଅନ୍ତି, ବିଣ୍ଡା ଖୋଲିଯାଏ । ଉପଦେଶଗୁଡ଼ାକ ଭକ ଭକ ହୋଇ ପଦାକୁ ବାହାରି ଆସେ । ନିଜସ୍ୱହୀନ ରାଜାଙ୍କର ପରାମର୍ଶଦାତା ଥିଲେ ସାନଭାଇ । ତାରି ଆଦେଶରେ ରାଜ୍ୟଶାସନ ଚାଲୁଥିଲା । ପ୍ରଜାମାନଙ୍କୁ ଗୋତି କରି ରଖାଯାଇଥିଲା । ରାଜାଙ୍କ ପ୍ରୀତ୍ୟର୍ଥେ ପ୍ରଜାମାନେ ନିଜର ସକଳ ସୁଖ, ସ୍ୱାଧୀନତାକୁ ସମର୍ପି ଦେଇଥିଲେ । ନବଯୁବତୀ ଓ ନବବିବାହିତା ପ୍ରଥମେ ରାଜଭୋଗ୍ୟ ହେବାର ସୌଭାଗ୍ୟ ଲାଭ କରୁଥିଲେ । ଦର୍ଶନ ସୁଖପାଇଁ ବିବାହିତା ଦମ୍ପତ୍ତିକୁ ରାଜାଙ୍କ ସମ୍ମୁଖରେ ପରସ୍ପର ସହଯୋଗ ବିଯୋଗ କ୍ରିୟାରେ ଲିପ୍ତ ହେବାକୁ ପଡ଼ୁଥିଲା । ସେମାନଙ୍କର ସୁଖପାଇଁ ଚୂଲିକର, ନିଆଁକର, ପାଣିକର ପରି ସାତକର ଦେବାକୁ ପଡ଼ୁଥିଲା । ରାଜା ଆଜ୍ଞା ଅବଜ୍ଞା କଲେ ଲଙ୍ଗଳା କରି କେତେ ଶାରିରୀକ କଷ୍ଟ ଦିଆଯାଉଥିଲା । ଗୋଟି ଗୋଟି କରି ମୁଚ୍ଛ, ଦାଢ଼ୀ ଓପଡ଼ା, ଲିଙ୍ଗ ମର୍ଦ୍ଦନ ଓ ବେତ୍ରାଘାତର ଦଣ୍ଡକୁ ସ୍ୱୀକାର କରିବାକୁ ପଡ଼ୁଥିଲା । ଏପରିକି ଅବାଧ୍ୟ ପୁରୁଷର ଗର୍ଭବତୀ ନାରୀର ପ୍ରସବଦ୍ୱାର ରୁଦ୍ଧ କରି, ପେଟରେ ପଟା ପକେଇ ଚାରି ପାଞ୍ଚଜଣ ପୁରୁଷକୁ ତା ଉପରେ ଚଢ଼େଇ ଦିଆଯାଉଥିଲା । ଅପରାଧୀକୁ ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧି ଘୋଷରା ଯାଉଥିଲା । (ସ୍ୱ.ରା.ନ.ଭା. ୧ମ ବର୍ଷ ୧୦ମ ସଂଖ୍ୟା ପୃ ୭୫୩) ବନ୍ଧୁମାନଙ୍କ ପଛରେ ଚିଆଁ ଦିଆଯାଉଥିଲା ଏବଂ ରାତିରେ ମଟର ଗାଡ଼ିରେ ବସେଇ ଜଙ୍ଗଲ ଭିତରେ ଛାଡ଼ି ଦିଆଯାଉଥିଲା । ମଣିଷକୁ ଘୋଡ଼ା, ବଳଦ, ମଇଁଷି, ଘୁଷୁରୀ କରି ରଖାଯାଇଥିଲା । କେତେ ‘‘ନାରୀକୁ ରାଣୀ, ମହାଦେଈ, ଫୁଲଦେଈ, ଫୁଲବେହୀ, ଚଉକିବେହୀ, ମାଳବେହୀ’’ ବେଶରେ ସଜାଯାଉଥିଲା । (ସ୍ୱ.ରା.ନ.ଭା. ପ୍ରଥମ ଖଣ୍ଡ ଚତୁର୍ଥ ସଂଖ୍ୟା-ପୃ ୨୯୮) ମଦ୍ୟ, ମାଂସ, ମହିଳା, ମୈଥୁନଚର୍ଯ୍ୟ ରାଜାଙ୍କର ପରମଧର୍ମ ଭାବରେ ପରିଗୃହୀତ ହେଉଥିଲା । ଅବାଧ ବିହାର ଓ ବିଳାସ ପାଇଁ ପ୍ରଜାମାନଙ୍କ ଜୀବନର ସୁଖ ସୌଭାଗ୍ୟକୁ କର ରୂପରେ ଆଦାୟ କରାଯାଉଥିଲା । ରାଜ୍ୟରେ ଶିକ୍ଷା, ସଭ୍ୟତାଲୋକର ଛାଇ ନ ପଡ଼ିବାର ସକଳ ବ୍ୟବସ୍ଥା କରାଯାଉଥିଲା । ପ୍ରହରାଜ ରାଜକୀୟ ବ୍ୟବସ୍ଥାଗୁଡ଼ିକ ସହୃଦୟ ଭାବରେ ପରିଶୀଳନ କରିଥିଲେ । ତାଙ୍କ ଭିତରେ ବି ମହତୀମହିପତି ହେବାର ନିଶା ଚହଟି ଯାଇଥିଲା । ରାଜଯୋଗର ସ୍ୱପ୍ନ ଦେଖିଥିଲେ । ମାତ୍ର ସ୍ୱପ୍ନ ତୁଟିଗଲା ପରେ ନିଜକୁ ସେ ଖୋଜି ପାଇଥିଲେ ନିଜ ବେଶରେ । ‘‘ହା ମୋ ରାଇଜ, ହା ମୋ ନିଶ ଓପଡ଼ା, ହା ମୋ ପରୀକ୍ଷିତ ଦାସଙ୍କ ଘୋଡ଼ା, ହା ମୋ କଣଚଢ଼ା, ଜଣେ ଓଡ଼ା, ଜଣେ ତଡ଼ା, ଜଣେ ବାଡ଼ା, ଜଣେ କୋରଡ଼ା ଘେନି ଖାଡ଼ା, ହା ମୋ ଅକଣ୍ଟକ ରାଜା ମଉଜ’’ ବୋଲି ବିଳାପ କରିଥିଲେ । (ସ୍ୱ.ରା.ନ.ଭା.-୫ମ ବର୍ଷ ୨ ଖଣ୍ଡ ୫ମ ସଂଖ୍ୟା ପୃ ୮୪୬) ।

 

ଗଡ଼ଜାତର ଅନେକ ରାଜା ନିଜର ନାଁ ଦସ୍ତଖତ କରି ଶିଖି ନ ଥିଲେ । ଉତ୍କଳ ସମ୍ମିଳନୀରେ ଲିଖିତ ଭାଷଣ ପଢ଼ିବାର ଯୋଗ୍ୟତା ଅନେକଙ୍କର ନ ଥିଲା । ସେମାନଙ୍କର ବିଚିତ୍ର ରାଜକୀୟତା ପ୍ରହରାଜଙ୍କ ଆକ୍ଷିରୁ ଖସିଯାଇ ନ ଥିଲା । ମାତ୍ର ଅନେକ ରାଜା ଯେ ଗୁଣୀ, ବିବେକୀ, ପରୋପକାରୀ, ପ୍ରଜାପାଳକ ଥିଲେ, ଏ କଥା ମଧ୍ୟ ସେ ସ୍ୱୀକାର କରିଥିଲେ । ସୋନ୍‌ପୁର, ପାଟଣା, ଜୟପୁର, ମୟୁରଭଞ୍ଜ, ତାଳଚେର, ବାମଣ୍ଡା, ପାରଳାଖେମୁଣ୍ଡି ଆଦି ରାଜ୍ୟର ନରପତିମାନଙ୍କର ପ୍ରଶସ୍ତି ଗାନ କରିଥିଲେ । ସୋନପୁର ରାଜାଙ୍କ ଅର୍ଥ ଦାନରେ ‘‘ବାଇମହାନ୍ତି ପାଞ୍ଜି’’ ମୁଦ୍ରିତ ହୋଇଥିଲା । ରାଜା ମହାରାଜାଙ୍କ ଆର୍ଥିକ ଅନୁଦାନ ପାଇ ନ ଥିଲେ ଭାଷାକୋଷର ମୁଦ୍ରଣ ମଧ୍ୟ ସମ୍ଭବ ହୋଇ ନ ଥାନ୍ତା । ମାତ୍ର ଇଂରେଜମାନଙ୍କ ଶାସନ କାଳରେ ରାଜାମାନଙ୍କର ନିକଟରେ ପ୍ରଜାନୁରଞ୍ଜନ ଧର୍ମ ଯେ ଊଣା ପଡ଼ିଯାଇଥିଲା, ସେମାନେ ପଶୁଧର୍ମର ପରିପୋଷକ ହୋଇପଡ଼ିଲେ, ପ୍ରହରାଜଙ୍କ ସୂକ୍ଷ୍ମ ଅନ୍ତର୍ଦୃଷ୍ଟିରେ ତାହାର ଦୟନୀୟ ଚିତ୍ର ପ୍ରତିଫଳିତ ହୋଇଥିଲା ।

 

ଏ ଦେଶରେ ବେପାରି ଥିଲେ । ବେପାର ବଣିଜ ବି ଚାଲିଥିଲା । ମାତ୍ର ଶିକ୍ଷା, ପ୍ରେମ, ମୂଲ୍ୟବୋଧ, ବିବେକ ଓ ଇଜ୍ଜତ ବେପାର କଳାରେ ସାଧାରଣ ଲୋକେ ଅଜ୍ଞ ଥିଲେ । ବଡ଼ବଡ଼ିଆଙ୍କ ଘରେ ସେ ତାମସା ଚାଲିଥିଲା ନୁଚାଚୋରା ଭାବରେ । ସେଇମାନେ ପର ସ୍ୱାଦକୁ ଆସ୍ୱାଦନ କରୁଥିଲେ । ନିଜ ନିଜ ଭିତରେ ବଣ୍ଟାକୁଣ୍ଟା କରୁଥିଲେ । ଗୋଇଗୁଡ଼ାକ ପଦାକୁ ପିଚିକି ପଡ଼ିବାର ଦେଖିଲେ ମୁହଁ ଭୁରୁଡ଼ି ବି ମାରୁଥିଲେ । ଅଧିକ ଲୋକ ତାର ଟେର ନ ପାଇବା ପାଇଁ ଫନ୍ଦିଫିକର ବି କରୁଥିଲେ । ମାତ୍ର ଭାବର ବଣିଜ କରିବା ସେମାନଙ୍କର ଆଦର୍ଶ ନ ଥିଲା । ବାର ଆଦର୍ଶକୁ ବାର ଭାବରେ ଗ୍ରହଣ କରି, ଦାରୀ ବେଶରେ ଭଲେଇ ହେବା ସେମାନଙ୍କ ଜାତକରେ ନ ଥିଲା । ମାତ୍ର ବାହାରର ସୁଆଦିଆ ବିଭବ ତୁଣ୍ଡରେ ବାଜିଗଲାପରେ ରାତାରାତି ସେମାନଙ୍କର ଅନେକ କିଛି ବଦଳି ଗଲା । ସେମାନେ ପୂର୍ଣ୍ଣ ପରିବର୍ତ୍ତନର ସ୍ରୋତରେ, ଅବିଚାରିତ ଭାବରେ ଭାସିଗଲେ । ଭୌତିକ ସୁଖର ସ୍ରୋତହିଁ କାଳେ କାଳେ ଅନ୍ଧ, ଅବିଚାରୀ । ଅନ୍ୟମାନଙ୍କୁ ଅମଣିଷ କରିବାରେ ହିଁ ତାର ସୁଖ । ସେଇ ସୁଖର ସୁଆଦ ଥରେ ପାଟିରେ ବାଜିଲା ପରେ ଭାରତୀୟମାନେ ଖାଲି ତାକୁ ହିଁ ଝୁରିହେଲେ । ମୂଲ୍ୟବୋଧ, ଇଜ୍ଜତ, ପ୍ରେମ, ବିବେକକୁ ଛି କରିଦେଲେ । ସେଗୁଡ଼ିକୁ ପୋଚରା ବୋଲି ଅଲାଜୁକ ମୁହଁରେ ଘେଷଣା କଲେ । ବେପାରୀ ବୁଦ୍ଧିରେ ସେମାନେ ଏତେ ପ୍ରବୀଣ ହୋଇପଡ଼ିଲେ ଯେ, ତାଙ୍କ ବେପାରିତ୍ୱକୁ ଠାବ କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଲା । ଦିନ ଦି’ ପ୍ରହରରେ ଅନ୍ୟମାନଙ୍କ ଆକ୍ଷିରେ ଆଙ୍ଗୁଳି ଗେଞ୍ଜି ଦୁନିଆଯାକର ଭାଡ଼ୁଆମି କଲେ । ମୁଣ୍ଡରେ ନାମାବଳୀ ପକେଇ, ଦେହକୁ ହରି ମନ୍ଦିର ଚିତାରେ ସୁଶୋଭନ କରି, କଣ୍ଠରେ ରୁଦ୍ରାକ୍ଷମାଳା ପକେଇ, ଗଙ୍ଗାଜଳ, ତୁଳସୀ ପତ୍ର ବିତରଣ କରିବାରେ ଲାଗିଲେ ଜଗତସାରା । କେବଳ ଆପଣା ଭିନ୍ନ ଜଗତର ଆଉ କାହାର ପେଟ, ପିଠି, ପାଟି ଅଛି ବୋଲି ସ୍ୱୀକାର କରିବାକୁ କୁଣ୍ଠା ପ୍ରକାଶ କଲେ । ଆଦର୍ଶ ବୋଲି ଆଉ କିଛି ରହିଲା ନାହିଁ । ସମସ୍ତେ ବଡ଼ ବିକଳ ଭାବରେ ସୁଖ ଖୋଜି ଖୋଜି ସହର ଭିତରକୁ ଧାଇଁଲେ ।

 

ସହରୀ ସଭ୍ୟତା ହିଁ ମଣିଷର ନୀତିହୀନ ବ୍ୟାଧିର କାରଣ । ମଣିଷ ଥରେ ମାରାତ୍ମକ ସହରୀବ୍ୟାଧିର ଜାଲରେ ପଡ଼ିଗଲେ ତା ଭିତରୁ ଆଉ ସହଜରେ ମୁକୁଳି ଆସିପାରେନା । ତାରି ଭିତରେ ଛଟପଟ ହେଉଥାଏ । ସେଇ ଗୋଳିଆ ପାଣିକୁ ପବିତ୍ର ଗଙ୍ଗାଜଳ ଭାବରେ ଜ୍ଞାନ କରୁଥାଏ । ସେଇ ଜାଲଟି ଭିତରେ ଐଶ୍ୱର୍ଯ୍ୟ, ଦାରିଦ୍ର୍ୟ, ପ୍ରେମ, ପ୍ରତାରଣା, ସଂଖ୍ୟ, ଶତ୍ରୁତା, ରୋଗ, ନିଦାନ, ସୁଖ ଦୁଃଖ, ପଙ୍କ-ଚନ୍ଦନ ସବୁକିଛି ଥାଏ । ଏସବୁକୁ କେବଳ ଚିହ୍ନି ଜାଣିଲେ ହେଲା-। ସେଠି ବେଶି ଚୋରି ହୁଏ । ଚୋରମାନଙ୍କୁ ଜାଲରେ ଧରିବାପାଇଁ ଚତୁର ରାଜକର୍ମଚାରୀମାନେ ମଧ୍ୟ ଅହୋରାତ୍ର ମୁତୟନ ଥାନ୍ତି । ସେଠି ବେଶି ଔଷଧାଳୟ ଖୋଲେ । ମାତ୍ର ମଳୁଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲେ । ଜିନିଷଗୁଡ଼ାକ ମହଜୁତ ଥାଏ । ମାତ୍ର ଚଢ଼ା ଦାମ୍‌ରେ ମିଳେ । (ବା. ପାଂ-ପୃ ୭୮) ରାସ୍ତାଘାଟରେ ନର୍ଦ୍ଦମାପାଣିର ସୁଅ ଛୁଟେ । ମଶା, ମାଛି, ପୋକଙ୍କ ଦାଉରେ ମଣିଷ ତ୍ରାହି ତ୍ରାହି ଡାକ ଛାଡ଼େ । ଅଥଚ ମଣିଷ ଏସେନ୍‌ସରେ ବୁଡ଼ ପକେଇ ବଜାର ବୁଲି ବାହାରେ । ସେଠି କାମତୁଣୀମାନଙ୍କ ସହ ମିତଣୀ ବସିବା ଭାରି ସହଜ ହୁଏ । ତୀର୍ଥରେ ମନଭରି ବୁଡ଼ ପକେଇବାରେ ଆଉ କାହାର ଆକଟ, ଆଡ଼ରୁଷା, ଅଭିମାନ, ଅନୁଶାସନର ସାମାନ୍ୟତମ ସମ୍ଭାବନା ବି ନ ଥାଏ । ବାଇସ୍‌କୋପ୍‌, ବାଈନାଚ, ଥିଏଟର ଘରଗୁଡ଼ାକ ମୁକୁଳାଥାଏ ଖାସ୍‌ଜୀବନ ଖୋଜିବା ପାଇଁ । ନିଜକୁ କେତେ ବିଶିଷ୍ଟ, ଦର୍ପିଷ୍ଠ, ସମ୍ମାନସ୍ପଦ ବୋଲି ଦେଖେଇ ହେବା, ପ୍ରଚାର କରିବା ପାଇଁ ମାଧ୍ୟମମାନ ସଜଡ଼ା ହୋଇ ରହିଥାଏ । କଳାପ୍ରବୀଣ, ତୁଙ୍ଗସାହିତ୍ୟିକ ଓ ନେତା ରୂପରେ ଠିଆ ହେବାପାଇଁ ଯାବତୀୟ ଉପାଦାନ ଓ ଉପଯୋଗୀମାନଙ୍କର ଅଭାବ ନ ଥାଏ । ସହରୀ ଜୀବନରେ ଗତି, ଛନ୍ଦ, ତେଜ ସବୁକିଛି ଥାଏ । ମଣଷ ସେଠି ପ୍ରତିଯୋଗିତା ଭିତରେ ବଞ୍ଚେ । ଜୀବନକୁ ଉପଭୋଗ କରେ । ଖୋଜେ । ସେଠି ଶୋଇ ରହିଲେ କିଛି ବୋଲି କିଛି ମିଳେନା । କେବଳ ବିଳାପ ହିଁ ସାର ହୁଏ । ଲମ୍ୱା ଲମ୍ୱା ପାହୁଣ୍ଡ ପକେଇ ସେଠି କେବଳ ଅଣନିଃଶ୍ୱାସୀ ହେଇ ଧାଇଁବାକୁ ପଡ଼େ । ଏମିତି ବିକଳ ଭାବରେ ଦୋଉଡ଼ିବା ଯେମିତି ଜୀବନ । ପୁରୁଷାର୍ଥ ପ୍ରତିପାଦନ ପାଇଁ ସହର ଯେମିତି ପ୍ରଥମପାଦ ।

 

ପ୍ରହରାଜେ ସମଝଦାର ଆକ୍ଷିନେଇ ସହରୀବାବୁମାନଙ୍କର ଜୀବନକୁ ମାପିବାକୁ ଚେଷ୍ଟା କରିଥିଲେ । ସେ ଭଲ ଭାବରେ ଜାଣିଥିଲେ – ବଦଳିବାଟାହିଁ ଯୁଗଧର୍ମ । ମଣିଷ ଯେତେ ଚେଷ୍ଟା କଲେ ସେ ଅମଣା ଦାମୁଡ଼ି ମୁହଁରେ ତୁଣ୍ଡିଦେଇ ତାକୁ ଅଟକେଇ ପାରିବନି । ସେ ତା ବାଟରେ ଆଗକୁ ମାଡ଼ିଯିବ । (ଆ.ଘ.ହା.ପୃ ୧୧୦) ମାତ୍ର ଯୁଗଧର୍ମକୁ ସ୍ୱୀକାର କରୁଥିବା ମଣିଷମାନେ ତଥାପି ଲଗୁଡ଼ ହାତରେ ଧରି ବାଟଓଗାଳି ବସିଥାନ୍ତି । ଅରଣା ସଭ୍ୟତାର ଦର୍ପିତ ମୁହଁରେ ସୁଯୋଗ ଦେଖି ପାହାରଟିଏ ଲେଖାଏଁ ଠୁଙ୍କି ଦଉଥାନ୍ତି । ସଂସ୍କୃତି ଓ ମୂଲ୍ୟବୋଧର ଗୀତରେ ତାକୁ ପଛକୁ ଚାହିଁବାର ପରିବେଶ ତିଆରି କରୁଥାନ୍ତି । ପ୍ରଗତି ନାଁରେ ଦୁର୍ଗତିକୁ ଘର ଭିତରକୁ ପାଛୋଟି ନ ଆଣିବା ପାଇଁ ତା କାନେ କାନେ କେତେ କଥା, ଲଥାର ପୁଟଦେଇ ବଖାଣୁଥାନ୍ତି । ପ୍ରହରାଜ ତାହାହିଁ କରୁଥିଲେ । ସଭ୍ୟତା ଓ ସଂସ୍କୃତି ଉଭୟ ବୃକ୍ଷରେ ସେ ବସା ବାନ୍ଧିଥିଲେ । ଅନ୍ୟ ଭାଷାରେ କହିଲେ- ଏ ଉଭୟ ଧାରାର ସେ ଥିଲେ ଅସଲ ଭେଦୁଆ ।

 

ତାଙ୍କର ଆଗରେ ମଫସଲର ଘରଗୁଡ଼ାକ ଭାଙ୍ଗିପଡ଼ୁଥିଲା । ମଫସଲ ନାଁ ଶୁଣିଲେ ଦି’ଅକ୍ଷର ଇଂରେଜୀ ପାଠପଢ଼ୁଆ ବାବୁଭୟାମାନଙ୍କ ମଗଜ ଡେଉଁଥିଲା । ଗାଁରେ ସେଠୀ, ସାମଲଙ୍କ ସହ ବାସ କରିବାକୁ ସେମାନେ ତୁଚ୍ଛ ମଣୁଥିଲେ । ଆପଣା ବିଦ୍ୟା ବୁଦ୍ଧିରେ କଳଙ୍କି ନ ଧରେଇ ସହରରେ କୋଉ କାର୍ଯ୍ୟାଳୟ, ବିଦ୍ୟାଳୟ, ବିଚାରାଳୟ, ସଭାଳୟରେ ତାକୁ ଶାଣଦେବାକୁ ସୁଖକର ମଣୁଥିଲେ । ଅଶିକ୍ଷିତ ମଳିମୁଣ୍ଡିଆମାନେ ଗାଁର ଧୂଳି ଧୂସରିତ, କାଦୁଅ ପଚ ପଚ ଜୀବନକୁ ସୁଖ ମଣୁ ନ ଥିଲେ । ସେଥିରେ ବି ସେମାନଙ୍କର ପେଟ ପୂରୁ ନ ଥିଲା । ସହରରେ କୋଉ ହାକିମ ଘରେ, ଗୋଦାମରେ, ବଡ଼ଲୋକଙ୍କ ପାଖରେ ଦରମାଖିଆ ଚାକିରି କରିବାକୁ ଅଧିକତର ଆନନ୍ଦମୟ କାର୍ଯ୍ୟଭାବରେ ପରିଗ୍ରହଣ କରୁଥିଲେ । (ଆ. ଘ. ହା. ପୃ ୧୦୩) ଗାଁର ସ୍ୱାଧୀନ ଜୀବନ, ସ୍ୱାସ୍ଥ୍ୟକର ପରିବେଶ ସେମାନଙ୍କ ପିତା ଲାଗୁଥିଲା । ଅଥଚ ସହରରେ ହାକିମ ହୁକୁମାଙ୍କର ଅର୍ଦ୍ଦଳିଗିରି ବା ଆଉ କୋଉ ଧନିକର କୁଲିଗିରି କରିବାରେ ପୁରୁଷାର୍ଥ ଅଛି ବୋଲି ମୁହଁଭୁରୁଡ଼ି ମାରୁଥିଲେ । ସହରରୁ ଗାଁକୁ ଗଲେ, ନିଜର ବାବୁପଣିଆ ଜାହିର କରୁଥିଲେ – କିଛି ନିଷ୍କର୍ମା, ମୁର୍ଖ, ବିକଳାଙ୍ଗ ଦରିଦ୍ରଙ୍କ ଆଗରେ । ଲୋକୋତ୍ପାଦନର ସର୍ବପ୍ରଧାନ ଉପକରଣ ସ୍ତ୍ରୀ ଓ ଖାଦ୍ୟୋତ୍ପାଦନର ସର୍ବପ୍ରଧାନ ଉପକରଣ ଭୂମିର କଅଁଳ କଥା ସେମାନଙ୍କ ବଧିର କାନରେ ପଶୁ ନ ଥିଲା । (ଆ.ଘ.ହା-ପୃ ୧୦୬) ରାତାରାତି ସେମାନେ ପକ୍‌କା ସହରି ବନିଯାଉଥିଲେ । ଗାଁ ଛିଡ଼ି ଛିଡ଼ି ଯାଉଥିଲା, ସହର ବଢ଼ି ବଢ଼ି ଚାଲୁଥିଲା । ଏଇ ଛିଡ଼ିବା ବଢ଼ିବାର ଖେଳ ଭିତରେ ବୁଡ଼ିରହିଥିବା ମଣିଷ, ଜୀବନର ସତ୍ୟବୋଧଠାରୁ ଘୁଞ୍ଚିଯାଉଥିଲା ବହୁ ଦୂରକୁ । ସ୍ୱାର୍ଥର ଯୂପକାଠରେ ପ୍ରେମ, ମୂଲ୍ୟବୋଧ, ବିବେକକୁ ସେ ମେଧ ଭାବରେ ସଜେଇଥିଲା । ସେ ନିଜକୁ ନିଜ ରୂପଚର୍ଯ୍ୟାକୁ ହିଁ ବଡ଼ କରି ଦେଖୁଥିଲା ।

 

ଯାହାର ଭିତରେ କିଛି ଅଭାବ ନ ଥାଏ, ସେ ଏକ ପରିପୂର୍ଣ୍ଣ ମଣିଷ ବୋଲି ବାହାରେ ଦେଖେଇହେବାକୁ ଚେଷ୍ଟାକରେ । ମୁହଁରେ ତୋଡ଼ ଦେଖାଏ, ଫୁପୁଡ଼ିମାରେ । ଚକଚକିଆ ବେଶ ପୋଷାକରେ ରାଜରାସ୍ତରେ ବିହାର କରେ । ‘‘ଦେହରେ ରମ୍ପା, ଯାଦୁ, କାଛୁ, କୁଣ୍ଡିଆ, ଘିମିରି, ବାତରକ୍ତ, ବାତଫୁଟ, ଆଳୁମାତ୍ରା, କଳା ଓ ଧଳା ଜାଇମନ୍ଦା ସବୁ ଥିଲେ ସୁଦ୍ଧା ବାହାର ଫେସନ ମୁତାବକ କାଣ୍ଟଛାଣ୍ଟ ହୋଇ ସବୁଜାଗାକୁ ଘୋଡ଼େଇ ପକେଇଥାଏ । x x x ବାହାରର ଥାକଟା ଦୋରସ୍ତ ହୋଇଗଲେ ପାଠ ଶେଷ ହୋଇଯାଏ । ଚାରିଅଣାର ବାସନାତେଲ ପାଇଁ ଆଠଅଣା ଖର୍ଚ୍ଚ କରି ଶିଶି, ଛାପା ମୋହର, ଛାପଚିକ୍‌କଣିଆ ମଲାଟ ଓ ବିଜ୍ଞାପନ ଦରକାର । (ଆ.ଘ. ହା-ପୃ ୬୭) ସେ ଶିଶିଭିତରେ କିରୋସିନି ଥାଉ ବରଂ, ସେ ବିଷୟରେ ମୁଣ୍ଡ ଖେଳେଇବାର ଆବଶ୍ୟକତା ନ ଥାଏ । କେବଳ ଦରକାର ବିପଣୀରେ ଶୋଭା ପାଉଥିବା ଚକଚକିଆ ଛିଟକନା ସୁଶୋଭିତ ଅସଲିମାଲ । ମଣିଷର ଏଇ ଚହଟ ଚିକ୍‌କଣ ଖୋଳଟି ଭିତରେ ଥାଏ ମନୁଷ୍ୟତା । ମାତ୍ର ଖୋଳ ଛଡ଼େଇ ତା ଭିତରକୁ ଠାବ କରିବା ସହଜ ନୁହେଁ । କାରଣ ‘‘ଏଠି ସମସ୍ତେ ମୁହଁଭୂରୁଡ଼ି ମାରିବାରେ ଗୁରୁ ।’’ (ବା.ପା.-ପୃ ୩୬, ୩୮) ନୁଚି ନୁଚି ଆଚୁଟି ମଦ୍ୟପାନ ଏଠି ଦୋଷାବହ ନୁହେଁ, ବାହାରେ ନିଜ ମଦବୋଳା ଦେହକୁ ଦେଖେଇବା ହିଁ ଦୋଷ, ଅପରାଧ । (ବା. ମ. ପାଂ-ପୃ ୩୦)

 

ଆଧୁନିକ ସଭ୍ୟତାର କିମିଆରେ ଅମଣିଷମାନେ ବେଶି ନାଚିଲେ । ନାଚ ଦେଖେଇବା ସେମାନଙ୍କର ଧର୍ମ । ମାତ୍ର ଓଧ ସାଙ୍ଗରେ ଭୂଆଁ ବାଇହେଲା ପରି, ସାଧାରଣ ମଣିଷମାନେ ବି ଭଙ୍ଗୀ ଦେଖେଇଲେ । ଐଶ୍ୱର୍ଯ୍ୟର କାଉଁରୀ କାଠିରେ ସବୁ ମଣିଷ ଏମିତି ଥେଇଥେଇ ନାଚନ୍ତି । କାଠିର ବଳ ସରିଗଲା ପରେ ପୁଣି ସମସ୍ତେ ଶୀତଳେଇ ଯା’ନ୍ତି । ସେଇ ମଳିଚିଆା ବେଶରେ ହୁକେ ହୋ କୁହାଟ ଛାଡ଼ନ୍ତି । ମାତ୍ର ପାଶ୍ଚତ୍ୟ ସଭ୍ୟତାର ଭୂତ କବଳରୁ କେହି ମୁକ୍ତି ପାଇବା ସମ୍ଭବ ହୋଇପାରିଲା ନାହିଁ, ଗାଁ ମାଟି କେବଳ ବିଳାପ କରିବାରେ ଲାଗିଲା । ବୁନିଆଦି ଘରଗୁଡ଼ାକ ଭାଙ୍ଗିପଡ଼ିଲା । ନିକମାମଣିଷ, ନଙ୍ଗଳା ପିଲା, ରାଣ୍ଡମାଈପଙ୍କର ତାହାହେଲା ବିହାରଭୂମି । ଘର ସାଙ୍ଗରେ ସାତପୁରୁଷର ଚାଷ ବି ଭାଙ୍ଗିଲା । ମୂଲିଆମାନେ ଧାଇଁଲେ ସହରକୁ । ଚାଷୀ ମୁଣ୍ଡରେ ହାତ ଦେଇ ବସିଲା । ତା ଉପରେ ଦାଉ ସାଧିଲା ବଢ଼ି, ମରୁଡ଼ି, ଦଇବି ଦୁର୍ବିପାକ । ସହରୀ ବାବୁଭାୟା, ବିଦେଶୀ ଶାସକେ, ତାର ହାଡ଼ୁଆ ଦେହରୁ ରକ୍ତ ଶୋଷଣ କରିବାକୁ ଏତେ ଟିକିଏ ବି କୁଣ୍ଠାପ୍ରକାଶ କଲେନି । କଙ୍କାଳ ଦେହରେ ସେ ପୁଣି ହାତ ପତେଇବାକୁ ବାଧ୍ୟ ହେଲା ସହର ପାଖରେ । ସେମାନଙ୍କ ପାଖରେ ସବୁକିଛି ମହଜୁତ୍‌ ହୋଇ ରହିଲେ । ଖାଇବା, ପିନ୍ଧିବା, ଶୋଇବା, ଅୟସ କରିବାର ସବୁକିଛି ଆବଶ୍ୟକତା ମାଟିହିଁ ପୂରଣ କରୁଥିଲା । ବଢ଼େଇ, କମାର, କୁମ୍ଭାର, କେଉଟ, ତନ୍ତୀ, ତୁଳାଭିଣା, ଗୁଡ଼ିଆ, ଗଉଡ଼, ତେଲୀ, ଭଣ୍ଡାରୀ ପରି ମାଟିର ମଣିଷମାନେ ହାତ ଧରାଧରି ହେଇ ପାଦ ପକୋଉଥିଲେ । ସେଠି ଜାତିବିଭାଗର ସଂକୀର୍ଣ୍ଣ ଅଡ଼ଗୁଡ଼ାକ ପୋତା ହୋଇଥିଲା । ଜାତିଆଣ ଭେଦଭାବର ବିଧିବିଧାନ ଗୁଡ଼ାଏ ଥିଲା । ମାତ୍ର ୟା ସତ୍ତ୍ୱେ ସେମାନେ ଆପଣା ଆପଣା କର୍ମରେ ଓସ୍ତାତ ଥିଲେ । ଦକ୍ଷତା ଦେଖୋଉଥିଲେ । କାର୍ଯ୍ୟପ୍ରତି ଅନୁରକ୍ତି, ଶ୍ରଦ୍ଧାପ୍ରକାଶ କରୁଥିଲେ । ନିଜର ଶ୍ରଦ୍ଧାପୁଷ୍ଟ ଶ୍ରମକୁ ପରସ୍ପର ହାତକୁ ଟେକି ଦେଇ ଶାନ୍ତିରେ ସମୟ କାଟୁଥିଲେ । ଜଣଙ୍କ ଘରେ ଫୁଟଣ ଫୁଟିଲେ ଆରଘରକୁ ବାସୁଥିଲା । ଜଣକ ଘରେ ବାଜାବାଜିଲେ, କାନ୍ଦ ଶୁଭିଲେ, ବଚସାର ଗହ ଗହ ନାଦ କାନରେ ପଡ଼ିଲେ– ଅନ୍ୟମାନେ କବାଟ କିଳି ଦେଇ ନିଦେଇ ଯାଉ ନ ଥିଲେ । ସେମାନଙ୍କ ସାଙ୍ଗରେ ନିଜ ନିଜକୁ ମିଶେଇ ଦେଉଥିଲେ । ସୁଖ ଦୁଃଖ ସମସ୍ୟାର ସମଭାଗୀ ହେଉଥିଲେ । ଈର୍ଷା, ଅସୂୟା, ଶୋଷଣ, ପରଶ୍ରୀକାତରତା, ଗୋଇତଡ଼ା ଖୋଇଗୁଡ଼ାକ ସେମାନଙ୍କ ଭିତରେ ଯେ ନ ଥିଲା ଏ କଥା ନୁହେଁ । ସେସବୁ ଥିଲା, ପ୍ରକାଶ ପାଉଥିଲା, ସହଜ ଗଣ୍ଠି ବାଘୁଆ ଫାଶରେ ବଦଳିଯାଉଥିଲା । ମାତ୍ର ଫାଶଗୁଡ଼ାକ ପୁଣି କେଜାଣି କେମିତି ହୁଗୂଳା ହୋଇଯାଉଥିଲା । ଜାତିଜାତିକା ଚଢ଼େଇଗୁଡ଼ାକ ଛାମୁଣ୍ଡିଆ ତଳେ ବସି ପୁଣି କିଚିରି ମିଚିରି ହେଉଥିଲେ । ଖଞ୍ଜଣୀ ବଜେଇ ବାଇମନକୁ କଳପବଟ ଆଡ଼କୁ ଉଡ଼େଇ ନଉଥିଲେ । ହଂସକୁ କେତେ ଭଙ୍ଗୀରେ ଖେଳୋଉଥିଲେ । ମନକୁ ନିଜ ପାଖରେ ଗୁରୁକରି ଉଦ୍ଧବର ଜୀବନସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ସହଜରେ ଖୋଜି ପାଉଥିଲେ । ଶିବମନ୍ଦିରଠାରୁ ଆରମ୍ଭ କରି ଠାକୁରାଣୀ ବରଗଛ ମୂଳ, ନଈଠାରୁ ପୋଖରୀ ଦେଇ ପିଣ୍ଡିଠାରୁ ଦାଣ୍ଡ ପର୍ଯ୍ୟନ୍ତ ସବୁଠି, ସବୁ ଜାଗାରେ ଗୁଢ଼ ସମସ୍ୟାର ସମାଧାନ ହୋଇଯାଉଥିଲା । ଅଭାବ, ପେଷଣ, ଶୋଷଣ, ଦାରିଦ୍ର୍ୟ ସବୁଥିଲା । ମାତ୍ର ସେମାନଙ୍କ ମନ ଏତେ ନୀଚ ଦରିଦ୍ର ନ ଥିଲା । ଏ ବସୁଧାରେ ଏକ କୁଟୁମ୍ୱ ପରି ଭିନ୍ନ ଭିନ୍ନ ଫାଟକ ବେଶରେ ସେମାନେ ବିହାର କରୁଥିଲେ । ନିଜ ନିଜ ପାଇଁ ହିଡ଼ଗୁଡ଼ାଏ ତିଆରି କରିଥିଲେ ବଡ଼ ବାଡ଼ି ଭିତରେ ଛୋଟ ଛୋଟ କିଆରୀ ପରି । (ଆ. ଘ. ହା. ଚା- ପୃ ୧୩୭- ପୃ ୧୪୨)

 

ମାତ୍ର ସେପଟର ନାଟ ଏପଟର ହିଡ଼ ବିହାରୀମାନଙ୍କୁ ବଡ଼ ଆଡ଼ୁଆରେ ପକେଇ ଦେଲା-। ଏମାନେ ହାତପତେଇବାକୁ ପରମ ଆଦର୍ଶ ଭାବରେ ଗ୍ରହଣ କଲେ । ନିଜ ଦାଣ୍ଡ ଛାଡ଼ି ନାଲିକୋଠା ଓ ବରଗଛ ଛାଇରେ ବଡ଼ ବେପାରୀଙ୍କ ପାଖରେ ବଣିଜ କରିବାକୁ ଧାଇଁଲେ । ସେଇଠି ନ୍ୟାୟଂଦେହୀ, ଭିକ୍ଷାଂଦେହୀ, ବସ୍ତ୍ରଂଦେହୀ ବୋଲି କେତେ ଭଙ୍ଗୀରେ ଦୟିନୀ କଲେ । ଖୋସଣୀ ଖୋଲିଲେ ଐଶ୍ୱର୍ଯ୍ୟ ଲାଭ ଆଶାରେ । ଅଢ଼େଇ ଦିନିଆ ହରିଲୁଟ, ମେଣ୍ଢା ଲଢ଼େଇରେ ବୁଡ଼ି ରହିଲେ । ଆପଣା ଗୋତ୍ର ପାସୋରି ପକେଇଲେ । (ଆ.ଘ.ହା.ଚା ପୃ ୧୪୬) ବଡ଼ତି ପାଇଁ ବଡ଼ ବଡ଼ ଷଣ୍ଢ ନିଯୁକ୍ତ କଲେ । ସେମାନଙ୍କ ନିକଟରେ କରୁଣା କଣା ଟିକିଏ ଭିକ୍ଷା କଲେ । ଶେଷକୁ ଛିଣ୍ଡାକନା ଦେହରେ ଗୁଡ଼େଇ ଗାଁକୁ ଫେରିଲେ । ସେତେବେଳକୁ ଗାଁର ଢିଅଖଣ୍ଡକ ବି ନେପେଟେଇ ପଡ଼ିସାରିଥିଲା । ପଶ୍ଚିମାମାନଙ୍କ ରୀତିନୀତି ଚାଲିଚଳନ ଉପରେ ଆକ୍ଷି ଦେଇ ଆପେ ଅନ୍ଧ ହୋଇଯାଉଥିଲେ । ଆପଣା ପାଇଁ ବିକଳ ପରିଣତିକୁ ଡାକିଆଣୁଥିଲେ । ସେମାନଙ୍କ ଆକ୍ଷିରେ ଆଙ୍ଗୁଠି ଗେଞ୍ଜି ଅନ୍ୟମାନେ ଅୟସ କରୁଥିଲେ । ଚିରମାଗନ୍ତା ପରି କଲବଲ ଆକ୍ଷିରେ ସେମାନେ ଅନିଷା କରି ରହିଥିଲେ ବକମାନଙ୍କ ବିଳାସ ଭଙ୍ଗୀକୁ (ଆ.ଘ.ହ.ଚା. ପୃ ୧୧୦) କଣ୍ଟାଖଣ୍ଡକ ପାଇଁ ନିଜନିଜର ବ୍ୟାକୁଳତା ପ୍ରକାଶ କରୁଥିଲେ ।

 

ପ୍ରହରାଜେ ସଭ୍ୟତା ସ୍ରୋତର ଉଭୟ କୂଳର ବାସିନ୍ଦା ଥିଲେ । ସହର ଓ ଗାଁକୁ ଛାଡ଼ିପାରି ନ ଥିଲେ । ପରମ୍ପରାର ଦ୍ୱାହି ଦେଇ ଘାଟ ଜଗି ବସିଥିବା ଭଣ୍ଡ ଧର୍ମବକ ଏବଂ ଆଧୁନିକତାର ଅନ୍ଧ ଚାଟୁକାର ଉଭୟ ଗୋଷ୍ଠୀକୁ ଚିଆଁ ଚଖେଇବା ପାଇଁ ସଚେତନ ଭାବରେ କଲମ ଚଳୋଉଥିଲେ । ‘‘ବାଳକମାନେ ଅଭିଭାବମାନଙ୍କ ସମ୍ମୁଖରେ ସ୍ତ୍ରୀ ସହ କଥା ହେବେ ନାହିଁ-। ସ୍ତ୍ରୀ ସଂତ୍ସର୍ଗ ଜଘନ୍ୟ କାର୍ଯ୍ୟ, ସ୍ତ୍ରୀ ଶିକ୍ଷା ନିଷିଦ୍ଧ, ସ୍ତ୍ରୀଶିକ୍ଷା ସ୍ତ୍ରୀମାନଙ୍କୁ ଭାରୀ ଓଜନର ଅଳଂକାର ପିନ୍ଧେଇବ, କୌଣସି ବିଷୟରେ ସ୍ତ୍ରୀମାନଙ୍କ ମତ ନେବନାହିଁ, ସେମାନଙ୍କ ବୁଦ୍ଧି ପ୍ରଳୟଙ୍କରୀ । (ବା. ପାଂ, ପୃ ୪୫, ୪୬) ସବୁବେଳେ ଘର ଭିତରେ ଅନର୍ଥ, ଠିଆପାଲା । ଚଅଁର-ଡ଼ିଆଁ ହେଉପଛେ ଭିନେ ହେବାର ନାମ ଧଇଲେ ମହାପାପ, ବଂଶର ଗୁମର ପଦାକୁ ବାହାରିପଡ଼ିବ-। (ବା.ପା. ପୃ ୪୭) କଳିକାଳ ପିଲା ଭାରି ଉଦବାର୍ଯ୍ୟ ହେଲେଣି, ଘରପିଲା ଓ ସ୍ତ୍ରୀମାନଙ୍କ ଆଗରେ ସେମାନଙ୍କ ପ୍ରଶଂସା କରିବ ନାହିଁ । ସେମାନଙ୍କ ମୁହଁ ବଢ଼ିଯିବ, ଯେଉଁକଥା ସମାଧାନ କରିଦେଲେ ନିଜର କ୍ଷତି ହେବ, ସେ କଥା, ହଁ ବୁଝିବା, ହଁ ବୁଝିବା ବୋଲି କହୁଥିବ । (ବା. ପାଂ. ପୃ ୪୮) ଘରେ ଯେ ଯାହା କରୁ ଭାବନା ନାହିଁ, ଘରକଥାଗୁଡ଼ାକ ଯେମିତି ପଦାକୁ ନ ଫିଟେ । ଏଣିକି ଏଣିକି ଏ ପୃଥ୍ୱୀରେ ଘୋର ଅନ୍ୟାୟ ଘୋଟିଗଲା । (ବା. ପାଂ. ୫୦) ନବାଗତା ବଧୂମାନେ ଦିନ ଦିଇ ଘଡ଼ି ନ ହେଲେ ତୁଳିତଳ୍ପ ସହବାସ ସୁଖତ୍ୟାଗ କରିବାକୁ କୁଣ୍ଠିତା ହେଲେ । ଶ୍ୱଶୁର ପ୍ରଭୃତି ଗୁରୁଜନମାନଙ୍କ ସଙ୍ଗେ ବାକ୍‌ଯୁଦ୍ଧ କରିବାକୁ ଅକୁଣ୍ଠିତା ହେଲେ ଏବଂ ତାମ୍ବୁଳ ଖଣ୍ଡଦ୍ୱାରା ଦନ୍ତୋଷ୍ଟ ପକ୍ୱ କରି ବହିର୍ଦ୍ୱାରରେ ଦଣ୍ଡାୟିତା ହୋଇ ସ୍ୱାମୀସହ ସଂଗୀତାଳାପ କଲେ । (ଭା. ଟୁ.ସଂ.ପୃ ୧୧/୧୨) ଆମେ ଯେଉଁମାନେ ଗାଳିମାଡ଼ ଖାଇ ବୁଢ଼ୀ ହେଉଥିଲେ ସେମାନେ ଏବେ ଆଉ ଖଟପଲଙ୍କ ଛାଡ଼ିଲେନି । ଦେହ ସବୁବେଳେ ଖାଲି ଉଷୁମ ଖୋଜିଲା । (ବ.ପାଂ.ପୃ ୫୦) ଈଶ୍ୱର ତାଙ୍କ ଅଙ୍ଗରୁ ବାର ଜାତିକୁ ସୃଷ୍ଟି କରିଛନ୍ତି । ‘‘ଏ କଥା ଦେଶ ଓ ଜାତି ପକ୍ଷେ ହିତକାରକ’’ (ବା. ପାଂ. ପୃ ୫୧) ପରି ଧାରଣାରେ କାଳ କାଟୁଥିବା ପରମ୍ପରାବାଦୀ ଏବଂ କଥାକଥାକେ ‘‘ତୁଣ୍ଡରେ ନୈତିକ ଶିକ୍ଷା; ନୈତିକ ସାହସ, ସ୍ୱାର୍ଥତ୍ୟାଗ, ଜାତୀୟ ଉନ୍ନତି, ସ୍ୱଦେଶ ପ୍ରେମ ଆଦି ଶବ୍ଦର ବାଣଫୁଟେଇ, ସାହେବି ପୋଷାକ ପିନ୍ଧି, ପଛ ଘରେ ନିଜ ଗୋତ୍ରର ବନ୍ଦନା କରୁଥିବା, ନାମାବଳିଝୁଲି, ରାମାନନ୍ଦ ଚିତା ସୁଶୋଭିତ ଗାଉଁଲୀମାନଙ୍କୁ ମରହଟ୍ଟୀ, ମଫସଲୀ, ବୋଲି ଢୁଆ ଦେଇ ସାର୍ଟିଫିକେଟ୍‌ ବକ୍ତୃତା ଓ ନେକ୍‌ଟାଇରେ ନିଜକୁ ସଜୋଉଥିବା; x x ସାହେବ ସୁବାଙ୍କ ପାଖକୁ ଗଲାବେଳକୁ ପଇତାକୁ ଅଣ୍ଟାଚେନ୍‌ ଓ ଚାବି ଝୁଲାଇବା ସୂତା, ଘିମିରି, ଯାଦୁ, କୁଣ୍ଡିଆ, ରମ୍ପାର ଦୌରାତ୍ମ୍ୟରୁ ଦେହକୁ ନୁଚେଇବାପାଇଁ ବିଲାତି ଓ ଫରାସୀ ଫାଇସନରେ ଘୋଡ଼େଇ ପକେଇ, ଉର୍ଦ୍ଧ୍ୱପୁଣ୍ଡ୍ରଟିକୁ ରୁମାଲ ପ୍ରସାଦରୁ ଅନ୍ତର୍ହିତ କରି ଓ କୁଶଗଣ୍ଠିଟିମାନ ଫିଟାଇ ପଛଆଡ଼କୁ କୁତ୍ତୀ ଲାଙ୍ଗୁଡ଼ପରି ପଗଡ଼ି ତଳେ ଗୁଞ୍ଜିଦେଇ ଘର ଦୁଆର ମୁହଁରେ, ଦାଣ୍ଡରେ ଫୁଟାଣି ମାରୁଥିବା ଏବଂ ଘର ପଛଆଡ଼େ ନିଜ ଭାବକୁ ସୁରକ୍ଷା କରୁଥିବା’’ (ନ.ବ. ଉ. ସା. ୧୯ଶ ଭାଗ ୨ୟ ସଂ ୧୩୨୨ ଜ୍ୟେଷ୍ଠ ପୃ ୯୧।୯୨) ଆଧୁନିକ ସୁସଭ୍ୟମାନଙ୍କୁ ସେ ସମବ୍ୟବହାରରେ ଆପ୍ୟାୟନ କରୁଥିଲେ । ସମସ୍ତଙ୍କୁ ଅନୁଦାର ଭାବରେ ସମାଲୋଚନା କରୁଥିଲେ ।

 

ତାଙ୍କ ଦୃଷ୍ଟିରେ ଭୌତିକ ସୁଖସର୍ବସ୍ୱ ପାଶ୍ଚାତ୍ୟ ସଭ୍ୟତା-ସ୍ୱର୍ଣ୍ଣମୟୀ ଲଙ୍କା ପରି । ଲଙ୍କାବିହାରୀମାନେ ବର୍ବର, ଆଦିମ, ବଣ୍ୟ, କାମୁକ, ପରଶ୍ରୀକତାର । ସେମାନେ ସୁଦୃଶ୍ୟ କାଚଢାଙ୍କୁଣୀ ଭିତରେ ବନ୍ଦୀ । ଟେକାଟିଏର ଠୁକ୍‌ରରେ ସେ ଢାଙ୍କୁଣୀ ଭାଙ୍ଗିଯାଏ, ତାରି ଭିତରୁ ଶ୍ୱାପଦମାନେ ରେରେକାର ଧ୍ୱନି କରି ଜଗତରେ ଖେଦିଯା’ନ୍ତି । ଜଗତରେ ରକତର ନଈ ସୃଷ୍ଟି କରନ୍ତି । ପ୍ରହରାଜେ ସଭ୍ୟତାର ଘୋଡ଼ଣୀ ଭିତରେ ଚାଲିଥିବା ହଟ୍ଟଗୋଳ, ସଭାସମିତି, କାଗଜ କଲମରେ ଲେଖାଲେଖି, ଆନ୍ଦୋଳନ, ଆସ୍ଫାଳନ, ଆଲୋଡ଼ନରେ ଖାଲିପେଟ, ଖାଲି ପିଠି, ଖୋଲା ଆକାଶରେ, ଅନିଦ୍ରାରେ କାଳ କାଟୁଥିବା ମଣିଷମାନଙ୍କ ଦୁଃଖରେ ସମଭାଗୀ ହୋଇଥିଲେ । ସଭ୍ୟତାର ଭୟଙ୍କର ସ୍ରୋତରୁ ମୁକ୍ତିଲଭିବା ପାଇଁ ବ୍ୟାକୁଳତା ପ୍ରକାଶ କରିଥିଲେ । ଦୂରରୁ ଜୁହାର ପକେଇ ଥିଲେ । ଭୁଲାଣିଆ ଢଙ୍ଗରେ ଗଢ଼ା ହୋଇଥିବା ସଭ୍ୟତାର ଜାଲରେ ନ ପଡ଼ିବା ପାଇଁ ଅନ୍ୟମାନଙ୍କୁ ଆକୁଳ ନିବେଦନ କରିଥିଲେ । (ଆ.ଘ.ହା.ଚା.ପୃ ୧୪୩/୧୪୪) ଅନିଷ୍ଟକର ବ୍ୟାଧିରୁ ଦେଶ ଓ ସମାଜକୁ ମୁକ୍ତ ରଖିବା ପାଇଁ ସମାଲୋଚନାକୁ ଖାତିରି କରୁ ନ ଥିଲେ । (ବା.ପାଂ.ପୃ ୮୯) ବେଗକୁ ଅଗ୍ରଗତି ଓ ଉନ୍ନତିର ହେତୁଭାବରେ ଗ୍ରହଣ କରିଥିବା ଏବଂ ବେଗବାନା ଧରି ମା’ର ସେବାକାରୀମାନଙ୍କ ଭାତ ହାଣ୍ଡିକୁ ହରଣ କରି ନଉଥିବା ଧର୍ମବକମାନଙ୍କୁ ନିଜର ସ୍ୱାଭାବିକଶୈଳୀରେ ଗାଳି ଦେଉଥିଲେ । (ବା.ପାଂ-ପୃ ୧୩୩) ଦେହର ଚକଚକିଆ ଆବରଣକୁ ଖୋଲିଦେଇ, ଭାବର ଅମଳିନ ବେହରଣରେ ଜୀବନ ଓ ମୂଲ୍ୟବୋଧକୁ ପାଥେୟ କରି, ମାଟିର ଗୀତଗାଇ କାଳିକାଟିବା ପାଇଁ ତଟବାସୀମାନଙ୍କୁ ସଚେତନ କରିଦଉଥିଲେ । ସଭ୍ୟତା ନାଁରେ ଯେକୌଣସି ଭ୍ରଷ୍ଟାଚାରର ବିରୋଧ କରୁଥିଲେ । ଜାତୀୟସ୍ରୋତରେ ଜୀବନ ନଉକାଟିକୁ ବାହିନେବା ଥିଲା ତାଙ୍କର ଆଦର୍ଶ ।

 

‘‘ଜାତୀୟବାଦ’’ ପ୍ରସଙ୍ଗ ଭାରି ଗହନ ପାଠଟିଏ । ଏ ଶବ୍ଦ ଓ ତାର ଲକ୍ଷଣିକ ବିଚାରଧାରାର ଇତିହାସ ଆଦୌ ବେଶିଦିନର ନୁହେଁ । ନେପୋଲିୟନଙ୍କ ସମ୍ରାଜ୍ୟବାଦୀ ଅଭିଯାତ୍ରାର ଏହା ଅବଦାନ । * ୧୮୦୫ ମସିହା ପରେ ଜନ୍ମ ନେଇଥିବା ଜାତିକେନ୍ଦ୍ରିକ ବିଚାରଧାରା ଜର୍ମାନ, ୠଷ, ଇଟାଲୀ, ହଙ୍ଗେରୀ ଓ ପୋଲାଣ୍ଡ ବାଟଦେଇ ଭାରତ ଭୂମିରେ ପ୍ରବେଶ କରିଥିଲା ୧୮୮୫ ମସିହା ପରେ । ଜାତୀୟତାରୂପକ ଭାବଭୂମି ଗଠିତ ହୋଇଥାଏ, ଭୌଗୋଳିକ ସୀମା ଭିତରେ କାଳ କାଟୁଥିବା ମଣିଷମାନଙ୍କର ରୀତି, ନୀତି, ପରମ୍ପରା, ଦର୍ଶନ, ଇତିହାସ, ଭାଷା, ସାହିତ୍ୟ ପରି ବହୁ ପରିବର୍ତ୍ତନଶୀଳ ରକ୍ଷାକବଚକୁ ପାଥେୟକରି । ଜାତୀୟବାଦୀମାନେ ଜାତିର ଜୀବନୀଶକ୍ତିକୁ ହୃଦୟର ହାରକରି, ଜାତିର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରିବା ପାଇଁ ସମରଭୂମିକୁ ଡେଇଁ ପଡ଼ିଲେ । ମଣିଷ ଭିତରେ ଶୋଇ ପଡ଼ିଥିବା ମାଟି ପ୍ରୀତି ଭାବଧାରାକୁ ଜାଗ୍ରତ କରିବା ପାଇଁ ତାର ବନ୍ଦନା ଗାନ କଲେ । ସେମାନଙ୍କୁ ଚେତେଇଦେଲେ । ତାର ଇଜ୍ଜତ ରକ୍ଷା କରିବା ପାଇଁ ଅଭିମନ୍ତ୍ରିତ ଅସ୍ତ୍ରଗୁଡ଼ିକ ସେମାନଙ୍କ ହାତରେ ଧରେଇଦେଲେ ।

 

*

ଏଚ୍‌. କନ୍‌. ନ୍ୟାସନାଲିଜିମ୍‌-ପୃ ୮-୯

 

ଜଗତରେ ସବୁମଣିଷ କାଳେ ସମାନ । ସେମାନଙ୍କ ଭାଷା, ରୁଚି, ଧର୍ମ, ଖାଦ୍ୟପେୟ, ବେଶପୋଷାକ, ରୀତିନୀତିରେ ଯେତେ ଭିନ୍ନତା ଥିଲେ ସୁଦ୍ଧା ସମସ୍ତଙ୍କ ଶରୀର ଓ ହୃଦୟ ଗୋଟିଏ ଉପାଦାନରେ ଗଢ଼ା । ମାତ୍ର ଏହି ଗହନକଥାଟି ଜାଣି ସୁଦ୍ଧା, ପ୍ରବୃତ୍ତିଚାଳିତ, ସ୍ୱାର୍ଥପ୍ରମତ୍ତ ମଣିଷ ବେଳେବେଳେ ଆପଣାର ଭୋକ ଓ ସୁଖସମୃଦ୍ଧିକୁ କେନ୍ଦ୍ରକରି ଅନ୍ୟମାନଙ୍କୁ ଛୋଟ ଆକ୍ଷିରେ ଦେଖେ । ସେମାନଙ୍କ ଚେତନା ଉପରେ ଦାଉ ସାଧେ । ଶକ୍ତି ପରୀକ୍ଷାର ପାଲା ଚାଲେ । କିଏ ହାରେ, କିଏ ଜିତେ । ହାରଜିତ୍‌ର ଭାଣ୍ଡାମି ଭିତରେ ବୃହତ୍ତର ସତ୍ୟକୁ ହତ୍ୟା କରାଯାଏ । ମଣିଷ ଆଞ୍ଚଳିକତାର ସଂକୀର୍ଣ୍ଣ ସୀମା ଭିତରେ ଛୋଟ ହୋଇଯାଏ । ସେ ଛୋଟ ହେଉ ବା ବଡ଼ ହେଉ, ସ୍ୱଧର୍ମ ପାଳନ ଓ ଆତ୍ମରକ୍ଷା ପାଇଁ ତା ବାଟ ସେ ଖୋଜୁଥାଏ । ତା ଛୋଟ ଭଲ ପାଇବାଟିକୁ ସେ ଆପଣା ଆକ୍ଷିରେ ବଡ଼କରି ଦେଖେ ।

 

ଭାଷା, ଜାତି, ସଂସ୍କୃତିକୁ କେନ୍ଦ୍ରକରି ସଚରାଚର ସବୁ ମଣିଷଙ୍କ ଭିତରେ ଯାହାହୁଏ, ଭାରତରେ ତାହାହିଁ ହୋଇଥିଲା । ଭାରତରେ ତାହାହିଁ ହୋଇଥିଲା । ଭାରତ ନାମରେ ପରିଚିତ ଭୂଖଣ୍ଡରେ ବହୁଭାଷା, ଜାତି, ଧର୍ମ, ରୀତିନୀତିର ମଣିଷ ସହାବସ୍ଥାନ କରୁଥିଲେ ସୁଦ୍ଧା ସକଳଙ୍କ ଭିତରେ ସାଂସ୍କୃତିକ ମୂଲ୍ୟବୋଧ ଜୀବନ୍ତ ଥିଲା । ବିଭିନ୍ନତା ଭିତରେ ଐକ୍ୟର ମହାମନ୍ତ୍ରରେ ସମସ୍ତେ ଦୀକ୍ଷିତ ହୋଇଯାଇଥିଲେ । ସେମାନଙ୍କ ଅବବୋଧରେ ସେ ବିସ୍ତୃତମନ୍ତ୍ରକୁ ପୁନଃସଂସ୍ଥାପିତ ହେବାର ସୁଯୋଗ ସୃଷ୍ଟି କରିଥିଲେ ଇଂରେଜମାନେ । ସେମାନଙ୍କ ଜାଲ ଭିତରେ ଖୁଦକଣା ଲୋଭରେ ବନ୍ଦୀ ହୋଇଥିବା ଭାରତୀୟମାନେ ମୁକ୍ତିଲାଭର ସ୍ୱାଭାବିକ ଧର୍ମନେଇ ପ୍ରଥମେ ଆକାଶ ଏବଂ ପରେ ଆକାଶରୁ ଭୂମିବିହାରୀ ହେବାପାଇଁ ସଂଗ୍ରାମ କରିଥିଲେ । ଉମେଶ ଚନ୍ଦ୍ର ବାନାର୍ଜୀ (ଡବ୍ଲ୍ୟୁ.ସି,ବାନାର୍ଜୀ)ଙ୍କ ନେତୃତ୍ୱରେ ୧୮୮୫ ମସିହାରରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା । ମୁକ୍ତିମନ୍ତ୍ରକୁ ସମସ୍ୱରରେ ନିର୍ଭୀକ ଭାବରେ ଗାନକରିବା ପାଇଁ ସେମାନେ ସଂକଳ୍ପ କରିଥିଲେ । ସଂଗଠିତ ଓ ଯୋଜନାବଦ୍ଧ ଭାବରେ ବିଦେଶୀମାନଙ୍କ ହାତରୁ ମୁକୁଳିବା ପାଇଁ ଜୀବନକୁ ପାଣି ଛଡ଼େଇ ନିଆଁ ସାଙ୍ଗରେ ଖେଳିବାକୁ ପାଦ ବଢ଼େଇଥିଲେ । ସ୍ୱପ୍ନରେ ଆତ୍ମହରା ହୋଇ ଉଠୁଥିଲେ । ଶାସକର ନୀତିହୀନ ଅନୁଶାସନର ସେମାନେ ବିରୋଧ କଲେ ।

 

ମାତ୍ର ‘‘ଭାରତୀୟ’’ ନାମକ ଛାମୁଣ୍ଡିଆ ତଳେ ଆଉ ଯେତେ କୁନିକୁନି ବେଦୀ ସବୁ ତିଆରି ହୋଇଥିଲା, ସେ ବେଦୀର ଅଧିବାସୀମାନେ ମଧ୍ୟ ପରସ୍ପରର ହାମ୍‌ବଡ଼ା ନୀତି, ଦେଖେଇହେବା ଖୋଇକୁ ପୂରାପୂରି ଛାଡ଼ି ପାରି ନ ଥିଲେ । ସେମାନେ ବି ତୁଚ୍ଛାଟାରେ ଅନ୍ୟମାନଙ୍କୁ ଛୋଟ ବୋଲି ଉଲୁଗୁଣା ଦଉଥିଲେ । ଖତେଇ ହଉଥିଲେ । ଛିଗୁଳେଉଥିଲେ । ତମର କିଛି ନାହିଁ, ଆମର ସବୁ ଅଛି, ତମର ଆଜି ଯାହା ଅଛି ବୋଲି ଦେଖେଇହଉଛ, ସେସବୁ ଆମରି ପୂର୍ବପୁରୁଷମାନେ ତମମାନଙ୍କୁ ଶିଖେଇଥିଲେ । ତମେ ଆମର ଅଧୀନ, ଆମ ପାଖରେ ହାତ ଟେକି ଦିଅ ବୋଲି ଫୁଟାଣି ମାରୁଥିଲେ । ବେଦୀ-ଅଧିବାସୀମାନଙ୍କୁ ଶାଳୀଭାବରେ ଜ୍ଞାନ କରୁଥିଲେ । ସେମାନଙ୍କ ଭାଷା ରୀତି, ନୀତି, ଧର୍ମ-ସାହିତ୍ୟ ଉପରେ ନିଜର ଆଧିପତ୍ୟ ସାବ୍ୟସ୍ତ କରୁଥିଲେ । ନିକଟତମ ବେଦୀର କୋଉ ଅଂଶ ସେମାନଙ୍କର, ସେକଥା ମଧ୍ୟ ଇଂରେଜମାନଙ୍କ ପାଖରେ ଦାବୀ କରୁଥିଲେ । ଚତୁର ଇଂରେଜମାନେ ଗୋଳିଆପାଣିରୁ ଫାଇଦା ଉଠେଇବା ଲୋଭରେ, ଫିସାଦିଆମାନଙ୍କ ଭାଗରେ ଦୁର୍ବଳମାନଙ୍କର ଗୋଟିଏ ଗୋଟିଏ ଅଙ୍ଗକୁ ଫୋପାଡ଼ି ଦଉଥିଲେ । ଅଙ୍ଗଛେଦନରେ ଏତେ ଟିକିଏ ଯୁକ୍ତି କି ବିଚାର ନ ଥିଲା । ଶାସନ କରିବାର ଏହା ଥିଲା ଏକ ଆମୋଦଦାୟକ କୂଟନୀତି । ତେଣୁ ବଡ଼ ଛାମୁଣ୍ଡିଆ ତଳେ ମୁଣ୍ଡ ଗୁଞ୍ଜିଥିବା ବେଦୀର ଅଧିବାସୀମାନେ ନିଜ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା ପାଇଁ ମଧ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଥିଲେ । ଅମୁକ ଅମୁକ ଜାତି ଭାବରେ ବେଦୀର ନାମକରଣ କରିଥିଲେ । ଆପଣା ଜାତିର ସ୍ୱାତନ୍ତ୍ର୍ୟ ରକ୍ଷା କରିବା ପାଇଁ ସଂଗ୍ରାମବାହିନୀ ବି ଗଠନ କରିଥିଲେ । ଭାରତ ଅଧିଶ୍ୱର, ଅଧିଶ୍ୱରୀଙ୍କ ପାଖରେ ନିଜର ଇଜ୍ଜତରକ୍ଷା ପାଇଁ ଦୟିନୀ କରୁଥିଲେ, ଦାବି ବି ବାଢ଼ୁଥିଲେ । ଆପଣା ମଣ୍ଡପଟିକୁ ‘ଉପ’ ଏବଂ ଆକାଶରେ ପରିବ୍ୟାପ୍ତ ଛାମୁଣ୍ଡିଆଟିକୁ ‘ମହା’ ଭାବର ପ୍ରତୀକରୂପରେ ପରିଗ୍ରହଣ କରିଥିଲେ-। ତେଣୁ ଓଡ଼ିଆ ଭାଷା କହୁଥିବା ଭାରତୀୟମାନଙ୍କ ଭିତରେ ‘‘ଉତ୍କଳୀୟ’’ ନାମକ ସଙ୍କେତଟିଏ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା ପାଇଁ ମଧ୍ୟ ବ୍ୟାକୁଳତା ପ୍ରକାଶ କରିଥିଲା ।

 

ବିଭିନ୍ନ କାରଣରୁ ଉତ୍କଳୀୟମାନେ ବିଦେଶୀଶାସକର ଅନୁକମ୍ପାଲାଭରୁ ବଞ୍ଚିତ ହୋଇଥିଲେ । ସେମାନଙ୍କର ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ, ସ୍ଥାପତ୍ୟ, କଳା ସବୁକିଛି ସମୃଦ୍ଧ ଥିଲେ ସୁଦ୍ଧା, ଅନ୍ୟମାନେ ସେ ସକଳ ବିଭବ ଉପରେ କଳାପାହାଡ଼ି ଆକ୍ରମଣ ଆରମ୍ଭ କରିଦେଇଥିଲେ । ବିଭିନ୍ନ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅବିଚାରିତ ଭାବରେ ବଙ୍ଗଳା ବିହାର, ମାନ୍ଦ୍ରାଜ, କେନ୍ଦ୍ର ରାଜ୍ୟ ସହିତ ଯୋଡ଼ି ଦଉଥିଲେ । ଓଡ଼ିଆମାନଙ୍କର ରାଜନୀତିକ ଏକତାକୁ ସଜୀବ ରଖିବା ପାଇଁ ଶାସକମାନେ ବିମୁଖ ଥିଲେ । ପଡ଼ୋଶୀ ରାଜ୍ୟର ଅଧିବାସୀମାନେ ପାଶ୍ଚାତ୍ୟ ଶିକ୍ଷାଦୀକ୍ଷାରେ, ନୂଆ ଆକ୍ଷିରେ ଜୀବନ ଓ ଜଗତକୁ ଦେଖିବାର ସୁଯୋଗ ଲାଭ କଲାବେଳେ, ଓଡ଼ିଆମାନେ ଘରକୋଣରେ ବସି ବିଳାପ କରୁଥିଲେ । ବଙ୍ଗାଳୀମାନେ ଓଡ଼ିଆଭାଷାକୁ ବଙ୍ଗଳାର ଉପଭାଷା, ଏ ଭାଷା ସ୍ୱାତନ୍ତ୍ର୍ୟବିବର୍ଜିତ ଓ ଗାଲାଗୁଲିର ଭାଷା କହି ନାକ ଟେକୁଥିଲେ । ସ୍କୁଲ କଲେଜରେ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେଉ ବୋଲି ଦାବି କରୁଥିଲେ । ଓଡ଼ିଶାକୁ ବଙ୍ଗପ୍ରଦେଶରେ ସାମିଲ କରିଦେବା ପାଇଁ ଇଂରେଜମାନଙ୍କ କାନରେ ମନ୍ତ୍ର ଫୁଙ୍କୁଥିଲେ । ରାଜେନ୍ଦ୍ର ଲାଲ ମିତ୍ର, କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ଉମାଚରଣ ହାଲ୍‍ଦାର, କାଳିପଦ ବନ୍ଦୋପାଧ୍ୟାୟଙ୍କ ପରି ଓଡ଼ିଆ ମାଟିର ଲୁଣ ଖାଉଥିବା ବଙ୍ଗାଳୀମାନେ ଓଡ଼ିଆବିଦ୍ୱେଷୀ ହୋଇପଡ଼ିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିରୋଧରେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ‘‘ଉଡ଼ିୟା ସ୍ୱତନ୍ତ୍ର ଭାଷା ନଏ’’ (୧୮୬୮) ବୋଲି ବହି ଲେଖିଥିଲେ । * କାଳୀପଦ ବାବୁ ଓଡ଼ିଆମାନଙ୍କର ଶୁଭଚିନ୍ତକ ଭାବରେ ଉତ୍କଳ ହିତୈଷିଣୀ ଓ କଟକ ଷ୍ଟାର ପତ୍ରିକା ବି ପ୍ରକାଶ କରିଥିଲେ । ଓଡ଼ିଶାର ପ୍ରାଣକେନ୍ଦ୍ର କଟକ ସହରର ଛାତି ଉପରେ ରାଜେନ୍ଦ୍ର ଲାଲ ମିତ୍ର ଓଡ଼ିଆମାନଙ୍କ ବିପକ୍ଷରେ ‘‘ପାଟ୍ରିଓଟିଜିମ୍‌’’ ପ୍ରବନ୍ଧ ବି ପାଠ କରିଥିଲେ । ** ଗୌରୀଶଙ୍କରଙ୍କ ଭାଷାରେ ଷଣ୍ଢୁଆସି ଆକ୍ରମଣରେ ପଖାଳଖିଆ ଅଳସୁଆମାନଙ୍କୁ ନାକେଦମ୍‌ କରିଥିଲେ । *** ମାତ୍ର ରେଭେରେଣ୍ଡ କେରୀ, ଲେସି, ଆମସ୍‌ ସଟନ୍‌, ଗ୍ରୀଅରସନ୍‌, ହଣ୍ଟର୍‌, ଜନ୍‌ବୀମ୍‌ସ, ଟି.ଇ. ରେଭେନ୍‌ସାଙ୍କ ପରି ଗୁଣୀ ଇଂରେଜ, ଭୁଦେବ ମୁଖାର୍ଜିଙ୍କ ପରି ଉଦାରଚେତା ମନୀଷୀ ଓ ଗୌରୀଶଙ୍କର ରାୟ, ରାମଶଙ୍କର ରାୟ, ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ, ଚତୁର୍ଭୂଜ ପଟ୍ଟନାୟକ, ପ୍ୟାରୀମୋହନ ଆଚାର୍ଯ୍ୟ, ପଣ୍ଡିତ ମୃତ୍ୟୁଞ୍ଜୟଙ୍କ ପରି ଓଡ଼ିଆଙ୍କ ସଚେତନ ପ୍ରୟାସଦ୍ୱାରା ଓଡ଼ିଆ ଭାଷା ସ୍ୱୀକୃତ ଲାଭ କରିଥିଲା-

 

*

ଗଗନେନ୍ଦ୍ର ନାଥ ଦାସ – ଓଡ଼ିଆ ଭାଷା ଚର୍ଚ୍ଚାର ପରଂପରା – ପୃ. ୪୭

**

ସୁଧାକର ପଟ୍ଟନାୟକ – ସମ୍ୱାଦପତ୍ରରୁ ଓଡ଼ିଶାର କଥା – ପୃ. ୫୨୫- ୨୭

***

ଡଃ ନଟବର ସାମନ୍ତରାୟ – ଓଡ଼ିଆ ସାହିତ୍ୟର ଇତିହାସ – ପୃ. ୧୮୪, ୨୨୪, ୨୩୨

 

ଓଡ଼ିଆମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠିତ ହୋଇଥିଲା ଭାଷାକୁ କେନ୍ଦ୍ରକରି । ଦେଶୀ, ବିଦେଶୀ ବିଦ୍ୱାନମାନେ ଓଡ଼ିଆ ଭାଷା ଏବଂ ସାହିତ୍ୟର ସ୍ୱାତନ୍ତ୍ର୍ୟ ପ୍ରତିପାଦନ ପାଇଁ ଆଗେଇ ଆସିଲେ । ଆକ୍ରମଣ ପ୍ରତିରୋଧ କରିବା ପାଇଁ କଲମ ଓ ବଲମ ଧରି ଠିଆ ହେଲେ । ତିନିଥେଣ୍ଟିଆ କାକୁଡ଼ି ବାଡ଼ି ପରି ହୀନସ୍ଥା ହେଉଥିବା ଓଡ଼ିଆମାନଙ୍କ ଭିତରେ ଜାତିପ୍ରୀତି ଭାବଧାରା ସୃଷ୍ଟିଧାରା ସୃଷ୍ଟିକରିବା ପାଇଁ ଇତିହାସ ବ୍ୟାଖ୍ୟା କଲେ । ଉତ୍କଳ ଦୀପିକା, ବାଲେଶ୍ୱର ସମ୍ୱାଦବାହିକା, ଓଡ଼ିଆ ଓ ନବସମ୍ୱାଦ, ସମ୍ୱଲପୁର ହିତୈଷିଣୀ, ଆଶା, ପ୍ରଜାବନ୍ଧୁ, ସମାଜ, ଗଡ଼ଜାତବାସିନୀ ପରି ସମ୍ୱାଦପତ୍ର, ଉତ୍କଳ ସାହିତ୍ୟ, ମୁକୁର, ସତ୍ୟବାଦୀ, ସହକାର ପରି ସାହିତ୍ୟ ପତ୍ରିକାମାନ ପ୍ରକାଶ ପାଇଲା । ବାଲେଶ୍ୱରରେ ୧୮୬୬ ମସିହାରେ ଉତ୍କଳଭାଷା ଉନ୍ନତି ବିଧାୟିନୀ ସଭା, କଟକ ସୋସାଇଟି, ୧୮୬୯ରେ କଟକ ଡିବେଟିଂ କ୍ଳବ ଓ କଟକ ୟଂଗମେନ୍‌ସ ଆସୋସିଏନ୍, ୧୮୭୪ରେ ଉତ୍କଳ ଭାଷାଉଦ୍ଦୀପନୀ ସଭା ଏବଂ ସୁହୃଦ ସମାଜ ଓ କର୍ମଯୋଗୀ ଗୌରୀଶଙ୍କର ରାୟଙ୍କ ଉଦ୍ୟମରେ ୧୮୭୮ ମସିହାରେ ଉତ୍କଳ ସଭା (ଓଡ଼ିଶା ଆସୋସିଏସନ) ଗଠିତ ହେଲା । ୧୮୮୨ ମସିହା ବେଳକୁ ରାଧାନାଥ ରାୟ, ମଧୁସୂଦନ ଦାସ ଓ କାଶୀନାଥ ଦାସଙ୍କ ପରି ସଚେତନ ଚରିତ୍ରମାନେ ସଂଘପ୍ରତି ଅଧିକ ଶ୍ରଦ୍ଧାଶୀଳ ହୋଇପଡ଼ିଲେ । ସଚେତନ ଓ ଯୁକ୍ତିନିଷ୍ଠ ଭାବରେ ବ୍ରଟିଶ୍‌ ସରକାରଙ୍କ ନିକଟରେ ନିଜର ନ୍ୟାର୍ଯ୍ୟ ଅଧିକାର ସାବ୍ୟାସ୍ତ କରିବା ପାଇଁ ଆଗେଇ ଆସିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ସ୍ୱର ସମ୍ୱଲପୁର, ମେଦିନପୁର, ମଞ୍ଜୁଷା, ପାରଳାଖେମୁଣ୍ଡି, ଜୟପୁର, ସିଂହଭୂମି, ଷଢ଼େଇକଳା, ଖରସୁଆଁ ଆଦି ଉପାନ୍ତଅଞ୍ଚଳର ଅନୁସରଣ ସୃଷ୍ଟିକଲା । ୧୯୦୨ ମସିହାରେ ଗଞ୍ଜା ସମ୍ମିଳନୀ ଆହୂତ ହେଲା ମଧୁସୂଦନ ଦାସଙ୍କ ଉଦ୍ୟମରେ ଏବଂ ୧୯୦୩ ମସିହାରେ ଡିସେମ୍ୱର ୩୦ ତାରିଖରେ ଆନୁଷ୍ଠାନିକ ଭାବରେ ଜନ୍ମ ନେଲା ଉତ୍କଳ ସମ୍ମିଳନୀ । ଉତ୍କଳ ସମ୍ମିଳନୀ ଥିଲା ଓଡ଼ିଆ ଆନ୍ଦୋଳନର ଜାତୀୟମଣ୍ଡପ ।

 

ମଧୁସୂଦନ ଦାସ ଥିଲେ ଗୋପାଳ ପ୍ରହରାଜଙ୍କ ବୃତ୍ତିଗତ ଓ ବ୍ୟକ୍ତିକ ଜୀବନର ପ୍ରଥମ ପର୍ଯ୍ୟାୟର ଆଦର୍ଶ । ଓକିଲାତି ପାସ୍‌ କରିସାରିଲା ପରେ ତାଙ୍କ ସହଯୋଗୀ ଭାବରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ତାଙ୍କରି ଯୋଗୁ ହିଁ ଉତ୍କଳର ବିଶିଷ୍ଟ ବ୍ୟକ୍ତିବିଶେଷ, ରାଜା ମହାରାଜା ଓ ଇଂରେଜମାନଙ୍କ ସଂସ୍ପର୍ଶରେ ଆସିଥିଲେ । ମଧୁବାବୁଙ୍କର ସେ ଥିଲେ ଡାହାଣ ହାତ ସ୍ୱରୂପ । ଯୁବକ ପ୍ରହରାଜ ଆପଣାର ସ୍ୱାଧୀନ ଓ ନିର୍ଭୀକ ବିଚାରଧାରାରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ କ୍ଷମ ହୋଇପାରିଥିଲେ । ବିଶ୍ୱନାଥ କର, ଫକୀରମୋହନ ସେନାପତିଙ୍କ ପରି ସଚେତନ ପୁରୁଷମାନେ ତାଙ୍କୁ ଆପଣେଇ ନେଇଥିଲେ । ଓଡ଼ିଆମାନଙ୍କର ସକଳ ସମସ୍ୟାକୁ ଅନୁଭବ କରିବାର କ୍ଷମତା ଯେ ତାଙ୍କର ଥିଲା, ମଧୁବାବୁ ତାହା ଦେଖିପାରିଥିଲେ । ତେଣୁ ଆପଣା କାଳର ଜଣେ ମଙ୍ଗୁଆଳ ହେବାର ଯୋଗ୍ୟତା ଯେ ତାଙ୍କର ଅଛି, ଏ କଥା ସେ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲେ । ଏପରିକି କୁଳବୃଦ୍ଧଙ୍କ ପରିକଳ୍ପିତ ଉତ୍କଳ ସମ୍ମିଳନୀର ଯୋଜନା ପ୍ରସ୍ତୁତିକରଣରେ ପ୍ରହରାଜଙ୍କ ମସ୍ତିଷ୍କ ମଧ୍ୟ କାମ କରିଥିଲା । ସମ୍ମିଳନୀର ମେଲଣ ମଣ୍ଡପ ଓ ବିଭିନ୍ନ କାର୍ଯ୍ୟକ୍ରମରେ ସେ ବାତଚକ୍ରପରି ଘୂରି ବୁଲୁଥିଲେ । ତେଣୁ ଅଧ୍ୟୟନ କାଳରେ ତାଙ୍କ ଭିତରେ ଆପଣା ଭୂମିକୁ ଭଲପାଇବାର ଯେଉଁ ସୁପ୍ତବୀଜଟି ସଜୀବ ଥିଲା, ସମ୍ମିଳନୀର ପରିକଳ୍ପନାରେ ତାହା ଅଙ୍କୁରିତ ହୋଇଥିଲା । ଡାଳ ମେଲିଥିଲା । ଜାତୀୟ ଜୀବନକୁ ଅଧିକରୁ ଅଧିକ ପରିଶୀଳନ କରିବାର ସେ ସୁଯୋଗ ପାଇଲେ ।

 

ପ୍ରହରାଜେ ଏକ ବୃହତ୍ତର ଦୃଷ୍ଟିକୋଣରୁ ଜାତି, ଜାତୀୟତା ଓ ଜାତୀୟ ଜୀବନର ପରିଶୀଳନ ଓ ମୂଲ୍ୟାୟନ କରୁଥିଲେ । ଭାରତର ଅଧିବାସୀମାନଙ୍କୁ ଜାତି ଓ ବଙ୍ଗ, ଉତ୍କଳ, ମହାରାଷ୍ଟ୍ର ଆଦି ଭାଷାଭାଷୀ ଅଞ୍ଚଳକୁ ଉପଜାତି ଭାବରେ ପରିଗଣନ କରୁଥିଲେ । ଜାତୀୟ ଜୀବନ କହିଲେ, ‘‘ବ୍ୟକ୍ତିଗତ ପ୍ରାଧାନ୍ୟ ଲୋପ, ସଂକୀର୍ଣ୍ଣ ସ୍ୱାର୍ଥର ବିଲୋପ, ଜାତିର ସର୍ବବିଧ ଉନ୍ନତି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା’’ କଥାହିଁ ସେ ବୁଝିଥିଲେ । (ଦୁ. ହା. ଚା. ପୃ ୯୩) ମଧୁବାବୁ ଭିତର କଥାଗୁଡ଼ିକ ସେ ପ୍ରକାଶ କରିଥିଲେ ଆପଣାର ଲେଖାଗୁଡ଼ିକରେ । ଉତ୍କଳ ସମ୍ମିଳନୀ ମଣ୍ଡପର ବିଭିନ୍ନ ଅଧିବେଶନରେ ସେ ଠିକ୍‌ ସେଇ କଥାସବୁ କହିଥିଲେ ଏବଂ ଅନ୍ୟମାନଙ୍କ ମୁହଁରେ କୁହାଇଥିଲେ । ପ୍ରାକୃତିକ ଉତ୍କଳର ଏକତା ସ୍ଥାପନ, ଉତ୍କଳର ସର୍ବାଙ୍ଗୀନ ଉନ୍ନତି ସାଧନ, ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଶାସନ ସୂତ୍ରରେ ଏକତ୍ରୀକରଣ ଏବଂ ପ୍ରବାସୀ ଓ ପରିତ୍ୟକ୍ତ ଅଞ୍ଚଳରେ ଥିବା ଓଡ଼ିଆମାନଙ୍କ ସ୍ୱାର୍ଥସଂରକ୍ଷଣ ଆଦି ଚାରିଗୋଟି ସ୍ତମ୍ଭ ଉପରେ ତାଙ୍କର ବିଚାରଧାରାର ମନ୍ଦିର ପରିଚାଳିତ ହୋଇଥିଲା । ଲୋକମାନଙ୍କ ମଧ୍ୟରେ ଜାତୀୟଭାବ ସଞ୍ଚାର ପାଇଁ ଜାତୀୟ ଜାଗରଣ ଓ ଜାତୀୟ ଜୀବନ ଗଠନ, ସେମାନଙ୍କ ଅଭାବ ଅସୁବିଧା ପ୍ରତି ଜନସାଧାରଣ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ, ପ୍ରାକୃତିକ ଉତ୍କଳର ବିଭିନ୍ନ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବାପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବଂ ଉତ୍କଳର କୃଷି, ବାଣିଜ୍ୟ, ଶିଳ୍ପ, ଶିକ୍ଷା ଓ ସାହିତ୍ୟର ଅଭିବୃଦ୍ଧି ସାଧନା ପାଇଁ ପନ୍ଥାନିରୂପଣ ଓ ଦେଶକୁ ଉନ୍ନତି ପଥରେ ଅଗ୍ରସର କରେଇବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ । ସେ ଥିଲେ ସମ୍ମିଳନୀର ଜନ୍ମଦାତା, ମନ୍ତ୍ରଦାତା ଓ ପାଳୟିତା । * ଉତ୍କଳ ସମ୍ମିଳନୀ ଥିଲା ତାଙ୍କ ଆତ୍ମା ସ୍ୱରୂପ ।

 

*

ନବକିଶୋର ଦାସ – ଉତ୍କଳ ଗୌରବ ମଧୁସୂଦନ ଦାସ – ପୃ ୫୪

 

ବିଭିନ୍ନ କାରଣରୁ ମଧୁବାବୁଙ୍କୁ ଉଗ୍ର ଓଡ଼ିଆ ବୋଲି ମଧ୍ୟ ବିବେଚନା କରାଯାଏ । କାରଣ ସେ ପ୍ରଥମେ ନିଜକୁ ଓଡ଼ିଆ, ପରେ ଭାରତୀୟ ଓ ସର୍ବଶେଷରେ ଜଗତର ବୋଲି ଘୋଷଣା କରିଥିଲେ । ତାର ଅର୍ଥ ନୁହେଁ ଯେ, ସେ କେବଳ ଓଡ଼ିଆମାନଙ୍କୁ ଭଲପାଉଥିଲେ, ଅନ୍ୟମାନଙ୍କୁ ଘୃଣା କରୁଥିଲେ । ଛୋଟ ଜଳାକବାଟି ଦେଇ ଜଗତକୁ ମାପିବାର ବିକଳ ପ୍ରୟାସ କରୁଥିଲେ । ସେ ସମୟହିଁ ତାଙ୍କୁ ସେମିତି ହେବାପାଇଁ ବାଧ୍ୟ କରିଥିଲା । ଓଡ଼ିଆମାନଙ୍କର ଅସ୍ତିତ୍ୱକୁ ଲୋପ କରିଦେବା ପାଇଁ ଯେଉଁ ହୀନଚକ୍ରାନ୍ତ ଚାଲିଥିଲା, ସେ ତାର ବିରୋଧ କରିଥିଲେ । ଓଡ଼ିଆମାନଙ୍କର ଯେ ସ୍ୱତନ୍ତ୍ରସତ୍ତା ରହିଛି, ସେମାନେ ଯେ ଅନ୍ୟମାନଙ୍କ ଯୋଗ୍ୟତା ଅନୁରୂପ ଏବଂ ଅନେକ କ୍ଷେତ୍ରରେ ସେମାନଙ୍କଠାରୁ ଅଧିକ, ଏକଥା ସେ ପ୍ରମାଣ କରିବାପାଇଁ ଚେଷ୍ଟା କରିଥିଲେ । ଭାରତର ସବୁ ଭାଷାଭାଷୀ ଅଞ୍ଚଳର ଅଧିବାସୀମାନଙ୍କୁ ସେ ଆପଣାର ଭାବରେ ପରିଗ୍ରହଣ କରିଥିଲେ । ଗୋଟିଏ ଚେତନାର ପ୍ରତୀକ ବୋଲି କହୁଥିଲେ । ଭାରତକୁ ମା ଓ ଉତ୍କଳ, ବଙ୍ଗ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟକୁ ତାର କନ୍ୟାରୂପରେ ବିବେଚନା କରିଥିଲେ ଏବଂ କନ୍ୟାମାନଙ୍କ ଭିତରେ ଉତ୍କଳ ସବୁଠାରୁ ହୀନିମାନୀ ବୋଲି ପ୍ରମାଣ କରିଥିଲେ । ତାକୁ ଛିଣ୍ଡାଲୁଗା ପିନ୍ଧେଇ କାନ୍ଦୁରୀ ଓ ବାଳମୁକୁଳା ବେଶରେ ଜାତୀୟମଣ୍ଡପରେ ଠିଆ କରେଇଥିଲେ । ତାର ହାତଗୋଡ଼ ପରି ଅଙ୍ଗଗୁଡ଼ିକୁ ଖଣ୍ଡଖଣ୍ଡ କରି ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି ବୋଲି ପ୍ରତିବାଦ କରିଥିଲେ । * ନ୍ୟାର୍ଯ୍ୟଅଧିକାରରୁ ତାଙ୍କୁ ବଞ୍ଚିତ ନକରି, ତାର ଯାହା ପ୍ରାପ୍ୟ ସେ ସମସ୍ତ ଫେରାଇଦେବାପାଇଁ ଇଂରେଜ ସରକାରଙ୍କ ନିକଟରେ ଦାବି କରିଥିଲେ । ସମସ୍ତଙ୍କୁ ସେ କୋଳାଇ ନେଇଥିଲେ । ରାଜା, ଜମିଦାର, ବିଶିଷ୍ଟବ୍ୟକ୍ତି, ସାଧାରଣ ଜନତାସକଳଙ୍କୁ ସମ୍ମିଳନୀ ମଣ୍ଡପରେ ଏକାଠି କରୋଉଥିଲେ । ଆପଣାର ନାଁ, ଗୁଣ, ଧର୍ମ, ଜାତି, ପାଟକ, ଗୋତ୍ରକୁ ପାସୋରି ପକେଇ, ଗୋଟିଏ ଜାତି ଭାବରେ ଠିଆ ହେବା ଲାଗି ମନ୍ତ୍ର ଶିଖୋଉଥିଲେ । ଗୋପାଳଚନ୍ଦ୍ର ପ୍ରହରାଜ, ସେଇ ମନ୍ତ୍ରରେ ନାଚୁଥିଲେ । ଓଡ଼ିଆମାନଙ୍କର ସମସ୍ୟାଗୁଡ଼ିକୁ ଆଲୋଚନା ମାଧ୍ୟମରେ ବୌଦ୍ଧିକରୀତିରେ ପ୍ରକାଶ କରୁଥିଲେ ।

 

*

ମଧୁବାବୁଙ୍କ ଗୀତ ଓ ବକ୍ତୃତା – ପୃ ୨୯-୫୨

 

ସମ୍ମିଳନୀର ଜାତକ ତିଆରି ହେଲାବେଳେ ପ୍ରହରାଜେ ଓଡ଼ିଶାର ଭବିଷ୍ୟତକୁ କେନ୍ଦ୍ରକରି ଅନେକକିଛି ସ୍ୱପ୍ନ ଦେଖିଥିଲେ । ସମାଲୋଚକମାନେ ସମ୍ମିଳନୀକୁ କେବଳ ମଧୁବାରିଷ୍ଟରଙ୍କର ଏକ ଭୂତ କାରଖାନା ବୋଲି ନାକ ଟେକୁଥିଲାବେଳେ, ସେ ସେମାନଙ୍କୁ ଉତ୍କଳ ମାତାର କୁଳାଙ୍ଗାର, ଦେଶଦ୍ରୋହୀ, ଜାତିଦ୍ରୋହୀ ବୋଲି ଛିଗୁଲୋଉଥିଲେ । ନିନ୍ଦା ପ୍ରସ୍ତାବ ଆଣିଥିଲେ । ସେମାନଙ୍କ ପାଖକୁ ନିମନ୍ତ୍ରଣପତ୍ର ବି ପଠାଯାଇ ନ ଥିଲା । ମାତ୍ର ୧୯୦୬ ମସିହାବେଳକୁ ସମ୍ମିଳନୀ ସଂକ୍ରାନ୍ତୀୟ ତାଙ୍କ ଦୃଷ୍ଟିକୋଣ ପୁରାପୁରି ବଦଳିଯାଇଥିଲା । (ଦୁ. ହା. ଚା. ପୃ ୨୫, ୪୦, ୪୩) । ସମ୍ମିଳନୀ ନାଁରେ ତାଳିମାରିବା, ଡେଇଁବା, ହୋ ହାଲ୍ଲା କରିବାକୁ ସେ ଉଚିତ ମଣି ନ ଥିଲେ । ଅନ୍ୟପକ୍ଷରେ ମଧୁବାବୁ ଓ ଉତ୍କଳସମ୍ମିଳନୀର କାର୍ଯ୍ୟକ୍ରମଗୁଡ଼ିକୁ ସେ କଟୁ ସମାଲୋଚନା କରିଥିଲେ । ‘‘ଓଡ଼ିଆ ଜାତି ବଂଶମରା ଡାହୁକ, ଭାରତର ଅନ୍ୟଜାତିମାନଙ୍କ ସହ ସମକକ୍ଷ ହୋଇନାହିଁ, ସେମାନେ ଆତ୍ମଶାସନର ଉପଯୁକ୍ତ ହୋଇନାହାନ୍ତି, ପରଲୁଗା ପିନ୍ଧି ଯାତକୁ ଯିବାର ଅଭ୍ୟାସ ସେମାନଙ୍କର ଛାଡ଼ିନି, ସେମାନେ ଅଜ୍ଞ, ଉଦାସୀନ, ଭୀରୁ, ସନ୍ନିପାତିକ ରୋଗରେ ଆକ୍ରାନ୍ତ । ସେମାନେ ସ୍ୱାୟତ୍ତ ଶାସନ ପାଇବା ପାଇଁ ଯୋଗ୍ୟ ହୋଇନାହାନ୍ତି’’ବୋଲି ଗାଳି ଦେଉଥିଲେ । (ଦୁ. ହା- ପୃ ୨୫) ସମ୍ମିଳନୀ କେବଳ ରାଜା, ମହାରାଜା, ଜମିଦାର, ଶିକ୍ଷିତମାନଙ୍କର ମେଲଣମଞ୍ଚ, ସେଠି କେବଳ ଭାଷଣରେ ଆତସବାଜିର ପ୍ରତିଯୋଗିତା ଚାଲେ । ପ୍ରସ୍ତାବମାନ ଆଗତ ହୁଏ, ସ୍ୱୀକୃତି ଲାଭ କରେ । କେଉଁ ରାଜା, ମହାରାଜା ବା ଜମିଦାରଙ୍କ ପ୍ରଦତ୍ତ ଅର୍ଥରେ ପେଟ ପୂରେଇ ଯିଏ ଯୁଆଡ଼େ ଚାଲିଯା’ନ୍ତି । ଆଉ ଗୋଟିଏ ନୂଆବର୍ଷ, ନୂଆ ଅଧିବେଶନର ଅପେକ୍ଷା ରଖନ୍ତି । ଓଡ଼ିଆ ଜାତୀୟବାଦୀ ଆନ୍ଦୋଳନ ପୋଥିବାଇଗଣରେ ପରିଣତ ହୋଇଯାଏ, କିଛି ଫଳ ଫଳେନା । ସମସ୍ତେ କେବଳ ବଡ଼ଲୋକମାନଙ୍କର କଥାକୁ ମୁଣ୍ଡଟୁଙ୍ଗାରି ସ୍ୱୀକୃତି ଦିଅନ୍ତି । ଉତ୍କଳ କେତେକ ନେତାଙ୍କର ସ୍ୱପାର୍ଜିତ ସଂପତ୍ତିର କ୍ରୀଡ଼ାସ୍ଥଳୀ ହୋଇଯାଏ । ସେମାନେ କଳାବଳଦକୁ ଧଳା, ଧଳା ବଳଦକୁ କଳା କରନ୍ତି । ‘‘ଓଡ଼ିଶାମାତାଙ୍କୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ି, କେତେବେଳେ କେଲୁଣୀ କନ୍ଥା, କେତେବେଳେ ଗାଉନ୍, କେତେବେଳେ ବାହୁଖଡ଼ୁ, କେତେବେଳେ ବ୍ରେସ୍‌ଲେଟ୍, ଯେତେବେଳେ ଯାହା ତାହା ପିନ୍ଧେଇ ବାହାରେ ତାମସା କରନ୍ତି, (ଦୁ. ହା. ଚା- ପୃ୪୫) ବୋଲି ସେ ନିର୍ଭୀକ ଭାବରେ ଘୋଷଣା କରୁଥିଲେ ।

 

ସମ୍ମିଳନୀ ଓଡ଼ିଆମାନଙ୍କର ମେଲଣମଞ୍ଚ ଥିଲା । ବିଭିନ୍ନାଞ୍ଚଳରୁ ଅଧିକସଂଖ୍ୟକ ଲୋକ ଯୋଗଦେଉଥିଲେ ମେଲଣ ପଡ଼ିଆରେ । ମାତ୍ର ବର୍ଷେ ବର୍ଷେ ଅଞ୍ଚଳଗତ କନ୍ଦଳ ଯୋଗୁଁ ପଶ୍ଚିମଲୋକ ଦକ୍ଷିଣକୁ, ଦକ୍ଷିଣଲୋକ ମଝିକୁ କି ପଶ୍ଚିମକୁ ଯିବାପାଇଁ ବିମୁଖତା ପ୍ରକାଶ କରୁଥିଲେ-। ମାତ୍ର ସକଳଙ୍କର ପ୍ରିୟତମ ନେତା ଥିଲେ ମଧୁସୂଦନ ଦାସ । ଉତ୍କଳକୁ ତାଙ୍କପରି ଭଲ ପାଉଥିବା ଲୋକ ଆଉଜଣେ କେହି ନ ଥିଲେ । ଏ କଥାକୁ ପ୍ରହରାଜ ବି ସ୍ୱୀକାର କରୁଥିଲେ । (ଦୁ. ହା. ପୃ ୮୧) ପରୋକ୍ଷରେ ତାଙ୍କୁ ସମାଲୋଚନା କରିବାକୁ ପଛୋଉ ନ ଥିଲେ । ‘‘ଯୋଗୀନେତାମାନେ ଏ ଭୂମିକୁ ମଉରସି ସଂପତ୍ତି ଭଳି ନିଗୁଢ଼ ଦଖଲୀସ୍ୱତ୍ତ୍ୱ ପ୍ରମାଣ କରିବାକୁ ଦିବାନିଶି ତତ୍‌ପର ଏବଂ ଅଧିକାର ସେମାନଙ୍କର କାଳେ ହାତଛଡ଼ା ହୋଇଯିବ ବୋଲି ସେମାନେ ଭୀତତ୍ରସ୍ତ । (ଦୁ. ହା- ପୃ ୧୦୫) ସେମାନେ ଦେଶହିତୈଷୀ, ଗୁଣୀ, ମାନୀ, ନେତା, ବକ୍ତା ସବୁକିଛି-। ସେମାନେ ଶୋଇପଡ଼ିଲେ ଜାତିଟା ଯେମିତି ଶୋଇପଡ଼ିବ । ସେମାନଙ୍କର ଜନ୍ମ ଏ ଜାତିର ମେଣ୍ଡାମାନଙ୍କ ଭିତରେ ନବନବ ଚେତନା ସୃଷ୍ଟିକରିବାପାଇଁ । ସମଧର୍ମୀ ଦେଶହିତୈଷୀମାନେ ପରସ୍ପରକୁ ବାହାଦୁରି ଦେବାରେ ବ୍ୟସ୍ତ । ପରସ୍ପରର ବାଜା ବଜେଇବାରେ ଓସ୍ତାତ୍ । ପ୍ରତ୍ୟେକ ଯେପରି ମିଉଚୁଆଲ ଆପ୍ରିସିଏସନ୍ ସୋସାଇଟିର ସଭ୍ୟ । ଏମାନଙ୍କ ସଂଘ ଓ ଅଭିଦୃଷ୍ଟିକୁ ସମାଲୋଚନା କରୁଥିବା ମଣିଷମାନେହିଁ ଦେଶର ଦୁରନ୍ତ ଶତ୍ରୁ’’ (ଦୁ. ହା. ପୃ. ୧୪୬) ବୋଲି ଉଲ୍ଲେଖ କରିଥିଲେ । ସ୍ୱାର୍ଥପରତା, ଭୀରୁତା, ଆଳସ୍ୟ, ଅହମିକାର ଧୂଳିରେ ଗୋଳାଇ ଘାଣ୍ଟି ନ ହୋଇ, ଆପଣାର କ୍ଷୁଦ୍ରସୀମା ମଧ୍ୟରେ, ଆପଣା ଘରର ଉଚ୍ଚପିଣ୍ଡାରେ ବସି ନାସ ଶୁଙ୍ଘି ଶୁଙ୍ଘି, ନାହିରେ ତେଲ ଦେଇ ନିଦେଇ ନ ଯାଇ ମଧୁରିଆ ସ୍ୱପ୍ନରେ ବିଭୋର ହେବାପାଇଁ ଓଡ଼ିଆମାନଙ୍କ କାନରେ କେତେକଥା କହି ଯାଉଥିଲେ । ଇଂରେଜ ଓ ବଙ୍ଗଳୀମାନଙ୍କ ଭିତରେ ଥିବା ଜାତି ପ୍ରୀତି ଭାବଧାରା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଆପଣା ଦାବିକୁ ହାସଲ କରିବାକୁ ହେଲେ, କେବଳ କୁହାଟ ଛାଡ଼ିଲେ, ମୁଁ ଅମୁକ ଜାତିର ମୁଣ୍ଡିଆଳ କହିଲେ, କିଛି ହୋଇଯାଏନା । (ଦୁ. ହା. ପୃ ୯୭) ହୋ ରେ ଭାସିଗଲେ ରତ୍ନ ମିଳେନା । ସେଠି ବୁଡ଼ିଯିବାକୁ ପଡ଼େ । ନିଜର କ୍ଷୁଦ୍ର ଜୀବନକୁ ପାସୋରି ପକେଇବାକୁ ପଡ଼େ ଏବଂ ଓଡ଼ିଶାରେ ସ୍ୱପ୍ନବିଭୋର ମଙ୍ଗଧରାଳୀର ଅଭାବ ରହିଛି ବୋଲି ସେ ଅନୁଭବ କରୁଥିଲେ । (ଦୁ. ହା.- ପୃ ୨୫)

 

ଉତ୍କଳ ସମ୍ମିଳନୀ ପ୍ରତି ପ୍ରହରାଜଙ୍କ ଅଧିକ ବିରୋଧଭାବ ବିଶେଷ ଭାବରେ ଲକ୍ଷ୍ୟ କରାଯାଏ ‘‘ଆମ ଘରର ହାଲ୍‍ଚାଲ୍‍’’ ଶୀର୍ଷକ ରଚନାଗୁଡ଼ିକରେ । କେବଳ ଅନ୍ନସଂସ୍ଥାନ ପାଇଁ ସମୟ ନଷ୍ଟ କରୁଥିବା ଏବଂ ସମୟ ଓ ଅବସରର ସଦ୍‌ବ୍ୟବହାର ଶିଖିନଥିବା ଓଡ଼ିଆମାନଙ୍କୁ ସେ ‘‘ଅବନତ ଓ ଅସଭ୍ୟ’’ ବୋଲି ଖୁଞ୍ଚା ଦେଇଥିଲେ । (ଆ. ଘ. ହା. ଚା ପୃ ୭) ପୁରୁଷ, ସ୍ତ୍ରୀ ଓ ନଂପୁସକମାନଙ୍କ ଶିକ୍ଷାବିସ୍ତାର ପାଇଁ ଏଠି ପୁଞ୍ଜି ସଂଗ୍ରହ ଚାଲେ । ନେତାମାନଙ୍କର ପୁରୁଷାର୍ଥ, ମଳୁଶିକ୍ଷା ସମିତି, ଭିକ୍ଷୁକସମାଜ, ସ୍ୱାସ୍ଥ୍ୟରକ୍ଷା ସମିତି, ସରକାରଙ୍କ ଡିଷ୍ଟ୍ରିକ୍‌ଟ ବୋର୍ଡ଼, ଲୋକାଲ୍‍ ବୋର୍ଡ଼, ଗ୍ରାମଇଉନିୟନ୍, ଶିକ୍ଷା ବିଭାଗ ଆଦି ଇଲାକାରେ ଅନାହାରୀ ସଭ୍ୟ ହେବା ଉପରେ ନିର୍ଭର କରେ’’ବୋଲି ସମାଲୋଚନା କରୁଥିଲେ । (ଆ. ଘ ହା. ଚା- ପୃ ୩୭) ଐତିହ୍ୟ ଦର୍ପିତ ଉତ୍କଳୀୟମାନେ କୌଣସି ନିୟମର ଅଧିନ ହୋଇ ଚଳିବାକୁ କାପୁରୁଷତା ଓ ପରାଧୀନତା ଭାବରେ ଅନୁଭବ କରିବା; ଭାରତୀୟମାନଙ୍କର ପାଦ ପଡ଼ିଥିବା ବାଟରେ ନ ଚାଲି, ସେମାନଙ୍କ ପାଇଁ ଭିନ୍ନରାସ୍ତାଟିଏ ତିଆରି କରିବା, ନିଜର ବିଶେଷତ୍ୱ ସାବ୍ୟସ୍ତ କରିବା ପାଇଁ ଅନ୍ୟମାନଙ୍କ ଆପ୍ତବଚନର ବିରୋଧ କରିବା, କଥାରେ ଗାଳିମନ୍ଦ ଦେଉଥିବା ମଣିଷକୁ କାର୍ଯ୍ୟରେ ଆଦର, ଅଭ୍ୟର୍ଥନା ତୋଷାମୋଦ, ଯୋଷାମୋଦ; ଚୋଷାମୋଦ, ଘଷାମୋଦ, ହସାମୋଦଦ୍ୱାରା ସନ୍ତୁଷ୍ଟ କରି ରଖିବା ଏବଂ ଜାତୀୟ ଉନ୍ନତି ପାଇଁ ହାକିମହୁକୁମାଙ୍କ ଆଗରେ ଆପଣା ଜାତିକୁ ବ୍ୟାକ୍‌ଉଆଡ୍‌ପିପୁଲ (ପଛକୁହା ଜାତି), ବିନାଇଟେଡ଼ ନାସନ୍ (ଅନ୍ଧାରକଣା ଜାତି), ଡାଉନ୍-ଟ୍ରଡନ୍‌ ପିପୁଲ (ଗୋଇଠାଖିଆ ଜାତି), ବ୍ଲିଡିଂ ନେସନ୍ (ରକ୍ତବୁହା ଜାତି), ଡିଜରଭିଙ୍ଗ୍ ଫେବରିଟିଜିମ୍ (ଅନୁଗ୍ରହପ୍ରାର୍ଥୀ ଜାତି), ନେସନ୍ ଅଫ୍ ବେଗର୍‌ସ (ଭିକ୍ଷାଜୀବୀ ଜାତି), ଅନ୍‌ଫର୍‌ଚୁନେଟ୍ ପିପୁଲ୍ (ହତଭାଗା ଜାତି), କିକିଙ୍ଗ୍‌ନେସନ୍ (ନାଚୁଆ ଜାତି) ଓ ପରଦୟା ନିର୍ଭର କୃଷକଭାବରେ ଉପସ୍ଥାପନ କରିବା ଏବଂ ସେମାନଙ୍କ ମୁଣ୍ଡିଆଳମାନେ ସେମାନଙ୍କୁ ଉତ୍କଳସମବାୟ ସମ୍ମିଳନୀ ନାମକ ଗୋଠରେ ପୂରେଇ ସଭ୍ୟଜଗତ ଓ ଜାତିଠାରୁ ଦୁରେଇ ରଖିବାକୁ ଚକ୍ରାନ୍ତ କରୁଥିବା’’ କଥା ମଧ୍ୟ ପ୍ରକାଶ କରିଥିଲେ (ଆ. ଘ. ହା. ଚା- ପୃ ୪୬-୫୧) ।

 

ଓଡ଼ିଆମାନେ ବାରଜାତି ତେରଗୋଲା ହୋଇ, ସେମାନଙ୍କର ସ୍ୱାତନ୍ତ୍ର୍ୟ ହରେଇ ବସିଥିଲେ ଏବଂ ଯେଉଁମାନଙ୍କ ପିଣ୍ଡାତଳେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସୁଯୋଗ ଦିଆଯାଇଥିଲା, ସେମାନଙ୍କ ଦ୍ୱାରା ହିଁ ସେମାନେ ‘ଉଡ଼େ’, ଓଡଡିବାବୁ’ ଓ ‘‘ଓଡ଼ିଆ’’ ଆଦି ଶବ୍ଦରେ ସ୍ୱୀକୃତି ପାଉଥିଲେ । ଆଦର, ସ୍ନେହ, ଶ୍ରଦ୍ଧା, ଭକ୍ତିର ବି ଗନ୍ଧ ନ ଥିଲା । ମାତ୍ର ‘‘ସମଗ୍ର ଉତ୍କଳବାସୀ ଓ ଉତ୍କଳଭାଷୀ ଏକଶାସନାଧୀନ ହୋଇଗଲେ ସେମାନଙ୍କ ଜାତୀୟ ଉନ୍ନତି, ରାଜନୀତିକ ଏକତା ଓ ଜାତୀୟ ଜୀବନ ଯେ ବହଳ ହୋଇପାରିବ’’ ଏହା ସ୍ୱୀକାର କରିବାକୁ ସେ ପ୍ରସ୍ତୁତ ନ ଥିଲେ । (ଆ. ଘ. ହା. ଚା- ପୃ ୫୩) ନିଜଘର ଭିତରେ ଓଡ଼ିଆମାନେ ନିଜର ବିଶେଷତ୍ଵ ପ୍ରତିଷ୍ଠା କରିବା ପାଇଁ କ୍ଷମ ହୋଇ ନ ଥିଲେ ବୋଲି ସେ ଅନୁଭବ କରିଥିଲେ । ସେମାନଙ୍କ ଭିତରେ ଜାତୀୟ ଟେକ ବଜାଏ ରଖିବା ପାଇଁ ସାଧନାର ଅଭାବ ନ ଥିଲା । ନିପଟ ଓଡ଼ିଶା ଭିତରେ ଥିବା ଓଡ଼ିଆମାନଙ୍କ ଅପେକ୍ଷା ଓଡ଼ିଶା ବାହାରେ ଥିବା ଓଡ଼ିଆଭାଷୀମାନେ ନିଜର ବିଶେଷତ୍ୱକୁ ବଜାଏ ରଖିବା ଲାଗି ଅଧିକ ସଚେତନ ଥିଲେ । ତେଣୁ ଭାଷାକୁ ଆଧାର କରି ଦେଶର ରାଜନୀତିକ ସୀମାଟିଏ ଆଙ୍କିଦେଲେ, ନିଜକୁ ଓଡ଼ିଆ ବୋଲି ଗର୍ବକରୁଥିବା ମଣିଷମାନେ ପଦାରେ ରହିଯିବେ ଏବଂ ସେମାନଙ୍କ ପାଇଁ ଓଡ଼ିଆ ସେଲ୍‌ଟର୍‌ସ ଆସୋସିଏସନ୍ ଯେ ଗଠନ କରିବାକୁ ପଡ଼ିବ, ଏ କଥା ପ୍ରହରାଜ ଯୁକ୍ତିର ସହ ପ୍ରମାଣ କରିଥିଲେ । ନିଜକୁ ସମ୍ମାନଜନକ ଭାବରେ ପ୍ରତିଷ୍ଠା କରିବାକୁ ହେଲେ, ଭିତରେ ଥିବା ମଳଗୁଡ଼ାକୁ ସୀମା ବାହାରକୁ ନିକାଲି ଦେବାକୁ ପଡ଼େ । ସଂକୀର୍ଣ୍ଣତାର ଗନ୍ଧ, ଚେତନା ଭିତରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ, ମଣିଷ ତାରି ଭିତରେ ସ୍ୱର୍ଗସୁଖ ପୂରି ରହିଛି ବୋଲି ବଡ଼ ଅଲାଜୁକ ଭାବରେ ଭୁରୁଡ଼ି ମାରୁଥାଏ । କୌଣସି ଜାତିର ରାଜନୀତିକ ଏକୀକରଣ ସେତିକିବେଳେ ସମ୍ଭବ ହୁଏ, ଯେତେବେଳେ ଜାତି ପ୍ରଚଣ୍ଡ ସ୍ୱାଭିମାନବୋଧରେ ସ୍ୱାଧୀକାର ପ୍ରତିଷ୍ଠା କରିବାକୁ ସମର୍ଥ ହୁଏ । ସଚେତନ ଯୁଗପୁରୁଷମାନେ ହିଁ ମଣିଷ ଭିତରର ସୁପ୍ତ ସ୍ୱାଭିମାନକୁ ଚେତେଇ ଦିଅନ୍ତି । ନିଜ ଭିତରେ ଥିବା ‘‘ବ୍ୟକ୍ତିଗତ ଉଦ୍ୟମହୀନତା, ପରମୁଖାପେକ୍ଷିତା, ପରନିର୍ଭରତା, ଅନୁଗ୍ରହଭିକ୍ଷା, ପ୍ରତିକୂଳ ଉପାଦାନ ସଙ୍ଗେ ଯୁଦ୍ଧ କରିବାକୁ ଅନିଚ୍ଛା, କୂପମଣ୍ଡୁକତା, ଅଦୂରଦର୍ଶିତା ଓ ଆତ୍ମଭରିତାର’’ ପଚାମଳକୁ ପେଟ ଭିତରୁ ଖଲାସ କରି ନ ପାରିଲେ, କେହି ଜାତିର ଅସଲ ମଙ୍ଗୁଆଳ ହୋଇପାରେନା । ଅନ୍ୟମାନଙ୍କୁ ସମଭାବରେ ଦୀକ୍ଷିତ କରିପାରେନା । ମଳ ପେଟ ଭିତରେ ଅଧିକରୁ ଅଧିକ ଗୋଳିଆ ହୋଇ କୋଷ୍ଠକାଠିନ୍ୟ ସୃଷ୍ଟିକରେ । ପରିବେଶକୁ ଦୂଷିତ କରେ । ଜାତି ଗଠନର ମହତ୍‌ ଉଦ୍ଦେଶ୍ୟ ପଣ୍ଡ ହୋଇଯାଏ ।

 

ପ୍ରହରାଜଙ୍କ ପରିବର୍ତ୍ତିତ ବିଚାରଧାରାରେ, ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ବା ଓଡ଼ିଶୀ ଦାବିର ଜନ୍ମଜାତକଟି ଥିଲା, ‘‘ପାଟକନା ଭିତରେ ଗୁଡ଼ାହୋଇଥିବା ସୁଲିଖିତ ଓ ସୁଦୃଶ୍ୟ’’ ଭଣ୍ଡ ଇସ୍ତାହାର ସଦୃଶ । (ଆ. ଘ. ହା. ଚା.- ପୃ ୧୫) ଓଡ଼ିଆମିର ଚିତ୍କାର ଭିତରେ ନେତାମାନଙ୍କର ବ୍ୟକ୍ତିଗତ ଲାଭଖୋର ପ୍ରବୃତ୍ତି ହିଁ ନୁଚି ରହିଥିଲା । ‘‘ଯେପର୍ଯ୍ୟନ୍ତ ଉତ୍କଳର ଜାତୀୟ ଅଭିଧାନରୁ ଓଡ଼ିଆ ଜାତିର ଆଧୁନିକ କନ୍‌ସେନ୍‌ଟ୍ରିକ୍ (କୈନ୍ଦ୍ରିକ) ଅର୍ଥର (ଓଡ଼ିଆ ଜାତିର ଅନ୍ତର୍ଭୁକ୍ତ, ମୋ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ, ମୋ ବିରାଦର ଅନ୍ତର୍ଭୁକ୍ତ, ମୋ ଗ୍ରାମର ଅନ୍ତର୍ଭୁକ୍ତ, ମୋ ଦଳର ଅନ୍ତର୍ଭୁକ୍ତ, ମୋ ଅନୁଗ୍ରହର ଦୃଷ୍ଟିର ଅନ୍ତର୍ଭୁକ୍ତ, ସୌଭାଗ୍ୟବନ୍ତ ବ୍ୟକ୍ତିବିଶେଷ) ସଂସ୍କାରପ୍ରକ୍ରିୟା ଆରମ୍ଭ ହୋଇନାହିଁ, ଯେପର୍ଯ୍ୟନ୍ତ ହୋମ୍‍ରୁଲ୍‍ (ସ୍ୱାୟତ୍ତ ଶାସନ) ବୋଲି, ଉତ୍କଳ ଇଉନିୟନ (ସମଗ୍ର ଉତ୍କଭାଷୀପ୍ରଦେଶର ଏକୀକରଣ) ବୋଲ, ଓଡ଼ିଶା ଫର୍ ଓଡ଼ିଆଜ୍ (ଓଡ଼ିଶାରେ ଓଡ଼ିଆଙ୍କର ଷୋଳପଣ କିସ୍‌ମତ୍) ବୋଲ, ଏଗୁଡ଼ିକ ଜାତୀୟ ଅବଗତି ଦିଗକୁ ଅଗ୍ରସର ହେଉଥିବ ଏବଂ ଯେଉଁ ସାଂପ୍ରଦାୟିକ ଓ ବ୍ୟକ୍ତିଗତ ନୀଚତା ଆମକୁ ଇଣ୍ଡିଆନ୍ (ଭାରତୀୟ) ସୀମାରୁ ଟାଣିଆଣି ଓଡ଼ିଆରେ ପହଁଚାଇଛି, ସେହି ସଂକୀର୍ଣ୍ଣତା ଯୋଗୁଁ ଆମରି ଭିତରେ ଚାରିଜାତି ଛତିଶ ପାଟକ- ବ୍ରାହ୍ମଣ-ଶୁଦ୍ର, କରଣ-ଖଣ୍ଡାୟତ, କ୍ଷତ୍ରିୟ- ମହାନାୟକ, ଶାସନୀ-ପଣ୍ଡା, ତନ୍ତୀ-ତାମିଳ, ତେଲୀ-ତୁଳାଭିଣା, ଜାତିଆ-ଅନ୍ତର, କଟକୀ-ପୁରିଆ, ସମ୍ବଲପୁରିଆ, ଗଞ୍ଜାମିଆ, ସହରି-ମଫସଲି, ବଜାରି-ହାଟୁଆ, ଛୁଆଁ-ଅଛୁଆଁ ଆଦି ହଜାରେ କିସମର ଭେଦଜ୍ଞାନରେ ପକାଇ ସ୍ୱାର୍ଥନ୍ଧତାର ପଙ୍କରେ ଆମକୁ ଘୋଷାରୁଥିବ । ଏଥିରୁ କେତେଗୁଡ଼ିଏ ଦୁର୍ଗୁଣ ଶିକ୍ଷାଦ୍ୱାରା ପରିହାର୍ଯ୍ୟ ଏବଂ କେତେଗୁଡ଼ିଏ ଦୁର୍ଗୁଣ ମାନବ ପ୍ରକୃତିର ଅପରିହାର୍ଯ୍ୟ, ସେଗୁଡ଼ିକ ଯଥାସାଧ୍ୟ ଦୂର ବା କମ୍ କରିବାହିଁ ମନୁଷ୍ୟତା । ବ୍ୟକ୍ତିଗତ ଉନ୍ନତି ଓ ଉଦାରତା ବ୍ୟତିରେକେ ଜାତୀୟ ଉନ୍ନତିର ଆଶା ସୁଦୂରପରାହତ । (ଆ. ଘ. ହା. ଚା.- ପୃ ୫୯) ଏବଂ ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି ବୃଥାଭାବୁକୀ ଆଧାରିତ ଏବଂ ତାହା ସେମାନଙ୍କର କେବଳ ଜାତୀୟ କିଳିକିଳାରାବ ଏବଂ ଦୋହିଜଗନ୍ନାଥରଡ଼ି (ଆ. ଘ. ହା. ଚା.- ପୃ ୬୦) ବୋଲି ପ୍ରକାଶ କରିଥିଲେ । ବୃଥାରାବରୁ ନିବୃତ୍ତ ହେବାପାଇଁ ଉତ୍କଳପ୍ରେମୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ସମଗ୍ର ଭାରତବର୍ଷ ରେସ୍‌ପନ୍‌ସିବଲ୍ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟ (ଦାୟିତ୍ୱଶୀଳ ସରକାର) ହେବା କାଳରେ ଓଡ଼ିଶା ଇଂରେଜମାନଙ୍କ ଦ୍ୱାରା ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେବନାହିଁ (ଆ. ଘ. ହା. ଚା.- ପୃ ୬୨) ବୋଲି ଆଶାପୋଷଣ କରିଥିଲେ ।

 

ଯେକୌଣସି ବ୍ୟକ୍ତି ବା ଜାତି ବଞ୍ଚେ ତାର ଜୀବନଶକ୍ତିରେ । ଏ ଶକ୍ତି ମଣିଷ ଭିତରେ କୋଉଠି ଥାଏ, ମଣିଷ ପରି ବଞ୍ଚିବାର ସଚେତନ ଭାବକୁ ଚିଆଁଇଦିଏ । ମଧୁବାବୁ ବ୍ୟକ୍ତି ଓ ଜାତିର ଜୀବନରେ ଜୀବନଶକ୍ତିକୁ ତେଜି ଦେବା ପାଇଁ ଗୀତ ଲେଖିଥିଲେ । ସମ୍ମିଳନୀ ମଣ୍ଡପରେ ଭାଷଣ ଦେଉଥିଲେ । ବ୍ୟବସ୍ଥାପକ ସଭାର ସଭ୍ୟ ଭାବରେ ଦାବିଗୁଡ଼ିକୁ ଉପସ୍ଥାପନା କରୁଥିଲେ । ଇତିହାସର ଉଦାହରଣ ଛଳରେ, ଉତ୍କଳମାତାର ସଚେତନ ସନ୍ତାନ ଭାବରେ, ଅବଶିଷ୍ଟମାନଙ୍କ ହୃଦୟରେ ମାତୃପ୍ରୀତି ଭାବଧାରା ସୃଷ୍ଟି କରିବା ପାଇଁ ତପସ୍ୟା କରୁଥିଲେ । ଜାତିର ନନ୍ଦିଘୋଷ ପରିଚାଳନାରେ ଆପଣାର ସଂକୀର୍ଣ୍ଣ ସ୍ୱାର୍ଥର ସାରଥିପଣିଆକୁ ଦୂରେଇ ଦେବା ପାଇଁ ଡାକରା ଦେଉଥିଲେ । ସମ୍ମିଳନୀ ମଣ୍ଡପରେ ଚିତ୍ରମାଧ୍ୟମରେ ମାଆର ଦୁର୍ଦ୍ଦିନର କଥା ଦେଖେଇ ଦଉଥିଲେ । ସମ୍ମିଳନୀକୁ ମାତୃପୂଜା ମଣ୍ଡପ ଭାବରେ ପରିଗ୍ରହଣ କରିଥିଲେ । ମାତ୍ର ଗୋପାଳଚନ୍ଦ୍ର ପ୍ରହରାଜ, ସେଠି ଶକ୍ତିଙ୍କର ଅଭାବ ରହିଛି ବୋଲି ଅନୁଭବ କରିଥିଲେ । ତାଙ୍କ ଦୃଷ୍ଟିରେ ସମ୍ମିଳନୀରେ ସ୍ୱାର୍ଥତ୍ୟାଗ, ବକ୍ତୃତା, ପ୍ରଚାର, ଆୟବ୍ୟୟ, ବୃଷବୃଷଣ- ସ୍ପର୍ଶନ, ଶବ- ସମିତି ଗଠନ, ଜାତୀୟ-ପାଣ୍ଠି-ସର୍ଜନ ଆଦି ପ୍ରସ୍ତାବ ଥିଲା ଅସାର ଓ ପ୍ରଚାରମୂଳକ । ସମ୍ମିଳନୀ କେଉଁ ନିୟମରେ, ଆଦର୍ଶରେ କିପରି ପରିଚାଳିତ ତାହା ଅନ୍ୟମାନଙ୍କ ପାଇଁ ଅଗୋଚର ଥିଲା । ସମ୍ମିଳନୀ ମଣ୍ଡପକୁ, ‘‘ଏକ ରାଜନୀତିକ ମଞ୍ଚ ନୁହେଁ’’ ବୋଲି କୁହାଯାଉଥିଲା । ଅଥଚ ରାଜନୀତିର ଚର୍ଚ୍ଚା ଚାଲିଥିଲା, ଓଡ଼ିଶାର ରାଜନୀତିକ ସ୍ୱାତନ୍ତ୍ର୍ୟ ଦାବି କରାଯାଉଥିଲା । ସେଠାରେ ବ୍ୟକ୍ତିସ୍ୱାଧୀନତା ସଂକୁଚିତ ଥିଲା-। ପ୍ରତ୍ୟକ କେବଳ ପରସ୍ପରର ଗୋଡ଼କୁ ଚାହିଁ ବାଟ ଚାଲୁଥିଲେ । ଭୟଶୂନ୍ୟ ଭାବରେ ନିଜ ଭିତରର କଥା କହିବାପାଇଁ ସେମାନଙ୍କର ସାହସ ନ ଥିଲା । ପ୍ରହରାଜଙ୍କ ଭାଷାରେ, ଉତ୍କଳର ମାତୃମଣ୍ଡପ କେତେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ହାମ୍‌ବଡ଼ାରୀତି (ସେଲ୍‌ଫ୍ ଆଗ୍ରାଣ୍ଡାଇଜ୍‌ମେଣ୍ଟ) ବ୍ୟକ୍ତିଗତ ଖିଆଲ (ହୁଇମ୍‌ସ), ବ୍ୟକ୍ତିଗତ ଜିଦ୍ (ପରସ୍‌ନାଲଜିମ୍), ବ୍ୟକ୍ତିଗତ ଅନୁଗ୍ରହ (ଫେବରିଟିଜିମ୍), ବ୍ୟକ୍ତିଗତ ଦଳପ୍ରତିଷ୍ଠା ଓ ରାଜତ୍ୱ (ରୁଲ ଅଫ୍ ଏ ପାର୍ଟି ଫାକ୍‌ଲିଅନ୍), ବ୍ୟକ୍ତିଗତ ରିପୁଭାବ (ପର୍‌ସନାଲ୍ ଫିଲିଙ୍ଗ୍ ଅଫ୍ ଏନିମିଟି), ବ୍ୟକ୍ତିଗତ ପ୍ରତିଷ୍ଠା ଆକାଙ୍‍କ୍ଷା (ପରସ୍‌ନାଲ୍ ପପୁଲାରିଟି), ବ୍ୟକ୍ତିଗତ ଗୋପଲୀଳା ସୁଆଙ୍ଗ (ପରସୋନାଲଓ୍ୟାୟାର ପୁଲିଙ୍ଗ୍ ଆଣ୍ଡ୍ ମାନିପୁଲେସନ୍)ର ରଙ୍ଗମଞ୍ଚ ଥିଲା । ଲୋକେ ମଧୁବାରିଷ୍ଟର, କେତେକେତେ ରାଜା ମହାରାଜା, ଜମିଦାରଙ୍କୁ ଦେଖୁଥିଲେ, ପାଟି କରୁଥିଲେ, ନାଟ ଦେଖୁଥିଲେ, ତାଳି ମାରୁଥିଲେ ଏବଂ ମେଲଣ ସରିଗଲା ପରେ ଘରକୁ ଫେରିଯାଉଥିଲେ । ସେମାନଙ୍କର ପ୍ରକୃତ ଆତ୍ମିୟତା ନ ଥିଲା । ସମସ୍ତେ ଗୋଟିଏ ହୋ ରେ ମାତିଥିଲେ । ଆପଣା ଦେହର କୁରୂପକୁ ଛାପ ଚିକ୍‌ଣିଆ ପୋଷାକରେ ଘୋଡ଼େଇ ପକେଇ, ଯାତ ଦେଖି ଆସୁଥିଲେ । ଭଡ଼ାଟିଆ, ଖୋସାମଦିଆ ପରି ବଡ଼ବଡ଼ମାନଙ୍କ ପାଖରେ ହାତ ମଳୁଥିଲେ । ମୁଣ୍ଡ କୁଣ୍ଡୋଉଥିଲେ । (ଆ. ଘ. ହା. ଚା. ପୃ ୭୨-୭୬) ସମ୍ମିଳନୀକୁ ଖଜୁରିଗଛ ଏବଂ ତାମସା, କେତେଜଣଙ୍କର ମନଗଢ଼ା ମେଢ଼, ନୀତିନିୟମହୀନ ଅନୁଷ୍ଠାନ ଏବଂ ଏହାର ପଥିକୃତମାନଙ୍କୁ ଅକ୍ଷମ, କୁଷ୍ଠରୋଗାକ୍ରାନ୍ତ ଛଳବାହିନୀଶ ବୋଲି ଛିଗୁଲୋଉଥିଲେ । ତେଣୁ ପ୍ରହରାଜଙ୍କ ପରି ମେଲଣ-ନିନ୍ଦୁକମାନେ, ବିମାନବିହାରୀମାନଙ୍କ ଦୃଷ୍ଟିରେ ଥିଲେ ଜାତି, ଦେଶ, ଭାଷାର ଶତ୍ରୁ ।

 

୧୯୧୯ ମସିହାବେଳକୁ ସମ୍ମିଳନୀ ପ୍ରତି ପ୍ରହରାଜେ ଅଧିକ ଅସହିଷ୍ଣୁ ହୋଇ ପଡ଼ିଥିଲେ । ଉତ୍କଳ ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ତାଙ୍କ ତୀବ୍ର ସମାଲୋଚନା, ସମସ୍ୟା ସଚେତନ ଓଡ଼ିଆମାନଙ୍କ ହୃଦୟରେ ଗାର ଟାଣି ଦେଇଥିଲା । ତାଙ୍କ ଆପେକ୍ଷକୁ ବଜାରୀ, ଅଶ୍ଳୀଳ, ଅପବାଦସୂଚକ, ଉଦ୍ଦେଶ୍ୟପ୍ରଣୋଦିତ ବୋଲି ପ୍ରତିବାଦ କରାଯାଇଥିଲା । ସେ ସମାଲୋଚନାରେ ଚହଲିଯାଇ ନଥିଲେ । ସେତେବେଳକୁ ସେ ସମ୍ମିଳନୀରୁ ବାହାରି ଆସିଥିଲେ । ବାହାରି ଆସିବାର କାରଣ ମଧ୍ୟ ମଧୁବାବୁଙ୍କୁ ଜଣାଇ ଦେଇଥିଲେ । ମାତ୍ର ତାଙ୍କ କଥା କେହି ଶୁଣିବାକୁ ଯେମିତି ପ୍ରସ୍ତୁତ ନ ଥିଲେ । ତେଣୁ ତାଙ୍କ ବିରୋଧୀଭାବ କ୍ରମଶଃ ଅଧିକ ତେଜି ଉଠୁଥିଲା । ଅବଶ୍ୟ ପ୍ରହରାଜଙ୍କ ପ୍ରତିବାଦ ଯେ ପୁରାପୁରି ଅମୂଳକ ଥିଲା, ସେ କଥା ନୁହେଁ । ମାତୃପୂଜାମଣ୍ଡପରେ ଭଦ୍ରମହିଳାମାନଙ୍କ ଉପସ୍ଥିତିରେ ଜଣେ ବିଶିଷ୍ଟ ବକ୍ତା ‘‘ଶଙ୍କର ଶ୍ୟାବଲୋକ’’ ଶୀର୍ଷକ ଆଦିରସାତ୍ମକ ଗୀତଟି ଗାନ କରିଥିବାରୁ, ଐହା ଅଶ୍ଳୀଳ ବୋଲି ସେ ପ୍ରତିବାନ କରିଥିଲେ । ଅନ୍ୟମାନେ ପ୍ରହରାଜଙ୍କ କଥା ନ ଶୁଣି ତାଳିମାଡ଼ରେ ବକ୍ତାଙ୍କ ବକ୍ତବ୍ୟକୁ ପ୍ରସଂଶା କରିଥିଲେ । ମାତ୍ର ନେତାଙ୍କର ନୀତିହୀନ ବକ୍ତବ୍ୟ ପ୍ରହରାଜଙ୍କ ରୋଷର ଥିଲା ପ୍ରଥମକାରଣ । ଦ୍ୱିତୀୟରେ, ସମ୍ମିଳନୀ ପାଇଁ ଯେଉଁ ପାଣ୍ଠି ସଂଗୃହୀତ ହେଉଥିଲା, ତାହା ମାତ୍ର କେତେ ଶହ ଟଙ୍କାରୁ ଅଧିକ ନଥିଲା । ସମ୍ମିଳନୀର ମଞ୍ଚରେ ମଧୁବାବୁଙ୍କଦ୍ୱାରା ଆଗତ ଜାତୀୟ ପାଣ୍ଠି ଗଠନ ପ୍ରସ୍ତାବ ଗୃହୀତ ହେବାରୁ, ସେ ଏହାକୁ ଚରମ ବାତୁଳତା ବୋଲି ସମାଲୋଚନା କରିଥିଲେ । ତାଙ୍କର ଯୁକ୍ତିଥିଲା; ସମ୍ମିଳନୀ ଏକ ଆର୍ଥିକ ସ୍ଥିତିହୀନ ଅନୁଷ୍ଠାନ । ମଞ୍ଚରେ ଯୋଗଦେବାପାଇଁ ବିଭିନ୍ନ ଅଞ୍ଚଳରୁ ଅତିଥିମାନେ ଆସୁଥିଲେ, ସେମାନଙ୍କ ପରିଚର୍ଯ୍ୟା ବାବଦକୁ ବହୁ ଅର୍ଥ ଖର୍ଚ୍ଚ ହେଉଥିଲା । ମେଲଣର ପ୍ରଚାର ଓ ଆୟୋଜନବାବଦକୁ ବ୍ୟୟିତ ଅର୍ଥର ପରିମାଣ ମଧ୍ୟ କିଛି କମ୍ ନ ଥିଲା ମାତ୍ର ଏହା କେଉଁଠୁ ଆସେ, କିପରି ଖର୍ଚ୍ଚ ହୁଏ, କିପରି ସମ୍ମିଳନୀ ବଞ୍ଚିରୁହେ, ଏ ଗୁମର କଥା ସମସ୍ତଙ୍କ ପାଖରେ ଅଗୋଚର ଥିଲା, ଅଥଚ ମଣ୍ଡପ ବଞ୍ଚି ରହୁଥିଲା, ଅପେକ୍ଷା ରଖୁଥିଲା ଆଗତ ଅଧିବେଶନକୁ । ତେଣୁ ପ୍ରହରାଜେ, ସମ୍ମିଳନୀ ଉଦ୍ଦେଶ୍ୟରେ ସଂଗୃହୀତ ଅର୍ଥ କେଉଁଠି, କିପରି, କାହାପାଖରେ ରହିବ, କିପରି ଖର୍ଚ୍ଚ ହେବ, କିଏ ହିସାବରକ୍ଷକ ହେବ, କେଉଁ ନିୟମରେ ପରିଚାଳିତ ହେବ, ସେ ସଂକ୍ରାନ୍ତରେ କେତେକ ନୀତିଗତ ପ୍ରଶ୍ନ ଅବତାରଣା କରିଥିଲେ । ପ୍ରହରାଜଙ୍କ ପ୍ରଶ୍ନ ଏକ ଅଲଗା ରୂପ ନେଇଥିଲା । ନେତାମାନେ ଅର୍ଥ ତୋଷାରପାତ କରୁଛନ୍ତି ବୋଲି ସ୍ପଷ୍ଟ ଧାରଣା ସମସ୍ତଙ୍କ ମନରେ ସୃଷ୍ଟି ହୋଇଥିଲା । ତେଣୁ ତାଙ୍କ ବିରୋଧରେ ନ୍ୟାୟାଳୟର ଆଶ୍ରୟ ନେବାପାଇଁ କେହି କେହି ଆପଣାକୁ ପ୍ରସ୍ତୁତ କରୁଥିଲେ । ମାତ୍ର ତାହା ହୋଇ ନ ଥିଲା । ‘‘ଓଡ଼ିଆ’’ ପତ୍ରିକାରେ ପ୍ରହରାଜ ଓ ବିଶ୍ୱନାଥ କରଙ୍କୁ ମଧ୍ୟ କଟୁ ସମାଲୋଚନା କରାଯାଇଥିଲା । ଘଟଣାକୁ ଅଧିକ ଗୋଳିଆ ନ କରିବା, ମଧୁବାବୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ପାଇଁ ପ୍ରହରାଜଙ୍କର କେତେକ ବନ୍ଧୁ ତାଙ୍କୁ ପ୍ରବର୍ତ୍ତେଇଥିଲେ । ମାତ୍ର ସେ ବନ୍ଧୁମାନଙ୍କର ପରାମର୍ଶକୁ ଅସ୍ୱୀକାର କରିଥିଲେ । ସମ୍ମିଳନୀ ଜାତିର, ବ୍ୟକ୍ତିର ନୁହେଁ ବୋଲି କହିଥିଲେ ଏବଂ ପ୍ରକାଶ୍ୟରେ ତାଙ୍କର ବାଚାଳତାକୁ ପ୍ରମାଣ କରିବାପାଇଁ ଆହ୍ୱାନ ଦେଇଥିଲେ । ଦେଶବାସୀମାନେ ତାଙ୍କ ଅଭିଯୋଗର ସତ୍ୟତା ବିଚାର କରିବେ ବୋଲି ଘୋଷଣା କରିଥିଲେ । (ଆ. ଘ. ହା. ଚା.- ପୃ ୮୦-୮୪) ସମ୍ମିଳନୀ ସମରରୁ ଓହରି ଆସିବା ତାଙ୍କ ପକ୍ଷେ ଆଉ ସମ୍ଭବ ନ ଥିଲା । ଦିଅଙ୍କ ଖଟୁଲୀକୁ ଟେକାପକେଇ, ପରମପୁରୁଷାର୍ଥ ଅର୍ଜନକୁ ସେ ଆଦର୍ଶଭାବରେ ଗ୍ରହଣ କରି ନେଇଥିଲେ ।

 

ସମକାଳରେ ପ୍ରକାଶିତ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶିତ ପତ୍ରପତ୍ରିକାଗୁଡ଼ିକରେ ମଧ୍ୟ ଓଡ଼ିଆ ଆନ୍ଦୋଳନର ସ୍ୱର ଅନୁରଣିତ ହେଉଥିଲା । କ୍ଷୀରୋଦ ଚନ୍ଦ୍ର ରାୟଙ୍କଦ୍ୱାରା ସଂପାଦିତ ‘ଷ୍ଟାର ଅଫ୍ ଉତ୍କଳ’ (୧୯୦୫), ମଧୁବାବୁଙ୍କ ‘ଦି ଓଡ଼ିଆ’ (୧୯୧୭), ‘ୟଙ୍ଗ୍ ଉତ୍କଳ’ (୧୯୦୭), ବ୍ରହ୍ମପୁରରୁ ଶଶୀଭୂଷଣ ରଥଙ୍କ ‘ଆଶା’ (୧୯୧୩). ନୀଳମଣି ବିଦ୍ୟାରତ୍ନଙ୍କ ‘ପ୍ରଜାବନ୍ଧୁ’, ତାଳଚେରରୁ ପ୍ରକାଶିତ ‘ଗଡ଼ଜାତ ବାସିନୀ’ (୧୯୧୩), ଚିନ୍ତାମଣି ମହାନ୍ତିଙ୍କ ‘ସ୍ୱଦେଶ ଲକ୍ଷ୍ମୀ’, ‘ଉତ୍କଳ ଲକ୍ଷ୍ମୀ’ ଏବଂ ୧୮୬୬ ଓ ୧୮୮୯ରୁ ପ୍ରକାଶ ପାଇ ଆସୁଥିବା ‘ଉତ୍କଳ ଦୀପିକା’ ଓ ସମ୍ବଲପୁରର ‘ହିତୈଷିଣୀରେ’ ଓଡ଼ିଆମାନଙ୍କ ଭିତରେ ଜାତି ସଚେତନ ଭାବ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ରାଧାନାଥ ରାୟ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, ଗୋପବନ୍ଧୁ ଦାଶ, ନୀଳକଣ୍ଠ ଦାଶ, ଗୋଦାବରୀଶ ମିଶ୍ର, ରାମପ୍ରସାଦ ସିଂ, ରାମଚନ୍ଦ୍ର ଆଚାର୍ଯ୍ୟ, ଅନନ୍ତ ମିଶ୍ର ଆଦି ସ୍ରଷ୍ଟାଙ୍କ ସାହିତ୍ୟରେ ମଧ୍ୟ ମାତୃପ୍ରୀତିଭାବ ପ୍ରକାଶ ପାଉଥିଲା । ତରୁଣ ଉତ୍କଳ ସଂଘ (ୟଙ୍ଗ୍ ଉତ୍କଳ ଆସୋସିଏସନ୍), ଛାତ୍ର ସମିତି (ଷ୍ଟୁଡେଣ୍ଟସ୍ କନ୍‌ଫରେସନ୍), ଉତ୍କଳ ଛାତ୍ର ସଂଘ (ଉତ୍କଳ ଷ୍ଟୁଡେଣ୍ଟସ୍‍ ଆସୋସିଏସନ୍) ପରି ସଂଗଠନ, ଉତ୍କଳ ସାହିତ୍ୟ ସମାଜ (କଟକ), ବ୍ରହ୍ମପୁରରରେ ଉତ୍କଳଭାଷା ବିବର୍ଦ୍ଧନୀ ସମାଜ, ଗଞ୍ଜାମ ଓଡ଼ିଆ ସମାଜମାନ ଜନ୍ମ ନେଇଥିଲା । ଆନ୍ଦୋଳନର ପୃଷ୍ଠଭୂମିରେ ସର୍ବଜନାତ୍ମକ ସାହିତ୍ୟ ମଧ୍ୟ ସୃଷ୍ଟି ହୋଇଥିଲା । ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚଳନ, ଓଡ଼ିଆମାନଙ୍କୁ ସରକାରୀ ଚାକିରି ପ୍ରଦାନ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଆଦି ଅଧିକାରକୁ ଆକାର ଦେବାପାଇଁ ମଧୁବାବୁ ଇଂରେଜ ସରକାରଙ୍କ ନିକଟରେ ବାରମ୍ବାର ଦାବି କରୁଥିଲେ । ସେଥିପାଇଁ ୧୯୦୭ ମସିହାରେ ଇଂଲଣ୍ଡ ବି ଯାଇଥିଲେ । * ଇଂରେଜ ସରକାର ଫିଲିପ୍‌ସ୍‌ ଅଫ୍‌ କମିଶନ (୧୯୨୪) ଓଡନେଲ କମିଟି (୧୯୩୧)ବି ଗଠନ କରିଥିଲେ । ଜାତୀୟ କଂଗ୍ରେସର ବିଭିନ୍ନ ଅଧିବେଶନ, ଗୋଲଟେବୁଲ ବୈଠକରେ ମଧ୍ୟ ଓଡ଼ିଆମାନଙ୍କ କଥା ଆଲୋଚିତ ହେଉଥିଲା । ** ମାତ୍ର ସମ୍ମିଳନୀର ଅର୍ଥଶକ୍ତି ଦୁର୍ବଳ ଥିଲା, ଏହା ଯେ ଶାସକ ନିକଟରେ ଓଡ଼ିଆମାନଙ୍କର ହକ୍ ଅଧିକାରକୁ ବିଭିନ୍ନ ଉପାୟରେ ଉପସ୍ଥାପନ କରୁଥିଲା, ଏ ଦୁଇଟି ସତ୍ୟ ସଂକ୍ରାନ୍ତରେ ସଚେତନ ହୋଇ ମଧ୍ୟ ପ୍ରହରାଜେ ଆପଣା ଅସହିଷ୍ଣୁତା ପ୍ରକାଶ କରୁଥିଲେ ।

 

*

ନବ କିଶୋର ଦାସ – ଉତ୍କଳ ଗୌରବ ମଧୁସୂଦନ ଦାସ – ପୃଷ୍ଠା ୧୦୯

**

ପଣ୍ଡିତ ନୀଳକଣ୍ଠ ଦାସ – ଆତ୍ମଜୀବନୀ – ନୀଳକଣ୍ଠ ଗ୍ରନ୍ଥାବଳୀ (ପ୍ରଥମ ଖଣ୍ଡ) ପୃଷ୍ଠା- ୬୩

 

୧୯୦୩ ମସିହାବେଳକୁ ପ୍ରହରାଜେ ପୁଣି ମୂଳଧାରାକୁ ଫେରିଆସିଥିଲେ । ୧୯୨୦ ମସିହା ପରେ ପରେ କ୍ରମଶଃ ଶିଥିଳ ହୋଇପଡ଼ୁଥିବା ଓଡ଼ିଆ ଆନ୍ଦୋଳନକୁ ନୂତନ ଶକ୍ତିରେ ସଂଜିବିତ କରିବା ପାଇଁ ସେ ତୁଣ୍ଡ ଖୋଲିଲେ । ୧୯୩୦ ମସିହା ଜୁନମାସରେ ମଧ୍ୟଭାଗବେଳକୁ ପ୍ରହରାଜ ଓ ବିଶ୍ୱନାଥକରଙ୍କ ଯୁଗ୍ମ ସଂପାଦନାରେ ‘‘ସତ୍ୟସମାଚାର’’ ପତ୍ରିକା ପ୍ରକାଶ ପାଇଲା । ବଙ୍ଗଳା ବା ବିହାରର ଲାଙ୍ଗୁଡ଼ ଭାବରେ ଶୋଭାପାଇବା, ଓଡ଼ିଆ ଜାତିପ୍ରତି ଅପମାନସୂଚକ ଏବଂ ଭାରତ ସ୍ୱାଧୀନତା ଲାଭ ପୂର୍ବରୁ ଓଡ଼ିଶା ନିଜର ସ୍ୱାତନ୍ତ୍ର୍ୟ ସାବ୍ୟସ୍ତ ନ କଲେ, ଜାତୀୟବାଦୀମାନେ ପୂର୍ବରୁ ଷଣ୍ଡୁଆସୀ ଆକ୍ରମଣରେ ସେମାନଙ୍କୁ ଯେ ବାରହୀନସ୍ତା କରିବେ, ଏପରି ଏକ ଅନୁମାନକୁ ଯୁକ୍ତି ସହ ସେମାନେ ଉପସ୍ଥାପନ କଲେ । (ସତ୍ୟସମାଚାର- ଜୁନ- ୧୯୩୦) ଅବଶ୍ୟ ସେ ଭାରତୀୟମାନଙ୍କର ଆନ୍ଦୋଳନର ବିରୋଧ କରୁଥିଲେ । ମାତ୍ର ଓଡ଼ିଆମାନଙ୍କର ମୋହଭଙ୍ଗ ପାଇଁ ଡାକରା ଦେଲେ । କିନ୍ତୁ ୧୯୨୦ ମସିହା ଡିସେମ୍ବର ୩୦ ତାରିଖର ଉତ୍କଳ ସମ୍ମିଳନୀର ୧୬ଶ ଅଧିବେଶନରେ (ଚକ୍ରଧରପୁର ଅଧିବେଶନରେ) ଗୋପବନ୍ଧୁ ଦାସଙ୍କ ବକ୍ତବ୍ୟ ମାତୃମଣ୍ଡପରେ ଯେଉଁ ଦାଗ ସୃଷ୍ଟି କରିଥିଲା, ତାହା ପୁଣି ଲିଭିଯିବାକୁ ଆରମ୍ଭ କଲା । ଗୋପବନ୍ଧୁ ପ୍ରଥମେ ନିଜକୁ ମଣିଷ, ଦ୍ୱିତୀୟରେ ଭାରତୀୟ ଏବଂ ତୃତୀୟରେ ଓଡ଼ିଆ ବୋଲି କହୁଥିଲେ ଏବଂ ଭାରତ ସ୍ୱାଧୀନ ହେଲେ ଓଡ଼ିଶା ତାର ନ୍ୟାର୍ଯ୍ୟ ଅଧିକାର ପାଇପାରିବ ବୋଲି ଦୃଢ଼ଆଶା ପୋଷଣ କରିଥିଲେ ଏବଂ ସଂକୀର୍ଣ୍ଣ ଜାତିଆଣ ସ୍ରୋତରେ ଭାସି ନ ଯାଇ ଏକ ବୃହତ୍ତର ଆଦର୍ଶକୁ ପରିଗ୍ରହଣ କରିନେବା ପାଇଁ ଘୋଷଣା କରିଥିଲେ । * ଅଥଚ ସତ୍ୟବାଦୀ ଗୋଷ୍ଠୀର ସାଧକମାନେ ଥିଲେ ଦିନେ ଓଡ଼ିଆ ଆନ୍ଦୋଳନର ଜଣେ ଜଣେ ନିର୍ଭୀକ ସେନାପତି । ଉପାନ୍ତ ଅଞ୍ଚଳରେ ସେମାନେ ସଂଗ୍ରାମକୁ ଜୀଆଁଇ ରଖିଥିଲେ । ସେଦିନ ଯେଉଁ ଗୋପବନ୍ଧୁଙ୍କ କାନ୍ଧରେ ହାତପକେଇ ମଧୁବାବୁ କହିଥିଲେ ‘ଗୋପବନ୍ଧୁ ଆଉ ଗୋପ୍ୟ ହୋଇନପାରେ ।’ * ସେଇ ଯୁଗପୁରୁଷ, ଅଧିକ ସଚେତନ ଭାବରେ ମହାଭାରତୀୟ ବୃତ୍ତ ଭିତରେ ଆପଣାକୁ ସମର୍ପଣ କରିଦେଲେ । ବ୍ରିଟିଶ୍ ଶାସନନୀତିର ବିରୋଧ କରି ଗାନ୍ଧିଜୀଙ୍କ ଆଦର୍ଶରେ, ଅସହଯୋଗ ଆନ୍ଦୋଳନରେ ଆଉ ଜଣେ ସଚ୍ଚାଅସହଯୋଗୀ ରୂପରେ ଠିଆ ହେଲେ । ଗୋପବନ୍ଧୁଙ୍କ ଆହ୍ୱାନରେ ନୀଳକଣ୍ଠ, ଗୋଦାବରୀଶ, ଆଚାର୍ଯ୍ୟ ହରିହରଙ୍କ ପରି ସତ୍ୟବାଦୀ ଗୋଷ୍ଠୀର ସାଧକମାନେ ମହାଭାରତୀୟଧାରାକୁ ଲମ୍ଫ ଦେଇଥିଲେ । ଅଧିବେଶନରେ ଉପସ୍ଥିତ ୧୪୨ ସଭ୍ୟମାନଙ୍କ ମଧ୍ୟରୁ ବିଶ୍ୱନାଥ କର, ମୁକୁନ୍ଦ ପ୍ରସାଦ ଦାସ, ଚିନ୍ତାମଣି ଆଚାର୍ଯ୍ୟ, ଶିରିଶ ଚନ୍ଦ୍ର ଘୋଷଙ୍କ ପରି ମାତ୍ର ୧୬ଜଣ ସଦସ୍ୟ ଗୋପବନ୍ଧୁଙ୍କୁ ବିରୋଧ କଲାବେଳେ ୧୨୭ ଜଣ ତାଙ୍କ ପଟକୁ ଆଉଜି ଯାଇଥିଲେ ଏବଂ ମାତ୍ର ଚାରିଜଣ ନୀରବ ରହିଥିଲେ । ମାତ୍ର ମହାତ୍ମାଗାନ୍ଧୀ ଓଡ଼ିଆମାନଙ୍କ ସମସ୍ୟା ପ୍ରତି ଉଦାର ଥିଲେ । ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତାମାନେ ନିହାତି ଅବିଚାରିତ ଭାବରେ ଓଡ଼ିଆମାନଙ୍କ ଦାବିକୁ ପରିହାସ କରୁଥିଲେ । ଗୋଟିକ ପରେ ଗୋଟିଏ ଦୁଃଖଦାୟକ ଘଟଣା ମଧୁବାବୁଙ୍କୁ ବିବ୍ରତ କରିଦେଉଥିଲାବେଳେ ୧୯୩୧ ମସିହାବେଳକୁ ବ୍ୟକ୍ତି, ଗୋଷ୍ଠୀ ନିର୍ବିଶେଷରେ ଆପଣା ଭାଷା ଭୂମିର ମାନରକ୍ଷା ପାଇଁ ଓଡ଼ିଆମାନେ ପୁଣି ଗୋଟିଏ ଛାମୁଣ୍ଡିଆ ତଳେ ମିଳିତ ହୋଇଥିଲେ । ୧୯୩୧ ମସିହାରେ ଇଉନାଇଟେଡ଼୍ ଓଡ଼ିଶା କନ୍‌ଫରେନ୍‌ସ ଗଠିତ ହୋଇଥିଲା । ଆପଣା ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଆମାନେବି ସମୟେ ସମେୟ ଇଂରେଜମାନଙ୍କ ପଟକୁ ଆଉଜି ପଡ଼ୁଥିଲେ । ସାରା ଭାରତ ସାଇମନ୍ କମିଶନ୍‌ର ବିରୋଧ କରୁଥିଲେ । ମାତ୍ର ଓଡ଼ିଆମାନେ କମିଶନ୍‌କୁ ସ୍ୱାଗତ କରିଥିଲେ । ଗୋପାଳ ପ୍ରହରାଜ, ବିଶ୍ୱନାଥ କର, ବ୍ରଜସୁନ୍ଦର ଦାସ, ଭିକାରୀ ଚରଣ ପଟ୍ଟନାୟକଙ୍କ ପରି ଉଦାରବାଦୀ ଗୋଷ୍ଠୀର ନେତାମାନେ ବି ଓଡ଼ିଶା ଲିବେରାଲ ଲିଗ୍ ତରଫରୁ ସାଇମନ୍‌ କମିଶନ ପାଖରେ ଓଡ଼ିଆମାନଙ୍କ ଦାବୀ ଉପସ୍ଥାପନ କରିଥିଲେ । * ତଥାପି ଅଣଓଡ଼ିଆମାନଙ୍କ ଶକ୍ତିଶାଳୀ ଅଥଚ ସଂକୀର୍ଣ୍ଣଜାତିଆଣ କୈନ୍ଦ୍ରିକ ନେତୃତ୍ୱ ଯୋଗୁଁ ଓଡ଼ିଶା ତାର ଅଧିକାରରୁ ବଞ୍ଚିତ ହେଉଥିଲା । ଏପରି ଏକ ଉତ୍କଣ୍ଠିତ ଅବସ୍ଥାରେ, ସେଦିନ ଓଡ଼ିଆମାନଙ୍କୁ ସେମାନଙ୍କ ନିଜତ୍ୱ ସଂକ୍ରାନ୍ତରେ ସଚେତନ କରିବାକୁ ଯାଇଁ, ‘‘ମୁଁ ଓଡ଼ିଆ ଜାତିର ସାନ୍ନିପାତିକ ଅବସ୍ଥା ପ୍ରତି ଦୃଷ୍ଟି କରି ଲୋତକ ସମ୍ବରଣ କରିପାରୁନାହିଁ x x x ଭାରତ ସମ୍ମାନ ପାଉ, ଓଡ଼ିଆ ଜାତି ଘୃଣିତ ନ ହେଉ x x x କିମ୍ବା ପରର ଗୋଡ଼ ଆଉଁସି କେବେ କୌଣସି ଜାତି ଉନ୍ନତି ହୋଇନାହିଁ କି ଇଂରେଜମାନଙ୍କର ଉପାନହ ଲେହନ କରି ଓଡ଼ିଆଜାତି କଦାପି ଉନ୍ନତ ହେବ ନାହିଁ’’ ବୋଲି ପ୍ରକାଶ କରିଥିବା ମନ୍ତବ୍ୟକୁ ଯେମିତି ପୁଣି ଥରେ ସ୍ମରଣ କରିଥିଲେ । (ଦୁ. ହା. ପୃ- ୨୭) ଉତ୍କଳ ଏ ଆନ୍ଦୋଳନରୁ କିଛି ପାଇଥିଲା । ୧୯୩୬ ମସିହାବେଳକୁ ମଧୁବାବୁ ଆଉ ନ ଥିଲେ । ମାତ୍ର ଜୀବନର ପ୍ରଥମ ପର୍ଯ୍ୟାୟରେ ମଧୁବାବୁଙ୍କ ଅନୁଗତ ମୁଖପାତ୍ର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କର ସମାଲୋଚକ ସାଜିଥିବା ପ୍ରହରାଜ, ପୁଣି ପ୍ରଥମ ଅବସ୍ଥାକୁ ଫେରିଯାଇଥିଲେ । ମଧୁତର୍ପଣ ପ୍ରସଙ୍ଗରେ ସେ ଯେ ଉତ୍କଳର କୁଳବୃଦ୍ଧ, ଏହା ଉଚ୍ଛ୍ୱସିତ ଭାବରେ ଉଲ୍ଲେଖ କରିଥିଲେ । (ଉତ୍କଳର କୁଳବୃଦ୍ଧ ମଧୁସୂଦନ-ଉ. ସା. ୩୭ଶ ୧୦ମ, ୧୩୦୧- ପୃ ୩୪) ତାଙ୍କୁ ନବଉତ୍କଳ ନିର୍ମାତା ଭାବରେ ସ୍ୱୀକାର କରିଥିଲେ । ବଙ୍ଗର ସୁରେନ୍ଦ୍ରନାଥଙ୍କ ସହ ତୁଳନା କରିଥିଲେ । (ସ. ସ. ତା ତା ୭।୨।୩୪)

 

*

ଗୋପବନ୍ଧୁ ରଚନାବଳୀ – ୪ର୍ଥ ଖଣ୍ଡ ପୃ ୧-୫

**

ପଣ୍ଡିତ ନୀଳକଣ୍ଡ ଦାସ – ଆତ୍ମଜୀବନୀ- ନୀଳକଣ୍ଠ ଗ୍ରନ୍ଥାବଳୀ (ପ୍ରଥମ ଖଣ୍ଡ) ପୃଷ୍ଠା ୬୩

 

ଜାତୀୟତାବାଦୀମାନଙ୍କ ଦୃଷ୍ଟିରେ ଗୋପାଳଚନ୍ଦ୍ର ପ୍ରହରାଜେ ଥିଲେ ଇଂରେଜମାନଙ୍କର ଗୁଣମୁଗ୍‌ଧ ସ୍ତାବକ ଓ ଜାତୀୟସ୍ୱାର୍ଥର ପରିପନ୍ଥୀ । ସେ ଇଂରେଜମାନଙ୍କର ଜଣେ ପ୍ରଶଂସକ ଥିଲେ ସତ୍ୟ, ମାତ୍ର ସେମାନଙ୍କର ସମାଲୋଚନା କାରିବାକୁ କୁଣ୍ଠାବୋଧ କରୁ ନ ଥିଲେ । ୧୯୦୧ ପୂର୍ବବର୍ତ୍ତୀ ଲେଖାଗୁଡ଼ିକରେ ତାଙ୍କ ଗୋରାବିରୋଧୀ ମାନସିକତାର ସ୍ପଷ୍ଟ ସଙ୍କେତ ମିଳିଥାଏ । ‘‘ଗୋରାମାନଙ୍କ ଅଧମାଙ୍ଗ ଲେହନ କରି କୌଣସି ଜାତି ବଡ଼ ହୋଇନାହିଁ ଏବଂ ସେମାନଙ୍କ ସ୍ୱାର୍ଥରେ ସାମାନ୍ୟତମ ଆଞ୍ଚ ଆସିଲେ, ଦେଶୀୟମାନଙ୍କ ମୁଣ୍ଡକାଟି ଦେବାକୁ ସେମାନେ ଆଦୌ ବିମୁଖ ହେବେ ନାହିଁ’’ ବୋଲି ଉଲ୍ଲେଖ କରିଥିଲେ । (ଦୁ. ହା. ପୃ୨୬) ଭାରତୀୟମାନଙ୍କ ଗୋରାପ୍ରୀତିକୁ ମଧ୍ୟ ନିନ୍ଦା କରିଥିଲେ । ସେମାନେ ଦେଶୀୟ ରାଜାମାନଙ୍କୁ ଛାମୁ କହିବା ପାଇଁ ନାରାଜ କିନ୍ତୁ ବିଦେଶୀ ସବ୍‌ଡେପୁଟିକୁ ଦିବାରାତ୍ର ‘ଇଓର୍ ଅନର୍’, ହଜୁର କହିବାରେ ଅଭ୍ୟସ୍ତ ।’’ x x x ଧଳା କଳା ଚମଡ଼ାର ପ୍ରଭେଦ ସାହେବମାନଙ୍କରଦ୍ୱାରା ଯେତିକି ପରିବର୍ଦ୍ଧିତ ହୁଏ, ତାଠାରୁ ଅଧିକ ସମ୍ମାନିତ ହୁଏ ଦେଶୀଲୋକମାନଙ୍କ ଦ୍ୱାରା ।’’ ଆମ୍ଭମାନଙ୍କ ପ୍ରକୃତି ଦାସତ୍ୱଶୃଙ୍ଖଳରେ ଏପରି ଅଭ୍ୟସ୍ତ ହୋଇଯାଇଛି ଯେ, ଧଳା ଚମଡ଼ା ଦେଖିଲେ ଅଇଁଠା ଚାଟି ବସିଥାଉ ।’’ (ଦୁ. ହା. ଚା ପୃ୨୮) ସ୍ୱାଧୀନତା ଶବ୍ଦର ଭାବରେ ବିଭୋର ହେଉ ନ ଥିବା ମଣିଷ, ମଣିଷ ନୁହେଁ, ସେ ପାଷାଣ୍ଡ ଏବଂ ଭାରତୀୟମାନେ ଜାତୀୟ ସ୍ୱାଧୀନତା ପାଇଁ ପୃଥିବୀର ସଭ୍ୟଜାତିର ଲୋକମାନଙ୍କଠାରୁ ଅନେକ କିଛି ଶିକ୍ଷା କରିବା ଆବଶ୍ୟକ ବୋଲି ଯୁକ୍ତି କରିଥିଲେ ।

 

ତାଙ୍କ ଦୃଷ୍ଟିରେ ଭାରତୀୟମାନେ ବଂଶମରା ଡାହୁକ, ସେମାନେ ସ୍ୱାର୍ଥପର । ବହୁ ସଂକୀର୍ଣ୍ଣ ବିଚାରଧାରାରେ ସେମାନଙ୍କ ଚେତନା ଦୂଷିତ । କ୍ଷମତାର ଅଧିକାରୀ ହେଲେ, ଆତ୍ମନିର୍ଭରଶୀଳତା, ନିଃସ୍ୱାର୍ଥପରତା ଆଦି ଗୁଣକୁ ସହଜରେ ପାସୋରି ପକେଇ ଆପଣା ଅଣ୍ଟିପୁରେଇବା ପାଇଁ ଅନ୍ୟମାନଙ୍କ ତୋଟି କାଟିପାରନ୍ତି । ସ୍ୱାର୍ଥରେ ଟିକିଏ ଆଞ୍ଚ ଆସିଲେ, ସ୍ୱଦେଶୀ ମୂଲ୍ୟବୋଧକୁ ମଧ୍ୟ ଅସ୍ୱୀକାର କରିପାରନ୍ତି । ତେଣୁ ଭାରତୀୟମାନେ ଯେ ଆତ୍ମଶାସନ ବା ସ୍ୱାୟତ୍ତଶାସନ ପାଇଁ ଉପଯୁକ୍ତ ନ ଥିଲେ ଏକଥା ପ୍ରହରାଜେ ଯୁକ୍ତିସହ ପ୍ରମାଣ କରିଥିଲେ । ସ୍ୱାୟତ୍ତଶାସନ ଦାବିଥିଲା ଅଲଣା ଆସ୍ଫାଳନ । ମାତ୍ର ଇଂରେଜମାନଙ୍କର ଶାସନ ପରିଚାଳନାରେ ଅନେକ ତ୍ରୁଟି, ଅବିଚାର ପରିପୂର୍ଣ୍ଣଭାବରେ ରହିଥିଲା । ନ୍ୟାୟର ଦ୍ୱାହିଦେଇ ସେମାନେ କଳାଲୋକମାନଙ୍କ ଉପରେ ଅମାନୁଷିକ ଅତ୍ୟଚାର କରୁଥିଲେ । ନିଜର ରାଜଜୀୟ ସ୍ୱାର୍ଥ ସାଧନା ପାଇଁ ଦେଶର ସ୍ୱାର୍ଥପ୍ରତି ଆଦୌ ଭ୍ରୂକ୍ଷେପ କରୁ ନ ଥିଲେ । ଭାରତୀୟମାନଙ୍କୁ ସେମାନଙ୍କର ମଜୁରିଆ, ଚାକର, ବର୍ବର ଭାବରେ ପରିଗଣନ କରୁଥିଲେ । ଭାଇ ଭାଇ, ଜାତି ଜାତି ଭିତରେ କଳି ଲଗେଇ, ସେମାନଙ୍କ ପ୍ରେମ, ସ୍ନେହ, ଏକତାକୁ ଭାଗଭାଗ କରି ନିଷ୍କଣ୍ଟକ ଶାସନ ଓ ଶୋଷଣ କରିବାପାଇଁ ନୀତିନିୟମମାନ ତିଆରି କରୁଥିଲେ । ନିଜେ ଗଣତନ୍ତ୍ରୀ ବୋଲି କହି ଅନ୍ୟମାନଙ୍କୁ ପରାଧୀନ କରି ରଖିବାର ନୀତି କୌଶଳରେ ସେମାନେ ଓସ୍ତାତ୍ ଥିଲେ । ଏ ସତ୍ୟକୁ ମଧ୍ୟ ପ୍ରହରାଜ ସ୍ୱୀକାର କରିଥିଲେ । ନିଜର ସ୍ୱାଧୀନତା ଓ ସ୍ୱାଭିମାନକୁ ସାବ୍ୟସ୍ତ କରିବା ପାଇଁ ଭାରତୀୟମାନଙ୍କ ମଧ୍ୟରେ ନେତୃତ୍ୱ, ଇଚ୍ଛାଶକ୍ତି, ସଂକଳ୍ପ, ସ୍ୱାର୍ଥତ୍ୟାଗର ଅଭାବ ରହିଛି ବୋଲି ଅନୁଭବ କରୁଥିଲେ । ‘‘ନିଜର ଦୋଷଗୁଡ଼ିକୁ ଶତ୍ରୁ ଆକ୍ଷରୁ ଘୋଡ଼େଇ ରଖି କେବଳ ତୁଚ୍ଛା ଆସ୍ଫଳନରେ କେବେ କୌଣସି ଜାତି ଉନ୍ନତି ଲାଭ କରିନାହିଁ ଏବଂ ଉନ୍ନତ ଜାତିମାନଙ୍କୁ ଆଦର୍ଶ ଭାବରେ ଗ୍ରହଣ କରିବା ହିଁ ପ୍ରକୃତ ଜାତୀୟତା ବୋଧ’’ ବୋଲି ସେ ବିଶ୍ୱାସ କରୁଥିଲେ । (ଦୁ. ହା. ପୃ. ୨୪) ଭାରତୀୟମାନଙ୍କୁ ଜାତୀୟତାର ମୂଲ୍ୟବୋଧ ସଂକ୍ରାନ୍ତରେ ସଚେତନ କରିଦେବା ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ମାତ୍ର ପରେ ପରେ ପ୍ରହରାଜ ନିଜେ ବିରୋଧ କରୁଥିବା ଅନାଦର୍ଶବୋଧ ଭିତରେ ଆପଣା ବିବେକକୁ ବିକି ଦେଇଥିଲେ । ଭାରତୀୟମାନଙ୍କର ପ୍ରତ୍ୟେକ ଦାବି, ତାଙ୍କ ଦେହରେ ଯାଉ ନ ଥିଲା । ୧୮୮୨ ମସିହାରେ ଭାରତର ଗଭର୍ଣ୍ଣର ଜେନେରାଲ ଭାବରେ ଯୋଗ ଦେଲେ ଲର୍ଡ଼ ରିପନ୍ । ରିପନ୍ ଥିଲେ ଜଣେ ଉଦାରଚେତା ଶାସନ ସଂସ୍କାରକ । ଶାସିତ ଓ ଶାସକମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ଊଣା କରିବା, ଶିକ୍ଷିତ ଓ ବୁଦ୍ଧିମାନ ଦେଶୀଲୋକମାନଙ୍କୁ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବାର ସୁଯୋଗ ଦେବାପାଇଁ ସେ ସ୍ଥାନୀୟ ସ୍ୱଂୟଶାସନ (ଲୋକାଲ୍ ସେଲଫ ଗଭର୍ଣ୍ଣମେଣ୍ଟ) ଗଠନ ଉପରେ ଗୁରୁତ୍ୱ ଦେଲେ । ଆପଣା ଦେଶରେ ପ୍ରଚଳିତ ଧାରାକୁ ବିଦେଶରେ ପବର୍ତ୍ତନ କରିବା ପାଇଁ ସେ ପ୍ରୟାସ କଲେ । ନିୟମ ଅନୁସାରେ ଗ୍ରାମ୍ୟ, ସବ୍‌ଡ଼ିଭିଜନ୍, ଜିଲ୍ଲା ଓ ମ୍ୟୁନିସିପାଲିଟି ସ୍ତରରେ ପ୍ରତିନିଧିତ୍ୱ କରିବା ପାଇଁ ଜନତାକୁ ଅଧିକାର ଦିଆଗଲା । ସାଧାରଣ ଲୋକଙ୍କଦ୍ୱାରା ନିର୍ବାଚିତ ଓ ସରକାରଙ୍କଦ୍ୱାରା ମନୋନୀତ ଓ କେତେକ ଏକ୍‍ସ ଅଫିସ ଓ ପ୍ରତିନିଧିମାନେ ଜିଲ୍ଲା ପରିଷଦର ସଭ୍ୟହେଲେ । ଗ୍ରାମ୍ୟବୋର୍ଡଗୁଡ଼ିକ ସବ୍‌ଡିଭିଜନ୍ ସ୍ତରରେ ଗଠିତ ହେଲା ଏବଂ ଏହା ନିୟନ୍ତ୍ରିତ ହେଲା ଜିଲ୍ଲାପରିଷଦଦ୍ୱାରା । ସହରରେ ଗଠିତ ମ୍ୟୁନିସପାଲିଟିର ସଭ୍ୟମାନେ, ସହରୀୟାମାନଙ୍କ ଦ୍ୱାରା ହିଁ ନିର୍ବାଚିତ ହେଲେ ଏବଂ ପରିଷଦଗୁଡ଼ିକ ସରକାରଙ୍କଦ୍ୱାରାହିଁ ନିୟନ୍ତ୍ରିତ ହେଉଥିଲା । ସରକାରଙ୍କୁ କର ବାବଦ ନିର୍ଦ୍ଦିଷ୍ଟ ପରିମାଣରେ ଅର୍ଥପ୍ରଦାନ କରୁଥିବା ନାଗରିକମାନେହିଁ ନିର୍ବାଚନରେ ଅଂଶଗ୍ରହଣ କରିବାର ଯୋଗ୍ୟତା ହାସଲ କରୁଥିଲେ । * ରାସ୍ତାଘାଟ, ପୋଖରୀ, ନାଳ ନର୍ଦ୍ଦମା ତିଆରି ଓ ମରାମତି, ଜଳଯୋଗାଣ, ସ୍କୁଲ, ଡାକ୍ତରଖାନା, ଧର୍ମଶାଳା ପ୍ରତିଷ୍ଠା, ସୁପରିମଳବ୍ୟବସ୍ଥା, ସ୍ୱାସ୍ଥ୍ୟ ରକ୍ଷାପାଇଁ କର୍ମଚାରୀ ନିଯୁକ୍ତ ଓ ପଦକ୍ଷେପ ଗ୍ରହଣ, ପ୍ରାକୃତିକ ଦୁର୍ବିପାକରୁ ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ ଆଦି ବହୁ ବିଷୟରେ ପରିଷଦ ସିଦ୍ଧାନ୍ତ ଗ୍ରହଣ କରିଥିଲା । ୧୯୧୯ ମସିହାରେ ମଣ୍ଟେଗୁଚେମ୍‌ସଫୋର୍ଡ଼ଙ୍କ ପୁନର୍ଗଠନ ନିୟମ ଅନୁସାରେ, ପରିଷଦର ପରିସର ଓ ନୀତିନିୟମରେ ମଧ୍ୟ ପୁଣି ପରିବର୍ତ୍ତନ ଘଟିଲା । ଲାଟସଭାରୁ ଲୋକପ୍ରତିନିଧି ପଠାଯିବାର ବ୍ୟବସ୍ଥା କରାଗଲା । ଭାରତୀୟମାନେ ଶାସନ କ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ପାଇଲେ । ଉତ୍କଳ ମଧୁବାବୁ ହିଁ ବଙ୍ଗଳା ବ୍ୟବସ୍ଥାପକ ସଭାର ସଭ୍ୟ ଭାବରେ ୧୮୯୬ ମସିହା ମାର୍ଚ୍ଚ ୧୪ ତାରିଖରେ ଯୋଗଦେଲେ ଏବଂ ୧୯୨୩ ମସିହାରେ ଜଣେ ମନ୍ତ୍ରୀ ଭାବରେ ଓଡ଼ିଶାବିହାର ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦେବା ପର୍ଯ୍ୟନ୍ତ ବହୁବାର ବ୍ୟବସ୍ଥା ସଭାରେ ଓଡ଼ିଶାର ପ୍ରତିନିଧି କରିଥିଲେ । ଆଇନ ପ୍ରଣୟନରେ ଆପଣାର ବିଚାରଧାରାକୁ ସାବ୍ୟସ୍ତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ଆଇନ, ସରକାରୀ ବୃତ୍ତି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆମାଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ସଂଗ୍ରାମ କରିଥିଲେ । * ଓଡ଼ିଆ ଜାତିର ସେ ଥିଲେ ପ୍ରତିନିଧି ।

*

ଏଚ୍ ଏଚ୍ ଡଡୱେଲ-ଦି କ୍ରେମ୍ବ୍ରିଜ ହିଷ୍ଟି ଅଫ ଈଣ୍ଡଆ-ଭ୍ୟୁମ ଭି. ଆଇ, ପୃ୧୧୧

**

ଡ଼ଃ ନବୀନ କୁମାର ସାହୁ ଦାସ ଦି ଲେଜିସ୍‌ଲେଜର –ପ୍ରିଫେସ୍

ଭାରତୀୟମାନେ ଇଂରେଜମାନଙ୍କ ପାଖରେ ସ୍ୱାୟତ୍ତଶାସନ ଅଧିକାର ଲାଭପାଇଁ ବାରମ୍ୱାର ଦାବି କରୁଥିଲେ । ମାତ୍ର ପ୍ରହରାଜେ ଥିଲେ ଏ ଦାବିର ଜଣେ ସଚେତନ ବ୍ୟାଖ୍ୟାକାର । ଆତ୍ମଶାସନ ଆଳରେ ଲୋକେ ଆପଣା ସ୍ୱାର୍ଥପୂରଣକୁ ଆଗ କରି ଦେଖୁଥିଲେ । ସ୍ୱାୟତ୍ତଶାସନ ବା ଆତ୍ମଶାସନସଂସ୍ଥାର କୁରୁଚି ମଣ୍ଡନ କରୁଥିବା ନେତାମାନେ ଥିଲେ ସମ୍ମାନାସ୍ପଦ ବ୍ୟକ୍ତିବିଶେଷ ଅଥଚ ନୀତିହୀନ ବାଟରେ ପାଦ ପକେଇବା ପାଇଁ ସେମାନେ ଆଦୌ କୁଣ୍ଠାପ୍ରକାଶ କରୁ ନ ଥିଲେ-। ଆତ୍ମଶାସନସଂସ୍ଥାଗୁଡ଼ିକ ଥିଲା ଦୁର୍ନୀତିର ଗନ୍ତାଘର । ସଭ୍ୟମାନଙ୍କ ଅପେକ୍ଷା ଚେୟାରମ୍ୟାନ ଓ ଭାଇସ୍‍ ଚେୟାରମ୍ୟାନ ନିର୍ବାଚନ ପାଲା ଥିଲା ଆହୁରି ଭୟଙ୍କର । ପଦବୀମଣ୍ଡନାଧିପତି ମନୋନୟନ ଏବଂ ନିର୍ବାଚନରେ ସେମାନଙ୍କ ଲାଙ୍ଗୁଡ଼ ଓ ମୁକୁଟଗୁଡ଼ିକ ହିଁ ବଡ଼କରି ଦେଖାଯାଉଥିଲା । ଜମିଦାର, କରଣ, ବ୍ରାହ୍ମଣଙ୍କ ପରି ବିଭିନ୍ନ ପାଟକର କ୍ଷମତାଶୀଳ ଓ ପ୍ରଭାବଶାଳୀମାନେ ଆପଣା ଆପଣା ଭିତରେ ପିଣ୍ଡାଖଣ୍ଡକ ପାଇଁ କଳି କରୁଥିଲେ । ବଙ୍ଗାଳୀ, ଓଡ଼ିଆମାନେ ପରସ୍ପର ହାତରୁ ବାଡ଼ି ଛଡ଼େଇ ନେବାପାଇଁ ଚକ୍ରାନ୍ତ କରୁଥିଲେ । (ଦୁ. ହା. ପୃ ୨୦୧) ଆଗପଛ ସବୁ ବାଟଦେଇ କେମିତି ଭିତର ଘରେ ନାଟ ଲଗେଇହେବ, ନାଟରେ ରାଜପଟ ନେଇ ଜିତିବାକୁ ପଡ଼ିବ, ସେ ଖେଳରେ ମଧ୍ୟ ସଭ୍ୟମାନଙ୍କୁ ଧୁରନ୍ଧର ହେବାକୁ ପଡ଼ୁଥିଲା-। ଅନାହାରୀ ପୋଷାକ ତଳେ ଭୋକ ମାରିବାର ସବୁ ଉପାଦାନ କାଳେ ପୂରି ରହିଥିଲା-। ଏପରିକି ଭୋଟମାନଙ୍କୁ କିଲାପୋତେଇ ଦେବା, ଘୋଡ଼ାଗାଡ଼ିରେ ଭୋଟକେନ୍ଦ୍ରକୁ ଆଣିବା ପରି ନୀତିହୀନ କାର୍ଯ୍ୟ କରିବାକୁ ସେମାନେ କୁଣ୍ଠାପ୍ରକାଶ କରୁ ନ ଥିଲେ । (ଦୁ. ହା ପୃ ୮୪) ଲୋକପ୍ରତିନିଧି, କ୍ଷମତା ଓ ନିର୍ବାଚନ ଆଳରେ ଜାତୀୟ ଜୀବନର ସିଂହାସନରେ ବାବନାଭୁତ ଆସ୍ଥାନ ଜମେଇ ସାରିଥିଲା । ଅଥଚ ଦେଶରେ ଲୋକ ଆତ୍ମଶାସନ ପାଇଁ ଚିତ୍କାର କରୁଥିଲେ । ‘‘ଯେଉଁ ଦେଶରେ ଆତ୍ମଶାସନ କ୍ଷେତ୍ରରେ କର୍ମକର୍ତ୍ତାମାନଙ୍କର ଏଭଳି ଯୋଗ୍ୟତା ଅଛି, କେଉଁ ନିମକହାରମ କହେ ଯେ, ସେ ଦେଶଟା ଆତ୍ମଶାସନ ପାଇଁ ଉପଯୁକ୍ତ ନୁହେଁ ! ଯେଉଁ ଦେଶର ଅନାହାରୀ ପ୍ରଭୁମାନଙ୍କ ପଦ ମର୍ଦ୍ଦନ ପାଇଁ କଣ୍ଠପୁରୀ ଜଡ଼ାତେଲ ଆମନାନୀ ହୁଏ, କେଉଁ କୁପୁତ୍ର କହେଯେ ସେ ଦେଶ ଆତ୍ମଶାସନ ପାଇଁ ପ୍ରସ୍ତୁତ ନୁହେଁ (ଦୁ. ହା. ପୃ ୧୭୭) ବୋଲି ସେଦିନ ପ୍ରହରାଜେ ବଡ଼ ଅଭିମାନରେ ପ୍ରକାଶ କରିଥିଲେ ।

ଅନାହାରୀ ପଦବୀଗୁଡ଼ିକରେ ମଣ୍ଡିତ ହେବାପାଇଁ ପ୍ରହରାଜ ମଧ୍ୟ କମ୍‌ ଆଗ୍ରହୀ ନ ଥିଲେ-। ପ୍ରତିଯୋଗିତାରେ ସମର ଭୂଇଁରେ ତାଳଧରି ଅସ୍ତ୍ରଚାଳନା କରିଥିଲେ, ହାରିଥିଲେ, ଜିତିଥିଲେ । ଜିଲ୍ଲାବୋର୍ଡ଼, ମ୍ୟୁନିସିପାଲିଟି ପରିଷଦର ସଭ୍ୟ ବି ହୋଇଥିଲେ । ମାତ୍ର ବଙ୍ଗ ବ୍ୟବସ୍ଥାପକ ସଭାର ସଦସ୍ୟ ହେବାପାଇଁ ଅନେକ ଚେଷ୍ଟାକରି ସୁଦ୍ଧା, ତାଙ୍କ ନା ତାଲିକା ଭିତରେ ପଶିପାରି ନ ଥିଲା । ୟା ପଛରେ ମଧୁବାବୁ ହାତ ଥିଲା ଏବଂ ସେଥିଯୋଗୁଁ ତାଙ୍କୁ ସମାଲୋଚନା କରିବା ପାଇଁ ସେ ଆଦୌ କୁଣ୍ଠାପ୍ରକାଶ କରି ନ ଥିଲେ । ତାଙ୍କରି ଭାଷାରେ, ‘‘ଭିତରେ ପେଞ୍ଚରେ ସେ ପେଷି ହୋଇଯାଇଥିଲେ ।’’

ଅନେକଙ୍କପାଇଁ ଦେଶସେବା ଥିଲା ଜୀବନଧାରଣର ଏକ ସହଜ ବୃତ୍ତି । କଂଗ୍ରେସର ପତକା ତଳେ ନିଜକୁ ଦେଶପ୍ରେମୀର ପୋଷାକରେ ସୁସଜ୍ଜିତ କରି ଦଳେ ଚତୁର ଓ କୁହାଳିଆ ସାଧାରଣ ଜନତାକୁ ଭୂଆଁ ବୁଲେଇବାକୁ ଚେଷ୍ଟା କରୁଥିଲେ । ଦେଶସେବାରେ ଅର୍ଥ ‘‘ନାମ୍ ବଡ଼ା, ଦର୍ଶନ ଥୋଡ଼ା ।’’ ଦେଶବାସୀଙ୍କୁ ଜଳକା ବନେଇବା ସେମାନଙ୍କର ଧର୍ମ । ‘‘ସାଧାରଣମାନେ ଚାହିଁ ଜଳକା । ନେତାମାନଙ୍କ ସ୍ୱାର୍ଥଯଜ୍ଞରେ ସେମାନେ ବଳିଭୋଗ ।’’ (ଆ. ଘ. ହା. ଚା:ପୃ ୧୨୨) ସରଳ ବିଶ୍ୱାସରେ ସେମାନଙ୍କ ଜୀବନନାଟି ପଲ୍ଲବିତ । ସେମାନେ ଭିତରକୁ ଯାଆନ୍ତିନି । କୂଟକପଟ କ’ଣ ବୁଝନ୍ତିନି । ଜୀବନକୁ ଜୀବନଭାବରେ ଗ୍ରହଣ କରିନିଅନ୍ତି । ଭିତରେ କିଛି ‘କିନ୍ତୁ’ ନ ରଖି ଭୟଙ୍କର ସ୍ରୋତ ଭିତରକୁ ଡେଇଁପଡ଼ନ୍ତି । ସେମାନଙ୍କ ପରିଚାଳକମାନେ ସଭାରେ ତତଲା ଭାଷଣ ଦେଇ ଘରକୁ ଫେରିଗଲା ପରେ, ଭାଷଣର ବଚନଗୁଡ଼ାକୁ ପାସୋରି ପକାନ୍ତି । ବିଦେଶୀ ବସ୍ତ୍ର, ବିଦେଶୀ ଦ୍ରବ୍ୟ ବ୍ୟବହାର ନ କରିବା ପାଇଁ ମନ୍ତ୍ର ଉଚ୍ଚାରଣ କରନ୍ତି । ଅଥଚ ବିଦେଶୀ-ବିଭବ ଭିତରେ ବିହାର ନ କଲେ ନିଜ ଜୀବନ ଅସାର ଲାଗେ । (ଦୁ. ହା. ଚା. ପୃ ୪୫) ଦୋକାନ ବଜାରରୁ ବିଦେଶୀ ନ୍ରଦ୍ରବ୍ୟ ଦୂରକଲାବେଳେ, ସେଗୁଡ଼ାକ ନର୍ଦ୍ଦମା ରାସ୍ତା ଉପରେ ନ ପଡ଼ି, ସେମାନଙ୍କର ଦେହ ଭିତରେ କେଉଠିଁ ନୁଚିଯାଏ । ଦେଶର ମୁକ୍ତି ସଂଗ୍ରାମ ପାଇଁ ପାଣ୍ଠି ସଂଗ୍ରହବେଳେ କେତେ ଆସେ, କେତେ ଯାଏ, ତାର କିଛି ଠିକଣା ନ ଥାଏ । * ଦେଶସେବା, ଦେଶପ୍ରେମ, ଅହିଂସା, ପରାଧୀନ, ଆତ୍ମତ୍ୟାଗ ନାଁରେ ଯାବତୀୟ ଭାଣ୍ଡାମି ଚାଲୁଥିଲା ଏ ଦେଶରେ-। ଜାତୀୟ ଜୀବନର କପଟଚାରିତା ଘୋଟି ଯାଇଥିଲା । ସେବା ତ୍ୟାଗ ନାଁରେ ଭୋଗର ପାଲା ଚାଲିଥିଲା । କଂଗ୍ରେସର ଖୋଳପା ତଳେ କଂସେଇମାନେ ସ୍ୱଚ୍ଛନ୍ଦ ବିହାର କରୁଥିଲେ ଓ କ୍ଷମତାର ଦଉଡ଼ିଧରି ଭୋଗ ବ୍ୟବସାୟର ଥିଲେ ସମ୍ରାଟ । ଅବସାଦରେ ଅଭିଭୂତ ପ୍ରହରାଜେ ମହାତ୍ମାଗାନ୍ଧିଙ୍କ ‘‘ମୁଁ ବଞ୍ଚିଥିବାଯାଏ ହୁଏତ ଟାଣି ଓଟାରି ହୋଇ ଖଦଡ଼ ଆନ୍ଦୋଳନ ବଞ୍ଚି ରହିବ । ମୋ ପରେ ବୋଧହୁଏ ଏହା ଲୋପ ପାଇଯିବ’’ ଭାବକୁ ନିଜ ମୁଖରେ ପ୍ରକାଶ କରିଥିଲେ ବେଶ୍ ସ୍ୱାଭାବିକ ରୀତିରେ । (ସ. ସ. ତା ୨୧ । ୩ । ୩୪-ପୃ ୭)

*

ଲକ୍ଷ୍ମୀକାନ୍ତ ମହାପାତ୍ର – ଅସହଯୋଗୀର ଆତ୍ମକଥା-କାନ୍ତ ସାହିତ୍ୟମାଳା-ପୃ୧୬-୨୦

ପ୍ରହରାଜଙ୍କ ବିଚାରଧାରାରେ ଜାତୀୟ କଂଗ୍ରେସ ଥିଲା ଅସାମାଜିକ ଓ ସ୍ୱାର୍ଥପର ନେତାମାନଙ୍କର ସ୍ୱଚ୍ଛନ୍ଦ ବିହାର ଭୂମି ଓ ମେଳଣ ମଞ୍ଚ । ତାର ଆନ୍ଦୋଳନ ଗତି ଓ ପର୍ଯ୍ୟାୟ ମଧ୍ୟ ଥିଲା ଫିସାଦିଆମାନଙ୍କର ଆତ୍ମ-ପ୍ରଚାରର ନିରାପଦ କ୍ଷେତ୍ର । ‘‘ସ୍ୱରାଜ୍ୟ ପେୟା ଅଲବତ୍ ହୋଗା’’ ସ୍ଳୋଗାନ୍ ଓ ଆନ୍ଦୋଳନ ଏକ ‘‘ତାମସା ଓ ମନଗଢ଼ା ମିଆଦ’’ । (ବା. ନା. ବୁ. ପୃ ୧୬।୧୭) ୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ଜନ୍ମ ନେଇଥିବା ସ୍ୱଦେଶୀ ଆନ୍ଦୋଳନ ଥିଲା ଏକ ଭାଣ୍ଡାମି-। ଅବଶ୍ୟ ‘‘ବନ୍ଦେମାତରାମ୍’’ ଧ୍ୱନିକୁ ସେ ସମ୍ମାନ ଦେଉଥିଲେ । ମହାତ୍ମାଗାନ୍ଧି ବା ଗାନ୍ଧିଙ୍କ ପରି ଅନ୍ୟମାନଙ୍କୁ ସେ ସମାଲୋଚନା କରି ନ ଥିଲେ । ମାତ୍ର ଗାନ୍ଧି ଓ ଗାନ୍ଧିବାଦର ନାଁ ଧରି ଅଲଗା ବାଟରେ ଯାଉଥିବା ନୀଳବର୍ଣ୍ଣ ଶୃଗାଳମାନଙ୍କ ଲୀଳା ବିଳାସ ତାଙ୍କ ଆକ୍ଷିରୁ ଖସିଯାଇ ନ ଥିଲା । ନନ୍‌ଭାଇଓଲେନ୍‌ସ, ନନ୍‌କୋଅପରେସନ୍, ନନ୍‌ହେଟ୍ରେଡ଼୍ ଏସବୁ ଶବ୍ଦ କେବଳ ଥିଲା ‘‘ସୁନାର ପଥରବାଟି’’ ପରି । ଉପର ନୀତି ଓ ଆଦର୍ଶର ପତକା ଧରି ଭିତରେ ମାଡ଼ପିଟ୍, ହଣାକଟା, କଜିଆତକରାଳବି ଚାଲିଥିଲା । ଏହା ଥିଲା ଭାରତୀୟମାନଙ୍କର ପ୍ରକୃତି । ମଣିଷର ଅନ୍ୟକିଛି ବଦଳିପାରେ ମାତ୍ର ପ୍ରକୃତି ବଦଳିପାରେନା । ଯେତେ ମାଠିଲେ ବି ସେ ସେଇ ଦରପୋଡ଼ା କାଠ ହୋଇ ରହିଯାଏ । (ବା. ନା. ବୁ. ପୃ୧୪) ତେଣୁ ଗାନ୍ଧିଙ୍କ ଆଦର୍ଶକୁ ଯେ ଅନ୍ୟମାନେ ବେପାର କରୁଥିଲେ ଏହା ସ୍ୱୀକାର କରିବାପାଇଁ ପ୍ରହରାଜେ କୁଣ୍ଠିତ ନ ଥିଲେ ।

୧୮୫୮ ମସିହାରେ ଇଷ୍ଟିଇଣ୍ଡିଆକମ୍ପାନୀ ଶାସନରୁ ଭାରତ ମୁକ୍ତ ହେଲା । ଇଂଲଣ୍ଡର ରାଜା ବା ରାଣୀଙ୍କ ନାଁରେ ଏହାର ଶାସନ ଚାଲିଲା । ଇଂଲଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତ ଦାୟିତ୍ୱରେ ଜଣେ ମନ୍ତ୍ରୀ ରହିଲେ । ଗଭର୍ଣ୍ଣର ଜେନେରାଲ ଭାଇସ୍‌ରାୟ ଉପାଧିରେ ପରିଚିତ ହେଲେ * । ଭାରତ ଇଂରେଜମାନଙ୍କ ହୋମ୍‌ ଗବର୍ଣ୍ଣମେଣ୍ଟ୍‌ର ପରିଧି ଭିତରେ ମର୍ଯ୍ୟାଦା ଲାଭ କଲା । ମାତ୍ର ବାଳଗଙ୍ଗାଧର ତିଳକ ଯୁକ୍ତି ସହିତ ‘‘ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର ଏବଂ ମୁଁ ତାହା ହାସଲ କରିବି’’ ବୋଲି ଯେତେବେଳେ ଆହ୍ନାନ ଦେଲେ, ସେହି ଘୋଷଣା ଭାରତୀୟମାନଙ୍କ ରାଜନୀତିକ ସଚେତନାକୁ ବହୁଗୁଣିତ କରିଥିଲା । ଯେଉଁମାନେ ହୋମ୍‌ରୁଲ ବା ସ୍ୱରାଜ୍ୟ ପାଇଁ ଦାବି କରୁଥିଲେ ଏବଂ ଦାବି ହାସଲ ପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିଥିଲେ, ପ୍ରହରାଜ ଥିଲେ ସେମାନଙ୍କର ଅନ୍ୟତମ ବିରୋଧୀ । ‘‘କୌଣସି ରାଜନୀତିକ ସିଦ୍ଧାନ୍ତରେ ଉପନୀତ ନ ହେବା ପର୍ଯ୍ୟନ୍ତ ଭାରତୀୟମାନଙ୍କୁ ରାଜନୀତିକ ହୋମ୍‍ରୁଲ୍‍ ଦିଆଯିବା ଅନୁଚିତ ଏବଂ ତାହା ଆଇନ୍‌ସଙ୍ଗତ ଓ ସଭ୍ୟତାନୁମୋଦିତ ନୁହେଁ’’ ବୋଲି ସେ ପ୍ରକାଶ କରିଥିଲେ । ନିଜ ଘରକଥା ବୁଝିବା ପାଇଁ ଯେଉଁ ଯୋଗ୍ୟତା ଦରକାର, ତାହା ଭାରତୀୟମାନଙ୍କ ଭିତରେ ନ ଥିଲା । ସେମାନଙ୍କର ଭିତରେ ଏକତା ନ ଥିଲା । ଦୁର୍ନୀତିର ବୁଢ଼ିଆଣୀଜାଲ ଦେଶ ଉପରେ ଛାଇ ରହିଥିଲା । ‘‘ଘୋଡ଼ା, ଡିହକୁତୀ, ବିରାଡ଼ି, ଭିକମଗା ବ୍ରାହ୍ମଣ, ଯୋଗୀ ଏମାନେ କେବେ ଏକାଠି ହୋଇପାରନ୍ତି ନାହିଁ । ନିଜ ଜାତିର ଦୁଇ ଦୁଇଜଣ ମିଶିଗଲେ ସମାଜରେ ବିଭ୍ରାଟ ସୃଷ୍ଟି କରନ୍ତି ।’’ ଦେହରୁ ଅସହିଷ୍ଣୁତାର ଗନ୍ଧ ନ ଯିବା ପର୍ଯ୍ୟନ୍ତ, ମଣିଷ ପଦାରେ ଠିଆ ହେବାର ଯୋଗ୍ୟତା ହାସଲ କରି ନ ଥାଏ । ତା ବାଟଟି ହିଁ ତା ପାଇଁ ସବୁକିଛି । ଆତ୍ମସମୀକ୍ଷା କାର୍ଯ୍ୟରେ ଅଯୋଗ୍ୟ ଭାରତୀୟମାନଙ୍କ ହାତରେ ଆତ୍ମଶାସନର ଅଧିକାର ଆଦେଶନାମା ଧରାଇଦେବା, ମାଙ୍କଡ଼ ହାତରେ ଶାଳଗ୍ରାମ ଗୁଞ୍ଜିଦେବା ସହ ସମାନ । ତେଣୁ ଯେଉଁମାନେ ହୋମ୍‍ରୁଲ୍‍ ପାଇବାକୁ ଚାହାନ୍ତି, ‘‘ପହିଲେ ତହିଁକି ଯୋଗ୍ୟ ହୁଅନ୍ତୁ, ପରୀକ୍ଷା ଦିଅନ୍ତୁ, ପାସ୍‌ କରନ୍ତୁ, ସାର୍ଟିପିକେଟ୍‌ଗୁଡ଼ିକ ଅତି ଯତ୍ନରେ ପାଟକନାରେ ଗୁଡ଼େଇ ନିର୍ମାଲ୍ୟ କୋଥଳିରେ ରଖନ୍ତୁ । ଏତକ ହେଲା ପରେ ଯାଇଁ ସେମାନେ ଧୈର୍ଯ୍ୟ ସହକାରେ, ଭକ୍ତି ସହକାରେ ତୁନି ହେଇ ଅପେକ୍ଷା କରନ୍ତୁ । ଯେଉଁ ସୁସଭ୍ୟଜାତି ଶତଶତ ଅସଭ୍ୟ ଜାତିଙ୍କର ମହାଫିଜ ହୋଇ ଆମେରିକାର ଯୁକ୍ତରାଜ୍ୟ, କାନେଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଆଦି ଆଦିମ ଜନ୍ତୁପୂର୍ଣ୍ଣ ଦେଶରେ ସ୍ୱାଧୀନତାର କଲମଚାରା ଲଗେଇ ଅଛନ୍ତି ଏବଂ ବହୁ ଭାଗ୍ୟକୁ ଭାରତ ଯେଉଁ ଜାତିର ସଂସର୍ଗରେ ଆସି ଆଜି ଭାଗ୍ୟବାନ ହେଇଛି, ସେହି ସଭ୍ୟତମ ସ୍ୱାଧୀନତା ପ୍ରିୟ ଜାତି ଅବଶ୍ୟ ଆପଣା ରାଜି, ଖୁସି ଓ ପଞ୍ଚଭୂତ ଆତ୍ମ ହୃଦକମଳଦୋରସ୍ତିରେ, ବିନା କାହାର ଜୋରଜୁଲମ୍ ବଳାତ୍କାରରେ ଆମକୁ ସ୍ୱାୟତ୍ତଶାସନରୂପେ ଅମୃତ ପାନ କରିବାକୁ ଦେବେ । ଏତିକି ବିଚାର ନ କରି ଯେ ବର୍ତ୍ତମାନ ହୋମ୍‍ରୁଲ୍‍, ହୋମ୍‍ରୁଲ୍‍ ବୋଲି ହୁରି ଛାଡ଼ୁଛନ୍ତି, ତାଙ୍କର ଏହି ରାଜନୀତିକ ସନ୍ନିପାତ ପାଇଁ ରାଜନୀତିକ ହୋମ-ଠେଙ୍ଗା ଦରକାର ।’’ (ଆ. ଘ. ହା. ଚା. ପୃ ୩୨-୩୫) ବୋଲି ସେ ଯୁକ୍ତି ବାଢ଼ିଥିଲେ । କଂଗ୍ରେସ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳରୁ ପଦାରେ ପକେଇ ଦେଉଥିଲେ । ତାଙ୍କର ଭାଷାରେ ଏହାର ଥିଲା ଦୁଇଟି ନାମ । ‘‘ଅସଯୋଗ ଓ ଆଇନ୍ ଅମାନ୍ୟ । ଦୁଇଟିଯାକ ଅନିଷ୍ଟ ଛଡ଼ା ଦେଶରେ ଇଷ୍ଟ କରିଛି କି ? କଂଗ୍ରେସର ମତ ଠିକ୍ ନାହିଁ ।’’ (ସ. ସ. ତା୧୨ । ୧୨ । ୩୪) ସ୍ୱରାଜ୍ୟ ପାଇବା ପାଇଁ ଭାରତୀୟମାନେ ଅଯୋଗ୍ୟ । କଂଗ୍ରେସର ଏ ଆନ୍ଦୋଳନ ପର୍ବତର ମୂଷିକ ପ୍ରସବ ସହ ସମାନ । କାରଣ ସରକାରଙ୍କ କୀଳିଣି ବଡ଼ ଶକ୍ତ । ତାକୁ ଫିଟାଇବା ପାଇଁ ଚେଷ୍ଟା କରିବା ବାତୁଳତା ମାତ୍ର । (ସ. ସ ୪। ୫। ୩୨) ତେଣୁ ସ୍ୱାର୍ଥପର, ଉଚ୍ଛୃଙ୍ଖଳ ଓ ଉଦ୍ଧତ ବ୍ୟକ୍ତିମାନଙ୍କର ସମାହାରରେ ଗଠିତ କଂଗ୍ରେସଦଳର ପତନ ସୁନିଶ୍ଚିତ । ଏହାର ପତନ ପାଇଁ ଗବର୍ଣ୍ଣମେଣ୍ଟ୍‌ ଦାୟୀ ନୁହଁନ୍ତି ତାହାର ଦୁର୍ନୀତି ଦାୟୀ’’ ବୋଲି ସେ ଉଲ୍ଲେଖ କରିଥିଲେ । (ସ. ସ. ତା ୬ । ୪ । ୩୨) ସମାଚାରର ପ୍ରତ୍ୟେକ ଭାଗରେ ଇଂରେଜମାନଙ୍କର ମୁଖପାତ୍ର ଭାବରେ ପ୍ରହରାଜ ଓ ବିଶ୍ୱନାଥ କର ଭାରତୀୟମାନଙ୍କ ବିଷୋଦ୍‌ଗାର କରୁଥିଲେ ।

*

ଏଚ. ଏଚ. ଡଗ୍‌ଉଏଲ୍ – କେମ୍ବ୍ରିଜ ହିଷ୍ଟ୍ରି ଅଫ୍‌ଇଣ୍ଡିଆ-ଷଷ୍ଠ ଭଲ୍ୟୁମ୍ ପୃଷ୍ଠା-୨୧୧

ଇଂରେଜମାନଙ୍କର ପ୍ରଶସ୍ତିଗାନରେ ସେ ଏତେ ଟିକିଏ ବି କୁଣ୍ଠାପ୍ରକାଶ କରୁ ନ ଥିଲେ । ୧୯୧୧ ମସିହାରେ ଡିସେମ୍ୱର ୧୨ ତାରିଖ ଇଂଲଣ୍ଡର ସମ୍ରାଟ ପଞ୍ଚମ ଜର୍ଜଙ୍କର ରାଜ୍ୟାଭିଷେକ ଉତ୍ସବ ଭାରତରେ ଅନୁଷ୍ଠିତ ହୋଇଥିବାରୁ ଏହାକୁ ଭାରତୀୟମାନଙ୍କର ପରମ ସୌଭାଗ୍ୟ ବୋଲି ବର୍ଣ୍ଣନା କରିଥିଲେ । ତାଙ୍କ ଦୃଷ୍ଟିରେ ଏହା ଥିଲା ଇଂରେଜମାନଙ୍କର ମହାନୁଭବତାର ପରିଚୟ । (ଆ. ଘ. ହା. ଚା-ପୃ ୩୬) ପ୍ରଥମ ମହାସମରରେ ଭାରତୀୟମାନେ ଇଂରେଜମାନଙ୍କୁ ସାହାଯ୍ୟ କରିଥିବାରୁ ସେମାନେ କଳା-ଗୋରା ଭେଦଭାବ ପରିହାର କରି ସେମାନଙ୍କର ସମସ୍ୟା ପ୍ରତି ସଚେତନ ହେବେ ବୋଲି ଦୃଢ଼ ଆଶାପୋଷଣ କରିଥିଲେ । ଜର୍ମାନ ସମେତ ପାଶ୍ଚାତ୍ୟ ଦେଶର ଶାସକମାନେ ଅସଭ୍ୟ, ବର୍ବର, ଅବିଚାର, ନିଷ୍ଠୁରଭାବରେ ସମଗ୍ର ଜଗତକୁ ଜାଳିପୋଡ଼ି ଧ୍ୱଂସ କରିଦେବା ପାଇଁ ଟାକି ବସିଛନ୍ତି ବୋଲି ଖେଦ ପ୍ରକାଶ କରିଥିଲେ । ବିବେକାନୁମୋଦିତ ସଭ୍ୟତାର ଆଲୋକ ଧରି ପୃଥିବୀରେ ଅନ୍ଧାରକୁ ଦୂର କରୁଥିବା ଇଂରେଜମାନେ, ଭାରତୀୟମାନଙ୍କର ଯେ ଗୁରୁ ପଦବାଚ୍ୟ, ଏହା ସ୍ୱୀକାର କରିଥିଲେ । (ଦୁ. ହା. ଚା-ପୃ ୨୪୫) ଭାରତୀୟମାନଙ୍କ ଦାବି ଓ ଆନ୍ଦୋଳନରେ ଅତିଷ୍ଠ ହୋଇ, ଶାସନ କ୍ଷେତ୍ରରେ ଯେଉଁ ସଂସ୍କାରମାନ ଆଣିବାଲାଗି ସେମାନେ ବାଧ୍ୟ ହେଉଥିଲେ, ତାହା ସେମାନଙ୍କର ଉଦାରତା ଓ ସ୍ୱାଧୀନଚେତା ମନୋବୃତ୍ତିର ପରିଚାୟକ ଭାବରେ ସେ ପରିଗ୍ରହଣ କରିଥିଲେ । ଇଂରେଜ ସରକାର ଜନୈକ ଭାରତୀୟଙ୍କୁ ଲର୍ଡ଼ ଉପାଧିରେ ଭୂଷିତ କରି ତାକୁ ଇଂଲଣ୍ଡର ଭାରତ ଶାସନ ସମିତି (ଇଣ୍ଡିଆ କାଉନସିଲ୍)ର ସହକାରୀ ସମ୍ପାଦକ (ଅଣ୍ଡର ସେକ୍ରେଟାରୀ ଅଫ୍ ଷ୍ଟେଟ ଅଫ ଇଣ୍ଡିଆ) ରୂପେ ବରଣ କରିଥିବାରୁ ସେମାନଙ୍କର ପ୍ରଶଂସା କରିଥିଲେ । (ଆ. ଘ. ହା. ଚା-ପୃ ୧୨) ପ୍ରବଳ ପରାକ୍ରମୀ ବ୍ରିଟିଶ ରାଜାଙ୍କ ଇଚ୍ଛା ନ ଥିଲେ, ତାଙ୍କ କରୁଣାକଣା ଲାଭ ସୌଭାଗ୍ୟର ଅଧିକାରୀ ହେବା କାଳେ ଆଦୌ ସମ୍ଭବ ନ ଥିଲା । ତେଣୁ ତାଙ୍କ ବିଚାରରେ ବ୍ରିଟିଶ ସମ୍ରାଟ ଥିଲେ ଦେବତା ଓ ଭାରତୀୟମାନେ ଥିଲେ ପୂଜକ, ଅନୁଗତ, ରାଜଭକ୍ତ ତୁଲ୍ୟ । (ଦୁ. ହା. ଜା. ପୃ ୧୧୭) ଏହିପରି କି ଓଡ଼ିଆମାନଙ୍କର ‘‘ସ୍ୱତନ୍ତ୍ରପ୍ରଦେଶ’’ ପାଇଁ ଆନ୍ଦୋଳନ କାଳରେ ଉତ୍କଳମାତାଙ୍କୁ ବଡ଼ଲାଟଙ୍କ ପାଖରେ ନତଜାନୁ କରି କୁହାଇଥିଲେ ‘‘ମହାଭାଗ, ମୋର ଧନ୍ଦା ନାହିଁ, ଯଦ୍ୱାରା ଆପଣଙ୍କର ଷୋଡ଼ଶପଚାରରେ ପୂଜାକରିପାରିବି, ମୋର ବିଦ୍ୟାନାହିଁ, ଯଦ୍ଦ୍ୱାରା ଆପଣଙ୍କର ମାନସିକ ତୃପ୍ତି ସାଧନ କରିପାରିବି । ଅଛି କେବଳ ମୋର ଅକ୍ଷୁର୍ଣ୍ଣ ରାଜଭକ୍ତି-। ରାଜଭକ୍ତି ମୋର ଚିରନ୍ତନ ଧର୍ମ x x x ଅଛି ମୋର ପୂର୍ବସ୍ମୃତି, ଅଛି ମୋର ପ୍ରାଚୀନ କୀର୍ତ୍ତି, ତା ଛଡ଼ା କ’ଣ ଦେଇ ଆପଣଙ୍କର ସମ୍ୱର୍ଦ୍ଧନା କରିବି ? ** ବହୁ ଶତାବ୍ଦୀବ୍ୟାପି ତାଡ଼ନାରେ ମୋର ଚଳିତ୍‌ଶକ୍ତି ଲୁପ୍ତ ହୋଇଥିଲା । x x x ଶୁଭକ୍ଷଣରେ ବ୍ରିଟିଶ ରାଜା ମୋତେ ବର୍ତ୍ତମାନ ଆଶ୍ରୟ ଦେଇଅଛନ୍ତି । ମୋର ଅଙ୍ଗପ୍ରତ୍ୟଙ୍ଗରେ ଜୀବନୀଶକ୍ତିର ସ୍ପନ୍ଦନ ଅନୁଭୂତ ହେଉଅଛି । x x x ମୁଁ ମୋର ପୂରାତନ ଗୌରବ ଫେରିପାଏ । x x x ସମ୍ରାଟ ଓ ସମ୍ରାଟ ପ୍ରତିନିଧିଙ୍କଠାରେ ମୋର ଏତିକି ଭିକ୍ଷା’’ । ଉତ୍କଳଜନନୀଙ୍କ ହାତରେ ଭିକ୍ଷାପାତ୍ର ଧରେଇ ଦେଇ ସାରିଲା ପରେ ବୋଧହୁଏ ପ୍ରହରାଜଙ୍କ ମନ ବୋଧ ହୋଇ ନ ଥିଲା । ଇଂରେଜମାନଙ୍କୁ ମହାପ୍ରଭୁ ଓ ଉତ୍କଳୀୟମାନଙ୍କୁ ବିଦୁର ଭାବରେ ଜ୍ଞାନ କରିଥିଲେ । (ଦୁ. ହା. ପୃ୧୩୧) ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସଙ୍କଳନ କାର୍ଯ୍ୟରେ ମନୋନିବେଶ କଲାପରେ ସେ ଆହୁରି ଉଚ୍ଚକିତ ଭାବରେ ବ୍ରିଟିଶ୍ ସରକାରଙ୍କ ବନ୍ଦନା ଓ ନିରାଜନା ଆରମ୍ଭ କରିଦେଇଥିଲେ । ଇଂରେଜମାନଙ୍କ ଉଦ୍ୟମ ପ୍ରଶଂସନୀୟ, କିନ୍ତୁ ମୀମାଂସା ତୃପ୍ତିକର ନୁହେଁ ବୋଲି (ସ. ସ. ୪।୫। ୧୯୩୨) ସତ୍ୟ ସମାଚରରେ ପ୍ରାୟ ପ୍ରତ୍ୟେକ ସଂଖ୍ୟାରେ ଉଲ୍ଲେଖ କରିଥିଲେ ।

ଇଂରେଜମାନଙ୍କର ଏତେ ବନ୍ଦନା କରିବା ପଛରେ ପ୍ରହରାଜଙ୍କର ଅନେକ କିଛି ସ୍ୱାର୍ଥ ଥିଲା । ସେ ବି ଗୋଟାପଣେ ତୁଳସୀ ନ ଥିଲେ । ଯେପରି ମଣିଷ ଏ ଜଗତରେ ଦୁର୍ଲ୍ଲଭ । ଦୁର୍ବଳତା ମଧ୍ୟ କେତେକାଂଶରେ ମଣିଷର ଅଳଙ୍କାର । ମାତ୍ର ଦୁର୍ବଳତା ପଙ୍କକୁ ସୁବାସିତ ଚନ୍ଦନ ଭାବରେ ଜ୍ଞାନ କରି, ତାର ସୁବାସରେ ଗୋଟାପଣେ ଗୋଳେଇ ହେଇଗଲେ, ମଣିଷ ତାର ସବୁକିଛି ହରେଇବସେ । ପ୍ରହରାଜ ସେମିତି ନ ଥିଲେ । ସେମିତି ଥିଲେ, ଗୁହସାଲୁବାଲୁ ଅମଣିଷମାନଙ୍କୁ ଖୋଲାଖୋଲି ପରିହାସ କରିବାକୁ ଆଗେଇ ଆସି ପାରିନଥାନ୍ତେ । ଜାତୀୟ ଜୀବନର ଜୀବନୀଶକ୍ତି ଓ ତାର ମହତ୍ତ୍ୱକୁ ସେ ଉପଲବ୍‌ଧି କରିଥିଲେ ଏବଂ ଜୀବନୀଶକ୍ତିର ରକ୍ତଶୋଷଣ କରୁଥିବା କୀଟମାନଙ୍କୁ ଭଲଲୋକି ସାଜି ତାମ୍‌ସା ନ କରିବା ପାଇଁ ଚେତେଇ ଦେଉଥିଲେ । ଅଭିନୟକୁଶଳୀମାନେ ହିଁ ଦେଶ ଓ ଜାତିର ଶତ୍ରୁ । ମଞ୍ଚ ଉପରୁ ରଙ୍ଗାଳୟକୁ ଫେରିଗଲା ପରେ ସେମାନେ ଭିନ୍ନ ମଣିଷ ହୋଇଯା’ନ୍ତି । ରାମଚନ୍ଦ୍ରଙ୍କ ବଚନକୁ ଦୋହରେଇଥିବା ମଣିଷ ଅନ୍ୟ ନାରୀର ସତୀତ୍ୱ ହରଣ, ଶାସିତମାନଙ୍କର ରକ୍ତଶୋଷଣ କରିବାକୁ ଏତେ ଟିକିଏ କିନ୍ତୁ ଭାବନ୍ତି ନାହିଁ-। ଅଭିନେତାମାନଙ୍କୁ ଛିଗୁଲେଇବା, ଖତେଇହେବା ଗୋଟିଏ ଭାରି ବଜ୍ଜାତ୍ କାମ । ସେ କାମରେ ଥରେ ମୁଣ୍ଡ ପୁରାଇଦେଲେ, ମଣିଷ ଆଉ ନିରାପଦରେ ପାଦ ପକେଇବା ସହଜ ହୋଇପାରେନା । ତାକୁ ବି ପେଟ, ପିଠି, ବେଶପୋଷାକ ସଜାଡ଼ିଦେବାକୁ ପଡ଼େ, ମାପିଚୁପି ଚାଲିବାକୁ ପଡ଼େ, ଦେହକିଳା କଳାରେ ଓସ୍ତାତି କରିବାକୁ ପଡ଼େ ।

ପ୍ରହରାଜ ଯେଉଁମାନଙ୍କ ଉପରକୁ ଟେକା ଫିଙ୍ଗୁଥିଲେ, ସେମାନେ ଏତେ ସାଧାରଣ ଅଭିନେତା ନ ଥିଲେ । ସେ କାଳ ହିଁ ସେମାନଙ୍କୁ ଅଧିକ ଅଭିନୟ କୁଶଳ ହେବା ପାଇଁ ସୁଯୋଗ ଦେଉଥିଲା । ସ୍ୱାଧୀନତା, ସ୍ୱରାଜ୍ୟ, ଅହଯୋଗ, ବିଦେଶୀ ବର୍ଜନର ନାଁ ଧରି ସେମାନେ ସର୍ବତ୍ର ବେଶ୍ ନିରାମୟ ଓ ନିରାପଦ ଭାବରେ ବିହାର କରିପାରୁଥିଲେ । ସମସ୍ତ ଦର୍ଶକ ଓ ମଞ୍ଚ ଆକ୍ଷିବୁଜି ସେମାନଙ୍କର ବନ୍ଦନା ଗାନ କରୁଥିଲେ । ସେମାନଙ୍କ କଥାରେ ତାଳି ମାରୁଥିଲେ । ସେମାନଙ୍କ ମଥାରେ ସିନ୍ଦୁର, ବେକରେ ଫୁଲମାଳ ପିନ୍ଧେଇ ଦଉଥିଲେ । ସଂଗ୍ରାମୀ ଭାବରେ ପରିଗ୍ରହଣ କରୁଥିଲେ । ନେତା ଭେକରେ ସୁଶୋଭନ କରୁଥିଲେ । ସ୍ରୋତର ପ୍ରତିକୂଳରେ ପହଁରିବାକୁ ଆରମ୍ଭ କରିବା ଥିଲା ତାଙ୍କର ଦୁଃସାହାସିକତା ଓ ବୋକାମିର ହିଁ ଫଳ । ତେଣୁ ଜାତିଦ୍ରୋହୀ, ସମାଜଦ୍ରୋହୀ, ଛିଦ୍ରାନ୍ୱେଷୀ କୀଟ ହେବା ପାଇଁ ସେ ବାଧ୍ୟ । ତଥାକଥିତ ଜାତୀୟତାବାଦୀମାନେ ତାଙ୍କୁ ସେଇ ବେଶରେ ହିଁ ସଜେଇ ଦେଇଥିଲେ । ସେ ଯେତେ ପାଟିକଲେ, ଟେକା ଫୋପାଡ଼ିଲେ ସୁଦ୍ଧା ମହାସ୍ରୋତରେ ସେଗୁଡ଼ିକ ଭାସିଯାଉଥିଲା । କେହି ତାଙ୍କ କଥା ଶୁଣୁ ନ ଥିଲେ । ସମସ୍ତେ କହୁଥିଲେ-କାମୁଡ଼ାଟା ! ଭୁକୁଥାଉ, ଆପେ ରହିଯିବ ।

ମାତ୍ର ପ୍ରହରାଜେ ଜାତିକୁ ଅତି ନିବିଡ଼ ଭାବରେ ଭଲ ପାଉଥିଲେ । ଭଲ ପାଇବାରେ ସେତିକି ନିବିଡ଼ତା ନ ଥିଲେ କେହି କେବେ କାହାକୁ ଗାଳିଦିଏ ନାହିଁ । ପ୍ରଶଂସା କରିବା ଓ ଶୁଣିବାପାଇଁ ଲୋକେ ଗୋଡ଼ ଟେକି ବସିଥାନ୍ତି । ସେଥିରୁ ଅନେକ କିଛି ମିଳିଯାଏ । ଗାଳି ଦେଲାବେଳକୁ କେହି ନ ଥାନ୍ତି । ସେଇ ଗାଲି ଦଉଥିବା ଲୋକମାନେ ହିଁ ଅସଲବେଳେ ତାଙ୍କ ପିଠିରେ ପଡ଼ନ୍ତି । ଆକ୍ଷିର ଲୁହରେ ସେମାନଙ୍କ ଚେତନାକୁ ଆଉଁସି ଦିଅନ୍ତି । ବାଟ ଦେଖେଇ ଦିଅନ୍ତି-। ପ୍ରହରାଜ ଗାଲୁଆମାନଙ୍କ ପୋଷାକ ତଳେ ନୁଚି ରହିଥିବା ଘା, ଘାଉଡ଼ିକି ଦେଖାଇଦେବା ପାଇଁ କଲମ ଧରିଥିଲେ । ସେମାନଙ୍କୁ ଆପଣା ସଂକ୍ରାନ୍ତରେ ସଚେତନା କରିଦେବା ପାଇଁ ପ୍ରୟାସ କରୁଥିଲେ । ରୋଗ ଦେହରେ ପଦାକୁ ଆସିଲେ ଅନ୍ୟମାନଙ୍କ ଦେହକୁ ତାହା ମାଡ଼ିବସେ । ଭିତରେ ଭିତରେ ସବୁଆଡ଼େ ବ୍ୟାପିଯାଏ । ଭିତର ରୋଗ ଥରେ ବ୍ୟାପିଗଲେ, ଆଉ ଭଲକରିବା ସମ୍ଭବ ହୁଏନା । ତେଣୁ ମନରେ କିନ୍ତୁ ରଖି, ସ୍ୱାର୍ଥକୁ ସାରଥିକରି, ନନ୍ଦିଘୋଷ ରଥର ରଥୀ ସାଜିଥିବା ମଣିଷମାନଙ୍କୁ, ରଥ ଅପବିତ୍ର ନ କରିବା ପାଇଁ ବାଧ୍ୟ କରୁଥିଲେ । ପ୍ରେମ, ତ୍ୟାଗ, ସଂସ୍କୃତି ଶ୍ରଦ୍ଧା, ସ୍ନେହ, ମୂଲ୍ୟବୋଧ ବେପାର ନ କରିବା ପାଇଁ ସଚେତନ କରି ଦେଉଥିଲେ । ଜାତୀୟବୋଧ ଭାବରୂପରେ ସେ ଥିଲେ ରୂପକାର, ଭାଷ୍ୟକାର । ପାଠକମାନଙ୍କର ମନକୁ ସଜସମ୍ବାଦରେ ଆପ୍ୟାୟନ କରିବା କୌଣସି ବିଶିଷ୍ଟ ଘଟଣା କିମ୍ବା ବିଷୟରେ ଆଲୋଚନା କିମ୍ବା ତତ୍‌ପ୍ରତି ତୀବ୍ର ବ୍ୟଙ୍ଗବିଦ୍ରୁପର ବାଣ ପ୍ରୟୋଗ ହିଁ ଥିଲା ତାଙ୍କର ଉଦ୍ଦେଶ୍ୟ । * ଏବଂ ବେଦନାବୋଧରୁ ହିଁ ବ୍ୟଙ୍ଗଭାବର ଜନ୍ମ ।

*

ନଟବର ସାମନ୍ତାରାୟ – ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) ପୃ-୫୦୧/୫୦୨

ସାହିତ୍ୟ, ସଭ୍ୟତା, ଭାଷା, ସଂସ୍କୃତି, ଲୋକବିଶ୍ୱାସ, ରୁଚି ଓ ଆଦର୍ଶବୋଧ ଭିତରେ ଥିବା ମଳଗୁଡ଼ିକର ପରିଷ୍କରଣ କରିବା ଥିଲା ପ୍ରହରାଜଙ୍କ ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ସର୍ଫରୀ ପରି ଫର୍‌ଫର୍‌ ହେଉଥିବା ଲକ୍ଷ୍ୟବିହୀନ, ବିଶ୍ୱାସହୀନ, କପଟାଚାରୀ, ଶିକ୍ଷିତଗୋଷ୍ଠୀର ଚକ୍ଷୁଲଜ୍ଜ୍ୟା ନ ଯିବା ପର୍ଯ୍ୟନ୍ତ ଜାତୀୟ ଉନ୍ନତି ଅସମ୍ଭବ ବୋଲି କହୁଥିଲେ । (ଦୁ. ହା. ପୃ ୧୯୧) ଆପଣାର ସବୁ ବିଭବକୁ ଆଡ଼େଇଦେଇ ବିଦେଶୀ ବିଭବରେ ଗୋଟାପଣେ ବୁଡ଼ି ରହିବାକୁ ବର୍ବରତା, ଦେଶସେବା ନାଁରେ ଆତ୍ମସେବାକୁ ଚରମ ପ୍ରତାରଣା, ଧର୍ମ ନାମରେ ଭୋଗୀ ଓ ଶଠ ପ୍ରବୃତ୍ତିକୁ ଭାଣ୍ଡାମି, ସାହିତ୍ୟ ନାଁରେ ବାୟବୀୟ, ଛିନ୍ନମୂଳ ଓ ବିଧର୍ମୀ ଚେତନାକୁ ଅସାହିତ୍ୟକତା, ମାର୍ଜିତ ଓ ଉନ୍ନତ ଭାଷା ନାଁରେ ବିଦେଶୀ ଭାଷାର ଅନ୍ଧ ଅନୁକରଣକୁ ମହାପଣ୍ଡିତତା, ସଭ୍ୟତା ଆଳରେ ଆପଣା ସଂସ୍କୃତିର ମୂଲ୍ୟବୋଧକୁ ହତ୍ୟାକରିବାର ଦୃଢ଼ ସଂକଳ୍ପବୋଧକୁ ଅମନୁଷ୍ୟତା, ଅବିମୃଶ୍ୟକାରିତା, ପାଷାଣ୍ଡତା, ଅବିବେକିତା ଓ ସଂକୀର୍ଣ୍ଣତା, ସ୍ୱାର୍ଥପାଇଁ ଅନ୍ୟର ‘‘ଉପାନହ ଲେହନ’’କୁ ଜୀବନର ଚରମ ବ୍ୟର୍ଥତା ଭାବରେ ସେ ପରିଗ୍ରହଣ କରିଥିଲେ । ‘ଇଂରେଜମାନଙ୍କୁ ଆଦର୍ଶ ଭାବରେ ପରିଗ୍ରହଣ କର ବୋଲି’ – ସେ କହୁଥିଲେ । ମାତ୍ର ତାଙ୍କ କଥନ ପଛରେ ବୁଦ୍ଧି ବିଳାସର ଚମତ୍କାରିତା ହିଁ ପୂରିରହିଥିଲା । ପରୋକ୍ଷରେ ସେମାନଙ୍କ ପରି ହେବା, ସେମାନଙ୍କ ପରି ବଞ୍ଚିବା ଓ ଜାତିକୁ ତାତିଦେଇ ଭଲପାଇବା ଲାଗି ସେ ଆହ୍ନାନ ଦେଇଥିଲେ ଦାସ-ଧର୍ମୀ ଭାରତୀୟମାନଙ୍କୁ । ପ୍ରଶଂସାଛଳରେ ସେମାନଙ୍କର ସେ ସମାଲୋଚନା କରୁଥିଲେ, ନିନ୍ଦା ଛଳରେ ଆପଣାରମାନଙ୍କୁ ସେମାନଙ୍କର ଅନୁରୂପ ହେବାପାଇଁ ସଙ୍କେତ ଦେଉଥିଲେ । ନିଜ ମନ ଓ ଦେହର ଦୁର୍ଗନ୍ଧକୁ ଦୂରେଇ ଦେବାପାଇଁ ଉଚ୍ଚାଟ କରୁଥିଲେ । ତାଙ୍କ ବଚନରେ ବୁଦ୍ଧିର ବିଳାସ, ହୃଦୟରେ ସମାଲୋଚକର ନିଷ୍କୃର ଅଭିବ୍ୟକ୍ତି ଓ ଆତ୍ମଦହନ, ଆପଣାକୁ ଓ ଜାତିକୁ ଏକାନ୍ତ ଭାବରେ ଭଲ ପାଇବାର ବ୍ୟାକୁଳତା, ସବୁ କିଛି ଥିଲା । ତେଣୁ ସେ ଅନ୍ୟମାନଙ୍କ ଦୁଃଷ୍କୃତିଗୁଡ଼ାକୁ ହାଣୁଥିଲେ, ସେମାନଙ୍କ ଭିତରର ଅନ୍ଧାରକୁ ଆତ୍ମସମୀକ୍ଷାର ତେଜ-ଔଷଧିରେ ଆଲୋକନ କରୁଥିଲେ । ସଂକୀର୍ଣ୍ଣତାର ଭୂତାଣୁକୁ ସତ୍ୟ ଓ ପ୍ରେମର ମହୌଷଧିରେ ନୂତନଧର୍ମରେ ଅଭିମନ୍ତ୍ରଣ କରୁଥିଲେ । ଏକ ପରିଚ୍ଛନ୍ନ, ପରିପୂର୍ଣ୍ଣ, ସମୃଦ୍ଧ, ନିରାମୟ ଭାରତବର୍ଷର ସ୍ୱପ୍ନ ଦେଖୁଥିଲେ । ସେଥିପାଇଁ କାମୁଡ଼ା କୁକୁର ପରି ଅନ୍ୟମାନଙ୍କ ଦ୍ୱାରା ଚିତ୍ରିତ ହେଉଥିଲେ । ନିନ୍ଦା ଅପମାନର ମାଡ଼ରେ ଲହୁ ଲୁହାଣ ହେଉଥିଲେ । ସେ ଥିଲେ ‘‘ଭିନ୍ନ ଗୋଠର’’ ଜଣେ ସମ୍ବେଦନଶୀଳ ମଣିଷ ଓ ଦୁନିଆରୂପକ ଭଡ଼ାଗାଡ଼ିଖାନାରେ, ‘‘ଏକୁଟିଆ ବାହାଁରା’’ । ସେ ଥିଲେ ସ୍ୱପ୍ନବିଭୋର, ବେଦନାଜର୍ଜରିତ ଅଥଚ ଚକ୍ଷୁଷ୍ମାନ ବୁଦ୍ଧିବିଳାସୀ ନିଃସଙ୍ଗପଥିକ । ଫକୀରମୋହନ ସେନାପତିଙ୍କ ଭାଷାରେ–

‘‘ଶିଖିବାକୁ ଇଚ୍ଛା ଥିଲା ଚଳନ୍ତି ଓଡ଼ିଆ,

 

ସାହିତ୍ୟରେ ଭେଟିଗଲେ ଗୋପାଳପୁରିଆ ।

କିମ୍ପାଇ ମରିବ ବୁଲି ଗାଏଁ ଗାଏଁ,

 

ଭାଗବତ ଟୁଙ୍ଗୀଠାରୁ ନନା ପାଞ୍ଜି ଯାଏ ।

 

ଘର କଥା ଘର ଭାଷା ଠିକ୍ ଠିକ୍ ଲେଖା,

 

ଓକିଲଙ୍କ ଠକପଣ ଲେଖା ନାହିଁ ଏକା ।

ସତ ଦୁଇ ଚାରିପଦ ଯାଇଛନ୍ତି ଗାଇ,

 

ତାହା ମଧ୍ୟେ ଆପଣାକୁ ବଞ୍ଚାଇ ବଞ୍ଚାଇ ।

ପାଇଲି ଅସଲ ଚିଜ ହେଉ ତାହା ଛଡ଼ା,

 

ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡ଼ା ।

ପଢ଼ିଲି ସାହିତ୍ୟ ବସି ପହରେକ-ଆଜ,

 

ଠିକ୍ ଠିକ୍ ଗାଇଯାଇଉନ୍ତି ପ୍ରହରାଜ ।’’ *

 

*

ଫକୀରମୋହନ ସେନାପତି- ଉତ୍କଳ ଭ୍ରମଣଂ- ଫ. ଗ୍ରନ୍ଥାବଳୀ- ପୃ. ୨୧୮

Image

 

Unknown

ଭାଷାର ଭାଷ୍ୟକାର

 

ଆପଣାର ବିଚାରଧାରାକୁ ଅନ୍ୟର ଚିଦାକାଶରେ ଉଜ୍ଜ୍ୱଳ କରି ଧରିରଖିବା ଏତେ ସାଧାରଣ କଥା ନୁହେଁ । ବିଶେଷତଃ ଭାଷାତତ୍ତ୍ୱ ପରି ନିହାତି ଗଣ୍ଠିଆ, ଚୋପାଛଡ଼ା ବିଷୟରେ କିଛି କହିଲାବେଳେ ବା ଲେଖିବାବେଳେ ସେଇ ସୂତାଟିକୁ ଜାବୁଡ଼ିଧରିବା କାଠିକର ପାଠ । ଗୋପାଳଚନ୍ଦ୍ର ପ୍ରହରାଜ ନିଜ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଏପରିକି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଆପଣା ଆଦର୍ଶର ଗରୁଛାପଟିକୁ ଅମଳିନ ରଖିବା ଲାଗି ରୀତିମତ ସାଧନା କରିଥିଲେ ଏବଂ କ୍ଷମ ହୋଇପାରିଥିଲେ, ତାହାହିଁ ତାଙ୍କ ସୂକ୍ଷ୍ମ ଅବବୋଧର ବିଶେଷତ୍ୱ ।

 

ପ୍ରହରାଜଙ୍କ ଭାଷା, ଭାଷା ସଂଯୋଜନା ଓ ରଚନାର ରୀତି ସାଧାରଣ ଧାରାଠାରୁ ଅଲଗା । ବିଶେଷତଃ ସାଧାରଣ ଲୋକମୁଖର ଭାଷାକୁ ସାହିତ୍ୟର ଭାଷା ଭାବରେ ସ୍ୱୀକୃତି ଦେବା ପାଇଁ ସେ କିଛି କମ୍‌ ସାଧନା କରି ନାହାନ୍ତି । କମ୍‌ ସମାଲୋଚନାର ପାତ୍ର ହୋଇନାହାନ୍ତି । କଲିକତାରୁ ପାଠପଢ଼ାରେ ଡୋର ବାନ୍ଧି, ଓଡ଼ିଶାରେ ଆପଣାର ବୃତ୍ତି ଓ ସାଧନାନିଷ୍ଠ ଜୀବନର ଆରମ୍ଭ କାଳରେ ହିଁ, ତାଙ୍କର ସ୍ୱାତନ୍ତ୍ର୍ୟ ଅନ୍ୟମାନଙ୍କୁ ଚକିତ କରି ଦେଇଥିଲା । ଫକୀରମୋହନ ସେନାପତିଙ୍କ ଆତ୍ମପ୍ରକାଶନର ଛାଞ୍ଚଟିକୁ ସେ ଆପଣାର କରି ନେଇଥିଲେ ଏବଂ ସେଇ ଧାରାକୁ ଅଧିକରୁ ଅଧିକ ରୁଚିସଂପନ୍ନ କରିବାକୁ କ୍ଷମ ହୋଇପାରିଥିଲେ । ତାଙ୍କ ରସିକତାପୂର୍ଣ୍ଣ ରଚନାରୀତି ଓ ଭାଷାପ୍ରୀତିର ପ୍ରଥମ ସଂକେତ ଶୁଣିବାକୁ ମିଲିଥିଲା ‘‘ଭାଗବତ ଟୁଙ୍ଗୀରେ ସଂଧ୍ୟା’’ ଓ ‘‘ଉତ୍କଳ କାହାଣୀ’’ର କଥାଗୁଡ଼ିକ ଭିତରେ ।

 

ଫକୀରମୋହନ, ଗୋବିନ୍ଦ ରଥଙ୍କ ପରି ମାତ୍ର କେତେଜଣଙ୍କୁ ଛାଡିଦେଲେ, ପ୍ରହରାଜଙ୍କ ସାହିତ୍ୟିକ ଜୀବନର ପ୍ରଥମ ଭାଗର ଗଦ୍ୟକାରଙ୍କ ରଚନାରେ ଓଡ଼ିଆପ୍ରାଣର ସ୍ୱର କ୍ଷୀଣ ଥିଲା । ବିଦେଶୀ ମସଲାର ବାସ ଭିତରେ ତଥାକଥିତ ଶିକ୍ଷିତ ଓ ସାହିତ୍ୟିକମାନେ ନାକ ପର୍ଯ୍ୟନ୍ତ ବୁଡି ରହିବାକୁ ଆପଣା ଆପଣାର ଗୌରବ ବୋଲି ଅନୁଭବ କରୁଥିଲେ । ସାହିତ୍ୟିକ ଓ ସାହିତ୍ୟ କହିଲେ କ’ଣ ନାଇଁ କ’ଣ ଭାବୁଥିଲେ । ନିଜର ଗୁରୁତ୍ୱକୁ ପ୍ରତିପାଦନ କରିବା ପାଇଁ କେତେ ତାମ୍‌ସା ଭିଆଉଥିଲେ । ଅନେକ ଶିକ୍ଷିତଙ୍କ ଦୃଷ୍ଟିରେ ଓଡ଼ିଆ ଥିଲା-ଗୋଟିଏ ଗନ୍ଧିଆ ଭାଷା । ଇଂରେଜୀ ଶବ୍ଦ ଓ ଭାବର ଛୁଙ୍କ ନ ଦେଲେ ଏ ଭାଷା ଓ ସାହିତ୍ୟକାଳେ ସୁଆଦିଆ ଲାଗୁ ନ ଥିଲା । ଭାଗବତ ଟୁଙ୍ଗୀର ମାଷ୍ଟର ମହାଶୟ ଏହି ଗୋଷ୍ଠୀର ଜଣେ ପ୍ରତିନଧି । ସିଏ ମାଇନର ବି ଡେଇଁପାରି ନ ଥିଲେ । ‘‘ଗୁରୁ ବିଭାଗ ପାସ୍‌କରି ଘରେ ଯାହାଗୁଡ଼ାଏ ଇଂରାଜୀ ଶବ୍ଦକୁ ଆୟତ୍ତ କରି ପାରିଥିଲେ । (ଭା. ଟୁ. ସଂ-ପୃ ୧) କେତେକ ଲୀଳା ଓ ସୁଆଙ୍ଗର କବିମାନଙ୍କ ରଚନା ଚାତୁରୀ ଥିଲା ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷା ଓ ବ୍ୟାକରଣରେ ଏକ ଅଦ୍ଭୁତ ଘାଣ୍ଟାତିଅଣ । ‘‘ଏଗୁଡ଼ିକ ଥିଲା ଭାଷାଶୈଳୀର ଝାଟୁଆ’’ (ଭା. ଟୁ. ସଂ ପୃ୧୮) ବଙ୍ଗଭାଷାର କୀର୍ତ୍ତନଗୁଡ଼ାକ ମଧ୍ୟ ଓଡ଼ିଶାରେ ମୁର୍ଖଚେଲାମାନଙ୍କ ମୃଦଙ୍ଗ ଓ ଝାଞ୍ଜର ଉଦଣ୍ଡମାଡ଼ରେ କେତେ ବିକୃତ ରୂପ ନଉଥିଲା । ଠିଆ ଓ ବାଦୀପାଲାଗୁଡ଼ାକରେ ମଧ୍ୟ ଓଡ଼ିଆମାନଙ୍କ ମୁହଁରେ ବଙ୍ଗଭାଷାର ଗୀତ, ତା ଭିତରେ ଓଡ଼ିଆ ଭାଷାର ଦାଇକା, ଚଉପଦୀ, ଯମକ, ମେଷଯୁଦ୍ଧ, ଚାମରଗେଞ୍ଜା, ମାଙ୍କଡ ଡିଆଁର ଘଣ୍ଟଶବ୍ଦ ଅନେକଙ୍କୁ ରୀତିମତ ମୋହଗସ୍ତ କରି ରଖିଥିଲା । ଆମ ଘରର ମାଲ ପୃଥିବୀରେ ଆଉ କୋଉଠି ନାହିଁ ବୋଲି କିଳିକିଳା ରଡ଼ି କରି ସେମାନେ ଦାଣ୍ଡ ଫଟୋଉଥିଲେ । ପ୍ରହରାଜଙ୍କ ଭାଷାରେ ଏ ‘‘ପ୍ରହସନ ଥିଲା ପୃଥିବୀରେ ଅକଥନୀୟ, ଅଚିନ୍ତନୀୟ ଓ ଅତୁଳନୀୟ ।’’ (ଭା. ଟ. ସଂ-ପୃ୧୮) ଅନ୍ୟପକ୍ଷରେ ସଂସ୍କୃତ ଅଭିମାନୀ ପଣ୍ଡିତମାନେ ମଧ୍ୟ ସାହିତ୍ୟ ଭୂମିର ଏ ଆଧୁନିକ ରୂପକୁ ଅର୍ବାଚୀନ କହି ଟାପରା କରୁଥିଲେ । ନୂତନତାକୁ ଗ୍ରହଣ କରିବା ତ ଦୂରର କଥା, ତାର ଗନ୍ଧରେ ସେମାନେ ବାୟା ହେଇଯାଉଥିଲେ ।

‘‘କୌମାରୀପୂର୍ଣ୍ଣିମାରେ ଜଳଦଗଣ ବିନା ନିର୍ମଳାକାଶ ଦେଖେ ।

ପୂର୍ଣ୍ଣେନ୍ଦୁ ମୁଖେ ବିରାଜେ ଜୀବଗଣ ମୁଦକ ବିଚରେ ଦେଶେ ଦେଶେ’’- ପରି ବିଚିତ୍ର କବିତା ରଚନା କରିବା ଥିଲା ପଣ୍ଡିତମନ୍ମ୍ୟ ସାହିତ୍ୟିକମାନଙ୍କର ଆଦର୍ଶ । ସମାଲୋଚକମାନଙ୍କୁ ସେମାନେ ବାତୁଳବାଚାଳ ଅଭିଧାରେ ଚିହ୍ନଟ କରୁଥିଲେ । ‘ସଂସ୍କୃତ ଆମ୍ଭମାନଙ୍କର ଭାଷାର ମାତୃଭାଷା, ପରନ୍ତୁ ଦେବଭାଷା, x x x ଉତ୍କଳୀୟଭାଷାକୁ ଯଥାଶକ୍ତି ମାତୃଭାଷା ସଙ୍ଗେ ମିଳନ କରିବା ଅସ୍ମାଦୁଦ୍ଦେଶ୍ୟ’’ ବୋଲି ପଣ୍ଡିତମାନେ ବେଶ୍‌ ଗର୍ବର ସହିତ ଘୋଷଣା କରୁଥିଲେ । ଗୀର୍ବାଣ ହେବାର ଗୌରବ ହରେଇ ମ୍ଳେଚ୍ଛରୂପରେ ତାମସା କରିବା ପାଇଁ ସେମାନେ ଆଦୌ ପ୍ରସ୍ତୁତ ନ ଥିଲେ । ଏପରିକି ସେମାନଙ୍କର ଆରାଧ୍ୟଦେବତା ଜଗନ୍ନାଥଙ୍କର ଅଦ୍ଭୁତ ଶାବ୍ଦିକ ରୂପ ନିର୍ଣ୍ଣୟ କରିବାକୁ ପଛୋଉ ନ ଥିଲେ । ‘‘ସେ ଥିଲେ ଜଗତର ନଟ’’ । (ଭା. ଟୁ. ସଂ- ପୃ ୧୦) ତେଣୁ ଓଡ଼ିଆ ଭାଷା, ପଣ୍ଡିତମନ୍ମ୍ୟ ସଂସ୍କୃତିସଂପନ୍ନ ଦେବଅଂଶୀ ଓ ଆଧୁନିକ ସଭ୍ୟ ଇଂରେଜମାନଙ୍କର ହନୁକରଣପ୍ରିୟ ନୂଆ ପାଠୁଆଦଳଙ୍କର ଦି’ଆଡ଼ୁଆ ମାଡ଼ରେ ଗୋଟାଏ ନିହାତି ବିଚିତ୍ର ଅସହାୟ ପରିସ୍ଥିତି ଭିତର ଦେଇ ଗତି କରୁଥିଲା । ପ୍ରହରାଜ ଏଇଭଳି ଏକ ଦୁଃସମୟରେ ଉଭୟ ପକ୍ଷର ମୁହଁରେ ଚେଙ୍କ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ‘‘ଓଡ଼ିଆଭାଷା ଶୁଖିଲା ନୁହେଁ । ହାତ ଅଳସେ ନିଶ ବଙ୍କା ବୋଲି ଆଜି ଓଡ଼ିଆ ଭାଷା ପ୍ରତି ଆସ୍ଥା ନାହିଁ । ଅନ୍ତତଃ ଏହା ବଙ୍ଗ ଭାଷାର ସମକକ୍ଷ ହେବାପାଇଁ ଯୋଗ୍ୟ x x x ଏ ଭାଷାର ନ୍ୟାର୍ଯ୍ୟ ପ୍ରାପ୍ୟ ତାକୁ ଦିଅନ୍ତୁ । x x x କହିବାକୁ ଗଲେ ଅଧିକାଂଶ ଓଡ଼ିଆଙ୍କ ଘରେ ଛାନ୍ଦମାଳାର ଭାଷା ଘରୋଇ ଭାଷା ହୋଇଯାଇଛି’’ ବୋଲି ସେ ଦୃଢ଼ତାର ସହିତ ଘୋଷଣା କରିଥିଲେ ଏବଂ ନନ୍ଦକିଶୋର ବଳଙ୍କ ‘‘ମେଘ ବଲଛଇ ତପଲ ତପଲ, କେଛୁଲ ମାଇଲା ଗଜା’’କୁ ସାହିତ୍ୟରେ ଆବର୍ଜନା ବୋଲି କହି ହସରେ ଉଡେଇଦେଲେ ନାକ ଟେକୁଥିବା କୃତବିଦ୍ୟ ଆଧୁନିକ ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ରୁଚିକୁ ଛିଗୁଲେଇଥିଲେ । (ଭା. ଟୁ. ସଂ ପୃ-୧୯ ଓ ୮୩) ପ୍ରହରାଜ ଆପଣାର ପ୍ରତ୍ୟେକ ରଚନାରେ ଏହି ଆଦର୍ଶକୁ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ନାକଟେକାକୁ ଆଡ଼ଆଖିରେ ଅନିଷା ନ କରି ସେମାନଙ୍କୁ ଛିଗୁଳେଇଥିଲେ । ଆପଣାର ଶୈଳୀ ଭିତରେ ଓଡ଼ିଆ ଆତ୍ମାର ସ୍ୱରର ଛନ୍ଦ ସୃଷ୍ଟି କରିବା ପାଇଁ ତପସ୍ୟା କରିଥିଲେ । ଫକୀରମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠ ଓ ରାମଶଙ୍କରଙ୍କର ଯୁଗଧର୍ମ ଗ୍ରନ୍ଥ ଏବଂ ବିଶୁଦ୍ଧଭାଷା ସଂକ୍ରାନ୍ତୀୟ ଆଲୋଚନା ପ୍ରସଙ୍ଗରେ ଭାବପ୍ରକାଶନରେ ଭାଷାର ସ୍ୱାତନ୍ତ୍ର୍ୟ ଓ ଭାଷାର ଶୁଦ୍ଧତା ପ୍ରସଙ୍ଗରେ ନିଜର ସୁକ୍ଷ୍ମ ଅଭିବୃଦ୍ଧିର ସଙ୍କେତ ଦେଇଥିଲେ । ‘‘ଭାଷାର ଶୁଦ୍ଧତା ଓ ଅଶୁଦ୍ଧତା, ପ୍ରଚଳନ ଉପରେ ନିର୍ଭର କରେ । ଘରୋଇ ଭାଷା ଓ ପୁସ୍ତକଗତ ଭାଷା ସାହିତ୍ୟର ଗୋଟିଏ ଗୋଟିଏ ଅଙ୍ଗ । ଛୋଟ ଲୋକଙ୍କ ଭାଷାକୁ ନାସନା’’ କହି ସେମାନଙ୍କ ନାକ ଟେକିବାର ଅଭିରୁଚିକୁ ସେ ବିରୋଧ କରୁଥିଲେ । (ବିଶୁଦ୍ଧ ଭାଷା-ଉ. ସ. ୮ମବ/୫ମ ସଂ/୧୩୧୧)

ମାତ୍ର ଏକଥା ଭାବିବା ଉଚିତ ନୁହେଁ ଯେ, ସେ ସଂସ୍କୃତ ଭାଷାର ବିରୋଧୀ ଥିଲେ । ଆପଣା ଭାଷାକୁ ସୁବାସିତ ଏବଂ ସଂସ୍କୃତ ଓ ଅନ୍ୟ ଭାଷାଗୁଡ଼ିକୁ ଗନ୍ଧିଆ ବୋଲି କହୁ ନ ଥିଲେ । ପ୍ରତ୍ୟେକ ଭାଷା ପ୍ରତି ତାଙ୍କର ମାର୍ଜିତ ଓ ରୁଚିସଂପନ୍ନ ଦୃଷ୍ଟିଭଙ୍ଗୀ ଥିଲା । ଜଣେ ଭାଷାତତ୍ତ୍ୱବିଦ୍‌ର ଆକ୍ଷି ଓ ମନନେଇ ସେ ଅନ୍ୟଭାଷାର ପରିଶୀଳନ କରୁଥିଲେ । ସଂସ୍କୃତ, ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ପାର୍ଶି ଭାଷାରେ ସେ ବିଦ୍ୱାନ ଥିଲେ । ତା ହୋଇ ନ ଥିଲେ ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’’ ପରି ଏକ ଚାତୁର୍ଭାଷିକ କୋଷଗ୍ରନ୍ଥ ସଂକଳନ ତାଙ୍କ ପକ୍ଷେ ଆଦୌ ସମ୍ଭବ ହୋଇ ନ ଥାନ୍ତା । ୧୯୪୩ ମସିହାରେ କଟକ ଟ୍ରେନିଂ ସ୍କୁଲର ପାଠ୍ୟନିର୍ଘଣ୍ଟରୁ ସଂସ୍କୃତଭାଷାକୁ ଉଠେଇ ଦିଆଯିବାରୁ ସେ ଏ ମନମୁଖୀ ଓ ଅବୈଧାନିକ ସିଦ୍ଧାନ୍ତର ଘୋର ବିରୋଧ କରିଥିଲେ । ‘‘ଓଡ଼ିଆ ଭାଷାର ଶତକଡ଼ା ପ୍ରାୟ ୭୫ ଭାଗ ଶବ୍ଦ ସଂସ୍କୃତଭାଷାରୁ ତତ୍‌ସମ ଓ ତଦ୍‌ଭବରୂପେ ଗୃହୀତ ହୋଇଛି ଏବଂ ସଂସ୍କୃତରେ ଯେଉଁମାନଙ୍କର ଜ୍ଞାନ ନାହିଁ ସେମାନଙ୍କର ଓଡ଼ିଆ ସାହିତ୍ୟରେ ଶିକ୍ଷକତା କରିବା ଅସମ୍ଭବ’’ ବ୍ୟାପାର ବୋଲି ପ୍ରକାଶ କରିଥିଲେ । (କଟକ ଟ୍ରେନିଂ ସ୍କୁଲର ପାଠ୍ୟ ନିର୍ଘଣ୍ଟ-ଉ. ସା. ୧୩୪୬ ସାଲ ଚୈତ୍ର-ପୃ. ୪୮୨/୪୮୩) ଏପରିକି ‘‘ବିଶୁଦ୍ଧ ଘରୋଇ ବା ଦେଶ୍ୟ ଭାଷାରେ ଭାବପ୍ରକାଶ କରିବା କଷ୍ଟକର ହୋଇପଡ଼େ । ତେଣୁ ଯେଉଁଠାରେ ଉପାୟନ୍ତର ନାହିଁ କିମ୍ବା ନ କଲେ ଶୋଭନୀୟ ହେବନାହିଁ, ସେଠାରେ ମାର୍ଜିତ ଆମଦାନୀ ଓ କଥୋପକଥନର ଭାଷା ବ୍ୟବହାର କରିବା ଯୁକ୍ତିଯୁକ୍ତ’’ ବୋଲି ଘୋଷଣା କରିଥିଲେ । (ଦୁଇଖଣ୍ଡ ଓଡ଼ିଆ ପୁସ୍ତକ-ଉ. ସା. ୬ଷ୍ଠ । ୪ର୍ଥ । ୧୩୧୦-୬ଷ୍ଠ/୬ଷ୍ଠ/୧୩୧୦ ପୃ. ୧୭୧ ଏବଂ ଉ. ସା. ୮ମ/୫ମ/୧୩୧୦)

ଭାଷାକୋଷ ପାଇଁ ଶବ୍ଦ ସଂଗ୍ରହ କାଳରେ ପ୍ରହରାଜ ବିଶୁଦ୍ଧ ଘରୋଇ ଭାଷାପ୍ରତି ଅଧିକରୁ ଅଧିକ ଆସକ୍ତ ହୋଇ ପଡ଼ିଥିଲେ । ୧୯୦୧ରେ ପ୍ରକାଶିତ ଉତ୍କଳକାହାଣୀର ମୁଖବନ୍ଧରେ ଭାଷାସଂକ୍ରାନ୍ତୀୟ ତାଙ୍କର ବିଚାରଧାରା ପ୍ରତିଫଳିତ ହୋଇଥିଲା କାହାଣୀଗୁଡ଼ିକର ମୁଖ୍ୟପାଠ ରୂପ ଭିତରେ । (ଉ. କା. ୧ମ ଭାଗ-ଭୂମିକା) ମାତ୍ର ସମକାଳୀନ ବିଖ୍ୟାତ ସମ୍ବାଦପତ୍ର ଉତ୍କଳଦୀପିକା, କାହାଣୀର ଭାଷାକୁ ଲଘୁଦୃଷ୍ଟିରେ ବିଚାର କରିଥିଲା । (ଶ୍ରୀନିବାସଙ୍କ ପ୍ରବନ୍ଧରୁ ଗୃହୀତ-ପ୍ର. ପୃ ୯୧୩୬) ଏବଂ ପ୍ରହରାଜ ବିଶୁଦ୍ଧ ଭାଷା ପ୍ରବନ୍ଧରେ ଏହାର ପ୍ରତିବାଦ କରିଥିଲେ ।

ଏହି ପ୍ରତିବାଦ ଅଧିକ ଗରୁ ରୂପରେ ପ୍ରତିଭାତ ହୋଇଥିଲା ଢଗଢମାଳି ବଚନର ମୁଖବନ୍ଧରେ । ସମାଲୋଚକମାନେ ତାଙ୍କ ବ୍ୟବହୃତ ଭାଷାକୁ ବ୍ରାହ୍ମଣିଆ, ଇତର, ଅମାର୍ଜିତ ଗ୍ରାମ୍ୟ, ମାଇପଙ୍କ କଥା ଆଦି ବିଶେଷଣରେ ଅଳଂକରଣ କରୁଥିଲେ, ମାତ୍ର ସେ ସେଥିପ୍ରତି ଆଦୌ ନିଘା ଦଉ ନ ଥିଲେ । ଶିକ୍ଷିତମାନେ ଏ ଭାଷାକୁ ହେୟ ମନେକରିପାରନ୍ତି । ୟାରି ଭିତରେ ଥାଏ ଗୋଟିଏ ଜାତିର ଯୁଗଯୁଗର ସାଇତା ବିଭବ ଏବଂ ଏଇ ଭାଷାରେ ଆପଣାକୁ ପ୍ରକାଶ କରିବା ସହଜ ନୁହେଁ, ଏକ ଗହନ କାର୍ଯ୍ୟ । ସେଥିପାଇଁ ଲୋକମାନଙ୍କ ଗହଣକୁ ଯିବାକୁ ପଡ଼େ । ଗଣ ଆଉ ଜାତିର ଯୁଗଯୁଗର ସାଇତା ବିଭବ ତାର ଅସଲ ରୂପରେ ଆତ୍ମପ୍ରକାଶ କରେ । ଆଧୁନିକତାର ନାଁରେ ଯେଉଁମାନେ ନୂଆଭାଷାଟି ଭିତରେ କିଛି କିଛି ପାଇବାର ଆଶା ନେଇ ନିଜ ନିଜକୁ ବେଶ କରନ୍ତି, ସେମାନେ ସେ ଭାଷାର ବାଗ ଓ ଭାବକୁ ଅନୁଭବ କରିବା ସମ୍ଭବ ନୁହେଁ । କାରଣ ଭାଷାର ବ୍ୟବହାର ରୂପ ସବୁକିଛି ନୁହେଁ । ତା ଭିତରେ ପରମାଣୁ ରୂପରେ ଅନେକ କିଛି ଥାଏ । ସେଇ ସଞ୍ଚିତ ବିଭବ ଭିତରେ ବିଦେଶୀ ଜଣେ ବୁଡ଼ିଯିବା ଏତେ ସହଜ ନୁହେଁ । (ଢଗଢମାଳି ବଚନ-୧ମ ଭାଗ, ଅବତରଣିକା-୧, ୪, ୧୦,୧୫ ପୃଷ୍ଠା ) ଗୋପାଳ ପ୍ରହରାଜ ଜଣେ ସମଝ୍‌ଦାର, ପୋଖତ, ଭାଷାବିଜ୍ଞାନୀ ପରି ଶବ୍ଦ ଆବରଣକୁ ନିରାବରଣ କରି ତାର ଭାବ ଓ ବାଗକୁ ଖୋଜିବାକୁ ଚେଷ୍ଟା କରିଥିଲେ । ଶ୍ରଦ୍ଧାଶୀଳ ହୃଦୟନେଇ ଆପଣାର ସୃଷ୍ଟିସମ୍ଭାରକୁ ସମୃଦ୍ଧ କରିଥିଲେ ।

ଶବ୍ଦ ପରି ଭାଷାର ବ୍ୟାକରଣକୁ ଗବେଷକର ଆକ୍ଷି ନେଇ ମୂଲ୍ୟାୟନ କରିବାର ଶକ୍ତି ମଧ୍ୟ ତାଙ୍କର ଥିଲା । ଭାଗବତ ଟୁଙ୍ଗୀରେ ସଂଧ୍ୟା, ଦୁନିଆର ହାଲ୍‍ଚାଲ୍‍ ଓ ବାଈନାନୀର ବୁଜୁଳୀର କେତେକ ସ୍ଥଳରେ ଓଡ଼ିଆ ବ୍ୟାକରଣ, ବଚନ, ସନ୍ଧି, ଲିପିସଂସ୍କାର (ଦୁ. ହା-ପୃ ୧୬୦) ଓ ଧାରତାବନ୍ଧାର ପୁଞ୍ଜିପାଠରେ ଲିଙ୍ଗ, ସମାସ ଆଦି ବିଷୟରେ ନିଜର ଦୃଷ୍ଟିଭଙ୍ଗୀକୁ ଉପସ୍ଥାପନ କରୁଥିଲେ ଏବଂ ଆପଣାର ସ୍ୱାଭାବିକ ଶୈଳୀରେ, ‘‘ଓଡ଼ିଆ ବ୍ୟାକରଣର ତ ମାବାପା ନାହିଁ, ତାର ମାବାପା, ସାର୍ଟିଫିକେଟ୍‌ ପ୍ରାପ୍ତ ମହାଫିସ୍ ହେଲେ ଆଧୁନିକ ସଭ୍ୟ ଲେଖକମାନେ, ସେମାନେ ଓଡ଼ିଆରେ ଯାହା ବିଳିବିଳୋଉଛନ୍ତି, ତାହା ହେଉଛି ବେଦର ଗାର । ସେହି କେତେଜଣ ଓଡ଼ିଆଭାଷାର କ୍ଷମତାପ୍ରାପ୍ତ ମହାଫିସ୍ ସ୍ତ୍ରୀଲିଙ୍ଗର ମନର ରକ୍ଷା ଲାଗି ଉପରୋକ୍ତ ନଜିର୍‌ର ଦ୍ୱାହିଦେଇ ହସୁରୀମୁହୀଁ, ଜଳଜଳୀ ମୁହୀଁ ଓ ଲେଫଡ଼ି ମୁହୀଁ ଶବ୍ଦ ପ୍ରୟୋଗ କରନ୍ତୁ’’ ବୋଲି ଉଲ୍ଲେଖ କରିଥିଲେ ଏବଂ ବେଶ୍ ରସିକତାପୂର୍ଣ୍ଣ ରୀତିରେ ଶବ୍ଦଗୁଡ଼ିକର ବ୍ୟାଖ୍ୟା ଆଳରେ ଅନ୍ୟମାନଙ୍କୁ ପରିହାସ କରିଥିଲେ । (ଧା. ବଂ. ଫୁ-ବା. ନା. ବୁ. ପୃ ୫୩) ଭାଷାକୋଷର ସଂକଳନ କାଳରେ ମଧ୍ୟ ଉଚ୍ଚାରଣ ଓ ଲିଖନକୁ ଆଧାର କରି ଯେଉଁ ଗୁରୁସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଥିଲେ ତାର ସମାଧାନ ପାଇଁ ପାଠକମାନଙ୍କର ମତାମତ ଆଶା କରୁଥିଲେ । ଭାଷାଶାସ୍ତ୍ରର ବୈଜ୍ଞାନିକ ପଦ୍ଧତି ଉପରେ ତାଙ୍କ ଶବ୍ଦପ୍ରୟୋଗ ଓ ବିଶ୍ଳେଷଣର ବିଚାରଧାରା ନିର୍ଭରଶୀଳ ଥିଲା । (ଓଡ଼ିଆ ଭାଷାର କେତେକ ବିଭ୍ରାଟ- ନ. ଭା. -୧ମ ବର୍ଷ ୪ର୍ଥ ସଂଖ୍ୟା -ପୃ୩୦୫/୩୦୬)

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ-ସ୍ରଷ୍ଟା ହୃଦୟର ଶ୍ରଦ୍ଧାଶୀଳ ଅବରୋଧର ବିଜ୍ଞାନସମ୍ମତ ପରିପ୍ରକାଶ । ଏକ ଖାଣ୍ଟି ଓଡ଼ିଆ ଶବ୍ଦକୋଷ ସଂକଳନ କରିବାପାଇଁ ୧୯୧୩ ମସିହାରେ ପ୍ରହରାଜଙ୍କ ମନରେ ପ୍ରଥମ ତରଙ୍ଗ ସୃଷ୍ଟିକରିଥିଲେ କଟକ କଲେଜିଏଟ୍ ସ୍କୁଲର ତାତ୍‌କାଳିକ ପ୍ରଧାନଶିକ୍ଷକ ହଣ୍ଡରସନ୍ ସାହେବ । ତାଙ୍କ ପୂର୍ବରୁ ଆମସ୍ ସଟନ୍‌ଙ୍କ ଓଡ଼ିଆ ଭାଷାର୍ଥଭିଧାନ, ଜଗନ୍ନାଥ ରାଓଙ୍କ ଉତ୍କଳ ଅଭିଧାନ, ମଧୁସୂଦନ ରାଓଙ୍କ ସୁଖବୋଧ ଅଭିଧାନ ଓ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ଶବ୍ଦତତ୍ତ୍ୱବୋଧ ଅଭିଧାନ ପରି କେତେଗୋଟି ରୁଚିପୂର୍ଣ୍ଣ କୋଷଗ୍ରନ୍ଥ ସଂକଳିତ ହୋଇଥିଲା । ପଣ୍ଡିତ ଗୋପୀନାଥଙ୍କ ଅଭିଧାନଟି ଥିଲା ଏଗୁଡ଼ିକ ମଧ୍ୟରେ ଅଧିକ ଉପାଦେୟ, ମାତ୍ର ଗ୍ରନ୍ଥଗୁଡ଼ିକରେ ଖାଣ୍ଟି ଓଡ଼ିଆ ଶବ୍ଦର ଅଭାବ ପ୍ରହରାଜଙ୍କ ବୀଜବପନ କରିଥିଲେ ଏବଂ ତାହା କ୍ରମଶଃ ଅଙ୍କୁରିତ, ପଲ୍ଲବିତ ଓ କୁସୁମିତ ହେବାରେ ଲାଗିଲା । ସେ ଶବ୍ଦଭୂମିରେ ମୁଣ୍ଡ ଗୁଞ୍ଜିଦେଲେ । ତାଙ୍କ ଜୀବନ ଧାରାର ଗତି ଅଲଗା ମୋଡ଼ନେଲା ।

ସଂସ୍କୃତ, ତତ୍‌ସମ ଓ ତତ୍‌ଭବ ଶବ୍ଦ ସଂଗ୍ରହ କରିବା ପ୍ରହରାଜଙ୍କ ପକ୍ଷେ ବିଶେଷ କଷ୍ଟକର ନ ଥିଲା । ସେତେବେଳକୁ କେତୋଟି ମୂଲ୍ୟବାନ୍ ସଂସ୍କୃତ କୋଷଗ୍ରନ୍ଥ ମଧ୍ୟ ସଙ୍କଳିତ ହୋଇସାରିଥିଲା । ଜର୍ମାନ, ଇଂଲଣ୍ଡ ଓ ଭାରତର ପଣ୍ଡିତମାନେ ପ୍ରାଚ୍ୟବିଦ୍ୟାର ଲୁପ୍ତତତ୍ତ୍ୱର ଉଦ୍ଧାର ଓ ସେଗୁଡ଼ିକର ଗବେଷଣା କାର୍ଯ୍ୟରେ ଅନୁବ୍ରତୀ ଥିଲେ । ଓଡ଼ିଆ ଭାଷାରେ ସଙ୍କଳିତ ଜଗନ୍ନାଥ ଓ ଗୋପୀନାଥଙ୍କ ଅଭିଧାନ ଦୁଇଟିରେ ସଂସ୍କୃତ ଶବ୍ଦର ପ୍ରାଚୁର୍ଯ୍ୟ ମଧ୍ୟ କମ୍‌ ନ ଥିଲା । ଶବ୍ଦଗୁଡ଼ିକର ପ୍ରୟୋଗବିଧି ଉପସ୍ଥାପନ କରିବା ଲାଗି ସେମାନେ ଆଦୌ କୃପଣ ନ ଥିଲେ । ସଂସ୍କୃତ, ପ୍ରାକୃତ ଓଡ଼ିଆ ସାହିତ୍ୟରେ ପ୍ରକାଶିତ ଓ ଅପ୍ରକାଶିତ ଗ୍ରନ୍ଥର ଉଦ୍ଧୃତିରେ, କୋଷଗ୍ରନ୍ଥଗୁଡ଼ିକ ସମୃଦ୍ଧ ଥିଲା । ତଥାପି ପ୍ରକାଶିତ ଓ ଅପ୍ରକାଶିତ ବହୁ ସଂସ୍କୃତ ଓ ଓଡ଼ିଆ ଗ୍ରନ୍ଥ, ପୋଥିପତ୍ର ତାଙ୍କୁ ଓ ତାଙ୍କ ସହଯୋଗୀମାନଙ୍କୁ ପଢ଼ିବାକୁ ପଡ଼ିଥିଲା । ଶବ୍ଦଗୁଡ଼ିକ ଉତ୍ପତ୍ତି, ପ୍ରୟୋଗବିଧି ସଂକ୍ରାନ୍ତୀୟ ତଥ୍ୟଗୁଡ଼ିକୁ ସେମାନେ ଅଧ୍ୟୟନ କାଳରେ ସଂଗ୍ରହ କରିନେଉଥିଲେ । କ୍ରମଶଃ ଅଧିକରୁ ଅଧିକ ଗ୍ରନ୍ଥ, ପତ୍ରପ୍ରତିକା ପ୍ରକାଶିତ ହେଉଥିଲା । ପାଣ୍ଡୁଲିପି ଲୋକଲୋଚନକୁ ଆସୁଥିଲା ଏବଂ ସଂଗୃହୀତ ଶବ୍ଦର ସଂଖ୍ୟା ବଢ଼ିବଢ଼ି ଚାଲିଥିଲା ।

ମାତ୍ର ପ୍ରହରାଜଙ୍କ ପ୍ରଧାନ ଉଦ୍ଦେଶ୍ୟ ଥିଲା, ଓଡ଼ିଆ ପୁଅର ମୁଖରଭାଷା ସଂଗ୍ରହ କରିବା-। ଅଭିଧାନର ମୁଖବନ୍ଧରେ ସେ ସ୍ପଷ୍ଟଭାବରେ ଉଲ୍ଲେଖ କରିଥିଲେ, ‘‘ମୁଁ ଚିରଦିନ ସରଳ, ଖାଣ୍ଟି ଓଡ଼ିଆ ଶବ୍ଦ ବ୍ୟବହାରର ପକ୍ଷପାତୀ । ମୋ ଭାଷାରେ ଅବୋଧ୍ୟ ଓଡ଼ିଆ ଶବ୍ଦ ମୁଁ ଯଥାଶକ୍ତି ବର୍ଜନ କରିଥାଏ । ଅବଶ୍ୟ ଭାବପ୍ରକାଶରେ ଖାଣ୍ଟି ଓଡ଼ିଆ ଶବ୍ଦର ଅଭାବ ଦେଖିଲେ ମୁଁ ଯଥାସମ୍ଭବ ସରଳ ସଂସ୍କୃତ ଶବ୍ଦ ବ୍ୟବହାର କରେ । ମାତ୍ର ଇଚ୍ଛାକରି ଶବ୍ଦଆଡ଼ମ୍ଭରମୟ କରିବାକୁ ବା ରଚନାରୀତିକୁ ବାଗ୍‌ବହୁଳ କରିବାକୁ ସଂସ୍କୃତ ଶବ୍ଦ ପ୍ରୟୋଗ କରେନାହିଁ । (ପୂ. ଓ ଭା. ୧ମ ଖଣ୍ଡ-ମୁଖବନ୍ଧ ୭ଅଣା) ଏପରି ଶବ୍ଦସଂଗ୍ରହ ଆଦୌ ସହଜ କଥା ନୁହେଁ । ସାହିତ୍ୟରେ ବ୍ୟବହୃତ ଶବ୍ଦଗୁଡ଼ିକୁ ସଂଗ୍ରହ କରିବାପାଇଁ ନିର୍ଭରଯୋଗ୍ୟ ଉପାଦାନ ଓ ସହଜମାର୍ଗ ରହିଛି । ମାତ୍ର ବିଭିନ୍ନ ଅଞ୍ଚଳର ସାଧାରଣ ଅଶିକ୍ଷିତ ଜନତା ନିଜର ଉଚାରଣର ସୁବିଧା ଦୃଷ୍ଟିରୁ ଶବ୍ଦଗୁଡ଼ିକୁ ଯେଉଁପରି ବିଚିତ୍ରବାଗରେ ଉଚାରଣ କରେ, ସେସବୁର ବୈଚିତ୍ର୍ୟ ସଂପର୍କରେ ସଚେତନ ହେବାକୁ ହେଲେ ନିର୍ଦ୍ଦିଷ୍ଟ ଭାଷାଭାଷୀ ଅଞ୍ଚଳ ବୁଲି ସେଗୁଡ଼ିକ ସଂପର୍କରେ ନୋଟ୍‌ ପ୍ରସ୍ତୁତ କରିବାର ଆବଶ୍ୟକତା ଥାଏ । ଏଥିପାଇଁ ଅବଶ୍ୟ ବିଭିନ୍ନ ଅଞ୍ଚଳର ଶବ୍ଦସଚେତନ ବ୍ୟକ୍ତ୍ୟିବିଶେଷ ତଥା ବିଦ୍ୱାନମାନଙ୍କର ସାହାଯ୍ୟ ନିଆଯାଇପାରେ । ମାତ୍ର ଏହା ସତ୍ତ୍ୱେ ଏକ ଜୀବନ୍ତ ଭାଷାର ସମସ୍ତ ଶବ୍ଦସଂଗ୍ରହ ସମ୍ଭବ ନୁହେଁ । ୧୯୧୩ ରୁ ୧୯୧୯ ମସିହା ପର୍ଯ୍ୟନ୍ତ ପ୍ରହରାଜ ଆପଣାର ବିଚାରଧାରା ଓ ଯୋଜନାକୁ ରୂପ ଦେବାକୁ ବାହାରି ପଡ଼ିଲେ । ଓକିଲାତି ତଥା ଅନ୍ୟାନ୍ୟ କାର୍ଯ୍ୟରେ ତାଙ୍କୁ ବିଭିନ୍ନ ଜାଗା ଯିବାକୁ ପଡ଼ିଥିଲା । ଯେଉଁଠି ଯାହା ପାଖରୁ ଯେମିତି ଶବ୍ଦଟିଏ ଶୁଣୁଥିଲେ, ତାଙ୍କୁ ଅବିକଳ ଭାବରେ ନିଜ ପକେଟ୍‌ରେ ଥିବା ଛୋଟ ଟିପା ଖାତାରେ ଲେଖି ରଖୁଥିଲେ । ରାସ୍ତାଘାଟ, ମେଳାମଉଚ୍ଛବ, ରାଜା ପରିବାର, ସବୁଠି ସବୁଲୋକଙ୍କ ପାଖରେ ନିଜକୁ ଭିକାରୀ ବେଶରେ ଠିଆ କରୁଥିଲେ । ଶବ୍ଦର ଅର୍ଥ ସେମାନଙ୍କ ମୁହଁରେ ସଂଗ୍ରହ କରୁଥିଲେ । ଗୋଟିଏ ଗୋଟିଏ ଶବ୍ଦକୁ ବିଭିନ୍ନ ଅଞ୍ଚଳ ଓ ପାଟକ ବା ଜାତିର ଲୋକେ ଯେଉଁ ବିଚିତ୍ରଭଙ୍ଗୀରେ ଉଚ୍ଚାରଣ କରୁଥିଲେ, ସେଗୁଡ଼ିକ ମଧ୍ୟ ଯତ୍ନର ସହିତ ସାଇତି ରଖୁଥିଲେ । ଗଉଡ଼, କମାର କୁମ୍ଭାର, କେଉଟ, ବ୍ରାହ୍ମଣ, ତନ୍ତୀ, ଚଷା, କରଣ, ତେଲୀ ତଥା ତଥାକଥିତ ଅଚ୍ଛବଜାତିର ଲୋକମାନଙ୍କଦ୍ୱାରା ସ୍ୱତନ୍ତ୍ର ଭାବରେ ବ୍ୟବହୃତ ଶବ୍ଦଗୁଡ଼ିକୁ ମଣିମାଣିକତୁଲ୍ୟ ସେ ଜ୍ଞାନ କରୁଥିଲେ । କୌଣସି ଗୋଟିକୁ ହେୟ ମଣୁ ନ ଥିଲେ । ଶବ୍ଦସଂଗ୍ରହର ଏଇ ଆର୍ଦଶକୁ ସେ ପରିପାଳନ କରିଥିଲେ ମୃତ୍ୟୁ ପର୍ଯ୍ୟନ୍ତ । ତାଙ୍କୁ ଆନ୍ତରିକଭାବରେ ସାହାଯ୍ୟ କରିଥିଲେ ରମ୍ପେଲାର ଭକ୍ତଚରଣ ପ୍ରତି, ସମ୍ବଲପୁରର ଗୋପୀନାଥ ଶତପଥୀ, ଗଙ୍ଗପୁରର ଚୂଡ଼ାମଣି ନାୟକ ଓ ନଟବର ପାଣ୍ଡେ, ମେଦିନିପୁରର ରାଧାନାଥ ପତି, ସିଂହଭୂମିର କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଜୟପୁରର ବିକ୍ରମଦେବ ବର୍ମା, ଗଞ୍ଜାମର ଜୟକୃଷ୍ଣ ଚ୍ୟାଉପଟ୍ଟନାୟକ, ବାଲୁଗାଁର ଡାକ୍ତର ରାଧାଚରଣ ପଣ୍ଡା, ନୟାଗଡ଼ର ଗୋଦାବରୀଶ ମହାପାତ୍ର, ରାୟବାହାଦୁର ଅଜୟ ଚନ୍ଦ୍ର ଦାସ, କଟକ ବ୍ୟାପ୍‌ଟିଷ୍ଟ ମିସନାରୀ ପାଦ୍ରୀ ହାବେଲ ସାହେବ ଓ ଅନ୍ୟମାନେ । ଏ ପ୍ରସଙ୍ଗରେ ନିଜର ଦାରିଦ୍ର୍ୟ ସଂକ୍ରାନ୍ତରେ ସୂଚନା ଦେବାକୁ ସେ ପ୍ରକାଶ କରିଛନ୍ତି- ‘‘ବହୁ ସହସ୍ର ଶବ୍ଦ ମୁଁ ଯୋଗ କରିପାରିଲି ନାହିଁ ବୋଲି ମୋର ଗଭୀର କ୍ଷୋଭ ରହିଗଲା । ସମୟ ଅଭାବରୁ, ଧନ ଅଭାବରୁ, ଉପଯୁକ୍ତ କର୍ମୀ ଓ ପୁସ୍ତିକାଗାର ଅଭାବରୁ ବହୁ ସହସ୍ର ଘରୋଇ ଶବ୍ଦ, ଦେଶାଂଶ ପ୍ରଚଳିତ ଶବ୍ଦ, ଭିନ୍ନ ଭିନ୍ନ ବ୍ୟବସାୟ ଓ ସମାଜ ପ୍ରଚଳିତ ଶବ୍ଦବିଜ୍ଞାନ ଓ କଳାର ନାନା ପାରିଭାଷିକ ଶବ୍ଦ ମୁଁ ସଂଗ୍ରହ କରିପାରିଲି ନାହିଁ । x x x ଉତ୍କଳଭାଷୀ ଅଞ୍ଚଳର ପୁରପଲ୍ଲୀମାନ ବୁଲିପାରିଲି ନାହିଁ x x x ଉତ୍କଳ ଭାଷା ଅଞ୍ଚଳରେ ଘରେ ଘରେ ଠାଏଁ ଠାଏଁ ସାଇତା ହୋଇ ପୋକ ଖାଉଥିବା, ଉଇ ଧରୁଥିବା ସହସ୍ର ସହସ୍ର ପୁରାଣପୋଥି ଦେଖିପାରିଲି ନାହିଁ । ଗଞ୍ଜାମ ଓ ବିଶାଖାପାଟଣା ଅଞ୍ଚଳରେ ଓଡ଼ିଆମାନଙ୍କଦ୍ୱାରା ବ୍ୟବହୃତ ଶବ୍ଦମାନଙ୍କ ଉପରେ ତେଲୁଗୁମାନଙ୍କର ପ୍ରଭାବ ଓ ବସ୍ତର ରାଜ୍ୟ ପ୍ରଚଳିତ ଉଡ଼ରୀଭାଷା ଉପରେ ମରହଟ୍ଟୀ ଭାଷାର ପ୍ରଭାବ ଦେଖାଇ ପାରିଲି ନାହିଁ । x x x ନେପାଳ, ଚୀନ, ଜାଭା, ବାଲୀ ଦ୍ୱୀପ, ଶ୍ୟାମ, ବର୍ମା ଓ କାମ୍ବୋଡ଼ିଆ, ଆସାମ, ସିଂହଳ ଆଦି ଦେଶମାନ ପୁରାକାଳରେ ଯେଉଁ ଓଡ଼ିଆ (କଳିଙ୍ଗ) ସଂତ୍ସବରେ ଆସିଥିଲା, ସେ ଦେଶମାନଙ୍କର ଭାଷାରେ ଓଡ଼ିଆ ଭାଷା କି ଚିହ୍ନ ଛାଡ଼ିଯାଇଛି, ଏହା ସ୍ଥିର କରିପାରିଲି ନାହିଁ ।’’ (ପୂ. ଓ. ଭା. ୨ୟ ଖଣ୍ଡ ମୁଖବନ୍ଧ ୬ ଅଣା)

ଭାଷାକୋଷରେ ବିଭିନ୍ନ ପାଟକର ଲୋକମାନଙ୍କଦ୍ୱାରା ବ୍ୟବହୃତ ଶବ୍ଦର ସଂଖ୍ୟା ପ୍ରାୟ ପାଞ୍ଚହଜାରରୁ ଅଧିକ । ଏତଦ୍‌ବ୍ୟତୀତ ସାନ୍ତାଳୀ, କନ୍ଧ, କୋହ୍ଲ, ଦ୍ରାବିଡ଼ ଆଦି ଆଦିବାସୀ ଭାଷା ସହିତ ଉତରୀ, ଲରିଆ, ସମ୍ବଲପୁରୀ, ଚାଲିଶଗଡ଼ି ଆଦି ଓଡ଼ିଆଭାଷାର ଔପଭାଷିକ ଶବ୍ଦ ମଧ୍ୟ ସ୍ଥାନ ପାଇଛି । ମାତ୍ର ସଂକଳିତ ଶବ୍ଦଗୁଡ଼ିକ ବ୍ୟତୀତ ଆପଣାର ଟିପାଖାତାରେ ‘ଢ’ ଓ ‘ତ’ ଅକ୍ଷରାଦି ପ୍ରାୟ ପାଞ୍ଚହଜାର ଦେଶାଂଶ-ପ୍ରଚଳିତ, ବ୍ୟବସାୟିକ, ଗ୍ରାମ୍ୟ ଓ ବୈଜ୍ଞାନିକ ଶବ୍ଦ ଅମୁଦ୍ରିତ ଅବସ୍ଥାରେ ରହିଯାଇଥିବା କଥା ସେ ପ୍ରକାଶ କରିଛନ୍ତି । ଏପରିକି ବଙ୍ଗ, ବିହାର, ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ଓଡ଼ିଆ ଗଡ଼ଜାତମାନଙ୍କରେ କନ୍ଦିବିକନ୍ଦି ଖୋଜିଲେ ଅନ୍ତତଃ ଦଶହଜାର ପ୍ରାଦେଶିକ, ଦେଶାଂଶ-ପ୍ରଚଳିତ ଗ୍ରାମ୍ୟ, ପ୍ରାଚୀନ, ବୈଜ୍ଞାନିକ ଓ ବ୍ୟାବହାରିକ ଶବ୍ଦ ସଂଗୃହୀତ ହୋଇପାରିବ ଏବଂ ତାଙ୍କ ନିକଟରେ ଅନ୍ୟୂନ ୧୫ ହଜାର ଶବ୍ଦ ସଂଗୃହୀତ ହୋଇ ରହିଛି ବୋଲି ସେ ପ୍ରକାଶ କରିଥିଲେ । (ପୂ. ଓ. ଭା.-୭ମ ମୁଖବନ୍ଧ ୨ଅଣା) ଈଶ୍ୱରଙ୍କ ଅନୁକମ୍ପା ଥିଲେ ପରିଶିଷ୍ଟ ଖଣ୍ଡରେ ସେଗୁଡ଼ିକ ମୁଦ୍ରିତ କରିବାର ଭରସା ବି ରଖିଥିଲେ । ମାତ୍ର ତାଙ୍କ ସ୍ୱପ୍ନ ଜୀବଦ୍ଦଶାରେ ସଫଳ ହୋଇ ନ ଥିଲା ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସଂଗୃହୀତ ଶବ୍ଦଗୁଡ଼ିକ ସଂରକ୍ଷଣ ଓ ଯୋଗ୍ୟ ଉତ୍ତରାଧିକାରୀ ଅଭାବରୁ ନଷ୍ଟ ହୋଇଗଲା । ଶବ୍ଦସଂଗ୍ରହ କାର୍ଯ୍ୟରେ ପ୍ରହରାଜ କେତେ ସଚେତନ ଓ କର୍ତ୍ତବ୍ୟନିଷ୍ଠ ଥିଲେ ତାହା ଉପର୍ଯ୍ୟୁକ୍ତ ଉଦ୍ଧୃତିଗୁଡ଼ିକରେ ସ୍ପଷ୍ଟ ହୋଇଯାଏ ।

୧୯୧୩ ରୁ ୧୯୧୯ମସିହା ପର୍ଯ୍ୟନ୍ତ ସାତବର୍ଷ ମଧ୍ୟରେ ଶବ୍ଦଗୁଡ଼ିକ ସଂଗୃହୀତ ହୋଇଥିଲା । ସଂକଳନ କାର୍ଯ୍ୟ ଆରମ୍ଭ ହୋଇଥିଲା ତା ୩-୧୦-୧୯ ମସିହାରେ ଏବଂ ସଜ୍ଜୀକରଣ କାର୍ଯ୍ୟ ଚାଲିଥିଲା୧୯୨୭ ମସିହା ପର୍ଯ୍ୟନ୍ତ । ସେହିବର୍ଷ ପାଣ୍ଡୁଲିପି ପ୍ରସ୍ତୁତିର ପ୍ରାଥମିକ କାର୍ଯ୍ୟ ସରିଗଲା ପରେ ଏହାର ସମାର୍ଜନ ବା ସାପିକାର୍ଯ୍ୟ ଆରମ୍ଭ ହେଲା ୧୯୨୮ ମସିହାରେ । ଏ କାର୍ଯ୍ୟରେ ଦୁଇଜଣ ଓଡ଼ିଆଭାଷାଅଭିଜ୍ଞ ପଣ୍ଡିତ, ଦୁଇଜଣ ଅଣ୍ଡର୍ ଗ୍ରାଜୁଏଟ୍, ଦୁଇଜଣ ସଂସ୍କୃତିଭାଷା ଓ ସାହିତ୍ୟର ବିଦ୍ୱାନ ଏବଂ ପୀତମ୍ୱରୀ ଦେବୀ ତାଙ୍କୁ ସାହାଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ ପଣ୍ଡିତ କୁଳମଣି ଦାସ କାବ୍ୟତୀର୍ଥ, କୃଷ୍ଣଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ରଥ, ନରସିଂହ ମହାପାତ୍ର, କବି ଗୋଲକଚନ୍ଦ୍ର ପ୍ରଧାନ, ନାରୀକବି ଅପର୍ଣ୍ଣା ଦେବୀ, ରାଧାନାଥ ରଥ, ଶଶିଭୂଷଣ ରଥ, ଔପନ୍ୟାସିକ ରାମଚନ୍ଦ୍ର ଆଚାର୍ଯ୍ୟ, ରାଜା ବିକ୍ରମଦେବ ଶର୍ମା, ଡ଼ି. ଲିଟ୍ ଆଦିଙ୍କ ନାମ ଉଲ୍ଲେଖନୀୟ । କଟକର କଲେକ୍ଟର ସାହେବ ମାରଉଡ଼୍ ଓ ଫିଲପିସ୍, ରେଭେନ୍‌ସା କଲେଜର ଇଂରାଜୀ ବିଭାଗର ପ୍ରଫେସର ନିରଞ୍ଜନ ନିୟୋଗୀ, ଓଡ଼ିଆ ବିଭାଗର କମିସନର ଶ୍ରୀଯୁକ୍ତ ଏ. ବି. ଏଲ୍. ଓ ପଣ୍ଡିତ ସତ୍ୟଶଙ୍କର ମୁଖାର୍ଜୀ ବଙ୍ଗଳା, ପଣ୍ଡିତ ସୁରେଶ ଚନ୍ଦ୍ର ଝା ଓ ରାମଲୋଚନ ଶରଣ ହିନ୍ଦୀ ଶବ୍ଦଗୁଡ଼ିକର ଶୁଦ୍ଧ ପାଠ ନିର୍ଣ୍ଣୟ କରୁଥିଲେ । ଓଡ଼ିଆ ଭାଷାସଂକ୍ରାନ୍ତୀୟ ସମସ୍ୟାଗୁଡ଼ିକର ସମାଧାନ କରୁଥିଲେ ଆର୍ତ୍ତବଲ୍ଲଭ ମହାନ୍ତି, ଅଗଣି ଦାସ, ପଣ୍ଡିତ କୁଳମଣି ଦାଶ, ଭିକାରୀ ଚରଣ, ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ସେନଗୁପ୍ତ, ଚିନ୍ତାମଣି ମହାନ୍ତି ଓ ପ୍ରୁଫ୍ ସଂଶୋଧନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ବାଗ୍ମୀ ବିଶ୍ୱନାଥ କର, ପଦ୍ମଚରଣ ଦାଶ, ରାମଚନ୍ଦ୍ର ରଥ, କୁଳମଣି ଦାଶ, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ କୃଷ୍ଣଚନ୍ଦ୍ର କରଙ୍କ ପରି ବିଦ୍ୱାନବୃନ୍ଦ । ଗ୍ରନ୍ଥର ତ୍ରୁଟିଶୂନ୍ୟ ମୁଦ୍ରଣ ନିମୀତ୍ତ ଏହା ମୁଦ୍ରିତ ହେଉଥିଲା ବିଶ୍ୱନାଥ କରଙ୍କ ପ୍ରତ୍ୟକ୍ଷ ଏବଂ ରାମଚନ୍ଦ୍ର ରଥଙ୍କ ପରୋକ୍ଷ ତତ୍ତ୍ୱାଧାନରେ ଉତ୍କଳ ସାହିତ୍ୟ ପ୍ରେସ୍‌ରେ । ୧୯୩୫ ମସିହାରେ ବାଗ୍ମୀ କରଙ୍କ ମୃତ୍ୟୁ ଘଟିବାରୁ ଏ କ୍ଷେତ୍ରରେ ପ୍ରହରାଜଙ୍କୁ ଅଧିକ ସଚେତନ ହେବାକୁ ପଡ଼ିଥିଲା ଏବଂ ପରେ କୃଷ୍ଣଚନ୍ଦ୍ର କର ହିଁ ତାଙ୍କୁ ମାନସିକ ସନ୍ତୁଳନରୁ ମୁକ୍ତି ଦେଇଥିଲେ । ମାତ୍ର ଅନ୍ୟମାନଙ୍କ ଉପରେ ଭାଷାକୋଷର ଦାୟିତ୍ୱ ପୂର୍ଣ୍ଣଭାବରେ ଦେଇ ପାରୁ ନ ଥିଲେ । ଶବ୍ଦସଂଗ୍ରହଠାରୁ ଆରମ୍ଭ କରି, ସଜ୍ଜୀକରଣ, ଅର୍ଥଲିଖନ, ସମାର୍ଜନ ଓ ବନ୍ଧେଇ ହେବା ପର୍ଯ୍ୟନ୍ତ ସବୁକାମ ସେ ନିଜେ ତଦାରଖ କରୁଥିଲେ । ଭାଷାକୋଷର ମେରିଖୁଣ୍ଟରେ ସେ ବେଙ୍ଗଳା ବୁଲୁଥିଲେ ଗୋଟିଏ ଦିନରେ ପ୍ରାୟ ଅଠରଘଣ୍ଟା । ଅୟସ, ମଉଜ ମଜ୍‌ଲିସ୍, ଅର୍ଥ-ଉପାର୍ଜନ ସବୁକିଛିକୁ ସେ ମହାନଦୀକୁ ଫୋପାଡ଼ି ଦେଇଥିଲେ । (ଭା. ପା. ସ.-୪-ଉ. ସା)

ଭାଷାକୋଷ ଏକ ଚାତୁର୍ଭାଷିକ ଅଭିଧାନ ହେଇଥିବାରୁ ଏଥିରେ ହିନ୍ଦି, ବଙ୍ଗଳା ଓ ଇଂରେଜୀ ଭାଷାର ପଣ୍ଡିତମାନେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ । ଗ୍ରନ୍ଥରେ ସଂଯୋଜିତ ଓଡ଼ିଆ ଶବ୍ଦଗୁଡ଼ିକରୁ ହିନ୍ଦୀ, ବଙ୍ଗଳା ଓ ଇଂରେଜୀ ଲିପିର ଉଲ୍ଲେଖ କରାଯିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ପାରିଭାଷିକ ଅର୍ଥସଂକ୍ରାନ୍ତରେ ମଧ୍ୟ ତାଙ୍କୁ ସୂଚନା ଦେବାକୁ ପଡ଼ୁଥିଲା । ପ୍ରାୟ ପ୍ରତ୍ୟେକ ଶବ୍ଦକୁ ଇଂରାଜୀ ଲିପିରେ ଲେଖାଯିବା ସଙ୍ଗେ ସଙ୍ଗେ, ସେ ସମସ୍ତର ପାରିଭାଷିକ ଅର୍ଥ ପ୍ରଦତ୍ତ ହୋଇଥିଲେ ସୁଦ୍ଧା, ଅନ୍ୟ ଦୁଇଟି ଭାଷା ପ୍ରତି ସମାନରୀତି ଅନୁସୃତ ହୋଇନାହିଁ । ଉପର୍ଯ୍ୟୁକ୍ତ ଭାଷା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାର ପାରିଭାଷିକ ଶବ୍ଦ ଉଲ୍ଲେଖ କରିବା ପାଇଁ ସଂକଳକ ଆଶାପୋଷଣ କରିଥିଲେ । ମାତ୍ର ଶ୍ରମ, ସମୟ, ତଦ୍‌ବିଦ ଓ ଅର୍ଥ ଅଭାବରୁ ପ୍ରହରାଜଙ୍କର ଏ ଆଶା ଦୁରାଶାରେ ପରିଣତ ହୋଇଯାଇଥିଲା । ମାତ୍ର ଭାଷାକୋଷକୁ ଚାତୁର୍ଭାଷିକ ନ କରି, ଓଡ଼ିଆ-ବଙ୍ଗଳା, ଓଡ଼ିଆ-ହିନ୍ଦୀ, ଓଡ଼ିଆ-ଇଂରାଜୀ ଭେଦରେ ତିନିଗୋଟି ସ୍ୱତନ୍ତ୍ର ଗ୍ରନ୍ଥଭାବରେ ସଂକଳନ କରିଥିଲେ, ସାଧାରଣ ଜନତା ଏହାଦ୍ୱାରା ଅଧିକ ଉପକୃତ ହୋଇପାରଥାନ୍ତେ ବୋଲି କେତେକ ଗବେଷକ ମତପ୍ରକାଶ କରିଥାନ୍ତି । କାରଣ ଗ୍ରନ୍ଥର ବିରାଟ କଳେବର ଓ ମୂଲ୍ୟ ସାଧାରଣ ଜନତା ମତରେ ଭୟ ସୃଷ୍ଟି କରେ । ମାତ୍ର ତାହା ଭିନ୍ନଭିନ୍ନ ଖଣ୍ଡରେ ପ୍ରକାଶିତ ହୋଇଥିଲେ, ଭାଷାକୋଷର ମହତ୍ତ୍ୱ କ୍ଷୁଣ୍ଣ ହୋଇଥାନ୍ତା । ବିଶ୍ୱ ଦରବାରରେ ଏକ ଉଲ୍ଲେଖନୀୟ କାଳଜୟୀକୃତି ଭାବରେ ସ୍ୱୀକୃତ ହୋଇନଥାନ୍ତା ।

ପୁନଶ୍ଚ ଭାଷାକୋଷର ଷଷ୍ଠ ଓ ସପ୍ତମ ଭାଗ ଗୋଟିଏ ଗୋଟିଏ ଜ୍ଞାନକୋଷ ରୂପପାଇଛି । ଜ୍ଞାନ-ବିଜ୍ଞାନର ବିଭିନ୍ନ ବିଭାଗରେ ପାଣ୍ଡିତ୍ୟ ଅର୍ଜନ କରିଥିବା ତଦ୍‌ବିଦ୍‌ମାନେ ନିର୍ଦ୍ଦିଷ୍ଟବିଷୟକ ଆଲୋଚନାମାନ ପ୍ରସ୍ତୁତ କରୁଥିଲେ । ସେମାନଙ୍କ ମଧ୍ୟରେ ପଣ୍ଡିତ ବାରକୋଳି ମହାପାତ୍ର, ଜ୍ୟୋତିଷବିଶାରଦ ଜଗନ୍ନାଥ ତ୍ରିପାଠୀ, ବିକ୍ରମଦେବ ବର୍ମା, ବିଚ୍ଛନ୍ଦଚରଣ ପଟ୍ଟନାୟକ, କେଦାରନାଥ ମହାପାତ୍ର, ଜଗବନ୍ଧୁ ସିଂ, ଚନ୍ଦ୍ରଶେଖର ଦାଶ, ନାରାୟଣପ୍ରସାଦ ଷାଠିଆ, ପ୍ରଫୁଲ୍ଳଚନ୍ଦ୍ର ପଟ୍ଟନାୟକ, ବଂଶୀଧର ମହାନ୍ତି, ପଣ୍ଡିତ ରାମଚନ୍ଦ୍ର ମିଶ୍ର, ବିପିନବିହାରୀ ରାୟ, ସୁନ୍ଦରାନନ୍ଦ ବିଦ୍ୟାବିନୋଦ ମହାମହୋପଦେଶକ, ପଣ୍ଡିତ କୁଳମଣି ଦାଶ କାବ୍ୟତୀର୍ଥ, ଲକ୍ଷ୍ମୀନାରାୟଣ ସାହୁ, ବ୍ରହ୍ମଅବଧୂତ ବିଶ୍ୱନାଥ ବାବା, ଯୋଗେନ୍ଦ୍ରନାଥ ଦାଶପ୍ରମୁଖ ବ୍ୟକ୍ତିଙ୍କ ନାମ ଉଲ୍ଲେଖନୀୟ । ଗ୍ରନ୍ଥର ପ୍ରଥମଖଣ୍ଡଠାରୁ ପଞ୍ଚମଖଣ୍ଡ ପର୍ଯ୍ୟନ୍ତ ସଂକଳନ ଏହି ବିଶେଷ ଦିଗଟି ସଂକ୍ରାନ୍ତରେ ଏତେବେଶି ନିଘା ଦେଇ ନ ଥିଲେ । ସେଗୁଡ଼ିକରେ ଅବଶ୍ୟ କେତେକ ଶବ୍ଦ ସଂକ୍ରାନ୍ତରେ ଦୀର୍ଘ ଆଲୋଚନାମାନ ପ୍ରକାଶ ପାଇଛି । ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ । ସମ୍ଭବତଃ ସଂକଳକ ନିଜେ ଆଲୋଚନାଗୁଡ଼ିକ ପ୍ରସ୍ତୁତ କରୁଥିଲେ । ତେଣୁ ପ୍ରଥମ ପାଞ୍ଚଗୋଟି ଖଣ୍ଡରେ ସ୍ଥାନିତ ବିଶେଷ ଶବ୍ଦଗୁଡ଼ିକ ସଂକ୍ରାନ୍ତୀୟ ଆଲୋଚନାଗୁଡ଼ିକ ତଦ୍‌ବିଦ୍‌ମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିଲେ ଭାଷାକୋଷ ଅଧିକ ଉପାଦେୟ ହୋଇପାରିଥାନ୍ତା । ମାତ୍ର ଏ କଥା ନିଶ୍ଚିତ ଯେ, ସାତଖଣ୍ଡରେ ଭାଷାକୋଷର ମୁଣ୍ଡି ମାରିବା ସଂକଳକଙ୍କ ପକ୍ଷେ ସମ୍ଭବ ହୋଇନଥାନ୍ତା । ଅଧିକ ଅର୍ଥ ସଂଗ୍ରହ ପାଇଁ ଭିକ୍ଷାର୍ଥୀ ବେଶରେ ପୁଣି ତାଙ୍କୁ ଓଡ଼ିଶାର ରାଜଦରବାର, ଗଳିକନ୍ଦି ବୁଲିବାକୁ ପଡ଼ିଥାନ୍ତା । ତେଣୁ ପୂ. ଓ. ଭାଷାକୋଷ ଏକ ନିରୁତା ଅଭିଧାନ ଗ୍ରନ୍ଥ ନୁହେଁ, ଜ୍ଞାନକୋଷଭିତ୍ତିକ ଏକ କୋଷଗ୍ରନ୍ଥ ଏବଂ ଏହାର ଗଢ଼ଣ କାର୍ଯ୍ୟରେ ଓଡ଼ିଶା ତଥା ବାହାରର ପିଣ୍ଡମାନଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ ।

୧୯୨୮ରେ ଆରମ୍ଭ ହୋଇଥିବା ସାଫିକାର୍ଯ୍ୟ ଶେଷ ହୋଇଥିଲା ୧୯୩୦ ମସିହାରେ ଏବଂ ସେତେବେଳେ ଏହାର ଆକାର ଥିଲା ଫୁଲସ୍କେପ କାଗଜରେ ପ୍ରାୟ ୩୦,୦୦୦ ପୃଷ୍ଠାର । ୧୯୩୦ ମସିହାରେ ନମୁନାସ୍ୱରୂପ ୧୮ ପୃଷ୍ଠାର ଏକ ପୁସ୍ତିକା ଓ ଅର୍ଡ଼ର ଫର୍ମ ପ୍ରକାଶ ପାଇଲା ଏବଂ ଉକ୍ତ ପୁସ୍ତିକାଟି ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବାଣ୍ଟି ଦିଆଯାଇଥିଲା ସେମାନଙ୍କ ଅବଗତ ନିମନ୍ତେ ।

୧୯୨୭ ମସିହାରେ ଫେବୃୟାରୀ ମାସ ୨୬ ତାରିଖରେ ‘ପ୍ରାଦେଶିକ ଭାଷା ବିବର୍ଦ୍ଧନୀ ସମିତି’ (ଭର୍ଣ୍ଣାକୁଲାର ଡିଭ୍‌ଲପମେଣ୍ଟ କମିଟି)ର ପ୍ରଥମ ଅଧିବେଶନ କଟକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ସାର୍‌ଅଲି-ଇ-ମାମ୍‌ ଏବଂ ସଭାକୁ ନିମନ୍ତ୍ରିତ ହୋଇଥିଲେ ବିଶିଷ୍ଟ ଗବେଷକ ବିଜୟ ଚନ୍ଦ୍ର ମଜୁମ୍‌ଦାର । ଅଧିବେଶନରେ ‘‘ଉତ୍କଳଭାଷୀଙ୍କର ସର୍ବଜନ ବ୍ୟବହୃତ ଶବ୍ଦସମନ୍ୱିତ’’ ଏକ କୋଷଗ୍ରନ୍ଥ ସଂକଳନ ପାଇଁ ସିଦ୍ଧାନ୍ତ ନିଆଗଲା । ଏହି ସୁଯୋଗରେ ପ୍ରହରାଜ ଆପଣା ଅଭିଧାନର ପାଣ୍ଡୁଲିପିକୁ ସାହିତ୍ୟ ବିବର୍ଦ୍ଧନୀ ସଭାର କର୍ମକର୍ତ୍ତାମାନଙ୍କ ନିକଟରେ ଉପସ୍ଥାପନ କଲେ । ପାଣ୍ଡୁଲିପିଟିକୁ ପରୀକ୍ଷା କରି ରେଭେରେଣ୍ଡ ଏଚ୍‌. ଡବ୍ଳିଉ ପେକ୍‌ ଅଭିଧାନକୁ ଓଡ଼ିଆ ଭାଷା ଓ ସାହିତ୍ୟର ଏକ ମାଇଲ ଖୁଣ୍ଟି ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ । ରେଭେରେଣ୍ଡ୍‌ ପେକ୍‌ ସାହେବ କିଛି କମ୍‌ ଲୋକ ନ ଥିଲେ । ଓଡ଼ିଆ ଭାଷାରେ ତାଙ୍କର ବେଶ୍‌ ଦକ୍ଷତା ଥିଲା । ଉଇଲ୍‌କିନ୍‌ସ କଡ଼ନ୍‌ ଏସ୍‌ ଉଇଲସନ୍‌ସ ଓ ପେକ୍‌ଙ୍କ ଯୁଗ୍ମ ଉଦ୍ୟମରେ ଇଂଲିଶ୍‌ ଓଡ଼ିଆ ଡିକ୍‌ସନାରୀ ଗ୍ରନ୍ଥ କଟକ ମିଶନ ପ୍ରେସରେ ମୁଦ୍ରିତ ହୋଇ ଦୁଇଗୋଟି ଭାଗରେ ଯଥାକ୍ରମେ ୧୯୧୬ ଓ ୧୯୨୩ ମସିହାରେ ପ୍ରକାଶ ପାଇଥିଲା । ତେଣୁ ପେକ୍‌ ସାହେବଙ୍କର ଭାଷାକୋଷସଂକ୍ରାନ୍ତୀୟ ଉପର୍ଯ୍ୟୁକ୍ତ ମନ୍ତବ୍ୟକୁ ଓଡ଼ିଶାର ଭିତର ଓ ବାହାରର ପଣ୍ଡିତମାନେ ସମର୍ଥନ କଲେ ଓ ଗ୍ରହଣ କରିନେଲେ । ଶିକ୍ଷା ବିଭାଗର ନିର୍ଦ୍ଦେଶକ ଲମ୍ବର୍ଟ ସାହେବ, କାକାକାଲେକର, ବାଗ୍ମୀ ବିଶ୍ୱନାଥ କର, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ମଧ୍ୟ ପାଣ୍ଡୁଲିପି ଉଚ୍ଚପ୍ରଶଂସିତ ହୋଇଥିଲା । (ସମାଜ ତା ୨୭ । ୮। ୧୯୨୭) ଗୋପବନ୍ଧୁଙ୍କ ସହ ପ୍ରହରାଜଙ୍କ ଘନିଷ୍ଠ ସଂପର୍କ ଥିଲା । ଫାଲ୍‍ଗୁନ ପୂର୍ଣ୍ଣିମାରେ ପୂର୍ଣ୍ଣ ହୋଇଥିବାରୁ ଗୋପବନ୍ଧୁ ତା ୨୭ । ୮ । ୨୭ରିଖର ସମାଜର ସଂପାଦକୀୟରେ ‘‘ପୂର୍ଣ୍ଣମୀରେ ପୂର୍ଣ୍ଣ’’ ଶିରୋନାମାରେ ବେଶ୍‌ ଚମତ୍କାର ମନ୍ତବ୍ୟ ପ୍ରକାଶ କରିଥିଲେ । ଓଡ଼ିଶାର ସମାସାମୟିକ ପତ୍ରପତ୍ରିକା, ଉତ୍କଳସାହିତ୍ୟ, ଆଶା, ଗଡ଼ଜାତବାସିନୀ, ୟଙ୍ଗ୍‌ ଉତ୍କଳ, ଶକ୍ତି, ପଲ୍ଲୀବାସୀର ପୃଷ୍ଠାଗୁଡ଼ିକରେ ସଂକଳକଙ୍କୁ ଉତ୍ସାହ କଲାପରି ମନ୍ତବ୍ୟମାନ ପ୍ରକାଶ ପାଇଲା । ମହାତ୍ମାଗାନ୍ଧୀ ୧୯୨୭ ମସିହାରେ କଟକ ଆସିଥିଲାବେଳେ, ଭାଷାକୋଷ ଆଶ୍ରମରେ ରାତି କଟେଇଥିଲେ । ବିଶ୍ୱବିଖ୍ୟାତ ଆଣ୍ଡ୍ରୁଜ ସାହେବ, ରାଜେନ୍ଦ୍ର ନାରାୟଣ, କଲିକତାର ପାଦ୍ରୀ ଶ୍ରୀଯୁକ୍ତ ଟପ୍ଳିଓ ଟକ୍‌କର, ଗୁଜୁରାଟ ବିଦ୍ୟାପୀଠର ଅଧ୍ୟକ୍ଷଙ୍କ ପରି ମନୀଷୀମାନେ ଭାଷାକୋଷ ଆଶ୍ରମ ପରିଦର୍ଶନ କରିଥିଲେ । ପ୍ରହରାଜଙ୍କ ମନୋବଳର ପ୍ରଶଂସା କରିଥିଲେ । ଆର୍ଥିକ ଅନଟନ ଭିତରେ ନଇଁ ପଡ଼ୁଥିବା ମନରେ ଶକ୍ତି ଭରି ଦେଇଥିଲେ ।

ପାଣ୍ଡୁଲିପି ପ୍ରସ୍ତୁତ ହୋଇସାରିବା ପରେ ଏହାର ପ୍ରକାଶନ ‘ଅର୍ଥ’ ଥିଲା ସବୁଠାରୁ ବଡ଼ ସମସ୍ୟା । ଅଭିଧାନର ସମ୍ମାର୍ଜନ କାର୍ଯ୍ୟ ଚାଲିଥିଲାବେଳେ ପ୍ରହରାଜଙ୍କ ଓକିଲାତି ବ୍ୟବସାୟ ପୂରାପୁରି ବନ୍ଦ ହୋଇଯାଇଥିଲା କହିଲେ ଚଳେ । ଯେଉଁ କେତେକ ମହକିଲ ଆସୁଥିଲେ, ସେମାନଙ୍କୁ ସେ କୃଷ୍ଣଚନ୍ଦ୍ର ମିଶ୍ର ଓ ଅନ୍ୟ କେତେକ ଓକିଲଙ୍କୁ ଧରେଇ ଦେଉଥିଲେ । ତେଣେ ଜମିଦାରୀର ମଧ୍ୟ ଦେଖାଶୁଣା କରି ସମ୍ଭବ ହେଉ ନ ଥିଲା । ଦିନକୁ ଅଠର ଘଣ୍ଟାରୁ ଅଧିକ କାଳ ସେ ମାନସିକ ଓ ଶାରୀରିକ ଶ୍ରମରେ ବୁଡ଼ି ରହୁଥିଲେ । ରାତିରେ ଖାଇବା ମଧ୍ୟ ଛାଡ଼ି ଦେଇଥିଲେ । ଦୁଇ ତିନି ସେର କ୍ଷୀର ସିଝିସିଝି ଯାହା ସେରେ ସରିକି ରହୁଥିଲା, ତାହାହିଁ ଥିଲା ତାଙ୍କର ରାତିର ଖାଦ୍ୟ । ରାତି ୮ରୁ ୯ଟା ଭିତରେ ସେ ବିଛଣା ଧରୁଥିଲେ । ଉଠୁଥିଲେ ୩ଟା ସରିକି । ଉଠିଲା ପରେ କିଛି ସମୟ ଭଜନ କରୁଥିଲେ । ମୃଦଙ୍ଗ, ଗିନି, ବେହେଲା ପରି ବାଦ୍ୟଯନ୍ତ୍ରରେ ବି ହାତ ଦଉଥିଲେ । ତାପରେ ସକାଳ ପର୍ଯ୍ୟନ୍ତ ଲାଗିଯାଉଥିଲେ ଆପଣା କାମରେ, ଶଶୀଭୂଷଣ ରାୟ ତାଙ୍କ ଘରକୁ ଆସିବାପର୍ଯ୍ୟନ୍ତ । ଦୁଇ ବନ୍ଧୁଙ୍କର ସକାଳର କିଛି ସମୟ ଚା’, ଭୁବନେଶ୍ୱର କୋରା ଓ ମଧୁର, ଅନ୍ତରଙ୍ଗ, ଗୋପନୀୟ ଆଳାପରେ କଟୁଥିଲା । ସେମାନେ ପୁଣି ଦୂରେଇ ଯାଉଥିଲେ ନିଜ ନିଜଠାରୁ ପରବର୍ତ୍ତୀ ସକାଳ ପର୍ଯ୍ୟନ୍ତ । ପଣ୍ଡିତମାନେ ଆସି କାମରେ ଲାଗିଯାଉଥିଲେ । ପ୍ରହରାଜେ ବି ଲୋଟିପଡ଼ୁଥିଲେ ନିଜ ଆସନରେ । ଭାଷାକୋଷର ସମାର୍ଜ୍ଜନ କାର୍ଯ୍ୟ ଆରମ୍ଭ ଦିନଠାରୁ ଶେଷଦିନ ପର୍ଯ୍ୟନ୍ତ ପ୍ରତିଦିନ ଗାଧୁଆ ସାରି ଯଜ୍ଞକୁଣ୍ଡରେ ଘୂତାହୂତି ଦେଉଥିଲେ । ଆମିଷଭୋଜନ ଛାଡ଼ିଦେଇଥିଲେ । ମଝିରେ ମଝିରେ ପୀତାମ୍ବରୀ ଦେବୀଙ୍କ ପ୍ରସ୍ତୁତ ଶତପୂଟ ଅଫିମ ନିଶାରେ ସେ ସତେଜ ହୋଇଉଠୁଥିଲେ । ଅଣ୍ଟାରୁ ଗୋଟିଏ କରାଟ ସରିଯିବା ସମୟରେ ପୀତାମ୍ବରୀ ଦେବୀ ଅସଲ ଜାଗାରେ ଅନ୍ୟ କରାଟଟି ଗୁଞ୍ଜି ଦେଉଥିଲେ । ତାଙ୍କ ଜୀବନ ଥିଲା ଜଣେ ସାଧକର ଜୀବନ-

କାମ ଯେତିକି ଯେତିକି ବଢ଼ୁଥିଲା, ସେ ସେତିକି ବେଶି ଅଭାବର ସମ୍ମୁଖୀନ ହେଉଥିଲେ । ସମ୍ମାର୍ଜନ କାର୍ଯ୍ୟର ବ୍ୟୟଭାର ପାଇଁ ମାସକୁ ଅନ୍ୟୁନ ତିନିଶହ ଟଙ୍କା ଆବଶ୍ୟକ ହେଉଥିଲା । କର୍ମଚାରୀମାନଙ୍କୁ ମାସର ପ୍ରଥମ ସପ୍ତାହରେ ବେତନ ଦେଉଥିଲେ । ନିଜେ ଏବଂ ପୀତାମ୍ବରୀ ଦେବୀ ମଧ୍ୟ ପାରିଶ୍ରମିକ ବାବଦକୁ ଅର୍ଥ ନେଉଥିଲେ । ୟା ବ୍ୟତୀତ ମେସ୍‌, ଯାତାୟାତ, ଡାକ, କାଗଜ, ସ୍ୟାହି କିଣା ବାବଦକୁ ତାଙ୍କୁ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଶେଷକୁ ସେ ଏତେ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲେ ଯେ, ଆପଣାର ଘରଟିକୁ ମଧ୍ୟ ଜନୈକ ଧନୀବ୍ୟକ୍ତିଙ୍କୁ ଭଡ଼ା ଦେଇଦେବା ପାଇଁ ବାଧ୍ୟ ହେଲେ । ଏଣେ ସରକାରଙ୍କଠାରୁ ହଠାତ୍‌ ଆର୍ଥିକ ସାହାଯ୍ୟ ପାଇବା ମଧ୍ୟ ସମ୍ଭବ ନ ଥିଲା । ଏପରି ଏକ ସଙ୍କଟମୟ ଅବସ୍ଥାରେ ୧୯୨୮ ମସିହା ଅକ୍ଟୋବର ମାସରେ କଳାହାଣ୍ଡିର ରାଜା ବ୍ରଜମୋହନ ଦେବଙ୍କଠାରୁ ଟ୧,୦୦୦ ଓ ପରେ ପରେ ବର୍ଦ୍ଧମାନର ରାଜା ବିଜୟ ଚନ୍ଦ୍ର ମହାତପ, ଚିକିଟିର ବାନପ୍ରସ୍ଥୀ ରାଜା ରାଧାମୋହନ ରାଜେନ୍ଦ୍ରଙ୍କଠାରୁ ଯଥାକ୍ରମେ ସେ ଟ ୨୫୦ ଓ ଟ ୬୦୦ ସାହାଯ୍ୟ ପାଇଲେ । ପ୍ରହରାଜଙ୍କୁ ସାହାଯ୍ୟ କରିବାପାଇଁ ‘‘ଓଡ଼ିଆ ସାହିତ୍ୟ ପ୍ରଚାର ସଙ୍ଘ’’ର ସଂପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆପଣାର ବିଶ୍ୱକୋଷ ସଂକଳନର ପରିକଳ୍ପନା ତ୍ୟାଗ କରି ନିଜେ ସଞ୍ଚୟ କରିଥିବା ଟ ୧୨୦ ମଧ୍ୟ ତାଙ୍କୁ ଦାନ କରିଦେଲେ । ୧୯୨୯ ମସିହାରେ ପେକ୍‌ ସାହେବ ସରକାରଙ୍କ ଦପ୍ତରରେ ଅଭିଧାନର ମୁଦ୍ରଣ ବ୍ୟୟର ଏକ ଅନୁମାନିକ ହିସାବ ପେସ୍‍ କଲେ । ସେତେବେଳର ଶିକ୍ଷା ବିଭାଗର ନିର୍ଦ୍ଦେଶକ ଫକ୍‌ସ ସାହେବ, ଶିକ୍ଷାମନ୍ତ୍ରୀ ମାନ୍ୟବର ସାର୍‌ ଫକୀରରୁଦ୍ଦିନ୍‌, ଅର୍ଥ ବିଭାଗର ସଦସ୍ୟ ରାଜା ରାଜେନ୍ଦ୍ର ନାରାୟଣ, ସେକ୍ରେଟାରୀ ଗୋଗେଲ, ଅର୍ଥସଦସ୍ୟ ମାନ୍ୟବର ସିଫଟନ୍‌ ଓ ଲାଟ୍‌ସାହେବ ସାର୍‌ ଷ୍ଟିଫେନ୍‌ସନଙ୍କ ସୁପାରିଶ୍‌କ୍ରମେ ବିହାର-ଓଡ଼ିଶା ସରକାରଙ୍କୁ ଏକହଜାର କପିର ମୁଦ୍ରଣ ଖର୍ଚ୍ଚ ପାଇଁ ଅର୍ଥ ସାହାଯ୍ୟ ଦେବାକୁ କେନ୍ଦ୍ରସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲା । ସରକାର ମୁଦ୍ରଣ ଖର୍ଚ୍ଚ ବାବଦ ଟ ୧୪,୦୦୦ ଓ ସମାର୍ଜନ ଖର୍ଚ୍ଚ ବାବଦ ଟ ୫,୦୦୦ ର ବ୍ୟବସ୍ଥା କଲେ । ଅଭିଧାନର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଅନ୍ୟୁନ ଟ୩୦,୦୦୦, ଆବଶ୍ୟକ ହେବ ବୋଲି ଅଟକଳ କରାଯାଇଥିଲା । ସରକାରୀ ସାହାଯ୍ୟ ବ୍ୟତୀତ ଅନ୍ୟ ଆବଶ୍ୟକୀୟ ଅର୍ଥ ପୁସ୍ତକ ବିକ୍ରୀ ଓ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି, ରାଜାମହାରାଜାଙ୍କ ସାହାଯ୍ୟରେ ଭରଣା କରାଯାଇ ପାରିବ ବୋଲି ଆଶା କରାଯାଇଥିଲା ।

ତାତ୍‌କାଳୀକ ବିହାର-ଓଡ଼ିଶା ଶିକ୍ଷା ବିଭାଗର ନିର୍ଦ୍ଦେଶକ ମାନ୍ୟବର ଫକ୍‌ସ ସାହେବ ପ୍ରତିସାର ଗ୍ରନ୍ଥକୁ ଟ ୩୫ ମୂଲ୍ୟ ହିସାବରେ ୧୧୪ ସାର, ମାନ୍ଦ୍ରାଜ ଶିକ୍ଷା ବିଭାଗ ୫୦ ସାର, ବଙ୍ଗ ଶିକ୍ଷା ବିଭାଗ ୧୦ ସାର; ଚିକିଟି, କେନ୍ଦୁଝର, ଧରାକୋଟ, ସୋନପୁର, ଖରସୁଆଁ, ମୟୂରଭଞ୍ଜ ଆଦି ରାଜ୍ୟର ରାଜାମାନେ ଶକ୍ତିମୁତାବକ ଅଭିଧାନ କ୍ରୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଅର୍ଥ ସାହାଯ୍ୟ ମଧ୍ୟ କରିଥିଲେ । ଅର୍ଥ ସାହାଯ୍ୟକାରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିଲା ଏବଂ ପ୍ରତିଶ୍ରୁତି ଦେଇ ମଧ୍ୟ ଅନେକ ବ୍ୟକ୍ତି ବଚନରକ୍ଷା କରିବାକୁ କ୍ଷମ ହୋଇ ପାରିନଥିଲେ । ତେଣୁ ଗ୍ରନ୍ଥର ମୁଦ୍ରଣକାଳରେ ପ୍ରହରାଜ ମହାଶୟଙ୍କୁ ବାରମ୍ବାର ଗୁରୁତର ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏଥିପାଇଁ ସାରା ଓଡ଼ଶାର ଗଡ଼ଜାତ ରାଜ୍ୟ, ବହୁ ବଦାନ୍ୟ, ଧନାଢ଼୍ୟ ବ୍ୟକ୍ତି ସମେତ ଦିଲ୍ଲୀ ଦରବାର, ଏପରିକି ଭାରତ ବାହାରକୁ ମଧ୍ୟ ତାଙ୍କୁ ହାତ ବଢ଼େଇବାକୁ ପଡ଼ିଥିଲା । କଲିକତାର ଇଂପିରିଆଲ୍‌ ଲାଇବ୍ରେରୀ, ପାରିସ୍‌ ପ୍ରାଚ୍ୟ ସମିତି, ତାକା ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ, ମୁଙ୍ଗେରର ରାଜା, ଜର୍ମାନ, ନରଓଏ ଓ ଇଟାଲୀ ଆଦି ଦେଶର ପଣ୍ଡିତମାନେ ଅର୍ଥ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ, କାଉନ୍‌ସିଲ୍‌ର ପ୍ରେସିଡ଼େଣ୍ଟ ଲକ୍ଷ୍ମୀନାରାୟଣ ମହାନ୍ତି ଆଡ଼ଭୋକେଟ୍‌, ବିହାର-ଓଡ଼ିଶା ଶିକ୍ଷାବିଭାଗର ଡେପୁଟି ଡାଇରେକ୍‌ଟର ଶ୍ୟାମା ଚରଣ ତ୍ରିପାଠୀ (ଆଇ. ଇ. ଏସ୍‌), ମୟୂରଭଞ୍ଜର ମହାରାଜା ପ୍ରତାପ ଚନ୍ଦ୍ର ଭଂଜଦେବ, ପୁରୀର ବିଖ୍ୟାତ ଏମାର ମଠର ମହନ୍ତ ମହାରାଜ ଗଦାଧର ରାମାନୁଜ ଏବଂ ପୁରୀର ସରକାରୀ ପ୍ଳିଡ଼ର ଲୋକନାଥ ମିଶ୍ରଙ୍କ ସାହାଯ୍ୟ, ସହାନୁଭୂତି ଓ ଆନ୍ତରିକପ୍ରେରଣା ପ୍ରହରାଜଙ୍କୁ ଆପଣା କାର୍ଯ୍ୟରେ ଆଗେଇ ନଉଥିଲା । ପରେ ପରେ ମୟୂରଭଞ୍ଜର ମହାରାଜା ଦୁଇବର୍ଷ ପରେ ଟ ୮,୦୦୦ ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କ ଇଚ୍ଛା ଅନୁସାରେ ବଡ଼ ଭାଇ ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ଅନୁସାରେ ଅଭିଧାନର ନାମକରଣ କରାଗଲା । ଏ ସଂପର୍କରେ ନିଜେ ପ୍ରହରାଜ ‘‘ଏହି ସାହାଯ୍ୟ ଲାଗି କୃତଜ୍ଞତାଜ୍ଞାପନାର୍ଥେ ଭାଷାକୋଷର ନାମ ମହାରାଜଙ୍କ ଜ୍ୟେଷ୍ଠଭ୍ରାତା ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ସଙ୍ଗେ ସଂପୃକ୍ତ ହୋଇଛି’’ ବୋଲି ଉଲ୍ଲେଖ କରିଛନ୍ତି । ପ୍ରକୃତ ପକ୍ଷେ କହିବାକୁ ଗଲେ ମୟୂରଭଞ୍ଜର ରାଜା ଥିଲେ ପ୍ରହରାଜଙ୍କ ଅର୍ଥକୋଷ । ଭାଷାକୋଷର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ପ୍ରହରାଜଙ୍କୁ ସେ ଆର୍ଥିକ ସାହାଯ୍ୟ ଓ ମାନସିକ ପ୍ରେରଣା ଦେଉନଥିଲେ କୋଷଗ୍ରନ୍ଥଟି ବୋଧହୁଏ ଅସଂପୂର୍ଣ୍ଣ ରହିଯାଇଥାନ୍ତା ।

ଅଭିଧାନର କଳେବର ବୃଦ୍ଧି ଭାଷାକୋଷ ପାଇଁ ସୃଷ୍ଟିହେଉଥିବା ଆର୍ଥିକ ଅନଟନର ପ୍ରଧାନ କାରଣ । ୧୯୩୦ ମସିହାରେ ନମୁନାସ୍ୱରୂପ ଉତ୍କଳ ସାହିତ୍ୟ ପ୍ରେସରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ମୁଦ୍ରଣ କାର୍ଯ୍ୟ ଆରମ୍ଭ ହେଲା । ରୟାଲ୍‌ କ୍ୱାଟର ସାଇଜରେ ୩୬୦୦ ପୃଷ୍ଠା ଏବଂ ଦୁଇଟି ଖଣ୍ଡରେ ଏହାର ମୁଦ୍ରଣ ସମାପ୍ତ ହେବ ବୋଲି ଅଟକଳ କରାଗଲା । ମାତ୍ର ପ୍ରଥମ ଖଣ୍ଡରେ ତେରଗୋଟି ସ୍ୱରବର୍ଣ୍ଣାଦ୍ୟ ଶବ୍ଦ ସ୍ଥାନ ପାଇଥିଲା ଏବଂ ଏହାର ପୃଷ୍ଠା ସଂଖ୍ୟା ଥିଲା ୧୧୯୩ । ସେହିପରି ଦ୍ୱିତୀୟ ଖଣ୍ଡରେ ମାତ୍ର ଛ’ଗୋଟି ବ୍ୟଞ୍ଜନବର୍ଣ୍ଣାଦ୍ୟ ଶବ୍ଦ ସ୍ଥାନ ପାରବାରୁ ସମଗ୍ର ଅଭିଧାନଟି ପାଞ୍ଚଗୋଟି ଖଣ୍ଡରେ ସମାପ୍ତ ହେବ ବୋଲି କଳ୍ପନା କରାଗଲା-। ତେଣୁ ପୃଷ୍ଠା ସଂଖ୍ୟା ଯଥେଷ୍ଟ ବୃଦ୍ଧି ଘଟିବାରୁ ଅଧିକ ଅର୍ଥ ଆବଶ୍ୟକ ହେବା ସ୍ୱାଭାବିକ । ଦ୍ୱିତୀୟ ଖଣ୍ଡର ମୁଦ୍ରଣ ପରେ ପାଞ୍ଚସାରର ମୁଦ୍ରଣ ଖର୍ଚ୍ଚ ନିମିତ୍ତ ଅନ୍ୟୁନ ଟ ୬୦,୦୦୦ ଙ୍କାର ବ୍ୟୟ ଅଟକଳ କରାଗଲା, ତେଣୁ ଗ୍ରନ୍ଥର କଳେବରକୁ ସଙ୍କୋଚନ କରିବା ପାଇଁ ନାନାପ୍ରକାର ପଦକ୍ଷେପ ନିଆଗଲା ।

୧.

ଧ୍ୱନିରେ ସାମଂଜସ୍ୟ ଥିବା ଦୁଇଟି ଏକାର୍ଥବାଚକ ଶବ୍ଦକୁ ଦୁଇଟି ସ୍ୱତନ୍ତ୍ର ମୂଳଶବ୍ଦରୂପେ ନ ଲେଖି ବନ୍ଧନୀ ସାହାଯ୍ୟରେ ଗୋଟିଏ ଶବ୍ଦ ପରି ଲେଖାଯାଇଛି, ‘‘ଖୋଜାଇବ, ଖୋଜେଇବା ଇତ୍ୟାଦି ।’’

୨.

ଏକ ପ୍ରକୃତି ନିଷ୍ପନ୍ନ ଏକାଧିକ ଶବ୍ଦକୁ ସ୍ୱତନ୍ତ୍ରରୂପେ ନ ରଖି ସେଥିରେ ଗୋଟିକୁ ମୂଳଶବ୍ଦରୂପେ ଓ ଅନ୍ୟମାନଙ୍କୁ ସେହି ଶବ୍ଦର ତଳେ ନୋଟ୍‌ ଦିଆଯାଇଛି ।

୩.

ଯେଉଁ ଶବ୍ଦମାନ ଭାଷାରେ ଏକାଧିକ ଆକାରରେ ବ୍ୟବହୃତ ହୁଏ, ତହିଁରୁ ଗୋଟିକୁ ମୂଳରୂପେ ରଖାଯାଇ ଅନ୍ୟ ଆକାରମାନଙ୍କୁ ତହିଁ ତଳେ ଅନୁରୂପ ଭାବରେ ନୋଟ କରାଯାଇଛି । କାରଣ ଅଭିଧାନକୁ ମୁଦ୍ରଣ ଦୃଷ୍ଟିରୁ ଶୋଭାବନ୍ତ କରିବା ଥିଲା ପ୍ରହରାଜଙ୍କ ଅନ୍ୟ ଏକ ଉଦ୍ଦେଶ୍ୟ ।

 

ଯଥା– ଡମାଉଲ>ଡମାଡ଼ୌଲ> ଡମାଡ଼େଲ ।

୪.

‘‘ପ୍ରଥମ କେତେଗୋଟି ଖଣ୍ଡରେ ପ୍ରତ୍ୟେକ ପୃଷ୍ଠାର ଶିରୋନାମାରେ ବର୍ଣ୍ଣମାଳା ସଂପର୍କରେ ଯେଉଁ ସାଧାରଣ ସଂକେତମାନ ସୂଚିତ ହୋଇଥିଲା, ପରବର୍ତ୍ତୀକାଳରେ ସଂକେତମାଳାକୁ ପ୍ରତ୍ୟେକ ପୃଷ୍ଠାରେ ଉଲ୍ଲେଖ ନ କରି ୫୦ ବା ୧୦୦ ପୃଷ୍ଠାରେ ପ୍ରଦାନ କାଯାଇଛି ।’’ ଅଭିଧାନରେ ଏପରି ସଂକେତସୂଚୀ ପ୍ରଦାନ କରିବା ଓଏବଷ୍ଟର ଇଂରାଜୀ ଅଭିଧାନରେ ପ୍ରତ୍ୟକ୍ଷ ପ୍ରଭାବ ପରି ଜଣାଯାଏ ।

ମାତ୍ର ଏପରି କେତେକ ପଦକ୍ଷେପ ନେବା ସତ୍ତ୍ୱେ ଅଭିଧାନର ପୃଷ୍ଠା ସଂଖ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା । ଚତୁର୍ଥଖଣ୍ଡ ପ୍ରକାଶନ ପରେ ଦେଖାଗଲା ଯେ, ଏଥିରେ ମାତ୍ର ଦ,ଧ,ନ,ପ, ବ୍ୟଞ୍ଜନବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇଛି । ତେଣୁ କୋଷଗ୍ରନ୍ଥ ୫ମ ଖଣ୍ଡରେ ସମାପ୍ତ ନ ହୋଇ ୬ଷ୍ଠରେ ସମାପ୍ତ ହେବ ବୋଲି ଆଶାପୋଷଣ କରାଗଲା । ୬ଷ୍ଠ ଖଣ୍ଡରେ ଯ, ଷ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇବାରୁ ସମାପ୍ତି ନିମିତ୍ତ ୭ମ ଖଣ୍ଡର ଆବଶ୍ୟକତା ପଡ଼ିଲା ଏବଂ ‘ସ’ ଓ ‘ହ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ଶେଷ ଖଣ୍ଡରେ ସଂଯାଜିତ ହେଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଅଭିଧାନର ପୃଷ୍ଠା ସଂଖ୍ୟା ସଙ୍କୋଚନ କରିବା ପାଇଁ କେବଳ ପଦକ୍ଷେପ ନିଆଯାଇ ନ ଥିଲା । ପାଞ୍ଚୋଗୋଟି ଖଣ୍ଡରେ ସମାପ୍ତ କରିବାର ଆଶାକରି ୪ର୍ଥ ଖଣ୍ଡଠାରୁ ପୃଷ୍ଠା ସଂଖ୍ୟାକୁ ବାରଶହକୁ ବୃଦ୍ଧି କରାଗଲା । ମାତ୍ର ପ୍ରହରାଜଙ୍କ ସବୁଯୋଜନା ନିଷ୍ଫଳ ହୋଇଯାଇଥିଲା-

ଗ୍ରନ୍ଥର କଳେବରବୃଦ୍ଧି ସମସ୍ୟା ସାଙ୍ଗକୁ ଆର୍ଥିକସାହାଯ୍ୟ ନିମିତ୍ତ ପ୍ରତିଶ୍ରୁତି ଦେଇଥିବା ରାଜା, ଜମିଦାର ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ନୀରବତା ଓ ତା ସାଙ୍ଗକୁ ଅଭିଧାନ ସନ୍ତୋଷଜନକଭାବେ ବିକ୍ରୀ ନ ହେବା ଆଦି ନାନା କାରଣ ଯୋଗୁ ସେ ବାରମ୍ବାର ବିଚଳିତ ହୋଇପଡ଼ୁଥିଲେ । ଅର୍ଥସମସ୍ୟା ଅଭିଧାନ ପ୍ରକାଶନର ନିୟମିତତାରେ ମଧ୍ୟ ଘୋର ଅନ୍ତରାୟ ସୃଷ୍ଟିକଲା । ଗ୍ରନ୍ଥର କଳେବର ସଂକୋଚନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇପଡ଼ୁଥିଲା । ପରିଶେଷରେ ସାତଗୋଟି ଖଣ୍ଡର ମୋଟ ବ୍ୟୟବରାଦ ୧ ଲକ୍ଷ ୧୫ ହଜାର ଟଙ୍କାକୁ ବୃଦ୍ଧିପାଇବ ବୋଲି ପ୍ରହରାଜ ମହାଶୟ ଆପଣାର ଶୁଭେଚ୍ଛୁମାନଙ୍କ ନିକଟରେ ବ୍ୟକ୍ତ କଲେ । ଅଭିଧାନର ଆରମ୍ଭ କାଳରେ ଯେଉଁ ପରିମାଣର ଅର୍ଥବ୍ୟୟର ଅଟକଳ କରାଯାଇଥିଲା, ସେହି ଅନୁପାତରେ ଗ୍ରନ୍ଥର ମୂଲ୍ୟ ବୃଦ୍ଧି ପାଇବା ମଧ୍ୟ ସ୍ୱାଭାବିକ । ପ୍ରଥମେ ପ୍ରତିସାରକୁ ଟ ୪୦.୦୦ ରେ ବିକ୍ରୀ କରାଯିବାର ବିଜ୍ଞାପନ ପ୍ରକାଶ ପାଇଥିଲା । ମାତ୍ର ପ୍ରତି ଖଣ୍ଡ ପ୍ରକାଶ ପାଇବା ପରବର୍ତ୍ତୀ ଖଣ୍ଡର ମୂଲ୍ୟ ସଂପର୍କରେ ଘୋଷଣା କରାଯାଉଥିଲା । ଶେଷଖଣ୍ଡରେ ସାତ ଖଣ୍ଡର ଅବନ୍ଧା ମୂଲ୍ୟ-ଟ ୧୫୦ ଓ ବନ୍ଧେଇ ଟ ୧୭୦ ଏବଂ ଅବନ୍ଧା ଏକଖଣ୍ଡକୁ ଟ ୨୦ ଓ ବନ୍ଧେଇ ଏକ ଖଣ୍ଡକୁ ଟ ୨୫ ଭାବରେ ଭାବରେ ରଖାଗଲା । ପୁସ୍ତକର ଏତାଦୃଶ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଗ୍ରନ୍ଥ କ୍ରୟ କରିବା ମଧ୍ୟ ସମ୍ଭବ ହେଉ ନ ଥିଲା । ଏପରିକି ସେ ସମୟର ବିଶିଷ୍ଟ ବ୍ୟକ୍ତି, ରାଜା, ମହାରାଜା, ପ୍ରାଦେଶିକ ସରକାର ଅଭିଧାନ କିଣିବା ପାଇଁ ଆପଣା ଆପଣାର ସ୍ୱୀକୃତି ପ୍ରଦାନ କରି ପରବର୍ତ୍ତୀ କାଳରେ ପ୍ରତ୍ୟାହାର କରି ନେଇଥିବା କଥା ଜଣାଯାଏ । ଗ୍ରନ୍ଥର ବିକ୍ରୀ ସଂପର୍କୀୟ ବିବରଣୀକୁ ଅନୁଶୀଳନ କଲେ ଜଣାଯାଏ, ସେ ସମୟରେ ମୋଟ ୩୮୦ ଜଣ ଅଗ୍ରୀମ ଗ୍ରାହକ ସଂଗୃହୀତ ହୋଇଥିଲେ ଏବଂ ସାତସାର ପୁସ୍ତକ ଉପହାରସ୍ୱରୂପ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀକାଳରେ କ୍ରମଶଃ ଗ୍ରାହକମାନଙ୍କ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଇବାରେ ଲାଗିଲା । ଫଳରେ ସଂକଳକ ସମସାମୟିକ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟକୁ ଭାଷାକୋଷ ସାହଯ୍ୟସ୍ୱରୂପ ପ୍ରଦାନ କରିବାକୁ ସିଦ୍ଧାନ୍ତ ନେଇଥିଲେ ।

ଆର୍ଥିକ ସମସ୍ୟାଯୋଗୁଁ ଭାଷାକୋଷ ପୂର୍ବ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବା ସମ୍ଭବ ହେଉ ନ ଥିଲା । ବିଭିନ୍ନ ଭାଗର ପ୍ରକାଶନର ସମୟସୂଚୀକୁ ଲକ୍ଷ୍ୟ କଲେ ଜଣାଯାଏ, ପଞ୍ଚମ, ଷଷ୍ଠ ଓ ସପ୍ତମ ଭାଗକୁ ସମାପ୍ତ କରିବାକୁ ତାଙ୍କୁ ଅଧିକ କଷ୍ଟ ସ୍ୱୀକାର କରବାକୁ ପଡ଼ିଥିଲା । ପ୍ରଥମ ଭାଗ ପ୍ରକାଶନର ପ୍ରତି ୧୦ ମାସ ଅନ୍ତରରେ ଅନ୍ୟଗୁଡ଼ିକ ପ୍ରକାଶନ କରିବାର ଯୋଜନା କରାଯାଇଥିଲା-। ତେଣୁ ଉକ୍ତ ହିସାବ ଅନୁସାରେ ୧୯୩୫ ମସିହା ସୁଦ୍ଧା ଅଭିଧାନ ସମାପ୍ତ ହେବା କଥା । ପୃଷ୍ଠା ସଂଖ୍ୟା ବୃଦ୍ଧି ଯୋଗୁଁ ଆବଶ୍ୟକ ପରିମାଣ ଅର୍ଥର ଭରଣା କରିବା ପାଇଁ ଗ୍ରାହକ ସଂଗ୍ରହ କରିବାଠାରୁ ଆରମ୍ଭ କରି ଭାରତର ଗଭର୍ଣ୍ଣର ଜେନୋଲ, ଭାଇସ୍‌ରାଏଙ୍କ ପର୍ଯ୍ୟନ୍ତ ତାଙ୍କୁ ଯିବାକୁ ପଡ଼ିଥିଲା । ଗଡ଼ଜାତ ଅଞ୍ଚଳ ବୁଲିବୁଲି ସେ ରାଜା ଓ ଜମିଦାରମାନଙ୍କଠାରୁ ଅର୍ଥ ସାହାଯ୍ୟ ଲୋଡ଼ିଥିଲେ । କେତେକ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଗଡ଼ଜାତ ଭ୍ରମଣ ସଫଳ ହୋଇ ନ ଥିଲା । ମାତ୍ର ଅର୍ଥ ସଂଗ୍ରହ କାର୍ଯ୍ୟରେ ଯାଉଥିଲେ ସୁଦ୍ଧା, ଭାଷାକୋଷ ପାଇଁ ସେ ଏତେଟିକିଏ ବି ସମୟ ଅବ୍ୟାଦରେ ଖର୍ଚ୍ଚ କରୁ ନ ଥିଲେ । ପାଣ୍ଡୁଲିପିଗୁଡ଼ିକ ପ୍ରେସକୁ ଯିବା ପୂର୍ବରୁ ସେଗୁଡ଼ିକର ଶେଷଥର ପରୀକ୍ଷଣକାର୍ଯ୍ୟ ବିଶ୍ରାମ ସମୟରେ ପରଖି ନଉଥିଲେ । ବିଭିନ୍ନ ବନ୍ଧୁ ତଥା ସାଧାରଣ ଜନତାର ମୁଖରୁ ସେମାନଙ୍କର କଥିତ ଶବ୍ଦଗୁଡ଼ିକ ସଂଗ୍ରହ କରୁଥିଲେ । ଭାଷାକୋଷ ପାଇଁ ସେ ଥିଲେ କୁମ୍ବାରଘର ବୋହୂ, ବଡ଼ ସରକାରୀ ଅଫିସର୍‌ଙ୍କର ଅର୍ଦ୍ଦଳୀ ପରି । ଅନ୍‌ ହିଜ୍‌ ମାଜେଷ୍ଟିଙ୍କ ସରଭିସ୍‌କୁ ଜୀବନର ବ୍ରତ ଭାବରେ ସେ ଗ୍ରହଣ କରି ନେଇଥିଲେ । (ଉ. ସା. ଆଷାଢ଼ ୧୩୪୩ ସାଲ) ସାହାଯ୍ୟକାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ମୟୂରଭଞ୍ଜର ରାଜା ପ୍ରତାପଚନ୍ଦ୍ର ସିଂହଦେଓ, ପାଟଣା ଷ୍ଟେଟ୍‌ର ରାଜାସାହେବ ରାଜେନ୍ଦ୍ର ନାରାୟଣ ସିଂହଦେଓ, ପାରଳାର କୃଷ୍ଣଚନ୍ଦ୍ର ଗଜପତି ଏବଂ ଜୟପୁରର ବିକ୍ରମଦେବ ବର୍ମାଙ୍କ ନାମ ଆଦ୍ୟସ୍ମରଣୀୟ । ଓଡ଼ିଶାର ତାତ୍‌କାଳିକ ଶିକ୍ଷାବିଭାଗର ଇଂରେଜ କର୍ମକର୍ତ୍ତାମାନେ ମଧ୍ୟ ସଂକଳକଙ୍କୁ ଆର୍ଥିକ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ ମନୋବଳକୁ ଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଇଂରେଜ ବିଦ୍ୱାନମାନଙ୍କ ମଧ୍ୟରେ ଓଡ଼ିଶାର ଭୂତପୂର୍ବ ଗଭର୍ଣ୍ଣର/ବ୍ରହ୍ମପୁରର ଲାଟ୍‌ମାନ୍ୟବର ହିଉ ଷ୍ଟିଫେନ୍‌ସନ୍‌, ବିହାର-ଓଡ଼ିଶାର ଗଭର୍ଣ୍ଣର (ତାତ୍‌କାଳିକ) ସାର ଜେ. ଡି. ସିଫଟନ୍, ପାଟନା ହାଇକୋର୍ଟର ଚିଫ୍‌ ଜଷ୍ଟିସ୍‌ ସାର୍‌ କୋଟନୀ ଟେଲର୍‌, ବିହାର-ଓଡ଼ିଶା ଶିକ୍ଷା ବିଭାଗର କର୍ଣ୍ଣଧାର ଜି. ଆଇ. ଫକସ୍‌, ଭାରତର ଗଭର୍ଣ୍ଣର ଜେନେରାଲ ଜି. ହବାକ୍‌, କଟକ ଟ୍ରେନିଂ କଲେଜର ପ୍ରିନସ୍‌ପାଲ୍‌ ହୁଇଟ୍‌ ମୋର, କଟକର କଲେକ୍ଟର ମାରଉଡ଼୍‌ ଓ ଫିଲିପ୍‌ ସାହେବ, ରେଭେରେଣ୍ଡ ପେକ୍‌ ଆଦି ସାହେବଙ୍କ ନାମ ସେ ବାରମ୍ବାର ଉଲ୍ଲେଖ କରୁଥିଲେ ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ସ୍ଥାନ ପାଇଥିବା ମୋଟ ଶବ୍ଦ ସଂଖ୍ୟା ପ୍ରାୟ ୧ ଲକ୍ଷ ୮୫ ହଜାର ଏବଂ ସାତଗୋଟି ଖଣ୍ଡର ମୋଟ ପୃଷ୍ଠା ସଂଖ୍ୟା ୯୫୦୩, ଓଡ଼ିଆ ଭାଷାର ପ୍ରଚଳିତ, ଅପ୍ରଚଳିତ, ଲୋକ-କଥିତ, ଆଞ୍ଚଳିକ, ତତ୍‌ସମ, ବୈଦେଶିକ ଶବ୍ଦଗୁଡ଼ିକର ଏହା କୋଠଘର । ଗୋଟିଏ ଉନ୍ନତ ଅଭିଧାନରେ ସଂକଳିତ ଶବ୍ଦଗୁଡ଼ିକର ପ୍ରକାର ସଂକ୍ରାନ୍ତରେ ପଣ୍ଡିମାନେ ଭିନ୍ନଭିନ୍ନ ମତ ଦେଇଥାନ୍ତି । କେତେକ ସାଂପ୍ରତିକ କାଳର ସାହିତ୍ୟରେ ପ୍ରଚଳିତ ଓ ଅନ୍ୟ କେତେକ ଗୋଟିଏ ଜୀବନ୍ତ ଭାଷାରେ ପ୍ରଚଳିତ, ଅପ୍ରଚଳିତ, ପ୍ରାଚୀନ ଆଦି ସମସ୍ତ ଶବ୍ଦ ସ୍ଥାନ ପାଇବା ଉଚିତ ବୋଲି ଯୁକ୍ତି କରିଥାନ୍ତି । ଏ କ୍ଷେତ୍ରରେ କୌଣସି ଗୋଟିଏ ଗୋଷ୍ଠୀର ମତ ପୂରାପୁରି ଗ୍ରହଣୀୟ ନୁହେଁ । ଗୋଟିଏ ଭଲ ଭାଷାକୋଷରେ ସେ ଭାଷା ରାଜ୍ୟର ସମସ୍ତ ଶବ୍ଦ, ସେଗୁଡ଼ିକର ଉତ୍ପତ୍ତି, କ୍ରମବିକାଶ, ଜାତି, ବ୍ୟବହାର, ଇତିହାସର ଟକିନିଖି ବିବରଣୀ ସ୍ଥାନ ପାଇବା ଉଚିତ । ଫଳରେ ଜଣେ ପାଠକ, ଭାଷାର ଶବ୍ଦାବଳୀର ରୂଚିପୂର୍ଣ୍ଣ ରୂପ ସଂପର୍କରେ ସଚେତନ ହୋଇପାରିବ ।

ଭାଷା ଏକ ଚିରସ୍ରୋତା ନଦୀ, ବଢ଼ନ୍ତା ବୃକ୍ଷ । ଜୀବନ୍ତ ଭାଷାର ଶବ୍ଦ ସଂଖ୍ୟା ବଢ଼ି ବଢ଼ି ଚାଲେ । ଲିଖିତ ଭାଷା ଲୋକମୁଖରେ, କେତେ ବାଗରେ ବଦଳିଯାଏ । ବଦଳି ଯାଉଥିବା ଭାଷାର ରୂପ ପୁଣି ଲିଖିତ ରୂପ ନିଏ । ‘‘ଲୋକମୁଖରେ ହେଉ ବା ପୁସ୍ତକରେ ହେଉ, ଦେଶବିଶେଷରେ ହେଉ ବା ଜାତିବିଶେଷରେ ହେଉ, ଯେଉଁଠାରେ ସେ ଗୋଟିଏ ଶବ୍ଦ, ଏକାଧିକ ବ୍ୟକ୍ତିଙ୍କଦ୍ୱାରା ବ୍ୟବହୃତ ହେଉଥିବାର ଦେଖିବେ, ତାହା ସଂଗ୍ରହ କରି ଆଣି ଅଭିଧାନରେ ରଖିଦେବେ । x x x ଅଭିଧାନର ଶବ୍ଦ ସଂକଳୟିତାଙ୍କର କେବଳ ମାତ୍ର ଶବ୍ଦ ସଂଗ୍ରହ ଓ ଶବ୍ଦାର୍ଥ ଲିପିବଦ୍ଧ କରିବା କର୍ତ୍ତବ୍ୟ-। x x x କିଏ ଶୁଦ୍ଧ, କିଏ ଅଶୁଦ୍ଧ, କେଉଁ ନିୟମ ଅନୁସାରେ (ପ୍ରିନ୍‌ସପୁଲ) ବା କେଉଁ ଆଦର୍ଶ ଅନୁସାରେ (ଷ୍ଟାଣ୍ଡାର୍ଡ଼) ଶବ୍ଦର ଶୁଦ୍ଧି ଅଶୁଦ୍ଧି ନିର୍ଣ୍ଣୀତ ହେବ, ତାହା ଅଭିଧାନକାରଙ୍କର ଇଲାକା ନୁହେଁ-। x x x ଦେଶାଂଶ ପ୍ରଚଳିତ ଓ ଇତରଜନ ବ୍ୟବହୃତ ଶବ୍ଦମାନ ସାଧାରଣକୁ ଯାହାକୁ x x x ଉଚ୍ଚାରଣ ବା ଅର୍ଥଦୃଷ୍ଟିରେ ଅଶୁଦ୍ଧ x x x (ଚାଉର, ବଉର, ଚୋପା, ଗଢ଼, ପରଚଛୁ, ଚଛୁ, x x x ଗୁଡ଼ (ଗୋଡ଼), ସେଗୁଡ଼ିକ ସ୍ଥାନ ପାଇବା ଉଚିତ, x x ଉକ୍ତ ଶବ୍ଦଗୁଡ଼ିକ ସମ୍ବନ୍ଧରେ ଅର୍ଥ ସଙ୍ଗେ ତହିଁର ନୋଟ୍‌ ଦେବା ଉଚିତ । ପରନ୍ତୁ ଏପରି ପ୍ରୟୋଗକୁ ଅଶୁଦ୍ଧ କହିବାରେ ଆପତ୍ତି ନାହିଁ । କିନ୍ତୁ ଗୋଟିଏ ପ୍ରଚଳିତ ଶବ୍ଦକୁ ଏକାବେଳକେ ଅଭିଧାନର ହତାରୁ ବାହାର କରିଦେଲେ ଉକ୍ତ ଅଭିଧାନଟି ଅସଂପୂର୍ଣ୍ଣ ରହିଯିବ’’ ବୋଲି ପ୍ରହରାଜେ ଦୃଢ଼ଭାବରେ ଘୋଷଣା କରିଥିଲେ । (ପୂ. ଓ. ଭା. ୧ମ ଖଣ୍ଡ ମୁଖବନ୍ଧ ୯ ଅଣା)

‘‘କଥିତ ଭାଷାରେ ଓ ଲିଖିତ ସାହିତ୍ୟରେ ଶବ୍ଦଗୁଡ଼ିକ ସାଧାରଣତଃ ବ୍ୟବହୃତ ହେବାର ଦେଖାଯାଏ, ସେଗୁଡ଼ିକର ଆକ୍ଷରିକ, ପ୍ରାକୃତିକ ଓ ପ୍ରଚଳିତ ଅର୍ଥ, ବ୍ୟବହାର, ଇତିହାସ, ପ୍ରକୃତି ଆଦି ଲିପିବଦ୍ଧ କରି ରଖିବା ଅଭିଧାନ ସଂକଳକଙ୍କ କର୍ତ୍ତବ୍ୟ ଏବଂ ଶବ୍ଦଗୁଡ଼ିକର ଅଶୁଦ୍ଧତା ଓ ବିଶୁଦ୍ଧତା ନିରୂପଣ ଭାଷାତତ୍ତ୍ୱବିଦ୍‌ ଓ ସାହିତ୍ୟକମାନଙ୍କର ଧର୍ମ’’ ଭାବରେ ସେ ଗ୍ରହଣ କରିଥିଲେ (ପୂ. ଓ. ଭା. ୧ମ ମୁଖବନ୍ଧ) ଦେଶୀୟ ଶବ୍ଦଗୁଡ଼ିକର ସଂଯୋଜନା କାଳରେ ସେଗୁଡ଼ିକୁ ଗ୍ରାମ୍ୟବ୍ୟବହାର, କଥାବାର୍ତ୍ତାରେ ବା ଲେଖାରେ ବ୍ୟବହୃତ ଅଶୁଦ୍ଧ ଉଚ୍ଚାରଣ, ମାର୍ଜିତ ସାହିତ୍ୟରେ ପରିହାର୍ଯ୍ୟ ଆଦି ଉପ ବିଭାଗରେ ବିଭକ୍ତ କରିଥିଲେ । ତେଣୁ ଧ୍ୱନିତାତ୍ତ୍ୱିକ ଓ ପ୍ରୟୋଗବିଧି ଆଧାରରେ ବିଚାର କରିବାକୁ ଗଲେ ପ୍ରହରାଜଙ୍କ ଯୁକ୍ତି ବହୁଭାବରେ ବିଜ୍ଞାନସମ୍ମତ ।

ଗ୍ରାମ୍ୟଶବ୍ଦଗୁଡ଼ିକ ବ୍ୟତୀତ ପ୍ରହରାଜ ତତ୍‌ସମ, ତଦ୍‌ଭବ ଓ ବୈଦେଶିକ ଶବ୍ଦଗୁଡ଼ିକର ଉତ୍ପତ୍ତି, ପ୍ରୟୋଗ, ବ୍ୟାକରଣିକ ଓ ଅଭିଧାନିକ ତଥା ବ୍ୟଞ୍ଜିତ ରୂପ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି-। ଉଦାହରଣ ମାଧ୍ୟମରେ ଅନେକ କଥିତ ଓ ଲିଖିତ ଶବ୍ଦର ବୈଚିତ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟତଃ ଆରବୀ, ଇଂରାଜୀ, ଇତାଲୀୟ, ଊର୍ଦ୍ଦୁ, ଗୁଜୁରାଟୀ, ଗ୍ରୀକ୍‌, ଜର୍ମାନୀ, ତୁର୍କୀ, ତେଲୁଗୁ, ତାମିଲ, ଦ୍ରାବିଡ଼, ପର୍ତ୍ତୁଗୀଜ, ଫରାସୀ, ବଙ୍ଗଳା, ଗୁଜୁରାଟୀ, ମରହଟ୍ଟା, ହିନ୍ଦୀ, ହିବ୍ରୁ ଆଦି ଭାଷାର ଶବ୍ଦଗୁଡ଼ିକର ଓଡ଼ିଆ ରୂପାନ୍ତର ସଂପର୍କରେ ନୋଟ୍‌ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଗଣିତ, ଜ୍ୟୋତିଷ, ଆଇନ, ପ୍ରାଣୀବିଜ୍ଞାନ, ଜୀବବିଜ୍ଞାନ, ଜ୍ୟାମିତି, ଭୂଗୋଳ, ତର୍କ, ଦର୍ଶନଶାସ୍ତ୍ର ଆଦି ଜ୍ଞାନବିଜ୍ଞାନର ବିଭିନ୍ନ ବିଭାଗର ସଂପର୍କରେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ସଂପୃକ୍ତ ବିଷୟକ କୋଷଗ୍ରନ୍ଥ ଓ ପଣ୍ଡିତମାନଙ୍କରହିଁ ସାହାଯ୍ୟ ନେଉଥିଲେ । କୋର୍ଟ କଚେରୀରେ ପ୍ରଚଳିତ ଶବ୍ଦଗୁଡ଼ିକର ସଂକଳନ, ଭାଷାକୋର ଅନ୍ୟ ଏକ ବିଶେଷତ୍ୱ । ନିଜେ ଜଣେ ଓକିଲ ଥିବାରୁ କଚେରିଆ ଭାଷା ସହିତ ତାଙ୍କର ଅନ୍ତରଙ୍ଗ ପରିଚୟ ଥିଲା । ତେଣୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ୁନଥିଲା । ଏହା ବ୍ୟତୀତ କାବ୍ୟ ନାଟକରେ ବିଶେଷ ଭାବରେ ବ୍ୟବହୃତ ଶବ୍ଦ ଏବଂ କେତେକ ଶବ୍ଦର ବିପରୀତ ଅର୍ଥ ସଂପର୍କୀୟ ନୋଟ୍‌ ମଧ୍ୟ ଭାଷାକୋଷରେ ସ୍ଥାନ ପାଇଛି । ତେଣୁ ଅଭିଧାନତତ୍ତ୍ୱ ଆଧାରରେ ବିଚାର କରିବାକୁ ଗଲେ ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକାଷ’’କୁ ଓଡ଼ିଆ ଭାଷା ଓ ଜାତିର ଆଧୁନିକ କୋଣାର୍କ ଭାବରେ ପରିଚିତ୍ରଣ କରିବା ଉପଯୁକ୍ତ । ଡଃ ଫରଗୁସନ୍‌ଙ୍କ ହିନ୍ଦୁସ୍ଥାନୀ ଇଂରାଜୀ ଅଭିଧାନ ନୋଆ, ଓଏବଷ୍ଟରଙ୍କ ଓଏବଷ୍ଟର ଡିକ୍‌ସିନାରୀ କିମ୍ବା ଅକ୍‌ସଫୋର୍ଡ଼ ଡିକ୍‌ସିନାରୀ ସହିତ ଏହା ତୁଳନୀୟ । ସମଗ୍ର ଭାରତବର୍ଷରେ ସଂକଳିତ ଅଭିଧାନଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ସ୍ୱତନ୍ତ୍ର । ଭାରତୀୟ ଭାଷାଗୁଡ଼ିକରେ ସଂକଳିତ ବହୁଭାଷୀ ଅଭିଧାନଗୁଡ଼ିକ ମଧ୍ୟରେ ଗୁଳୁରାଟୀ ଭାଷାର ଏଚ୍‌. ଏଚ୍‌. ଶିବାଜୀ ରାଓ ଗାଇକ୍‌ଉଆଡ଼୍‌ଙ୍କଦ୍ୱାରା ସଂକଳିତ ‘‘ଶିବାଜୀ ଶାସନ କଳ୍ପତରୁ’’ (୧୯୩୧) ଏକ ଅଷ୍ଟଭାଷିକ ଅଭିଧାନ । ମାତ୍ର କଳେବର ଓ ଗୃଣାତ୍ମକ ଦୃଷ୍ଟିରୁ ବିବେଚନା କଲେ, ପ୍ରହରାଜଙ୍କ ଚତୁର୍ଭାଷିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଠାରୁ ଏହା ଏକ ଭିନ୍ନ ରୁଚିର ଗ୍ରନ୍ଥ । * ସାତଗୋଟି ଖଣ୍ଡରେ ପ୍ରକାଶିତ (୧୯୩୫-୪୦) ଏବଂ ପ୍ରାୟ ୧ ଲକ୍ଷ ୮୫ ହଜାର ଶବ୍ଦ ଏବଂ ୯୫୦୩ (୧୫୦+୯୨୫୩) ପୃଷ୍ଠାବିଶିଷ୍ଟ ଉକ୍ତ ଗ୍ରନ୍ଥକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରହରାଜଙ୍କୁ ୨୭ ବର୍ଷ ସମୟ ଲାଗିଥିଲା, ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ିଲା । ଭିକାରୀବେଶରେ ବାର ଦୁଆରେ ହାତ ପାତିବାକୁ ପଡ଼ିଥିଲା ଜଣେ ବିଶିଷ୍ଟ ଆଇନଜୀବୀ ଓ ଜମିଦାରଙ୍କୁ ।

*

ବି. ମିଶ୍ର (ଏଡ଼ିଟେଡ଼)-ଲୋକ୍‌ସିକୋଗ୍ରାଫି ଇନ୍‌ ଇଣ୍ଡିଆ-ପୃ ୨୪

ମାତ୍ର ସୁବିପୁଳ ଭାଷାକୋଷର ପ୍ରକାଶନ କାଳରେ ଏବଂ ପରେ ପ୍ରହରାଜେ ଯାବତୀୟ ନିନ୍ଦା ଓ ଅପବାଦର ମାଳା ଆପଣା ଗଳାରେ ପରିଗ୍ରହଣ କରିଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ପଣ୍ଡିତମାନଙ୍କ ଅପେକ୍ଷା, ଭାରତ ତଥା ଭାରତ ବାହାରର ବିଦ୍ୱାନମାନଙ୍କର ପ୍ରେରଣା ପ୍ରହରାଜଙ୍କ ମନରେ ଗିରିଲଙ୍ଘନ ଭାବକୁ ଚିଆଁଇ ଦେଇଥିଲା । ଇଟାଲୀ ବିଶ୍ୱବିଦ୍ୟାଳୟର ମୁଖପତ୍ରରେ ଗ୍ୟୁସେଫଟକ୍ଳୀ ଉଲ୍ଲେଖ କରିଥିଲେ, "The Dictionary is an account of its size and wealth of documentation the most conplet that could be designed. x x x Gopal Praharaj has highly deserved well of his country and the rebirth of vernacular studies India. x x x This work will facilitate literature which has also many points of contact with the literature of Bengal and is not any mean, one of the least interesting in India. (ପୂ. ଓ. ଭା. ୩ୟ ଖଣ୍ଡ ମୁଖବନ୍ଧ) ଓଡ଼ିଆ ଭାଷାରୁ ଟିକିଏ ଭିନ୍ନ ଆକ୍ଷିରେ ଦେଖୁଥିବା ବିଶ୍ୱକବି ରବୀନ୍ଦ୍ରନାଥ ମଧ୍ୟ ଏକ ପତ୍ରରେ "The Purnachandra Odia Bhasakosha in an encyclopediatic dictionary which has been useful for the work of our research department in the Viswa-Bharati. The Compiler Mr. G.C Praharaj and his elaboreters deserve our sincere thanks for the excellent work they have done."ରେ ପ୍ରହରାଜଙ୍କ ଶତମୁଖ ପ୍ରଶଂସା କରିଥିଲେ । ପୃଥିବୀବିଖ୍ୟାତ ଭାଷାତତ୍ତ୍ୱବିଦ୍‌ ଡଃ ସୁନୀତିକୁମାର ଚାଟାର୍ଜୀଙ୍କ ମନ୍ତବ୍ୟ ଭାଷାକୋଷ ମୂଲ୍ୟାୟନର ଏକ ବଳିଷ୍ଠ ପ୍ରମାଣପତ୍ର । ମହାତ୍ମାଗାନ୍ଧୀ, କାକାସାହେବ କଲେଲକର ମଧ୍ୟ ସମକାଳରେ ଭାଷାକୋଷ ଆଶ୍ରମ ପରିଦର୍ଶନ କରି ଆପଣା ଆପଣାର ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାଷାକୋଷର ସଂକଳକ ଏବଂ ଓଡ଼ିଆ ଭାଷାର ଅନ୍ୟତମ ବିଦ୍ୱାନଭାବରେ ୧୯୩୩ ମସିହା ସେପ୍‌ଟେମ୍ୱର ମାସ ୧୬ ତାରିଖରେ ସେ କୌଶୋର-ଉ-ହିନ୍ଦ୍‌ ଓ ଆନ୍ଧ୍ର ଭାରତୀ ତୀର୍ଥ ବିଶ୍ୱବିଦ୍ୟାଳୟର ଚାନ୍‌ସେଲରଙ୍କଦ୍ୱାରା ସାହିତ୍ୟ ବିଶାରଦ, ଭାରତ ସରକାରଙ୍କଦ୍ୱାରା ୧୯୩୬ ମସିହାରେ ରାୟ ବାହାଦୂର ଉପାଧିରେ ଭୂଷିତ ହୋଇଥିଲେ । ୧୯୩୪ ମସିହା ଏପ୍ରିଲ ମାସର ୧୫ ଓ ୧୬ ତାରିଖରେ ଧରାକୋଟ୍‌ର ରାଜାସାହେବ ମଦନମୋହନ ସିଂ ବାହାଦୂରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିଖିଳ ଉତ୍କଳ କବିସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ମଧ୍ୟ ତାଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା ।

ପ୍ରହରାଜଙ୍କ ସମାଲୋଚକମାନଙ୍କର ସଂଖ୍ୟା ମଧ୍ୟ କିଛି ଊଣା ନ ଥିଲା । ବିଭିନ୍ନ କାରଣରୁ ସେ ଇଂରେଜମାନଙ୍କର ଥିଲେ ମୁଗ୍‌ଧ ସ୍ତାବକ । କିଛି ପାଇବାକୁ ଓ କରିବାକୁ ହେଲେ, ସେ କାଳରେ ଇଂରେଜମାନଙ୍କୁ ତୋଷାମଦି କରିବାର ଆବଶ୍ୟକତା ମଧ୍ୟ ଥିଲା । ପୁଣି ସେ ଥିଲେ ଜଣେ ଜମିଦାର ଓ ଓକିଲ । ତେଣୁ ବିଭିନ୍ନ କାରଣରୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଡେଇଁ ପଡ଼ିଥିବା ତଥାକଥିତ ନେତାମାନଙ୍କର ଅସଲ ଗୁମରଗୁଡ଼ାକୁ ଖୋଲି ଦେଉଥିଲେ । ସେମାନଙ୍କୁ ସମାଲୋଚନା କରୁଥିଲେ । ଦେଶୀ ନେତାମାନଙ୍କର ଗୋଇ ତାଡ଼ିବା, ରାଜା, ଜମିଦାର ଓ ଇଂରେଜମାନଙ୍କ ଗୁଣଗାନ କରିବା, ସାଧାରଣ ଜନତା ଓ ଜନତା ମଙ୍ଗୁଆଳମାନଙ୍କ ପକ୍ଷେ ଅସହ୍ୟ ଥିଲା । ପ୍ରହରାଜ ବେଶ୍‌ ଖୋଲାଖୋଲି ଭାବରେ ସେମାନଙ୍କ ଅସଲ ଜାଗାରେ ଚାମର ଗୁଞ୍ଜି ଦଉଥିଲେ । ନାକ ଟେକା ଓ ବୋଲୁଅମାଡ଼ ନିଜ ପିଠିଆଡ଼କୁ ଡାକି ଆଣୁଥିଲେ ।

ମାତ୍ର ଭାଷାକୋଷ ଉପରେ ଆକ୍ଷି ପକେଇଲେ ଯାହା ଜଣାଯାଏ, ଏ ନାକଟେକା, ମାଡ଼ଖିଆ କାମଗୁଡ଼ାକ କରି ନ ଥିଲେ କୋଷ ରଚନା ଆଦୌ ସମ୍ଭବ ହୋଇନଥାନ୍ତା । ଏତେ ଗାଳିମାଡ଼, ନିନ୍ଦାର ଚେଙ୍କ ଖାଇ ମଧ୍ୟ ସେ ଆଦୌ ନଇଁପଡ଼ୁ ନ ଥିଲେ । ଆଗକୁ ଆଗକୁ ଅଧିକ ବେଗରେ ମାଡ଼ି ଚାଲୁଥିଲେ । ନିଜ ପକ୍ଷେ ଯାହା ସମ୍ଭବ, ଯେତେ ପ୍ରତିରୋଧ ଆସୁନା କାହିଁକି, ତାହା ଲାଭ କରିବା ପାଇଁ ସେ ପ୍ରବଳ ଆଗ୍ରହରେ ଆଗେଇ ଯାଉଥିଲେ । ଭାଷାକୋଷ ପରି ଏତେ ମୂଲ୍ୟବାନ ଗ୍ରନ୍ଥସଂକଳନ ଛୋଟ କାମଟିଏ ନୁହେଁ । ପୃଥିବୀର ଅନ୍ୟ କୌଣସି କୋଣରେ ଏକକ ଉଦ୍ୟମରେ ଏପରି ଗ୍ରନ୍ଥସଂକଳନ କରାଯାଇଥିବାର ମଧ୍ୟ ଜଣାଯାଇନାହିଁ । କୋଷଗ୍ରନ୍ଥ ସଂକଳନ ଯେ କେତେ ଛେନା ଚୋପାଛଡ଼ା, ଥୋବରା କାମ, ଅକ୍‌ସଫୋର୍ଡ଼ ବା ଓଏବଷ୍ଟର ସଂକଳନର ଇତିହାସ ପଢ଼ି ପ୍ରହରାଜ ସେ କଥା ଜାଣିଥିବେ । କେତେ ବିଦ୍ୱାନଙ୍କ ଶାରୀରିକ ମାନସିକ ଶ୍ରମ, କେତେ ବ୍ୟକ୍ତି, ଅନୁଷ୍ଠାନର

Image

 

Unknown

ଟେବୁଲ-୧

 

Webster Dictionary

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

 

Fate, Far, Fall, Final, Cave, At, Mete, Prey, Her, Met, Pine Marine, Bird, Pin, Note, Move, For, Aton Not, Moon, Book

 

Use, Bull, Brute, Turn, Up, Cry, Myth, Cat, Machine, Ace, Church, ehord, Gem, Anger (Fr) Bari, As, This, Thin, Azure.

 

a--Fate, a--Far, a--Fast, a--Fall, a--Final a--Care, a--at, O, O, O, O, O ଇତ୍ୟାଦି । ଓଏବଷ୍ଟର ଡିକ୍‌ସିନାରୀର ପ୍ରତ୍ୟେକ ପୃଷ୍ଠାର ଉପର ଭାଗରେ ଉପର୍ଯ୍ୟୁକ୍ତ ଟେବୁଲ ପ୍ରଦତ୍ତ ।

 

ଭାଷାକୋଷରେ ପ୍ରଦତ୍ତ ନିର୍ଦ୍ଦେଶ

ଗ୍ରଂଥର ବାମ ପୃଷ୍ଠାରେ -

 

ସାଧାରଣ ଲୋକେ ଅପର ପୃଷ୍ଠାରେ ସୂଚିତ ୧ଚିହ୍ନିତ ଅକ୍ଷର ଓ ମାତ୍ରା ଏବଂ ୨ ଚିହ୍ନିତ ଅକ୍ଷର ଓ ମାତ୍ରା ମଧ୍ୟରେ ପ୍ରଭେଦ ରକ୍ଷା କରନ୍ତି ନାହିଁ । ଅତଏବ ୧ ବା ୨ ଚିହ୍ନିତ କୌଣସି ବର୍ଣ୍ଣ ବା ମାତ୍ରାଯୁକ୍ତ ଶବ୍ଦ ଖୋଜିଲେ ଯେବେ ଏ ଭାଷା କୋଷରେ ନମିଳିବ, ତେବେ ସେହି ଶବ୍ଦପାଇଁ ଯଥାକ୍ରମେ ତହିଁର ବିପରୀତ ୨ ବା ୧ ଚିହ୍ନିତ ବର୍ଣ୍ଣ ବା ମାତ୍ରା ଯୁକ୍ତଶବ୍ଦ ଖୋଜିବାକୁ ହେବ । ଗାଇ ନମିଳିଲେ ଗାଈ ଖୋଜିବେ, କୁଅ ନମିଳିଲେ କୂଅ ଦେଖିବେ । ବଂଧୁ ନମିଳିଲେ ବନ୍ଧୁ ଦେଖିବେ ଆଗ୍ୟାଁ ନପାଇଲେ ଆଜ୍ଞା ଦେଖିବେ, ଅଲବତ ନପାଇଲେ ଅଲ୍‌ବତ୍‌ ଦେଖିବେ ।

 

ଗ୍ରଂଥର ଦକ୍ଷିଣ ପାର୍ଶ୍ୱରେ –

 

ର ଋ

ƨ

ହସନ୍ତ ବର୍ଣ୍ଣ

ଅନୁନାସିକ ଯୁକ୍ତାକ୍ଷର

କ୍ଷ

ଶ ଷ

ଜ୍ଞ

ଇୟ

ଉଅ

ହ୍ନ

ରୁ

ଲୁ

ୟେ

ଅକାରନ୍ତ ବର୍ଣ୍ଣ

ଅନୁସ୍ୱାର ବା ଚନ୍ଦ୍ର ବିନ୍ଦୁ ଯୁକ୍ତ ବର୍ଣ୍ଣ

ଖ୍ୟ

ଗ୍ୟଁ

ଇଅ

ଓ୍ୱ

 

C:\Users\USER-3\OneDrive\Desktop\1.JPG

 

ଅର୍ଥବ୍ୟୟରେ କିପରି ସେଗୁଡ଼ିକ ଜନ୍ମନେଲା, ତାର ଇତିହାସ ଜାଣି ଆକ୍ଷି ତାଙ୍କର ଖୋସି ହେଇଯାଇଥିବ । ନିଜର ଗୋଡ଼ର ଫାଟଗୁଡ଼ାକ ମଧ୍ୟ ତାଙ୍କ ଆକ୍ଷି ଆଗରେ ଜଳଜଳ ହୋଇ ଦୁଶିଯାଉଥିବ । ସତକୁ ସତ ସେଗୁଡ଼ାକ ସେ ଦେଖି ପାରୁଥିଲେ । ପୁଞ୍ଜିଭୂତ ସମସ୍ୟାଗୁଡ଼ିକ ଦେଖି ଚମକି ପଡ଼ୁଥିଲେ । ତେଣୁ ଦୀନତାର ସହିତ ସେ ଲେଖିଥିଲେ– It is not the work of single individual of splender means and scanty acquirements like the present Cam Piler. The New Standard dictionary of the English Language in four volumes recently published represents the labour of over 380 specialists and scholars, 400 professional readers and the expenditure is over 40 lakhs of rupees as given out by the publisher. x x x May that day come when the civilized world will realise how rich phonetics and ancient oriya language is and when the oriya language will be given its lestionate place of honour among the cultured modern languages. (ପୂ. ଓ. ଭା. ୨ୟ ଖଣ୍ଡ Introduction VIC) ସମାଲୋଚକମାନଙ୍କ ଧକ୍‌କାରେ ଟିକିଏ ଅଟକିଯାଉଥିବା ମଣିଷଟିର ସଚେତନ ବଚନଭାବରେ ଉପର୍ଯ୍ୟୁକ୍ତ ଉକ୍ତିକୁ ହୁଏତ ଗ୍ରହଣ କରାଯାଇପାରେ ।

 

ଭାଷାକୋଷ ପାଇଁ ଶବ୍ଦସମାର୍ଜନ କାର୍ଯ୍ୟ ଆରମ୍ଭ କରିସାରିଲା ପରେ ସେ ଯେଉଁ ଗୁରୁ ସମସ୍ୟାଗୁଡ଼ିକର ମୁକାବିଲା କରୁଥିଲେ, ସେ ସଂପର୍କରେ ସେ ନିଜେ ଉଲ୍ଲେଖ କରିଛନ୍ତି– ‘‘ଏକ ଅଭିଧାନ ସଂକଳନ କରିବାଲାଗି ଯେଉଁ ଭାଷାବିଜ୍ଞତା, ଅନୁସନ୍ଧିତ୍ସା, ଅଧ୍ୟବସାୟ, ଶବ୍ଦପାଣ୍ଡିତ୍ୟ, ଭ୍ରମଣଶୀଳତା, ନାନାସ୍ଥାନ ଓ ପୁସ୍ତକରୁ ଶବ୍ଦସଂଗ୍ରହ କରିବାର ଶକ୍ତି ଓ ସମୟ ଆବଶ୍ୟକ, ତାହା ମୋର ନାହିଁ । x x x କେତେକ ସାହିତ୍ୟକ ବନ୍ଧୁଙ୍କୁ ଏହା ଗ୍ରହଣ କରିବାଲାଗି ଅନୁରୋଧ କଲି । କିନ୍ତୁ ଫଳତଃ ଏ କ୍ଷେତ୍ରରେ କାହାରିକୁ ନିଷ୍ଠାର ସହିତ ଅଗ୍ରସର ହେବା ଦେଖିଲି ନାହିଁ, ଏପରି ସ୍ଥଳରେ ଅଗତ୍ୟା ଏ ଗୁରୁଦାୟିତ୍ୱରେ ହସ୍ତକ୍ଷେପ କଲି ଓ ଉତ୍କଳଭାଷୀ ଅଞ୍ଚଳରେ ଅଭିଜ୍ଞ ଓ ସାହିତ୍ୟନିଷ୍ଠ ବଂଧୁମାନଙ୍କୁ ଦେଖାଇ ଏ ଶବ୍ଦକୋଷକୁ ଓଡ଼ିଆଭାଷାରେ କଂପ୍ରିହେନ୍‌ସିଭ ଶବ୍ଦକୋଷ ରୂପରେ ସର୍ବସାଧାରଣଙ୍କ ହସ୍ତରେ ଅର୍ପଣ କରିବି ବୋଲି ଇଚ୍ଛା କରି ଶ୍ରୀପରାତ୍‌ପରଙ୍କ ନାମରେ ଏ ଦୁରୂହ କାର୍ଯ୍ୟରେ ହସ୍ତକ୍ଷେପ କରୁଅଛୁଁ । ସତକୁ ସତ ଏଇ ଦୁରୂହ କାର୍ଯ୍ୟକୁ ଆକାର ଦେବାପାଇଁ ସେ ଆପଣା ଓକିଲାତି ବୁଦ୍ଧିକୁ ହିଁ ଖଟେଇଥିଲେ ଓ ବିଜ୍ଞ ଇଂରେଜଶାସକମାନଙ୍କର ଦ୍ୱାରସ୍ଥ ହେଲେ-ନିଜ ସାଧନାର ସଙ୍କେତକୁ ସେମାନଙ୍କ ଆଗରେକ ଉପସ୍ଥାପନ କରି ତାକୁ ଆକାର ଦେବାପାଇଁ ହାତ ପାତିଲେ । ଅନୁଦାନ ରୂପରେ ଅର୍ଥ ଆଣିଲେ । ଅଧିକରୁ ଅଧିକ ଅର୍ଥ କିପରି ଆସିବ ସେଥିପାଇଁ ଫନ୍ଦିଫିକର କଲେ । ରାଜା, ମହାରାଜା, ଧନୀ, ରୁଣୀ ବ୍ୟକ୍ତିବିଶେଷଙ୍କ ଦ୍ୱାରସ୍ଥ ହେଲେ-। ସେମାନଙ୍କଠାରୁ କିପରି ଅଧିକ ଅର୍ଥ ପାଇବେ ଏଥିପାଇଁ ଉପରୁ ଚାପ ପକେଇଲେ । ସେମାନଙ୍କ ନାଁରେ ଖଣ୍ଡଗୁଡ଼ାକୁ ପାଣି ଛଡ଼େଇଦେଲେ । ସାର୍‌. ଜନ. ହବାକ୍‌, ଏମ୍‌. ଏଫ. ପେକ୍‌, ରାଜାନ୍ଦ୍ର ପ୍ରସାଦ ଦେବ, ବିକ୍ରମ ଦେବ ବର୍ମା, କୃଷ୍ଣଚନ୍ଦ୍ର ଗଜପତି, ନାରାୟଣ ଦେବ, ରାଜେନ୍ଦ୍ରନାରାୟଣ ସିଂହଦେଓ, ମାନ୍ୟବର ଲର୍ଡ ଲିନ୍‌ନିଥ୍‌ଗୋଙ୍କୁ ପ୍ରଥମଠାରୁ ସପ୍ତମ ପର୍ଯ୍ୟନ୍ତ ବିଭିନ୍ନ ଖଣ୍ଡଗୁଡ଼ିକୁ ଉତ୍ସର୍ଗ କରିଥିଲେ । ସାହାଯ୍ୟକାରୀ, ସହକର୍ମୀ, ପୃଷ୍ଠପୋଷକ, ଉତ୍ସାହଦାତା ସମସ୍ତଙ୍କ ଫଟୋ ଛାପିଲେ । ତେଣୁ ପ୍ରତି ଖଣ୍ଡରେ ସୁଦୀର୍ଘ ମୁଖବନ୍ଧ ସହ ଏତେସଂଖ୍ୟକ ଫଟୋଚିତ୍ର ପ୍ରକାଶ ଯୋଗୁଁ ବିପୁଳ ପରିମାଣର ଅର୍ଥ ତାଙ୍କୁ ବ୍ୟୟ କରିବାକୁ ପଡ଼ିଥିଲା । ମାତ୍ର ଏହାକୁ ଅପବ୍ୟୟ ବୋଲି କୁହାଯିବା ମଧ୍ୟ ଉଚିତ ନୁହେଁ । ଭାଷାକୋଷର ଶୁଭେଚ୍ଛୁମାନଙ୍କୁ ଜନସାଧାରଣରେ ପରିଚିତ କରେଇବା, ସେମାନଙ୍କ ଭାଷାପ୍ରୀତିଭାବକୁ ସ୍ୱୀକୃତିଦେବା ଏବଂ ଅନ୍ୟମାନଙ୍କ ମନରେ ଏଥିପାଇଁ ଆଗ୍ରହ ସୃଷ୍ଟି କରିବା ଥିଲା ପ୍ରହରାଜଙ୍କ ପ୍ରଚ୍ଛନ ଉଦ୍ଦେଶ୍ୟ । ଭାଷାକୋଷର ଷଷ୍ଠ ଭାଗ ପ୍ରକାଶ ପରେ ପ୍ରହରାଜ ଏତେ ଅଭାବୀ ହୋଇପଡ଼ିଥିଲେ ଯେ, ଏହାର ମୁଣ୍ଡିମାରିବା ଏବଂ ରାଜସ୍ୱୀକୃତି ଲାଭ କରିବା ଆଶାରେ ବଡ଼ଲାଟ ଲିନ୍‌ନିଥ୍‌ଗୋଙ୍କୁ ସାକ୍ଷାତ୍‍ କରିଥିଲେ । ସପ୍ତମ ଖଣ୍ଡଟି ତାଙ୍କୁ ହିଁ ଉତ୍ସର୍ଗ କରିଥିଲେ । ତାଙ୍କର ସହକର୍ମିଣୀ ଭାବରେ ଯୋଗ ଦେଇଥିଲେ ପୀତାମ୍ବରୀ ଦେବୀ ଏବଂ ତାଙ୍କର ଉଦ୍ୟମ ସଫଳ ହୋଇଥିଲା ।

 

ରାଜାମହାରାଜାଙ୍କ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ସାହାଯ୍ୟସ୍ୱରୂପ ସେ ଆଣୁଥିଲେ । ଏଇ ମାଗନ୍ତା କାମରେ ସେ ସବୁଠାରୁ ସଫଳ ହେଉ ନ ଥିଲେ । ଅନେକ ଜାଗାରୁ ଅପମାନ ପାଇ ନେଉଟି ଆସୁଥିଲେ । ନିଜ ଭାଗ୍ୟକୁ ‘‘କେଉଁଠୁ ପାଉଥିଲେ ଟଙ୍କା ବିଡ଼ା, କାହୁଁ ହାତୀ ଘୋଡ଼ା x x x କାହୁଁ ହୁକୁମବିଡ଼ା x x x କାହୁଁ ବୁଢ଼ାହଡ଼ା x x x କାହୁଁ ଘଷିଫଡ଼ା, କାହୁଁ କୁଣ୍ଡାନଡ଼ା, କାହୁଁ ଖାରିଆଖଡ଼ା, କାହୁଁ କହୁଣୀକୋରଣା, କାହୁଁ ଲେଉଟା ନାକମୋଡ଼ା, କାହୁଁ ଟଣାଭିଡ଼ା, କାହିଁ ଢିଙ୍କିମଡ଼ା, କାହିଁ ଘଣାପେଡ଼ା, କାହିଁ ଜାଉଁଳିଭିଡ଼ା, କାହିଁ ଶିଙ୍ଗିବୁଡ଼ା, କେତେଠେଇଁ ଭେଟିଲି ଓଲଟା ଗଧଚଢ଼ା, ହୁକୁମ୍‌ବଡ଼ା, ରସଚିପୁଡ଼ା, ହଂସବୁଡ଼ା’’ । (ଭା. ପା. ସ. ଉ. ସା. ଆଷାଢ଼ ୧୩୪୩ ପୃ) ମାତ୍ର କେଉଁମାନଙ୍କଠାରୁ କେତେ ପରିମାଣର ଅର୍ଥ ସେ ସଂଗ୍ରହ କରୁଥିଲେ ତାର ହିସାବ ସେ ଦାଖଲ କରୁଥିଲେ ଭାଷାକୋଷର ମୁଖବନ୍ଧରେ । ତାଙ୍କ ମାସିକ ବ୍ୟୟ ଟିକିନିଖି ହିସାବ ସେ ରଖୁଥିଲେ ସ୍ୱତନ୍ତ୍ରଭାବରେ । ଏହା ବ୍ୟତୀତ ଆପଣାର ଶାଳୀ ପିତାମ୍ବରୀ ଦେବୀଙ୍କୁ ସହକର୍ମଣୀ ଭାବରେ ପାଖରେ ରଖିବାର ଚିତ୍ର ପ୍ରହରାଜଙ୍କ ବ୍ୟକ୍ତିକ ଜୀବନକୁ ଅପବାଦର ବଜାରରେ ଥୋଇଦେଇଥିଲା । ପୀତାମ୍ବରୀ ବାହ୍ୟ ଜୀବନରେ ସହକର୍ମିଣୀ ଥିଲେ କିନ୍ତୁ ଭିତରେ ଥିଲେ ଅନ୍ୟ କିଛି । ସମାଜ ଆକ୍ଷିରେ ବ୍ୟକ୍ତିର ଏ ଜୀବନଚିତ୍ରଟି କଳାଦାଗଟିଏ ହୋଇପାରେ ମାତ୍ର ପିତାମ୍ବରୀଙ୍କ ସାନ୍ନିଧ୍ୟ, ସାହଚର୍ଯ୍ୟ ତାଙ୍କପରି ଏକ ପରିକ୍ରାନ୍ତ ମଣିଷକୁ ଯେ କାର୍ଯ୍ୟପ୍ରତି ଅଧିକରୁ ଅଧିକ ଅନୁରାଗୀ କରୁଥିଲା, ଦେହ ଓ ମନର ଅନ୍ୟ ଏକ ଆବଶ୍ୟକତାକୁ ପୂରଣ କରୁଥିଲା, ନିରାପଦଖୁଆଡ଼ ଭିତରେ ବାନ୍ଧିରଖିପାରିଥିଲା, ଏପରି ଏକ ସମ୍ଭାବନାକୁ ମଧ୍ୟ ଏଡ଼େଇ ଦିଆଯାଇନପାରେ ।

 

ଭାଷାକୋଷର ସମାଲୋଚକମାନଙ୍କ ମଧ୍ୟରେ ଗୋଦାବରୀଶ ମହାପାତ୍ର ଓ ଶରତ ଚନ୍ଦ୍ର ମୁଖାର୍ଜୀ ଥିଲେ ଅଗ୍ରଗଣ୍ୟ । ଗୋଦାବରୀଶ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂପର୍କରେ କେତୋଟି କଥା (ସହକାର : XIV. 10. 1341) ଓ ବସନ୍ତ କୁମାର ବେହୁରା ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଭୁଲ’’ ଶୀର୍ଷକ ପ୍ରବନ୍ଧରେ (ନ ଭା. vol IV-1940) ଭାଷାକୋଷର ତ୍ରୁଟି ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଭାଷାକୋଷର ଗୋଇ ତାଡ଼ିବାକୁ ସେ ପ୍ରୟାସ କରିଥିଲେ, ‘‘ପଣ୍ଡିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପାଳକୋଷ କାମ ଶେଷ ହୋଇଛି । ଏଣିକି ସେ ଦେଶର ନେତାକୋଷ କାମରେ ହାତ ଦେଲେ ନିଶ୍ଚୟ କୃତକାର୍ଯ୍ୟ ହେବ । ତାଙ୍କୁ ପ୍ରଧାନମନ୍ତ୍ରୀ ଭାଷାରେ ସହାୟ କରିବାକୁ ତଳେ କେତୋଟି ସୂଚାନ ଦିଆଗଲା ।’’ (ନିଆଁଖୁଣ୍ଟା – ପ୍ରଥମବର୍ଷ-୨୬ଶ ସଂଖ୍ୟା ୧-୧୦-୧୯୩୮) କିମ୍ବା ‘‘ଅମରକୋଷର ଏବଂ ପ୍ରହରାଜଙ୍କ ପାଳକୋଷରେ ଏତେ ନାଁ ଥାଉଁ ଥାଉଁ ନିଆଁଖୁଣ୍ଟା ନାଁ ଉପରେ ଯେ ଏତେ ପ୍ରେମ କାହିଁକି ବର୍ଷିଗଲା ତାର କୈଫିୟତ ଯେତେବେଳେ ଲୋକେ ପଚାରିଲେଣି ସମସ୍ତଙ୍କୁ ମୌଖିକ ଉତ୍ତର ଦେଲେ କବିବରଙ୍କ ଅଂଶୁପା ହ୍ରଦକଥା ତେଣିକି ଥାଉ, ଖୋଦ୍‌ କାଷ୍ପିୟାନ୍‌ ସାଗର ମଧ୍ୟ ଶୁଖିଯିବାକୁ ପଡ଼ିବ’’ (ନିଆଁଖୁଣ୍ଟା ତା ୨୩-୩-୧୯୩୮) ପରି ଅନେକ ବାକ୍ୟରେ ଗୋଦାବରୀଶଙ୍କ ସ୍ୱର ସୁସ୍ପଷ୍ଟ । ଭାଷାକୋଷକୁ ପାଳକୋଷ ବୋଲି ସେ ରୀତିମତ ସମାଲୋଚନା କରୁଥିଲେ । ପତ୍ରିକାର ୨ୟ ବର୍ଷ ୧୮ଶ ସଂଖ୍ୟା (ଅକ୍ଟୋବର ୨, ୧୯୦୦)ର ମୁଖପୃଷ୍ଠାରେ ପ୍ରହରାଜ ଓ ପୀତାମ୍ବରୀ ଦେବୀଙ୍କ ଦିଲ୍ଲୀ ଯାତ୍ରାର ବ୍ୟଙ୍ଗତିଚ୍ର ଏବଂ ଚିତ୍ରଟି ପାଖରେ ଦିଲ୍ଲୀଯାତ୍ରା ଶିରୋନାମାରେ କବିତାଟିଏ ମଧ୍ୟ ପ୍ରକାଶ ପାଇଲା ।

 

(କଳାକଳେବର କହ୍ନେଇ ବୃତ୍ତେ ଗୀୟତେ)

ପାଳକୋଷ ପ୍ରାୟ ପାଳକେ ପଦେ ରଖ ହେ ଚିତ,

କରନ୍ତି ଶ୍ରୀ ଦିଲ୍ଲୀ ବିଜାୟ ଦାଣ୍ଡେ ଦେଖ ସଂଗାତ ।

 

X X X

 

ପାଳକୋଷ ପିତାମାତା ଏ ଦେଖ ଯାଆନ୍ତି ଦାଣ୍ଡେ,

ଓଡ଼ିଆକୁ ଲେଖି ପାରନ୍ତି ଭାରବାହୀ ଯେ ଚାଣ୍ଡେ ।

ଏ ଦେଶ ଧନରେ ପାଳିତ ପ୍ରାୟ ଏ ପାଳକୋଷ,

ଘରନିଆଁ ଏ ଯେ ଅଣ୍ଟିରେ ରଖ ନାହିଁକି ଦୋଷ ।

 

X X X

 

ଜାତି ନାଁ ପକା ବୀର ଏ ଦେଇ ଜାତିକି ଗାଳି

ତଥାପି ବୋଲନ୍ତି ଏ ଦେଶେ ଜ୍ଞାନବିଭଶାଳୀ -

 

ପ୍ରହରାଜ ଭାଷାକୋଷରେ ଓଡ଼ିଆମାନଙ୍କୁ ଭାରବାହକ ବୋଲି ଉଲ୍ଲେଖ କରିଥିବାରୁ ଦେଶପ୍ରେମୀମାନଙ୍କ ମନରେ ଦାରୁଣ ଆଘାତ ଲାଗିଥିଲା । (ନିଆଁଖୁଣ୍ଟା-ତା ୨୩-୧୧-୧୯୩୮) ‘‘ଅଭିଧାନରେ ‘ଗେହିବା’-(ଦେ. ତ୍ରି. ଅଶ୍ଳିଳ-ସଂ ଗୃହତୁର୍ଥୀ ଗୃହମେଧୀ-ଯ; ଗୃହିଣୀ ସଙ୍ଗେ ଗୃହସ୍ଥ ଧର୍ମ ପାଳନ କରେ-ସଙ୍ଗମ କରିବା, ମୈଥୁନ କରିବା-୬୦ Cohabit (ପୂ. ଓ. ଭା. ୨ୟ ଭାଗ ପୃ ୨୨୯୪) ଗେନ୍ଧା (ଦେ. ବି ଅଶ୍ଳିଳ ସଂ. ଗନ୍ଧ. ଲିଙ୍ଗମଳ, ଏହା ଅତ୍ୟନ୍ତ ଦୁର୍ଗନ୍ଧମୟ- The execreenge formed outside the penis (ପୂ. ଓ. ଭା ୨ୟ ଭାଗ) ଗେନ୍ଧାସୁଙ୍ଘା, ଗେନ୍ଧିଆ, ଗେନ୍ଧୁଣୀ, ବିଆ (ବିୟା, ଗ୍ରା. ବି ଅଶ୍ଳିଳ ସଂପାୟୁ, ଗୃହ୍ୟଦ୍ୱାର, ସଂ. ବୀ ଧାତୁ ଗର୍ଭଗ୍ରହଣ କରିବା, ଉତ୍ତେଜନା କରିବା କିମ୍ବା ବୀଜଧାର, ବୀଜାନନ=ବିଆଣ, ସ୍ତ୍ରୀ ଜନେନ୍ଦ୍ରିୟ-Female generative organ, vagina (ପୂ. ଓ. ଭା. ୧ମ ଖଣ୍ଡ ପୃ ୫୫୪୯) ବାଣ୍ଡ ଦେ. ବି ସଂ ବାଣ-ଶର-ତୁଳ ସଂ-ବଣ୍ଡ-ଛିନ୍ନତ୍ୱଳ୍‌ ଲିଙ୍ଗ-ଅଶ୍ଳିଳ ଶିଶା, ଲିଙ୍ଗ, Penis-(ପ. ଓ. ଭା ୫ମ ପୃ ୧୫୦୨)’’ ଆଦି ଅଶ୍ଳୀଳ ଶବ୍ଦଗୁଡ଼ିକର ସଂଯୋଜନା ଓ ବ୍ୟାଖ୍ୟା ଗୋଦାବରୀଶଙ୍କ ପରି ବହୁ ଆଦର୍ଶବାଦୀଙ୍କୁ ତତେଇ ଦେଇଥିଲା । ପ୍ରହରାଜ କୁରୁଚି ବ୍ୟାଧିରେ ସଂକ୍ରମିତ, ଏହା କରିବା ଅପେକ୍ଷା ଡାକ୍ତରଖାନାରେ କୋଷ କାଟି ଆସିବା ଉଚିତ ବୋଲି ତାଙ୍କୁ ପରିହାସ କରାଯାଇଥିଲା । ଅଶ୍ଳିଳ ଦେଲେ ସୁଦ୍ଧା ଶବ୍ଦକୋଷରେ ସେଗୁଡ଼ିକ ସ୍ଥାନ ପାଇବା ଯେ ଦୋଷାବହ ନୁହେଁ, ଏହା ସ୍ୱୀକାର କରିବାକୁ ସେମାନେ ପ୍ରସ୍ତୁତ ନ ଥିଲା । ଅନ୍ୟ ପକ୍ଷରେ ସେମାନଙ୍କ ସମାଲୋଚନା ଗଠନମୂଳକ ପରିବର୍ତ୍ତେ କୁତ୍ସାରଟନାର ଆଦର୍ଶରେ ପରିପୃଷ୍ଟ ଥିଲା ।

 

ସମାଲୋଚକମାନଙ୍କର ଆକ୍ଷେପର ଉତ୍ତର ଦେବାରେ ମଧ୍ୟ ପ୍ରହରାଜ ଏତେଟିକିଏ ବି ହେଳା କରି ନ ଥିଲେ । ଭାଷାକୋଷ ସଂକଳନ ସଂକ୍ରନ୍ତୀୟ ଆପଣାର ଅନୁଭୂତି ବେଶ୍‌ ରମ୍ୟରୀତିରେ ପ୍ରକାଶ କରିଥିଲେ । ଉତ୍କଳସାହିତ୍ୟ ପତ୍ରିକାର ପାଞ୍ଚଗୋଟି ଅଧ୍ୟାୟରେ ଭାଷାକୋଷପାଇଁ ସଫର୍‌ ଶିରୋନାମାରେ ସେ ଆପଣା ମାଗନ୍ତାପଣର କଥା କହିଥିଲେ । ସମାଲୋଚକମାନଙ୍କୁ ଆପଣାର ସ୍ୱାଭାବିକ ଶୈଳୀରେ ପରିହାସ କରିଥିଲେ । ଏ ପରିହାସରେ ନିଆଁ ପ୍ରତ୍ୟକ୍ଷ ଭାବରେ ଶରତଚନ୍ଦ୍ର ମୁଖାର୍ଜୀ ଓ ପରୋକ୍ଷଭାବରେ ଗୋଦାବରୀଶ ଓ ଅନ୍ୟ ସମାଲୋଚକମାନଙ୍କ ଭିତରେ ଚିଆଁ ଲଗେଇ ଦେଇଥିଲା । ‘‘ଏ ସଂପର୍କୀୟ ଗ୍ରସ୍ତରେ ମୋର ଯେଉଁ ଅନୁଭୂତି ହୋଇଛି, ଉତ୍କଳରେ ଭବିଷ୍ୟତରେ ଏହିପରି ଦୂରୁହ କର୍ମରେ ହାତଦେବା ବ୍ୟକ୍ତିଙ୍କ ଅବଗତି ଓ ଅନୁଶାସନ (ଗାଇଡ଼ାନସ୍‌) ନିମନ୍ତେ ମୁଁ ସେହିସବୁ ଅନୁଭୂତିକୁ ଭାଷାକୋଷରେ ସଫର ଶିରୋନାମାଦେଇ ଉତ୍କଳ ସାହିତ୍ୟରେ ଧାରାବାହିକ ଲେଖୁଛି । ମୁଁ ସେ ବିବୃତିମାନଙ୍କରେ ବ୍ୟକ୍ତିଗତ ଆକ୍ଷେପ ଓ ଆକ୍ରମଣକୁ ଯଥାଶକ୍ତି ଏଡ଼େଇବାକୁ ଚେଷ୍ଟା କରୁଛି । କାରଣ ବ୍ୟକ୍ତିବିଶେଷଙ୍କୁ ଗାଳିଦେବା କିମ୍ବା ଲୋକଙ୍କୁ ଚିହ୍ନେଇବା ମୋର ଉଦ୍ଦେଶ୍ୟ ନୁହେଁ । କେବଳ ଭବିଷ୍ୟତକର୍ମୀମାନଙ୍କୁ କି କି ପ୍ରକାର ବୋଲୁଅମାଡ଼ରୁ ଆପଣା ଦେହକୁ ବଞ୍ଚେଇ କାମ କରିବାକୁ ହେବ ତାହା ହିଁ ସୂଚନା ଦେବା ମୋର ଉଦ୍ଦେଶ୍ୟ ଅଟେ । ଆପେ କାମ କରିବା ନାହିଁ, କିନ୍ତୁ ଅନ୍ୟ ଯେ କରିବ ତାକୁ ଶୋଧିବା, ତାର ଅନିଷ୍ଟ ଚିନ୍ତା କରିବା, ତାର ଦୁର୍ନାମ କରିବା, ତା ନାଁରେ ଚୁଗୁଲି କରିବା, ଦେଶସେବକ ମୁଖାବାନ୍ଧି ତା କାର୍ଯ୍ୟରେ ପ୍ରକାଶ୍ୟରେ ଓ ପ୍ରଚ୍ଛନ୍ନଭାବରେ ବାଧା ଜନ୍ମାଇବା ରୂପକ ବ୍ରତରେ ମୋରଗୁଡ଼ାଏ ବନ୍ଧୁ ଆଜକୁ ୫-୬ ବର୍ଷ ହେଲା ଲାଗିଛନ୍ତି । x x x ଗତ କୋଡ଼ିଏ ବର୍ଷରେ ଭାଷାକୋଷ ଆଶ୍ରମରେ ଥରେ ମୁହଁ ବା ଟାପୁମାରି ନାହାନ୍ତି କିମ୍ବା ଭାଷାକୋଷର ସଂକଳନ, ଶବ୍ଦସଂଗ୍ରହ, ଅର୍ଥସଂଗ୍ରହ, ଗ୍ରାହକ ସଂଗ୍ରହ ବିଷୟରେ ମତେ ସାହାଯ୍ୟ କରିନାହାନ୍ତି କିମ୍ବା ମୋ ପାଖକୁ ଆସି ଭାଷାକୋଷରେ ପରିଲକ୍ଷିତ କୌଣସି ଭ୍ରାନ୍ତି ବା ପ୍ରମାଦ ବା ଦୋଷ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରିନାହାନ୍ତି । କିନ୍ତୁ ଭାଷାକୋଷର ପ୍ରଥମ ଓ ପରବର୍ତ୍ତୀ ଖଣ୍ଡମାନ ପ୍ରକାଶିତ ହେବାର ଦେଖି ସେମାନଙ୍କ ପିଳେହି ପାଣି ହୋଇଯାଇଛି । ପାଠକେ ଅବଧାନ ! କ୍ଷମା କରିବେ ଏ ବାକ୍ୟଟା ପୁଣି କରୁଚି ବା ଅଶ୍ମୀଳତାଆଡ଼କୁ ମୁହେଁଇଲା ବୋଲି ଆପଣ ନାକ ଟାଉଁ ଟାଉଁ କରନ୍ତୁ ନାହିଁ । କାରଣ ଏ ବାକ୍ୟଟା ଶ୍ମୀଳ, ସୁରୁଚିମୟ ସାଧୁଶବ୍ଦରେ ବା କଥାନ୍ତର କଲେ ଏହା ପ୍ଳୀହ୍ୱା ଜଳିଭୂତ ହେଉଅଛି, ହେବ । ପ୍ଳୀହ୍ୱା ଜଳୀଭୂତ ହେବା ବାକ୍ୟ ବା ତହିଁର ଅର୍ଥ କି ଭାଷାକୋଷ, କି ପାଳକୋଷ, କି ବୈଦିକ କୋଷ, କାହିଁରେ ମିଳିବ ନାହିଁ । x x x ଆଉଜଣେ ଶୁକ୍ରାଚାର୍ଯ୍ୟ ବିଳିବେଳେଇଲେ କି ଭାଷାକୋଷକୁ ଭ୍ରମକୋଷ ବୋଲାଯାଇପାରେ, (ଭା. କୋ ପା. ସ-୪) ଇତ୍ୟାଦି ବୟାନ ଭିତରେ ପ୍ରହରାଜଙ୍କ ହୃଦୟର ଗଭୀର ସଙ୍କେତ ହିଁ ପ୍ରକାଶିତ ।

 

କେବଳ ଗୋଦାବରୀଶ ନୁହନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଧ୍ୟ ପରବର୍ତ୍ତୀ କାଳରେ ଆପଣା ସଂପାଦିତ ‘ଡଗର’ ସାହିତ୍ୟ ପୃଷ୍ଠାରେ ଶ୍ରୀ ଶ୍ରୀ ହନୁମନ୍ତ କପିବର ନକଲନବିସ୍‌ ଛଦ୍ମ ନାମରେ ବହୁ ଶବ୍ଦର ଲାକ୍ଷିଣିକ ଅର୍ଥ ପ୍ରକାଶ କରୁଥିଲେ । ସଂକଳିତ ଶବ୍ଦଗୁଡ଼ିକ ଥିଲା ଲାଳିକା ବା ପାରୋଡ଼ି ଶ୍ରେଣୀର । ସଂକଳନ ଶୀରୋନାମା ରଖାଯାଇଥିଲା, ‘‘ଅର୍ଦ୍ଧଚନ୍ଦ୍ର ଦେଢ଼ିଆ ଭାଷାକୋଷ’’ । ପ୍ରହରାଜଙ୍କ ନିଃସ୍ୱାର୍ଥପର ଏକକ ଉଦ୍ୟମରେ ସଂକଳିତ ଭାଷାକୋଷ ଯେ ଜାତୀୟସମ୍ମାନ ଓ ଶ୍ରୀବୃଦ୍ଧିରେ ସହାୟକ ହେବ, ଏସତ୍ୟକୁ ତୁଚ୍ଛା ଆଦର୍ଶାନ୍ଧ ବ୍ୟକ୍ତିବିଶେଷ ପାସୋରି ପକେଇଥିଲେ । ପ୍ରହରାଜଙ୍କ ଅନ୍ୟ କୃତିଗୁଡ଼ିକରେ ଚମତ୍କାର ରୀତିରେ ରୂପ ପାଉଥିବା ତାଙ୍କ ସଂସ୍କୃତ ଓ ସଂସ୍କୃତି ପ୍ରିତି ମାନସିକତାକୁ ହୁଏତ କୌଣସି କାରଣରୁ ନିଘା ଦେଉନଥିଲେ । ମାତ୍ର ବିନ୍ଧ୍ୟନ୍ୱେଷୀମାନଙ୍କର ତିକ୍ତକଷାୟ ସମାଲୋଚନାରେ ପ୍ରହରାଜେ ‘ଗର୍ତ୍ତନିପତଃ’’ ହେଉ ନ ଥିଲେ ବରଂ ଆପଣ କାର୍ଯ୍ୟପ୍ରତି ସେ ହୋଇ ପଡ଼ୁଥିଲେ ଅଧିକ ଅନୁରକ୍ତ ଓ ବିଶ୍ୱସ୍ତ । ଦୃଢ଼ମନା ସଂକଳକ, ଗ୍ରନ୍ଥର ମୁଖବନ୍ଧରେ ଏହି ଚରମ ସତ୍ୟକୁ ବାରମ୍ବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରକାଶ କରୁଥିଲେ । ଉଭୟ ସମାଲୋଚକ ଓ ପ୍ରଶଂସକଙ୍କୁ ସେ ସମାନ ଭାବରେ ବିବେଚନା କରୁଥିଲେ । ସେ ଅନୁଭବ କରିଥିଲେ କୌଣସି ବ୍ୟକ୍ତିର ଆତ୍ମଜୀବନ ଚରିତ ପରି, ଜୀବନ ଭାଷାର ପୂର୍ଣ୍ଣାଙ୍ଗ କୋଷ ଗ୍ରନ୍ଥ ସଂକଳନ ମଧ୍ୟ ଅସଂପୂର୍ଣ୍ଣ । ଯାହାଥିଲା, ସବୁକିଛି ସାଉଁଟି ଆଣିବା ମଧ୍ୟ ଅସମ୍ଭବ । (ପୂ. ଓ. ଭା-୩ୟ ଖଣ୍ଡ ମୁଖବନ୍ଧ) ଅସଂପୂର୍ଣ୍ଣତା ଅପରିପୂର୍ଣ୍ଣତା ଓ ଅତୃପ୍ତିବୋଧହିଁ ଜୀବନର ଅଭିଧର୍ମ ।

 

ଭାଷାକୋଷର ଆକଳନ ଓ ପ୍ରହରାଜଙ୍କ ବିବଦମାନ କୋଷକୈନ୍ଦିକ ଜୀବନଚର୍ଯ୍ୟାର ଚିତ୍ର କେବଳ ତାଙ୍କରି ଭାଷାରେ ଥୋଇବାକୁ ଗଲେ ଏତିକି କୁହାଯାଇପାରେ ଯେ– ‘‘ଏ ଯଜ୍ଞର ସଂକଳ୍ପ ବାକ୍ୟ ବୋଲା ହେଲାବଳେ ମହାତ୍ମା ଗାନ୍ଧୀ ପୁରୋଧା ହୋଇଥିଲେ । ଯଜ୍ଞ ପରେ ଅବତ୍ତୃତ ସ୍ଥାନବେଳକୁ ସମ୍ରାଟ ପ୍ରତିନିଧି ଭାଇସରୟ ପୌରୋହିତ୍ୟ ଗ୍ରହଣ କଲେ । x x x ଉତ୍କଳମଣି ଗୋପବନ୍ଧୁ ସ୍ୱସ୍ତିବାଚକ କଲେ । ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ଶାନ୍ତିବାଚକ କଲେ, କଂଗ୍ରେସ ସରକାର ସପ୍ତମ ଖଣ୍ଡରେ ଲହଡ଼ି ବସେଇଥିଲେ । ବେକଂଗ୍ରେସୀ ସରକାର ଏଥିରେ ଲହଡ଼ି ମୁଦ କଲେ । ମହାମତି ସାର୍‌ ଜନ୍‌ ହବାକ୍‌ ଓଡ଼ିଶା ବିଭାଗର କମିସନରରୂପେ ଏ ସାରସ୍ୱତ ମନ୍ଦିରରେ ଶୁଭ ଦେଇଥିଲେ । ସେହି ସ୍ଥପତିରତ୍ନ ଆଜି ଏଥ ଉପରେ ନୀଳଚକ୍ର ବସେଇଲେ । x x x ବିହାର ଓ ଓଡ଼ିଶା ସରକାର ଏ ଗ୍ରନ୍ଥରେ ତଳି ରୋଇଲେ । ଉତ୍କଳର ଏକତମ ପ୍ରସିଦ୍ଧ ରାଜବଂଶୀୟ ମୟୁରଭଞ୍ଜାଧୀଶ୍ୱର ଗଛମୂଳରେ ମାଠିଆରେ ପାଣିଦେଲେ, ଏ ଗଛକୁ ତାଙ୍କ ସ୍ୱର୍ଗତଃ ଜ୍ୟେଷ୍ଠଭ୍ରାତା ପୂର୍ଣ୍ଣଚନ୍ଦ୍ରଙ୍କ ନାମ ଦିଆଇଲେ । ଗଡ଼ଜାତ ଓ ମୋଗଲବନ୍ଦୀର ସାହିତ୍ୟନୁରାଗୀ ରମାବର ପୁତ୍ରମାନେ କ୍ଷେତ୍ରରେ ସିଆର କାଟି ଗଛମୂଳରେ ପାଣି ମଡ଼ାଇଲେ । (ପୂ. ଓ. ଭା. ୭ମ ଖଣ୍ଡ-ମୁଖବନ୍ଧ) ସତକୁସତ ସେଇ ଗଛମୂଳରେ ନିଜର ରକତ ଢାଳି ଦେଇଥିବା ପ୍ରହରାଜରୂପୀ ମଣିଷଟି ବିଷଜ୍ୱାଳାରେ ଜୀବନତର୍ପଣ କରିସାରିଲାପରେ, କାହାଣୀର ସେଇ ସ୍ରଷ୍ଟାର ଆତ୍ମା ନେଇ ସେ ସେଠିକି ଗଲେ ଯେ, ତାଙ୍କୁ କେହି ଆଡ଼ଆକ୍ଷିରେ ବି ପଚାରିଲେନି ।

Image

 

ମୁଁ ଗୋପାଳପୁରିଆ

 

ସାଧାରଣ ଆକ୍ଷିରେ ବାହାରକୁ ଏତେ ପରିଚ୍ଛନ୍ନ, ସୁକୁମାର କିମ୍ବା ବିକଳାଙ୍ଗ କୁତ୍ସିତ ଦେଖାଯାଉଥିବା ମଣିଷ ପ୍ରକୃତରେ ତାହା ନୁହେଁ । ତା ଉପରେ ଅଲଗାରୂପର ଆବରଣ ଥାଏ । ଆବରଣକୁ ଉତ୍ତାରି ଦେଇପାରିଲେ ତାର ଦୟନୀୟ ବା ଉର୍ଦ୍ଧ୍ୱରେ ତା ପୁରୁଷାର୍ଥର ଅସଲ ରୂପ ପଦାରେ ଫୁଟିଉଠେ । ମାତ୍ର ଛାଲ ଉତ୍ତାରି ତାକୁ ଠାବ କରିପାରିବା ଏତେ ସହଜ ନୁହେଁ । କାରଣ ତାକୁ ଦେଖିବାକୁ, ଅନୁଭବ କରିବାକୁ, ଲଙ୍ଗଳା କରି ରାସ୍ତା ମଝିରେ ଠିଆ କରିବାକୁ ଚାହୁଁଥିବା ଚରିତ୍ର ମଧ୍ୟ ସେମିତି ଜଣେ ମଣିଷ । ଅନ୍ୟପକ୍ଷରେ ପୋଖତ ନାଟୁଆ ମଣିଷ, ଯିଏ ନିଜ କେନ୍ଦ୍ରର ପରିଧିରେ ବିଚକ୍ଷଣ ଭାବରେ ପରିକ୍ରମା କରୁଥାଏ, ନିଜ ସ୍ୱାର୍ଥ, ଇଜ୍ଜତ, ମାନସମ୍ମାନ ସବୁକିଛିକୁ ଆଗରେ ଥୋଇ କଥା କହୁଥାଏ, ଗୋଟିଏ ତୁଣ୍ଡରେ ସଂସାରର ନଶ୍ୱରତା, କପଟଚାରିତା ସଂକ୍ରାନ୍ତୀୟ ଦର୍ଶନ ବିଷୟରେ କେତେବାଗରେ, ତେଜରେ ଭାଷଣ ମାରୁଥିଲାବେଳେ, ମଞ୍ଚର ଆଢ଼ୁଆଳରେ ଯାବତୀୟ ନାସନା କାମଗୁଡ଼ାକ କରିଲାଲାଗି ଏତେଟିକିଏ ବି ନାକ ଟେକେନା । ଗୋପାଳଚନ୍ଦ୍ର ପ୍ରହରାଜ ଏଇ ମାୟା ସଂସାରର ଖପା ଭିତରେ ଗୁହ, ମୂତରେ ଘାଣ୍ଟିଚକଟି ହେଉଥିବା ଜଣେ ମଣିଷ । କେତେକଙ୍କ ଦୃଷ୍ଟି ତାଙ୍କକାଳର ଜଣେ ସବୁଠାରୁ ଗନ୍ଧିଆ ମଣିଷ । ମାତ୍ର ଟିକିଏ ତିଳେଇ ଦେଖିଲେ ଜଣାଯାଏ ,ସେ ସେମାନଙ୍କଠାରୁ ଜମାରୁ ଅଧିକ ଗନ୍ଧିଆ ନ ଥିଲେ । ସେ ଯାବତୀୟ ଆବର୍ଜନା ଭିତରେ ହୋସ୍‌ଥିବା ପର୍ଯ୍ୟନ୍ତ ଡୁବ ମାରୁଥିଲେ । ମନବୋଧ ହେଲାପରେ ପଦାକୁ ବାହାରି ଆସୁଥିଲେ । ବେଶ୍‌ ରୁଚିମନ୍ତ ବେଶ ପୋଷାକରେ ସଜ ହୋଇପଡ଼ୁଥିଲେ । ଦେହରେ ଅତରମାରି ରସିକବେଶରେ ବିହାର କରୁଥିଲେ । ସେ ଗୋପାଳ ପ୍ରହରାଜ, ଅମୂକ, ଅମୂକ ଉପାଧିର ଅଧିକାରୀ, ଗୁଣୀ, ମାନୀ ବିଦ୍ୱାନ ବୋଲି ଘୋଷଣା କରୁଥିଲେ ଏବଂ ନିଜକୁ ଗୋଟାପଣେ ଗଙ୍ଗାଜଳ ବା ତୁଳସୀଗଛ ବୋଲି ଆଦୌ କହୁ ନ ଥିଲେ । ବଡ଼ ରସିକ ଭାବରେ ବାଟ ଅବାଟରେ ଗୁମର କଥାଗୁଡ଼ିକ ଖୋଲି ପକୋଉଥିଲେ । ଆପଣା ଗୋଇ ତାଡ଼ିଲାବେଳେ ନିଶରେ ହାତ ମାରିବାକୁ ମଧ୍ୟ ପଛୋଉ ନ ଥିଲେ । ଅନ୍ୟମାନଙ୍କ ଆକ୍ଷି ଖୋଲି ଦଉଥିଲେ । ଆକ୍ଷିମିଟିକାକୁ ଖାତିରି କରୁ ନ ଥିଲେ । ଏତକ କାମ ନ କଲା ପର୍ଯ୍ୟନ୍ତ, ତାଙ୍କ ଭାତ ହଜମ ହଉ ନ ଥିଲା । ସେ ଥୟଧରି ଘର କୋଣରେ, ଗମ୍ଭୀରଭାବରେ ବସିପାରୁ ନ ଥିଲେ । ନିଜକୁ ‘‘ଗୋପାଳପୁରିଆ’’ ବୋଲି ଛିଗୁଲୋଉ ଥିଲେ । (ଆ. ଘ. ହା. ପୃ ୭-ନ, ଭା. ପୃ, ୮ମ ସଂ ୧୩୨୩ ପୃ) ‘‘ଏ ଦୁନିଆ ରୂପକ ଭଡ଼ାଗାଡ଼ିଖାନା’’ ରେ ଭାଡ଼ୁଆ ବେଶରେ ଅଭିନୟ କରୁଥିଲେ ଏବଂ ଅନ୍ୟମାନଙ୍କ ନୀଳବର୍ଣ୍ଣ ଛାଲକୁ ବେଶ୍‌ ପରିଚ୍ଛନ୍ନ ଭାବରେ ଉତ୍ତାରି ଦଉଥିଲେ ।

ପ୍ରହରାଜ ସବୁଠୁ ବଡ଼ ସମାଲୋଚକ ଥିଲେ ଆପଣା ବୃତ୍ତିର ଓ ବୃତ୍ତିଧାରୀମାନଙ୍କର । ଅଥଚ ଅନ୍ୟମାନଙ୍କ ଦୃଷ୍ଟିରେ ଏ ବୃତ୍ତିକାଳେ ଭାରି ସୁଆଦିଆ, ସ୍ୱାଧୀନ । ଏଥିରେ ଉପରିସ୍ଥର ସ୍ତାବକତା କରିବାକୁ ପଡ଼େନା, ଆଉ କାହା ପଛରେ ଗୋଡ଼ାଇବାକୁ ପଡ଼େନା, ନିଜ ଇଚ୍ଛା ଅନୁସାରେ ଅନେକ କିଛି କରିବାକୁ ପଡ଼େ । ନାହିରେ ତେଲଦେଇ ଶୋଇ ପଡ଼ିଲେ କେହି ଉଠ ବୋଲି କହିବାକୁ ନାହିଁକି, ନିଜ ଫନ୍ଦି ଫିକରରେ ଅହର୍ନିଶ ନାକ ବୁଡ଼େଇ ରହିଲେ କାହାରି ମୁଣ୍ଡ ପୂରେଇବାର ସମ୍ଭାବନା ନାଇଁ । ପରିଶ୍ରମ ଅନୁସାରେ ଫଳ ମିଳିଯାଏ ହାତ ମୁଠାରେ । ଉପରକୁ ଏତେ ଚିକ୍‌କଣ ଦେଖାଯାଉଥିବା ବୃତ୍ତି ପ୍ରକୃତରେ ତା ନୁହେଁ । କଳାକୁ ଧଳା, ଧଳାକୁ କଳା କରିବାର କଳାବେଉସା କରିବାକୁ ହେଲେ ହାକିମଙ୍କଠାରୁ ଆରମ୍ଭ କରି ସବୁ ସ୍ତର, ରୁଚି, ଆଦର୍ଶର ସାଧାରଣ ମଣିଷଙ୍କୁ ଆଉଁସିବାକୁ ପଡ଼େ । ବେଶି ସେବା କରିବାକୁ ପଡ଼େ ଟରଣୀମାନଙ୍କର । ସେମାନେ ହିଁ ମକ୍‌କେଲ ଯୋଗାଡ଼ କରି ଆଣନ୍ତି । ତାଙ୍କର ମାଧ୍ୟମରେ ଓକିଲମାନେ ବିଚରାମାନଙ୍କ ସତ୍ୟାନାଶ କରିବାର ସୁଯୋଗ ପା’ନ୍ତି । ଧୋବଧାବଳିଆ ବେଶରେ ଚୋରି କରନ୍ତି-। ହାକିମମାନଙ୍କ ସୁକୁମାର, ଧର୍ମାବତାର ଦେହରେ ଷୋଡ଼ଷୋପଚାରେ ପୂଜା ଲଗେଇ ତୁଷ୍ଟ କରିବାକୁ ସାଧନା କରନ୍ତି । ସେମାନଙ୍କ ମହତ୍ତ୍ୱ ଓ ବ୍ୟକ୍ତିତ୍ୱ ତାଙ୍କରି ହାତରେ । କାରଣ, ‘‘ଆଇନକାନୁନ୍‌ ଅଦାଲତ ବଡ଼ ଲୋକମାନଙ୍କ ପାଇଁ । ଯେ ପଇସା ବିଞ୍ଚି ପାରିଲା ତାହାରି ଜୟ ।’’ (ଦୁ. ହା. -ପୃ ୫୨) ‘‘ସେଇମାନଙ୍କ ମିଞ୍ଜାଜକୁ ନ ଜଗିଲେ ଫଳ ତା ବାଟ କରି ବାହାରିଯାଏ ।’’ (ଦୁ. ହା.-ପୃ ୭୭) ଦିଅଁ ଦୁଆରେ ପହଞ୍ଚିବାକୁ ହେଲେ, ପ୍ରଥମେ ଦେହ କିଳିବାକୁ ପଡ଼େ । ସେମାନଙ୍କ ଅକାଟ୍ୟ ବର ଲାଭ ପାଇଁ, ଉଦ୍ୟାନ ସମ୍ମିଳନୀ, ସାଂଧ୍ୟମିଳନ, ଚା’ ସମ୍ମିଳନୀ, ଭୋଜନ ମିଳନରେ ଚଣ୍ଡୀଚାମଣ୍ଡାମାନଙ୍କ ସହିତ ମିଳିତ ହେବାକୁ ପଡ଼େ । (ଆ. ଘ. ହା-ପୃ ୪୫ ) ପଦ୍ମତୋଳାଠାରୁ ଆରମ୍ଭ କରି ସ୍ତୁତିପାଠରେ, ଯିଏ ଯୋଉଥିରେ ତୁଷ୍ଟ ହେବ, ତାହା କରି ନ ଜାଣିଥିଲେ, ଏ ବ୍ୟବସାୟରେ ଚଣାଚର୍ବଣ ହିଁ ସାର ହୁଏ, କାରଣ ଏଥିରେ ସମସ୍ତେ ହାକିମ-ହାକିମ ତେତ୍ରିଶକୋଟି ଦେବଦେବୀ । ଓକିଲଗୁଡ଼ାକ ଚପରାସି-ହୀନ ଚପରାସି (ଦୁ. ହା. ପୃ ୧୭), ‘‘ଏହା ସ୍ୱାଧୀନ ବ୍ୟବସାୟ ନୁହେଁ । ପେଶାରେ ସ୍ୱାଧୀନତା ନ ଥାଏ । ଚାକିରିରେ ନିର୍ଦ୍ଦିଷ୍ଟ ପରାଧୀନତା ଥାଏ, ମାତ୍ର ଓକିଲାତିରେ ପରାଧୀନତା ଅନିର୍ଦ୍ଦିଷ୍ଟ । (ଦୁ. ହା. ପୃ ୫୨)

ଓକିଲାତି ବ୍ୟବସାୟ ‘‘ଅଲରା, ଅସନା, ନିରଗୁଣା ପେଶା ।’’ ଯୋତା ସିଲେଇଠାରୁ ଚଣ୍ଡୀପାଠ, ତାହା ଗାଲୁଆମିଠାରୁ ପାଣ୍ଡିତ୍ୟପ୍ରଦର୍ଶନର ଅଲଣା କ୍ଷେତ୍ର ହିଁ ଓକିଲାତି । ନାଚି ନ ଜାଣି, ଗାଇ ନ ଜାଣି, ବିଛାମନ୍ତର ନ ଜାଣି ନିଜକୁ ନୃତ୍ୟ, ଗୀତ ଓ ସର୍ପବଶୀକରଣ କଳାରେ ଧୁରୀଶ ବୋଲି ଫିସାଦ କରିବାକୁ ପଡ଼େ । ସବ୍‌ଜାନତାପଣିଆ ସାବ୍ୟସ୍ତ କରିବାକୁ ପଡ଼େ । ଏତକ ନ କରିପାରିଲେ, ପେଶା ବିଗିଡ଼ିଯାଏ । ତେଣୁ ଓକିଲାତି ଛଳବାହିନୀଶମାନଙ୍କର ବୃତ୍ତି । ଏ ପେଶାରେ ମଣିଷ କିଛି ହୋଇପାରେନା ।

ଏଥିରେ ଦେଶ, ସମାଜର ମଙ୍ଗଳ କରିବାର ସମ୍ଭାବନା ଯେ ନାହିଁ ଏକଥା ନୁହେଁ, ମାତ୍ର ସ୍ୱାର୍ଥପର ମଣିଷ ଏତେ ସହଜରେ ଆଉ କାହାର ହିତ ଚାହେଁନା । କ୍ଷମତା ଓ ଅର୍ଥର ପ୍ରଲୋଭନରେ ଦେଶଟାକୁ ଉଚ୍ଛନ୍ନ କରିବାକୁ ସେ ଆଗେଇଯାଏ । (ଦୁ. ହା- ପୃ ୨୦୦) ମିସଲ ଉପରେ ଠିଆହୋଇ, ଧର୍ମଶାସ୍ତ୍ର ଛୁଇଁ ମଣିଷ ଶପଥ କରେ ମିଛ ନ କହିବାକୁ । ମାତ୍ର ଡାହା ମିଛ କଥାଗୁଡ଼ାକ ସେ ଏତେ କଳାତ୍ମକ ଭାବରେ ବଖାଣିଯାଏ ଯେ, ଆଉ ଏକ ନୂତନ ସତ୍ୟ, ତା ଛାଏଁ ପ୍ରତିଷ୍ଠିତ ହୋଇଯାଏ । କାରଣ ସତ୍ୟ, ପ୍ରମାଣ ଉପରେ ନିର୍ଭରଶୀଳ ଏବଂ ଯା ଅଣ୍ଟାରେ ପଇସାର ଯୋର ଯେତେ ବେଶି, ସେ ସତ୍ୟକୁ ସେତିକି ଦାଣ୍ଡରେ ହିଁ ସଭିଙ୍କ ଆଗରେ ଠିଆ କରେଇ ଦେଇପାରେ । ଦିହ କିଳି ଜାଣିଥିବା ଧୋବଧୋବଳିଆମାନେ ଅଣ୍ଟାରୁ ଖୋସଣୀ ଖୋଲି ଦିଅନ୍ତି, ‘‘ଭଦ୍ର ଭାବରେ ଚୋରୀ କରନ୍ତି, ରଙ୍କୁଣୀଗୁଡ଼ାକୁ ମାରି ଗୋଡ଼ାନ୍ତି’’ (ଆ.ଘ. ହା-ପୃ ୨୩) ତିନି ତୁଣ୍ଡରେ ଛେଳି କୁକୁର ହୋଇଗଲା ପରି, ଓକିଲମାନଙ୍କ କାରସାଦିରେ, ସତ୍ୟ, ନ୍ୟାୟାଳୟର ଭୂତଖାନାରେ ସେ ଆପଣା ଛାଏଁ ପାଗଳ ହୋଇଯାଏ । ଧର୍ମାବତାରମାନଙ୍କ ଆଡ଼କୁ ଅନିସା କରି କରି ସେ ଘୁଂଗା ପାଲଟିଯାଏ ।

ଆପଣା ବୃତ୍ତି ସଂକ୍ରାନ୍ତରେ ପ୍ରହରାଜଙ୍କ କଟୁ ମନ୍ତବ୍ୟ ଆକାଶ କୁସୁମ ପରି ନ ଥିଲା । ଏହା ଥିଲା ତାଙ୍କ ଅନୁଭୂତିର କଥା । ସମ୍ଭବତଃ ସେ ନିଜ ବୃତ୍ତିକୁ ଆଦରି ନେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ । ଓକିଲାତି ପଢ଼ାସାରି ୧୯୦୨ ମସିହାରେ ସେ କଟକରେ ଆପଣାର ବ୍ୟବସାୟ ଆରମ୍ଭ କଲେ ମଧୁସୂଦନ ଦାସଙ୍କ ସହଯୋଗୀ ‘ଭାବରେ ଏବଂ କିଛିଦିନ ପରେ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ଫାସ ପକାଇଲେ । ଭାଗବତ ଟୁଙ୍ଗୀରେ ସଂଧ୍ୟା’ର ଦୁର୍ମୁଖ ଶର୍ମାଙ୍କ ପରିଚୟ– ‘‘ଗୁଣନିଧି ବୟସ ୩୦, ଜାତି ‘‘ମାଳପିନ୍ଧା ହିନ୍ଦୁ, ସଂଧ୍ୟା ପୂଜା ପାଖ ଯାଏନା, ତିଳକ କାଟେ, ମାଳି ଗଡ଼ାଏ, ଅନ୍ୟମାନଙ୍କ ଆଖିରେ ଧୂଳି ଦିଏ । ଆକ୍ଷିରେ ଧୂଳି ପକେଇଲାବେଳେ ଆକ୍ଷିବୁଜି ମନ୍ତୁରି ପାରିଲେ ଭାବନା କ’ଣ ? x x x କଳିକଜିଆବେଳେ ବିପକ୍ଷକୁ ପରାସ୍ତ କରେ x x x ନ୍ୟାୟ ଅନ୍ୟାୟ ବୁଝିପାରେ ମାତ୍ର ବର୍ଷା ଦେଖି ଛତାଧରେ । ପରର ଦୁଃଖ ଦେଖିଲେ କାନ୍ଦେ, ଉଦ୍ଧାର କରିବାକୁ ଚେଷ୍ଟା କରେ ନାହିଁ, କାରଣ ଈଶ୍ୱର ତାକୁ ଦୁଃଖ ଦେଇଛନ୍ତି । x x x ବାଡ଼ି ବାଇଗଣ ପୋଥି ବାଇଗଣ ଭିତରେ ପାର୍ଥକ୍ୟ ରଖିଥାଏ x x x ମୋଦକ ସେବନର ବିରୋଧୀ, ମିଷ୍ଟାନ୍ନ ପ୍ରିୟ । ଗାର୍ହସ୍ଥ୍ୟ ଜୀବନର ଆଦର୍ଶସେଚତନ ମାତ୍ର ଘରେ ସବୁଦିନେ କଳି, ରୁକ୍ଷ ପ୍ରକୃତି ।’’ (ଭା. ଟୁ. ସଂ. ପୃ ୩୩) ଭିତରେ ଯେଉଁ ଆଧୁନିକ ଶିକ୍ଷାପ୍ରାପ୍ତ ଯୁବକର ଚେହେରା ସ୍ପଷ୍ଟ ହୋଇଥାଏ, ସେ ସ୍ୱୟଂ ପ୍ରହରାଜ । ମାତ୍ର ଟୁଙ୍ଗୀର ପରବର୍ତ୍ତୀ ସୃଷ୍ଟି ‘‘ବାଇମହାନ୍ତି ପାଞ୍ଜି’’ରେ ପ୍ରହରାଜଙ୍କ ଅସଲରୂପଟି ବାଇମହାନ୍ତିଙ୍କ ଭିତରେ ସଚେତନ ଥିଲା । ଏ ବାଇଧର ମହାନ୍ତି ପୁରୁଣାକାଳିଆ ଅବଧାନ, ପ୍ରହରାଜଙ୍କ ପ୍ରାୟ ସତୁରୀ ବର୍ଷ ବୟସ୍କ ରିପୋର୍ଟର, ପ୍ରତିନିଧି । ପ୍ରାଚୀନ ଓ ଆଧୁନିକର ସନ୍ଧିପୀଠରେ ସଜାଗ ରହି ସେ ଭବିଷ୍ୟତକୁ ଦେଖିବାକୁ ଚେଷ୍ଟା କରୁଥିଲେ ସଂଜୟର ଦୃଷ୍ଟିନେଇ । ‘‘ଯେ କୌଣସି ଚାକିରି ଚେଷ୍ଟାରେ ଅନେକ ସ୍ଥାନ ବୁଲି, ଅନେକ ଜମିଦାରଙ୍କୁ ଅନୁସରଣ କରି, ଅନେକ ହାକିମଙ୍କୁ ଶାଗ, ମାଛ ଭେଟି ଦେଇ ଶେଷରେ ନିରସ୍ତ୍ର ହୋଇ ଦୈବଯୋଗରେ ତାଙ୍କର ଆଶ୍ରୟ ନେଇଥିଲେ ଏବଂ ତାଙ୍କୁ ଅଧୂନାତନ ତତ୍ତ୍ୱ ଗବେଷଣା କାର୍ଯ୍ୟରେ ବାହାଲ କରିଥିଲେ ଜମିଦାର ସାହେବ ।’’ (ବା. ପା. ପୃ ୧ ଓ ୨) ସେ ଦେଶସାରା ଘୂରି ଘୂରି ଯେଉଁ ବିବରଣୀ ଦେଉଥିଲେ ତାହା ଥିଲା ଖୁବ୍‌ ମାରାତ୍ମକ । ବିବରଣୀ କେତେ ଭଙ୍ଗୀରେ ଲେଖାଯାଇଥିଲା । ସେଥିର ‘‘ଚଟଣି, ବ୍ୟଙ୍ଗବିଦ୍ରୂପ, ବାତୁଳର ଅଟ୍ଟହାସ୍ୟ, ପ୍ରେୟସୀ ନବୀନାଙ୍କ ଅର୍ଦ୍ଧସ୍ଫୁଟ ହାସ୍ୟ, ଭଦ୍ରବ୍ୟକ୍ତିଙ୍କର ମନ୍ଦସ୍ମିତ, ଉପଦେଶ, ଆଦେଶ, ସ୍ୱଦେଶ, ବିଦେଶ ଅନେକ କଥା ଥିଲା । (ବା. ପା. ପୃ ୧୧୩-୧୧୪) ଦୁନିଆର ସକଳ ସାମାଜିକ ବ୍ୟବସ୍ଥାକୁ ସେ ମନଭରି ଛିଗୁଲେଇ ଥଲେ । ଚତୁର୍ଦ୍ଦଶ ବିଡ଼ାରେ କଚେରୀର ହାଲ୍‍ଚାଲ୍‍ ସବୁ ଲେଖିଆଣି ଓକିଲବାବୁଙ୍କ ବସ୍ତାନୀ ବୋଲି ବହିଟିଏ ଛପେଇବା ପାଇଁ ଉଦ୍‌ଯୋଗ ମଧ୍ୟ କରିଥିଲେ । କିଛିଦିନ ଓକିଲଙ୍କ ଘରେ ମଧ୍ୟ ଅଟକି ଯାଇଥିଲେ । ଟରଣୀ କାମ କରି ବେଶ୍‌କିଛି ଅର୍ଥ ରୋଜଗାର କରୁଥିଲେ । ମାତ୍ର ମାମଲା ମୋକଦ୍ଦମା ଅନୁପାତରେ ଓକିଲଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କର ‘‘ବହୁଭର୍ତ୍ତା-ତୁଷ୍ଟା-ବୃତ୍ତି’’ ଯୋଗୁଁ ସେ ବୃତ୍ତି ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା । (ବା. ପା. ପୃ ୧୩୮) ଏବଂ ଶେଷକୁ ଆପଣା ପ୍ରୀତ୍ୟାର୍ଥେ ରାଜା ମହାରାଜାମାନଙ୍କ ସେବା କରିବା ପାଇଁ ବାହାରି ଯାଇଥିଲେ ଗଡ଼ଜାତ ଅଭିମୁଖେ । ରାଜ ପରିବାରର ବୀଭତ୍ସ-ସୁଖଭୋଗର ସମ୍ବାଦ ସଂଗ୍ରହ ଥିଲା ତାଙ୍କର ଉଦ୍ଦେଶ୍ୟ । ନିଜ ପେଶାପ୍ରତି ପ୍ରହରାଜେ ଯେ କ୍ରମଶଃ ବିମୁଖ ହୋଇପଡ଼ୁଥିଲେ ବୟସ୍କ ବାଇଧର ମହାନ୍ତିଙ୍କ ବିବରଣୀରୁ ହିଁ ତାହା ସୁସ୍ପଷ୍ଟ ।

ମାତ୍ର ବିଭିନ୍ନ କାରଣରୁ ହାକିମ ଚାକିରି କରିବା ପାଇଁ ମଧ୍ୟ ସେ ଚେଷ୍ଟା କରିଥିଲେ । ଏ ଚାକିରି ପ୍ରତି କେଜାଣି କାହିଁକି ତାଙ୍କ ଭିତରେ ଦୁର୍ବଳତା ଦେଖା ଦେଇଥିଲା । ଏଥିପାଇଁ କେତେ ଜାଗା ବୁଲିଥିଲେ । କେତେ ବାବୁଭାୟାଙ୍କ ପ୍ରଶସ୍ତି ଗାନ କରିଥିଲେ । ମାତ୍ର ତାଙ୍କର ସମସ୍ତ ପ୍ରଚେଷ୍ଟା କୁକୁର ଧାଉଡ଼ିରେ ରୂପାନ୍ତରିତ ହୋଇଯାଇଥିଲା । ଅଗ୍ନାଅଗ୍ନି ବନସ୍ତଠାରୁ ଆରମ୍ଭ କରି ରମ୍ୟ ରାଜପ୍ରସାଦର ତୁଳିତଳ୍ପ ପର୍ଯ୍ୟନ୍ତ ସବୁଠି ସେ ସେଇ ଭୂତର କାଣ୍ଡ କାରଖାନାର ସଂଧାନ ପାଇଲେ-। ସବୁଠି ସେଇ ତାଳିମାଡ଼, କିଳାମାଡ଼, କିଳିକିଳା ରଡ଼ି ତାଙ୍କ କାନରେ ବାଜିଲା । ସ୍ୱାଧୀନତା ଅନୁଭବ କରିବାର ସ୍ୱପ୍ନ ତାଙ୍କର ମଉଳି ଯାଇଥିଲା । ଅବଶ୍ୟ ୧୯୧୩ ମସିହାରେ ପୁରୀଠାରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । କିଛିବର୍ଷ ସେଠାରେ କଟେଇବା ପାଇଁ ମଧ୍ୟ ସେ ଯୋଜନା କରିଥିଲେ । ଶାରୀରିକ ଅସୁସ୍ଥତା ଓ ଅନ୍ୟ କେତେକ କାରଣ ଯୋଗୁଁ ତାହା ମଧ୍ୟ ଅଧିକ କାଳ ସମ୍ଭବ ହୋଇ ନ ଥିଲା । ଓକିଲାତି କାଳରେ ସେ ଏତେ ସମର୍ଥ ଶିଳ୍ପୀ ନ ଥିଲେ । ଆପଣା ପେଶା ଭିତରେ ନିଜକୁ ସଂପୂର୍ଣ୍ଣ ଭାବରେ ହଜେଇଦେଇ ପାରୁ ନ ଥିଲେ କିମ୍ବା ତାକୁ ସଂପୂର୍ଣ୍ଣ ଭାବରେ ଛାଡ଼ିଦେବାକୁ ମଧ୍ୟ ଉଚିତ ମଣୁ ନ ଥିଲେ । କଳାବଳଦକୁ ଧଳା କରିବାର ଔଷଧି ଖୋଜୁଥିଲେ ‘‘କୁଳଚନ୍ଦ୍ରମାନଙ୍କ ମୁହଁରୁ ଓକିଲାତି ପେଶାର ନିନ୍ଦା ବାହାରୁଥିଲା । ପେଶାପ୍ରତି କୈନ୍ଦ୍ରିବାର୍ଷଣଟା କମିଯାଇ ନ ଥିଲା । ବରଂ ଏହା ଥିଲା ଦଳପତି ହେବାର ଉପାଦେୟ ଲକ୍ଷଣ । (ନ. ବ. ଉ. ସା. ୧୯ଶ ୬ଷ୍ଠ-୧୩୨୩-ପୃ ୨୨୩)’’

ବୃତ୍ତିବିମୁଖ ଗୋପାଳ ଚନ୍ଦ୍ର ରାଜନୀତି ଭୂମିରେ ଅଧିପତି ଭାବରେ ଅବତରଣ କରିବା ପାଇଁ ମଧ୍ୟ କମ୍‌ ଚେଷ୍ଟା କରି ନ ଥିଲେ । ବେଶ ଘରେ ସଜ ହେଇ ବସିଥିଲେ, ପାର୍ଟ ବି ମୁଖସ୍ଥ କରିଥିଲେ । ବଙ୍ଗ ବ୍ୟବସ୍ଥାପନ ସଭାର ସଦସ୍ୟ, ଜିଲ୍ଲାବୋର୍ଡ଼, ଲୋକାଲବୋର୍ଡ଼, ମ୍ୟୁନିସପାଲଟିର ସଦସ୍ୟ ହେବାପାଇଁ କେତେଖେଳ ଖେଳୁଥିଲେ । ମାତ୍ର କୌଣସିଟିରେ ସେ ପୂର୍ଣ୍ଣଭାବରେ ସଫଳ ହୋଇପାରୁ ନ ଥିଲେ । କଷ୍ଟେମଷ୍ଟେ ଅନେକଙ୍କୁ ଅନେକ କିଛି କରେଇପାରିବାର ଶକ୍ତି ତାଙ୍କର ଥିଲା । ଜିଲା ବୋର୍ଡ଼, ମ୍ୟୁନିସ୍‌ପାଲଟିର ସେ ସଭ୍ୟ ହୋଇପାରିଥିଲେ । ଉତ୍କଳ ସମ୍ମିଳନୀର ମଧ୍ୟ ସେ ଥିଲେ ଅନ୍ୟତମ ଯନ୍ତ୍ରୀ । ପ୍ରଥମେ ସମ୍ମିଳନୀର ସମାଲୋଚକମାନଙ୍କ ମୁହଁରେ ନିଆଁ ହୁଳା ଗେଞ୍ଜି ଦେଉଥିଲେ । ମାତ୍ର ପରେ ପରେ ସମ୍ମିଳନୀର ସେ ହେଲେ ନିର୍ମମ ସମାଲୋଚକ । ଓଡ଼ିଆମାନଙ୍କୁ ପିଣ୍ଡାଓଲୁ, ଧର୍ମଭୀରୁ, ହାମ୍‌ବଡ଼ା ଜାତି ବୋଲି କହି ଗାଳି ଦେଉଥିଲେ ଏବଂ ଓଡ଼ିଶାର କୂପରେ ଡୁବମାରୁଥିବା ଦେଶପ୍ରେମୀମାନେ ଆପଣା ସ୍ତ୍ରୀ ପୁତ୍ର, କୋଠା, ଅଳଙ୍କାର, ସଂପତ୍ତି ବ୍ୟତୀତ ଜୀବନରେ ଆଉକିଛି ଅଧିକ ସ୍ୱପ୍ନ ଦେଖିବାକୁ ଅସମର୍ଥ ବୋଲି ଛିଗୁଲୋଉଥିଲେ-। ନିଜକୁ ସେଇମାନଙ୍କ ଭତରୁ ଜଣେ ଭାବରେ ଗଣନା କରୁଥିଲେ । ଏଣେ ଇଂରେଜମାନଙ୍କର ପ୍ରଶସ୍ତି ଗାନ କରୁଥିବାରୁ ଜାତିଦ୍ରୋହୀ ଭାବରେ ମଧ୍ୟ ସମାଲୋଚିତ ହେଉଥିଲେ । ତେଣୁ ରାଜନୀତିକ ମଞ୍ଚିରେ ସେ ଥିଲେ ଅନ୍ୟତମ ଅସଫଳ ନାୟକ ।

ରାଜନୀତିକ୍ଷେତ୍ରରେ ଏଇ ଅସଫଳ ନାୟକ ଅପୂର୍ବ ସଫଳତା ଲାଭ କରିଥିଲେ ଆଉ ଏକ ଅଲଗା ଭୂମିରେ, ‘‘ଅଖଣ୍ଡ ଓ ଅକାଟ୍ୟ ସାହିତ୍ୟ ସାଧନାରେ ସେ ଅଦ୍ୱିତୀୟ, ଉପଜୀବ୍ୟ ବୋଲି ମତବାଦ ଓ କ୍ରିୟା ବୋଲ ସବୁ ତାଙ୍କର ଥିଲା ଏକା ସାହିତ୍ୟ ସାଧନା ପାଇଁ । ସେ ଯାହାକୁ ସାହିତ୍ୟ ସାଧନା ବୋଲି ବୁଝୁଥିଲେ, ତାହାରି ଅନୁକୂଳ ଜୀବିକା ହିଁ ତାଙ୍କର । ତାହାରି ଅନୂକୂଳ କାର୍ଯ୍ୟ ହିଁ ତାଙ୍କର କାର୍ଯ୍ୟ । x x x ଜୀବନର ପ୍ରାରମ୍ଭରେ ସେ ସଂସ୍କାର ଦୃଷ୍ଟିରେ ଲୋକଚରିତ୍ର ଓ ଲୋକସଂସ୍କାରର ସୁନ୍ଦର ରହସ୍ୟମୟ ଆଲୋଚନାରେ ସାହିତ୍ୟ ଆରମ୍ଭ କରିଥିଲେ ।’’ (ନୀଳକଣ୍ଠ ଦାସ-ନ. ଭା. ନୂ. ପ୍ର. ୧ମ ବ. ୧ମ ସଂ. ଅଙ୍କ ୪୬ ପୃ ୪୪) ଜୀବନ, ଜଗତ ଓ ଜଗତଜନଙ୍କୁ ଯେମିତି ଦେଖୁଥିଲେ, ସେଇ କଥାହିଁ ଲେଖୁଥିଲେ । ସାହିତ୍ୟର ହାତ ଧରି ଆପଣାର ଜୀବନ ନଉକାଟିକୁ ସଂସାର ସାଗରରେ ମେଲି ଦେଇଥିଲେ । ଅନ୍ୟ ଭାଷାରେ-ସାହିତ୍ୟର ଅସଲ ଭାବ ସହ ସଙ୍ଗାତ ବସିଥିଲେ । ସମସ୍ୟାସହ ଅନ୍ୟମାନଙ୍କୁ ସମଭାଗୀ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଭା. ଟୁ. ସଂ, ବା. ପା, ଦୁ. ହା. ନ. ବ, ସବୁଥିରେ ସଂସାର ଓ ସଂସାରୀମାନଙ୍କ ଆଗରେ ଆପଣାକୁ ଓ ଅନ୍ୟମାନଙ୍କୁ ବେଇଜ୍ଜତ କରୁଥିଲେ । ବିକଳ ପରିଣତିର ଅନିସା ରଖୁଥିଲେ । କିଛି ଢେଲାମାଡ଼ ଖାଇଲା ପରେ ନିଜକୁ ନିଜେ ବୋଧ ଦେଇ କହୁଥିଲେ-‘‘ତୋର ସମୟ ନ କଟିଲା ବୋଲି ତୁ ପର ଦିହକୁ ଖେଂଚିବୁ, ଏ କେଉଁଠା ନିଷାପ ? ତୁ ପର ପାଇଁ ଗାତ ଖୋଳିଲେ ପର ପୁଏ ମଧ୍ୟ ତୋ ଲାଗି ଖଣିଖୋଳି ତୋତେ ଉପର କଣ୍ଟା ତଳ କଣ୍ଟା କରିବେ । x x x ଦୁନିଆର ହାଲ ନ ଉଣ୍ଡି ମୋ ଘରର ହାଲ୍‍ଚାଲ୍‍ ଲେଖିଲେ, ମୋରି ଖେଞ୍ଚା ମୋରି ଠେଇଁ ବାଜିବ, ଏଥିରେ ଅନ୍ୟ କେହି ଦାଉଘାତ ହେବେ ନାହିଁ ।’’ (ଆ.ଘ.ହ. ପୃ-୬୫) ‘‘ଦୁନିଆର ହାଲ୍‍ଚାଲ୍‍ ଲେଖିବା ଅମନୁଷ୍ୟତା ନୁହେଁ । ନିଜ ଘରର ହାଲ୍‍ଚାଲ୍‍ ଦେଖି ନିଜ ବାଟ ବୁଜିବା (ଆ. ଘ. ହା. ପୃ ୭୩) ଆଦର୍ଶକୁ ସେ ଗ୍ରହଣ କରିଥିଲେ । ସେ ନିଜକୁ ଦାଣ୍ଡର ମଣିଷ ଭାବରେ ଠିଆ କରେଇବାକୁ ସୁଖ ପାଉଥିଲେ । ପର ଘରର ଛିଦ୍ର ଖୋଜି ନିଷାପ କରୁଥିଲେ । ଆଦର୍ଶର ବାଜା ବଜେଇ ‘‘ନ୍ୟାୟତଃ କରଣୀୟ’’ କାର୍ଯ୍ୟଗୁଡ଼ିକର ବିବରଣୀର ପସରା ମେଲି ଦେଉଥିଲେ । ଶାସ୍ତ୍ର, ପୁରାଣ, ନୀତିନିୟମର ଆଲୁଅ ଦେଖାଉଥିଲେ । ଅନ୍ୟମାନଙ୍କୁ କାଇଲ୍‌ କରୁଥିଲେ । ମାତ୍ର ଆପଣା ଘରେ ସେଇ ସମସ୍ୟା ପଡ଼ିଲେ ଓଲଟି ପଡ଼ୁଥିଲେ । ପୂର୍ଣ୍ଣ ଭାବରେ ଓଲଟି ପଡ଼ିବାର ହେତୁ ଯେ ଆଇନ ଓ ଶାସ୍ତ୍ରନୁମୋଦିତ, ଏ କଥାକୁ ପ୍ରମାଣ କରିବା ପାଇଁ ନଜିରମାନ ମଧ୍ୟ ସଜାଡ଼ି ପକୋଉଥିଲେ । ‘‘ଗୁରୁବଚନ କହିବା ପାଇଁ, ପାଳିବା ପାଇଁ ନୁହେଁ । ଜଗତରେ ଏମିତି ଜଣେ ମଣିଷ ନାହିଁ ଯାହାଙ୍କ ରାଜ୍ୟରେ ବାହାର ପାଇଁ ଯେଉଁ ଆଇନ, ଘରପାଇଁ ସେହି ଆଇନ, ପରପାଇଁ ଯୋଉ ନିଷାପ, ଘରପାଇଁ ସେଇ ନିଷାପ-।’’ (ଆ. ଘ. ହା. ପୃ ୧୩୧) ଏବଂ ଏହା ମଣିଷର ପ୍ରକୃତି । ତାକ ଜାଣିବାକୁ ଚାହିଲେ ସେ ଅଧିକରୁ ଅଧିକ ରହସ୍ୟମୟ ହୋଇପଡ଼େ । ଲଗାମହୀନ ଜୀବ ଭାବରେ ତା ବାଟରେ ସ୍ୱାଭାବିକ ଧର୍ମ ନେଇ ଆଗେଇ ଯାଏ । ‘‘ସବୁକଥା ବଦଳିଛି, ବଦଳିବ, କିନ୍ତୁ ମନୁଷ୍ୟର ସେଇ ଆଦିମ ପଶୁବୃତ୍ତି ବଦଳୁ ନାହିଁ କି ବଦଳିବ ନାହିଁ । ସେମାନେ ଆପଣା ଭେକ ପାଲଟେଇ ପକେଇବା ମାତ୍ରକେ ତହିଁର ବିପରୀତ ଆଚରଣ କରନ୍ତି । x x ତାକୁ ଯେତେ ମାଠିଲେ ସେଇ ଦରପୋଡ଼ା କାଠ ହୋଇ ରହିଥାଏ । x x ପୁଣି ବହିର୍ଜଗତଠାରୁ ତାର ଅନ୍ତର୍ଜଗତ ଆହୁରି ଜଟିଳ । ଚରାଚର ସୃଷ୍ଟିରେ ଯାହା ଅସମ୍ଭବ, ଅନ୍ତର୍ଜଗତରେ ତାହା ସମ୍ଭବ । ଏଠାରେ ଅଜପା ଜପ, ଅମଗା ମଗା, ଅଟପା ଟପା, ଅକଥା କଥା, ଅଖିଆ ଖିଆ, ଅଦିଆ ଦିଆ, ଅଦେଖା ଦେଖା, ଅଶୁଣା ଶୁଣା, ଅଛୁଆଁ ଛୁଆଁ ଲାଗିଅଛି । (ଆ. ଘ. ହା. ଚା ପୃ ୧୨୯) ପ୍ରହରାଜ ବେଶ୍‌ ନିର୍ଭୀକ ଭାବରେ ନିଜକୁ ପୋଡ଼ାକାଠ ସହ ତୁଳନା କରୁଥିଲେ । ସେ ସାଧାରଣ ଧାଡ଼ିର ଆଉ ଜଣେ ଥିଲେ । ସେମାନଙ୍କ ପରି ଥିଲେ ଅହଂସର୍ବସ୍ୱ, ଫିସାଦିଆ ।

ଜଗତ ଓ ଆପଣାର ଧର୍ମ ସଂକ୍ରାନ୍ତରେ ପ୍ରହରାଜେ ବଡ଼ ବଡ଼ କଥାଗୁଡ଼ାଏ ଲେଖୁଥିଲେ-। ସେଗୁଡ଼ିକୁ ଜୀବନରେ ପରିପାଳନ କରିବା ତାଙ୍କ ପକ୍ଷେ ସ୍ୱପ୍ନ ହୋଇପଡ଼ୁଥିଲା । ପର ଘର କଥା ଚର୍ଚ୍ଚା ନ କରି ନିଜ ଘରକୁ ସଜାଡ଼ିବା ପାଇଁ ମଫସଲ ଆସୁଥିଲେ । ମାତ୍ର ସେଠୁ ସେ କୋଉ ଛଟକରେ ସହର ଭିତରକୁ ଧାଇଁ ଯାଉଥିଲେ । ଚରା ଭୂଇଁ କଚେରୀ ଗ୍ରାମ ଗୋଠରେ ପରିଣତ ହୋଇଯାଇଥିଲା । ସେ ଗୋଠ କି ଚରାଭୂଇଁ କାହାରି ପାଖରେ ପରିପୂର୍ଣ୍ଣ ଭାବରେ ଆଉଜି ପାରୁ ନ ଥିଲେ । ଶାନ୍ତିରେ ପବନ ନେଇପାରୁ ନ ଥିଲେ । ଅସଲ ବ୍ୟବସାୟବେଳେ ଗାଁରେ ରହିବାରୁ ମକ୍‍କେଲମାନେ ତାଙ୍କ ସହ ପରାମର୍ଶ କରିପାରୁ ନ ଥିଲେ । ସିରସ୍ତା ଖାଲି ପଡ଼ୁଥିଲା । ବସ୍ତାନୀ ଅଫିଟା ରହୁଥିଲା । ଯେଉଁମାନେ ତାଙ୍କର ଦ୍ୱାରସ୍ଥ ହେଉଥିଲେ, ତାଙ୍କ ଅବେପାରୀ ବୁଦ୍ଧିଯୋଗୁଁ କାନନାକ ଆଉଁସି ଘରକୁ ଫେରୁଥିଲେ । ଅଲଣାରେ ଅର୍ଥ ଶ୍ରାଦ୍ଧ କରୁଥିଲେ-। ଏଣେ ଆପଣାପେଶାର କଳଙ୍କିଲଗା, ଘରାଖିଆ ପେଚଗୁଡ଼ାକୁ ପଦାରେ ପକେଇ ଦେଉଥିବାରୁ ସତୀର୍ଥମାନଙ୍କ ଗୋଷ୍ଠୀରେ ଏକଘରିକିଆ, ଏକଶିଙ୍ଗିଆ, ଆପଣା ଗୋଇତଡ଼ା, ବଉଁଶବୁଡ଼ା ଡାହୁକ ଭାବରେ ମଧ୍ୟ ଚିହ୍ନା ପଡ଼ୁଥିଲେ । ପେଶାଦାର ଭାଇମାନେ ତାଙ୍କୁ ଏକଚଉକିଆ କରି ବସେଇ ଦଉଥିଲେ । ତାଙ୍କ ଜାଲରେ ବଡ଼ ବଡ଼ ମାଛ ଭର୍ତ୍ତି ହୋଇଯାଉ ନ ଥିଲା । ଧଣ୍ଡ, କୋଚିଆ, ବେଙ୍ଗ, ଚେଙ୍ଗ କଦବା କେମିତି ଅଳ୍ପସଂଖ୍ୟକ ରୋହି ଭାକୁରରେ ତାଙ୍କୁ ପେଟ ପୂରେଇବାକୁ ପଡ଼ୁଥିଲା । ପ୍ରତିଯୋଗିତାର ଯୁଗରେ ଡଉଲଡାଉଲ ହୋଇ ପେଟ ଓହଳେଇବା ପାଇଁ ଯେଉଁ ଫିସାଦିର ଆବଶ୍ୟକ, ତାହା ତାଙ୍କ ଭିତରେ ନ ଥିଲା ।

ରାତିରେ ଚରାଭୂଇଁରୁ ଗୋଠକୁ ଫେରିଆସିଲା ପରେ, କ୍ଳାନ୍ତ ଦେହ ଅନ୍ୟ କିଛି ଖୋଜୁଥିଲା । ଘରଦ୍ୱାର, ବିଲବାଡ଼ିର ଯତ୍ନ ନେବା ସମ୍ଭବ ହୋଇପାରୁ ନ ଥିଲା ତାଙ୍କ ପକ୍ଷେ । ଘର ମୂଷାମାଟି ଭଣଭଣ, ଚେମେଣିଆ ଅସରପା ଘୁଅରେ ମାଛି ସଣସଣ, ଯାବତୀୟ ଅଳିଆରେ ପରିପୂର୍ଣ୍ଣ ବିଲବାଡ଼ି ପଡ଼ିଆ; ଅବଛା, ଉଜୁଡ଼ା । ରୟତମାନଙ୍କ ଦୟାରୁ ଯାହାକିଛି ଖଳାକୁ ଆସେ ସେଗୁଡ଼ାକ ସଦା ଅଗାଡ଼ି । ଦାମୁଡ଼ିଗୁଡ଼ାକ ହଡ଼ା, ଚାକରବାକର ଦାସୀ ପୋଇଲିମାନେ ଖୋଲା, ବେଶାସନିଆ । ବାହାପିଆମି, ଗାଲୁଆମି, ତୋଷାମଦି ଓ ଆଉ କେତେକ ବିଶେଷ ଗୁଣରେ ଓସ୍ତାଦ-। ମରେଇ ବି ମେଲା । ଏପରି ଅବସ୍ଥାରେ ଗୋଠକୁ ସଜାଡ଼ିବାକୁ ସେ ଯେତିକି ଯେତିକି ଚେଷ୍ଟାକରୁଥିଲେ, ତାହା ସେତିକି ଅଧିକ ଭାବରେ ଉଜୁଡ଼ି ଯାଉଥିଲା । ଛୋଟବଡ଼ ଘଳିଆରେ ଭିତରର ମାଲମସଲା ବୋହିଯାଉଥିଲା ତଳକୁ । ଘଳିଆଗୁଡ଼ାକ ନିଜ ଆକ୍ଷିରେ ଦେଖିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରି ନ ଥିଲା । ତେଣୁ ସେଗୁଡ଼ାକୁ ମଜଭୁତ କରି ବୁଜିଦେବା ପାଇଁ ସେ ଚେଷ୍ଟା କରି ଅସଫଳ ହେଉଥିଲେ । ବଡ଼ ଅସହାୟ ଭାବରେ ସମଝଦାର ମଣିଷ ପରି ଅଭ୍ୟସ୍ତରୀତିରେ ଆଶ୍ରୟ ନେଉଥିଲେ ସର୍ବ-ସନ୍ତାପ-ହାରକ କଳାକୃଷ୍ଣ ଅହିଫେନର । ସାରାଦିନ ପରିଶ୍ରମର କ୍ଳାନ୍ତି ଭୁଲିଯାଉଥିଲେ ତାରି କୋଳରେ ।

ଜମିଦାରୀ ଓ ପୈତୃକ ସଂପତ୍ତିର ସୁରକ୍ଷା କରିବା ମଧ୍ୟ ତାଙ୍କ ପକ୍ଷେ କାଠିକର ପାଠ ହୋଇପଡ଼ୁଥିଲା । ଅନ୍ୟମାନଙ୍କ ଢିଲା, ରାଇଖିଆ ଅବାଗିଆ ପେଚଗୁଡ଼ାକୁ ସଜାଡ଼ିବାର କଳାବେଉସା କରୁଥିଲେ ସୁଦ୍ଧା, ନିଜ ପେଚଗୁଡ଼ାକୁ ସଜାଡ଼ି ଦେବାରେ ସେ ଓସ୍ତାଦ ନ ଥିଲେ । ସଂପତ୍ତିବଣ୍ଟାକୁ ଆଳ କରି ଭାଇ ଭାଇ ଭିତରେ କଳହ ଲାଗିରହୁଥିଲା । ରୟତମାନେ ମଧ୍ୟ ନିଜ ପେଟ ପୂରେଇବା ପାଇଁ ତାଙ୍କ ବାଟ ତଆରି କରୁଥିଲେ । ଜମିଦାରଙ୍କୁ ମା ବାପା କହି କହି ହରଡ଼ଘଣାରେ ପକେଇ ଦଉଥିଲେ । ସଂପତ୍ତିଗୁଡ଼ାକ ଦାନ, ବିକ୍ରୀ, କୋରକ ସୂତ୍ରରେ ସେମାନଙ୍କ ବାଟରେ ଚାଲିଯାଉଥିଲେ । ଏଥିପାଇଁ ନାଲିକୋଠାର ଆଶ୍ରୟ ନେବାକୁ ପଡ଼ୁଥିଲା । ଭ୍ରାତୃକ ହିଂସାରୁ ଯାହାକିଛି ପଡ଼ିଲା ଚଳିବାରେ ଅସୁବିଧା ହେବାରୁ ଗାଁର ଶେଷ ମୁଣ୍ଡରେ ନୂଆ ଘର କରି ରହିଲେ । ନୂଆ କୋଠାଘର ଭିତରେ ଅସଲ ଘରଟା ଯେମିତି ଉଜୁଡ଼ି ଯାଉଥିଲା । ରକ୍ଷା କରିବାକୁ ଚେଷ୍ଟାକରି ବି ପାରୁ ନ ଥିଲେ । ବାଡ଼ିଧରି ଜଗିବସିଲେ ମଧ୍ୟ ଢୋଳେଇ ପଡ଼ୁଥିଲେ । ଆକ୍ଷିର ପଲକପାତରେ ନିମିଷକ ଭିତରେ ତାଙ୍କ ଦୁନିଆର ଅନେକ କିଛି ଓଲଟପାଲଟ ହୋଇଯାଉଥିଲା । ମାଟିକୁ ଜାବୁଡ଼ି ଧରି କାଳକାଟିବା ପାଇଁ ସେ ଥିଲେ ଅସମର୍ଥ ।

ନିଜର ସଂପତ୍ତି ଓ ବ୍ୟବସାୟ, ଉଭୟଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ କରୁ ପ୍ରହରାଜେ, ଆପଣାର ଅଜାଣତରେ ଅନେକ କିଛି ଦୂରେଇ ବସୁଥିଲେ । ତାଙ୍କ ସଂସାର ବି ଉଜୁଡ଼ି ଯାଉଥିଲା । ଦାମ୍ପତ୍ୟ ଜୀବନର ସୁଖ ତୁଟି ତୁଟି ଯାଉଥିଲା । ସଂପତ୍ତି, ଜମିଦାରୀକୁ ଭାଗ ଲଗେଇ ଦେଇ, ପତ୍ନୀକୁ ନେଇ ବିଦେଶ ରହିବାର ସୁବିଧା, କି ସାହସ ନ ଥିଲା । ଆପଣାର ଦାମ୍ପତ୍ୟ ସୁଖକୁ ଜମିଦାରୀ ନିକଟରେ ବନ୍ଧା ପକେଇ ଦେଇଥିଲେ । ଶନିବାର, ରବିବାର ଓ ଅନ୍ୟ ଛୁଟିଦିନଗୁଡ଼ିକରେ, ସମୟ ଅସମୟରେ ଘରକୁ ଆସୁଥିଲେ ସମସ୍ତଙ୍କର ସୁଖବିଧାନ କରିବାପାଇଁ, ନିଜକୁ ଓ ଅନ୍ୟମାନଙ୍କୁ ନିଜ ରୁଚିମତେ ବେଭାର କରିବା ପାଇଁ । ମାତ୍ର ଏଇ ବେଭାରପଣିଆ ମଧ୍ୟ କ୍ରମଶଃ ସୁଆଙ୍ଗରେ ପରିଣତ ହୋଇଯାଇଥିଲା । ଯାନିଯାତ୍ରା, ପୂନେଇ ପରବରେ ପରମ୍ପରାକୁ ରକ୍ଷା କରିବା ପାଇଁ ରୟତସେବକମାନଙ୍କୁ ଅନେକ କିଛି ଦଉଥିଲେ । ମାତ୍ର ଏତେ ପାଇଲା ପରେ ବି ସେମାନେ ଗୋଛି କାଟୁଥିଲେ । ଆରଜଣଙ୍କର ଅଭିଯୋଗ, ଅନୁଯୋଗ, ଅଭିମାନର ତାଉ ସମ୍ଭାଳି ନ ପାରି ନଇଁ ଯାଉଥିଲେ । ସଜାଡ଼ିବାକୁ ଚାହୁଁଥିବା ତାଙ୍କ ସଂସାରଟି ତା ବାଟରେ, ଆପଣାଛାଏଁ କେମିତି ଅସଜଡ଼ା ହୋଇପଡ଼ୁଥିଲା । ସିଏବି କ୍ରମଶଃ ଅଲଗା ମଣିଷଟିଏ ହୋଇ ଯାଉଥିଲେ । ଦୁଇଟି ନାବରେ ଗୋଡ଼ ଦେଇ ସଂସାରର ଅବିଶ୍ୱାସୀ ନଈକୁ ପାରିହେବା ପାଇଁ ଚେଷ୍ଟା କରୁ କରୁ ନଈ ଓ ନାଆର ସ୍ୱାଭାବିକ ଧର୍ମର ସ୍ରୋତରେ ଅଲଗା ହୋଇଯାଉଥିଲେ । ସବ୍‌ଜାନ୍‌ତାପଣିଆକୁ ସାବ୍ୟସ୍ତ କରୁ କରୁ ତାଙ୍କ ନିର୍ବୋଧତା ପଦାକୁ ଫୁଟି ଉଠୁଥିଲା । ସେ ଗୋଟିଏ କୂଳର ହୋଇପାରୁ ନ ଥିଲେ । ନାଁ ପଶୁ ନାଁ ପକ୍ଷୀ କିଛି ହୋଇପାରୁ ନ ଥିଲେ । ତାଙ୍କ ଜୀବନ ବିଚିତ୍ର ଘାଣ୍ଟତିଅଣ, ଖେଚେଡ଼ିରେ ରୂପାନ୍ତରିତ ହୋଇଯାଇଥିଲା । ଉଭୟଆଡ଼ୁ ତଡ଼ା ଖାଉଥିଲେ । ଅସନ୍ତୋଷ, ବିଫଳତାର ନିଆଁ ତାଙ୍କ ଭିତରେ କୁହୁଳୁଥିଲା । ଗରୂପଣ ଲଘୁହୋଇଯିବାର ଗ୍ଳାନିବୋଧରେ ସେ ଭିତରେ ଭିତରେ ଗାରୁ ଗାରୁ ହେଉଥିଲେ । ଶୂଙ୍ଖଳିତ ଜୀବନଧାରାରୁ ଛିଟିକି ପଡ଼ୁଥିଲେ ଆଉ ଏକ ଅଲଗା ଭୂଇଁକୁ । ତାଙ୍କ ଆଦର୍ଶ, ସ୍ୱପ୍ନ କୁହୁଡ଼ିଆ ଧରିଯାଇଥିଲା । ସେ ଭଲଲୋକଟିଏ ହେବାପାଇଁ ଚେଷ୍ଟା କରୁଥିଲେ ।

ଭଲଲୋକଙ୍କ ସଂଖ୍ୟା ପ୍ରହରାଜଙ୍କ ପାଇଁ ସ୍ୱତନ୍ତ୍ର ଥିଲା । ଭଲଲୋକମାନେ ଭଲଲୋକି କରିବାକୁ ଯା’ନ୍ତି । ଅନ୍ୟମାନଙ୍କର କଳି ଭାଙ୍ଗିବା, ସମସ୍ୟାର ସମାଧାନ କରିବା, ଆପୋସ ମିଳାମିଶା ମାଧ୍ୟମରେ ସେମାନଙ୍କ ମଧ୍ୟରେ ଛିଡ଼ିଯାଇଥିବା ସଂପର୍କର ସୂତାକୁ ପୁଣି ଯୋଡ଼ିଦେବା ଭଲଲୋକମାନଙ୍କର ଲକ୍ଷଣ । ମାତ୍ର ବିବାଦର ଗୋଳିଆ ଜଳରୁ ସେଇମାନେହିଁ ଫାଇଦା ଉଠାନ୍ତି । ନିଜର ଭଲପଣିଆ, ମାମଲତପଣିଆକୁ ଦେଖେଇ ହେବା, ବାହାବା ନେବା ଓ ଭୋଗ ଖାଇଥିବା ପକ୍ଷକୁ ତୁଷ୍ଟ କରିବା ପାଇଁ ନିଜ ପାରିଲାପଣର ବାଣ ଫୁଟାନ୍ତି । ଘଟଣାର ଇତିହାସକୁ ଉଖାରନ୍ତି । ପ୍ରମାଣର ଫଳ ତୋଳିବା ପାଇଁ ଡାଳଗୁଡ଼ାକ ତାଙ୍କରି ଆଡ଼କୁ ନୁଆଁଇ ଆଣିବାକୁ ଚେଷ୍ଟା କରନ୍ତି । ଶାସ୍ତ୍ର, ପୁରାଣ, ଲୋକକଥାରୁ ଅସୁମାରି ନଜର ଥୁଅନ୍ତି । ନିଜର ଢୋଲ ବଜାନ୍ତି । ପରିଚୟକୁ ଚିକ୍‌କଣ ଭାବରେ ପ୍ରକାଶ କରନ୍ତି । ପ୍ରହରାଜଙ୍କ ଭାଷାରେ ସେଗୁଡ଼ାକ ପାଣିପୂରା । କଥାରେ ଗୋଟେ, କାମରେ ଗୋଟେ । ହଲିଲାପାଣିକୁ ଗୋଡ଼ ବଢ଼େଇବେନି । କଜିଆ ଜାଗାକୁ ଯିବେନି । ବରଷା ଆଡ଼କୁ ଛତା ଦେଖେଇବେ । ନିଜର ଅଣ୍ଟିପୂରେଇବା, ନିଜର ସ୍ୱାର୍ଥ ରଖିବା ପାଇଁ ବିଚରାମାନଙ୍କୁ ଖେଳେଇବେ । ଭେଳିକି ଦେଖେଇବେ । ଅନ୍ୟମାନଙ୍କୁ ଚୁମୁଟିବେ, ସଲସଲ କରିବେ, ଉଖାରିବେ । ଆପଣା ଧିଅ ଉପରକୁ ଆସିଲେ ଖସିଯିବେ ତାଙ୍କ ବାଟେ । ନିଷାପରେ ସବୁବେଳେ ତ ଭୁଲ ହୁଏ ନଥିଲାବାଲାଙ୍କର, ଗରିବଗୁରୁବାଙ୍କର । ସେଇମାନେହିଁ ଚୋର, ଦୁର୍ନୀତିଗ୍ରସ୍ତ, ଠକ, ଅଳସୁଆ ସବୁକିଛି । ସେମିତି ହୋଇନଥିଲେ ସେମାନେ ଦରିଦ୍ର ହୋଇନଥାନ୍ତେ, ରୋଗୀ ହୋଇନଥାନ୍ତେ । ଏତେ କଷ୍ଟ ଭୋଗ କରୁନଥାନ୍ତେ । ସମାଜରେ ସବୁଠି ଏଇ ଉପେକ୍ଷିତମାନେ ସବୁରି ଶାଳୀ ହେବା ସୌଭାଗ୍ୟର ଅଧିକାରୀ । ପେଷାଦାର ଭଲ ଲୋକମାନଙ୍କୁ ଦୁନିଆଯାକର ଲୋକେ ନିନ୍ଦା କରନ୍ତୁ ପଛେ, ସେମାନେ କିନ୍ତୁ ଏତେକଥା ମାନିବାକୁ ପ୍ରସ୍ତୁତ ନଥାନ୍ତି । କାରଣ ସେମାନଙ୍କ ଜନ୍ମ ଅନ୍ୟମାନଙ୍କୁ କାଇଲ୍‌ କରିବା ପାଇଁ । ବିଶେଷତଃ ଗୋପାଳପୁର ଓ କୋଦିଣ୍ଡା ପ୍ରଗଣାର ଅଧିବାସୀମାନେହିଁ ଏମିତି ବିଚାରରେ ସୁଦକ୍ଷ । ପ୍ରହରାଜେ ଆପଣାକୁ ସେଇ ପୁର ଓ ପ୍ରଗଣାର ଜଣେ ଆଜ୍ଞାବହ, ଅନୁଗତ ବୋଲି, ମୁହଁରୁ ପାଣି ଛଡ଼େଇ ଘୋଷଣା କରୁଥିଲେ । (ନ. ବ. ଉ. ସା. ୧୯ଶ ଭାଗ, ୮ମ ସଂଖ୍ୟା-୧୩୨୩ ପୃଷ୍ଠା ୩୮୩)

ପ୍ରହରାଜଙ୍କ ଦୃଷ୍ଟିରେ ଏ ଦୁନିଆଟା ହିଁ ସେମିତି । ଦୁନିଆଟା ପେଞ୍ଚପୂର୍ଣ୍ଣ, ଅଖଞ୍ଜିଆ । ‘‘ଖୋଦ୍‌ ଭଗବାନଙ୍କ ଅଷ୍ଟାଙ୍ଗ ଶରୀରଯାକ ପେଞ୍ଚପୂର୍ଣ୍ଣ । ଅର୍ଥାତ୍‌ ଭଗବାନ ଭାରି ସିଆଣିଆ ।’’ (ଦୁ. ହା. ପୃ ୧୦୬) ମଣିଷ ସତ କହିବା କଥା ପାଠ ବହିରୁ ଶିଖିଥାଏ । କର୍ମକରି ଫଳକୁ ଆଶା ନ ରଖିବା ମଣିଷର ଧର୍ମ ବୋଲି ଗୁରୁ ତା କାନରେ ମନ୍ତ୍ର ଦେଇଥାନ୍ତି । ମାତ୍ର ସର୍ବଦା ସତ କଥା କହିଲେ, ନିଜକୁ ଅକପଟ ଭାବରେ ଖୋଲିଦେଲେ, ଏଠି ବଞ୍ଚିବାଟା କଷ୍ଟ ହୋଇପଡ଼େ । ଜଣଙ୍କର ସତକଥାକୁ ମଧ୍ୟ ଅନ୍ୟମାନେ ସତ ବୋଲି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥାନ୍ତି । ସେଗୁଡ଼ାକ ମିଛ ମିଛ ଲାଗେ । ଏ ସଂସାରଟା କେବଳ ମିଛୁଆମାନଙ୍କର ଖେଳଘର । ଏଠି ପେଞ୍ଚିଆମାନଙ୍କର ବଡ଼ତି, ଜୟଜୟକାର । ସେଇମାନେହିଁ ଏଠି ସଂସାର କରନ୍ତି, ସୁଖରେ ରୁହନ୍ତି । ପରିବାରଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସବୁଠି ଏଇ ପେଞ୍ଚର ଖେଳ ଦେଖେଇବାକୁ ପଡ଼େ । ପରିବାର ଭିତରେ ଥାଏ ତାର ଅସଲ ବିନ୍ଦୁ । ତାକୁ ହିଁ କେନ୍ଦ୍ର କରି ବିଚରା ମଣିଷ ଘିରି ଘିରି ଘାଉଁରୀ ଖାଉଥାଏ ସମାଜ ବେଙ୍ଗେଳାରେ । ଆଉ ଜଣଙ୍କ ଦେହ ସାଙ୍ଗରେ ଖେଳୁ ଖେଳୁ ମଣିଷ ଅନ୍ୟମାନଙ୍କ ମାଟି ଉପରକୁ ପାଛୋଟି ଆଣେ । ଅଧିକରୁ ଅଧିକ ଦେହସୁଖ ଖୋଜେ । ଅପତ୍ୟ ସ୍ନେହରେ ଘାରିହୁଏ । ବୃତ୍ତଟା ବଢ଼ି ବଢ଼ି ଚାଲେ । ନୂଆ ନୂଆ ଆବଶ୍ୟକତା ତାଙ୍କୁ ପେଞ୍ଚ ସୃଷ୍ଟି କରିବାକୁ ବାଧ୍ୟ କରେ । ସମସ୍ୟା ପରେ ସମସ୍ୟା ତିଆରି କରେ । ସେ ନାଁ କରା କାମଟା ନ କରିଥିଲେ ଭାରି ଭଲ ହୋଇଥାନ୍ତା ବୋଲି ମନସ୍ତାପ କରେ । ଡେଣାକଟା ଚଢ଼େଇପରି ସେ ମାଟି ଉପରେ ଛଟପଟ ହୁଏ । ଅନ୍ୟମାନଙ୍କ ଉପରେ ସାମନ୍ତପଣିଆ ସାବ୍ୟସ୍ତ କରୁ କରୁ ଗୋଲାମ ହୋଇଯାଏ । ସେମାନଙ୍କ ଆଦେଶକୁ ‘‘ଶିରୋଧାର୍ଯ୍ୟ’’ ଭାବରେ ଗ୍ରହଣ କରିନିଏ । କଳହ, କୋଳାହଳ ଭିତରେ ଜୀବନର ପୋଏଟ୍ରିତକ ନଷ୍ଟ ହୋଇଯାଏ । ଯୌଥ ପରିବାର ହୋଇଥିଲେ କବିତା ଓ ସଂଗୀତର କଳନାଦରେ ପାଦ ଆଉ ତଳେ ପଡ଼େନା । ମାତ୍ର ମଣିଷ କେଜାଣି କାଇଁକି କୋଳାହଳର ସେଇ ନିହାତି ବିରକ୍ତିକର ସଂଗୀତ ଓ ନୃତ୍ୟର ଆସର ଭିତରକୁ ପାଦ ପକାଏ । ସେଇଠି ମୁଣ୍ଡ ଗୁଞ୍ଜି ଦିଏ । ଏତକ କରି ନ ପାରିଲେ ସେ ଯେମିତି ବଞ୍ଚିପାରିବନି । କୋଳାହଳର ମିଶ୍ର ସଙ୍ଗୀତ ଓ ରାଗ ଭିତରେ ବଞ୍ଚିବା ପାଇଁ ସେ ପେଞ୍ଚ ତିଆରି କରିବାକୁ ବାଧ୍ୟ ହୁଏ । ପାରିବାରିକ ଜୀବନରେ ପେଞ୍ଚର ଘରାଗୁଡ଼ାକ ଅଳ୍ପ ଛୋଟ । ସେଠି ପ୍ରତିଯୋଗିତା, ଈର୍ଷା, ସୁଖଭୋଗର ପ୍ରବଣତା ସବୁକିଛି ଥାଏ । ଅଭିମାନ ଓ ଅଭିଯୋଗ ପ୍ରକାଶ କରିବାର ସ୍ୱାଧୀନତା ବି ଥାଏ । ଏ ସ୍ୱାଧୀନତା ଆବଦ୍ଧ ଥାଏ ଗୋଟାଏ ସୀମା ଭିତରେ । ଛୋଟ ଛୋଟ ପେଞ୍ଚଗୁଡ଼ାକୁ ଛୋଟ ଛୋଟ ଘରା ଭିତରେ ସହଜରେ ସଜାଡ଼ି ଦେଇହୁଏ । ମାତ୍ର ସମାଜରେ ପେଞ୍ଚର ଘରା ସଂଖ୍ୟା ବେଶି । ଯିଏ ପେଡ଼ିନୁଗା ପିନ୍ଧି ସମାଜକୁ ବାହାରି ଯାଇଥାଏ, ସେ ସେତିକି ଉଚ୍ଚସ୍ଥାନୀୟ ବୋଲାଏ-। ସମ୍ମାନର ପାତ୍ର ହୁଏ । ଭଲ ଲୋକମାନେ ହିଁ ପେଞ୍ଚର ଘରାଗୁଡ଼ିକୁ ଭଲଭାବରେ ଠାବ କରିପାରିଥାନ୍ତି । ମାତ୍ର ସମାଜରେ ଭଲ ଲୋକମାନଙ୍କର ସଂଖ୍ୟା କିଛି କମ୍‌ ନୁହେଁ । ଅତି ଭଲ ଲୋକ ଭାବରେ ନିଜର ଗମାତ୍‌ ପଣିଆକୁ ଦେଖେଇବା ପାଇଁ ସେଇମାନଙ୍କ ଭିତରେ କଳହ ସୁଆଙ୍ଗର ନାଗରା ବାଜେ । ଯିଏ ପେଞ୍ଚୁଆମାନଙ୍କର ଘରାଗୁଡ଼ିକୁ ଯେତିକି ଭଲଭାବରେ ମୋଡ଼ି ଦେଇପାରେ, ସିଏ ଓସ୍ତାତ୍‌ ଚୂଡ଼ାମଣି ହେବାର ସମ୍ମାନ ପାଏ । ଆଖଡ଼ାର ମାଲିକ ହୁଏ । ପ୍ରହରାଜେ ଭଲ ଲୋକ ଥିଲେ । ପଦାକୁ ବାହାରିଥିଲେ । ପେଞ୍ଚର ଆକାର ପ୍ରକାର ଖୋପସବୁର ଠିକଣା ଜାଣିଥିଲେ । ମାତ୍ର ଗୋଟାଏ ପେଞ୍ଚକୁ ସଜାଡ଼ିବାର ଶକ୍ତି ତାଙ୍କର ନ ଥିଲା । ପରିବାରର ପେଞ୍ଚଟି ତାଙ୍କର କୋଉଠି ହଜିଯାଇଥିଲା । ଅଲଗା ନାସ୍‌ନା ହୋଇପଡ଼ିଥିଲେ । ସାମାଜିକ ଜୀବନରେ ପେଞ୍ଚଗୁଡ଼ାକ ଅଣ୍ଟିରେ ଝଣଝଣ କରୁଥିଲେ । ଭିଡ଼ିଦେବେ ବୋଲି ଧମକ ଦଉଥିଲେ । ମାତ୍ର ହାତ ସ୍ୟାଡ଼କୁ ଯାଇପାରୁ ନ ଥିଲା । ସେଗୁଡ଼ାକ କଳଙ୍କି ଧରିଯାଉଥିଲା । ଜଣେ ଅସଫଳ ପେଞ୍ଚୁଆଭାବରେ ସେ ପରିବାର ଓ ସମାଜର ବ୍ୟବସ୍ଥା ଭିତରେ ବିଳାପ କରୁଥିଲେ । ଆପଣା ପେଞ୍ଚୁଆ ଜୀବନର ବିଫଳ କାହାଣୀର ପୁରାଣ ଲେଖିବା ପାଇଁ ସେ ଆଦୌ କୁଣ୍ଠିତ ନ ଥିଲେ । ଜଣେ ପେଷାଦାର ଅଖଞ୍ଜିଆ ପେଞ୍ଚୁଆ ଭାବରେ ତାଙ୍କ ସ୍ୱରୂପ ରାସ୍ତା ଘାଟରେ ଗଡ଼ଗଡ଼ୋଉଥିଲା । ସମାଲୋଚକମାନଙ୍କ ଦୃଷ୍ଟିରେ ସେ ଥିଲେ ‘ଗାଲୁଆ’ ।

ପ୍ରହରାଜ ଗଳ୍ପପ୍ରବଣ । ନବଜିଆ । ସମାଜର ସବୁ ସ୍ତର, ‘ଓ’ ବର୍ଗର ଲୋକଙ୍କ ସହ ସେ ସହଜରେ ମିଶିଯାଉଥିଲେ । ରସିକତାପୂର୍ଣ୍ଣ ଆଳାପରେ ସେ ସମସ୍ତଙ୍କୁ ମୁଗ୍‌ଧ କରୁଥିଲେ । ପାଟିରେ ଯାହା ପଶୁଥିଲା ବକିଯାଉଥିଲେ । ପାଟିରେ କାମୁନା ଶବ୍ଦଗୁଡ଼ାକର ଖଇ ଫୁଟୁଥିଲା । ଶ୍ଳୀଳ ଓ ଅଶ୍ଳୀଳ ସଂକ୍ରାନ୍ତରେ ଏତେ ଗୁରୁତ୍ୱ ଦେଉନଥିଲେ । ସାନମାନଙ୍କୁ ‘ବାବା’ ବୋଲି ସମ୍ୱୋଧନ କରୁଥିଲେ । ଏପରିକି ପୀତାମ୍ୱରୀ ଦେବୀଙ୍କୁ ମଧ୍ୟ ସେ ‘ବାବା’ ଡାକୁଥିଲେ । ନିଜର ପ୍ରିୟ ଚରିତ୍ରମାନଙ୍କ ପାଖକୁ ଲେଖୁଥିବା ଚିଠିର ଶେଷରେ ତୁମର ‘‘ଗୋପାଳିଆ’’ ବୋଲି ଲେଖୁଥିଲେ । ତାଙ୍କର ଘନିଷ୍ଠ ବନ୍ଧୁ ଶଶିଭୂଷଣ ରାୟଙ୍କ ପାଖକୁ ଲେଖୁଥିଲେ ‘‘ଶଶିଭାଏ......ଇତି ଗୋପାଳିଆ ଗୋପାଳିଆ ।’’ ତାଙ୍କ କଥାରେ ରସିକତା ପୂରି ରହିଥିଲା । ରହସ୍ୟ କଲାବେଳେ ସେ ନିଜର ବୟସ ଓ ପରିବେଶକୁ ମଧ୍ୟ ପାସୋରି ପକୋଉଥିଲେ । ଗୁରୁତ୍ୱକୁ ପ୍ରମାଣ କରିବାପାଇଁ ସଂସାରର ସେ ଗୁରୁ ହେବାପାଇଁ ଚେଷ୍ଟା କରୁ ନ ଥିଲେ, ଜୀବନର ଗତିପଥଟି ଥିଲା ରସୋଚ୍ଛଳ ।

୧୯୧୫ ମସିହାର କଥା । ସେ, ବାଗ୍ମୀ ବିଶ୍ୱନାଥ କର ଓ ଫକୀରମୋହନ ବାମଣ୍ଡା ରାଜକୁମାରୀଙ୍କ ବିବାହ ଉତ୍ସବରେ ଯୋଗଦେବାପାଇଁ ଗାଡ଼ି ଯୋଗେ ଯାଉଥାନ୍ତି । ବାଟରେ ବହୁ ନଦୀ, ପର୍ବତ, ଜଙ୍ଗଲ, ଗ୍ରାମ ପଡ଼ୁଥାଏ । ଫକୀରମୋହନ ପ୍ରକୃତିର ସୁଷମା ଭିତରେ ସମାହିତ ହୋଇଯାଇଥାନ୍ତି । ଆକ୍ଷିରେ ପଡ଼ୁଥିବା ସ୍ଥାନଗୁଡ଼ିକର ନାଁ ଜାଣିବାକୁ ସେ ଚେଷ୍ଟା କରୁଥାନ୍ତି । ବାରମ୍ୱାର ସ୍ଥାନଗୁଡ଼ିକର ପରିଚୟ ପଚାରୁଥାନ୍ତି । ପ୍ରହରାଜେ ନିଜର ଅସାମର୍ଥ୍ୟ ପ୍ରକାଶ କରିବା ସତ୍ତ୍ୱେ, ତାଙ୍କର ଅଜ୍ଞତାକୁ ବିଶ୍ୱାସ କରୁ ନ ଥାନ୍ତି । ଶେଷକୁ ବାଧ୍ୟ ହୋଇ ସେ, ଫକୀରମୋହନଙ୍କ ପ୍ରଶ୍ନ ଅନୁସାରେ ସମସ୍ତଙ୍କର ପରିଚୟ ଦେଇଗଲେ । ‘‘ଏ ନଦୀର ନାମ ଖଣ୍ଡାଝରୀ, ଏ ପର୍ବତର ନାମ ସପ୍ତଶୃଙ୍ଗୀ, ଏ ଗ୍ରାମର ନାମ ମହୁରୀଖଣ୍ଡ ଇତ୍ୟାଦି ।’’ ଏବଂ ତାଙ୍କର ଗାଲୁଆମିକୁ ବେଶ୍‌ ସହଜ ଓ ସ୍ୱାଭାବିକ ଭାବରେ ଗ୍ରହଣ କରିନେଇ ବୃଦ୍ଧ କବି ଆପଣାର ନୋଟ୍‌ବହିରେ ଲେଖିନେଉଥାନ୍ତି । ବିଶ୍ୱନାଥବାବୁ ପ୍ରହରାଜଙ୍କ ବାଚାଳତା ଓ ଚଗଲାପଣ ଦେଖି ମୁରୁକି ମୁରୁକି ହସୁଥାନ୍ତି । ଜଣକ ଭିତରେ ନିଦା ବଗୁଲିଆମି ଓ ଅନ୍ୟଜଣକ ଭିତରେ ସରଳ ବିଶ୍ୱାସବୋଧ । ମଝିରେ ଅଗ୍ନିଶର୍ମା ବିଶ୍ୱନାଥ । ଆଉ ସେ ଥୟ ଧରି ରହିପାରିଲେନି । ପ୍ରହରାଜେ ଯେ ବିଶୁଦ୍ଧ ଗାଲୁ ମାରୁଛନ୍ତି, ଏକଥା ସେ ଫକୀରମୋହନଙ୍କୁ ସଚେତନ କରେଇଦେଲେ । ବୃଦ୍ଧ ତାଙ୍କ ବଗୁଲିଆପଣକୁ ସାବାସ୍‌ କଲେ । ପେଟପୁରେଇ ହସିଲେ । (ଆ. ଘ. ହା. ପୃ ୯୧)

ପ୍ରହରାଜ ଓ ଫକୀରମୋହନ ଉଭୟେ ଥିଲେ ନିଖୁଣ ବ୍ୟଙ୍ଗକାର । ଉଭୟଙ୍କ ଜୀବନାନୁଭୂତିରେ ମଧ୍ୟ ଅନେକ କିଛି ସାମ୍ୟ ଥିଲା । ମାତ୍ର ଜଣେ ସହଜରେ ଅନ୍ୟମାନଙ୍କୁ ବିଶ୍ୱାସ କରୁଥିବାବେଳେ, ଆପଣେଇବାକୁ କୁଣ୍ଠିତ ହେଉ ନ ଥିଲାବେଳେ, ଅନ୍ୟ ଜଣେ ଥିଲେ ରହସ୍ୟପ୍ରିୟ, ହେରେସା, ଗୁଲିଆ । ଖୋଜି ଖୋଜି ଅନ୍ୟର ଛିଦ୍ରଗୁଡ଼ାକୁ ବାହାର କରିବାକୁ ସେ ସବୁକିଛି କରିପାରୁଥିଲେ ଏବଂ ସେଗୁଡ଼ିକୁ ବାହାରେ ପ୍ରକାଶ ନ କରିବା ପର୍ଯ୍ୟନ୍ତ, ତାଙ୍କୁ ନିଦ ହେଉ ନ ଥିଲା, ଭାତ ହଜମ ହେଉ ନ ଥିଲା । ଏମିତି କଉଶଳରେ ସେ କଥାଗୁଡ଼ାକ ଖୋଲିଦଉଥିଲେ ଯେ, ବିଚରା ମଣିଷ ତରଳି ଯାଉଥିଲା ଆପଣାର ନ୍ୟୁନ ବୋଧରେ । ମାତ୍ର ସେ ହସୁଥିଲେ ଏବଂ ଆଗ୍ରହରେ ଭାଙ୍ଗିପଡ଼ୁଥିବା ମଣିଷଟିର ବୋଲୁଅମାଡ଼କୁ ଅପେକ୍ଷା କରୁଥିଲେ । ଏ ଢେଲାମାଡ଼ ନ ଖାଇଲେ ତାଙ୍କ ମନ ଯେମିତି ଘର ଧରୁ ନ ଥିଲା । ପରିହାସ ଚତୁର ମଣିଷଟି ଅନ୍ୟର ଯନ୍ତ୍ରଣାକୁ ବୁଝିବାପାଇଁ ଯେପରି ପ୍ରସ୍ତୁତ ନ ଥିଲେ ବରଂ ଅନ୍ୟ ପେଞ୍ଚର ଘରାଗୁଡ଼ାକ ଠଉରେଇ ପାରୁଥିବାରୁ ପୁଲକିତ ହେଉଥିଲେ ।

ମାତ୍ର ଏ ଦୁନିଆଟା ସମତଳ ମରୁଭୂମି ନୁହେଁ । ଗଡ଼ଜାତୀୟ ଜଙ୍ଗଲ । ଆକ୍ଷିବୁଜି ପାଦ ପକେଇଲେ ପଲକପାତରେ ବିପଦର ସମ୍ଭାବନା । ବାରଜାତି ପଶୁଙ୍କର ହିଂସ୍ର ଆକ୍ରମଣ । ଏଠି ସମସ୍ତେ ନିଜ ନିଜର ଜୀବନ ରକ୍ଷା କରିବା ପାଇଁ ବ୍ୟସ୍ତ । (ଦୁ. ହା. ପୃ ୭) ମଣିଷ ସଂସାରରୂପକ ଜଙ୍ଗଲରେ ସବୁଠାରୁ ଅଧିକ ଚତୁର । ନିଜର ସ୍ୱାର୍ଥପାଇଁ ସେ ସବୁକିଛି ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରେ । ସମାଜ ଓ ଜଗତର ହିତ, ସୁଖ, ସମୃଦ୍ଧି ପାଇଁ ନିଜକୁ ଭିକାରୀ ବେଶରେ ସଜେଇଥିବା ମଣିଷର ପରିଚୟ ନଥାଏ ଏ ପୃଥିବୀରେ । ନିଜ ସ୍ୱାର୍ଥକୁ ଟିକେ ଆଡ଼ଆକ୍ଷିରେ ଅନିସା କରୁ ନ ଥିବା ଚରିତ୍ରଟି ଯେମିତି ମଣିଷ ନୁହେଁ, ଅନ୍ୟ କିଛି । ନିଜର ଇଜ୍ଜତ ହାଟରେ ପଡ଼ିଗଲେ, ମଣିଷ ଆତ୍ମରକ୍ଷା କରିବା ପାଇଁ ଫଁ ହେବାକୁ ବାଧ୍ୟହୁଏ । ମୁହଁଭୁରୁଡ଼ି ମାରେ । ସର୍‌କିନି ଗାତ ଭିତରେ ପଶି ଯାଉ ଯାଉ ପବନର ସ୍ୱର ଶତ୍ରୁର କଂସରଡ଼ି ପରି ତାକୁ ବୋଧହୁଏ । ମୁଣ୍ଡଟେକି ବିକଳରେ ସୁଉସୁ କରେ । ଠିକ୍‌ବାଟରେ ଥିଲେ ଅଣ୍ଟାରେ ଗାମୁଛା ଭିଡ଼େ । ଲାଙ୍ଗୁଡ଼ରେ ଠିଆହୋଇ ମେଦିନୀ କମ୍ପାଏ । ଲଗୁଡ଼ଧାରୀର ଅସଲ ଶକ୍ତି ଥାଏ ତା ନିଜ ଭିତରେ । ସେତିକି ସଜାଗ ନଥିଲେ ଚୋଟ ବାଜେ ତା ବ୍ରହ୍ମତାଳୁରେ ମାତ୍ର ପ୍ରବୃତ୍ତିର ଦାସ ମଣିଷ ପକ୍ଷରେ ସବୁବେଳେ ଲଗୁଡ଼କୁ ମନ୍ତ୍ରପୂତ କରି ଧରି ରଖିବା ସମ୍ଭବ ନୁହେଁ । ଦେହ କିଳି ଅନ୍ୟକୁ ବଶ କରି ଉଚାଟ୍ଟ କରୁ କରୁ ସେ ରୂପରେ ନିଜେ ବି ବାୟା ହୋଇଯାଏ । ଶୁଖିଲାପେଟ ନେଇ ସାରାଜୀବନ ବିତେଇଦେବାକୁ ସେ ଉଚିତ ମଣେ । ତା ଜିଭରୁ ପାଣି ବହେ । ପାଣି ବହିବା ଆରମ୍ଭ ହେଲେ କବାଟ କିଳିଣି ଢିଲା ହୋଇଯାଏ । ପ୍ରହରାଜେ ମଣିଷ ଜୀବନର ଏଇ ସ୍ୱାଭାବିକତାକୁ ଠାବ କରିପାରିଥିଲେ । ତାଙ୍କ ପରିହାସାତ୍ମକ ଅବବୋଧ ଯେ ସଂକୀର୍ଣ୍ଣତା ଓ ଅପୂର୍ଣ୍ଣତା ଦୋଷରୁ ମୁକ୍ତ ନୁହେଁ– ଏ ଗୂଢ଼ସତ୍ୟକୁ ସେ ବେଶ ଖୋଲାଖୋଲି ଭାବରେ ପ୍ରକାଶ କରୁଥିଲେ ।

ଅଧିକାଂଶ ସମୟରେ ଚୁଗୁଲିଆ ସମାଲୋଚକମାନେ ସମାଜରେ କୁହୁଡ଼ିର ଜାଲ ମେଲିଦେଇଥାନ୍ତି । ନିଜେ ଅନ୍ଧାରକଣା ପରି ଜାଲ ଭିତରେ ଘୂରି ବୁଲୁଥାନ୍ତି । ସମସ୍ତ ତଥ୍ୟ ଅନୁସନ୍ଧାନ ନ କରି, ଜନସାଧାରଣ ମଧ୍ୟ ସେଇମାନଙ୍କ ତୁଆ ଧରି ହଡ଼ାଠେଙ୍ଗୁରେ କୁଆ ହାଣିଲା ଭଳି ବିଚରାମାନଙ୍କୁ ରକ୍ତବୁହା କରିପକାନ୍ତି । ତାତ୍‌କାଳୀକ ଘଟଣାଚକ୍ରରେ, ଉତ୍ତେଜନାରେ, ରକ୍ତର ଉଷ୍ଣତାରେ, ବ୍ୟକ୍ତିଗତଭାବର ଆବେଗରେ ପ୍ରହରାଜେ ମଧ୍ୟ ନିଜର ପବିତ୍ର କର୍ତ୍ତବ୍ୟ ଭୁଲିଯାଇ ଅନେକ ଲୋକଙ୍କୁ କୁଆବୁଆ କରୁଥିଲେ । ତଥାପି ତାଙ୍କ ଅବୁଝାମନ ଲଗାମ୍‌ ମାନୁନଥିଲା, ଅଙ୍କୁଶକୁ ଡରୁ ନଥିଲା । ପରକୁ ବୁଝେଇ ଦେଉଥିଲାବେଳେ ନିଜ ଘର ଭାଙ୍ଗି ଯାଉଥିଲା । ନିଜ ଗୋଡ଼ରେ ତାଙ୍କର ମାଂସ ପୂରି ଆସୁଥିଲା ଅଥଚ ଅନ୍ୟର ଗୋଦର ଗୋଡ଼ର ମାଂସକୁ ସେ ପଦାରେ ପକେଇ ଦଉଥିଲେ । ରଙ୍ଗିନ୍‌ ଛିଟକନାର ଆବରଣ ତଳେ ନିଜ ବିବୃତ ଦେହକୁ ନୁଚେଇ ପକେଇବାକୁ ବ୍ୟାକୁଳ ହେଉଥିଲେ । ପରର ମନ, ହୃଦୟ ଓ ପରିବେଶକୁ ବୁଝିବାପାଇଁ ସେ ପ୍ରସ୍ତୁତ ନଥିଲେ । ନିଜର ରାତିପିନ୍ଧା, ପଖାଳକରା ପୋଷାକ ପିନ୍ଧି ମିସଲ ଉପରେ ବିଚାରକର ଆସନରେ ବସିପଡ଼ୁଥିଲେ । ନ୍ୟାୟର ଡୋରକୁ ଆପଣା ହାତରେ ଭିଡ଼ିଧରିବାପାଇଁ ସକଳ ପ୍ରୟାସ କରୁଥିଲେ-। ଆପଣା ପାପକୁ ଗୋପନ ରଖି, ଭୁଲିଯାଇଥିବାର ଅଭିନୟ କରି ଅନ୍ୟର ମଣିଷପଣିଆକୁ ତଉଲୁଥିଲେ । ସେ ଚେଷ୍ଟା କରୁଥିଲେ ସାଧାରଣ ମଣିଷ ପରି ନୀଚତାବୋଧରୁ ଆପଣାକୁ ମୁକ୍ତ ରଖିବା ଲାଗି, ଦରପୋଡ଼ା କାଠତ୍ୱରୁ ମୁକୁଳିଯିବା ଲାଗି । ମାତ୍ର ପରାସ୍ତ ହୋଇଥିଲେ ନିଜ ପାଖରେ ପ୍ରତିମୁହୂର୍ତ୍ତରେ । ପରଘରବୁଡ଼ା ମଣିଷର ଧର୍ମକୁ ଆପଣାର କରି ନେଇଥିଲେ ।

ସ୍ୱାର୍ଥସଚେତନ ପ୍ରହରାଜ ଆଉ ସେ ଅଳିଆ ଭିତରେ ମଳିଆ ନ ହେବା ପାଇଁ ଚେଷ୍ଟା କରୁଥିଲେ । ମାତ୍ର ଯେତିକି ଦୂରେଇ ଯିବାପାଇଁ ଚାହୁଁଥିଲେ, ଗୋଡ଼ ସେତିକି ଅଧିକ ବେଗରେ ଟାଣି ହୋଇଯାଉଥିଲା । ଶତ୍ରୁସଂଖ୍ୟା ତାଙ୍କର ବଢ଼ି ବଢ଼ି ଚାଲିଥିଲା । ସେ କ୍ରମଶଃ ଛଟିକିପଡ଼ୁଥିଲେ ଗୋଟିଏ ମହାଧାରାରୁ । ନିଜକୁ ‘ନିସଙ୍ଗ’ ଅନୁଭବ କରୁଥିଲେ । ଅନ୍ୟ ଏକ ବେଦନାବୋଧରେ ଘାରି ହେଉଥିଲେ । ‘‘ଏ ଦେଶ କାଳେ ତାଙ୍କଠାରୁ ଅନେକ କିଛି ଆଶା କରୁଥିଲା’’ ବୋଲି ଜନୈକ ବନ୍ଧୁଙ୍କ ସ୍ୱୀକାରୋକ୍ତିର ଉତ୍ତର ଦେବାକୁ ଯାଇଁ ଯେ ଲେଖିଥିଲେ-‘‘ଭାଇ ଜାଣୁଛ ଯେ ମୋରି ପ୍ରକୃତି ସ୍ୱାର୍ଥଲିପ୍‌ସାରେ ପୂର୍ଣ୍ଣ । ବୁଝୁଛି ଯେ, ମୋର ତିଳେମାତ୍ର ସ୍ୱାର୍ଥତ୍ୟାଗ ନାହିଁ କି ହେବନାହିଁ । ବୁଝୁଛି ଯେ, ଦେଶର ଦ୍ୱାହିଦେଇ, କେତେଗୁଡ଼ିଏ ଲୋକଙ୍କୁ ଓଲୁ ବନେଇ ନିଜର ମନୋବାଞ୍ଛା ହାସଲ କରିବାକୁ ବସିଲେ ଦେଶର ଘରେ ଘରେ କାଗଜେ କାଗଜେ ମୋ ନାମ ବିଞ୍ଚି ହୋଇଯାଆନ୍ତା । ଦେଖୁଚି ଯେ ମୋରି ଭଳି କେତେଗୁଡ଼ିଏ ପ୍ରକୃତ ଶକ୍ତି ଓ ବିବେକବିହୀନ ବ୍ୟକ୍ତି ସୁଖ, ସ୍ୱର, ଲେଖା ଓ ବକୃତାର ଚମକରେ ଶତ ଶତ ଲୋକଙ୍କୁ ଓଲୁବନେଇ, ଦେଶସେବକ ବାନା ଉଡ଼େଇ, ଜେ ‘ଜେ’ କାର ପାଉଅଛନ୍ତି ଓ ‘ସାଧାରଣ କାର୍ଯ୍ୟବ୍ରତ’, ‘ଦେଶସେବା ଭେକ’ ଓ ‘ମୈତ୍ରୀ ପତାକା ଧରି’ ସେଇ ଭେକ ଭିତରେ ଆପଣାର ପେଟପୋଷିବା ଲାଗି ଥାଳଖଣ୍ଡମାନ ଲୁଚେଇ ରଖି ଦେଶତମାମ ଲୋକଙ୍କୁ ଚାହିଁ ଜଳକା ବନୋଉଛନ୍ତି । ମୁଁ ମଧ୍ୟ ଦିନେ ସେଇ ପନ୍ଥାର ପଥିକ ଥିଲି । କିନ୍ତୁ ନିଜେ ଅନୁଭବଦ୍ୱାରା ବୁଝିଲି ଯେ, ଆମ ଦେଶରେ ଦେଶସେବାର ଅର୍ଥ ‘‘ନାମବଡ଼ା ଦର୍ଶନ ଥୋଡ଼ା’’ । x x x ଆମ ଦେଶଟାଯାକ ଲୋକ ବର୍ତ୍ତମାନ ଚାହିଁଜଳକା । x x x ଏ ଅବସ୍ଥା ପାଇଁ ମୁଁ ମଧ୍ୟ କିସମତ ଅନୁସାରେ ଦୋଷୀ କିନ୍ତୁ ମୋଠାରୁ ଅନେକ ମାର୍କାମରା ବଡ଼ ମୁଣ୍ଡିଆ ଏହି କୁହୁଡ଼ି ପହଁରାରେ ବ୍ୟସ୍ତ । x x x ଏସବୁ ଦିନାକେତେ ଦେଖି, ଶୁଣି, ଦିହରେ ଆନମାଇ ମୁଁ ସ୍ଥିର କରିଛି ଯେ, ଏ କ୍ଷେତ୍ରରେ ମୌନ ହିଁ ବିବେକାନୁମୋଦିତ ପନ୍ଥା ।’’ (ଆ. ଘ. ହା. ଚା. ପୃ ୧୨୧) ଜୀବନରେ ଏଇ ମୌନବ୍ରତ ଅବଲମ୍ୱନ କରିବା ପାଇଁ ସେ ଆପଣାକୁ ବଳି ଭୋଗ ଭାବରେ ପରିଗ୍ରହଣ କରିଥିଲେ । ନିଜକୁ ହୀନଜନ୍ମା, ହୀନକର୍ମା, ଅଧନୀ, ବାତୁଳ, ଅକର୍ମା ବୋଲି କହିଥିଲେ-। ସଂସାରୀ ହେବା ପାଇଁ ମନ ବଳେଇଥିଲେ । (ଆ. ଘ. ହା. ଚା. ପୃ ୧୨୨) ଏବଂ ସଂସାରଠାରୁ ମନ ତାଙ୍କର ତୁଟି ତୁଟି ଯାଉଥିଲା ।

ମାତ୍ର ସଂସାରଠାରୁ ସେ ଯେତିକି ବେଶି ଦୂରେଇ ଯିବାକୁ ଚାହୁଁଥିଲେ, ସଂସାର ତାଙ୍କୁ ସେତିକି ଅଧିକରୁ ଅଧିକ ଭାବରେ ମାଡ଼ି ବସୁଥିଲା । ପଢ଼ାସାରି କଟକ ଆସିବା ପରେ ପରେ ହିଁ ଦୁନିଆର ବୃତ୍ତ ଭିତରେ ସେ ବିଚରଣ ଆରମ୍ଭ କରିଦେଇଥିଲେ । ଉତ୍କଳର ଖଣ୍ଡିତରୂପ ଦେଖି ସେ ପ୍ରଥମେ କାନ୍ଦି ପକେଇଥିଲେ ମଧୁବାବୁଙ୍କ ସାଙ୍ଗରେ ଏବଂ ଉତ୍କଳଗୌରବଙ୍କ ମାନସିକ ଶକ୍ତିର ସେ ଥିଲେ ପ୍ରତୀକ । ତାଙ୍କପରେ ସେ ପୋଷାକ ପିନ୍ଧି ସୁଆଙ୍ଗ କରିବେ ବୋଲି ମଧୁବାବୁ ଘୋଷଣା କରିଥିଲେ । ଏଇ ସୁଯୋଗରେ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ତାଙ୍କର ସଂପର୍କ ଯୋଡ଼ି ହୋଇଯାଇଥିଲା । ବ୍ୟବସାୟରେ ଉନ୍ନତି ଘଟିଲା । ସେ ରାଜାମହାରାଜାଙ୍କର ଓକିଲ ହୋଇପାରିଥିଲେ । ଜିଲାବୋର୍ଡ଼, ମ୍ୟୁନିସ୍‌ପାଲିଟି ବୋର୍ଡ଼ରେ ଅନାରାରୀ ସଦସ୍ୟ ପଦବୀ ପାଇଥିଲେ । ମାତ୍ର ମଧୁବାବୁଙ୍କ ସହିତ ପୁଣି ତାଙ୍କର ଶତ୍ରୁତା ଆରମ୍ଭ ହୋଇଯାଇଥିଲା । ସେ ତାଙ୍କର ନିର୍ମମ ସମାଲୋଚକର ଭୂମିକା ଗ୍ରହଣ କରିଥିଲେ । କୁଳବୃଦ୍ଧଙ୍କର ବ୍ୟକ୍ତିତ୍ୱକୁ ପଦାରେ ପକେଇଥିଲେ । ଯାହାଙ୍କ ଯୋଗୁଁ ଦେଶସେବକ ଭାବରେ ପରିଚୟ ଘୋଷଣା କରିବାପାଇଁ କ୍ଷମ ହୋଇଥିଲେ, ତାଙ୍କୁ ଫତୁଆ ବନେଇବାକୁ ବିମୂଖ ହେଲେନି ।

ଶିକ୍ଷାର ବିସ୍ତାର ପାଇଁ ବାପାଙ୍କଦ୍ୱାରା ପ୍ରତିଷ୍ଠିତ ସ୍କୁଲର ସେକ୍ରେଟେରୀ ହେଲେ । ସେଠି କେତେକେତେ ଦେଶୀ, ବିଦେଶୀ ବାବୁଭାୟାଙ୍କୁ ଠୁଳ କରେଇଲେ । ଶିକ୍ଷାବିତ୍‌ର ଶିରାପ ବାନ୍ଧିଲେ । ଗ୍ରାମରେ ଶିକ୍ଷାବିବର୍ଦ୍ଧନୀ, ହରିଭକ୍ତିପ୍ରଦାୟିନୀ, ସମାଜ ସଂସ୍କାରିଣୀସଭା ପ୍ରତିଷ୍ଠା କଲେ । ସମାଜରେ ପରିପୂର୍ଣ୍ଣ କୁସଂସ୍କାରଗୁଡ଼ିକୁ ଉଡ଼େଇ ଦେବାପାଇଁ କେତେ ଫନ୍ଦି ଫିକର କଲେ । ମଞ୍ଚମଣ୍ଡନ କରି ବକ୍ତୁତା ଝାଡ଼ିଲେ । ଜାତିଭେଦ ପ୍ରଥାକୁ ସମୂଳେ ବିନାଶ କରିବା, ନିର୍ଯ୍ୟାତିତା ନାରୀମାନଙ୍କ ସୌଭାଗ୍ୟ ଫେରାଇଆଣିବାପାଇଁ କେତେକଥା ଲେଖିଲେ, ଏଥିପାଇଁ ବିଚାରଳାୟର ସାହାଯ୍ୟ ପାଇଲେ । ଜିତିଲେ । ଦେଶ ପରିକ୍ରମା କଲେ । ଜାତି ସଂସ୍କାର କ୍ଷେତ୍ରରେ ଉଭୟ ପ୍ରାଚ୍ୟ (ଦେଶୀ) ଓ ପାଶ୍ଚାତ୍ୟ (ବିଦେଶୀ) ରୀତିର ସମୀକରଣ ପାଇଁ ଯୋଜନା ପ୍ରସ୍ତୁତ କଲେ । ଭକ୍ତମାନଙ୍କ ଦୌରାତ୍ମ୍ୟରୁ ଦେବଦେବୀଙ୍କ ଉଜୁଡ଼ିଯାଉଥିବା ସଂପତ୍ତି ରକ୍ଷା କରିବାପାଇଁ ଭୁବନେଶ୍ୱର ଲିଙ୍ଗରାଜ ଓ ସାକ୍ଷୀଗୋପାଳ ମନ୍ଦିରର ଟ୍ରଷ୍ଟବୋର୍ଡ଼ର ସଭ୍ୟ ହେଲେ । ଦେବତାଙ୍କ ପ୍ରୀତ୍ୟର୍ଥେ ଆପଣାକୁ ନିୟୋଜନ କଲେ । ଲିପି ସଂସ୍କାର, ଭାଷା ସଂସ୍କାର, ବିଶୁଦ୍ଧ ଭାଷା ସଂକ୍ରାନ୍ତରେ ନିଜ ବିଚାରଧାରାକୁ ଉପସ୍ଥାପନ କଲେ । ତାଙ୍କରି ଭାଷାରେ, ‘‘ଦେଶହିତୈଷୀ ବକ୍ତା, ଶିକ୍ଷା-ସଂସ୍କାରକ, ସମାଜ-ସଂସ୍କାରକ, ଜାତି-ସଂସ୍କାରକ, ସାହିତ୍ୟ-ସଂସ୍କାରକ, ଭାଷାସଂଖ୍ୟା-ସଂସ୍କାରକ ଓ ଲିପି-ସଂସ୍କାରକ ପରି କେତେ ସଂସ୍କାରର ନଟ’’ ହେଲେ । (ଦୁ. ହା-ପୃ ୨୦୧) ମାତ୍ର ତାଙ୍କର ସବୁ ଥିଲା କେବଳ ଲୋକଦେଖାଣିଆ । ବାପା ଘରେ ଥିଲାବେଳେ ସଂଧ୍ୟା, ପୂଜା, ବୈଶ୍ୱଦେବ ଓ ନିରାମିଷ ହବିଷ ଛଡ଼ା ଅନ୍ୟ କୋଉଥିରେ ମନଦେଇପାରୁ ନ ଥିଲେ ଏବଂ ବାପାଙ୍କୁ ବାଟେଇ ଦେଇ ସିଧା ପଶୁଥିଲେ ହୋଟେଲରେ । (ଦୃ. ହା-ପୃ ୨୨୬) ପଇତା, ମାଳି ଦରକାରବେଳେ କାମରେ ଆସୁଥିଲା । ସାକ୍ଷୀଗୋପାଳ, ଲିଙ୍ଗରାଜ ମହାପ୍ରଭୁଙ୍କ ନ୍ୟାସରକ୍ଷକ ହୋଇଥିବାରୁ ବୈଷ୍ଣବ, ଶାକ୍ତ, ଶୈବ ସମସ୍ତଙ୍କୁ କୋଳେଇ ନେଇଥିଲେ । ଠାକୁରଙ୍କ ବିଲରୁ ପରିବା, ପୋଖରୀରୁ ମାଛ, ତହବିଲ୍‌ରୁ ଓକିଲାତି ଫିସ୍‌ ବାବଦକୁ ଅସରପି ଆସୁଥିଲା । (ଦୁ. ହା. ପୃ ୨୨୭) ସବୁଦିନେ ଲିଙ୍ଗରାଜ ମହାପ୍ରଭୁଙ୍କ କୋରା ଖାଇବା ଓ ଖୁଆଇବାର ସୁଯୋଗ ମିଳୁଥିଲା ।

ପାରିଲାପଣରେ ଓସ୍ତାତ ମଣିଷ ସାରାଜୀବନ ଜହ୍ମରାତିରେ ନବନବୀନାମାନଙ୍କ ସହ କେଳି କରିବା ପାଇଁ ଯୋଜନା କରେ । ଅନେକ ଅନୂଢ଼ାଙ୍କୁ ପରିଗ୍ରହ ନକଲେ, ଅନେକ ବାରବିଳାସିନୀ କିମ୍ୱା ପତିଅନୁରାଗିଣୀମାନଙ୍କର ଗର୍ବପର୍ବତକୁ ଚୂନା କରି ନ ପାରିଲେ ସେମାନଙ୍କ ଜୀବନଟା ଯେମିତି ବିଷ୍‌ପିତା ମାରିଯାଏ । ଅନେକ ଅନୁଗତ, ନିର୍ବୋଧ ମେଷରୂପୀ ମଣିଷକୁ କ୍ଳୀବତ୍ୱ ବରରେ ପରିତୁଷ୍ଟ କରି ନ ପାରିଲେ, ସେମାନଙ୍କ ରକ୍ତରେ ଆପଣାକୁ ଶୋଭାବନ୍ତ କରି ନ ପାରିଲେ, ସେମାନଙ୍କ ଭିତରଟା କୋରି ହୋଇଯାଏ । ଏତକ କହିପାରିବାର କଳା ମାଲୁମ ନ ଥିଲେ ମଣିଷର ଭେକ ମାରାପଡ଼ିଯାଏ । ବିଶିଷ୍ଟ ଭାବରେ ବଞ୍ଚିବା ପାଇଁ ଏ ସବୁର ଆବଶ୍ୟକତା ରହିଛି ଏବଂ ଭେକ ନ ଦେଖିଲେ, କେହି ଥାଳରେ ମୁଠିଏ ଭିକ ଦେବାକୁ ଇଚ୍ଛା କରିବେନି । ବ୍ୟକ୍ତିର ଏ ଆକ୍ଷିଝଲସା ରୂପ ଅନ୍ୟମାନଙ୍କ ବିଚାରରେ ଚୋରି, ଡକେଇତି, ଫିସାଦି ହୋଇପାରେ । ଏଥିପାଇଁ ଘରୁ, ବାହାରୁ ବିଧାକହୁଣି, ଠେଙ୍ଗୁଣୀ ଅନେକ କିଛି ବିଶେଷ ବିଶେଷ ଉପାୟନ ଲାଭ ହୋଇପାରେ । ଲଣ୍ଡିତ ମୁଣ୍ଡରେ ବାରଦୁଆର ବୁଲିବାକୁ ବି ପଡ଼ିପାରେ । ଏ ସବୁକୁ ଆକ୍ଷିଦେଲେ, ମଣିଷ ବିଚରା ତାଳିମାଡ଼, ଫୁଲମାଳ ଲାଭରୁ ବଞ୍ଚିତ ହୁଏ । ଫୁଲମାଳ ଯାର, ସାପମାଳ ତାର । ପ୍ରହରାଜ ଏସବୁ କଥା ଜାଣିଥିଲେ । ନିଜ ଭେକ, ଜାତି, ଗୋତ୍ରକୁ ବେଶ୍‌ ଆରାମରେ ବଦଳେଇ ଦେଇ, ବରଷା ଆଡ଼କୁ ଛତା ଦେଖେଇ, ଯାବତୀୟ ନୁଙ୍ଗୁରା କାମ କରି କରି ଠିକ୍‌ ସମୟରେ ଖସିଆସିବାର କଳା ମଧ୍ୟ ତାଙ୍କୁ ମାଲୁମ୍‌ ଥିଲା । ମାତ୍ର ଆପଣାର ଏଇ କଳାପ୍ରବଣତାକୁ ଆପେ ରାସ୍ତା ଉପରେ ଲଙ୍ଗଳା କରି ଶୁଆଇ ଦେଉଥିଲେ । ଏ ସବୁକୁ ହୁଏତ ସିଆଣିଆମି, ଫେଚକାମି ବୋଲି କୁହାଯାଇପାରେ । କେହି କେହି ନେତା, ଦେଶସେବକଙ୍କର ଏହା ଏକ ବିଶେଷ ଗୁଣ ବୋଲି ହୁଏତ କହିପାରନ୍ତି । ମାତ୍ର ସମସ୍ତେ ନିଜକୁ ଅମୁକ ଅମୁକ ଅବିଗୁଣର ଅଧିକାରୀ ବୋଲି କହିବାକୁ ସାହସ କରିପାରନ୍ତିନି । ସେମାନଙ୍କର ନିଜ ଉପରେ ବିଶ୍ୱାସ ନ ଥାଏ । ମାତ୍ର ପ୍ରହରାଜଙ୍କ ଭିତରେ ସେ ସତ୍‌ସାହସ ଥିଲା ।

ପ୍ରହରାଜ ନିଜେ ନିଜକୁ ଯେଉଁ ବିଶେଷ ବିଶେଷ ବିଶେଷଣରେ ପରିମଣ୍ଡନ କରୁଥିଲେ, ଅନ୍ୟ କୌଣସି ଓଡ଼ିଆ ସେମିତି କରିଥିବାର ଜଣାଯାଏ ନାହିଁ । ସେ ଆପଣାକୁ, ‘‘ନୀଚ, ଖୋସାମଦିଆ, କପଟାଚାରୀ, ଈର୍ଷାପର, ଭଣ୍ଡ, ପରଛିଦ୍ରାନ୍ୱେଷୀ, ଆପକେବାସ୍ତେ, ୟାତାର ଅଧମାଙ୍ଗ, ଉତ୍ତମାଙ୍ଗ ମର୍ଦ୍ଦନ କଳା-ପ୍ରବୀଣ, ସରକାରଙ୍କ ଗେଲବସରିଆ, ଦିହଲଗା, ଦେଶୀ-ମାଦକ-ସେବୀ, ଥାନ-ଅଥାନ କାମୁଡ଼ା’’ ବୋଲି କହୁଥିଲେ । (ଦୁ. ହା. ଚା. ପୃ ୨୩୧) ବିଦ୍ୱାନ ବୋଲି ଦେଖେଇହେବା, ଚୁଗୁଲି କରିବା, କର୍ତ୍ତାଙ୍କ ପାଖରେ ହାଁ ଜୀ, ହାଁ ଜୀ ମାଗିବା, ସଂଧ୍ୟାରେ ଚିତାଲଗା, ମାଳିପିନ୍ଧା ସାଙ୍ଗକୁ ସାକ୍ଷୀ ରଖି ବିଲାତି ପାଣି ପିଇବା ଓ ପିଆଇବା, ବାଈସାକ୍ଷୀ ରଖିବା, ଅନ୍ୟମାନଙ୍କ ବିରୋଧରେ ଗପିବା ଓ ଅନ୍ୟମାନଙ୍କ ବକ୍ତବ୍ୟକୁ କର୍ତ୍ତାଙ୍କ ଆଗରେ କହିବା, କର୍ତ୍ତାଙ୍କ ଅଧମାଙ୍ଗକୁ ତେଲ ଦେଇ ସାଉଁଳିଦେବା, ଏସବୁ ସୁଖରେ ଜୀବନ ବିତେଇବାର କଳା ବୋଲି ଘୋଷଣା କରିଥିଲେ । (ଦୁ. ହା. ପୃ ୧୩୭) ଏପରିକି ନିଜକୁ ଦେଶଦ୍ରୋହୀ, ବର୍ବର ମସ୍ତିସ୍କ (ଦୁ. ହା. ପୃ ୨୩୧) ଆପୁଖୋର, ଦୁର୍ମୁଖ (ପିଲାଦିନେ ସ୍ଥାନ ଅସ୍ଥାନ ନ ବୁଝି ଅନେକ ବାକ୍ୟ ବ୍ୟୟ କରୁଥିଲି ଓ ଅତ୍ୟନ୍ତ କଳହପ୍ରିୟ ଥିଲି ବୋଲି ଏ ନାମ), ନିଷ୍କର୍ମ, (ଭା, ଟୁ. ସଂ ପୃ ୩ ଓ ୩୩), ଘୋଡ଼ାମୁହାଁ, ପାଣିପାତ୍ର ଶର୍ମା, (ସଂସାରରେ ବ୍ୟାଙ୍କ ଓ ଖଜଣାଖାନଯାକରେ ତାଙ୍କର ଧନ ଅଛି, ସଂସାରର ରାଜ୍ୟ ଓ ଜମିଦାରୀଯାକ ତାଙ୍କରି ଖାସ୍‌ମାହାଲ, ସଂସାରର ବଡ଼ଲୋକ, ଧନୀ ଓ ଶେଠ ସାହୁକାରମାନେ ତାଙ୍କର ବେଠିଆ ଓ ଚାକର । ଏଥିପାଇଁ ଜନ୍ମବେଳେ ଜାତକ ଦେଖି, ସିଆଣିଆ ବାପା ମା’ ତାଙ୍କୁ ପାଣିପାତ୍ର ଦେଇଥିଲେ । x x ଶର୍ମାଙ୍କ ଜାତକ ରାଜାଙ୍କ ପାଟଜ୍ୟୋତିଷ (ଡାକନାମ ପାଡ଼ୁଷି)ଙ୍କଦ୍ୱାରା ତିଆରି ହେଲା ଓ ପାଡ଼ୁଷିଏ କହିଲେ ଏ ପୁତ୍ର ଘୋଡ଼ାମୁହାଁ ହେବେ ଓ ଏହାଙ୍କର ରାଜଯୋଗ କଥା ତ ଗାଧୋଇଯାଉ-ରାଜପ୍ରସାଦ ଯୋଗ ମଧ୍ୟ ନାହିଁ । ଏଥିପାଇଁ ଶର୍ମାଙ୍କ ନାମ ଦିଆଗଲା ପାଣିପାତ୍ର ଶର୍ମା । ସତକୁ ସତ ଶର୍ମାଙ୍କ ଭୂମିଷ୍ଠ ହେବା ସଙ୍ଗେ ସଙ୍ଗେ ଦିନ କେତୁଟାରେ ତାଙ୍କ ଖାନଦାନ୍‌ ଘରୁଟା ବିବାକ ଚୂନା ହୋଇଗଲା ଓ ପିତୃଦେବଙ୍କ ତିରୋଧାନ ହେବାବେଳକୁ ଶର୍ମା ସତକୁ ସତ ହେଲେ ପାଣିପାତ୍ର । ଜାତକରେ ଶର୍ମାଙ୍କ କପାଳରେ ରାଜଯୋଗ ନ ଥିଲେ ହେଁ, ରାଜପ୍ରାସାଦ ଯୋଗ ନ ଥିଲେ ହେଁ ରାଜା ସେବା ଓ ରାଜ-ପ୍ରସାଦ ସେବା ଯୋଗ ଅଛି ବୋଲି ପାଡ଼ୁଷିଏ କହିଲେ (ଧା. ବ. ଫୁ. ପା. ବା. ବୁ. ପୃ ୫୧-୫୩)’’ ବୋଲି କହିବାକୁ ବିମୁଖ ହେଉ ନ ଥିଲେ । ଅନ୍ୟମାନଙ୍କୁ କଟୁ ସମାଲୋଚନା କଲାବେଳେ ପ୍ରଥମେ ନିଜକୁ ଆଗରେ ଥୋଉଥିଲେ । ଖାଇବା ଓ ଖୁଆଇବା ଥିଲା ତାଙ୍କ ଜୀବନର ଅଭିଧର୍ମ ।

ମାତ୍ର ନିଜକୁ, ନିଜ ଘର ଓ ଦୁନିଆକୁ ଆପଣା ବିଚାରଧାରାରେ ତଉଲିଲାବେଳେ ପ୍ରହରାଜେ ବିଳାପ କରୁଥିଲା ପରି ମନେହୁଏ । ନିଜେ ମାନସିକ ଯନ୍ତ୍ରଣା, କପଟଚାରିତାର ପାପବୋଧ ଭିତରେ ଜଳିଯାଉଥିଲେ । ତାଙ୍କ ଘର ବି ହୁତ୍‌ହୁତ୍‌ ହୋଇ ପୋଡ଼ିଯାଉଥିଲା । ପାଖରେ ନିଆଁ ନିଭେଇବାରେ ସବୁ ଉପକରଣ ଥାଇ ବି ପରାଜିତ ହେଉଥିଲେ । ଗ୍ଳାନିବୋଧ ଭିତରେ ସମୟ ବିତୋଉଥିଲେ । ବିଷାଦର ଭୂମି ଉପରେ ବିକଳାଙ୍ଗ ବେଶରେ ଠିଆହୋଇ ଅନ୍ୟମାନଙ୍କୁ ତଥାପି ସେ ଛିଗୁଲୋଉଥିଲେ । ବିଭିନ୍ନ ଆକୃତି, ରୁଚି ଓ ଆଦର୍ଶର ବେପାରୀମାନଙ୍କୁ ପଦାରେ ଠିଆ କରୋଉଥିଲେ । ବଡ଼ ଲୋକମାନଙ୍କୁ ଭଡ଼କା, ଶିକ୍ଷିତମାନଙ୍କୁ କଲମି, ଖୋସାମଦିଆମାନଙ୍କୁ ସୁନ୍ଦରୀ, ନିଉଛୁଣାମାନଙ୍କୁ ରସୁଣିଆ, ସିଆଣିଆମାନଙ୍କୁ ବଡ଼ ବଡ଼ ଲାଲ ସୁସ୍ୱାଦୁ ଆମ୍ୱ ସହିତ ତୁଳନା କରୁଥିଲେ । ମାନ୍ୟଗଣ୍ୟ ଲୋକମାନଙ୍କର ବିଲାତି ତାସ ପରି ଜୀବନ ପରିଚାଳନ, ଦିବାରାତ୍ରି ଉଚ୍ଚପଦସ୍ଥଙ୍କ ଚରଣ ଓ ଅନ୍ୟାନ୍ୟ ଅଙ୍ଗମାନ ଖଞ୍ଜିଖାଞ୍ଜି ଭଣ୍ଡି ମର୍ଦ୍ଦନ ଓ ନିମ୍ନପଦସ୍ଥ ଚୁଟି ଧାରଣ କାର୍ଯ୍ୟକୁ ପଦାରେ ପକେଇ ଦେଉଥିଲେ । ଦାଣ୍ଡ ଚୋର ଓ ଘର ଚୋର ସମସ୍ତଙ୍କ ଠିକଣା ଜାଣିଥିଲେ । (ବା. ପାଂ. ପୃ ୬-୩୦) ସମାଜରେ ସମସ୍ତେ ତାଙ୍କୁ ଦିଶୁଥିଲେ ବିବେକହୀନ । ‘‘ଚକ୍ଷୁ ଥାଇ ପାଗଳ ହେବି ପଛେ, ଅନ୍ଧ ହେବାକୁ ମନ ଲାଗୁନି ।’’ ବୋଲି କହିପକେଇଥିଲେ । (ବା. ପାଂ-ପୃ ୩୪) ଅନ୍ୟମାନଙ୍କୁ ଟେକା ଫୋପାଡ଼ିବା ଥିଲା ତାଙ୍କର ଗୋଟିଏ ସଉକ । ସେଥିରୁ ସେ ଖୁବ୍‌ ଆନନ୍ଦ ପାଉଥିଲେ । ମଣିଷର ଚିତ୍କାର ଶୁଣିବାକୁ ଭଲପାଉଥିଲେ । ଅନ୍ୟର କାନ୍ଦଣା ତାଙ୍କ କାନରେ ନ ବାଜିଲେ, ଆପେ କାନ୍ଦି ପକୋଉଥିଲେ । ଅନ୍ୟର ଚିତ୍କାର ନ ଶୁଭିଲେ ବାଣଟା ବ୍ୟର୍ଥ ହୋଇଗଲା ବୋଲି ଦୁଃଖ ପାଉଥିଲେ । ଲୋକମତ, ଲୋକାପବାଦ ପ୍ରତି ଏତେ ଅଧିକ ଭାବରେ ନିଘା ଦଉନଥିଲେ । ଭବିଷ୍ୟତକୁ ସେ ଯେମିତି ଆପଣା ନଖ-ଦର୍ପଣରେ ଦେଖି ପାରୁଥିଲେ । ଅନ୍ୟମାନଙ୍କ ବିଚଳିତ ରଙ୍ଗଢଙ୍ଗ ଦେଖି ହସି ପକୋଉଥିଲେ । ହସି ହସି ଲୋତରାକୋତରା ହୋଇଗଲା ପରେ ପଛକୁ କାନ୍ଦି ପକୋଉଥିଲେ । ଯୋଉ ଲୋକ ହସି ଜାଣିନି, ସେ କାନ୍ଦି ପାରିବନି ଏବଂ ଯୋଉ ଲୋକ ହସିବାକୁ ଡରେ, କାନ୍ଦିବାର ଅଧିକାର ତାର ନାହିଁ । ସଂସାରର ଚାରିଦଉଡ଼ିକଟା ଦଳକ ହିଁ ହସିବା, କାନ୍ଦିବା, ବାଡ଼ ଭାଙ୍ଗିବା, ବାଡ଼ ତିଆରିବା କଳାରେ ଦକ୍ଷ । (ବା. ପାଂ ପୃ ୧୪୬) ସେମାନେ ଅସଲ ଘାଟଜଗୁଆଳ । ବେଳେବେଳେ ବାଟମାରଣା ଷଣ୍ଢ, ଆଉ ବେଳେବେଳେ ଭାରି ସୁଧାର, ସୁନାପିଲା । ଲୋକେ ତାକୁ ବାଡ଼ୋଉଥିବେ, ମାତ୍ର ପାପ କ୍ଷଳନ ପାଇଁ ଦୂବ ଘାସ, ଅରୁଆ ଚାଉଳ, ବିରିକୁଲା ତାଙ୍କ ଆଗରେ ଥୋଉଥିବେ, ଶୋଇଥିଲାବେଳେ କେଡ଼େ ଖଞ୍ଜରେ ଲାଙ୍ଗୁଡ଼ଧୁଆ ପାଣି ପାଉଥିବେ ।

ପ୍ରହରାଜଙ୍କ ଆକ୍ଷିରେ ଏସବୁ ଦୁନିଆର ନିୟମ । ଜାଗତିକ ସତ୍ୟ । ଶଙ୍କରଙ୍କ ମୋହମୁଦ୍‌ଗରର ପରିଭାଷାରେ ‘ମାୟା’ । ଏ ସଂସାରର କୌଣସି କାର୍ଯ୍ୟ ଉଦ୍ଦେଶ୍ୟହୀନ ନୁହେଁ । ଏହା ନିକିତିରେ ଓଜନ କରି ଦରଦାମ୍‌ କରିବାର ଜାଗା । କଷଟିରେ କଷିବାର ସ୍ଥାନ, ତୁଳନାର ଭୂମି । (ବା. ପାଂ ପୃ ୫୨୮) ‘‘ସଂସାର ଭଡ଼ାଗାଡ଼ିଖାନା, ସମସ୍ତେ ଏଠି କୁହୁକରେ ମାତିଛନ୍ତି ।’’ (ଆ. ଘ. ହା-ପୃ ୧୭) ମଣିଷ ଆପଣାକୁ ସୁଖରେ ରଖିବାପାଇଁ ଦୁନିଆଯାକର ଫନ୍ଦିଫିକର କରିବ-। ଗଲାବେଳେ ଏଠୁ ସେ କିଛି ବୋଲି କିଛି ନେଇଯିବ ନାହିଁ । ଅଥଚ ବିଷୟର ଘୁଅଗଡ଼ିଆରେ ସେ ଘାରି ହଉଥିବ । ସେ ଏକଥା ବି ଜାଣେ-ଏଠି ସେ ସବୁଦିନର ନୁହେଁ, ଦି’ଦିନର କୁଣିଆ, ନିମିତ୍ତ ମାତ୍ର । ତା ଉପରେ, ଅଦୃଶ୍ୟରେ ଦଇବ ଅଛି । ଯିଏ ତା ବେକରେ ଫାଶଦେଇ ନିଜ ଇଚ୍ଛାଅନୁସାରେ ଚରୋଉଚି । ଅଘଟନ, ଘଟନର ବିଚାରକ ସାଜୁଛି । ଉପରେ ଉପରେ ତାର ନକଲିପଣିଆକୁ ଟାପରା କରୁଛି । (ନ. ବ. ଉ. ସା. ୧୯ଶ. ବ ଫାଲଗୁନ ୧୨୩ -ପୃ ୫୪୬) ପୁଣି କେବେ କେବେ ତାଙ୍କର ମନ ହେଉଥିଲା, ‘‘ଏ ଦୁନିଆଟା କେବଳ ଜୁଆଖେଳର ଆଖଡ଼ା, ପଶାଖେଳର ପାଲିମୁଠା, ଏଠି ସମସ୍ତେ କାଠିଧରି ଗଡ଼ୋଉ ଥାଉଁ ପଶାକାଠିରେ କେତେବେଳେ କ’ଣ ଗଡ଼ୁଛି । କେତେବେଳେ କ’ଣ ଦାନ ପଡ଼ୁଛି । ତା ଆଗରୁ ଜାଣିବାର ଯୁ ନାହିଁ ।’’ (ଧା, ଫୁ. ପାଂ) ସମସ୍ତେ ସେଇ ଧାରତା ବନ୍ଧାର ପୁଂଜିପାଣ୍ଠିରେ ବନ୍ଧା ପଡ଼ିଛନ୍ତି । ସମସ୍ତେ ପରାଧୀନ । ଭାଗ୍ୟର ଅଧୀନ । ମାତ୍ର ମଣିଷକୁ ଏ ସଂସାର ଭାରି ଲୋଭିଲା ଲୋଭିଲା ଲାଗେ । ବିପଦସଙ୍କୁଳ ଜଙ୍ଗଲର ସୌନ୍ଦର୍ଯ୍ୟ ଭିତରେ ଆତ୍ମହରା ହୋଇଯାଏ । ଅଥଚ ଏ ଦୁନିଆ ସୁନ୍ଦର କାଚ ଆଲମାରି ପରି ବାହାରକୁ ଭାରି ଚକ୍‌ଚକିଆ, ଭିତରେ ସବୁ ତାର ଦଦରା, ପୋକଖିଆ । କାଚ ଆଲମାରିକୁ ଦେଖି ଯେ ଆକ୍ଷିବୁଜି ଦବ, ସେ ମରିବ । ପ୍ରତିମୁହୂର୍ତ୍ତରେ ମରୁଥିବ ସଂସାରର ଜଞ୍ଜାଳ, ମାୟାର ଜାଲରେ । ରୂପର କୁହୁକ ଇନ୍ଦ୍ରଧନୁ ପରି କେଉଁଆଡ଼େ ଉଭେଇଯିବ । ମାତ୍ର ତଥାପି ମଣିଷ ସେ କୁହୁକ ମଣ୍ଡପଠାରେ ସୁବେଶିତ ବେଶବସନରେ ନାଚେ । ସଂସାର ଭିତରେ ଅନାସକ୍ତ ଭାବରେ ବଞ୍ଚିବା କାଳେ ଭାରି କଷ୍ଟକର, କୁଚ୍ଛ୍ର ସାଧନାର ବିଷୟ । କୁଚ୍ଛ୍ର ସାଧନାନିଷ୍ଠ ବିବେକୀମାନେ ମଧ୍ୟ ବହୁ ସମୟରେ ମାୟାକୁଣ୍ଡ ଭିତରେ ଖସିପଡ଼ନ୍ତି । ଗୋଳିଆ ହୋଇଯାଏ ତାଙ୍କ ଚେତନା । (ଆ. ଘ. ହା. ଚା. ପୃ ୧୦୨) ଚିନ୍ତା ଓ ଆଚରଣରେ ସେତିକି ବିଚାରଶୀଳ ନହେଲେ-ମଣିଷ ସବୁବେଳେ କେବଳ ଗୋଳିଆ ପାଣି ଭିତରେ ଖେଳୁଥିବ । ଉପରକୁ ଯିବାର ସ୍ୱପ୍ନ ତାର ବିଫଳ ହେଇଯିବ । ନିଜ ଗୋଦର ଗୋଡ଼କୁ ଦେଖି ନ ପାରିଲେ, ନିଜ ମୁଣ୍ଡରେ ଚଉକସିଆ ଠେଙ୍ଗା ପାହାର କସିଦେବାର କଳା ଜାଣି ନ ଥିଲେ, ସେ ସେମିତି ନାଚୁଥିବ ଖେଳର ଶେଷଦିନ ପର୍ଯ୍ୟନ୍ତ । (ଆ. ଘ. ହା. ଚା-ପୃ ୧୧୨)

ପ୍ରହରାଜ ଏସବୁ ଗହନ କଥା ବେଶ୍‌ ଭଲ ଭାବରେ ଜାଣିଥିଲେ । ଜାଣିଥିଲେ ତାଙ୍କ ପରେ ଏ ପୃଥିବୀ ନଷ୍ଟ ହୋଇଯିବନି । ତେଣୁ ଆପଣା କାମ ଭିତରେ ସବୁବେଳେ ବୁଡ଼ିରହି ଜୀବନର ସୁଖ ଖୋଜୁଥିଲେ । ନିଜକୁ କହୁଥିଲେ, ‘‘ତୋ କାମରେ ଲାଗ୍‌ । ତାହେଲେ ଦେଖିପାରିବୁ ଯେ, ଏ ସଂସାରରୁ ତୋ ଘରୁ ଅନେକ ଅଶାନ୍ତି, ଅନେକ କଳହ କମିଯିବ । ତୁ ବଞ୍ଚି ଥାଉଁ ଥାଉଁ ଦେଖିଯିବୁ ଯେ, ଏ ସଂସାର ଦୁଃଖର ସଂସାର, ଅଶାନ୍ତିର ସଂସାର, ସନ୍ଦେହର ସଂସାର ନୁହେଁ, ଏହା ଏକ ଅପରୂପ, ଅଭାବନୀୟ, ଶାନ୍ତିମୟ ଲୀଳାକ୍ଷେତ୍ର । (ଆ. ଘ. ହା. ଚା-ପୃ ୧୧) ଅଥଚ ଏକଥା ଲେଖିବାର ମାତ୍ର କିଛିବର୍ଷ ପୂର୍ବରୁ ସେ କହୁଥିଲେ, ‘‘ମୁଁ ଗୋପାଳପୁରିଆ ଶ୍ରେଣୀର, ମୋ ଲେଖାରେ କଉଡ଼ିଟାକର ମୂଲ୍ୟ ନାହିଁ । ତଥାପି ସେହି ଗୋପାଳପୁରିଆ ନିର୍ଲ୍ଲଜତା ମୋର ପ୍ରସ୍ରବଣୀ ଲେଖନୀକୁ ମୁଖରିତ କରୁଅଛି । ସଂପାଦକ ମହାଶୟ ମଧ୍ୟ ସେହି ଗୋପାଳପୁରିଆ କୁହୁକରେ ଭୁଲି ଏଲୁଚାକ ପାଇଁ ସ୍ଥାନ ଦେଇଛନ୍ତି ।’’ (ନ. ବ. ୧୯ଶ ବ. ୯ମ ସଂ ୧୩୨୩ ସାଲ ପୃ ୩୮୫) ସଂସାରକୁ ଓ ନିଜକୁ ନିରାସକ୍ତ ଭାବରେ ଭଲ ପାଉଥିବା, ଆପଣାର ମାନସିକ ଓ ଶାରୀରିକ ଯନ୍ତ୍ରଣାର ଯଜ୍ଞକୁଣ୍ଡରେ ପ୍ରତିମୂହୁର୍ତ୍ତରେ ଛଟପଟ ହେଉଥିବା, ଚିତ୍କାର କରୁଥିବା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପରି ମଣିଷମାନେ ହିଁ କେବଳ ଆପଣାକୁ ‘ମୁଁ ଗୋପାଳପୁରିଆ’ ବୋଲି ବେଶ୍‌ ହସି ହସି କହିପାରନ୍ତି । ପରିହାସର ବନିଶୀକଣ୍ଟାରେ ଅନ୍ୟମାନଙ୍କୁ ଖେଳୋଉଥାନ୍ତି ଏବଂ ମଣିଷପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥାନ୍ତି । ଅନ୍ୟମାନେ ତାଙ୍କ ଗଡ଼ିଆର ଗୋଳିଆପାଣି ଭିତରକୁ ଗୋଡ଼ ବଢ଼ାନ୍ତି । ସେମାନେ ସୁଧାର, ସୁନାପିଲା । ଗଙ୍ଗା ଜଳ ପରି ନିର୍ମଳ-

Image

 

ଗୋପାଳପୁରିଆଙ୍କ ଫିସାଦି

 

ଜଣେ ବନ୍ଧୁ କହିଲେ, ‘‘ସେଗୁଡ଼ାକ ମଣିଷମାରୁ, ଫିସାଦିଆ ।’’ (ଦୁ. ହା. ଚା. ପୃ ୧୧୩) ସାହିତ୍ୟିକମାନଙ୍କର ପରିଚୟ ଦେବା ପ୍ରସଙ୍ଗରେ ପ୍ରହରାଜେ ନିଜ ଭିତରର କଥା, ଅନୁଭୂତିକୁ ସମ୍ଭବତଃ ଆପଣାର ବନ୍ଧୁଙ୍କ ମୁହଁରେ କହି ପକେଇଥିଲେ । ନିଜ ପରିଚୟକୁ ଆପଣାର ଚାଟୁବଚନ, କୁଆଳିଆପଣ ଭିତରେ ନୁଚେଇ ପକେଇଥିଲେ । କାରଣ ସାହିତ୍ୟ କହିଲେ, ସେ ଫିସାଦି ବୁଝୁ ନ ଥିଲେ । ସେ ଗୋଟିଏ ଅଲଗା ଧାରାର ମଣିଷ ଥିଲେ । ଆପଣାର ଜୀବନ, ପରିବେଶ, ସମାଜ ଆଉ ସମସ୍ୟାଗୁଡ଼ାକ ଜଣେ ଅନୁଭବୀ ଭାବରେ ବଖାଣିଯାଉଥିଲେ । ତାଙ୍କ ବିଚାରଧାରା ଓ ପ୍ରକାଶଭଙ୍ଗୀ ପ୍ରତି ସେ ଥିଲେ ଏକାନ୍ତ ଭାବରେ ଅନୁଗତ । ତାଙ୍କ ଆଘାତରେ ଅନ୍ୟମାନେ ରସାତଳକୁ ଯାଆନ୍ତୁ ପଛେ, ସେଥିପାଇଁ ସେ ଜମାରୁ ନିଘା ଦଉନଥିଲେ । ଅନ୍ୟମାନଙ୍କୁ ତାଙ୍କ ଉପରକୁ କାଦୁଅ, ମଳ, ବୋଲୁଅ ଫିଙ୍ଗିବା ପାଇଁ ଡାକରା ଦଉଥିଲେ । ହୁଙ୍କାର ଛାଡ଼ୁଥିଲେ । ଆପଣାର ଗମାତ୍‌ପଣିଆକୁ ସାବ୍ୟସ୍ତ କରୁଥିଲେ । ନିଜ ଶଣ୍ଢାକୁ ନୁଆଁଇ ଦଉ ନ ଥିଲେ । ତେଣୁ ଅନ୍ୟମାନେ ତାଙ୍କୁ କହୁଥିଲେ ଫିସାଦିଆ । ଯେଉଁମାନଙ୍କ ବିଚାରଧାରାରେ ଛଳନା ନ ଥାଏ, ଭୀରୁତା, ଶୁଦ୍ରବୃତ୍ତି ନ ଥାଏ, ନିର୍ଭୀକତାର ଓଜ ଥାଏ, ସେମାନେ ବାଘଛାଲିଆମାନଙ୍କ ଅସହିଷ୍ଣୁ ମାନଦଣ୍ଡରେ ଫିସାଦିଆ, ଗାଲୁଆ ରୂପରେ ହିଁ ଉଭା ହୁଅନ୍ତି ।

 

ସାହିତ୍ୟିକମାନେ ସତରେ ଫିସାଦିଆ ନା ସତିଆ ତାହା ଗୋଟିଏ ବଡ଼ ପ୍ରଶ୍ନ । ଆଜି ବି ଅସମାଧିତ । ସାହିତ୍ୟରେ ଫିସାଦି ଥାଏ । ଖାଣ୍ଟିସୁନାରେ ଅଳଂକାର ତିଆରି ହୁଏନା । ସଇକୁ ଗିନି କରିବାକୁ ପଡ଼େ । ସତ କଥାଟିକୁ ବଙ୍କେଇ କହିଲେ, ଟିକିଏ ସୌନ୍ଦର୍ଯ୍ୟ ଓ କଳ୍ପନାବୋଧର ପୁଟ ଦେଇଦେଲେ, ତାହା ତେଜିଲା ଦୁଶେ । ମାତ୍ର ଯେଉଁମାନେ ସାହିତ୍ୟକୁ ବିଳାସଭାବରେ ଗ୍ରହଣ କରିନେଇଥାନ୍ତି, ନିଜର ଗରୂପଣିଆକୁ ଦେଖେଇହେବାର ରୁଚିପୂର୍ଣ୍ଣ ମାଧ୍ୟମବୋଲି ଭାବି ନେଇଥାନ୍ତି–ଜୀବନ ଓ ସାହିତ୍ୟକୁ ଅଲଗା ଅଲଗା ଭାଣ୍ଡରେ ପୂରେଇ ବଣିଜ କରିବାକୁ ବାହାରିଥାନ୍ତି ଏବଂ ଆପଣା ଆପଣାର ସଂପଦକୁ ଅପୂର୍ବ ବୋଲି କିଳିକିଳା ରଡ଼ି ଛାଡ଼ି ସେଇ ବାଟଟିକୁ ଗ୍ରହଣ କରି ନେବାପାଇଁ ଭାଷଣ ମାରନ୍ତି, ସେଇମାନେ ହିଁ ପ୍ରକୃତରେ ଫିସାଦିଆ, ଗାଲୁଆ । ସମାଜରେ ସେହି କଣ୍ଡୁମାନ ସାହିତ୍ୟିକମାନଙ୍କର ଦୌରାତ୍ମ୍ୟ ହିଁ ଅଧିକ । ଏଇ ଅତି କଣ୍ଡୁମାନ ମାନେହିଁ କପଟାଚାରୀ ।

 

ପ୍ରହରାଜ ଆପଣାର ପ୍ରଥମ କୃତି ‘ଭାଗବତ ଟୁଙ୍ଗୀରେ ସଂଧ୍ୟା’ରେ ହିଁ ଏଇ କପଟାଚାରୀମାନଙ୍କର ଦୌରାତ୍ମ୍ୟ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ତାଙ୍କ ଡୁବନ ମାରିବାର ସମୟଟା ହିଁ ଥିଲା ସେମିତି । ମାତ୍ର ନିହାତି ଅନୁଗତ, ଅନ୍ଧଭକ୍ତ ଭାବରେ ସେ ଡୁବ ମାରି ନ ଥିଲେ-। ଆକ୍ଷି ବୁଜି ପକେଇ ନ ଥିଲେ । ଜଳଜଳ କରି ଅନିସା କରିଥିଲେ ଜଗତଜନଙ୍କ ଭେକ ଦେଖିବା ପାଇଁ । କାନ ଡେରିଥିଲେ ଗୁରୁଙ୍କ ମନ୍ତ୍ର ଶୁଣିବା ପାଇଁ । କାରଣ ସନ୍ଧିକାଳରେ ଆପଣାର ସୃଷ୍ଟି ପ୍ରତି ସେତିକି ଅନୁଗତ ଓ ବିଶ୍ୱସ୍ତ ନ ରହିଲେ, ଗୋଡ଼ ଖସିଯିବାର ଭୟ ବେଶି । ଆଉ ଥରେ ଗୋଡ଼ ଖସିଗଲେ ଉପରକୁ ଉଠି ନିଃଶ୍ୱାସ ନେବାର ସମ୍ଭାବନା ବହୁତ କମ୍‌ । ପ୍ରହରାଜଙ୍କ ଆକ୍ଷି ଆଗରେ ଓଡ଼ିଆ ସାହିତ୍ୟର ଧାରା ଭିତରକୁ ପଶ୍ଚିମଧାରାଟିଏ ପ୍ରଚଣ୍ଡ ବେଗରେ ମାଡ଼ିମାଡ଼ି ଆସୁଥିଲା । ମୂଳଧାରାଟିର ଗତିରେ ଗୋଟିଏ ସ୍ଥବିରତା ଆସିଯାଇଥିଲା । କୂଳଯାକ ଦଳ ବି ସୃଷ୍ଟି ହୋଇଥିଲା । ଯେଉଁମାନେ ନିଜକୁ ଭାରି ବଡ଼ କରି ଦେଖିବାରେ ଅଭ୍ୟସ୍ତ ଥିଲେ, ସେମାନେ ନୂଆଧାରାଟିକୁ ଆଦୌ ସହିପାରୁ ନ ଥିଲେ । ତା ନାଁ ଶୁଣିଲେ ସେମାନଙ୍କ ନାହିଁ ଡେଉଁଥିଲା, ସେମାନେ ନାକ ଟେକୁଥିଲେ । ବାଡ଼ି ଧରି, ଦାନ୍ତ ଦେଖେଇ ଖିଙ୍କାରି ଉଠୁଥିଲେ । ଆମର ବିଭବ ସମଗ୍ର ବିଶ୍ୱରେ ଅଦ୍ୱିତୀୟ ବୋଲି ହୁଙ୍କାର ଛାଡ଼ୁଥିଲେ । ଅଥଚ ତାଙ୍କ ବିଶ୍ୱଟି ଥିଲା ଟୁବିଗଡ଼ିଆ । ଅନ୍ୟ ଗୋଷ୍ଠୀଟିକୁ ଆପଣାର ପୁରୁଣା ବିଭବତକ ଭାରି ଗନ୍ଧୋଉଥିଲା । ସମ୍ଭବତଃ ସେମାନେ ଆପଣାକୁ ଦେଖିବାର, ବୁଝିବାର ମାନସିକତାରେ ହିଁ ନଥିଲେ । ମୂଢ଼ ଭାବରେ ନିହାତି ଅନୁଗତ ଭୃତ୍ୟ ହେବାର ଆଶାରେ ନୂଆଧାରାଟିକୁ ଗୋଟାପଣେ ଆଦରି ନେଇଥିଲେ । ମାତ୍ର ଏ ଦୁଇଟି ଗୋଷ୍ଠୀ ନା ବୁଝିଥିଲେ ନିଜକୁ, ନା ବୁଝିଥିଲେ ନୂତନତାକୁ । ସନ୍ଧି କାଳରେ ତାହା ହିଁ ଧର୍ମ । ମାତ୍ର ଏ ଦୁଇଦଳଙ୍କ ବାହାରେ, ଆଉ କେତକ ଅବଗାହୀ ଥାନ୍ତି, ଯେଉଁମାନେ ଆପଣାକୁ ଜାଣିଥାନ୍ତି, ଅତିଥିକୁ ବି ଜାଣିଥାନ୍ତି । ମଝିରେ ଠିଆହେଇ ଦୁଇ ହାତରେ ଦୁହିଁକି କୋଳେଇ ନେବାକୁ ସେମାନେ ଚେଷ୍ଟା କରନ୍ତି ଏବଂ ଏ ଦୁଇଟି ଭିନ୍ନମତ୍ତା କିଛିଦିନପରେ ପୁଣି ନିଜ ନିଜ ଭିତରେ ହଜିଯାନ୍ତି । ଦୁଇଟିଧାରା ଗୋଟିଏ ହୋଇଯାଏ ।

 

ପ୍ରହରାଜ ଏ ଦୁଇଧାରାକୁ ଆପଣରେ ନେବା କଳାରେ ଥିଲେ ଓସ୍ତାତ ବାଜିକର । ସଂସ୍କୃତ, ବଙ୍ଗଳା, ଓଡ଼ିଆ ପରି ଆପଣା ବୁନିଆଦି ଏବଂ ଇଂରେଜୀ ପରି ବିଦେଶୀ ଭାଷା ଓ ସାହିତ୍ୟକୁ ସମାନ ଭାବରେ ସେ ଆୟତ୍ତ କରିଥିଲେ । ନିଜ ଭିତରେ ନୂଆଧାରାଟିଏ ସୃଷ୍ଟି କରିବାକୁ ସାଧନା କରିଥିଲେ । ‘ଭାଗବତ ଟୁଙ୍ଗୀରେ ସଂଧ୍ୟା’ର ପଣ୍ଡିତ ମହାଶୟ ‘‘ଯିଏ ଯୁଷ୍ମାକିନ୍‌ ଅନୁରୋଧ ପରବଶ ହୋଇ ଆମ୍ଭେ କୌମାରୀ ପୂର୍ଣ୍ଣିମା ଦୃଶା ଗଦ୍ୟରଚନା ସ୍ନକିତ ରଖି ୠତୁସଂହାରାନୁବାଦ ବାସନାବାନ ହୋଇଅଛୁଁ । ନବ୍ୟମାନଙ୍କୁ ତାହା ଉତ୍କୃଷ୍ଠ ବୋଧ ନ ହେଲେହେଁ ପରନ୍ତୁ ଏବଂ ଭୂତବାସନା ଉପେକ୍ଷଣୀୟ ନୁହେଁ’’ କିମ୍ୱା ସୁବାସିତ ହର୍ମ୍ୟତଳ ଅତି କମନୀୟ, ପ୍ରିୟା ମୁଖ ମରୁତରେ କଂପିତ ପାନୀୟ/ବୀଣାସ୍ୱନ (ବିଳାସିର ସୁରସ ଅମିୟ) ଏହିମାନଙ୍କର କାମୀ ରଖିଥାଏ ଲୟ (ଭ.ଟୂ.ସଂ- ନବମ ସଂଧ୍ୟା ପୃ ୯୫) ଏବଂ ମାଷ୍ଟର ମହାଶୟଙ୍କ ‘‘Fall mango a flower is born to blush unseen and waste its sweeteness on the desert air’’ କିମ୍ୱା ସେ ବହି ଅନେକ ଦିନ ତଳେ ପଢ଼ିଥିଲି ।

 

ଆଜି evening ପୂର୍ବରୁ କୋକିଳର song (ଗୀତ) ଶୁଣି ମନେପଡ଼ିଗଲା । ଆହା spring (ବସନ୍ତ ) କି ସୁଖର time (ସମୟ) ! ଏ ବର୍ଷ spring (ବସନ୍ତଟା) ଦୁଃଖରେ କଟିଗଲା । ଏ spring (ବସନ୍ତ) ବିଷୟରେ ମୁଁ ଇଂରାଜୀ ଓଡ଼ିଆ ମିଶା song (ଗୀତ) ଲେଖିଛି, ଶୁଣନ୍ତୁ । ଏ ଗୀତରେ ଆଦ୍ୟପାନ୍ତଯମକ ଅଛି । ଏ ଗୀତଟି କିପରି News paperରେ (ସମ୍ୱାଦ ପତ୍ରରେ) ଛପାହେବ’’ (ଭା. ଟୂ. ସଂ. ପୃ ୮୦ ଓ ୮୬) ’’ ପରି କବିତା ଓ ଗଦ୍ୟ ରଚନା କରିବାରେ ଗୌରବ ଅଛି ବୋଲି ଅନୁଭବ କରୁଥିଲେ । ଦଳେ ମେଷଯୁଦ୍ଧ, ଶଶିଠାର, ଦତ୍ତାଚୁତାକ୍ଷର ରୀତିରେ ଚିତ୍ରକାବ୍ୟାତକ କବିତା ରଚନା ଓ ପାଣ୍ଡିତ୍ୟ ପ୍ରଦର୍ଶନରେ ମତ୍ତ ଥିଲାବେଳେ, ଆଉ ଦଳେ ବିଦେଶୀ ସାହିତ୍ୟର ମସଲକୁ ହନୁକରଣ କରିବାରେ ବ୍ୟସ୍ତ ଥିଲେ । ଯାହା ଫଳରେ ସମୀକରଣରେ ସୁଦକ୍ଷଶିଳ୍ପୀ ରାଧାନାଥଙ୍କ ପରି କବିଙ୍କୁ ଅନେକ କିଛି ମୂଲ ଦେବାକୁ ପଡ଼ିଥିଲା । ବିକୁଳି ଓ ଇନ୍ଦ୍ରଧନୁ ପତ୍ରିକାରେ ରାଧାନାଥ ଓ ଭଞ୍ଜଙ୍କ କବିପ୍ରତିଭାକୁ ବଳି ଦେବାର ପୁରୋଧା ଥିଲେ ସେଇମାନେ । ଦୋଷଦର୍ଶନ (ଦାମୋଦର ମିଶ୍ର–୧୮୯୩) ଗୁଣାଦର୍ଶ (ବୁଦ୍ଧିନାଥ ଶର୍ମା–୧୯୦୦) ପରି ପୁସ୍ତିକା ମଧ୍ୟ ପ୍ରକାଶ ପାଇଲା । ସେଠି ସାହିତ୍ୟକ କି ସ୍ରଷ୍ଠା କାହା ପ୍ରତି ଅନୁରାଗ ନ ଥିଲା । ସେମାନେ ନିଜ ନିଜ ପାଣ୍ଡିତ୍ୟ ଓ ଯୁକ୍ତିକୁ ବଳଦିଆ ଭାବରେ ଦେଖେଇ ହେବାପାଇଁ ସିଂଘାରି ହେଉଥିଲେ । ସମୟର ସ୍ୱରକୁ ଶୁଣିବାର ମାନସିକତାରେ ସେମାନେ ନ ଥିଲେ । ସେମାନେ ‘‘ଯଦି ଭଞ୍ଜ ମଣିମାଥା’ନ୍ତେ, କହିଥାନ୍ତେ, ଆରେ ସେ କାଳ ଏକାଳ ବହୁତ ତଫାତ । ଆମେ ତ ମରହଟ୍ଟୀ, ଜାଣିଶୁଣି ଓଲ୍ଲୁ । ତୁମେ ପିଲାଏ ସିଆଣା ହେଲ, ଏଣିକି ସାହିତ୍ୟକୁଞ୍ଜରୁ ମଲ୍ଲୀ, କୁସୁମ, ସେବତୀ, ଜାଇ, ଯୁଇ ଗଛକୁ ଓପାଡ଼ି ନିର୍ମୂଳ କର । ଗୋଲାପ, ଭାଉଲେଟ୍‌, କାଉପ୍ଳିସ୍‌, ହସ୍ନହାନ୍ନା ଆଣି ଲଗାଅ ! x x x ମଣିଷର ପ୍ରକୃତି ପର୍ଯ୍ୟାଲୋଚନା କର । ଇତିହାସର ଭଙ୍ଗୀ ଉପରେ ଆମେ ରାଜା ନ ଥିଲୁ । ତୁମେ ବିଚାରିଛ, ଯାହା ତୁମେ ରାଜା ବୋଲ, ତାହା ନୁହେଁ । ଆମେ ଅସଂପୂର୍ଣ୍ଣ ଅଟୁ । ଆମ ପୂର୍ବପୁରୁଷ ଅସଂପୂର୍ଣ୍ଣ ଥିଲେ । ତୁମେ ଓ ତୁମ ବିରାଦର ସମସ୍ତେ ଅସଂପୂର୍ଣ୍ଣ ଅଟ ଓ ତୁମ ଓ୍ୱାଲିଓ୍ୱାରସ ଉତ୍ତରାଧିକାରୀମାନେ ବି ଅସଂପୂର୍ଣ୍ଣ ହେବେ-। ଆମ ଅମଳର ରୁଚି ଆମେ ଧଇଲୁ, ତୁମ ଅମଳର ରୁଚି ତୁମେ ଧର । ଏତେ ଗାଳିଗୁଲକ ଦେଇ ପାଟି କିଆଁ ଖରାପ କରୁଛ ?’’ ବୋଲି କହୁଥିଲେ । ସ୍ୱର୍ଗକୁ ଧୂଳି ପକେଇ ଆପେ ଧୂଳି ଧୂସର ହେବାର ସତ୍ୟଟାକୁ ସେମାନେ ପାସୋରି ପକେଇଥିଲେ । (ବା. ମ. ପାଂ ପୃ ୧୩) ତେଣୁ ପ୍ରହରାଜେ ଆଷାଢ଼ିଆ ପାଣି ପାଇ ବ୍ରାହ୍ମଣୀ ବେଙ୍ଗପରି ଓଡ଼ିଶାର ଏ ମୁଣ୍ଡରୁ ସେ ମୁଣ୍ତଯାଏଁ ରଡ଼ି ଛାଡ଼ୁଥିବା କବିମାନଙ୍କୁ ଛିଗୁଲେଇଥିଲେ । ପର ଲୁଗାପିନ୍ଧ ଯାତକୁ ଯାଇ ଆପଣାର ଅଲାଜୁକପଣିଆକୁ ସାବ୍ୟସ୍ତ ନ କରି , ନିଜେ ଆଲୁଅ ବାହାର କରି, ତାରି ଭିତରେ ନାଚିବା ଏବଂ ସଂକୀର୍ଣ୍ଣତା ଭିତରେ ଉବୁଟୁବୁ ନ ହେବା ପାଇଁ ସକଳଙ୍କୁ ତାଗିଦା କରି ଦେଇଥିଲେ । (ନା. ପାଂ .ପୃ ୭୩-୭୪) ସେ ବେଶ୍‌ ଚତୁରତାର ସହିତ ଏ ଦୁଇ ଗୋଷ୍ଟୀର ବାଦୀପାଲାକୁ ପରିଶୀଳନ କରିଥିଲେ । ସେମାନଙ୍କ ଭିତରୁ ବାହାରିଆସି, ଆପଣା ରୁଚି ମତେ, ନୂଆ ରୀତିରେ ବାଟଟିଏ ତିଆରିଲେ ।

 

ସେତେବେଳେ ସେ କଲିକତା ବିଶ୍ଵବିଦ୍ୟାଳୟର ଛାତ୍ର ଥିଲେ । କଲିକତାରେ ତାଙ୍କର ଘନିଷ୍ଠ ବନ୍ଧୁ ଥିଲେ ପଲ୍ଲୀକବି ନନ୍ଦକିଶୋର, ନାଟ୍ୟକାର କାମପାଳ ମିଶ୍ର, ଅଭିରାମ ଭଞ୍ଜ । ଅଭିରାମ ଭଞ୍ଜ ଥିଲେ ଦଳର ନେତା । ସେମାନେ ‘ସାଂଧ୍ୟ ସମିତି’ ନାମକ ଆଲୋଚନା ଚକ୍ରଟିଏ ଗଢ଼ିଥିଲେ । ଚାରିବନ୍ଧୁ ସଂଧ୍ୟାବେଳେ ଏକାଠି ହେଉଥିଲେ । ପ୍ରତିଦିନ ନୂଆ ନୂଆ ବିଷୟରେ ଆଲୋଚନା କରୁଥିଲେ । ସେଇ ସାଂଧ୍ୟସମିତି ଉତ୍କଳ ସାହିତ୍ୟ ପତ୍ରିକାରେ ‘ଭାଗବତ ଟୁଙ୍ଗୀରେ ସଂଧ୍ୟା’ର ରୂପ ନେଲା । ପ୍ରହରାଜ ଓଡ଼ିଆ ସାହିତ୍ୟରେ ନୂଆ ରୂପ ଓ ଭାବରେ ଆପଣକୁ ପ୍ରକାଶ କଲେ । ଫକୀରମୋହନ ସେନାପତିଙ୍କ ‘ନନାଙ୍କପାଞ୍ଜି’କୁ ଆପଣାର କରି ନୂଆମଣ୍ତପଟିଏ ତିଆରିବାକୁ ପ୍ରୟାସ କଲେ । ପାଞ୍ଜି ବସ୍ତାନି, ବୁଜୁଳି, ହାଲ୍‍ଚାଲ୍‍, ପୁଞ୍ଜି, ପାଣ୍ଠି ଆଦି ଶବ୍ଦକୁ ଆପଣା ସୃଷ୍ଟିସମ୍ୱାରର ଶିରୋନାମାରେ ବେଶ୍‌ ଚତୁରତାର ସହିତ ଖଞ୍ଜି ଦେଲେ । ନିଜ ଘର, ସମାଜ, ଦୁନିଆରେ ଘଟିଯାଉଥିବା ଘଟଣାବଳୀକୁ ମତ୍ସ୍ୟଦୃଷ୍ଟିରେ ପରିଶୀଳନ କଲେ । ବର୍ତ୍ତମାନ ସହିତ ଅତୀତ ଓ ଭବିଷ୍ୟତର ଯୋଗସୁତ୍ର ସ୍ଥାପନ ଚେଷ୍ଟା କଲେ । ପାଠକମାନଙ୍କ ଆଗରେ ରହସ୍ୟ ଘରର ଗୁମର ଖୋଲିଦେବା ପାଇଁ ରସିକରୀତି ଅନୁସରଣ କଲେ । ତାଙ୍କ ରଚନାଗୁଡ଼ିକ ଅତୀତର ପାଞ୍ଜି ବା ବସ୍ତାନିର ମାଲମସଲା ପରି ତୁଚ୍ଛା ବିବରଣାତ୍ମକ ନ ହୋଇ ମନନ ଓ ବିଶ୍ଳେଷଣର ତେଜରେ, ସାହିତ୍ୟ-ଇତିହାସରେ ନୂଆରୂପରେ ବିଭାସିତ ହେଲା ।

 

ତେଣୁ ସାହିତ୍ୟକୁ ପ୍ରହରାଜ ଗ୍ରହଣ କରିନେଲେ ଆପଣା କାଳର ସ୍ୱର ଓ ମନୁଷ୍ୟର ପ୍ରକୃତି ପର୍ଯ୍ୟାଲେଚନାର ସ୍ୱାକ୍ଷର ଭାବରେ । ଏଇ ସ୍ୱରକୁ ଶୁଣେଇବା ପାଇଁ ଗପ, ଉପନ୍ୟାସ, କବିତା, କଥା ସମାଲେଚନାର ଯନ୍ତ୍ରକୁ ସେ ହାତରେ ଧରିଲେନି । କାଳର ପୀଢ଼ି ଉପରେ ନିଜେ ବସିପଡ଼ିଲେ । ନିଜକୁ ଓ ଜଗତଜନଙ୍କୁ ଦେଖିଲେ, ତଉଲିଲେ । ନିଜକୁ ନାୟକ ବେଶରେ ଠିଆା କରି ନିଜର ଓ ଜଗତର ଗୀତ ବୋଲିଲେ ରମ୍ୟ-ରୀତିରେ । ବିଶିଷ୍ଟ ଆମେରିକୀୟ ଲେଖକ ଅଲିଭର୍‌ ଓଏନ୍‌ ଡେଲହୋମ୍‌ (୧୮୦୯-୧୮୯୪)କୁ ନିଜର ଗୁରୁ ଭାବରେ ଭ୍ରହଣ କରିନେଲେ । ଅଲିଭର ଥିଲେ ସାମନ୍ତବାଦୀ ପଂରପଂରାର ଦାୟାଦ । ଆଇନ ପଢ଼ୁଥିଲେ । ତାକୁ ଛାଡ଼ି ଡାକ୍ତରୀ ପଢ଼ିଲେ । ଡାକ୍ତର ହେଲେ । ଆପଣା ବୃତ୍ତିରେ ଦକ୍ଷତା ଦେଖେଇଥିଲେ । ମାତ୍ର ଦର୍ଶନ, ଚିତ୍ରକଳା ଓ ସାହିତ୍ୟର ସେ ଥିଲେ ଜଣେ ସଚ୍ଚା ଅନୁରାଗୀ । ଉପନ୍ୟାସ, କବିତା, ରମ୍ୟରଚନା ବି ଲେଖିଲେ-। ସୃଷ୍ଟି ଭିତରେ ଆପଣକୁ ପ୍ରକାଶ କଲେ । ସମାଜର ସକଳପ୍ରକାରର ଅନ୍ଧ ବିଶ୍ୱାସ, ଧର୍ମୀୟ ସଂକୀର୍ଣ୍ଣତାବୋଧ ପରି ବ୍ୟାଧିର ନିଦାନ ପାଇଁ କଳା-ଔଷଧି ପ୍ରସ୍ତୁତ କରୁଥିଲେ । ହୋମ୍‌ଙ୍କ ପରି ଗୋପାଳଚନ୍ଦ୍ର ମଣିଷମନରୁ ଅହଂକାରର ଭୂତକୁ ଘଉଡ଼େଇ ଦେବାପାଇଁ ନିଦାନ ଉପାଦାନ ପ୍ରସ୍ତୁତିରେ ନିଜକୁ ମଗ୍ନ ରଖିଲେ । *

 

*

ଏନ୍‌ସାଇକ୍ଳୋପେଡ଼ିଆ ବ୍ରିଟାନିକା-vol-ll, ପୃ ୬୭୭, ୬୭୮

**

ଏନ୍‌ସାଇକ୍ଳୋପେଡ଼ିଆ ଆମେରିକା-vol-14,ପୃ ୩୨୨

 

ମଣିଷର ପ୍ରବୃତ୍ତି ମୁହଁରେ ନୁଣ ଦେବାପାଇଁ ନିଜକୁ ପ୍ରସ୍ତୁତ କରିବା ସହଜ କଥା ନୁହେଁ । ମଣିଷ ନିଜର ଅହଂକାରକୁ ସାବ୍ୟସ୍ତ କରିବା । ଓର ଉଣ୍ତି ଅନ୍ୟାମାନଙ୍କ ଜାଗା ଅଜାଗାରେ ନିଜ ମୁହଁ ନଗେଇ ରକ୍ତ ଶୋଷିବ । ପେଟ ପୂରିଗଲା ପରେ ଆପେ ଛାଡ଼ିଦେଇ ଚାଲିଯିବ । ସୁଯୋଗ ପାଇଲେ ଦେହ ଭିତରକୁ ପଶିଯିବାକୁ ମଧ୍ୟ ହେଳା କରିବନି । ସମାଜ, ମଣିଷରୂପୀ ଜୋକମାନଙ୍କର ମେଳା । ଏଇ ମେଳା ଭିତରେ ସ୍ରଷ୍ଟା ବି ଜଣେ ଚରିତ୍ର ଅଭିନେତା । ସେ ନିଜେ ବି ପ୍ରବୃତ୍ତି-ଚାଳିତ । ଅହଂକାର ଗୁହଗଡ଼ିଆରେ ଗୋଳେଇଘାଣ୍ଟି ହେଉଥିବା । ଆଉ ଜଣେ । ଆଉ ଜଣେ ହୋଇ ଅନ୍ୟମାନଙ୍କୁ ଉଲୁଗୁଣା ଦେବା, ଖେଞ୍ଚିବା, ସେମାନଙ୍କ ଲଗାମକୁ ନିଜ ହାତରେ ଧରିବା କିମ୍ୱା ସେମାନଙ୍କୁ ଲଙ୍ଗଳା କରି ରାସ୍ତାରେ ଚଲେଇବା ପାଇଁ ଅତି ଲାଜୁକପଣିଆ ପୋଷାଏ ନାହିଁ । ଅଲାଜୁକ ହେବାକୁ ପଡ଼େ । ରାସ୍ତାରେ, ଘାଟରେ ତେରିମେରି ହେବାକୁ ପଡ଼େ । ଚାରିଦଉଡ଼ିକଟା ହେଇ ପାଣିଛଡ଼ା ମୁହଁରେ ଘୁରି ବୁଲିବାକୁ ହୁଏ । ଗୋପାଳଚନ୍ଦ୍ର ପ୍ରହରାଜ ସେଥିପାଇଁ ପ୍ରସ୍ତୁତ ଥିଲେ । ତାଙ୍କର ସେ ଯୋଗ୍ୟତା ବି ଥିଲା । ଦଳା ଚକଟା ଭିତରେ ନିରାପଦରେ ଖସି ଆସିବାର କାଇଦା ବି ତାଙ୍କୁ ଗୋଚର ଥିଲା । ଦରକାରବେଳେ ମୁଁ ଅମୁକ ବୋଲି କହିଦେବାର ଅଲାଜୁକପଣିଆ ବି ଥିଲା । ଅନ୍ଧରୁଆ ଗଳିଗୁଡ଼ାକରେ ଚତୁରବାତୁଳଙ୍କ ପରି ଘୂରି ଘୂରି ନିଜେ ବି ଅନେକ ଅନୁଭୂତି ସଞ୍ଚୟ କରିଥିଲେ । ଗଳିବିହାରୀ/ବିହାରିଣୀମାନଙ୍କ ଗୁମର କଥାଗୁଡ଼ାକର ଠିକଣା ବି ଜାଣିଥିଲେ, ପ୍ରମାଣ ବି ରଖିଥିଲେ । ତେଣୁ ନିଜକୁ ନାୟକ କରି, ହାତରେ ଚଅଁର ଧରି ରସିକବେଶରେ ଠିଆ ହୋଇଯାଉଥିଲେ ଛକ ଜାଗାରେ । ବିଶ୍ୱନାଥ କର ତାଙ୍କ ପେଇଁ ‘ଉତ୍କଳ ସାହିତ୍ୟ’ ନାମକ ମଣ୍ତପଟିଏ ବି ସବୁବେଳ ପାଇଁ ସଜ କରି ରଖିଥିଲେ । ନିନ୍ଦା ସଙ୍ଗୀତର ଗାନ ଶୁଣିବା ପାଇଁ ଲୋକ ବି ଜମୁଥିଲେ । ମଞ୍ଚରେ ପାଦ ଦଉ ଦଉ ପ୍ରହରାଜେ ଜଣେ ଓସ୍ତାଦ ବ୍ୟଙ୍ଗକାର ଭାବରେ ଆସ୍ଥାନ ଜମେଇନେଲେ । ସେ ଯୋଉଁ ସାହିତ୍ୟ କଲେ ସେଗୁଡ଼ାକ ପରଗୋଇତଡ଼ା, ମାଡ଼ମୂଲା ସାହିତ୍ୟ । ତେଣୁ ସେ ନିନ୍ଦାର ମାଡ଼ ଖାଉଥିଲେ, ଟିକକ ପରେ ଝାଡ଼ିଝୁଡ଼ି ଠିଆ ହେଉଥିଲେ । ହସି ଦଉଥିଲେ । ଅପେକ୍ଷା ରଖୁଥିଲେ ଏକ ପରିବର୍ତ୍ତିତ ସମାଜ ଓ ସାମାଜିକ ବ୍ୟବସ୍ଥାର । ବ୍ୟଙ୍ଗକାରମାନଙ୍କ ଜୀବନର ଏହାହିଁ ଅଭିଧର୍ମ ଓ ଅଭିଧାନ ।

 

ମାତ୍ର ସମାଜରେ ସାହିତ୍ୟର ସତରେ କ’ଣ କିଛି ଉପଯୋଗିତା ବା ଆବଶ୍ୟକତା ଅଛି-? ପ୍ରହରାଜ ଅନେକ ସମୟରେ ଏମିତି ଏକ ପ୍ରଶ୍ନର ସମସ୍ୟା ଭିତରେ ଘାରି ହଉଥିଲେ । ସାହିତ୍ୟ ସଭାରେ ଶ୍ରୋତା ନ ଥାନ୍ତି । ସାହିତ୍ୟ ବହିର ବଜାର ନ ଥାଏ । ବଜାର ଥାଏ ବଜାରୀ ବହି ଓ ପାଠ ବହିର । ‘‘ପାଠ୍ୟ ପୁସ୍ତକ ଛଡ଼ା ଅନ୍ୟ ପୁସ୍ତକ ଛପେଇବା ହାତରୁ ଖାଇ ବଣିଜ କରିବା ପରି-।’’ (ବା. ପାଂ – ପୃ ୮୧) ସାହିତ୍ୟ କଥା ପଡ଼ିଲେ, ମହାଜନ, ଜମିଦାର, ଓକିଲ ଓ ଅନ୍ୟମାନେ ଆଲୋଚନା ଛାଡ଼ି ଉଠିଯାନ୍ତି । ବସିଥିଲେ ଢୋଳାନ୍ତି । ଦେଶର ବଡ଼ବଡ଼ିଆମାନେ କହନ୍ତି- ‘‘ସାହିତ୍ୟ ଗୋଟିଏ ବାଜେ ଜିନିଷ, ଲେଖକଗୁଡ଼ାକ ନଗଣ୍ୟ ଶ୍ରେଣୀର ଅନ୍ତର୍ଗତ ।’’ ନେତାମାନେ କହନ୍ତି- ‘‘କର୍ମବୀର ବା ଓସ୍ତାତ୍‌ ହେବାକୁ ହେଲେ ସାହିତ୍ୟକୁ ରାଜ୍ୟରୁ ତଡ଼ିଦେବାକୁ ହେବ ଓ ଲେଖକ ଏବଂ କବିମାନଙ୍କୁ ରବିନ୍‌ସନ୍‌ କ୍ରୁଶୋ ଭଳିଆ ହଲାପଟା କରି ଏକଘରିଆ କରିବାକୁ ହେବ’’ । x x ସେମାନେ ‘‘ଘୃଣାର ପାତ୍ର- ଫିସାଦିଆ ।’’ (ଦୁ.ହା. ଚା- ପୃ ୧୧୩) ସାହିତ୍ୟିକମାନେ ପୁଣି ଲମ୍ୱା ଦାଢ଼ିଆ, ଥନ୍ତଲ ପେଟିଆ, ବହି ନଉତିଆ, ପୋଲା ଫାଙ୍କିଆ, ଛାପ ଚିକ୍‌କଣିଆ, ଲହଲହକିଆ, ସଭା ବଳୁଆ, ମାଳାତିଳକିଆ, ଚୁରୁକି କଲିଆ, ବୋଇତ କଖାରୁଆ, ପଲଙ୍କ ପିଠିଆ, ମାଗୁର ନିଶୁଆ, ପାକୁଆ ପାଟିଆ, ପେଟ ବିକଳିଆ । (ଦୁ. ହା. ଚା. ପୃ ୧୧୪) ସେମାନେ କେବଳ ନିଜ ନିଜ ଅଭାବକୁ କେତେବାଗରେ ପୂରଣ କରିବାକୁ ଚେଷ୍ଟା କରନ୍ତି । ସାହିତ୍ୟକୁ ନିଜର ବିଳାସ ଭାବରେ ଗ୍ରହଣ କରନ୍ତି ଏବଂ ସେଇ ମତଲବ୍‌ବାଜ୍‌ମାନଙ୍କ ଦୌରାତ୍ମ୍ୟରୁ ଆମ ଦେଶର ସାହିତ୍ୟ ଚିରା ପେଡ଼ିଲୁଗା, ତାହା ପୁଣି ପୋକଖିଆ ।

 

ସାହିତ୍ୟ ଯେତେବେଳେ ଲେଖକ ଓ ପାଠକ ଉଭୟଙ୍କ ପାଇଁ ବିଳାସର ସାମଗ୍ରୀ, ଅବସରବିନୋଦନର ହେତୁ ହୋଇଯାଏ, ସେତେବେଳେ ତାହା ଶ୍ରୀହୀନ ହେଇପଡ଼େ, ବିକୃତ ଦିଶେ । ସାହିତ୍ୟ ଚିନ୍ତାକୁ ସ୍ରଷ୍ଟା ଯେତେବେଳେ ପୋଥି ବାଇଗଣ ଓ ପେଟ ଚିନ୍ତାକୁ ବାଡ଼ି ବାଇଗଣ ଭାବରେ ଜ୍ଞାନ କରେ, ତାହା ସେତିକିବେଳେ ତା ଚେତନାରୁ ନିର୍ବାସିତ ହୋଇଯାଏ । ସାହିତ୍ୟକୁ ଥୋକେ କଳ୍ପନା ବିଳାସ ଓ ପେଟଚିନ୍ତାକୁ ବାସ୍ତବ ସମସ୍ୟା ଭାବରେ ହିଁ ପରିଗ୍ରହଣ କରିଥାନ୍ତି । କଳ୍ପନା କାଳେ ଲୋକଗୁଡ଼ାଙ୍କୁ କୋଢ଼ିଆ ଅକର୍ମା କରିପକାଏ । ସେମାନେ ଅଭାବୀ ହେବାକୁ ବାଧ୍ୟ ହୁଅନ୍ତି । ଗୁଡ଼ାଏ ବାଜେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ଗନ୍ଧରେ ଘାରି ହୁଅନ୍ତି । ଶେଷକୁ ବଦନାମିଆ, ଗନ୍ଧିଆ କାମରେ ହାତ ଦିଅନ୍ତି । ସେମାନଙ୍କ ନାଁ ବିକଳିଆଙ୍କ ତାଲିକାରେ ସ୍ଥାନ ପାଏ । ଉଚ୍ଚାଟ ହେବାର ଗନ୍ଧ ଯୋଉଠି ନ ଥାଏ, ହାଣ୍ଡି ଭାଙ୍ଗିବାର ସୁବିଧା ଓ ସୁଯୋଗ ଯୋଉଠି ମିଳେନା, ସେଠୁ ସେମାନେ ଆମ୍ୱିଳା ମୁହଁରେ ଫେରନ୍ତି । ପାଇବାର ସମ୍ଭାବନା ନ ଥିଲେ, ସେମାନଙ୍କ ଅଭିଯାତ୍ରା ବି ବନ୍ଦ ହୋଇଯାଏ । ପ୍ରହରାଜଙ୍କ ପାଇଁ ସାହିତ୍ୟ ଥିଲା ଗୋଟିଏ ଅଲଗା ବିଭବ । ବର୍ତ୍ତମାନର ସକଳ ସମସ୍ୟାକୁ ସେ ପରିଶୀଳନ କରୁଥିଲେ । ଖାଲିଖମାଗୁଡ଼ିକୁ ସମତୁଲ କରି ଗୋଟାଏ ଉନ୍ନତ ଜାତି ଭାବରେ ବଞ୍ଚିବା ପାଇଁ ଅନ୍ୟମାନଙ୍କୁ ଆଙ୍ଗୁଳି ଦେଖୋଉଥିଲେ । ପୋଥିବାଇଗଣକୁ ବାଡ଼ିବାଇଗଣରେ ବଦଳେଇ ଦେବା ପାଇଁ କଲମ ଧରିଥିଲେ । ଚଣା ସାଙ୍ଗରେ ଡେଇଁବାର ପ୍ରତିଯୋଗିତା ବ୍ୟାଧିରେ ସଂକ୍ରମିତ ଅତିସାହିତ୍ୟିକମାନଙ୍କୁ ଆପଣାର ରଚନା ଭିତରେ ଛିଗୁଲୋଉଥିଲେ, ବିଚାରଶୀଳ ଭାବରେ ସବୁ କିଛିର ହେତୁକୁ ପରୀକ୍ଷା ଲାଗି ବାଧ୍ୟ କରୁଥିଲେ ।

 

ଭିତରେ ସେତିକି ତାକତ ନ ଥିଲେ, ମଣିଷ ସମସ୍ୟାର ହେତୁ ଖୋଜିବାକୁ ଅଣ୍ଟା ଡେରିପାରେ ନାହିଁ । ଭିତରେ ଭିତରେ ପୁଲକିତ ହେବା ଲାଗି, କାମନାକୁ ତେଜି ଦେଇ କୁରୁଳି ଉଠିବା ଲାଗି, ନାୟିକାର ତଳିକନାକୁ ତିଳକପୋଛା କରିବା କିମ୍ୱା ଦିକାବିକା (ଦେହବିକି) ଜୀବିକା କରିଥିବା ନାଗରୀମାନଙ୍କ ତୀର୍ଥରେ ବୁଡ଼ ପକାଇବା ପାଇଁ ସାପ ଲାଙ୍ଗୁଡ଼ ଧରି ଦିଆଲ ଡେଇଁ ପଡ଼ୁଥିବା ବିଭଳିତ ନାଗରମାନଙ୍କର କଥା ଶୁଣିବା ପାଇଁ ଥୋକେ ଟାକି ବସିଥାନ୍ତି । ନାୟିକା ପାଖରେ ଥିଲେ ତ ଅଣ୍ଡାଳି ହୁଅନ୍ତି, ନଥିଲେ କଳ୍ପନାର ଇସିକାର ଧୂନି କରି ବାତୁଳପ୍ରାୟ ଖଣ୍ଡବ୍ରହ୍ମାଣ୍ଡ କମ୍ପମାନ କରନ୍ତି । ଏମାନେ ସୁକୁମାରିଆ । ଏମାନଙ୍କ ପାଇଁ ସାହିତ୍ୟ ବିଳାସର ସାମଗ୍ରୀ । ଏକ ଭିନ୍ନରୁଚିର ବାଡ଼ିବାଇଗଣ । ଏ ବାଇଗଣର ମାଟି ଅଲଗା, ଫଳ ବି ଅଲଗା । ଅଦୃଶ୍ୟ, ଅପ୍ରକାଶ୍ୟ ଅଥଚ ଗୁରୁ ଆବଶ୍ୟକ ଭାବରେ ସମୃଦ୍ଧ । ଏ ଧରଣର ସାହିତ୍ୟର ମଧ୍ୟ ଆବଶ୍ୟକତା ରହିଛି । ମାତ୍ର ଆଉ କେତେକ ଥାନ୍ତି, ଯେଉଁମାନେ ପର ନିନ୍ଦା ବା ପରୋପହାସ୍ୟ ଲେଖା ପଢ଼ିଲେ କୁରୁଳି ଉଠନ୍ତି । ଏପରି ଲେଖା ଲେଖିବାର ଅର୍ଥ ଖଣ୍ଡାଧାରରେ ବାଟ ଚାଲିବା । (ସ୍ୱ. ରା. ନ. ଭା. ପ୍ରଥମ ଖଣ୍ଡ – ୪ର୍ଥ ସଂଖ୍ୟା- ୧୩୪୧ ସାଲ- ପୃ ୨୯୫) ପ୍ରହରାଜ ପ୍ରଥମଟିକୁ ପ୍ରଥମାଭାବରେ ଗ୍ରହଣ କରି ନେଇ ନ ଥିଲେ । ଦ୍ୱିତୀୟଟି ଥିଲା ତାଙ୍କ ପାଇଁ ପ୍ରଥମା । ଦ୍ୱିତୀୟାକୁ ପ୍ରଥମା ଭାବରେ ଆଦରିନେବାର ଅର୍ଥ, ମାରଣାଷଣ୍ଢ ଆଗରେ ‘ଖିରକୋଇ’ ଶବ୍ଦ କରି ଦାନ୍ତ ଦେଖେଇବା । ସବୁ ସ୍ରଷ୍ଟାଙ୍କର ‘ଖିରକୋଇ’ ଶବ୍ଦକୁ ସମାଳି ନେବାର ତାକତ ନ ଥାଏ । ପ୍ରହରାଜଙ୍କ ଭିତରେ ସେଇ ଶକ୍ତି ପରିପୂର୍ଣ୍ଣ ଭାବରେ ଥିଲା । ତାଙ୍କ ରୁଚି, ଚିନ୍ତାଧାରା, ଆଦର୍ଶ ହିଁ ତାଙ୍କ ସାହିତ୍ୟରେ କଳାତ୍ମକ ରୀତିରେ ପ୍ରତିଫଳିତ ହେଉଥିଲା । ସେ ନିଜେ କହୁଥିଲେ, ‘‘ମୋ ଲେଖାଟା ମୋ ରୁଚି, ମୋ ଶିକ୍ଷା, ମୋ କ୍ଷମତାର ଅନୁରୂପ ହେବା ସ୍ୱାଭାବିକ –ନିଜର ସଂସ୍କାରିକ ଓକିଲାତି ଓ ବିଜ୍ଞାପନ ମଧ୍ୟ ମୋ ଲେଖାରେ ଥାଏ । ତା ବୋଲି ଅନେକ ସମୟରେ ସାନ୍ନିପାତକ ବିକାରର ଦାନ୍ତନିକୁଟା, ଭୂନିମ୍ନାଦି ପାଚନ ମଧ୍ୟ ଥାଏ ଓ କେତେ ସନ୍ନିପାତ ମଳୁ ମଧ୍ୟ ସେ ପାଚନ ପାନେ ଲେଖାଏଁ ଗିଳି ଝାଡ଼ିଝୁଡ଼ି ହେଇ ବସିଥିବାର ମୁଁ ଓ ମୋ ବନ୍ଧୁମାନେ ଦେଖିଛନ୍ତି । ସେଥିପାଇଁ ଲେଖାର ମମତା ଛାଡ଼ି ହେଉନି । ମୁଁ ଭଗବାନଙ୍କୁ ହୃଦୟରେ କୃତଜ୍ଞତା ଅର୍ପଣ କରିଥାଏ । କାରଣ ମୋ ଭଳି ନଗଣ୍ୟ ଅକର୍ମାର ଧାଡ଼ିଏ କଟାକ୍ଷରେ ଯାହା ହୋଇଥାଏ, ଅନେକ ସମୟରେ ବଡ଼ ବଡ଼ ଲୋକଙ୍କର ହୁକୁମରେ ମଧ୍ୟ ତାହା ହୋଇ ନ ଥାଏ । x x ବୃଥାରେ କାହାରି ମନରେ କଷ୍ଟ ଦେବା ମୋର ଅଭିପ୍ରାୟ ନୁହେଁ । ଏପରି ଯେବେ କାହାରି ମନରେ କଷ୍ଟ ହୋଇଥାଏ, ତାଙ୍କ ପାଦତଳେ ଶତବାର କ୍ଷମା ଭିକ୍ଷା କରିବାକୁ ମୁଁ ପ୍ରସ୍ତୁତ । (ଦୁ. ହା. ପୃ ୧୬୩) ପ୍ରତି ସମାଲୋଚନାକୁ ଭୀରୁତା ଓ କାପୁରୁଷତା ବୋଲି ସେ ଅନୁଭବ କରୁଥିଲେ । କୌଣସି ଦୁର୍ଗୁଣକୁ ଠେଙ୍ଗାଏ ପକେଇଲେ ସେ ଦୁର୍ଗୁଣଟା ମୂର୍ତ୍ତିମନ୍ତ ହୋଇ ସମାଲୋଚନାକୁ କାମୁଡ଼ି ଗୋଡ଼ାଏ । ହୋଇ ନ ବାହାରିଲେ, ବିପଦକୁ ବରଣ କରିବାହିଁ ସାର ହୁଏ । ପ୍ରହରାଜ ପ୍ରମାଣର ସାଞ୍ଜୁ ପିନ୍ଧି ଲେଖନୀ ଧରୁଥିଲେ । ପାଠକ, ସାମଲୋଚନାମାନଙ୍କୁ ବର୍ଚ୍ଛା ଫିଙ୍ଗିବା ଲାଗି ଆହ୍ୱାନ ଦେଉଥିଲେ । (ଦୁ. ହା. ଚା. ପ ୧୬୩)

 

ଅନ୍ୟମାନଙ୍କ ଦ୍ୱାରା ପ୍ରହରାଜେ ଭଲଭାବରେ ସମାଲୋଚିତ ହେଉଥିଲେ । ଉତ୍ତର ବି ଦଉଥିଲେ, ପ୍ରମାଣ ଓ ଯୁକ୍ତିର ବାଣ ମାରୁଥିଲେ । ସିଂହାସନରୁ ଓହ୍ଲେଇଆସିଲା ପରେ ମନେମନେ ହୁଏତ ପଣ କରୁଥିଲେ- ଆଉ ଏ ବାଜେ କାମରେ ମୁଣ୍ଡ ନ ପୂରେଇବା ପାଇଁ । ଆପଣାକୁ, ପାଠକମାନଙ୍କୁ ଓ ସଂପାଦକଙ୍କୁ ନିଷ୍କର୍ମା ବୋଲି ଛିଗୁଲୋଉଥିଲେ । କହୁଥିଲେ, ‘‘ସମୟ କାଟିବା ଲାଗି ବସିଲାବେଳେ କାଶିଲା ପରି ମୁଁ ଯେଉଁ ପୃଷ୍ଠା କେତେ ଗାରେଇ ପକାଏ, ସେଥିରେ କୌଣସି ଲୋକ କିଛି ଶିକ୍ଷା ପାଇବ, ବା ତାହା ପଢ଼ି କୌଣସି ବ୍ୟକ୍ତିର ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ସାମାଜିକ ବା ବୈଷୟିକ ଉନ୍ନତି ହେବ, ଏପରି ଆଶା ମୁଁ କେବେ କରିନାହିଁ । ମୋ ପରି ବୃଥିବୀରେ ଅନେକ ନିଷ୍କର୍ମା ଅଛନ୍ତି, x x ମୋ ଭଳି ନିଷ୍କର୍ମା ସଂପାଦକ ଅଛନ୍ତି, ସେଗୁଡ଼ାକ ତାଙ୍କ କାଗଜରେ ପୂରଣ କରିଦିଅନ୍ତି । ତାଙ୍କ ଭଳି ଫେରେ ଥୋକେ ନିଷ୍କର୍ମା ଅଛନ୍ତି ଯେ, ସେମାନେ ସେଗୁଡ଼ାକ ପଢ଼ି କାଳ କାଟନ୍ତି ।’’ (ଆ. ଘ. ହା. ଚା-ପୃ ୬୪) ମାତ୍ର ତାଙ୍କ ଅନ୍ତର ଏତେ ଲୋକଙ୍କୁ ‘ନିଷ୍କର୍ମା’ ବୋଲି କହୁନଥିଲା । ତାହା ଭାବୁଥିଲେ, ସେ ଅବାଟକୁ ଜମାରୁ ବାଟ ଭାବରେ ଗ୍ରହଣ କରି ନଥାନ୍ତେ । ଆପଣା ଘର ଭିତରଟା ବାରଜାତି ବହିର ଗୋଦାମ ଘର କରି, ସେଠି ମାଲିକାନା ସ୍ୱତ୍ତ୍ୱ ଜାହିର କରୁନଥାନ୍ତେ । ବହିଚୋର, ଇଜ୍ଜତଚୋର, ପରଗୋଛିକଟାମାନଙ୍କୁ ସମାଲୋଚନା କରୁନଥାନ୍ତେ । (ଭା. ଟୁ. ସଂ. ପୃ ୭୩) ସିଂହାସନରେ ବିଜେ କଲାମାତ୍ରକେ ନିଜର ନିଷ୍କରୁଣ ବିଚାରଧାରାକୁ ଜାରିକରିନେବାରୁ ଏତେଟିକିଏ ବି ବିମୁଖ ହୋଉନଥାନ୍ତେ । ଆପଣାକୁ ‘ବର୍ବରମସ୍ତିସ୍କ’ (ଦୁ. ହା. ଚା ପୃ ୩୧), ‘ଉଲ୍ଲୁ-କବି’ (ଧା. ବ. ପୁ- ବା. ବୁ ପୃ ୭୪), ‘ଗୋପାଳପୁରିଆ’ (ନ. ବ. ଉ. ସା ୧୯ଶ ବର୍ଷ-୮ମ ସଂଖ୍ୟା- ୧୩୨୩ ପୃ ୩୮, ୩୧) ‘ପରମ ଅସହିଷ୍ଣୁ’ (ଆ. ହା- ଚା. ପୃ୧୧୭) ବୋଲି ବ୍ୟଙ୍ଗ କରିନଥାନ୍ତେ ।

 

ଲେଖା ଲାଗି କେତେକ ଲୋକଙ୍କଠାରୁ ଉତ୍ତମ, ମଧ୍ୟମ ପାଇ ମଧ୍ୟ ସେ ଛାଡ଼ିପାରୁନଥିଲେ । ସାହିତ୍ୟ ଚାଷ ଥିଲା ତାଙ୍କ ପାଇଁ ଅଫିମର ନିଶାପରି । (ଦୁ. ହା. ଚା. ପୃ ୨୪୯) ସେ ନିଜେ ଭୟଙ୍କର ଭାବରେ ଆପୁଖୋର ଥିଲେ । ଆପୁ ନ ପଡ଼ିଲେ ମସ୍ତିଷ୍କ ଓ ଶରୀର ଉଭୟର ଚାଳନା ତାଙ୍କର ବନ୍ଦ ହୋଇ ଯାଉଥିଲା । ଆପୁ ତ୍ୟାଗ କଲେ କିଛି ଗୁରୁତର ଉପସର୍ଗ ବାହାରିପଡ଼ିବାର ସମ୍ଭାବନାରେ ସେ ବିକଳ ହୋଇଯାଉଥିଲେ । (ରାଧାଚରଣ ପଣ୍ଡାଙ୍କୁ ଲେଖିଥିବା ଏକ ଚିଠି ପ୍ରହରାଜ ପରିକ୍ରମା-କୁ ୨୦୦, ୨୦୧) ଆପୁ ଆଉ କଲମ ସେବାରେ ଅନୁବ୍ରତୀ ଥିଲେ ସେ ଜୀବନର ଶେଷକାଳ ପର୍ଯ୍ୟନ୍ତ, ଏବଂ ଲେଖକ ଭାବରେ ବଞ୍ଚିବାକୁ ହେଲେ, ‘‘କାକଭୋଜନ, କୁମ୍ଭକର୍ଣ୍ଣନିଦ୍ରା, ଗଧରଡ଼ି, ଛେଳିସ୍ନାନ ଓଗେର କେତେ କାର୍ଯ୍ୟ ଓ କାଠମୁହଁ, ଛାଲବନ୍ଧା ପିଠି, ଓଦାକନାପକାପେଟ, ବଧିରକାନ, ଏଥିରୁଗୁଡ଼ାଏ ଅଙ୍ଗ, ଉପାଙ୍ଗ ଓ ଅପାଙ୍ଗ’’ ଲାଭବିଦ୍ୟାରେ ଆପଣାକୁ ସମୃଦ୍ଧ କରିପାରିଥିଲେ । ଦୁର୍ମୁଖ ଶର୍ମା (ଭା. ଟୁ. ସଂ, ବା. ପାଂ, ମି. ସା. ରୋ ମ), ଶ୍ରୀ ପାଣିପାତ୍ର ଶର୍ମା (ଧା. ବଂ. ଫୁ. ପା), ଶ୍ରୀ ଧୁନ୍ଦୁମାର ପାଣି (ଓ. ମୁ), ଧୁର୍ମୁଷ ଧୁମା (ସ୍ୱ. ରା ଓ ସ୍ୱ. ରା. ଯୋ) ଆଦି ବହୁ କିମ୍ଭୁତ ଛାଲରେ ଆପଣାକୁ ସେ ଘୋଡ଼େଇ ପକୋଉଥିଲେ । ମାତ୍ର ତାଙ୍କ କହିବାର ସ୍ୱର ହିଁ ତାଙ୍କୁ ପଦାରେ ପକେଇ ଦେଉଥିଲା । ନୂଆବେଶରେ ନିଜକୁ ଦେଖେଇହେବା ତାଙ୍କର ଥିଲା ଏକ ଚାଲାକି । ତାଙ୍କରି ଭାଷାରେ ଫିସାଦି ।

 

ଜୀବନୀ, ଗ୍ରନ୍ଥ-ସମୀକ୍ଷା, ଭାଷା ଓ ସାହିତ୍ୟସଂକ୍ରାନ୍ତୀୟ ଆଲୋଚନାରେ ମଧ୍ୟ ପ୍ରହରାଜଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଥିଲା । ସବୁ କ୍ଷେତ୍ରରେ ଆପଣାକୁ ଉପସ୍ଥାପନ କରିବାକୁ ସେ ଚେଷ୍ଟାକରୁଥିଲେ । ନିର୍ଭୀକତା, ସ୍ୱାଧୀନ ଅନୁଚିନ୍ତନ ଥିଲା ତାଙ୍କ ସମୀକ୍ଷକ ଅଭିଦୃଷ୍ଟିର ସବୁଠାରୁ ବଡ଼ଗୁଣ । ସମୀକ୍ଷା ବା ଭାଷାସଂକ୍ରାନ୍ତୀୟ ଆଲୋଚନା କଲାବେଳେ ମଧ୍ୟ ସେ ନିଜକୁ ବେଶ୍‌ ଚତୁର ରୀତିରେ ଥୋଇଦଉଥିଲେ । ଋଷିପ୍ରାଣ ରାମଶଙ୍କର, ମହାତ୍ମା ଚନ୍ଦ୍ରଶେଖର, କୁଳବୃଦ୍ଧ ମଧୁସୂଦନ, ପଲ୍ଲୀକବି ନନ୍ଦକିଶୋର, ସ୍ୱର୍ଗତଃ ବିଶ୍ୱନାଥ କର, କବି ଗଙ୍ଗାଧର, ସ୍ୱର୍ଗତ ବାବା ମହାନନ୍ଦ କରଙ୍କ ତ୍ୟାଗପୂତ ଜୀବନର ସେ ଥିଲେ ଜଣେ ମୁଗ୍‌ଧ ଓ ନିରପେକ୍ଷ ସମାଲୋଚକ । ଯାହାଙ୍କୁ ଯେମିତି ସମ୍ମାନ ଦେବାର କଥା, ସେଥିରେ ଜମାରୁ ସେ କାର୍ପଣ୍ୟ ପ୍ରକାଶ କରୁ ନ ଥିଲେ । ତାଙ୍କ ଦୃଷ୍ଟିରେ ବିଶ୍ୱନାଥ କରଙ୍କ ଉତ୍କଳ ସାହିତ୍ୟ ପତ୍ରିକା ସଂପାଦନର ଉଦ୍ଦେଶ୍ୟ ନ ଥିଲା ‘‘ନିଜର ଆତ୍ମବଡ଼ିମା ପ୍ରକାଶ, ବ୍ୟକ୍ତିଗତ କୁତ୍ସା ବା ନିନ୍ଦା ରଟନା ଓ ଶୋଧାଶୋଧି, x x ବିଶ୍ୱନାଥ ବାବୁଙ୍କ ମନ ବ୍ୟକ୍ତିଗତ ଅଦଉତି ସାଧନର ବହୁ ଉଚ୍ଚସ୍ତରରେ ଅବସ୍ଥାନ କରୁଥିଲା ।’’ (ଉ. ସା. ୩୮ଶ ଭାଗ- ୧୩୪୨ ସାଲ-୭ମ ସଂଖ୍ୟା-ପୃ ୨୭୮) ମଧୁବାବୁ ଥିଲେ ଆଧୁନିକ ଉତ୍କଳର ନିର୍ମାତା, ଯାହାଙ୍କ ତାତି ତାଙ୍କ ଦେହକୁ ନୂତନ ଶକ୍ତିରେ ପ୍ରାଣବନ୍ତ କରିଥିଲା ଏବଂ ମନ୍ତ୍ର, ଭାଷାକୋଷ ସଂକଳନ ପାଇଁ ପ୍ରେରଣା ଯୋଗେଇଥିଲା । (ଉ. ସା. ୩୭ ଭାଗ ୧୩୪୧ ସାଲ ୧୦ମ ସଂଖ୍ୟା ପୃ ୩୮୩) ଅନ୍ୟର ଜୀବନୀ ବିଷୟରେ ତର୍ଜନୀ ନିର୍ଦ୍ଦେଶ କଲାବେଳେ ନିଜର ଅଭିଦୃଷ୍ଟିକୁ କିପରି ଆରୋପ କରାଯାଇପାରେ, ପ୍ରହରାଜଙ୍କ ଲେଖାଗୁଡ଼ିକ ହିଁ ଥିଲା ଅନୁରୂପ ଭାବଧାରାର ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ସେଠି ଫିସାଦି ନ ଥାଏ, କାରୁଣ୍ୟ ଥାଏ । ଭୀମଭୋଇଙ୍କ ଭାଷାରେ କହିଲେ ‘କ୍ରୋଧ’ ଥାଏ ।

 

ଉତ୍କଳ ସାହିତ୍ୟ ପତ୍ରିକାରେ ‘ସମାଲୋଚନା’ ଶୀର୍ଷକରେ ପ୍ରହରାଜ ସମକାଳରେ ପ୍ରକାଶିତ ପୁସ୍ତକଗୁଡ଼ିକର ସମୀକ୍ଷା କରୁଥିଲେ । ‘ଦୁଇଖଣ୍ଡ ଓଡ଼ିଆ ପୁସ୍ତକ’ ପ୍ରବନ୍ଧ, ‘ଛ’ ମାଣ ଆଠଗୁଣ୍ଠ’ ଓ ‘ଯୁଗଧର୍ମ’ର ମନ୍ମୟ ସମାଲୋଚନା ଏବଂ ନନ୍ଦକିଶୋରଙ୍କ ‘ମଞ୍ଜରୀ ଗୀତି ପୁସ୍ତକ’, ‘ମଧୁବାବୁଙ୍କ ଓଡ଼ିଆ ଗୀତ ଓ ବକ୍ତୃତା’, ବିପିନିବିହାରୀ ରାୟଙ୍କ ‘ପ୍ରବନ୍ଧ ସୋପାନ’, ବଟକୃଷ୍ଣ ପ୍ରହରାଜଙ୍କ ‘ଅଶ୍ରୁବିନ୍ଦୁ’ ପରି ବହୁ ପୁସ୍ତକ ସଂକ୍ରାନ୍ତରେ ସେ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ବିଶେଷତଃ ଶଶିଭୂଷଣଙ୍କ ରାୟଙ୍କ ‘ପ୍ରବନ୍ଧ ପ୍ରବାହ’ ପୁସ୍ତକର ମୁଖବନ୍ଧ, ପ୍ରହରାଜଙ୍କ ସଚ୍ଚାଗବେଷକ ଦୃଷ୍ଟିର ଇସ୍ତାହାର । ଗବେଷକମାନେ ହିଁ ଦକ୍ଷବୁଡ଼ାଳୀ, ତଳେଇ କରି ଦେଖିବାପାଇଁ ବୁଡ଼ାଳୀ ଯନ୍ତ୍ର (ଡାଇଭରସ୍‌-ବେସ୍‌) ଦରକାର । ‘ଗବେଷକ ବହୁ ଅଧ୍ୟୟନ ଓ ଗବେଷଣାରୂପୀ ଧନ ବ୍ୟୟ କରି ସେହି ବୁଡ଼ାଳୀ ଯନ୍ତ୍ରର ଅଧିକାରୀ ହୋଇଥାନ୍ତି’ । ତାହାରି ସାହାଯ୍ୟରେ ଅଥଳଥଳ ସାଗରରୁ ଚିନ୍ତାର ମଣିମୁକ୍ତା ସଂଗ୍ରହ କରିଆଣନ୍ତି । ଗବେଷକ ଜଣେ ବୁଡ଼ାଳୀ ଓ ଦିଗ୍‌ଦର୍ଶକ ଯନ୍ତ୍ରର ଦଉଡ଼ିଧରାଳୀ । ପାଣି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ଗବେଷକକୁ ଉପରକୁ ଉଠେଇଆଣିବା, ତା ଦେହ ଓ ପୁଣି ଅମାପ ଶକ୍ତି ସଞ୍ଚାର କରିବା ଦିଗ୍‌ଦର୍ଶକର ହିଁ ଧର୍ମ । କିନ୍ତୁ ଓଡ଼ିଆ ସାହିତ୍ୟରେ ସେ ଯନ୍ତ୍ର ନାହିଁ କି ଯନ୍ତ୍ରର ଅଧିକାରୀମାନେ ମଧ୍ୟ ନାହାଁନ୍ତି । (ପ୍ରବନ୍ଧ ପ୍ରବାହ – ଶଶିଭୂଷଣ ରାୟ, ମୁଖବନ୍ଧ- ୧୯୪୪) ଫଳତଃ ଓଡ଼ିଆ ସାହିତ୍ୟରେ ରତ୍ନାକର, ବିଷାକାରରେ ପରିଣତ ହୋଇଯାଇଛି । ପ୍ରହରାଜ ସେମିତି ଯନ୍ତ୍ରର ଅଧିକାରୀ ଥିଲେ । ତାଙ୍କ ଲିଖିତ ଭାଷା ଓ ବ୍ୟାକରଣ ସଂକ୍ରାନ୍ତୀୟ କେତେକ ଆଲୋଚନା, ପ୍ରବନ୍ଧ, ଉତ୍କଳ କାହାଣୀ, ଓଡ଼ିଆ ଢଗଢମାଳୀ ଓ ସର୍ବୋପରି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପୃଷ୍ଠାଗୁଡ଼ିକ ଆଉଡ଼େଇଲେ ଏକଥା ସ୍ପଷ୍ଟ ହୋଇଯାଏ-। ପୂରାଣ ଓ କାବ୍ୟବର୍ଣ୍ଣିତ ବିଷୟବସ୍ତୁକୁ ଇତିହାସ ଓ ସତ୍ୟ ଘଟଣା କିମ୍ୱା ତୁଚ୍ଛା ଗାଲୁ ଭାବରେ ଗ୍ରହଣ ନ କରି ଆଧୁନିକ ଦୃଷ୍ଟିକୋଣରୁ ସେ ସମସ୍ତର ତର୍ଜମା ଉପରେ ଗୁରୁତ୍ୱ ଦେଇଥିଲେ । ହିନ୍ଦୁ ବିଚାରଧାରାର ଅବତାରବାଦ, ଯୁଦ୍ଧ, ଜ୍ୟୋତିର୍ବିଦ୍ୟା ଆଦି ବିଭିନ୍ନ ବିଷୟକୁ ବୈଜ୍ଞାନିକ ଅଭିଦୃଷ୍ଟି ନେଇ ଆଲୋଚନା କରିଥିଲେ । (ନ. ବ. ଉ. ସା. ୧୯ଶ ଭାଗ-ଶ୍ରାବଣ ୧୩୨୨ ସାଲ- ପୃ ୧୯୬) ସମଗ୍ର ଭାରତବର୍ଷ ଦିନେ ଓଡ଼ିଶାର ଥିଲା । କାଳିଦାସ, ଭବଭୂତି, ଜୟଦେବ, ଶଙ୍କର, ଭାସ୍କର ପରି କବିମାନେ ଓଡ଼ିଶାରେ ଜନ୍ମ ନେଇଥିଲେ, ସେମାନେ ଓଡ଼ିଶାର ବୋଲି ଗାଲୁଆମି କରୁଥିବା ବାତୁଳ ଗବେଷକମାନଙ୍କର ସଂକୀର୍ଣ୍ଣ ବିଚାରଧାରାକୁ ପରିହାସ କରୁଥିଲେ । ଅବଶ୍ୟ ସମସ୍ତଙ୍କୁ ନିଜ ଢିଅର ବୋଲି ବଡ଼େଇ କରିବା ଏବଂ ଏଥିପାଇଁ ଗଦାଗଦା ‘ମୁଦ୍ରିତ’, ‘ମତ୍‌କର୍ତ୍ତୃକ ସଂଗୃହୀତ’ ଓ ‘ଅପ୍ରକାଶିତ’, ‘ଜନସାଧାରଣରେ ଅଲଭ୍ୟ ଗ୍ରନ୍ଥ’, ‘ଶିଳାଲିପି’ ଓ ‘ତାମ୍ରପତ୍ର’ରୁ ଉଦ୍ଧୃତିର ଚରମ ମସଲା ପ୍ରସ୍ତୁତ କରି ପ୍ରଳାପ କରିବା ଓ ଦଣ୍ଡ ବୈଠକି ମାରିବାରେ କୌଶଳ ଆମକୁ ବଙ୍ଗାଳୀମାନେ ଶିଖେଇଥିଲେ । ମାତ୍ର ଏହା ଯେ ସତ୍‌ଗବେଷଣାରୀତି ନୁହେଁ, ପ୍ରହରାଜେ ଏ କଥା ଦୃଢ଼ତାର ସହିତ ଘୋଷଣା କରିଥିଲେ । ସଂକୀର୍ଣ୍ଣତା ପରିହାର କରି ଜାତୀୟସ୍ରୋତରେ ନିଜନିଜକୁ ମିଶେଇ ଦେବାପାଇଁ ତଥାକଥିତ ଆଲୋଚକମାନଙ୍କୁ ନୀତିବାକ୍ୟ ଶୁଣେଇଥିଲେ । (ଆ. ଘ. ହା. ଚ. ପୃ ୪୬) କାରଣ ଗବେଷଣାରେ ଫିସାଦି ଚଳେନା । ଗାଲୁଆମି ସେଠି ମହାପାପ । ସେଠି ତତ୍ତ୍ୱ ଆଉ ସତ୍ୟର ଅସଲ ପରୀକ୍ଷଣ ଚାଲେ ବିଚାର ବୁଦ୍ଧିର କଷଟି ପଥରରେ । ସୃଷ୍ଟିର ବୈଚିତ୍ର୍ୟ, ସ୍ୱାତନ୍ତ୍ର୍ୟ ଓ ଆପାତତଃ ସତ୍ୟକୁ ସୁପ୍ରମାଣ ଉପସ୍ଥାପନ କରାଯାଏ । ତେଣୁ ସେପରି କ୍ଷେତ୍ରରେ ପ୍ରହରାଜେ ଗୋପାଳପୁରିଆ ନ୍ୟାୟକୁ ନଦିଦେବାପାଇଁ ସାମାନ୍ୟତମ ପ୍ରୟାସ କରି ନଥିଲେ ।

 

ତାହା ରମ୍ୟରଚନା, ଜୀବନୀ, ସମାଲୋଚନା, କାହାଣୀ, ଗୀତ, ବାଳସାହିତ୍ୟ, ଭାଷାତତ୍ତ୍ୱ ବା ବ୍ୟାକରଣର ଯେକୌଣସି ଗୂଢ଼ ସମସ୍ୟା ହେଉ, ପ୍ରହରାଜ ସେ ସମସ୍ତର ବିଚାର କଲାବେଳେ, ଯଥାସମ୍ଭବ ସୁଦୃଶ୍ୟ ଓ ହୃଦ୍ୟଚିତ୍ରଟିଏ ଥୋଇବା ପାଇଁ ଚେଷ୍ଟା କରୁଥିଲେ । ତାଙ୍କ ବିଚାରଧାରା, ଭାଷା, କହିବାର ରୀତି ସବୁଥିରେ ଗୋଟାଏ ସ୍ୱାତନ୍ତ୍ର୍ୟ ଥିଲା । ଚିନ୍ତାଧାରାରେ ଏତେ ମୌଳିକତା ଖୁବ୍‌ କମ୍‌ ସାଧକଙ୍କଠାରେ ଦେଖିବାକୁ ମିଳେ । ‘ଉତ୍କଳ କାହାଣୀ’ର କାହାଣୀଗୁଡ଼ିକ କହିଲାବେଳେ ଯେଉଁ ଶୈଳୀ, ଢଗଢମାଳୀ କିମ୍ବା କାହାଣୀଗ୍ରନ୍ଥର ମୁଖବନ୍ଧ ଲେଖିଲାବେଳେ ସେଇ ରୀତି । ଢଗଢମାଳୀଗୁଡ଼ିକୁ ରମ୍ୟରଚନାର ପ୍ରୟୋଗ କଲାବେଳେ ଅନୁରୂପ ରସିକତାର ଅଭିବ୍ୟଞ୍ଜନ । ତେଣୁ କାହାଣୀ, ସମାଲୋଚନା ଆଲୋଚନାର ଗଢ଼ଣର ଯେ ସ୍ୱତନ୍ତ୍ର ରୀତିର ସଂକେତ ରହିବ, ବିନ୍ଧାଣୀପଣିଆକୁ ରୀତିବାଡ଼ରେ ଯେ ଆକଟ କରିଦିଆଯିବ, ଏକଥା ସ୍ୱୀକାର କରିବାକୁ ସେ ପ୍ରସ୍ତୁତ ନଥିଲେ । ସବୁକଥା ଜାଣିଥିଲା ଭଳି, ସବୁଠି ନିଜକୁ ନାୟକ ଆସନରେ ବସୋଉଥିଲେ । ସବ୍‌ଜାନତାପଣିଆକୁ ସାବ୍ୟସ୍ତ କରୁଥିଲେ । ସେ ବୁଝୁଥିଲେ ଆପଣାର ଆଦର୍ଶ ଓ ଅଭିଧର୍ମରୁ ଦୂରେଇଯିବାର ଅର୍ଥ ଛଳନା କରିବା–ଆପଣା ଆତ୍ମାକୁ ବିଖଣ୍ଡିତ ଓ ବିକୃତ କରିବା । ନିଜେ ଯାହା ନୁହଁ, ସେଇ ଭାବକୁ ଆଉ କାହାର ବାଧ୍ୟ ବାଧକତାରେ ଘୋଷଣା କରିବାର ଅର୍ଥ ସ୍ୱାଭାବିକତାକୁ ହତ୍ୟା କରିବା । ଆହୁରି ଆଶ୍ଚର୍ଯ୍ୟର କଥା ସାଧନାନିଷ୍ଠ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରହରାଜେ ଆପଣା ବାଟରୁ ଏତେ ଟିକିଏ ବି ଖସିଯାଇ ନଥିଲେ । ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ’ ହୋଇଗଲା ପରି, ଅନେକ ସମୟରେ କେବଳ ଗୌରଚନ୍ଦ୍ରିକା ଅବତାରଣା କରୁ କରୁ ତାଙ୍କ ରାତି ପାହିଯାଉଥିଲା । ବିଷୟ ବିଶ୍ଳେଷଣର ଗହନପାଠ ଅକୁହା ରହିଯାଉଥିଲା । କଥାରେ ଲଥାର ବହଳ ଲେପ ଦେଉଦେଉ, ତା ରୂପ ଭିତରେ ବିଭୋର ହେବାର ସମ୍ଭାବନା ଚୂଲିକୁ ଯାଉଥିଲା । ଶବ୍ଦବିନ୍ୟାସରେ ଭେଳିକି ଦେଖୋଉ ଦେଖୋଉ ବିଚରା ପାଠକକୁ ବି ବେଳେବେଳେ ନାକେଦମ୍‌ କରିପକୋଉଥିଲେ । ଏ ବାଜେ କଥାସବୁ ମଧ୍ୟ ତାଙ୍କୁ ଗୋଚର ଥିଲା । ମାତ୍ର ନିଜର ଦୁର୍ବଳତାଗୁଡ଼ିକୁ ଜାଣିଜାଣି ସେ ସେଇ ଭାବରେ ହିଁ ବେଭାର କରୁଥିଲେ । ସେ ନିଆଁନଗା ପ୍ରୀତିରୋଗରୁ ନିରୋଗ ହେବାଲାଗି, ଏତେ ଟିକିଏ ଚେଷ୍ଟା କରୁନଥିଲେ । ଓଷଦ ଖୋଜି ଯାଉ ନଥିଲେ । ସମାଲୋଚକମାନଙ୍କ କଥା ଶୁଣି, ହସି ହସି ଓଜନିଆ ହୁଁଟାଏ ମାରିଦେଉଥିଲେ । ସେହି ଦୁଆତ, କାଳୀ, ଠେଙ୍ଗାଆକୃତିର ଏହୁଁ ମୋଟର ବିଦେଶୀ ତିଆରି ପାର୍‌କର୍ କଲମରେ, କାଗଜ ଦେହରେ, ପ୍ରେମ ରୋଗର ଛବି ଆଙ୍କୁଥିଲେ । ଏକାଗାରକେ ଯାହା ଯେତିକି ହେଉଥିଲା, ମାତ୍ର ସେତିକିକୁ ପ୍ରଥମ ଓ ଶେଷ ଭାବରେ ପରିଗ୍ରହଣ କରିନେଉଥିଲେ । ଘସିମାଜି, ଚିକ୍‌କଣ ଓ ନୂଆ ନୂଆ ବେଶ ପୋଷାକରେ ଆଭୂଷଣ କରି ଚିହ୍ନରା ଗ୍ରାହକମାନଙ୍କ ପାଖରେ ମନ ଭୁଲାଣିଆ ରୀତିରେ ପରିବେଷଣ କରିବାକୁ ପ୍ରୟାସ କରୁନଥିଲେ । ସେ ଧୈର୍ଯ୍ୟ ବି ତାଙ୍କର ନଥିଲା । ପାଦ ପକେଇବାର ସେଇ ଗୋଟିଏ ଧାରା, ଗୋଟିଏ ରୀତିରେ ସାରା ଜୀବନ ତାଙ୍କର ବିତିଯାଇ ଥିଲା । ଆପଣା ପ୍ରତି ସେତିକି ବିଶ୍ୱସ୍ତ ଓ ଅନୁଗତ ନଥିଲେ, ଗୋଟିଏ ହାତରେ ଗୋଟିଏ ରୀତିରେ ହାତଛନ୍ଦି ସାରାଜୀବନ ବିତେଇଦେବା ସମ୍ଭବ ନୁହେଁ । ମତିମାନମାନଙ୍କର ତାହା ହିଁ ବିଶେଷ ଲକ୍ଷଣ-

 

*

କୁଞ୍ଜବିହାରୀ ଦାଶ-ଜୀବନୀ ଓ ଜୀବନୀ-ପୃଷ୍ଠା ୨୪

 

ତେଣୁ ପ୍ରହରାଜଙ୍କ ସାହିତ୍ୟ କହିଲେ– ତାଙ୍କ ବହୁବିଳସିତ, ବହୁଚର୍ଚ୍ଚିତ, ବହୁ ଉପହସିତ ଓ ପ୍ରଶଂସିତ ଜୀବନ, ଜୀବନର ଗୋଟିଏ କ୍ରମଗତିଶୀଳଧାରା । ତାଙ୍କ ଭାଷା, କଳ୍ପନାବିଳାସ, ଭାବବିଶ୍ଳେଷଣରେ ବ୍ୟଙ୍ଗ୍ୟାତ୍ମକ ଓ ସତ୍ୟସଚେତନ ଅଭିଦୃଷ୍ଟି ଏବଂ ପରିବେଷଣରେ ରସ-ପରିପୁଷ୍ଟରୀତି ସବୁକିଛିକୁ ଗୋଟିଏ ଭାବରେ ବିବେଚନା କରିବାକୁ ପଡ଼େ । କୌଣସି ଗୋଟିଏ ବିଯୁକ୍ତ କରିଦେଲେ, ସେ ପ୍ରହରାଜ ପରିବର୍ତ୍ତେ କୃଷ୍ଣରାଜ ହୋଇଯିବେ । ତାଙ୍କ ଚେତନାର ବିକୃତ ରୂପଟି ଉକୁଟି ଉଠିବ । ଶୈଳୀ ଆଧାରରେ ବିଚାର କରିବାକୁ ଗଲେ, ଫକୀରମୋହନଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ପ୍ରହରାଜେ ଆଦୌ ଫିସାଦିଆ ନଥିଲେ, ଭଣ୍ଡ ନଥିଲେ । ତାଙ୍କ ଭାଷା, ଭାବ, ଶୈଳୀ ସବୁ କିଛି ଥିଲା ତାଙ୍କ ଜୀବନ-ଅନୁରୂପ । * ସେ ଏବଂ ତାଙ୍କ ସାହିତ୍ୟ ଥିଲା ପ୍ରଚଣ୍ଡ ଜୀବନୀଶକ୍ତିରେ ରସୋଚ୍ଛଳ ସ୍ୱାଭାବିକ ଧାରାଟିଏ, ଯାହା ସ୍ୱତନ୍ତ୍ର, ଅନନୁକରଣୀୟ ।

 

*

ଏଫ୍‌. ଏଲ୍‌. ଲୁକା-ଷ୍ଟାଇଲ୍‌ପୃ ୧୯, ୨୭, ୧୧୪

Image

 

Unknown

ଅଳିଆ ଘାଣ୍ଟିଲେ ମଳିଆ

 

ଅଳିଆକୁ ଅଧିକରୁ ଅଧିକ ଘାଣ୍ଟିଲେ ସବୁଆଡ଼ ନାସନା ଦୁଶେ, ଗନ୍ଧାଏ । ପରିବେଶ ଦୂଷିତ ହୋଇଯାଏ । ମାତ୍ର ମଳ ସବୁଠି ସମସ୍ତଙ୍କ ଭିତରେ ଥାଏ । ବାହାରକୁ ଆସିଲେ, ତାହା ସ୍ୱଧର୍ମ ପ୍ରକାଶ କରେ । ଭିତରେ ନୁଚେଇବାକୁ ଚେଷ୍ଟା କଲେ ବି, ତାକୁ ସମ୍ଭାଳି ହୁଏନା । ବାସ ପଦାକୁ ଆସେ । ପବନରେ ଘୂରି ବୁଲେ । ସମାଜ ଏମିତି ମଣିଷମାନଙ୍କର ସମାହାର । ଏଠି ଏମିତି ଜଣେ କେହି ନାହିଁ, ଯାହାର ମଳ ଗନ୍ଧାଏନା । ସମସ୍ତେ ଏଠି ଗନ୍ଧିଆ । ମାତ୍ର ତଥାପି ମଣିଷ ବାସେ । ସମାଜ ବାସେ ଏବଂ ଭଲ ସମାଜ ଓ ଭଲ ମଣିଷ ଭିତରେ ସୁବାସିତ ଭାବର ମାତ୍ରା ହିଁ ଅଧିକ ।

 

ଗୋପାଳଚନ୍ଦ୍ର ପ୍ରହରାଜ କେତେକଙ୍କ ପେଇଁ ଗନ୍ଧିଆ ଓ ଅବଶିଷ୍ଟମାନଙ୍କ ପେଇଁ ସୁବାସିତ ମଣିଷ ଥିଲେ । ତାଙ୍କ ପେଟ ଭିତରେ ମଳ ଥିଲା । ଅମଳ ବି ଥିଲା । କିଏ ମଳ କିଏ ଅମଳ ଏକଥା ବି ସେ ବେଶ୍‌ ଭଲ କରି ଜାଣିଥିଲେ । ‘‘ଅଳିଆ ଘାଣ୍ଟିଲେ ମଳିଆ ହୁଏ’, ଗନ୍ଧାଏ । ଏକଥା ବି ସ୍ୱୀକାର କରୁଥିଲେ । (ବା.ମ.ପା-ପୃ ୯୧) ମାତ୍ର ଏତେ ଗହନ କଥାକୁ ଜାଣି, ତାକୁ ଖୋଲିଦେବାର ବିପଦ ସଂପର୍କରେ ସଚେତନ ଥାଇ ବି, ସେ ସମସ୍ତଙ୍କୁ ପଦାରେ ପକେଇଦେବାପେଇଁ ଏତେ ଟିକିଏ ବି ହେଳା କରୁନଥିଲେ । କିଛି ଗୁପତ ଭାବରେ ପେଟରେ ପୂରେଇ ରଖିବା ଖୋଇ ତାଙ୍କର ନ ଥିଲା । ପଦାକୁ ବାହାର କରି ନଦେବା ପର୍ଯ୍ୟନ୍ତ, ତାଙ୍କ ପେଟ ଫୁଲି ରହୁଥିଲା । ଅଳିଆ ଘାଣ୍ଟିବା ଥିଲା ତାଙ୍କର ପ୍ରବୃତ୍ତି । କଲମରେ, ତୁଣ୍ଡରେ ପଚରା ପଦାର୍ଥଗୁଡ଼ାକୁ ସେ ଘାଣ୍ଟୁଥିଲେ । ମଇଳାଗୁଡ଼ାକ ତାଙ୍କ ଦେହରେ ପଡ଼ୁଥିଲା । ରାସ୍ତାଘାଟ, ପରିବେଶକୁ ଅପରିଷ୍କାର କରୁଥିଲା । ସେଗୁଡ଼ିକୁ ଅଧିକରୁ ଅଧିକ ପଚେଇ, ପୋକଫୁଟେଇବା ପାଇଁ ସେ ପରିବେଶ ତିଆରୁ ନଥିଲେ । ବାସ ଉଡଡ଼ିଯିବାର ଭୟରେ ମାର୍ଜାର ପରି ମାଟି ଘୋଡ଼େଇ ପକୋଉ ନଥିଲେ । ଦିନର ଆଲୁଅରେ, ଖରାତେଜରେ ନିଜର, ପରର ଓ ସମାଜର ସକଳଙ୍କ ମଳକୁ ବଡ଼ ନିର୍ଦ୍ଦୟ ଭାବରେ ଖେଳୋଉଥିଲେ । ଅନ୍ୟମାନଙ୍କୁ ଯୁଦ୍ଧଂଦେହିର ଡାକରା ଦେଉଥିଲେ । ଗୁହବୋଳି ହୋଇ ଗଡ଼ାପଡ଼ା ହେବାରେ ଆମୋଦ ଅଛି ବୋଲି ଅନୁଭବ କରୁଥିଲେ-

 

ପ୍ରହରାଜଙ୍କ ଆକ୍ଷିରେ ସମାଜ ଥିଲା ଗୋଟିଏ ବିଚିତ୍ର ଖେଳ ଘର । ଜଗତଯାକର ଜନ ‘କେଳା କୁହୁକରେ ମାତିଛନ୍ତି’ ବୋଲି ସେ ଅନୁଭବ କରୁଥିଲେ । (ଆ.ଘ.ହା.ଚା.ପୃ ୧୭) କୁହୁକବଳରେ ସେ ନାଚୁଥିଲେ । କୁହୁକ ବଳୟର ପ୍ରତିବନ୍ଦୁରେ ପାଦଦେଇ ସ୍ୱାଦ ଆସ୍ୱାଦନ କରିବାକୁ ସେ ଟାକି ବସିଥିଲେ । ଠୁକର ପାଇବାର ଗାରଗୁଡ଼ାକ ମଧ୍ୟ ତାଙ୍କୁ ବେଶ୍‌ଭଲ ଭାବରେ ଜଣାଥିଲା । ତଥାପି ସେ ଗାର ଡେଇଁବାକୁ ଜମାରୁ ଭୟ କରୁନଥିଲେ । ଧାଡ଼ିମୂଳିଆ ମଣିଷମାନଙ୍କଠାରୁ ବହୁ ଭାବରେ ଥିଲେ ସ୍ୱତନ୍ତ୍ର । ବିଚିତ୍ର ଅନୁଭୂତିରେ ଆପଣା ଜୀବନକୁ ପରିପୂର୍ଣ୍ଣ କରିବା ତାଙ୍କର ଜୀବନର ଧର୍ମ ଥିଲା । ତେଣୁ ସେ ନରକର କୂପ ଭିତରକୁ ଡେଇଁ ପଡ଼ୁଥିଲେ । ନରକର ଯନ୍ତ୍ରଣାକ୍ତ ଅନୁଭବକୁ ସ୍ୱୀକାର କରୁଥିଲେ । ତ୍ୟାଗର ଗିରିଚୂଡ଼ା ଆରୋହଣ କରିବାକୁ ପାଦ ପକୋଉଥିଲେ । ସବୁଠି ଆପଣାର ନାୟକପଣିଆକୁ ସାବ୍ୟସ୍ତ କରୁଥିଲେ । ନିଜର ଉଦ୍ଦେଶ୍ୟ ପରିପୂରଣ ପାଇଁ ଅବାଟକୁ ମଧ୍ୟ ବାଟ ଭାବରେ ପରିଗଣନ କରୁଥିଲେ । ଖିଆଲରେ ଆଗକୁ ଆଗକୁ ମାଡ଼ି ଯାଉଥିଲେ । ତେଣୁ ତାଙ୍କ ଦୀର୍ଘ କର୍ମମୟ ଜୀବନ ଦୟନୀୟ ପରିଣତି ଭିତରେ ହଜିଗଲା ।

 

ପ୍ରହରାଜଙ୍କ ରକ୍ତରେ ସାମନ୍ତବାଦର କଣିକା ଥିଲା । ବୃର୍ତ୍ତିରେ ଥିଲା କପଟଚାରିତାର ଭୂତାଣୁ । ବାପା ବଞ୍ଚିଥିଲାବେଳେ ଏବଂ ତାଙ୍କ ପରେ ପୈତୃକ ସଂପତ୍ତିକୁ କେନ୍ଦ୍ରକରି ଭାଇ, ବିରାଦର ଏବଂ ରୟତମାନଙ୍କ ସହିତ ତେରିମେରି ହେବାକୁ ପଡ଼ୁଥିଲା । ସେ ଇଂରେଜମାନଙ୍କର ନିକଟତମ ଥିବାରୁ ରୟତମାନେ ଅବଶ୍ୟ ତାଙ୍କ ପାଖରେ ଏତେ ତେଜ ଦେଖେଇବାକୁ ସାହସ କରିପାରୁ ନଥିଲେ, ମାତ୍ର ଭାଇ ଭାଇ ଭିତରକୁ କଳହ ତାଙ୍କ ପେଇଁ କାଳ ହେଉଥିଲା । ସେମାନେ ଥିଲେ ସାତଭାଇ, ଆଠ ଭଉଣୀ । ନରସିଂହ ପ୍ରହରାଜ ବଞ୍ଚିଥିଲାବେଳେ ସେମାନଙ୍କ ଅସନ୍ତୋଷ ମନ ଭିତରେ ଗବଗବ ହୋଇ ଫୁଟୁଥିଲେ ସୁଦ୍ଧା, ପଦାରେ ପଡ଼ୁନଥିଲା । ମାତ୍ର ତାଙ୍କର କାଳ ହେଲା ପରେ ପରେ (୧୯୧୪) ହିଁ ଘରଭଙ୍ଗା ନିଆଁ ତାର ଅସଲ ନାଟ ଆରମ୍ଭ କରିଦେଲା । ୧୯୧୫ ମସିହାରେ ସେମାନେ ଅଲଗା ଅଲଗା ହୋଇଗଲେ । ଏକାନ୍ନବର୍ତ୍ତୀ ପରିବାରର ଅସଲ ସଂଗୀତର ମୁକାବିଲା କରି ନପାରି, ନିଜ ଗାଁର ପଶ୍ଚିମ ମୁଣ୍ଡରେ ନୂଆ ଘର ତିଆରି କରି ସେଠିକି ଉଠିଗଲେ । ଅନ୍ୟ ତିନି ଭାଇ ରହିଲେ ପୁରୁଣା ଖଞ୍ଜାରେ । ନିଜ ନିଜର ଜୀବନକୁ ସୁଖ ଓ ବିଳାସରେ ବିତେଇଦେବାପାଇଁ ସେମାନେ ବାଟ ଖୋଜୁଥିଲେ । ଅର୍ଥର ଅଭାବ ପଡ଼ିଲେ ମହାଜନଙ୍କର ଦ୍ୱାରସ୍ଥ ହେଉଥିଲେ । ଯଥାସମୟରେ ଦେଣା ପରିଶୋଧ କରିପାରୁ ନଥିଲେ । ଏଣେ ଜମିଦାରୀ ଘରର ପରମ୍ପରାକୁ ଆଣ୍ଟରେ ଜାବୁଡ଼ି ଧରିବା ପାଇଁ କେତେ ଫନ୍ଦିଫିକର କରୁଥିଲେ । ଗୁମାସ୍ତା, ଚାକରବାକର, ପୋଇଲୀ ପରିବାରୀମାନେ ମଧ୍ୟ ସୁଯୋଗ ଉଣ୍ଡିନିଜ ନିଜ ଅଣ୍ଟି ପୂରୋଉଥିଲେ । ଭବିଷ୍ୟତ ପାଇଁ ବେଶ୍‌କିଛି କିଛି ସଞ୍ଚୟ କରି ନେଉଥିଲେ । ଉଜୁଡ଼ା ଢିଅ ଉପରେ ବାଦୀପାଲାର ଗାଆଣ, ପାଳିଆମାନେ ଚଅଁର ହଲୋଉ ହଲୋଉ, ଝାଞ୍ଜ, ଖୋଳ, ଗିନି ବାଡ଼ୋଉ ବାଡ଼ୋଉ ସମୟ ତା ବାଟରେ ଚାଲିଯାଉଥିଲା । ପାଲାର ନାୟକ ପ୍ରହରାଜ, ପୈତୃକ ସଂପତ୍ତିର ଭାଗବାଣ୍ଟୁରା କରୁ କରୁ ନଅ ଦଶ ବର୍ଷ ସମୟ ପାଣିଭଳି ବୋହିଯାଇଥିଲା । ଅଣଚାଶ ପବନ ଢିଆଟାକୁ ଦୋହଲେଇ ଦେଇଥିଲା ।

 

ଭାଙ୍ଗିପଡ଼ୁଥିବା ସାମନ୍ତବାଦୀ ପରଂପରାର ଦାୟାଦମାନଙ୍କର ଜୀବନଧାରା ବଡ଼ ବିଚିତ୍ର ଥିଲା । ବଡ଼ଲୋକର ଭୂତ ସେମାନଙ୍କ ଭିତରକୁ କୋରି ଖାଇଯାଉଥିଲା । ଭେକକୁ ଆଗରେ ଥୋଇ ସେମାନେ ବାଟ ଚାଲୁଥିଲେ । ଭେକ-ପରିଚର୍ଯ୍ୟା ପାଇଁ ଋଣ କରିବାକୁ ବାଧ୍ୟ ହେଉଥିଲେ । ଋଣ କରିବା ମଧ୍ୟ ସେମାନଙ୍କ ପାଇଁ ଥିଲା ଏକ ବିଳାସ । ଅନ୍ୟମାନଙ୍କ ପ୍ରତି ସେମାନଙ୍କର ଆସ୍ଥା ବା ଆଦର ନଥିଲା । କଥା ଓ କାମରେ ପାର୍ଥକ୍ୟ କ୍ରମଶଃ ବଢ଼ି ବଢ଼ି ଚାଲିଥିଲା । ଛଳନାର ବୃତ୍ତ ଭିତରେ ସେମାନେ ବିହରୁଥିଲେ । କଳ, ବଳ, କଉଶଳ ପ୍ରୟୋଗ କରି ଅନ୍ୟମାନଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ପ୍ରହରାଜଙ୍କ ଭିତରେ ଏଗୁଣ ସବୁ ପରିପୂର୍ଣ୍ଣ ଭାବରେ ଥିଲା । ନିଜ ହଂସାରେ ପଡ଼ିଥିବା ଜମିଦାରୀର ତଦାରଖ କରିବା ପାଇଁ ସେ ଗାଁକୁ ଯାଉଥିଲେ । ଅନେକ ରୟତଙ୍କୁ ହାତରେ ରଖିଥିଲେ । ଯାନିଯାତ୍ରା ପୂଜାପାର୍ବଣରେ ଅନ୍ୟମାନଙ୍କ ଦେହ ଓ ମନର ଆବଶ୍ୟକତାକୁ ପୂରଣ କରୁଥିଲେ ନୂଆଲୁଗା ଓ ବକ୍‌ସିସ୍‌ର ଉପଚାରରେ । ବିଛୁଆତି ଓ ବାଇଡ଼ଙ୍କମାନଙ୍କୁ ଖାପଚରେ ରଖିବା ପାଇଁ ଅନୁରୂପ ଔଷଧିମାନ ମଧ୍ୟ ପ୍ରୟୋଗ କରୁଥିଲେ । ଅବଶ୍ୟ ଭାଷାକୋଷର ସେବାରେ କୁମ୍ଭାର ଘର ବୋହୁ ବେଶ ଧରିବା ପରେ ଜମିଦାରୀର ଦେଖାଶୁଣା କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିଲା ନାହିଁ । ସେ ଜଣେ ନିଆରା ମଣିଷ ହୋଇଯାଇଥିଲେ । ମାତ୍ର ସାମନ୍ତବାଦୀ ରକ୍ତ କଣିକାର ପ୍ରାଦୁର୍ଭାବରୁ ସେ ସଂପୂର୍ଣ୍ଣ ମୁକ୍ତ ହୋଇପାରି ନଥିଲେ ।

 

ପ୍ରହରାଜଙ୍କ ବୃତ୍ତିଗତ ଜୀବନଥିଲା ତାଙ୍କରି ଭାଷାରେ ନିହାତି, ‘‘ଅଲରା, ଅସନା ଓ ନିଉଛୁଣା ।’’ (ଦୁ.ହା.ପୃ ୨୦୫) ସମାଜ ଓ ଦେଶକୁ ଉଚ୍ଛନ୍ନ କରିବା କଉଶଳରେ ତୀକ୍ଷ୍‌ଣ । ଓକିଲାତିରୂପକ ସୃଷ୍ଟି ଛଡ଼ା ଜୀବିକାର ଚରିତ୍ରମାନେ ଛଳନାର ଜୀବନ୍ତ ପ୍ରତୀକ । ପ୍ରହରାଜଙ୍କ ଭିତରେ ଛଳନାର ଦୁଇଟିଧାରା ମହାଧାରାଟିଏ ସୃଷ୍ଟି କରିଥିଲା । ଜମିଦାର ଓ ଓକିଲ ରୂପରେ ସେ ହୁଏତ ବହୁଘର ଭାଙ୍ଗିଥିବେ, ବହୁଲୋକଙ୍କୁ ଦାଣ୍ଡରେ ଠିଆ କରେଇଥିବେ, କଳାକୁ ଧଳା ଓ ଧଳାକୁ କଳା କରୁଥିବେ, ରାଜା ଓ ଜମିଦାରମାନଙ୍କୁ ମଧ୍ୟ ଉଠବସ୍‌ କରୁଥିବେ । ପୁରୀରେ ସରକାରୀ ଓକିଲ ଥିଲାବେଳେ ମଧ୍ୟ ସାଧାରଣ ଜନତାଙ୍କୁ ହଲାପଟା କରୁଥିବେ– କରୁଥିବେ ଜୀବିକା ଅନୁରୋଧରେ-। ମାତ୍ର ଜୀବନବାଦୀ ହୃଦୟବାନ ମଣିଷଟି ଦରିଦ୍ର ଓ ନିରପରାଧୀମାନଙ୍କ ପାଇଁ ମଧ୍ୟ କମ୍‌ କାନ୍ଦି ନଥିଲେ । ଓକିଲମାନଙ୍କର ଆଙ୍ଗୁଠିଗଣା ସଂଖ୍ୟା ଭିତରେ ସେ ଥିଲେ ଆଉ ଜଣେ-। ଆପଣା ସୃଷ୍ଟିରେ ବୃତ୍ତିକୁ କଟୁ ସମାଲୋଚନା କରୁଥିଲେ ଏବଂ ନିଜକୁ କହୁଥିଲେ– ଗୋଳିଆ ପାଣିର ଓଧ’ । ପୋଖରୀର ପାଣି ଆଉ କଙ୍କକୁ ଦିଇଭାଗ କରି ଜଳଚରବଂଶ ଲୋପକରିବା ଥିଲା ତାଙ୍କ ଜୀବିକାର ଅଭିଧର୍ମ ।

 

ତାଙ୍କ ରାଜନୀତିକ ଜୀବନ ମଧ୍ୟ କମ୍‌ ବିରୋଧାଭାସରେ ପରିପୂର୍ଣ୍ଣ ନଥିଲା । ଯେକୌଣସି ସାମାଜିକ ବା ରାଜନୀତିକ ବୃତ୍ତ ଭିତରକୁ ସେ ସହଜରେ ପଶିଯାଉଥିଲେ । ଅନ୍ୟମାନଙ୍କର ଆଦରତ ପାତ୍ର ହେଉଥିଲେ । ନିଜ ଉର୍ବର ମସ୍ତିଷ୍କର ତେଜରେ ଅନ୍ୟମାନଙ୍କୁ ଭକୁଆ ବନେଇଦଉଥିଲେ । ସେମାନଙ୍କୁ ବୋକାବନେଇ, ସେମାନଙ୍କ ଗୁମର କଥାଗୁଡ଼ିକ ଆପଣା ଓଧ ବୁଦ୍ଧିରେ ସଂଗ୍ରହ କରି ଆଣୁଥିଲେ । ଠିକ୍‌ପରେ ପରେ, ହାଟ ବଜାରରେ ଗୁମର କଥାର ପସରା ଖୋଲି ଦଉଥିଲେ । କପଟାଚାରୀ ଛଞ୍ଚାଣମାନଙ୍କ ପଞ୍ଝାରୁ ନିରୀହ କପୋତମାନଙ୍କୁ ରକ୍ଷାକରିବା ଅବଶ୍ୟ ତାଙ୍କର ଉଦ୍ଦେଶ୍ୟ ଥିଲା । ବ୍ୟବସ୍ଥାରେ ଦେଖାଦେଇଥିବା ଫାଟକୁ ଅଧିକରୁ ଅଧିକ ବଡ଼ କରିବା ପାଇଁ ସେ ଚାହୁଁ ନ ଥିଲେ । ନିଜ ଦୃଷ୍ଟିରେ ଯାହା କରଣୀୟ ଓ ସ୍ପୃହଣୀୟ ତାକୁ ରୂପଦେବା ପାଇଁ ପ୍ରୟାସ କରୁଥିଲେ । ଫଳତଃ ବନ୍ଧୁମାନଙ୍କୁ ଶତ୍ରୁ ହେବା ପାଇଁ ବାଧ୍ୟ କରୁଥିଲେ । ଢେଲାମାଡ଼କୁ ବରଣ କରୁଥିଲେ । ଅନ୍ୟର ଗୋଇତଡ଼ା ଖୋଇ ଭିତରେ ନିଜକୁ ମୁଣ୍ଡିଆଳ ବେଶରେ ଠିଆ କରେଇବାର ଅଭିଳାଷ ଯେ ତାଙ୍କର ନଥିଲା, ଏକଥା ନୁହେଁ, ମାତ୍ର ଜଣେ ସୁଚତୁର ମଣିଷ ଭାବରେ ଆପଣା ପ୍ରବୃତ୍ତିକୁ ଅସଲବେଳେ ତେଜି ଦଉଥିଲେ । ପାଖରେ ପ୍ରମାଣ ବି ରଖୁଥିଲେ । କେହି ବିରୋଧ କଲେ, ତାର ପ୍ରତିବାଦ କରୁଥିଲେ । ଶେଷକୁ ଛଳବାହିନୀଶମାନଙ୍କ ଦ୍ୱାରା ତାଙ୍କ ଛିଦ୍ରାନ୍ୱେଷୀ, ପରଘରବୁଡ଼ା, ଚୁହଚକଟା ରୂପଟି ଯାହା ହାଟ ବଜାରରେ ଗଡ଼ଗଡ଼ୋଉଥିଲା ।

 

ମଧୁବାବୁଙ୍କ ସହକର୍ମୀ ଓ ସହଯୋଗୀ ଭାବରେ, ଉତ୍କଳ ସମ୍ମିଳନୀର ଯୋଜନା ପ୍ରସ୍ତୁତିରେ ସେ ଅସଲ ଲୋକ ଥିଲେ । ମାତ୍ର କିଛିବର୍ଷ ପରେ ଗୁରୁଙ୍କର କାର୍ଯ୍ୟକଳାପର ବିରୋଧ କଲେ । ତାଙ୍କ ବ୍ୟକ୍ତିତ୍ୱ, ଅହଂକାର ଓ ବଡ଼ିମାକୁ ସହିବା ପାଇଁ ସେ ପ୍ରସ୍ତୁତ ନଥିଲେ । ସମ୍ମିଳନୀ ଭିତରେ ଚାଲିଥିବା ପ୍ରକୃତପାଲାକୁ ସେ ପଦାରେ ପକେଇ ଦେଉଥିଲେ । ନେତାମାନଙ୍କର ନୀତି ଓ ରୁଚିବୋଧର ବିରୋଧ କଲେ, ସେମାନଙ୍କ ରାଜୁଡ଼ା ମନୋବୃତ୍ତିକୁ ସମାଲୋଚନା କଲେ । ଜଣେ ନିନ୍ଦୂକ, ଗୋଳିଆ ମଣିଷ ଭାବରେ ଇତିହାସରେ ତାଙ୍କ ନାଁ ଲେଖି ହୋଇଗଲା ।

 

ପ୍ରହରାଜ ଥିଲେ ଇଂରେଜମାନଙ୍କର ଜଣେ ମୁଗ୍‌ଧ ସ୍ତାବକ । ତାଙ୍କ ସ୍ତାବକତା ଥିଲା ହେତୁ ଆଧାରିତ । ଭାରତୀମାନଙ୍କର ସକଳ ଦାବୀକୁ ସେ ଖୋଲାଖୋଲି ସମାଲୋଚନା କରୁଥିଲେ । ଗୋରାମାନଙ୍କର ଶାସନନୀତିକୁ ପ୍ରଶଂସା କରୁଥିଲେ । ବିଭିନ୍ନ ସ୍ଥାନରେ, ସଭାସମିତିରେ ସେମାନଙ୍କର ସୁଶାସନର ବାଜା ବଜୋଉଥିଲେ । ‘‘ଇଂରେଜମାନେ ପୃଥିବୀର ସ୍ୱାଧୀନତାପ୍ରିୟ ଓ ସଭ୍ୟତମ ଜାତି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଭାରତ ଧନ୍ୟ ହୋଇଛି’’ (ଆ ଘ. ହା. ଚା-ପୃ ୩୫) ବୋଲି କହୁଥିଲେ । ବ୍ରିଟିଶ୍‌ରାଜାକୁ ‘ଶ୍ରୀକୃଷ୍ଣ’ ଓ ଭାରତୀୟମାନଙ୍କୁ ‘ବସ୍ତ୍ରହୀନ ଗୋପାଙ୍ଗନା’ମାନଙ୍କ ସହ ତୁଳନା କରୁଥିଲେ । * ଭାରତୀୟମାନଙ୍କର ସ୍ୱାୟତ୍ତଶାସନ ଓ ସ୍ୱରାଜ୍ୟ ଦାବିକୁ ‘ମନଗଢ଼ାମିଆଦ’’ (ବା.ବୁ. ପୃ’ ୬) ବୋଲି ସମାଲୋଚନା କରୁଥିଲେ । ସେମାନଙ୍କୁ ଏକ ଅସ୍ତିତ୍ୱହୀନ ଜାତିର ‘ବଂଶମରା ଡାହୁକ’ (ଧା, ବଂ. ପୁ.ପା-ପୃ ୨୪) ଭାବରେ ପରିହାସ କରୁଥିଲେ । ଇଂରେଜମାନଙ୍କୁ ମୁଣ୍ଡରେ ବସେଇଥିଲେ । ଗୋରାଚମଡ଼ାର ମଣିଷ ଦେଖିଲେ କୁରୁଳି ଉଠୁଥିଲେ । ରାୟ ବାହାଦୂର ଉପାଧି ଲାଭ, ଭାଷାକୋଷ ସଂକଳନ ପାଇଁ ପାଣ୍ଠି ସଂଗ୍ରହ ଓ ଜମିଦାର, ଗଡ଼ଜାତ ରାଜାମାନଙ୍କର ପ୍ରଶଂସାର ପାତ୍ର ହେବାପାଇଁ ତାଙ୍କ ମନରେ ଅଭିଳାଷ ଥିଲା । ସେ ସବୁକିଛି ପାଇଥିଲେ । ବିଚାରଶୀଳ ଭାବରେ ଚତୁର ରୀତିରେ ନିଜକୁ ପ୍ରକାଶ କରୁଥିଲେ । ଭାରତୀୟମାନଙ୍କ ଦୋଷ ଦେଖେଇଦେଉଥିଲେ । ବିଦେଶୀମାନଙ୍କୁ ଚନ୍ଦନଚର୍ଚ୍ଚିତ କରିବାର ଆଳରେ ସମାଲୋଚନା କରୁଥିଲେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତା ଭିତରେ ଥିବା ଦୋଷତ୍ରୁଟି ସବୁକୁ ପଦାରେ ଖୋଲି ଦେଉଥିଲେ । ବିଭିନ୍ନ କ୍ଷେତ୍ରରେ ଭାରତୀୟମାନଙ୍କ ବିଫଳତା ଓ ଅଯୋଗ୍ୟତାକୁ ପ୍ରାମାଣିକ ରୀତିରେ ଉପସ୍ଥାପନା କରୁଥିଲେ । ଅବଶ୍ୟ ସେତେବେଳର ସ୍ୱର ଥିଲା ଅଲଗା । ତଥାକଥିତ ସ୍ୱାଧୀନତା ସଂଗ୍ରାମୀ, କଂଗ୍ରେସୀମାନଙ୍କର ସମାଲୋଚନା ଏବଂ ଇଂରେଜମାନଙ୍କର ପ୍ରଶସ୍ତି ଗାନ କରିବା ଥିଲା ବ୍ୟକ୍ତିର ବିଜାତୀୟ ମାନସିକତାର ପ୍ରତୀକ ମାତ୍ର କଂଗ୍ରେସୀ ପୋଷାକ ଭିତରେ ‘ମ’କାର ସାଧନାରେ ବୁଡ଼ି ରହିଥିବା ଏବଂ ଶୋଷଣର ବିଚିତ୍ର ମାର୍ଗରେ ରଥୀ ସାଜିଥିବା ନେତାମାନଙ୍କ ଆଡ଼କୁ ଟିକିଏ ଆଙ୍ଗୁଳି ଦେଖେଇଦେଲେ ବିଚରାମାନଙ୍କର ନାଁ ଦେଶଦ୍ରୋହୀ ତାଲିକାରେ ଶୋଭାପାଉଥିଲା । ପ୍ରହରାଜେ ରାଇଜଯାକର ଅପନିନ୍ଦା ଓ ସମାଲୋଚନାକୁ ଆଦୌ ଖାତିର କରୁନଥିଲେ । ଅସହଯୋଗ ଆନ୍ଦୋଳନକୁ ମହାଭ୍ରମ, ଅବାଟ ଓ ସ୍ୱରାଜ୍ୟକୁ ‘ସ୍ୱରାଜ୍ୟ’ କହୁଥିଲେ । (ସ.ସ.ତା ୬।୩।୩୫) ବିଚାରଶୀଳ ଭାବରେ ପ୍ରହରାଜ ଇଂରେଜମାନଙ୍କର ପ୍ରଶଂସା ଓ ଦେଶୀ ସାହେବ, ନେତାମାନଙ୍କର ସମାଲୋଚନା କରୁଥିଲେ ସୁଦ୍ଧା, ତାଙ୍କ ସଚେତନ ହୃଦୟ ସ୍ୱାଧୀନତା ସ୍ୱପ୍ନର ବୀଭତ୍ସ ରୂପ ପରିକଳ୍ପନାରେ ବିଳାପ କରି ଉଠୁଥିଲା । ଏ କଥାକୁ ହୃଦୟଙ୍ଗମ କରିବା ପାଇଁ ଅନ୍ୟମାନେ କିନ୍ତୁ ପ୍ରସ୍ତୁତ ନଥିଲେ । ମୁହଁଭୁରୂଡ଼ି ମାରିବାରେ ସେମାନେ ଥିଲେ ସୁଦକ୍ଷ । ପ୍ରହରାଜେ ଦେଶର ଭବିଷ୍ୟତ ସଂକ୍ରାନ୍ତରେ ସଚେତନ ଥିଲେ । ସମାଲୋଚନା କରିବା, ଅନ୍ୟମାନଙ୍କର ଦୋଷତ୍ରୁଟିକୁ ଉଖାରିଦେବା ତାଙ୍କର ରକ୍ତଗତ ଅଭ୍ୟାସ ଥିଲା । ଅବଶ୍ୟ ୧୯୩୦ ମସିହା ପରେ ତାଙ୍କ ‘ଅନୁଦାରତା’ ଊଣା ପଡ଼ିଆସୁଥିଲା । ମାତ୍ର ସେତେବେଳେ ସେ ଜଣେ ଗୋଳିଆ ମଣିଷର ରୂପାନ୍ତରିତ ହୋଇ ସାରିଥିଲେ । ପ୍ରତ୍ୟକ୍ଷ ସେତେବେଳେ ସେ ଜଣେ ଗୋଳିଆ ମଣିଷରେ ରୂପାନ୍ତରିତ ହୋଇ ସାରିଥିଲେ । ପ୍ରତ୍ୟକ୍ଷ ରାଜନୀତି ସହିତ ତାଙ୍କର ପ୍ରାୟ ସଂପର୍କ ନଥିଲା । ଭାଷାକୋଷ ଚିନ୍ତାରେ ସେ ସବୁବେଳେ ବୁଡ଼ି ରହୁଥିଲେ । ଟିକିଏ ମାତ୍ର ସୁଯୋଗ ପାଇଲେ, ତାଙ୍କ ମୁହଁଟି ଆପେ ଆପେ ପଦାକୁ ବାହାରି ଆସୁଥିଲା । ଅପବାଦ ପଥର ଅପ୍ରତିଦ୍ୱନ୍ଦୀ ବାଟୋଇ ଭାବରେ ତାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଆଖିରେ ଲାଖି ରହିଥିଲା ।

 

*

କଟକଠାରେ ‘ବ୍ରିଟିଶ୍‌ଗଭର୍ଣ୍ଣମେଣ୍ଟ ଲେପ୍ରସି ରିଲିଫ ଆସୋସିଏସନ୍‌’ର ଶାଖା ଉଦ୍‌ଘାଟନ କାଳରେ, ପ୍ରହରାଜଙ୍କ ଅଭିଭାଷଣରେ ଏହା ପ୍ରକାଶ ପାଇଥିଲା । ଉକ୍ତ ସଭାରେ ଉପସ୍ଥିତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମଧ୍ୟ ତାର ବିରୋଧ କରିଥିଲେ । ତଥ୍ୟଦାତା–ଫତୁରାନନ୍ଦ ।

 

ପ୍ରହରାଜଙ୍କ ବ୍ୟକ୍ତିକ ଯୌନ ଜୀବନ ଥିଲା ଅନ୍ୟମାନଙ୍କ ଦୃଷ୍ଟିରେ ସବୁଠାରୁ ଅଧିକ ପ୍ରଦୂଷିତ । ପୃଥିବୀର ପ୍ରାୟ ପ୍ରତ୍ୟେକ ମଣିଷ ଯୌନଚର୍ଯ୍ୟାର ପରକୀୟାଦିଗକୁ ଆଡ଼ ଆକ୍ଷିରେ ପରିଶୀଳନ କରନ୍ତି । ନାକ ଟେକନ୍ତି । ଆଉ କାହାର ଦକ୍ଷିଣଦୁଆରୀ ଘର ଭିତରେ ପଶିଗଲେ ମଣିଷର ସବୁପୁଣ୍ୟ ଯେମିତି ମାରା ହୋଇଯାଏ । ବ୍ୟକ୍ତି ଜୀବନର ଆଲୋକିତ ଦିଗଗୁଡ଼ିକ ଦିଗବଳୟରେ ରୂପାନ୍ତରିତ ହୋଇଯାନ୍ତି । ଅଥଚ ସମାଜର ତଥାକଥିତ ବୀର, ସୁର, ସମାନ୍ତ, ବଡ଼ପଣ୍ଡମାନେ ନିଜ ଇଚ୍ଛା ଓ ରୂଚିମତେ ଜୀବନର ସେଇ ଆବଶ୍ୟକତାକୁ କେତେ ଭଙ୍ଗୀରେ, କେତେ ରୀତିରେ ପୂରଣ କରନ୍ତି । ସେ ସବୁ ସେମାନଙ୍କର ବୀରତ୍ୱର ପରିଚୟ ପତ୍ର । ବୀର ପୁଙ୍ଗବମାନଙ୍କର ଭୋଗ୍ୟ ହେବା କାଳେ ରମଣୀମାନଙ୍କର ପରମ ସୌଭାଗ୍ୟ । ଆମ ଶାସ୍ତ୍ର, ପୁରାଣ ଓ କାବ୍ୟ ବୀର ଓ ବୀରାମାନଙ୍କର ଗୁଣଗାନରେ ମୁଖର । ଯେଉଁମାନେ କଳାକନା ଘୋଡ଼ି ହୋଇ, ଗଳି ଉପଗଳିର ବାଟଦେଇ କେତେନାଇଁ କେତେ ହାଣ୍ଡିରେ ଥଣ୍ଟ ମାରିଦେଇ ଆସନ୍ତି । ଏତେ ବାଗରେ ଥଣ୍ଟ ମାରନ୍ତି ଯେ, ଅନ୍ୟମାନଙ୍କ କଳ୍ପନାରେ ସ ରୀତିଗୁଡ଼ିକ ଧରାଦିଏନା ଅଥଚ ସେମାନଙ୍କ ନାମ, ଗୁଣ ଓ ଯଶକୁ ଅନ୍ୟମାନେ ପବିତ୍ର ଗଙ୍ଗାଜଳ ପରି ଦେହରେ ଛିଞ୍ଚି ହୁଅନ୍ତି । ପବିତ୍ର ଉଦକଜ୍ଞାନରେ ତୁଣ୍ଡରେ ମାରନ୍ତି । ବୀର ଏବଂ ଚୋର ଉଭୟେ ସିଆଣିଆ ଏବଂ ଅନ୍ୟମାନେ ସିଆଣିଆମାନଙ୍କ ବାଣର ଭକୁଆ – ଦେଖଣାହାରୀ । ଜଗତରେ ଏମିତି କୌଣସି ଅନ୍ୟାୟ ନାହିଁ, ଯେଉଁଥିରେ ସେମାନେ ବୁଡ଼ ପକେଇନଥାନ୍ତି । ଅଥଚ ଅନ୍ୟମାନଙ୍କଦ୍ୱାରା ସେମାନେ ଷୋଡ଼ଶୋପଚାରେ ପୂଜିତ ହେଉଥାନ୍ତି । ଭାରତୀୟମାନେ ଭଣ୍ଡ, ଗାଲୁ, ମାରୁ ଏବଂ ଆନରମଣୀ ରଞ୍ଜକ ସୁରସିକମାନଙ୍କୁ ଅଧିକ ଭକ୍ତି ଓ ଆବେଗରେ ବନ୍ଦନା କରନ୍ତି । ପ୍ରହରାଜେ ସୁରପ୍ରତିମ ସୁରସିକ ଥିଲେ । ମଲ୍ଲୀମାଳ ହାତରେ ଧରି ନିଷିଦ୍ଧାଞ୍ଚଳରେ ବିହାର କରିବାର ଦକ୍ଷତା ତାଙ୍କର ଥିଲା । ମାତ୍ର ସେ ଚୋର ନଥିଲେ । ଗାଲୁଆମି କରୁ ନଥିଲେ । ରସିକ ପଣିଆର କଳାକଉଶଳକୁ ବଡ଼ ଅକପଟ ଭାବରେ ଖୋଲିଦେଉଥିଲେ ଅନ୍ୟମାନଙ୍କ ଆଗରେ ।

 

ସ୍କୁଲ, କଲେଜରେ ପଢ଼ିବା କାଳରେ ହିଁ ପ୍ରହରାଜ, ଆପଣା ଶୃଙ୍ଗାରବିଳାସ ପାଇଁ ସାଥୀ ଯୋଗାଡ଼ କରିବାକୁ ଗୋଡ଼ କାଢ଼ିଥିଲେ ଏବଂ ଏଥିପାଇଁ ତାଙ୍କ ପାରିବାରିକ ବ୍ୟବସ୍ଥା କେତେକ ପରିମାଣରେ ଦାୟୀ ଥିଲା । ଅଠର ବର୍ଷ ବୟସରେ ବାହା ହୋଇଥିଲେ ଆଠବର୍ଷର ଝିଅକୁ । ବାରବର୍ଷ ବୟସରେ ସ୍ତ୍ରୀ ଘରଯୋଗ୍ୟ ହେବା ପର୍ଯ୍ୟନ୍ତ ମାତ୍ର ଚାରିପାଞ୍ଚ ଥର ତାଙ୍କୁ ସାକ୍ଷାତ୍‍ କରିଥିଲେ । ସାକ୍ଷାତ୍‍ର ସମୟ ପୁଣି ପାଞ୍ଚଦଶ ମିନିଟ୍‌ରୁ ଅଧିକ ସମୟ ନଥିଲା । ପୁଅ-ବୋହୂଙ୍କୁ ଘର ଭିତରେ ପୂରେଇ ଦେଇ ବୋଉ ଜଗିବସୁଥିଲେ ଦୁଆର ମୁହଁରେ । ରଜୋଦର୍ଶନ ପରେ ଗଣ୍ଡଦୋଷ ପଡ଼ିବାରୁ ଅର୍ଦ୍ଧାଙ୍ଗିନୀର ମୁଖଦର୍ଶନ ପାଇଁ ତାଙ୍କୁ ଆହୁରି ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିଥିଲା । ସବୁ ବିଧିବିଧାନକୁ ସ୍ୱୀକାର କରିସାରି, ମନୋହାରିଣୀର ମୁଖଦର୍ଶନ କଲାବେଳକୁ ପ୍ରକୃତରେ ସେ ଘରଯୋଗ୍ୟା ହୋଇ ନଥିଲେ । କେବଳ ସେତିକି ନୁହେଁ, ଶ୍ରୀଅକ୍ଷର ବିବର୍ଜିତା ସ୍ତ୍ରୀକୁ ଅକ୍ଷର ଶିଖେଇବାପାଇଁ ଆବଶ୍ୟକୀୟ ଉପକରଣ ଶ୍ୱଶୁର ଘରକୁ ପଠେଇବାର ଅପରାଧରେ ବୋଉଦ୍ୱାରା ତାଙ୍କୁ ନାକ ଘଷିବାକୁ ପଡ଼ିଥିଲା । ତାଙ୍କ ପତ୍ନୀ ଅବଶ୍ୟ ଖୁବ୍‌ସୁନ୍ଦରୀ ଥିଲେ । ମାତ୍ର ଏପରି ଏକ ବ୍ୟବସ୍ଥା ଭିତରେ ପ୍ରହରାଜଙ୍କ ଗୋଡ଼ ଆପଣାଛାଏଁ ତା ବାଟରେ ଖସିଯାଇଥିଲା । ତାଙ୍କ ତରୁଣ ପ୍ରାଣକୁ ଅଧିକ ତେଜ ଦେଇଥିଲା ସଂପର୍କୀୟ ମାଧବ ଭାଇନାଙ୍କ ବିଳାସସମୟ ଜୀବନଚିତ୍ର । ଭାଇନାଙ୍କ ଘରେ ସଂଗୀତର ଆଖଡ଼ା ଚାଲୁଥିଲା । ସୁରସିକମାନଙ୍କର ମେଲଣ ବସୁଥିଲା । କଟକରୁ ସୁରସିକା, କାମତୁଣୀ ବିଳାସିନୀମାନେ ବି ଆସୁଥିଲେ । ମୋଟା ବକ୍‌ସିସ୍‌ରେ ସେମାନଙ୍କ ଅଣ୍ଟି ପୂରୁଥିଲା । ଘର ଭିତର ଏସେନ୍‌ସର ମହକରେ ଫାଟି ପଡ଼ୁଥିଲା । ଅହିଫେନ୍‌ ଓ ସୁବାସିତ ପାନୀୟର ନିଶାରେ ସେମାନଙ୍କ ଜୀବନର ସକଳ ଅବଶୋଷ ଧୋଇହୋଇ ଯାଉଥିଲା । ମାଧ ଭାଇନାଙ୍କ ଘରକୁ ନଯିବାପାଇଁ ବାପା ଯେତିକି ବେଶି ଆକଟ କରୁଥିଲେ, ପ୍ରହରାଜଙ୍କ ତାରୁଣ୍ୟ ସେତିକି ଅଧିକ ଭାବରେ ଛନ୍ଦି ହୋଇଯାଉଥିଲା ଉପଭୋଗର ନିଯୋଗ ଭିତରେ । (ଆତ୍ମଜୀବନୀ: ପ୍ରହରାଜ ପରିକ୍ରମା)

 

ସେ ସମୟ ହିଁ ସେମିତି ଥିଲା । କଲେଜ ଛାତ୍ର, ତଥାକଥିତ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ବେଶ୍ୟାସଙ୍ଗ, ମଦ୍ୟ ଓ ଅହିଫେନ ସେବନ ଫେସନରେ ପରିଣତ ହୋଇଯାଇ ଥିଲା । ଏସବୁ ବିଦ୍ୟାର ସାଧକମାନେ ମୁଖଲଜ୍ଜ୍ୟାକୁ ବି ଭୁଲି ଯାଇଥିଲେ । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆୟୋଜିତ ଗଣେଶ ମୂର୍ତ୍ତି ଆଗରେ ମଧ୍ୟ ବାଇନାଚର ଆସର ଜମୁଥିଲା । ପ୍ରହରାଜ ସେଇ ବାଟରେ ହିଁ ଖସିଗଲେ । ତକିଆକୁ ବିଛଣାରେ ଲମ୍ୱକରି ଶୁଆଇଦେଇ, ତା ଉପରେ ଚଦର ଘୋଡ଼େଇ ଦେଉଥିଲେ । ସାନ ଭାଇକୁ ତକିଆଗୁଡ଼ାକର ଜିମାଦେଇ, ନିଜେ ବାହାରିଯାଉଥିଲେ ନୈଶବିହାର ପାଇଁ । ପରେ ପରେ ‘‘ନୈଶାଭିଯାନ ସହିତ ଦିବାଭିଯାନ’’ ବି ସଂଯୋଜିତ ହେଲା । କଲେଜରେ ହାଜିରା ପକେଇଦେଇ କିମ୍ୱା କଲେଜ ଯିବା ବାଟକୁ ଭୁଲିଯାଇ ଅସଲ ତୀର୍ଥରେ ଆଶ୍ରୟ ଲୋଡୁଥିଲେ । ସେମାନଙ୍କ ପ୍ରୀତାର୍ଥେ କେତେ ଲୋଭନୀୟ ପଦାର୍ଥ ବଜାରରୁ କିଣି ନେଉଥିଲେ । ପଞ୍ଚ‘ମ’କାର ସାଧନା ଭିତରେ ଜୀବନର ପୂର୍ଣ୍ଣତା ଉପଲ୍‌ବଧି କରୁଥିଲେ । ସଙ୍ଗଦୋଷ ଓ ଦେହଚର୍ଯ୍ୟାର ଆକର୍ଷଣରେ ଶୃଙ୍ଖଳାର ଆକଟ ମାନିବାକୁ ମଧ୍ୟ ସେ ପ୍ରସ୍ତୁତ ନଥିଲେ । ଏଥିପାଇଁ ଉପଦଂଶ ଓ ମେହିରୋଗର ଶିକାର ହୋଇଥିଲେ । ଜୀବନର ବହୁଚର୍ଚ୍ଚିତ କୀର୍ତ୍ତିକଳାପ ବାପାଙ୍କ ଆଖିରେ ଧରାପଡ଼ିଯିବା ପରେ ଅବଶ୍ୟ ସେ ନିଜ ବାଟକୁ ଫେରିଆସିଥିଲେ । ସୁହାସିନୀମାନଙ୍କ ସଙ୍ଗସୁଖ ପରିହାର କରି ପାଠପଢ଼ାରେ ମନ ଦେଇଥିଲେ । ସାରା ଓଡ଼ିଶାରେ ଏଣ୍ଟ୍ରାନ୍‌ସ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ଏଫ୍‌. ଏ. ଶ୍ରେଣୀରେ ହିଡ଼ ଡେଇଁବା ସମ୍ଭବ ହୋଇନଥିଲା ଖାସ୍‌ ସେଇଥିପାଇଁ । ଅନୁତାପ ନିଆଁରେ ପୋଡ଼ିହେଇ ସେ ପରୀକ୍ଷା ଦେଇଥିଲେ ଏବଂ ସାରା ଓଡ଼ିଶାରେ ଏଫ୍. ଏ. ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୮୯୮ ମସିହାରେ ରେଭେନ୍‌ସାରୁ ବି. ଏ. ପାସ୍‌ କଲେ । (ଆତ୍ମଜୀବନୀ : ପ୍ର.ପ. ପୃ ୧୦୭-୧୧୪) ମାତ୍ର ମଧୁଲୋଭୀ ରସିକର ଏ ଫେରନ୍ତା ରାସ୍ତା ଥିଲା ସାମୟିକ ପରିବର୍ତ୍ତନ ମାତ୍ର ।

 

ରାଜାମହାରାଜାଙ୍କର ପୌରୁଷର ବିହାରକ୍ଷେତ୍ର ଥିଲା ରାଣୀହଂସପୁର । ପାଟମହିଷୀଙ୍କ ବ୍ୟତୀତ ବହୁରାଣୀଙ୍କ କଳକୋଳାହଳରେ ମହୀପତିଙ୍କ ବୀରତ୍ୱର ବାନା ଉଡ଼ୁଥିଲା । ଜମିଦାରମାନଙ୍କ ଉଆସ ଫାଟିପଡ଼ୁଥିଲା ଦାସୀପୋଇଲୀମାନଙ୍କ ମୁଖରୋଳରେ । ପୋଇଲୀ ପାଳନ ଥିଲା ସେମାନଙ୍କ ବଂଶ-ଆଭିଜାତ୍ୟର ସଂକେତ । ମାତ୍ର ସେଇ ବଂଶର ନବଶିକ୍ଷିତ ଦାୟାଦମାନେ ପୋଇଲୀବେଷ୍ଟିତ ଜୀବନକୁ ‘ଛି’ କରି ଦେଇଥିଲେ । ସେମାନଙ୍କ ରକ୍ତର ଔଦ୍ଧତା ପ୍ରକାଶିତ ହେଉଥିଲା ଭିନ୍ନରୂପରେ । ବାରଙ୍ଗନା ବିପଣୀରେ ସେମାନେ ପଣି ଦେଉଥିଲେ । ଏକାଧିକ ରକ୍ଷିତାଙ୍କ କ୍ଷିତିର ଅଧିପତି ସାଜୁଥିଲେ । ବେଳକାଳ ଦେଖି ବାରହାଣ୍ଡିରେ ଚାଉଳ ପକୋଉଥିଲେ । ରକ୍ଷିତାରକ୍ଷଣ ଥିଲା ନବ୍ୟ-ସାମନ୍ତବାଦୀମାନଙ୍କର ବିଳାସ, ସାମନ୍ତପଣିଆର ସଂକେତ । ପ୍ରହରାଜ ଏ ପରଂପରାର କୀଟିଟିଏ ଥିବେ । ମାତ୍ର ଅମଣିଷପଣିଆ ତାଙ୍କୁ ଗ୍ରାସ କରି ନଥିଲା । ଚୋରାଣିଆ ସାମନ୍ତପଣିଆକୁ ସେ ଘୃଣା କରୁଥିଲେ । ବୁଡ଼ି ବୁଡ଼ି ପାଣି ପିଇବା କଳାରେ ସେ ସୁଦକ୍ଷ ନଥିଲେ । ତାଙ୍କ କାମଗୁଡ଼ିକ ଛଟ୍‌କିନା ପଦାରେ ପଡ଼ିଯାଉଥିଲା । ସୀମାବଦ୍ଧ ବାଡ଼ ଭିତରେ ଆବଦ୍ଧ ରହିବା ତାଙ୍କ ଜାତକରେ ନଥିଲା । ଯାହା ଭାବୁଥିଲେ, ତାହା କହୁଥିଲେ । ଯାହା ଇଚ୍ଛା କହୁଥିଲେ, ତାହା କରୁଥିଲେ । ପରିଣତିର ଅପେକ୍ଷା ରଖୁନଥିଲେ । କାହାରି ଆକ୍ଷିମିଟିକାକୁ ଖାତିର କରୁନଥିଲେ । ଏଥିପାଇଁ ତାଙ୍କ ଅନେକ କିଛି ଦେବାକୁ ପଡ଼ୁଥିଲା । ତାଙ୍କ ସାମାଜିକ ପ୍ରତିଷ୍ଠାରେ ମଧ୍ୟ ଆଞ୍ଚ ଆସୁଥିଲା । ମାତ୍ର ଏହି ଭୟଙ୍କର ଜିଦ୍‌ଖୋର ଓ ସ୍ପଷ୍ଟବାକ୍‌ ମଣିଷଟି, ଆପଣା ରୁଚି ଓ ଆଦର୍ଶ ବ୍ୟତୀତ ସାମାଜିକ ସ୍ୱୀକୃତି ଓ ନୀତିବୋଧକୁ ସମ୍ମାନ ଦେବାପାଇଁ ପ୍ରସ୍ତୁତ ନଥିଲେ ।

 

ତାଙ୍କର ନାରୀ-ସଂପର୍କିତ ଜୀବନର କେନ୍ଦ୍ରବିନ୍ଦୁ ଥିଲେ ଶାଳୀ ପୀତାମ୍ୱରୀ ଦେବୀ । ପୀତାମ୍ୱରୀ ଓରଫ ମନମୋହିନୀ ଦେବୀ, ବୟସରେ ଥିଲେ ପ୍ରହରାଜଙ୍କ କନ୍ୟା ପ୍ରତିମା । ତାଙ୍କଠାରୁ ଏକତିରିଶ ବର୍ଷ ସାନ । ଏପରିକି ମୁକ୍ତାମଣିଙ୍କ ଜନ୍ମର ଏକୋଇଶ ଓ ବିବାହର ତେର ବର୍ଷ ପରେ ତାଙ୍କର ଜନ୍ମ । ପୀତାମ୍ୱରୀ (୧୯୦୫-୮୯) ସାକ୍ଷୀଗୋପାଳର ସନ୍ଥଗାଁରେ ବିବାହ କରିଥିଲେ । ମାତ୍ର ଦଇବ ଯୋଗକୁ ମାତ୍ର ବାରବର୍ଷ ବୟସରେ ତାଙ୍କୁ ବିଧବା ହେବାକୁ ପଡ଼ିଥିଲା । ସେ ବଡ଼ ହେଲେ । ନିଜକୁ, ଦୁନିଆକୁ ଆପଣା ଆଖିରେ ଦେଖିଲେ, ବିଚାରରେ ତଉଲିଲେ, ସାମାଜିକ ଶୃଙ୍ଖଳାକୁ ସ୍ୱୀକାର କରିବା ପାଇଁ ତାଙ୍କ ଦେହ ଓ ମନ ପ୍ରସ୍ତୁତ ନଥିଲା । ବାପଘର ଓ ଶାଶୁଘର ଦୁଇଜାଗାରେ ଅଭାବର ଭୂତ ନାଟ କରୁଥିଲା । ସେ ଭାଙ୍ଗିପଡ଼ୁଥିଲେ । ଅଧିକାଂଶ ସମୟ ବଡ଼ ଭଉଣୀ ପାଖରେ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପଡ଼ୁଥିଲା । ବେଳେବେଳେ ଭିଣୋଇଙ୍କ ସାଙ୍ଗରେ କଟକ ସହରରେ ମଧ୍ୟ ଡେରା ପକୋଉଥିଲେ । ଶଗଡ଼ରେ ଜିନିଷପତ୍ର ନଦା ହୋଇ ତାଙ୍କ ଘରକୁ ଯାଉଥିଲା । ଅନେକ ସମୟରେ ପ୍ରହରାଜଙ୍କ ଘୋଡ଼ାଗାଡ଼ିର ଟଣ ଟଣ ଶବ୍ଦ ତାଙ୍କ ଘର ଭିତରେ କିଣି କିଣି ନାଦ ସୃଷ୍ଟି କରୁଥିଲା । ତାଙ୍କ ପରିବାର ସଦସ୍ୟମାନଙ୍କଠାରୁ ଜଣାଯାଏ– ପ୍ରହରାଜେ କାଳେ ସେ ପଞ୍ଜୁରୀ ଭିତରେ ଧରାଦେଇଥିଲେ । ତାଙ୍କ ପାଖରେ ଅଲଗା ମଣିଷ ହୋଇଯାଇଥିଲେ । ବାଳୁତ ବିଧବା ଦିବ୍ୟା ନହୋଇ ଦେବୀ ହୋଇଥିଲେ । ପ୍ରହରାଜ ହିଁ ଥିଲେ ତାଙ୍କ ଦିବ୍ୟାତ୍ୱର ପରିଣତା । ପୀତାମ୍ୱରୀଙ୍କ ସାମାଜିକ ସ୍ୱୀକୃତି ପାଇଁ ସେ ଆହୁରି ଅନେକ କିଛି କରିଥିଲେ । ସ୍ୱାମୀଙ୍କ ସଂପତ୍ତିରେ ବିଧବାପତ୍ନୀଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ତାଙ୍କୁ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡ଼ିଥିଲା । ସେ ଜିତିଥିଲେ । ପୀତାମ୍ୱରୀ ଶାଶୁଘର ସଂପତ୍ତିର ଅଧିକାରିଣୀ ହୋଇପାରିଥିଲେ । ସେ ବିଧବାର ତତ୍ତ୍ୱାବଧାରକ ଭାବରେ ନିଯୁକ୍ତି ପାଇଲେ । ତାଙ୍କ ସାମାଜିକ ପ୍ରତିଷ୍ଠା ଓ ସୁଖ ପାଇଁ ଶାଶୁଘର ଢିଅ ଉପରେ କୋଠାଘର ତିଆରିଠାରୁ ଆରମ୍ଭ କରି ଆହୁରି ଅନେକ କିଛିର ବ୍ୟବସ୍ଥା କରିଥିଲେ ।

 

ଅନ୍ୟପକ୍ଷରେ ପ୍ରହରାଜଙ୍କ ଘରଣୀ ମୁକ୍ତାମଣି ସବୁବେଳେ ଘରଧନ୍ଦାରେ ହିଁ ବୁଡ଼ି ରହୁଥିଲେ । ଜମିଦାରୀର ହାନିଲାଭ, ଘର ତିଆରି ପରି ଅନେକ କାମରେ ସେ ବ୍ୟସ୍ତ ରହୁଥିଲେ । ନିଜ ସ୍ୱାମୀ ଓ କନ୍ୟାପ୍ରତିମ ସବା ସାନ ଭଉଣୀ ଭିତରେ ଗଢ଼ିଉଠିଥିବା ସଂପର୍କ ବିଷୟରେ ବାରକଥା ଶୁଣୁଥିଲେ ସୁଦ୍ଧା, ଶୁଣାକଥା ଉପରେ ଏତେ ଗୁରୁତ୍ୱ ଦେଉନଥିଲେ । ପୁଅ ଚନ୍ଦ୍ରଶେଖର (୧୯୦୧-୫୬)ଠାରୁ ଭଉଣୀ ଥିଲା ପାଞ୍ଚବର୍ଷ ସାନ । ଏଣେ ଭାଷାକୋଷ ଓ ବୃତ୍ତିସେବାରେ ସମାହିତ ପ୍ରହରାଜ ଆତ୍ମସେବା ପ୍ରତି ଥିଲେ ଉଦାସୀନ । ଘରେ ବରାବର ହାଜିରାପକେଇବା ସମ୍ଭବ ହେଉନଥିଲା । ସ୍ୱାମୀ ଅନୁରାଗିଣୀ ମୁକ୍ତାମଣି ଏଥିପାଇଁ ଏତେ ଉଦ୍‌ବିଗ୍ନା ନଥିଲେ ଏବଂ ସୁଚତୁର ପ୍ରହରାଜ ପତ୍ନୀକୁ ବିଷୟବାସନାର ଆକର୍ଷଣ ଭିତରେ ତାଳୁ ପର୍ଯ୍ୟନ୍ତ ବୁଡ଼େଇ ରଖିବାରେ ସମ୍ଭବତଃ ଏତେ ଟିକିଏ କୃପଣ ହେଉନଥିଲେ ।

 

ମାତ୍ର ମୁକ୍ତାଙ୍କ ଭିତରେ ଜନ୍ମ ନେଇଥିବା ସ୍ୱାମୀ-ଭଗିନୀକୈନ୍ଦ୍ରିକ ଭିନ୍ନ ସଂପର୍କରେ ସନ୍ଦେହ ଗ୍ରନ୍ଥ ଖୋଲି ହୋଇଯାଇଥିଲା ୧୯୨୬ ମସିହା ପରେ । ସେହି ବର୍ଷ ‘ଢଗଢମାଳୀ ବଚନ’ର ପ୍ରଥମ ଭାଗ ପ୍ରକାଶ ପାଇଲା । ପୀତାମ୍ୱରୀ ପ୍ରହରାଜଙ୍କ ସହଯୋଗିନୀ ହେଲେ । ଭାଷାକୋଷର ସହାୟିକା ଭାବରେ କଟକରେ ତାଙ୍କୁ ରହିବାକୁ ପଡ଼ିଲା । ଭାଷାକୋଷର ସେବାକାରିଣୀ ଓ ପ୍ରହରାଜଙ୍କ ସହକର୍ମିଣୀ ଭାବରେ ସେ ସ୍ୱୀକୃତି ପାଇଲେ । ଭଉଣୀକୁ କେନ୍ଦ୍ରକରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତରର ପାଚେରୀଟିଏ ଗଢ଼ିଉଠିଲା । ଶୁଣାଯାଏ, ସେଥିପାଇଁ ସେଇ ମୁହୂର୍ତ୍ତରେ ହିଁ କଟକ ଛାଡ଼ି ଚାଲିଯାଇଥିଲେ । କ୍ରମଶଃ ଗ୍ରାମ ସହିତ ପ୍ରହରାଜଙ୍କ ସଂପର୍କ ମଧ୍ୟ ତୁଟି ଆସିଲା । ସେପଟର ସମସ୍ୟାଗୁଡ଼ିକୁ ମା’ପୁଅ ଦୁହେଁ ସମାଳି ନେଲେ । ବିଭେଦର ପାଚେରୀ କ୍ରମଶଃ ଏତେ ଉଚ୍ଚା ହୋଇଯାଇଥିଲା ଯେ, ସେମାନଙ୍କ ଭିତରେ ସାଧାରଣ ମଣିଷର ସଂପର୍କବୋଧ ଟିକକ ମଧ୍ୟ ତୁଟି ଯାଇଥିଲା । କେହି କାହା ମୁହଁ ଚାହିଁବା ଲାଗି ମଧ୍ୟ ପ୍ରସ୍ତୁତ ନଥିଲେ-। ଉଭୟେ ପରସ୍ପର କଟକଣାମାନ ଲାଗୁ କରିବାରେ ଲାଗିଲେ । ପ୍ରହରାଜେ ପୀତାମ୍ୱରୀକୁ ଆଇନତଃ ସମକର୍ମିଣୀ ଭାବରେ ଗ୍ରହଣ କରି ନଥିଲେ ସୁଦ୍ଧା, ସେମାନଙ୍କ ଚାରିପାଖରେ ନିନ୍ଦା ଅପବାଦର ନାଗରା ବାଜିଲା । ବଡ଼ ଘରର ଗୁମର କଥା ହାଟ ବଜାରରେ ଗଡ଼ଗଡ଼େଇଲା । ମାତ୍ର ଏ ନାଗରା ପ୍ରତି ସେ ଥିଲେ ସଂପୂର୍ଣ୍ଣ ଉଦାସୀନ ।

 

ପୀତାମ୍ୱରୀ ପ୍ରକୃତରେ ଥିଲେ ପ୍ରକୃତି ଅନୁରୂପା, ମନମୋହିନୀ । ପ୍ରହରାଜଙ୍କ ‘ମ’କାର ମାର୍ଗୀ ମନକୁ ନିଜ ଭିତରେ ବାନ୍ଧି ରଖିପାରିଥିଲେ । ବୟସର ଧାପରେ ନଇଁ ଯାଉଥିଲେ ସୁଦ୍ଧା, କାମନାକୁ ସତେଜ ରଖିବାପାଇଁ ସେ ଖୁବ୍‌ ସଚେତନ ଥିଲେ । ସେ ପୀତାମ୍ୱରୀଙ୍କ କଳାପ୍ରବଣ ମନକୁ ଖୋରାକ ଯୋଗେଇବାପାଇଁ ବେହେଲା, ହାରମୋନିୟମ ପରି ବାଦ୍ୟଯନ୍ତ୍ର ବାଦନ ଶିକ୍ଷାର ବ୍ୟବସ୍ଥା କରିଥିଲେ । ସମାଜର ତଥାକଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ତାଙ୍କର ନିବିଡ଼ ସଂପର୍କ ଗଢ଼ିଉଠିଥିଲା । ଉଭୟେ ଗାଡ଼ିରେ ବସି କେତେ ବଡ଼ ବଡ଼ ଜାଗାରେ ଏକାଠି ହେଉଥିଲେ । ତାଙ୍କୁ ଜଣେ ବିଶିଷ୍ଟ ସାହିତ୍ୟିକାର ସମ୍ମାନ ଦେଇଥିଲେ । ତାଙ୍କ ନାଁରେ, ଉତ୍କଳ ସାହିତ୍ୟ ପ୍ରେସ୍‌ଦ୍ୱାରା ପ୍ରକାଶିତ ‘କାନ୍ତରା ବାବୁ’ ଉପନ୍ୟାସର ବିଜ୍ଞାପନ ପ୍ରଦାନ ଆଳରେ, ‘‘ପଲ୍ଲୀକୋଣର ନିଗଡ଼ବନ୍ଧା ଉତ୍କଳ ନାରୀ ଆଲୋକ ଓ ଶିକ୍ଷା ପାଇଲେ କିପରି ସ୍ୱକୀୟ ହୃଦୟର ଭାବରାଜିକୁ ମନୋହର ଭାଷାରେ ପ୍ରକାଶ କରି ବୀଣାପାଣିଙ୍କର କୁଞ୍ଜ ମଣ୍ଡନ କରିପାରେ, ଶ୍ରୀମତୀ ପୀତାମ୍ୱରୀ ତାହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଲେଖିକା ସ୍ୱୀୟ ଅନୁଭବସିଦ୍ଧ ଗୋଟିଏ ସାମାଜିକ ଚିତ୍ରକୁ ଖୁବ୍‌ ଦକ୍ଷତାର ସହିତ ନାରୀସୁଲଭ କାନ୍ତକୋମଳ ଭାଷାରେ ଅଙ୍କନ କରି ସୁନ୍ଦର ଉପନ୍ୟାସ ଗଢ଼ି ତୋଳିଛନ୍ତି । ଭାଷାର ସ୍ୱାଭାବିକ ବିକାଶଧାରା ବାସ୍ତବିକ ପ୍ରାଣରେ ଏକ ମହନୀୟ ଭାବନାର ସ୍ରୋତ ଖେଳାଇଦିଏ । ପଢ଼ୁ ପଢ଼ୁ ପ୍ରାଣ ମୁଗ୍‌ଧ ନ ହୋଇ ରହିପାରିବ ନାହିଁ’’ ବୋଲି ପ୍ରକାଶ କରିଥିଲେ । (ସ. ସ. ତା ୩୦।୧।୧୯୩୫) ଭାଷାକୋଷ ଆଶ୍ରମରେ ପ୍ରଜାପତିଟିଏ ପରି ସେ ଉଡ଼ି ବୁଲୁଥିଲେ । ଅନୁଶାସିକାର ଦର୍ପରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ବୃଦ୍ଧ ପ୍ରହରାଜଙ୍କ ଜୀବନନାଟି ତାଙ୍କରି ନିର୍ଦ୍ଦେଶରେ ଦୋହଲୁ ଥିଲା ଏବଂ ‘ପୀତାମ୍ବରୀ ଶ୍ରୀରାଧା, ପାଇ ମଦନ ବାଧା, ଭିଜିଲେ ଗୋପାଳଚନ୍ଦ୍ରଙ୍କୁ’ ବୋଲି ଲୋକେ ଗୀତ ବି ବୋଲୁଥିଲେ । କେବଳ ରୂପର ଜାଲରେ ପ୍ରହରାଜଙ୍କ ପରି ମଣିଷକୁ ସେ ଯେ ଛନ୍ଦି ପକେଇଥିଲେ ତାହା ନୁହେଁ, ତାଙ୍କ ସେବାରେ ସେ ଏତେ ଟିକିଏ ବି ହେଳା କରୁ ନ ଥିଲେ । ତାଙ୍କ ଜୀବନଚର୍ଯ୍ୟାର ଧାରାକୁ ସେ ବିଧିମତେ ପାଳନ କରୁଥିଲେ । ତାଙ୍କ ପାଇଁ ଶତପୂଟ ଅହିଫେନ ନିଜେ ପ୍ରସ୍ତୁତ କରୁଥିଲେ । ଠିକ୍ ସମୟରେ ତାଙ୍କ ଅଣ୍ଟାରେ ଅହିଫେନର କରାଟଟିଏ ଖୋସି ହୋଇଯାଉଥିଲା । ରାତିରେ ଭାତ ଖାଉ ନ ଥିବା ମଣିଷଟି ପାଇଁ ଚାରିପାଞ୍ଚସେରେ ଦୁଧକୁ ସିଝେଇ ସିଝେଇ ରାବିଡ଼ି ପରି ତିଆରି କରୁଥିଲେ । ନଖ ଉଷୁମ ଅବସ୍ଥାରେ ହିଁ ସେ ଈଷତ୍ ହଳଦୀରଙ୍ଗର ଦୁଧ ପେଟକୁ ନେଉଥିଲେ । ରାତି ନ’ଟା ଭିତରେ ବିଛଣା ଧରୁଥିଲେ । ଉଠିବାକୁ ପଡ଼ୁଥିଲା ରାତି ତିନି ସରିକି । ଉଭୟେ ବସି ପ୍ରାର୍ଥନା କରୁଥିଲେ । ବାଦ୍ୟଯନ୍ତ୍ରଗୁଡ଼ିକରେ ଛନ୍ଦ ସୃଷ୍ଟି କରୁଥିଲେ । ପୁଣି ଲାଗି ପଡ଼ୁଥିଲେ ନିଜ ନିଜ କାମରେ । ପ୍ରହରାଜଙ୍କ ଜୀବନକୁ ସେ ଜଗି ବସିଥିଲେ । ତାଙ୍କ ସକଳସାଧନାର ସେ ଥିଲେ ଅଂଶୀଦାର । ପୀତାମ୍ବରୀଙ୍କ ସାନ୍ନିଧ୍ୟ ଓ ସାହଚର୍ଯ୍ୟ, କ୍ଲାନ୍ତ, ଶ୍ରାନ୍ତ ପ୍ରହରାଜଙ୍କ ଚେତନାକୁ ତେଜି ଦଉଥିଲା । ଅକ୍ଲାନ୍ତ ଶାରୀରିକ ଓ ମାନସିକ ଶ୍ରମ ସତ୍ତ୍ୱେ ସେ ନିଦେଇ ଯାଉନଥିଲେ । ପୀତାମ୍ବରୀ ହିଁ ଥିଲେ ତାଙ୍କ କର୍ମକ୍ଲାନ୍ତ ଓ ଅବସାଦଗ୍ରସ୍ତ ଜୀବନର ପ୍ରେରଣାର ଉତ୍ସ ।

 

ବିଭିନ୍ନ କାରଣରୁ ସେବାକାରିଣୀକୁ ସେ ଦ୍ୱିତୀୟାର ସମ୍ମାନ ଦେବାପାଇଁ କୁଣ୍ଠିତ ଥିଲେ । ନ୍ୟାୟଳୟରେ ସେ ଥିଲେ ତାଙ୍କର ତତ୍ତ୍ୱାବଧାରକ । ମାତ୍ର ବାଳୁତ ବିଧବାକୁ ପତ୍ନୀର ସମ୍ମାନ ଦେବାକୁ ହେଲେ, ତାଙ୍କ ଶାଶୁ ଘରର ସଂପତ୍ତିର ମୋହକୁ ଯେ ଛାଡ଼ିବାକୁ ପଡ଼ିବ, ଏ ବିଷୟରେ ପ୍ରହରାଜ ସଚେତନ ଥିଲେ । ଏହା ନ୍ୟାୟାଳୟର ସିଦ୍ଧାନ୍ତ ଥିଲା । ତେଣୁ ସ୍ୱାମୀ ସ୍ତ୍ରୀ ପରି ଚଳୁଥିଲେ ମଧ୍ୟ ସାମାଜିକ ସମ୍ମାନବୋଧ ଦୃଷ୍ଟିରୁ ସେ ସେପରି କିଛି କରିବାକୁ ଉଚିତ ମଣୁ ନ ଥିଲେ । ପୀତାମ୍ବରୀଙ୍କ ପ୍ରୀତ୍ୟାର୍ଥେ ତାଙ୍କୁ କିଛି କମ୍ ତ୍ୟାଗ କରିବାକୁ ପଡ଼ି ନ ଥିଲା । ତାଙ୍କ ସେବା ଅନୁରୂପଫଳ ଦାନରେ ସେ କୃପଣ ନ ଥିଲେ । ପୀତାମ୍ବରୀଙ୍କ ପାଳିତ ପୁତ୍ର ଜଗବନ୍ଧୁଙ୍କୁ ଆପଣାର ପୁତ୍ର ଭାବରେ ଗ୍ରହଣ କରିଥିଲେ । ଅବଶ୍ୟ କେହି କେହି ଜଗବନ୍ଧୁଙ୍କୁ ପୀତାମ୍ବରୀଙ୍କ ପୁତ୍ର ବୋଲି ପ୍ରକାଶ କରିଥାନ୍ତି । ମାତ୍ର ପ୍ରହରାଜେ କିମ୍ବା ପୀତାମ୍ବରୀ କେହି ଏହା ସ୍ୱୀକାର କରି ନ ଥିଲେ । ସ୍ୱଉପାର୍ଜିତ ସଂପତ୍ତିକୁ ମଧ୍ୟ ପୀତାମ୍ବରୀଙ୍କ ଭରଣପୋଷଣ ନିମିତ୍ତ ଖଞ୍ଜିଦେଇଥିଲେ । ୧୯୪୩ ମସିହାରେ ନିଜ ପତ୍ନୀ ମୁକ୍ତାଙ୍କ ନାଁରେ କିଣିଥିବା, ‘‘କଟକର ଘର, କୂଅ, ପାଇଖାନା, ମଞ୍ଚରେ ସ୍ତ୍ରୀ କିମ୍ବା ତାଙ୍କ ଔରସର କିଛି ମାତ୍ର ସ୍ୱାମିତ୍ୱ ବା ସ୍ୱପ୍ନ ନାହିଁ । ପୀତାମ୍ବରୀ ଦେବୀଙ୍କ ନାରେ ଥିବା ଘର, ଘରର ସମସ୍ତ ଆସବାପତ୍ର, ସେ ହିଁ ବଞ୍ଚିଥିବା ପର୍ଯ୍ୟନ୍ତ ଭୋଗ କରିବେ ଏବଂ ତାଙ୍କ ଜୀବଦ୍ଦଶାରେ କାହାକୁ ବିକ୍ରୟ କରିନଥିଲେ, ପୀତାମ୍ବରୀଙ୍କ ଅନ୍ତେ ତାଙ୍କ ପୌତ୍ର ଉମାକାନ୍ତ ଓ ସତ୍ୟବାଦୀ ଭୋଗ କରିବେ ଏବଂ ତାଙ୍କ ଜୀବିତାବସ୍ଥାରେ କେହି ସେ ସଂପତ୍ତି ଉପରେ ଦାବି କରିପାରିବେ ନାହିଁ’’ ବୋଲ ସେ ଇଚ୍ଛାପତ୍ରରେ ଉଲ୍ଲେଖ କରିଥିଲେ । (ଦ୍ରଷ୍ଟବ୍ୟ-ପ୍ରହରାଜଙ୍କ ଉଇଲି-ପରିଶିଷ୍ଟ) ନୂଆଗାଁ ବିଶ୍ୱନାଥପୁରସ୍ଥ ସଂପତ୍ତିର ସ୍ୱତ୍ତ୍ୱଉପରେ ତାଙ୍କ ଉତ୍ତରାଧୀକାରୀଙ୍କ ଦାବି ନ ଥିବା କଥା ପ୍ରକାଶ କରିଥିଲେ ।

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସଂକଳନର ସହକର୍ମୀଭାବରେ ପ୍ରହରାଜେ ପୀତାମ୍ବରୀ ଦେବୀଙ୍କୁ ଯଥେଷ୍ଟ ସମ୍ମାନ ଦେଇଥିଲେ । ଆପଣା ଅନ୍ତେ ଭାଷାକୋଷ ପରିପାଳନର ସକଳଦାୟିତ୍ୱ ସେ ତାଙ୍କ ଉପରେ ହିଁ ନ୍ୟସ୍ତ କରିଥିଲେ । ଏହାର ମୁଦ୍ରଣ, ରକ୍ଷଣାବେକ୍ଷଣ, କମିସନ ଓ ଋଣବାବଦ ସମସ୍ତ ଅର୍ଥ ପରିଶୋଧ ପରେ ଆଉ ଯାହା ଅବଶିଷ୍ଟ ରହିବ, ସେଥିରୁ ଅର୍ଦ୍ଧେକର ଅଧିକାରିଣୀ ଥିଲେ ପୀତାମ୍ବରୀ । ତାଙ୍କ ବାବଦକୁ ପ୍ରାପ୍ୟ ଆପଣଠାରୁ ତିନିଭାଗ ଯଥାକ୍ରମେ ଉମାକାନ୍ତ, ସତ୍ୟବାଦୀ ଓ ଜଗବନ୍ଧୁଙ୍କ ମଧ୍ୟରେ ସମାନ ଭାବରେ ଏବଂ ଅନ୍ୟ ଏକ ଭାଗ ଉ.ସା. ପ୍ରେସର ସ୍ୱତ୍ତ୍ୱାଧିକାରୀ, ଉତ୍କଳ ସାହିତ୍ୟ ସମାଜ ଓ ତାଙ୍କ ସହକର୍ମ୍ମୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଘୋଷଣା କରିଥିଲେ । ଭାଷାକୋଷର ସ୍ୱତ୍ତ୍ୱାଧିକାରିଣୀ ଥିଲେ ପୀତାମ୍ବରୀ ଦେବୀ । ମାତ୍ର ତାଙ୍କ ମୃତ୍ୟୁ ପରେ ପୀତାମ୍ବରୀଙ୍କୁ ସତ୍ତ୍ୱାଧିକାରୀ ନିର୍ବାଚନର ସ୍ୱାଧୀନତା ଅର୍ପଣ କରିଥିଲେ । ୧୯୧୮ ମସିହା ପୂର୍ବରୁ ତାଙ୍କ ରଚିତ ଓ ପ୍ରକାଶିତସ୍ୱତ୍ତ୍ୱ ଉତ୍କଳ ସାହିତ୍ୟ ପ୍ରେସର ମାଲିକ, ପରବର୍ତ୍ତୀ କାଳରେ ଯୁଗ୍ମ ଭାବରେ ପ୍ରକାଶିତ ଗ୍ରନ୍ଥର ସ୍ୱତ୍ତ୍ୱ ଦୁଇନାତି, ପୀତାମ୍ବରୀ ଏବଂ ତାଙ୍କ ନାମରେ ପ୍ରକାଶିତ ଗ୍ରନ୍ଥବାବଦକୁ ଆୟଅର୍ଥର ଅର୍ଦ୍ଧେକ ଦୁଇ ନାତିଙ୍କ ନାମରେ ସେ ଲେଖି ଦେଇଯାଇଥିଲେ ।

 

ଗ୍ରାମରେ ଥିବା ତାଙ୍କ ପୈତୃକ ଓ ସ୍ୱଅର୍ଜିତ ସଂପତ୍ତି ସଂକ୍ରାନ୍ତରେ ପ୍ରହରାଜଙ୍କ ଇଚ୍ଛାପତ୍ର ମଧ୍ୟ ଥିଲା ବିବେକାନୁମୋଦିତ । ସମସ୍ତ ସଂପତ୍ତିକୁ ସେ ଔରସମାନଙ୍କ ହାତରେ ଟେକି ଦେଇଥିଲେ-। ନୂଆଗାଁ ବିଶ୍ୱନାଥପୁରରେ ଶାଶୁଶ୍ୱଶୁର ଭୋଗ କରି ଆସୁଥିବା ଏବଂ ସ୍ତ୍ରୀ ନାମରେ ଥିବା ସଂପତ୍ତିକୁ ସେମାନେ ଭୋଗ କରିବେ ଏବଂ ପରେ ନିଜ ଇଚ୍ଛାଅନୁସାରେ ଯାହାକୁ ଦେଇପାରିବେ ବୋଲି ଉଲ୍ଲେଖ କରିଥିଲେ । ତାଙ୍କ ଇଚ୍ଛାପତ୍ରଟି ସ୍ୱାକ୍ଷରିତ ହୋଇଥିଲା ୨୯।୨।୩୬ ତାରିଖରେ ଏବଂ ସେଥିରେ ସାକ୍ଷୀ ଥିଲେ ପଣ୍ଡିତ କୁଳମଣି ଦାଶ ଓ ଜଗବନ୍ଧୁ ରଥ । ୧୯୩୬ ମସିହା ପୂର୍ବରୁ ୧୯୨୭ ମସିହା ଜୁଲାଇ ମାସ ୨୩ ତାରିଖ ଏବହ ୧୯୩୧ ମସିହା ସେପ୍‌ଟେମ୍ବର ମାସ ୧୪ ତାରିଖରେ ରେଜେଷ୍ଟ୍ରି କରାଯାଇଥିଲା । ୧୯୩୬ ମସିହାରେ ମସିହାର ସ୍ୱହସ୍ତ ଲିଖିତ ଓ ରେଜିଷ୍ଟ୍ରିଭୁକ୍ତ ଇଚ୍ଛାପତ୍ର ଥିଲା ପ୍ରଥମ ଦୁଇଟିର ପରିବର୍ତ୍ତିତ ରୂପ । ଶୁଣାଯାଏ ୧୯୪୫ ମସିହାରେ ମୃତ୍ୟୁ ପୂର୍ବରୁ ସେ ସେଥିରେ ଆଉ କିଛି ପରିବର୍ତ୍ତନର ଯୋଜନା କରିଥିଲେ । ମାତ୍ର ଆଲୁଅ ଦେଖିବା ପୂର୍ବରୁ ତାହା ନଷ୍ଟ ହୋଇଯାଇଥିଲା ।

 

ଇଚ୍ଛାପତ୍ରକୁ ଅନୁଶୀଳନ କଲେ ଜଣାଯାଏ, ପ୍ରହରାଜେ ଥିଲେ ବିବେକୀ ଓ ତୀକ୍ଷ୍‌ଣ ବିଚାର ବୁଦ୍ଧିସଂପନ୍ନ । ମାତ୍ର ତାଙ୍କ ଜୀବନର ଶେଷ କେତୋଟି ବର୍ଷ ଭୟଙ୍କର ବିଷାଦବୋଧ ଭିତରେ ଅତିବାହିତ ହେଉଥିଲା । ପାରିବାରିକ ସଂପର୍କର ସୂତା ତାଙ୍କର ଛିଡ଼ିଯାଇଥିଲା । ପୀତାମ୍ବରୀଙ୍କ ଅକ୍‌ଟୋପାସି ବନ୍ଧନ ଭିତରେ ଅସହାୟ ଭାବରେ ସେ ଛନ୍ଦି ହୋଇପଡ଼ିଥିଲେ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ଊଣା ପଡ଼ିଆସୁଥିଲ । ହାତ ପାତି ପାତି, ଅକ୍ଲାନ୍ତ ଶ୍ରମ କରି ୧୯୪୦ ମସିହାରେ ଭାଷାକୋଷର ମୁଣ୍ଡି ମାରିଲେ ଓ ଅନେକ ପ୍ରଶଂସା ପାଇଲେ ସତ, ମାତ୍ର ତାହା ଅଶାନୁରୂପଭାବେ ବିକ୍ରି ହୋଇପାରୁ ନଥିଲା । ଭାଷାକୋଷ ସଂକ୍ରାନ୍ତ ଭବିଷ୍ୟତ ଯୋଜନା ପାଣିଫାଟି ଯାଉଥିଲା । ସର୍ଜନାତ୍ମକ ଅନ୍ତର୍ଦୃଷ୍ଟିର ତେଜ ମଧ୍ୟ ମଉଳି ଆସୁଥିଲା । ବହୁ ବିଚିତ୍ର ଅନୁଭୂତିରେ ଅଭିମନ୍ତ୍ରିତ ତାଙ୍କ ବୟସ୍କପ୍ରାଣ ବିପଦ୍‌ଜନକ ଭବିଷ୍ୟତର ସମ୍ଭାବନାରେ ସଂକୁଚିତ ହୋଇ ପଡ଼ୁଥିଲା । ଏଣେ ନିଜକୁ ତେଜି ଦେବାର ସକଳ ସାମର୍ଥ୍ୟ ସେ ହରେଇ ବସୁଥିଲେ । ଉତ୍ତେଜନ ଓଷଧି ଦେହରେ ଆଉ କାମ କରୁ ନ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ପଶ୍ଚିମରୁ ଆସୁଥିବା ନିଷିଦ୍ଧ ପଦାର୍ଥର ଯୋଗାଣ ବନ୍ଦ ହୋଇଯିବା ଫଳରେ ତାଙ୍କ ଉଚ୍ଚାଟିତ ଅଭିଳାଷ ଶୀତଳେଇ ଯାଉଥିଲା । ଅନ୍ୟପକ୍ଷରେ ପୀତାମ୍ବରୀଙ୍କ ତେଜ ମହଳ ପଡ଼ିନଥିଲା । ପୀତାମ୍ବରୀ ବି ଅଧିକାଂଶ ସମୟ ତାଙ୍କଠାରୁ ଦୂରରେ ସାକ୍ଷୀଗୋପାଳରେ ସମୟ କଟୋଉଥିଲେ । ନାରୀର ମାୟାବୀନୀ ରୂପ ତାଙ୍କ ଭିତରେ ଭ୍ରମ ସୃଷ୍ଟି କରୁଥିଲା । ସନ୍ଦେହର ଭୂତ ତାଙ୍କ ଭିତରେ ନାଟ କରୁଥିଲା । ଆପଣା ଭିତରେ ସେ କେବଳ ବିଳାପ କରୁଥିଲେ ।

 

ଅନ୍ୟପକ୍ଷରେ ସିଦ୍ଧେଶ୍ୱରପୁରର କୋଠାଘର, ପୁଅବୋହୂ, ନାତିମାନଙ୍କ ଗହଣରେ ଥାଇ ମଧ୍ୟ ମୁକ୍ତାମଣି ମାନସିକ ଯନ୍ତ୍ରଣାରୁ ମୁକ୍ତ ନଥିଲେ । ଅନୁଜା ସପତଣୀ ହେବାର ଯନ୍ତ୍ରଣା ବୋଧହୁଏ ଯେକୌଣସି ନାରୀପକ୍ଷେ ଅଧିକ ବେଦନାଦାୟକ । ମୁକ୍ତା ହୁଏତ ତାର ବ୍ୟତିକ୍ରମ ନଥିଲେ । ନିଜର କିଛି ନଥିଲା ପରି ସେ ଅନୁଭବ କରୁଥିଲେ । ନିଜଦ୍ୱାରା ପାଳିତା, ପୋଷିତା ଅନ୍ୟଜଣେ ତାଙ୍କର ସମ୍ମାନ, ମର୍ଯ୍ୟାଦା ଓ ଅଧିକାରକୁ ଚତୁରୀ ବେଶରେ ଲୁଟିନେଇଥିବାର ଗ୍ଲାନିବୋଧରେ ସେ ଜଳି ଯାଉଥିଲେ । ସ୍ୱାମୀ ଅନୁରାଗିଣୀ, ଅନୁଶାସିକା ହେବାର ସକଳ ଯୋଗ୍ୟତା ତାଙ୍କର ଥିଲା । ଦୈବଯୋଗକୁ ଉପେକ୍ଷିତାର ଜୀବନ କଟୋଉଥିଲେ । ଶଶୁରଙ୍କ ସଂପତ୍ତି, ଘର ଢିଅଉପରେ ମୁହଁମାଡ଼ି ପଡ଼ିରହିଥିଲେ । ସ୍ୱାମୀଙ୍କର କପଟାଚାରର ପ୍ରତିବାଦ କରିଥିଲେ । ତାଙ୍କ ସହିତ କଟି ପକେଇ ଦେଇଥିଲେ । ଏପରିକି ମୁହଁ ଚାହିଁବାକୁ ମଧ୍ୟ ଘୃଣା କରୁଥିଲେ । ଜମିଜମାକୁ କେନ୍ଦ୍ରକରି ସ୍ୱାମୀଙ୍କ ବିରୋଧରେ କେସ୍ କରିଥିଲେ । ଆପଣାର ଅନ୍ତର୍ଜ୍ୱଳନକୁ ବଡ଼ ବିକଳ ଓ ଦୟନୀୟ ଭାବରେ ନିଜ ଭିତରେ ଚାପି ରଖୁଥିଲେ ।

 

ବିଭିନ୍ନକାରଣରୁ ପ୍ରହରାଜେ ମଧ୍ୟ ତାଙ୍କ ଉପରେ ଆଦୌ ସନ୍ତୁଷ୍ଟ ନଥିଲେ । ଏପରିକି ଏକମାତ୍ର ପୁଅ ସହିତ ତାଙ୍କର ଭଲ ସଂପର୍କ ନଥିଲା । ତାଙ୍କ ଇଚ୍ଛାପତ୍ରରେ ଏହା ସ୍ପଷ୍ଟ ସଙ୍କେତ ଲକ୍ଷ୍ୟ କରାଯାଏ । କଟକ ବସାଘରର କିଛି ଅଂଶ ଓ କିଛି ସଂପତ୍ତି ସେ ପୀତାମ୍ବରୀଙ୍କ ନାଁରେ କବଲା କରିଦେଇଥିବାରୁ, ଚନ୍ଦ୍ରଶେଖର ବାପାଙ୍କ ନାଁରେ ମୋକଦ୍ଦମା କରିଥିଲେ । ପୀତାମ୍ବରୀ ଦେବୀ ମଧ୍ୟ ଏ ସକଳ ବିଷୟରେ ପୂର୍ଣ୍ଣ ସଚେତନ ଥିଲେ । ସମ୍ଭବତଃ ଭଉଣୀର ମୁହାଁମୁହିଁ ହେବାଲାଗି ତାଙ୍କର ନୈତିକ ସାହସ ନଥିଲା । ଶୁଣାଯାଏ ସେ ହିଁ ସ୍ୱାମୀ, ସ୍ତ୍ରୀ ଓ ବାପ ପୁଅଙ୍କ ଭିତରେ ଯାବତୀୟ ମନାନ୍ତର ସୃଷ୍ଟିର ହେତୁ ଥିଲେ । ସେମାନଙ୍କ ମଧ୍ୟରେ ମେଘନାଦ ପାଚେରୀ ଠିଆ କରେଇଥିଲେ । ଅସଲ କାନକୁହେଇର ଭୂମିକା ନେଇଥିଲେ । ୧୯୪୩ ମସିହାର ଜୁନ୍‌ ମାସ ୨୩ ତାରିଖରେ ପ୍ରହିରାଜଙ୍କ ଢିପ ଉପରେ ପତି-ପତ୍ନୀ କଳହ ନାଟକର ବହୁପ୍ରତୀକ୍ଷିତ ଶେଷଦୃଶ୍ୟ ଅଭିନୀତ ହୋଇଥିଲା । କୌଣସି ଜଣେ ଆତତାୟୀ ହାତରେ ଦିନ ଦିଇପହରରେ ମୁକ୍ତାଙ୍କ ତୋଟିଚିପି ହତ୍ୟା କରାଯାଇଥିଲା । ସବୁଦିନ ପାଇଁ ତାଙ୍କ ପ୍ରତିବାଦ ଓ ଅପନିନ୍ଦାର ସ୍ୱର ନୀରବ ହୋଇଯାଇଥିଲା । କେଉଁମାନେ ଏ ଅମାନୁଷିକ ଘଟଣାର ସୁତ୍ରଧାର ଥିଲେ ତାହା ଅବଶ୍ୟ ପ୍ରମାଣିତ ହୋଇପାରିଲା ନାହିଁ । ଦୋଷୀ ତା ବାଟରେ ଖସି ଚାଲିଗଲା । ରହସ୍ୟର ଜାଲ ଭିତରେ ସବୁକିଛି ଅଡ଼ୁଆ ହୋଇଗଲା । ବିଚାରାଳୟରେ ଉପଯୁକ୍ତ ପ୍ରମାଣ ଅଭାବରୁ ଏତେବଡ଼ ଘଟଣାକୁ ଭାରି ସହଜରେ ଉଡ଼େଇ ଦିଆଗଲା । ଏ ଘଟଣାର କିଛିଦିନ ପରେ ପ୍ରହରାଜେ କଟକରୁ ଶତାଧିକ ଲୋକ ନେଇ ନିଜେ ତିଆରି କରିଥିବା କୋଠାଘରକୁ ମାଟିରେ ମିଶେଇ ଦେଲେ । ଘରଭଙ୍ଗା କାର୍ଯ୍ୟ ଚାଲିଥିଲୋବଳେ ସେ ବାହାରେ ଚଉକି ପକେଇ ବସିଥିଲେ । ଲୋକେ ଘରଭିତରୁ ଜିନିଷପତ୍ର ବାହାର କରି ପଦାରେ ରଖୁଥିଲେ । ସ୍ଥାନୀୟ ଲୋକେ ନିଲାମରେ ସେଗୁଡ଼ିକ ଆପଣାର କରିନେଇଥିଲେ । ଅନେକ ପଦାର୍ଥ ପଛଆଡ଼େ ଦେଇ ପଦାକୁ ଚାଲିଯାଉଥିଲା । ନିଲାମପର୍ବର ଶେଷବିତ୍ତ ଥିଲା ତାଙ୍କ ପାଠାଗାରର ମୂଲ୍ୟବାନ ପୁସ୍ତକଗୁଡ଼ିକ । ସେଗୁଡ଼ିକ ବି ବସ୍ତାଦରରେ ଢିଅ ଉପରୁ ପାର୍‍କରି ଦେଇଥିଲେ । ପ୍ରତିବାଦ କରିବାପାଇଁ କାହାର ଜିଭରେ ହାଡ଼ ନଥିଲା । ସାଧାରଣ ଲୋକଙ୍କ ମଧ୍ୟରେ ଏ ଘରଭଙ୍ଗା ଦୃଶ୍ୟ ମଧ୍ୟ ଚମକ ଖେଳେଇ ଦେଇଥିଲା । ପ୍ରହରାଜ ଯେମିତି ଜଣେ ଅଲଗା ମଣିଷ ହୋଇଯାଇଥିଲେ । ତାଙ୍କ ପ୍ରତିକ୍ରୀୟାଶୀଳ ପ୍ରବୃତ୍ତିର ପୃଷ୍ଠାଗୁଡ଼ିକ କ୍ରମଶଃ ସ୍ପଷ୍ଟ ହୋଇଉଠୁଥିଲା ଅନ୍ୟମାନଙ୍କ ନିକଟରେ । ଅବିଶ୍ୱାସ ସ୍ୱାର୍ଥ, ସନ୍ଦେହର ଚକ୍ରବ୍ୟୁହ ଭିତରେ ତାଙ୍କ ବୁଦ୍ଧି, ବିବେକର ତେଜ ଯେମିତି ମଉଳିଯାଉଥିଲା । ପ୍ରହରାଜ ଢିଅ ଉପରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଥିଲା ସମୟର ସଙ୍କେତରେ ।

 

ମୁକ୍ତାଙ୍କ ମୃତ୍ୟୁପରେ ପ୍ରହରାଜ ଓ ପୀତାମ୍ବରୀଙ୍କ ସଂପର୍କରେ ଅନ୍ତାନ୍ତରିକତାର ରେଖା ବଢ଼ି ବଢ଼ି ଚାଲିଲା । ସମ୍ଭବତଃ ସେମାନେ ପରସ୍ପରକୁ ଆଉ ବିଶ୍ୱାସ କରିବା ଅବସ୍ଥାରେ ନଥିଲେ । ପୀତାମ୍ବରୀ ତାଙ୍କଠାରୂ ଦୂରେଇ ଯାଉଥିଲେ । ପ୍ରହରାଜଙ୍କ ମନରେ ପୀତାମ୍ବରୀକୈନ୍ଦ୍ରିକ ସନ୍ଦେହର ଚାରାଟି କ୍ରମପଲ୍ଲବିତ ହେଉଥିଲା । ଦେହର କ୍ଷୁଧା ଶିଥିଳ ହୋଇପଡ଼ୁଥିଲା । ଉତ୍‌ଫଣୀ ହେବାର ଶକ୍ତି ଓ ସାମର୍ଥ୍ୟ ସେ ହରେଇ ବସୁଥିଲେ । ତଥାପି ଜୀବନପରିଚର୍ଯ୍ୟା ପାଇଁ ପୀତମ୍ବରୀଙ୍କର ଟିକିଏ ସାମ୍ନିଧ୍ୟ ପାଇଁ ସେ ବ୍ୟାକୁଳ ହୋଇପଡ଼ୁଥିଲେ । ମାତ୍ର ବ୍ୟାକୁଳତାର ଜାଲରେ ପୀତାମ୍ବରୀଙ୍କ ବର୍ତ୍ତମାନ ଥିଲା ପ୍ରହରାଜଙ୍କ ପାଇଁ ସାତସପନ । ସେ ଭାଙ୍ଗିପଡ଼ୁଥିଲେ । ସମ୍ଭବତଃ ବିଷାଦବୋଧର କୀଟ, ତାଙ୍କ ସୂକ୍ଷ୍ମଚେତନାକୁ ଯେମିତି କୋରି ଖାଇଯାଉଥିଲା । ସୁନାପଞ୍ଜୁରୀରେ କେତେ ଯତନରେ ପରିପାଳିତ ଶ୍ୟାମା-ପକ୍ଷୀଟି ପଞ୍ଜୁରୀର ଅଥର୍ବତାକୁ ଯେମିତି ପରିହାସ କରି ଆକାଶରେ ବିହାର କରୁଥିଲା ତା ସୁଖରେ ।

 

ପୀତାମ୍ବରୀଙ୍କ ଆଖିଥିଲା ଭାଷାକୋଷ ଓ ପ୍ରହରାଜର ସଞ୍ଚିତ ବିପୁଳ ଅର୍ଥ ଓ ସଂପତ୍ତି ଉପରେ । ଅବଶ୍ୟ ୧୯୩୬ ମସିହାରେ ଲିଖିତ ଇଚ୍ଛାପତ୍ର ସଂକ୍ରାନ୍ତରେ ସେ ସଚେତନ ଥିଲେ । ମାତ୍ର ଅନୁତପ୍ତ ଓ ଚତୁର ପ୍ରହରାଜ ଯେକୌଣି ସମୟରେ, ନାଟକୀୟ ରୀତିରେ ଅନେକ କିଛି ଅଘଟଣ ଘଟେଇପାରନ୍ତି, ଏପରି ଏକ ସମ୍ଭାବ୍ୟ ବିପଦରୁ ସେ ଆପଣାକୁ ମୁକ୍ତ ରଖିପାରୁ ନଥିଲେ । ଶୁଣାଯାଏ, ପ୍ରହରାଜ କଟକରେ କିଛି ସଂପତ୍ତି ବିକ୍ରୀ କରି ତୀର୍ଥାଟନରେ ଯିବାପାଇଁ ସ୍ଥିର କରିଥିଲେ-। ଗ୍ରାହକ ବି ଯୋଗାଡ଼ ହୋଇଥିଲେ । ନିଜେ ତିଆରି କରିଥିବା ଘର, ରଙ୍ଗମଞ୍ଚ, ମୂଲ୍ୟବାନ ଆସବାବ ପତ୍ର, କିଣିଥିବା ଗାଡ଼ି, ଘୋଡ଼ା ସବୁକିଛି ତାଙ୍କୁ ଅସାରବୋଧ ହେଉଥିଲା । ଏପରିକି ପୀତାମ୍ବରୀଙ୍କ ସକଳ ଆକର୍ଷଣ ଯେପରି ବିଷକୁମ୍ଭରେ ପରିଣତ ହୋଇଯାଇଥିଲା । ପ୍ରହରାଜଙ୍କ ନାଡ଼ିର ଗତିକୁ ନିୟନ୍ତ୍ରଣ କରୁଥିବା ନାରୀଜଣକ ମଧ୍ୟ ତାଙ୍କ ଶୂନ୍ୟମନସ୍କ ଜୀବନଧାରାକୁ କଳନା କରି ନେଇଥିଲେ । ତାଙ୍କ ଭିତର ଘରେ ସଞ୍ଚିତ ବିଭବର ଆକର୍ଷଣୀୟ ଓ ଲୋଭନୀୟ ଶେଷ ଚାବିକାଠିକୁ ଅଣ୍ଟାରେ ଖୋସିବା ପାଇଁ ସେ ପ୍ରୟାସ କରୁଥିଲେ । ଆପଣାର ଇଚ୍ଛା ଓ ଅଧିକାରକୁ ସାବ୍ୟସ୍ତ କରିବା ଲାଗି ବୃଦ୍ଧ ପ୍ରହରାଜଙ୍କ ଚେତନାରେ ଅଙ୍କୁଶ ହାଣୁଥିଲେ । କେବେ କେବେ ଘର ଭିତରୁ ଉଚ୍ଚବାଚ୍ଚର ସ୍ୱର ବି ଶୁଭୁଥିଲା । ତାଙ୍କ ନିତିଦିନିଆ ଜୀବନଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଦେଖାଦେଉଥିଲା । *

 

*

ପଣ୍ଡିତ ନରସିଂହ ମହାପାତ୍ର–ଗୋପାଳଚନ୍ଦ୍ର ପ୍ରହରାଜ-୧୯୫୬-ପୃ ୧୯-୨୫

 

ସେଦିନ ୧୯୪୫ ମସିହା ମେ ମାସ ୧୬ ତାରିଖର ରାତି । ରାତିପ୍ରାୟ ନଅଟା ସରିକି, ସେଇ ଦୁଧଖିଆ ବେଳରେ ଭାଷାକୋଷ ଆଶ୍ରମ ଭିତରୁ ପ୍ରଥମେ ଭୟଙ୍କର ଚିତ୍କାର ଏବଂ ପରେ ବିକଳ କାନ୍ଦଣାଣ ସ୍ୱର ଅନ୍ୟମାନଙ୍କୁ ଚମକେଇ ଦେଇଥିଲା । ପୂର୍ବପରୀକ୍ଷିତ ପଟାସିୟମ୍ ସାଇନାଇଡ଼୍‌ର ଜ୍ୱାଳାରେ ପ୍ରହରାଜ ସବୁଦିନ ପାଇଁ ଶୋଇଯାଇଥିଲେ ମାଟି ଶେଯରେ । ତାଙ୍କୁ ଡାକ୍ତରଖାନାକୁ ଉଠେଇ ନିଆଗଲା । ମାତ୍ର ସେତେବେଳକୁ ସବୁକିଛି ସରିଯାଇଥିଲା । ତାଙ୍କ ସାରାଜୀବନର ସଞ୍ଚିତ ବିଭବ, କୁଞ୍ଚିକାଠି ମଧ୍ୟ ପୀତାମ୍ବରୀଙ୍କ ଖୋସଣୀରେ ନୁଚିଯାଇଥିଲା । ତାଙ୍କୁ ହିଁ ପ୍ରହରାଜଙ୍କ ହତ୍ୟାକାରିଣୀ ଭାବରେ ପରିଚିତ୍ରଣ କରାଗଲା । ବିଚାରାଳୟରେ ଆଇନର ଖେଳ ଚାଲିଲା । ମାତ୍ର ସାକ୍ଷୀପ୍ରମାଣ ଅଭାବରୁ ଜ୍ୱାଳାମୟୀ ଚରିତ୍ରର ପରିଚୟ ଚିହ୍ନିତ ହୋଇପାରି ନ ଥିଲା । ଅବଶ୍ୟ ୧୯୫୨ ମସିହାରେ ବିଚାରାଳୟର ନିର୍ଦ୍ଦେଶରେ ପୀତାମ୍ବରୀକଙ୍କୁ ଭାଷାକୋଷ ଆଶ୍ରମ ଛାଡ଼ିବାକୁ ପଡ଼ିଥିଲା । ମାତ୍ର ଓଡ଼ିଆ ଭାଷା ଓ ସାହିତ୍ୟାକାଶର ସେଇ ଦେବଦୂତର * ରହସ୍ୟମୟ, ତ୍ୟାଗପୂତ, ଅନୁଭୂତିସିଦ୍ଧ ଜୀବନର ପରିସମାପ୍ତି ଘଟିଥିଲା ଏକ ବିୟୋଗାନ୍ତକ ନାଟକର ଶେଷଦୃଶ୍ୟ ପରି । ଦେବଦୂତର ଅକ୍ଷୟକୀର୍ତ୍ତିର ମହତ୍ତ୍ୱକୁ ତାଙ୍କ ସହଧର୍ମିଣୀ, ସହକର୍ମିଣୀ ପୀତାମ୍ବରୀ ଦେବୀ, ପୁତ୍ର, ପୌତ୍ର, ଏ ଜାତିର ଭବିଷ୍ୟତ ବଂଶଧର କେହି ଉପଲବ୍‌ଧି କରିପାରିଲେ ନାହିଁ । ଅନୁଭୂତିର ନିର୍ଯାସରେ ନିଜ ଚେତନାକୁ କେତେ ବିଧିରେ ପରିପ୍ଲୁତ କରୁଥିବା ବିଜ୍ଞ, ସହୃଦୟ ଓ ଜୀବନବାଦୀ ମଣିଷଟିର ଜୀବନଯନ୍ତ୍ରଣାକୁ ଅନୁଭବିବା ଲାଗି କେହି ବୋଲି କେହି ଚେଷ୍ଟା କଲେନି । ତାଙ୍କରି ଭାଷାରେ ‘କାଉଁରି କାଠିର କୁହୁକରେ’ ପ୍ରତିମୁହୂର୍ତ୍ତରେ ମଣିଷକୁ ନଚୋଉଥିବା କାଳପୁରୁଷର ଚିତ୍ରପଟରେ ତାଙ୍କ ଅନୁଭବୀ ଜୀବନର ଅଲିଖିତ କଥା, କିମ୍ବଦନ୍ତୀ ପରି ଆଙ୍କି ହୋଇଗଲା କାଳ କାଳ ପାଇଁ । ସାଧାରଣ ଧାରଣାରେ ସେଇ ମଣିଷଟିର ବହୁଚର୍ଚ୍ଚିତ, ବହୁନିନ୍ଦିତ ଜୀବନଧାରା ସେତିକି ପର୍ଯ୍ୟୁଷିତ ନୁହେଁ; ବରଂ ତାହା ଜୀବନ ରସରେ ପରିସିଦ୍ଧ । ତାଙ୍କ ଅବବୋଧ, ରହସ୍ୟବୋଧର ଏକ ଘନବୃତ୍ତ । ସୁପ୍ରସିଦ୍ଧ କଥାକାର ଶାନ୍ତନୁ ଆଚାର୍ଯ୍ୟଙ୍କ ଭାଷାରେ ସେ ହିଁ ସେ ଘନବୃତ୍ତିର ଅଧିଶ୍ୱର ! ଏ ଜାତିର ଦେବଦୂତ ।

 

*

ଆଚାର୍ଯ୍ୟ ଶାନ୍ତକୁ କୁମାର–ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ: ପୃ ୩୧

 

କିଏ ଅବା ଚିହ୍ନିଲା ମୁକ୍ତ ଜୀବନ ଉପରେ ବିଶ୍ୱାସ କରୁଥିବା ସେଇ ଦେବଦୂତକୁ ଯୋଉ ମଣିଷଟି ଆପଣାର ସମଗ୍ର ଜୀବନ ଓ ଉପାର୍ଜନକୁ ଗୋଟାଏ କିମ୍ଭୁତ ନିଶାରେ ଏକ ଖୋଲା ବହି ଏବଂ ପ୍ରଜ୍ଞାର କୋଣାର୍କରେ ରୂପାନ୍ତର କରିଦେଇଥିଲା, ଏ ଜାତିର ଉତ୍ତରାଧିକାରୀମାନେ ସତରେ କ’ଣ ତାକୁ ଚିହ୍ନିପାରିଲେ ? ତାର ଅକଳିତ ବ୍ୟକ୍ତିତ୍ୱ ରହସ୍ୟ-ସାଗରରେ ଏକ ଦୁର୍ଲ୍ଲଭ ମୁକ୍ତାପରି କୋଉଠି ପଡ଼ିରହିଲା । ଅଥଚ ସେ ମୁକ୍ତାର ତେଜ ଆଜି ଆଲୋକିତ କରୁଛି ଏ ଜାତିର ଭାଷା, ସାହିତ୍ୟ, ଜୀବନବୋଧ ଓ ସ୍ୱାଭିମାନକୁ ପ୍ରମାଣିତ କରୁଛି ତାଙ୍କ ମୁକ୍ତ, ତ୍ୟାଗପୂତ ଓ ପ୍ରଜ୍ଞାଦୀପ୍ତ ଜୀବନର ଔକଲ୍ୟ ଓ ଅମରତ୍ୱକୁ ।

Image

 

ପରିଶିଷ୍ଟ-କ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲେଖାଗୁଡ଼ିକର ରଚନାକ୍ରମ

 

ଉତ୍କଳ କାହାଣୀ–ପ୍ରଥମ ଭାଗ, ପ୍ରକାଶ କାଳ–୧୯୦୧

 

(ଏହା ଏକୋଇଶଗୋଟି କାହାଣୀର ସମାହାର । ଏହାର ପ୍ରଥମ ସଂସ୍କରଣରେ ସାତ ପୃଷ୍ଠାର ମୁଖବନ୍ଧ ରହିଥିଲେ । ଉତ୍କଳ ସାହିତ୍ୟ ପ୍ରେସ୍‌ରୁ ପ୍ରକାଶିତ ଉକ୍ତ ପୁସ୍ତକର ଦଶମ ସଂସ୍କରଣ ପ୍ରକାଶିତ ହୋଇଥିଲା ୧୯୪୬ ମସିହାରେ । ଏହାର ପରିମାର୍ଜିତ ସଂସ୍କରଣ ପ୍ରକାଶ ପାଇଛି ଓଡ଼ିଶା ଜଗନ୍ନାଥ କମ୍ପାନୀ, କଟକଙ୍କଦ୍ୱାରା ୧୯୮୭ ମସିହାରେ । ମାତ୍ର ଏଥିରେ ପ୍ରହରାଜଙ୍କର ମୂଲ୍ୟବାନ ମୁଖବନ୍ଧ ମୁଦ୍ରିତ ହୋଇନାହିଁ ।)

 

ଉତ୍କଳ କାହାଣୀ–ଦ୍ୱିତୀୟ ଭାଗ, ପ୍ରକାଶ କାଳ–୧୯୨୦

 

(ପୁସ୍ତକର ପ୍ରଥମ ସଂସ୍କରଣ ଉତ୍କଳ ସାହିତ୍ୟ ପ୍ରେସ୍‌ଦ୍ୱାରା ୧୯୨୦ ମସିହା ଓ ପରବର୍ତ୍ତୀ ପରିବର୍ଦ୍ଧିତ ସଂସ୍କରଣ କଟକ ଟ୍ରେଡ଼ିଂ କମ୍ପାନୀ, କଟକଙ୍କଦ୍ୱାରା ପ୍ରକାଶିତ । ଏହାର ନିକଟସଂସ୍କରଣ ପ୍ରକାଶ ପାଇଛି ୧୯୬୪ ମସିହାରେ । ପ୍ରଥମ ଭାଗର କାହାଣୀଗୁଡ଼ିକ ଉ.ସା. ପତ୍ରିକାରେ ପ୍ରକାଶିତ ହୋଇଥିଲାବେଳେ, ଦ୍ୱିତୀୟ ଭାଗର କାହାଣୀଗୁଡ଼ିକ ଉ.ସା. ମୁକୁର, ପଞ୍ଚାମୃତ ଆଦି ପତ୍ରିକାରେ ପ୍ରକାଶିତ । ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣରେ ୧୩ ଗୋଟି କାହାଣୀ ସଂଯୋଜିତ ।)

 

 

ଭାଗବତ ଟୁଙ୍ଗୀରେ ସନ୍ଧ୍ୟା–ପ୍ରକାଶକାଳ– ୧୯୦୩, ଉତ୍କଳ ସାହିତ୍ୟ ପ୍ରେସ

 

(ଉ.ସା. ପତ୍ରିକାର ୪ର୍ଥ ବର୍ଷ ୭।୮ ମ ସଂଖ୍ୟା (୧୯୦୧ ଅଗଷ୍ଟ/ସେପ୍‌ଟେମ୍ବର)ରୁ ଆରମ୍ଭ କରି ୫ମ ବର୍ଷର ୧୦ମ ସଂଖ୍ୟା (୧୯୦୨-ନଭେମ୍ବର) ପର୍ଯ୍ୟନ୍ତ ଦଶଗୋଟି ସଂଖ୍ୟାରେ ଦୁର୍ମୁଖ ଶର୍ମା ଛଦ୍ମ ନାମରେ ପ୍ରକାଶିତ । ପାରଳାଖେମୁଣ୍ଡିର ରାଜ ପଦ୍ମନାଭ ନାରାୟଣ ଦେବ ଏବଂ ମୟୁରଭଞ୍ଜର ମହାରାଜ ରାମଚନ୍ଦ୍ର ଦେବଙ୍କ ଆର୍ଥିକ ସାହାଯ୍ୟରେ ଏହା ମୁଦ୍ରିତ ହୋଇଥିଲା । ପୁସ୍ତକର ଗତ ସଂସ୍କରଣ ୧୯୮୪ ମସିହାରେ ନିୟୁଷ୍ଟୁଡ଼େଣ୍ଟସ୍ ଷ୍ଟୋରସ, କଟକଙ୍କଦ୍ୱାରା ପ୍ରକାଶିତ)

 

ବାଇ ମହାନ୍ତି ପାଞ୍ଜି– ପ୍ର. ପ୍ର. ୧୯୧୩, ଉତ୍କଳ ସାହିତ୍ୟ ପ୍ରେସ୍

 

(ଉ. ସା. ର ୫ମ ବର୍ଷ ୧୧।୧୨ ଶ ସଂଖ୍ୟା (୧୯୦୨-ଡିସେମ୍ବର । ଜାନୁଆରୀ)ଠାରୁ ଆରମ୍ଭ କରି ୭ମ ବର୍ଷର ୧୦ ସଂଖ୍ୟା (୧୯୦୪/ନଭେମ୍ବର) ପର୍ଯ୍ୟନ୍ତ ୧୦ ଗୋଟି ସଂଖ୍ୟାରେ ଦୁର୍ମୁଖ ଶର୍ମା ଛଦ୍ମନାମରେ ଏବଂ ପୁସ୍ତକାକାରରେ ୧୯୧୩ ମସିହାରେ ସୋନପୁର ମହାରାଜାଙ୍କ ଆର୍ଥିକ ସାହାଯ୍ୟରେ ପ୍ରକାଶିତ । ଏହାର ଗତ ସଂସ୍କରଣ ଓଡ଼ିଆ ଜଗନ୍ନାଥ କମ୍ପାନୀ, କଟକଙ୍କହାରା ପ୍ରକାଶ ପାଇଛି ୧୯୮୩ ମସିହାରେ ।)

 

ମିଆଁ ସାହେବଙ୍କ ରୋଜନାମଚା–

 

(ଉ. ସା. ର ୭ମ ବର୍ଷର ୧୧/୧୨ ଶ ସଂଖ୍ୟା (୧୯୦୪ ଡିସେମ୍ବର/ଜାନୁଆରୀ) ଠାରୁ ଆରମ୍ଭ କରି ୮ମ ବର୍ଷ ୮ମ ସଂଖ୍ୟା (୧୯୦୫-ସେପ୍‌ଟେମ୍ବର) ମଧ୍ୟରେ ଛଗୋଟି ଭାଗରେ ପ୍ରକାଶିତ । ‘ଉତ୍କଳ ସାହିତ୍ୟ ବିକାଶ’ ସଂସ୍ଥାଦ୍ୱାରା ପ୍ରକାଶିତ ‘ପ୍ରହରାଜ ବିଚିତ୍ରା ପୁସ୍ତକର ୨ରୁ ୩୦ ପୃଷ୍ଠା ମଧ୍ୟରେ ଏହା ସ୍ଥାନିତା ।)

 

ଧୋରେ ବାଇଆ ଧୋ– (ଶିଶୁପଦ୍ୟ, ପ୍ର.ପ୍ର. ୧୯୧୦)

 

ଦୁନିଆର ହାଲ୍‍ଚାଲ୍‍–

 

(ଉ. ସା.ର ନବମ ବର୍ଷ ୨ୟ ସଂଖ୍ୟା (୧୯୦୬-ମାର୍ଚ୍ଚ)ରୁ ଆରମ୍ଭ କରି ୧୮ଶ ବର୍ଷର ୮ମ ସଂଖ୍ୟା (୧୯୧୫। ସେପ୍‌ଟେମ୍ବର) ମଧ୍ୟରେ ୪୩ ଗୋଟି ଭାଗରେ ପ୍ରକାଶିତ । ଉତ୍କଳ ସାହିତ୍ୟ ବିକାଶ, କଟକ-୨ଙ୍କ ଦ୍ୱାରା ପୁସ୍ତକାକାରରେ ପ୍ରକାଶିତ । ପୃଷ୍ଠା ସଂଖ୍ୟା-୨୫୦)

 

ନନାଙ୍କ ବସ୍ତାନି– (ଉ. ସା. ର ୧୮ଶ ବର୍ଷ ୧୧ଶ ସଂଖ୍ୟା (୧୯୧୫/ଡିସେମ୍ବର)ରୁ ଆରମ୍ଭ କରି ୨୦ଶ ବର୍ଷ ୫ମ ସଂଖ୍ୟା (୧୯୧୭-ଜୁନ୍) ମଧ୍ୟରେ ପ୍ରକାଶିତ ।)

 

ଆମ ଘରର ହାଲ୍‍ଚାଲ୍‍–

 

(ଉ. ସା.ର ୨୦ ବର୍ଷ ୧୨ଶ ସଂଖ୍ୟା (୧୯୧୫-ଡିସେମ୍ବର) ରୁ ଆରମ୍ଭ କରି ୨୪ଶ ବର୍ଷ ୫।୬, ଷଷ୍ଠ ସଂଖ୍ୟା (୧୯୨୧ ଜୁନ । ଜୁଲାଇ) ମଧ୍ୟରେ ୨୩ ଗୋଟି ଭାଗରେ ପ୍ରକାଶିତ । ଗ୍ରନ୍ଥାକାରରେ ଉତ୍କଳ ସାହିତ୍ୟ ପ୍ରକାଶନୀ, କଟକଙ୍କ ଦ୍ୱାରା ୧୯୭୧ ମସିହାରେ ପ୍ରକାଶିତ ।)

 

ବାଇନାନୀଙ୍କ ବୁଜୁଳି–

 

(ଉ. ସା.ର ୨୫ଶ ଓ ୨୭ଶ ବର୍ଷ ମଧ୍ୟରେ ଏହା ଏଗାରଗୋଟି ପୁଡ଼ାରେ ପ୍ରକାଶିତ । ଉତ୍କଳ ସାହିତ୍ୟ ବିକାଶ ପ୍ରକାଶନସଂସ୍ଥାଦ୍ୱାରା ପରେ ପୁସ୍ତକାକାରରେ ପ୍ରକାଶିତ । ବାଇନାନୀଙ୍କ ବୁଜୁଳୀ ପୁସ୍ତକରେ ଧାରଣାବଂଧାର ପୁଞ୍ଜିପାଣ୍ଠି, ଓଡ଼ିଆ ମୁଲକ, ନନାଙ୍କ ପାଞ୍ଜି ଆଦି ରଚନା ସଂଯୋଜିତ । ଏହାର ମୋଟି ପୃଷ୍ଠା ସଂଖ୍ୟା-୮୦)

 

ବାଇଦାସଙ୍କ ଭଜନ ଓ ଶିଶୁଗୀତ– ପ୍ର. ପ୍ର. ୧୯୨୬

 

(୩୧ ଗୋଟି ଭଜନ ଓ ଶିଶୁଗୀତର ଏହା ସମାହାର । ଏଥିମଧ୍ୟରୁ ୧୧ ଗୋଟି ଭଜନ ପ୍ରହରାଜ ଓ ଅନ୍ୟ ୨୦ ଗୋଟି ଭଜନ ଓ ଶିଶୁଗୀତ ପୀତାମ୍ବର ଦେବୀଙ୍କଦ୍ୱାରା ରଚିତ । ପ୍ରହରାଜଙ୍କ ୫।୬ ଗୋଟି ଗୀତ ଉତ୍କଳ ସାହିତ୍ୟରେ ୧୯୦୫।୬ ମସିହା ପୂର୍ବରୁ ପ୍ରକାଶିତ ହୋଇଥିଲା ।)

 

ଢଗଢ଼ମାଳୀ ବଚନ- ପ୍ରଥମ ଭାଗ, ପ୍ର.ପ୍ର. ୧୯୨୬, ପଣ୍ଡିତ ଆକୁଳି ମିଶ୍ର, କଟକ ଟ୍ରେଡ଼ିଂ କମ୍ପାନୀ, କଟକ

 

(ଓଡ଼ିଆ ଲୌକିକ ପଦ ବା ଓଡ଼ିଆ ଢଗଢମାଳୀ ବଚନର ସମାହାର । ସଂକଳକ-ଗୋପାଳଚନ୍ଦ୍ର ପ୍ରହରାଜ ଓ ପୀତାମ୍ବରୀ ଦେବୀ । ଏଥିରେ ପ୍ରହରାଜଙ୍କ ଲିଖିତ ୨୬ ପୃଷ୍ଠାର ମୂଲ୍ୟବାନ ମୁଖବନ୍ଧ ସଂଯୋଜିତ । ୨୨୪ ପୃଷ୍ଠାର ଗ୍ରନ୍ଥରେ ପ୍ରାୟ ୨୬୦୦ ଢଗଢ଼ମାଳୀ ପ୍ରକାଶିତ)

ଢଗଢମାଳୀ ବଚନ–

୨ୟ ଭାଗ, ପ୍ର.ପ୍ର ୧୯୨୭/ପ୍ରକାଶକ-ପଣ୍ଡିତ ଆକୁଳି ମିଶ୍ର, କଟକ ଡ଼୍ରେଡ଼ିଂ କମ୍ପାନୀ, କଟକ ।

(ଏଥିରେ ସଂକଳିତ ଢଗଢମାଳୀର ସଂଖ୍ୟା ପ୍ରାୟ ୩୮୫୦ । ଏହାର ପୃଷ୍ଠା ସଂଖ୍ୟା ୩୮୪ । ଏଥିରେ ପ୍ରବଚନ, ପ୍ରବାଦ, ଆପ୍ତବଚନ ନ୍ୟାୟ ଇତ୍ୟାଦି ସଂଯୋଜିତ)

ଜେଜେବାପାଙ୍କ ଟୁଣିମୁଣି–

ରସଚକ୍ର ପତ୍ରିକାରେ ୧୩୪୦ ସାଲର ୭ମ (ପୃ ୨୩୭) ୮/୯ମ (ପୃ ୩୨୧/୩୨୭) ୧୩୪୧ ସାଲ ୧୦ମ (ପୃ ୩୪୦/୮୩, ୧୧ଶ (ପୃ ୪୨୬) ଓ (୧୨ଶ, ପୃ ୪୭୭) ସଂଖ୍ୟାରେ, ପାଞ୍ଚଗୋଟି ଭାଗରେ ପ୍ରକାଶିତ ।

ସ୍ୱପ୍ନରେ ରାଜଯୋଗ–

(ପଣ୍ଡିତ ନୀଳକଣ୍ଠ ଦାସଙ୍କଦ୍ୱାରା ସଂପାଦିତ ନବଭାରତ ପତ୍ରିକାର ରଙ୍ଗ ବ୍ୟଙ୍ଗ ବିଭାଗରେ ପ୍ରଥମ ଖଣ୍ଡର ୪ର୍ଥ, ୫ମ, ୬ଷ୍ଠ ଓ ୨ୟ ଖଣ୍ଡର ୪ର୍ଥ ଓ ୫ମ ସଂଖ୍ୟାରେ ୫ ଗୋଟି ଭାଗରେ, ଧୂର୍ମୂଷଧୂମା ଛଦ୍ମନାମରେ ୧୩୪୧ ରୁ ୪୨ ସାଲ ମଧ୍ୟରେ ପ୍ରକାଶିତ)

ସ୍ୱପ୍ନରେ ରାଜଧାନୀ ଯୋଗ–

 

(ନବ ଭାରତ ପତ୍ରିକାରେ ଧୂର୍ମୂଷ ଧୂମା ଛଦ୍ମନାମରେ ୧୩୪୩ ସାଲ ୩ୟ ବର୍ଷର ୨ୟ ସଂଖ୍ୟାରେ ପ୍ରକାଶିତ ।)

 

ଭାଷାକୋଷ ପାଇଁ ସଫର–

 

(ଉ. ସା. ପତ୍ରିକାରେ ୧୯୩୭ ମସିହାରେ ୫ ଗୋଟି ଭାଗରେ ପ୍ରକାଶିତ ଏବଂ ପରେ ଉତ୍କଳ ସାହିତ୍ୟ ବିକାଶ ପ୍ରକାଶନସଂସ୍ଥାଦ୍ୱାରା ପ୍ରହରାଜ ବିଚିତ୍ରା ପୁସ୍ତକର ୪୫ରୁ ୮୩ ପୃଷ୍ଠା ମଧ୍ୟରେ ସଂଯୋଜିତ) ।

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ-ଦ୍ରଷ୍ଟବ୍ୟ-ଟେବୁଲ-୨

 

 

ଦୁଇ ଖଣ୍ଡ ଓଡ଼ିଆ ପୁସ୍ତକ – (ଛ’ମାଣ ଆଠଗୁଣ୍ଠ ଓ ଯୁଗଧର୍ମ ପୁସ୍ତକସଂକ୍ରାନ୍ତୀୟ ଆଲୋଚନା ।)

 

ଉ. ସା. ବ ୬ଷ୍ଠ / ସଂ ୪ର୍ଥ/ ୧୩୧୦ ସାଲ ଓ ଉ. ସା. ବ ୬ଷ୍ଠ/ ସଂ ୬ଷ୍ଠ/ ୧୩୧୦ ସାଲ

 

ବିଶୁଦ୍ଧ ଭାଷା–ଉ. ସା. ବ ୮ମ/ ସଂ ୫ମ/ ୧୩୧୧ ସାଲ

 

ଉତ୍କଳ ସାହିତ୍ୟର ଆଧୁନିକ ଗତି–ଉ. ସା. ବ ୧୧ଶ/ ସଂ ୧୨ଶ/ ୧୩୧୩ ସାଲ

 

ଋଷିପ୍ରାଣ ରାମଶଙ୍କର–ଉ. ସା. ସଂ ୬ଷ୍ଠ / ୧୯୩୧ ସାଲ

 

ନକ୍ଷତ୍ର୧, ରସଚକ୍ର ୭ମ ସଂଖ୍ୟା, ଭାଦ୍ର ୧୩୪୦ ସାଲ

 

ନକ୍ଷତ୍ର-୨, ରସଚକ୍ର ୮/୯ ସଂଖ୍ୟା, ୧୩୪୦ ସାଲ

 

ନକ୍ଷେତ୍ର-୩, ରସଚକ୍ର ୧୦ମ ସଂଖ୍ୟା, ୧୩୪୧ ସାଲ

 

ଉତ୍କଳର କୁଳବୃଦ୍ଧ ମଧୁସୂଦନ – ମଧୁତର୍ପଣ–ଉ. ସା. ବ ୩୭ ଶ/ସଂ ୧୦ମ/ ୧୩୪୧ ସାଲ

 

ପଲ୍ଲୀକବି ନନ୍ଦକିଶୋର ସ୍ମୃତିପୂଜା–ଉ.ସା. ଭାଦ୍ର, ୧୩୪୨ ସାଲ

 

ଗୁରୁନାନକ–ଉ. ସା. ମାର୍ଗଶିର–୧୩୪୩ ସାଲ

 

କବି ଗଙ୍ଗାଧର–ଉ. ସା. ମାଘ–୧୩୪୩ ସାଲ

 

ସ୍ୱର୍ଗତ ବିଶ୍ୱନାଥ କର–ଉ. ସା. ବ ୩୮ ଶ/ ସଂ ୭ମ/ ୧୩୪୨ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା) ଉ. ସା. ଚୈତ୍ର–୧୩୪୩ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା) ଉ. ସା. ଜ୍ୟେଷ୍ଠ–୧୩୪୪ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା) ଉ. ସା କାର୍ତ୍ତିକ–୧୩୪୪ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା) ଉ. ସା. ପୌଷ–୧୩୪୫ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା) ଉ. ସା. ଫାଲଗୁନ–୧୩୪୩ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା ଉ. ସା. ଭାଦ୍ର–୧୩୪୪ ସାଲ

 

ସଚ୍ଚିଦାନନ୍ଦଙ୍କ ପ୍ରତି ଆକ୍ଷେପର ଉତ୍ତର-ଉ. ସା–୧୩୪୪ ସାଲ

 

ନିଃଶ୍ୱାସର ଫେରଫାର–ଉ. ସା. ପୌଷ-୧୩୪୫ ସାଲ

 

ସମାଲୋଚନା (ପୁସ୍ତକ ସମୀକ୍ଷା) ଉ. ସା. ବ ୪୨ ସଂ ୭ମ/ ୧୩୪୬ ସାଲ

 

ଉଡ଼ିଷ୍ୟାର କଥା ସମ୍ବନ୍ଧେ ପଦେ ଅଧେ–ଉ. ସା. ୪ବ ୪୨ଶ/ ସଂ ୭ମ/୧୩୪୭ ସାଲ

 

ସ୍ୱର୍ଗତଃ ବାବା ମହାନନ୍ଦ କର–ଉ. ସା. ବ ୪୩ଶ / ଶ୍ରାବଣ/ ୧୩୪୬ ସାଲ

 

କଟକ ଟ୍ରେନିଂ ସ୍କୁଲର ପାଠ୍ୟନିର୍ଘଣ୍ଟ–ଉ. ସା. ଚୈତ୍ର/ ୧୩୪୬ ସାଲ

 

ଶଶିଭୂଷଣ ରାୟଙ୍କ ପ୍ରବନ୍ଧ ପ୍ରବାହ ଗ୍ରନ୍ଥର ମୁଖବନ୍ଧ–ପ୍ର. ପ୍ର. ୧୯୪୪

 

ଓଡ଼ିମ ଭାଷାର କେତେକ ବିଭ୍ରାଟ-ନବ ଭାରତ–୧ମ ବର୍ଷ ୪ର୍ଥ ସଂଖ୍ୟା-୧୩୪୧ ସାଲ

 

ଦୁନିଆର ରୀତି–ଏ ଭଞ୍ଜ ପ୍ରଦୀପ

 

ଉପର୍ଯ୍ୟୁକ୍ତ ଆଲୋଚନାଗୁଡ଼ିକ ବ୍ୟତୀତ ଧାରଣବନ୍ଧାର ପୁଞ୍ଜିପାଣ୍ଠି, ନନାଙ୍କ ପାଞ୍ଜି ଓ ଓଡ଼ିଆ ମୁଲକ ଆଦି ରଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।

 

ସଂପାଦନା

 

ସତ୍ୟ ସମାଚାର (ସାପ୍ତାହିକ ପତ୍ରିକା) –୧୯୩୦

 

ପତ୍ରିକାଟି ପ୍ରଥମେ ବିଶ୍ୱନାଥ କର ଓ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କଦ୍ୱାରା ଏବଂ କରଙ୍କ ତିରୋଧାନ ପରେ ପ୍ରହରାଜ ଓ ଶ୍ରୀକୃଷ୍ଣ ମହାପାତ୍ରଙ୍କଦ୍ୱାରା ଯୁଗ୍ମଭାବରେ ଏବଂ ତା ୧୯-୮-୩୬ ମସିହା ପରଠାରୁ ଗୋପାଳ ପ୍ରହରାଜକର୍ତ୍ତୃକ ସଂପାଦିତ ହେଉଥିଲା । ଏହାର ପ୍ରକାଶକ ଥିଲେ ମହାନନ୍ଦ କର ଏବଂ ପତ୍ରିକାଟି ପତ୍ରିକାଟି ମୁଦ୍ରିତ ହେଇଥିଲା ଉତ୍କଳ ସାହିତ୍ୟ ପ୍ରେସ କଟକଙ୍କଦ୍ୱାରା-

Image

 

ପରିଶିଷ୍ଟ-ଖ ପ୍ରହରାଜଙ୍କ ଉଇଲ

 

ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜ, ପିତା ସ୍ୱର୍ଗତ ନରସିଂହ ପ୍ରହରାଜ, ବୟସ ୬୨ ବର୍ଷ, ଜାତି ଓଡ଼ିଆ ବ୍ରାହ୍ମଣ, ବ୍ୟବସାୟ-ଓକିଲାତି, ଗ୍ରନ୍ଥ ରଚନା ଆଦି । ସା-ନର୍ମାଲ ସ୍କୁଲଲେନ୍, ସାହେବଜାଦା ବଜାର, ପ୍ର. ବାଖରାବାଦ, ସହର-କଟକ, ଜି-କଟକ ।

 

ଶ୍ରୀମତୀ ପିତାମ୍ବରୀ ଦେବୀ ଓରଫ ମନମୋହିନୀ ଦେବୀ, କନ୍ୟା ସ୍ୱର୍ଗତ ଦୟାନିଧି ମିଶ୍ର, ବୟସ ୩୧ ବର୍ଷ, ଜାତି ଓଡ଼ିଆ ବ୍ରାହ୍ମଣ, ବ୍ୟବସାୟ ଟଙ୍କି, ଲାଖରାଜି, ମହାଜନି ଓ ଗ୍ରନ୍ଥ ରଚନା ଆଦି । ସା-ନୁଆଗାଁ ବିଶ୍ୱନାଥପୁର, ପ୍ର-ରାହାଙ୍ଗ, ଜି-ପୁରୀ, ହାଲ-ସାକିନ୍ ନିର୍ମାଲ ସ୍କୁଲ ଲେନ୍, ସାହେବଜାଦା ବଜାର, ପ୍ର, ବାଖରାବାଦ, ସହର-କଟକ, ଜି-କଟକ ।

 

ଉଇଲନାମା

 

ଆମ୍ଭେ ଉଇଲ ସମ୍ପାଦନକାରୀ, ଏଥିପୂର୍ବେ ଏକ ଉଇଲ ସମ୍ପାଦନ କରି ତାହା ତା ୧୭।୩।୩୪ ରିଖେ କଟକ ସବ୍‌ରେଜିଷ୍ଟରି ଅଫିସରେ ମୁଦି କରି ଡିପାଜିଟ୍ କରିଥିଲୁଁ, କିନ୍ତୁ ଇତିମଧ୍ୟରେ ଘଟନାଚକ୍ରରେ କେତେକ ପରିବର୍ତ୍ତନ ଘଟିଥିବାରୁ ଉକ୍ତ ମୁଦ୍ରା ଡିପାଜିଟ୍ ଉଇଲକୁ ରେଜିଷ୍ଟରିଖାନାରୁ ଓ୍ୟାପସ୍ ଆଣି ତହିଁରେ ଥିବା ସର୍ତ୍ତମାନଙ୍କ ପରିବର୍ତ୍ତନ ଓ ରଦ୍ କରି ଆମ୍ଭଙ୍କୁ ସାନି ଉଇଲ ସମ୍ପାଦନ କରିବା ଦରକାର ହେବାରୁ ଆମ୍ଭେ ଆଜ ତାରିଖେ ଆପଣାର ପଞ୍ଚଭୂତଆତ୍ମା ସର୍ବକୁଶଳରେ ଥାଇ, ଆପଣାର ସ୍ୱଇଚ୍ଛାକ୍ରମେ ହଦକମଳ ଦସ୍ତି ଦୋରସ୍ତିରେ ଥାଇ, ବିନା କାହାରି ଶିକ୍ଷା, ଅନୁରୋଧ, ଉପରୋଧ, ମୋହମତ, ପ୍ରରୋଚନା, ପ୍ରେରଣା, ସୂଚନା, ପ୍ରଲୋଭନ ବା କୁପରାମର୍ଶରେ ସରଳଭାବେ ସୁସ୍ଥ ଶରୀରରେ, ସ୍ଥିର ମନରେ ଏ ଉଇଲ ସମ୍ପାଦନ କରି ଲେଖିଦେଇଅଛୁଁ କି–

 

୧.

ଆମ୍ଭର ଓ ଉଇଲଗ୍ରହିତ୍ରୀ ଶ୍ରୀମତୀ ପିତାମ୍ବରୀ ଦେବୀଙ୍କ ସହକର୍ମିଣି ଓ ସାହଚର୍ଯ୍ୟରେ ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ସମ୍ପାଦନରେ ଯେଉଁ ଚାତୁର୍ଭାଷିକ ଓଡ଼ିଆ ଅଭିଧାନ ସଙ୍କଳିତ, ସମାର୍ଜିତ, ମୁଦ୍ରିତ, ପ୍ରକାଶିତ ହେଉଅଛି ଓ ଯହିଁରେ ଆମ୍ଭେ ସଂକଳିତା ବା ସଂଗ୍ରାହକ ଓ ପିତାମ୍ବରୀ ଦେବୀ ସହକର୍ମିଣି ବୋଲି ମୁଦ୍ରିତ ଓ ପ୍ରକାଶିତ ଖଣ୍ଡମାନଙ୍କରେ ପ୍ରକଟିତ ହୋଇଅଛି, ଉକ୍ତ ଗ୍ରନ୍ଥର ଚତୁର୍ଥଖଣ୍ଡ ସମାପ୍ତ ହୋଇ ପଞ୍ଚମ ଖଣ୍ଡର ମୁଦ୍ରଣ ସରିଅଛି ଓ ପଞ୍ଚମଖଣ୍ଡ ଶୀଘ୍ର ପ୍ରକାଶିତ ହେବ । ଉକ୍ତ ଗ୍ରନ୍ଥ ଆଉ ଦୁଇଖଣ୍ଡ (୬ଷ୍ଠ ଓ ୭ମ ଖଣ୍ଡ) ରେ ସମାପ୍ତ ହେବ ବୋଲି ବର୍ତ୍ତମାନ ଅଟକଳ କରାଯାଇଅଛି । ଉକ୍ତ ଗ୍ରନ୍ଥ ଆମ୍ଭର ଓ ପୀତାମ୍ବରୀଂକ ଯୁଗ୍ମ ପରିଶ୍ରମସଂଭୂତ ଥିବାରୁ ସେ ଗ୍ରନ୍ଥରେ ଓ ତାଂକର ଓ ଆମ୍ଭର ସହକର୍ମିତାରେ ରଚିତ ଓ କଂକଳିତ ଅନ୍ୟଗ୍ରନ୍ଥମାନଙ୍କରେ କପିରାଇଟ୍ ସ୍ୱତ୍ୱ ଓ ପ୍ରକାଶିତ ଗ୍ରନ୍ଥମାନଙ୍କରେ ମାଲିକ ସ୍ୱତ୍ୱ ଆମ୍ଭର ଅଧେ ଓ ପୀତାମ୍ବରୀ ଦେବୀଙ୍କର ଅଧେ ଥିବା ବିଷୟ ଆମ୍ଭେ ତା ୨୩ ।୬। ୧୯୨୭ ଓ ୧୪ । ୯ ।୧୯୩୧ ତାରିଖମାନଙ୍କରେ ସଂପାଦିତ ଖଏର ରେଜିଷ୍ଟର ଏଗ୍ରିମେଣ୍ଟମାନଙ୍କର ଏକରାର କରିଅଛୁଁ । ଉକ୍ତ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଥମ ସଂସ୍କରଣର ପ୍ରକାଶିତ ଗ୍ରନ୍ଥମାନଙ୍କରେ ଓ ତହିଁରୁ ଲଭ୍ୟ ଉପସ୍ୱତ୍ୱରେ ଶ୍ରୀମତୀ ପୀତାମ୍ବରୀଙ୍କର ଆଠପଣ ଓ ଆମ୍ଭର ଆଠପଣ ଅଛି ଓ ରହିବ । ପ୍ରଥମ ସଂସ୍କରଣର ଯେଉଁ ଗ୍ରନ୍ଥ ଓ ଖଣ୍ଡ...ଆଜି ପର୍ଯ୍ୟନ୍ତ ପ୍ରକାଶିତ ହୋଇ ବିକ୍ରି ନହୋଇ........ରହିଅଛି, ସେଥିର ବିକ୍ରିରୁ ଯାହା ଧନ ମିଳିବ ସେଥିରୁ ଏଜେଣ୍ଟ ଓ ପୁସ୍ତକବିକ୍ରେତାମାନଙ୍କ ପ୍ରାପ୍ୟ କମିସନ ବାଦ୍ ଯାହା ନୀଟ୍ ଲବ୍‌ଧ ହେବ, ସେଥିରୁ ପୀତାମ୍ବରୀ ଆଠପଣ ପାଇବେ । ପ୍ରଥମ ସଂସ୍କରଣର ଅପ୍ରକାଶିତ ଅଂଶର ଓ ଖଣ୍ଡମାନଙ୍କର ପ୍ରକାଶ ପାଇଁ ଆମ୍ଭ ଅନ୍ତେ ଗଭର୍ଣ୍ଣମେଣ୍ଟ, ବିଶ୍ୱବିଦ୍ୟାଳୟ ଓ ଅନ୍ୟଦାତାମାନଙ୍କଠାରୁ ଦାନ ଓ ସାହାଯ୍ୟରୂପେ ଯାହା ମିଳିବ ଓ ଅଗ୍ରିମ ଗ୍ରାହକ, ନଗଦ ଗ୍ରାହକ, ପୁସ୍ତକ ବିକ୍ରେତା ଓ ଏଜେଣ୍ଟଙ୍କଠାରୁ ଏ ଗ୍ରନ୍ଥର ଅଗ୍ରିମ ଓ ବିକ୍ରିଲବ୍‌ଧ ମୂଲ୍ୟରୂପେ ଯାହା ମିଳିବ ତହିଁରୁ ଅପ୍ରକାଶିତ ଅଂଶମାନଙ୍କ ମୁଦ୍ରଣ ଓ ପ୍ରକାଶାଦି ପାଇଁ..........ପୀତାମ୍ବରୀ ଯେଉଁ ଋଣ କରିବୁଁ ତାହା ସୁଝା ଯାଇ ନୀଟ୍ ଲବ୍‌ଧ ହେବ । ସେଥିରୁ ପୀତାମ୍ବରୀ ଅଧେ ପାଇବେ ।

୨.

ଆମ୍ଭ ମୃତ୍ୟୁ ପରେ ପ୍ରଥମ ସଂସ୍କରଣର ଅପ୍ରକାଶିତ ଅଂଶର ଓ ପରବର୍ତ୍ତୀ ସଂସ୍କରଣମାନଙ୍କର ଓ ସୁଲଭ ଓ ଭାଷାନ୍ତରିତ ସଂକ୍ଷିପ୍ତ ସଂସ୍କରଣମାନ ପ୍ରକାଶ କରିବା ଓ ସେମାନେ ବିକ୍ରିହେବା ଓ ବିକ୍ରିଲବ୍‌ଧ ଧନ ପାଇବାର ଏକାଏକ ଭାର ଶ୍ରୀମତୀ ପୀତାମ୍ବରୀ ଦେବୀଙ୍କଠାରେ ଆମ୍ଭେ ଅର୍ପଣ କଲୁଁ । ସେଥିରେ ଅନ୍ୟକେହି ହସ୍ତକ୍ଷେପ କରି ନ ପାରିବେ । ସେହି ସେହି ଗ୍ରନ୍ଥ ଓ ସଂସ୍କରଣମାନଙ୍କ ପ୍ରକାଶ ମୁଦ୍ରଣାଦି ପାଇଁ ଯାହା ଧନ ସାହାଯ୍ୟ ମିଳିବ ଓ ବିକ୍ରୟରୁ ଅଗ୍ରିମ ଓ ନଗଦ ଯାହା ଧନ ମିଳିବ ଓ ସେଥିପାଇଁ ଯାହା ଋଣ ବା ଧାର କରିବାର ହେବ, ତାହା ସମସ୍ତ ପୀତାମ୍ବରୀ ଦେବୀ ଏକା ଏକା ଗ୍ରହଣ କରିବେ ଓ ଉକ୍ତ ଧନରୁ ପ୍ରକାଶ ଓ ମୁଦ୍ରାଣାଦିର ସମସ୍ତ ବ୍ୟୟ ଚଳାଇବେ । ଋଣ ହୋଇଥିବା ଟଙ୍କା ପ୍ରକାଶ ଓ ମୁଦ୍ରଣର ଖରଚ, କାଗଜ ଖରଚ ଓ ଋଣଶୋଧ ଓ ପୁସ୍ତକବିକ୍ରେତାଙ୍କ କମିସନ ଆଦି ସୁଝାଯିବା ପରେ ଯାହା ନୀଟ୍ ଲବ୍‌ଧ ହେବ, ସେଥିରୁ ଅର୍ଦ୍ଧେକ ପୀତାମ୍ବରୀ ଦେବୀ ନେବେ ଓ ବାକି ଆମ୍ଭର ପ୍ରାପ୍ୟ ଅଧେ ନିମ୍ନଲିଖିତରୂପେ ବଣ୍ଟନ କରିଦେବେ । ପୀତାମ୍ବରୀଙ୍କଠାରୁ ଆମ୍ଭ ନିରୂପିତ ବଣ୍ଟନମତେ ଧନ ନେବା ଛଡ଼ା ଆମ୍ଭର ଓ୍ୟାଲି ଓ୍ୟାରସ ଉତ୍ତରାଧିକାରୀ କେହି ବା ବଣ୍ଟନମତେ ଧନ ପାଇବା କୌଣସି ବ୍ୟକ୍ତି ଗଚ୍ଛିତ ଗ୍ରନ୍ଥରେ ବା ତହିଁର ପ୍ରକାଶ ଓ ମୁଦ୍ରଣାଦିରେ ତହିଁର କପିରାଇଟ୍ ସ୍ୱତ୍ୱର ବ୍ୟବହାର ଓ ପରିଚାଳନାରେ ପୀତାମ୍ବରୀଙ୍କ ଏକାଏକ ଦଖଲ ଓ ଅଧିକାର ବିଷୟରେ କୌଣସି ପ୍ରକାରେ ବାଧା ବା ବ୍ୟାଘାତ ଜନ୍ମାଇପାରିବେ ନାହିଁ ।

୩.

ଆମ୍ଭ ଆଠପଣ ପ୍ରାପ୍ୟଧନ ପୀତାମ୍ବରୀ ନିମ୍ନଲିଖିତମତେ ବ୍ୟକ୍ତିମାନଙ୍କୁ ବାଣ୍ଟିଦେବେ ।

 

(କ)

ଆମ୍ଭର ବଡ଼ ନାତି ଶ୍ରୀମାନ୍ ଉମାକାନ୍ତ ପ୍ରହରାଜ ଆମ୍ଭ ଆଠପଣର ଏକ ଚତୁର୍ଥାଂଶ ବା ସମଗ୍ର ନୀଟ୍ ଲାଭର ଏକ ଅଷ୍ଟମାଂଶ ।

 

(ଖ)

ଆମ୍ଭର କନିଷ୍ଠ ନାତି ଶ୍ରୀମାନ୍ ସତ୍ୟବାଦୀ ଆମ୍ଭ ଆଠପଣର ଏକ ଚତୁର୍ଥାଂଶ ବା ସମଗ୍ର ନୀଟ୍ ଲାଭର ଏ ଅଷ୍ଟମାଂଶ ।

 

(ଗ)

ପୀତାମ୍ବରୀ ଦେବୀଙ୍କ ପାଳିତ ପୁତ୍ର ଶ୍ରୀମାନ୍ ଜଗବନ୍ଧୁ ଆମ୍ଭ ଆଠପଣର ଏକ ଚତୁର୍ଥାଂଶ ବା ସମଗ୍ର ନୀଟ୍ ଲାଭର ଏକ ଅଷ୍ଟମାଂଶ ।

 

(ଘ)

ଆମ୍ଭ ଆଠପଣରୁ କ, ଖ, ଗ ଦିଆଯିବା ପରେ ସମଗ୍ର ନୀଟ୍ ଲାଭର ଯେଉଁ ଅଷ୍ଟମାଂଶ ବଳିବ ତାକୁ ପୀତାମ୍ବରୀ ଦେବୀ ସମାନ ତିନିଭାଗ କରି ଏକଭାଗ ଉତ୍କଳ ସାହିତ୍ୟ ପ୍ରେସର ସ୍ୱତ୍ୱାଧିକରୀଙ୍କୁ, ଏକଭାଗ କଟକ ଉତ୍କଳ ସାହିତ୍ୟ ସମାଜର ଫଣ୍ଡକୁ ଓ ଅନ୍ୟ ଏକ ଭାଗ, ଯେଉଁମାନେ ଗ୍ରନ୍ଥ ପ୍ରକାଶରେ ପୀତାମ୍ବରୀ ଦେବୀଙ୍କୁ ସହକର୍ମୀ ଓ ସହାୟକ ରୂପେ ସାହାଯ୍ୟ କରିବେ, ସେମାନଙ୍କ ମଧ୍ୟରେ ସମାନ ହିଂସାରେ ବାଣ୍ଟିଦେବେ ।

୪.

ପୀତାମ୍ବରୀ ଦେବୀ ଆମ୍ଭ ଉଇଲର ଏକମାତ୍ର ଏକଜିକ୍ୟୁଟୀଭ ରୂପେ ତହିଁରେ ପ୍ରବେଟ ହାସଲ କରିବେ ।

୫.

ଆମ୍ଭ ଓ୍ୱାଲି ଔରସ ଉତ୍ତରାଧିକାରୀ କେହି ଉପରୋକ୍ତ ଗ୍ରନ୍ଥମାନଙ୍କ ଉପସ୍ୱତ୍ୱରେ ବା ଲବ୍‌ଧ ଧନରେ ବା ପ୍ରକାଶରେ ବା କପିରାଇଟ୍ ସ୍ୱତ୍ୱରେ ହସ୍ତକ୍ଷେପ କରି ନ ପାରିବେ ।

୬.

ଏ ଭାଷାକୋଷ ଗ୍ରନ୍ଥର ପ୍ରଥମ ସଂସ୍କରଣର ମୁଦ୍ରିତ ଓ ପ୍ରକାଶିତ ଖଣ୍ଡମାନ ରହିବା ପାଇଁ ପୀତାମ୍ବରୀ ଦେବୀଙ୍କର.....ରେଜିଷ୍ଟାର କବଲାଦ୍ୱାରା ଆମ୍ଭଠାରୁ ଖରିଦ ଗୃହର ଏକାଂଶ ଯାହା ଆମ୍ଭେ ତାଙ୍କଠାରୁ ଅଧା ଭଡ଼ା ମାସିକ ୧୫ଟରେ ନେଉଅଛୁ ଓ ଆମ୍ଭର ନିଜର ଚଳାଚଳ ନିମନ୍ତେ ଯେଉଁ ଅଂଶ ଆମ୍ଭେ ତାଙ୍କଠାରୁ ୧୫ ଟଙ୍କା ଭଡ଼ାରେ ନେଇଅଛୁଁ, ଆମ୍ଭ ଅନ୍ତେ ପିତାମ୍ବରୀ ଦେବୀ ଉକ୍ତ ଭଡ଼ାଘର ଓ ଅଂଶମାନଙ୍କର ଏକାଏକ ଖାସ୍ ଦଖଲ କରିବେ ଓ ସେ ଘରେ ଓ ଅଂଶରେ ଥିବା ଆମ୍ଭର ସବୁ ଚଳନ୍ତ ସଂପତ୍ତି ଆସବାବ, ପୁସ୍ତକ, ବାସନ, ଲୁଗାପଟା ଓ ବ୍ୟବହାର୍ଯ୍ୟ ଜିନିଷମାନ ପିତାମ୍ବରୀ ଦେବୀ ନେବେ ଓ ସେମାନେ ଆମ୍ଭ ଔରସ କେହି ଦାବି କରିବେ ନାହିଁ, କିମ୍ବା ପିତାମ୍ବରୀ ଦେବୀଙ୍କୁ ବେଦଖଲ କରିବେ ନାହିଁ ।

୭.

ଭାଷାକୋଷର ପ୍ରଥମ ସଂସ୍କରଣର ଅପ୍ରକାଶିତ ଅଂଶର ଓ ପରବର୍ତ୍ତୀ ସଂସ୍କରଣମାନଙ୍କ ଓ ସୁଲଭ, ସଂକ୍ଷିପ୍ତ ଓ ଭାଷାନ୍ତରିତ ସଂସ୍କରଣମାନଙ୍କର ପ୍ରକାଶ, ବିକ୍ରୟ, ହସ୍ତାନ୍ତର ବନ୍ଧକ ଆଣି ଓ କପି ରାଇଟ୍ ସ୍ୱତ୍ୱର ଦଖଲ ଆଦି ସର୍ବେଦ ବିଷୟରେ ଆମ୍ଭେ ସ୍ୱୟଂ ଜୀବିତ ଥିଲେ ଯାହା କରିପାରନ୍ତୁ, ସେ ସମସ୍ତ କର୍ମ, ଦାୟିତ୍ୱ, ଅଧିକାର, ବ୍ୟବସ୍ଥା, ଆୟୋଜନ ପିତାମ୍ବରୀ ଦେବୀ ଏକାଏକ କରିବେ ଓ ଭାଷାକୋଷ ଫଣ୍ଡ ଓ ତହିଁର ହିସାବ ସେ ନିଜେ ବା ଲୋକ ନିଯୁକ୍ତ କରି ରଖିବେ ବା ରଖାଇବେ ଓ ତାଙ୍କ ଅନ୍ତେ ଏ ଅଧିକାର ପରିଚାଳନା କରିବାକୁ ସେ ଯାହାକୁ ଭାର ଦେଇଯିବେ ବା ମନୋନୀତ କରିଯିବେ ସେ ତାହା ତୁଲାଇବେ ।

୮.

କପି ରାଇଟ୍‌ରେ ଓ ଉପସ୍ୱତ୍ୱରେ ବା ଲଭ୍ୟରେ ଆମ୍ଭର ଓ ତାଙ୍କର ଅଧେ ଅଧେ ହିସାଥିବା ଅନ୍ୟ ପୁସ୍ତକମାନଙ୍କରେ ପ୍ରକାଶ କରିବାର ଭାର ଆମ୍ଭ ଅନ୍ତେ ଏକାଏକ ପିତାମ୍ବରୀ ଦେବୀଙ୍କଠାରେ ଆମ୍ଭେ ନ୍ୟସ୍ତ କଲୁଁ । ସେଥିର ସମସ୍ତ ଖର୍ଚ୍ଚ ପରିଶୋଧପର ନୀଟ୍ ଲଭ୍ୟରୁ ସେ ନିଜର ଅଧିକ ନେଇ ବାକି ଅଧିକ ଆମ୍ଭର ଦୁଇ ନାତି ଉମାକାନ୍ତ ଓ ସତ୍ୟବାଦୀଙ୍କୁ ସମାନ ହିସାବରେ ବାଣ୍ଟିଦେବେ ।

୯.

୧୯୧୮ ସାଲ ପୂର୍ବରୁ ଆମ୍ଭର ରଚିତ ପୁସ୍ତକମାନଙ୍କ ମଧ୍ୟରୁ ଯେଉଁ ପୁସ୍ତକର ସ୍ୱତ୍ୱ ଆମ୍ଭେ ଉତ୍କଳ ସାହିତ୍ୟ ପ୍ରେସର ଓ ପତ୍ରିକାର ସମ୍ପାଦକଙ୍କୁ ଦେଇଅଛୁଁ, ତାହା ଉତ୍କଳ ସାହିତ୍ୟ ପ୍ରେସ ମାଲିକଙ୍କର ରହିବ । ତାହାଛଡ଼ା ଯେଉଁ ଯେଉଁ ପୁସ୍ତକରେ ଲେଖାରେ ବା ପ୍ରବନ୍ଧରେ ଆମ୍ଭର ଏକାଏକ କପି ରାଇଟ୍ ସ୍ୱତ୍ୱ ଓ ସ୍ୱତ୍ୱ ଅଛି ଓ ଭବିଷ୍ୟତକୁ ମିଳିବ, ତାହା ଆମ୍ଭର ଦୁଇ ନାତି ଉମାକାନ୍ତ ଓ ସତ୍ୟବାଦୀ ସମାନ ହଂସାରେ ପାଇବେ ।

୧୦.

ଜି-କଟକ, ପ୍ର-ବାଖରାବାଦ, ତଉଜି ୨୪୯୮ ନମ୍ବର । ମୌ-ବାହାରନଳ, ଡାକ ନାମ-ସାହେବଜାଦା ବଜାର, ନର୍ମାଲ ସ୍କୁଲ ଲେନ୍, ଥାନା, କଟକ ଟାଉନ, ଥାନା ୨୦୦ନମ୍ବର ଜମିଦାର ଗଣେଶ ସାଲ ପଣ୍ଡିତଙ୍କ ଅଧିନ ଲାଖରାଜି ବ୍ୟାଯ୍ୟାପ୍ତି ଖତିଆନ ୩୯୫ନମ୍ବର ଖସଡ଼ା ୧୯୪ ନମ୍ବର ମିଉନିସିପାଲ ହୋଲ୍‌ଡ଼ିଙ୍ଗ ୨ ନମ୍ବର ଓ୍ୟାଡ଼ର ୨୦୨ନମ୍ବର ବାରି ଏଂକୁ ଜମା ୨୭ଟଙ୍କା ଦୁଇ ଅଣା ଅଟେ ଓ ଯହିଁର ।ଉ। ପିଆରି ସେନା ଗଳି, ।ଦ। ରାୟବାହାଦୂର ରାଧାକାନ୍ତ ଘୋଷଙ୍କ କୋଠା, ପୋପା ନର୍ମାଲ ସ୍କୁଲ ଲେନ୍ ଓ ।ପୂ। ପୀତାମ୍ବରୀଙ୍କର ଆମ୍ଭଠାରୁ ରେଜିଷ୍ଟରି କବଲାଦ୍ୱାରା ଖରିଦ ୨୦୨ ନମ୍ବର ହୋଲ୍‌ଡ଼ିଙ୍ଗ୍ ଅଟେ । ଏ ସଂପତ୍ତିକୁ ଆମ୍ଭେ ଆମ୍ଭର ସ୍ୱୋପାର୍ଜିତ ଏକାଏକ ଧନରୁ ଆମ୍ଭର ବନ୍ଧୁ ସ୍ୱର୍ଗୀୟ ଗୋକୁଳାନନ୍ଦ ଚୌଧୁରୀଙ୍କଦ୍ୱାରା କଟକ ସବ୍‌ଜଜ ଅଦାଲତରେ ୧୯୦୫ ମସିହାର ୩୬୮ ନମ୍ବର ବନ୍ଧକ ମକଦ୍ଦମାର ଡିଗ୍ରୀଯାରି କ୍ରମେ ୧୫।୮।୧୯୧୭ ତାରିଖେ ନିଲାମରେ ଧରାଇ ତହିଁର ବଏନାମା ଓ ଦଖଲ ନେଇ ଆମ୍ଭ ସ୍ତ୍ରୀ ମୁକ୍ତାମଣି ଦେବୀଙ୍କ ନାମେ ବେନାମିରେ ଗୋକୁଳାନନ୍ଦ ଚୌଧୁରୀଙ୍କଠାରୁ ୨୨।୯।୧୯୦୮ ତାରିଖରେ ରଜିଷ୍ଟରି ଚୁକ୍ତିପତ୍ର କରାଇ ନେଇଅଛୁଁ ଓ ଯହିଁର ଖଜଣା ଓ ଟିକସ ଆଦି ଆମ୍ଭେ ଦେଇଆସିଅଛୁଁ । ଉକ୍ତ ବୃତ୍ତି ଆମ୍ଭ ସ୍ତ୍ରୀଙ୍କ ନାମେ ଆମ୍ଭେ ବନ୍ଦୋବସ୍ତ ଜାଗଜତରେ ଦରଜ କରାଇଥିଲେ ହେଁ ସେ ସଂପତ୍ତି ଓ ତହିଁରେ ଥିବା କୋଠା, ଘର, କୂପ, ପାଇଖାନା ଓ ମଞ୍ଚ ଆଦି ଆମ୍ଭର ଏକାଏକ ସ୍ୱତ୍ୱ ଅଟେ ଓ ସେଥିରେ ଆମ୍ଭ ସ୍ତ୍ରୀଙ୍କର ବା ଔରସଙ୍କର କିଛି ମାତ୍ରା ସ୍ୱପ୍ନ ବା ସ୍ୱାମିତ୍ୱ ନାହିଁ ଓ ତହିଁର ବଏନାମା, ଚୁକ୍ତିପତ୍ର, ବନ୍ଦୋବସ୍ତ ପଟା, ପାଉତି, ରସିଦଆଦି ସମସ୍ତ ଆମ୍ଭେ ଆମ୍ଭ ପାଖେ ରଖିଅଛୁଁ । ଉକ୍ତ ବୃତ୍ତିକୁ ଆମ୍ଭର ବସୁବାସ କରୁଥିବା ୨୦୩ ନମ୍ବର ହୋଲ୍‌ଡ଼ିଙ୍ଗ୍‌ରେ ଥିବା ଘରର ସଦର ଅଂଶ ରୂପେ ଏକ ହତା ସାମିଲ କରି ଭୋଗ ଦଖଲ କରି ଆସିଅଛୁଁ ଓ ଯାହା ୨୦୩ ନମ୍ବର ହୋଲ୍‌ଡିଙ୍ଗ ସଙ୍ଗେ ୨୦୩ ନମ୍ବର ହୋଲ୍‌ଡ଼ିଙ୍ଗ୍‌ର ଖରିଦଦାର ପୀତାମ୍ବରୀ ଦେବୀ ଦଖଲ କରିବେ ଓ ନର୍ମାଲ ସ୍କୁଲ ଲେନ୍‌ରୁ ୨୦୩ ନମ୍ବର ହୋଲ୍‌ଡିଙ୍ଗ୍‌କୁ ଯିବାଆସିବା ସଦର ରାସ୍ତାରୂପେ ବ୍ୟବହାର କରିବେ । ତାହା ଯଦି ଆମ୍ଭ ଜୀବଦ୍ଧଶାରେ କାହାରିକୁ ବିକ୍ରୟ, ହସ୍ତାନ୍ତର, ଦାନ, ସମର୍ପଣ ବ ପଟ୍ଟା ଆଦି କରି ନଥିବୁଁ ତେବେ ଆମ୍ଭ ଅନ୍ତେ ପୀତାମ୍ବରୀ ଦେବୀ ତାଙ୍କର ଆମ୍ଭଠାରୁ ଖରିଦ୍ ୨୦୩ ନମ୍ବର ହୋଲ୍‌ଡ଼ିଙ୍ଗ୍ ଘର ସହିତ ଏକହତା ସାମିଲ ବାଡ଼ିରୂପେ ତାଙ୍କ ଜୀବଦ୍ଦଶା ପର୍ଯ୍ୟନ୍ତ ଏକାଏକ ମାଲିକରୂପେ ଭୋଗ ଦଖଲ କରିବେ ଓ ତାଙ୍କ ଅନ୍ତେ ତାହା ଆମ୍ଭର ଉକ୍ତ ଦୁଇନାତି ଉମାକାନ୍ତ ଓ ସତ୍ୟବାଦୀ ପାଇବେ । ପିତାମ୍ବରୀ ଜୀବଦ୍ଦଶାରେ ଥିବା ପର୍ଯ୍ୟନ୍ତ ସେଥିରେ ଆମ୍ଭର କେହି ଓ୍ୟାଲି ଔରସ ବା ସ୍ତ୍ରୀ ବା ଉକ୍ତ ନାତିମାନେ ପୀତାମ୍ବରୀଙ୍କ ଦଖଲ ପକ୍ଷେ ଦାବି, ବାଧା, ଆପତ୍ତି ଓ ବାଧା କରି ନପାରିବେ-

୧୧.

ଆମ୍ଭର ଯାହା ପୈତୃକସଂପତ୍ତି ଅଛି ଓ ଥିବ ତାହା ଆମ୍ଭ ଔରସମାନେ ପାଇବେ ।

୧୨.

ନୂଆଗାଁ ବିଶ୍ୱନାଥପୁର, ପ୍ର-ରାହାଙ୍ଗ, ଜି-ପୁରୀର ଆମ୍ଭ ଆମ୍ଭ ସ୍ତ୍ରୀଙ୍କ ନାମେ ଯେଉଁ ଘର ଓ ଘରବାଡ଼ି ଟାଙ୍କି ବାହେଲି ବୃତ୍ତି ବେନାମି କରି ଆମ୍ଭ ଶ୍ୱଶୁରଙ୍କୁ ଦେଇଅଛୁଁ ଓ ଯାହା ଆମ୍ଭ ଶ୍ୱଶୁରଙ୍କ ଅନ୍ତେ ଆମ୍ଭ ଶାଶୁ ଦଖଲ କରୁଅଛନ୍ତି, ତାହା ଆମ୍ଭ ଶାଶୁ ସୁନାମଣି ଦେବୀ ମାଲିକସ୍ୱରୂପ ଦଖଲ କରିବେ ଓ ସେ ଯାହାକୁ ଦେଇଯିବେ ସେ ତାହା ପାଇବେ ।

୧୩.

ଆମ୍ଭ ଗ୍ରାମ ଓ ଗ୍ରାମ ନିକଟରେ, ଜି. କଟକ, ପ୍ର-କୋଦିଣ୍ଡା, ମୌ. ସିଦ୍ଧେଶ୍ୱରପୁର ଓ ମୌ. କମ୍‌ପୁରରେ ଆମ୍ଭେ ଆମ୍ଭର ସ୍ୱୋ ନିଜ ଧନରୁ ଯେଉଁ ଜମିଦାର ଇତ୍ୟାଦି ଆମ୍ଭ ସ୍ତ୍ରୀଙ୍କ ନାମେ ବେନାମିରେ ଖରିଦ ଓ ହାସଲ କରିଅଛୁଁ, ତାହା ଆମ୍ଭ ସ୍ତ୍ରୀ ଜୀବଦ୍ଦଶା ଭୋଗ କରିବେ, କିନ୍ତୁ ବିକ୍ରୀ, ବନ୍ଧକ ଆଦି କରି ନ ପାରିବେ ତାଙ୍କ ଅନ୍ତେ ତାହା ଆମ୍ଭ ଔରସମାନେ ପାଇବେ ।

୧୪.

ଜି-ପୁରୀ, ପ୍ର-ରାହାଙ୍ଗ, ମୌ-ବିଶ୍ୱନାଥପୁର ଓ ନୂଆଗାଁ ଆଦିରେ ଶ୍ରୀମତୀ ପୀତାମ୍ବରୀ ଦେବୀଙ୍କ ନିଜ ଧନରୁ ନିଜ ହାସଲ ଓ ଭୋଗଦଖଲି ସଂପତ୍ତିରେ ଓ ତାଙ୍କ ତିଆରି କୋଠା ଓ ଘର ଆଦିରେ ତାଙ୍କ ମହାଜନିରେ ଓ ତାଙ୍କର ଅନ୍ୟାନ୍ୟ ସଂପତ୍ତିରେ ଆମ୍ଭର ବା ଆମ୍ଭ ଓ୍ୟାଲି ଔରସ ଉତ୍ତରାଧିକାରୀ ଓଗେରଙ୍କର କିଛି ସ୍ୱତ୍ୱ, ଦାବୀ, ଇଲାକା, ଅଧିକାର, ହିଂସା ନାହିଁ, ନ ଥିଲା କି ନ ରହିବ ।

 

ଏ ପ୍ରମାଣ ଏତଦର୍ଥେ ଆମ୍ଭର ସାବକ ଉଇଲକୁ ରଦକରି ଏ ଉଇଲ ସମ୍ପାଦନ କଲୁଁ କି ଦରକାରବେଳେ କର୍ମରେ ଆସିବ । ଇତି

 

ସନ ୧୯୩୬ ସାଲ ଫେବୃଆରି ମାସ ୨୯ ତାରିଖ । ଶ୍ରୀଯୁକ୍ତ ବାବୁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅନୁମତିକ୍ରମେ ଆମ୍ଭେ ଏ ଉଇଲର ନକଲ ଅସଲ ଉଇଲରୁ ଅବିକଳ ଉଦ୍ଧାର କରିଅଛୁଁ ।

 

ଶ୍ରୀ ଦୀନବନ୍ଧୁ ରଥ, ତା ୨୯-୨-୩୬

 

‘ଉଇଲ’ ଅଧ୍ୟାପକ ବିଜୟ କୁମାର ଚୌଧୁରୀଙ୍କଦ୍ୱାରା ସଂଗୃହୀତ ଓ ପ୍ରଗତିବାଦୀ ପବ୍ଲିକେସନ୍, ଭୁବନେଶ୍ୱର-୯ଙ୍କଦ୍ୱାରା ପ୍ରକାଶିତ ଚୟନିକାର ୬ଷ୍ଠ ସଂଖ୍ୟା, ୧୯୮୪ ମସିହାରେ ପ୍ରକାଶିତ ।

Image